ଆଜିକୁ ମାତ୍ର ଦୁଇ ବର୍ଷ ପୂର୍ବେ ଆର୍ଥିକ ଦୃଷ୍ଟିରୁ ତୁଳନାତ୍ମକ ଭାବେ ଅଧିକ ସ୍ବଚ୍ଛଳ ଥିବା ଏକ ରାଷ୍ଟ୍ର ଆମ ଚକ୍ଷୁ ସାମନାରେ ସ˚ପୂର୍ଣ୍ଣ ଉଜୁଡ଼ି ଯାଉଥିବାର ଦୃଶ୍ୟ ସମ୍ଭବତଃ ଆମ ସମସ୍ତଙ୍କ ଜୀବଦ୍ଦଶାରେ ଏଇ ପ୍ରଥମ। ମାନବ ବିକାଶର ବିଭିନ୍ନ ସୂଚକାଙ୍କରେ ସମ୍ମାନଜନକ ପ୍ରଦର୍ଶନ କରିଥିବା ଶ୍ରୀଲଙ୍କା ନାମକ ଏହି ଦ୍ବୀପ ରାଷ୍ଟ୍ର ଉଭୟ ଆର୍ଥିକ ଏବ˚ ରାଜନୈତିକ ଭାବେ ଏମିତି ଯେ ନିଃସ୍ବ ହୋଇଯିବ, ଏ କଥା ଏକ ଉଦ୍ଭଟ ନାଟକ ଭଳି ଲାଗିଥାଏ; ଯାହାର କାରଣ ଉଭୟ ଦୈବୀ ଓ ମନୁଷ୍ୟକୃତ। କୋଭିଡ୍‌ ପାନ୍‌ଡେମିକ୍‌ ଦ୍ବାରା କିଭଳି ଏହି ରାଷ୍ଟ୍ରର ମୁଖ୍ୟ ଆୟର ଉତ୍ସ ପର୍ଯ୍ୟଟନ ଶିଳ୍ପ ବିଧ୍ବସ୍ତ ହୋଇ ସ˚ପୂର୍ଣ୍ଣ ଶୁଷ୍କ ହୋଇଯାଇଥିଲା ଅଥବା ରାଷ୍ଟ୍ର ଶାସନର ଦାୟିତ୍ବରେ ଥିବା ରାଜପକ୍ଷ ଭ୍ରାତାମାନଙ୍କ ଚରମ ଦାୟିତ୍ବହୀନ ନିଷ୍ପତ୍ତିର ପରିଣାମ ସ୍ବରୂପ ଏହି ଦେଶର ଅର୍ଥ ଉପାର୍ଜନର ଦ୍ବିତୀୟ ପ୍ରମୁଖ ସ୍ରୋତ କୃଷି କ୍ଷେତ୍ର ମରୁମୟ ହୋଇ ଉଠିଥିଲା, ସେ ସମ୍ବନ୍ଧରେ ଦୋହରାଇବାର ଆବଶ୍ୟକତା ନାହିଁ। ତେବେ ଏଭଳି ଏକ ଦାରୁଣ ସ୍ଥିତିରେ ଯେଉଁ ଗୋଟିଏ ପ୍ରଶ୍ନ ମନକୁ ଆନ୍ଦୋଳିତ କରିଥାଏ, ତାହା ହେଲା, ୟା’ ପରେ କ’ଣ? ସୁତରା˚, ଶ୍ରୀଲଙ୍କାର ଘୋର ଅନିଶ୍ଚିତ ଭବିଷ୍ୟତ ପରିପ୍ରେକ୍ଷୀରେ ଏହି ପ୍ରଶ୍ନର ଏକ ସମ୍ଭାବ୍ୟ ଉତ୍ତର ଖୋଜିବାର ପ୍ରୟାସ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।

Advertisment

ଇତିମଧୢରେ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତବାୟା ରାଜପକ୍ଷ ପରିବାର ସହିତ ଦେଶ ଛାଡ଼ି ପଳାୟନ କରିବା ସହିତ ଇ-ମେଲ ଜରିଆରେ ତାଙ୍କ ଇସ୍ତଫା ପତ୍ର ପ୍ରେରଣ କରିଛନ୍ତି। କିନ୍ତୁ ଏବେ ଆଲୋଚନା ବେଳେ ହୃଦ୍‌ବୋଧ ହୋଇଥାଏ ଯେ କେବଳ ଗୋତବାୟା ରାଜପକ୍ଷଙ୍କ ଅପରିଣାମଦର୍ଶୀ ଓ ଅହ˚କାରୀ ନିଷ୍ପତ୍ତି ନୁହେଁ, ଶ୍ରୀଲଙ୍କାର ପୂର୍ବବର୍ତ୍ତୀ ଶାସକମାନଙ୍କ ଦୂରଦୃଷ୍ଟିର ଅଭାବ ମଧୢ ଶ୍ରୀଲଙ୍କାକୁ ଏଭଳି ଏକ ଗର୍ତ୍ତ ମଧୢକୁ ନିକ୍ଷେପ କରିଛି। ଉଦାହରଣ ସ୍ବରୂପ ପର୍ଯ୍ୟଟନ ଶିଳ୍ପ ଏବ˚ କୃଷି ବ୍ୟତୀତ ଶ୍ରୀଲଙ୍କା ଲାଗି ଏକ ପ୍ରଭାବୀ ଆୟର ସ୍ରୋତ ସୃଷ୍ଟି କରିବାରେ ପୂର୍ବବର୍ତ୍ତୀ ସରକାରଗୁଡ଼ିକର ବିଫଳତା। ତେଣୁ, ଶ୍ରୀଲଙ୍କାରେ ଜୀବନଧାରଣ ଲାଗି ଆବଶ୍ୟକ ପ୍ରାୟ ସମସ୍ତ ଦ୍ରବ୍ୟ ଆମଦାନି ନିର୍ଭର, ଯାହା ବୈଦେଶିକ ମୁଦ୍ରା ଭଣ୍ତାରକୁ ନିରନ୍ତର ଚାପଗ୍ରସ୍ତ କରି ରଖିଥାଏ। ଏଭଳି ସ୍ଥଳେ କୋଭିଡ୍‌ ଜନିତ ଆୟଶୂନ୍ୟତା କାରଣରୁ ସୃଷ୍ଟ ଆର୍ଥିକ ଦୁଃସ୍ଥିତି ପରିପ୍ରେକ୍ଷୀରେ ଗୋତବାୟା ରାଜପକ୍ଷ ରାସାୟନିକ ସାରର ବ୍ୟବହାର ଏବଂ ଆମଦାନିକୁ ସ˚ପୂର୍ଣ୍ଣ ନିଷେଧ କରି ସମ୍ଭବତଃ ସାନ୍ତ୍ବନା ଲାଭ କରିଥିବେ ଯେ ଏହା ଯୋଗୁଁ ବାର୍ଷିକ ପ୍ରାୟ ୪୦୦ ନିୟୁତ ଡଲାର‌୍‌ (ଶ୍ରୀଲଙ୍କା ଦ୍ବାରା ସାର ଆମଦାନିର ମୂଲ୍ୟ) ଉଦ୍‌ବୃତ୍ତ ରହିଯିବ।

କିନ୍ତୁ ତାଙ୍କର ଚରମ ନିର୍ବୋଧତା ନିହିତ ଥିଲା ରାସାୟନିକ ସାରକୁ ଏକ ଅତ୍ୟାବଶ୍ୟକ ସାମଗ୍ରୀ ରୂପେ ବିବେଚନା ନ କରିବାରେ; ଯେଉଁ ‘ନିର୍ବୋଧତା’ ପରିଦୃଷ୍ଟ ହୋଇଥିଲା ଜାତିସ˚ଘରେ ସେ ପ୍ରଦାନ କରିଥିବା ଏକ ଭାଷଣରେ, ଯହିଁରେ ରାସାୟନିକ ସାରର ବ୍ୟବହାରକୁ ନିଷେଧ କରି ସେ ନେଇଥିବା ନିଷ୍ପତ୍ତି ସପକ୍ଷରେ ଆସ୍ଫାଳନ କରି କହିଥିଲେ ଯେ ଶ୍ରୀଲଙ୍କାକୁ ଏକ ସ˚ପୂର୍ଣ୍ଣ ‘ଜୈବକୃଷି ସଂପନ୍ନ ରାଷ୍ଟ୍ର’ର ଦୃଷ୍ଟାନ୍ତ ରୂପେ ସ୍ଥାପନ କରିବାକୁ ସେ ବଦ୍ଧପରିକର। କିନ୍ତୁ ଏହା ଦ୍ବାରା ଶ୍ରୀଲଙ୍କାର କୃଷି କ୍ଷେତ୍ର ସ˚ପୂର୍ଣ୍ଣ ଉଜୁଡ଼ି ଯାଇ ଆର୍ଥିକ ସ୍ଥିତିକୁ ରସାତଳଗାମୀ କରିଥିଲା। ସୁତରା˚, ଶ୍ରୀଲଙ୍କାର ଅନୁଭୂତିରୁ ଲବ୍‌ଧ ଜ୍ଞାନଟି ହେଲା କୌଣସି ରାଷ୍ଟ୍ର ଲାଗି ଅର୍ଥାଗମର ମାଧୢମ ବହୁବିଧ ହେବା ବାଞ୍ଛନୀୟ, ଯାହା ଅର୍ଥନୀତିକୁ ଅଧିକ ଧାରଣକ୍ଷମ କରିବ।

ତେବେ, ସେ ଯାହା ହେଉ, ଶ୍ରୀଲଙ୍କାର ଅର୍ଥନୀତି ଆ˚ଶିକ ବଳ ଲାଭ କରି ଚଳନକ୍ଷମ ହେବା ଲାଗି ଯାହା ସର୍ବ ପ୍ରଥମେ ଆବଶ୍ୟକ, ତାହା ହେଲା ଅତି କମ୍‌ରେ ୬ ବିଲିଅନ ଡଲାର। କିନ୍ତୁ ସେଠାରେ ସୃଷ୍ଟି ହୋଇଥିବା ଅରାଜକତା ଦୃଷ୍ଟିରୁ ସହସା ଏତେ ପରିମାଣର ଅର୍ଥ ଯୋଗାଡ଼ କରାଯିବା ଏକ ଅତ୍ୟନ୍ତ ଦୁରୁହ ବ୍ୟାପାର। ସେହି ପରିପ୍ରେକ୍ଷୀରେ ସମସ୍ତ ଆଶା କେନ୍ଦ୍ରୀଭୂତ ହୋଇଥାଏ ‘ଆଇ.ଏମ୍‌.ଏଫ୍‌.’ ବା ‘ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି’ ଉପରେ, ଯାହା ତା’ ଠାରୁ ଋଣ ନେଉଥିବା ଖାତକ ରାଷ୍ଟ୍ରଗୁଡ଼ିକ ସହିତ ଅଧିକାଂଶ ସମୟରେ ନିର୍ଦ୍ଦୟ ମହାଜନ ତୁଲ୍ୟ ଆଚରଣ ପ୍ରଦର୍ଶନ କରିଥାଏ। ସୁତରା˚, ‘ଆଇ.ଏମ୍‌.ଏଫ୍‌.’ ଦ୍ବାରା ପ୍ରଦତ୍ତ ଋଣ (ଯଦି ତାହା ସମ୍ଭବ ହୁଏ) ରାଶିର ଯେମିତି ଅପବ୍ୟୟ ନ ହୁଏ, ସେଥିଲାଗି ସ୍ବାଭାବିକ ଭାବେ ସର୍ବ ପ୍ରଥମ ସର୍ତ୍ତ ରହିବ ଶ୍ରୀଲଙ୍କାର ରାଜନୈତିକ ସ୍ଥିରତା; ଯେଉଁ ଦିଗରେ ଶ୍ରୀଲଙ୍କାର ସ˚ସଦ ନିଜକୁ ପ୍ରସ୍ତୁତ କରୁଛି, ଯଦ୍ଦ୍ବାରା ସା˚ସଦମାନେ ଆସନ୍ତା ୨୦ ତାରିଖରେ ଜଣେ ଶାସନ ମୁଖ୍ୟ ଓ ତାଙ୍କ ଦ୍ବାରା ଏକ ସରକାର ଗଠନର ସମ୍ଭାବନା ନେଇ ଆଗକୁ ଆସିପାରନ୍ତି। ପ୍ରକାଶ ଥାଉ କି ଏଭଳି ଏକ ସରକାର ପଛରେ ଜନାଦେଶର ସ୍ବୀକୃତି ନ ଥିବ; କିନ୍ତୁ ତା’ ସତ୍ତ୍ବେ ଏଭଳି ଏକ ଅସାଧାରଣ ପରିସ୍ଥିତିରେ ଏହା ଏକମାତ୍ର ରାଜନୈତିକ ସମାଧାନର ସୂତ୍ର। ସେହିଭଳି ପ୍ରଦତ୍ତ ଋଣ ରାଶିର ସୁବିନିଯୋଗକୁ ଧାର୍ଯ୍ୟ କରିବା ଲାଗି ‘ଆଇ.ଏମ୍‌.ଏଫ୍‌.’ ତରଫରୁ ଅନେକ କଟକଣାମୂଳକ ସର୍ତ୍ତ ମଧୢ ଲଗାଯାଇଥାଏ, ଯହିଁରେ ସରକାରଗୁଡ଼ିକ ଦ୍ବାରା ଦିଆଯାଉଥିବା ସବ୍‌ସିଡି(ନାରିକମାନଙ୍କ ଆର୍ଥିକ ସୁରକ୍ଷା ସକାଶେ)ର ଉଚ୍ଛେଦ ସର୍ବ ପ୍ରଧାନ ହୋଇଥାଏ।

ଉଦାହରଣ ସ୍ବରୂପ ସ୍ପେନ୍‌ର ଆର୍ଥିକ ସ˚କଟ ବେଳେ ଋଣ ପ୍ରଦାନ କରି ଆଇ.ଏମ୍‌.ଏଫ୍‌. ଯେଉଁ ସର୍ତ୍ତ ରଖିଥିଲା, ତହିଁରେ ସ୍ପେନୀୟମାନଙ୍କୁ ମିଳୁଥିବା ମାଗଣା ସରକାରୀ ସ୍ବାସ୍ଥ୍ୟ ସେବା ଉପଲବ୍‌ଧ ହୋଇ ନ ଥିଲା। ଏହି ପରିପ୍ରେକ୍ଷୀରେ ‘ଆମନେଷ୍ଟି ଇଣ୍ଟରନେସନାଲ’ (ଆନ୍ତର୍ଜାତିକ କ୍ଷମା ସ˚ସ୍ଥା) ପକ୍ଷରୁ କୁହାଯାଇଥାଏ ଯେ ଆଇ.ଏମ୍‌.ଏଫ୍‌. ସର୍ତ୍ତର ପାଳନର ବାଧୢବାଧକତା ହେତୁ ଅନେକ ସମୟରେ ମାନବ ଅଧିକାରଗୁଡ଼ିକର ଉଲ୍ଲ˚ଘନ ଘଟିଥାଏ। ସୁତରା˚, ଶ୍ରୀଲଙ୍କା ପରିପ୍ରେକ୍ଷୀରେ ଏଭଳି ଏକ ସମ୍ଭାବନା ଦୁର୍ଦ୍ଦଶାଗ୍ରସ୍ତ ନାଗରିକମାନଙ୍କ ପୀଡ଼ାକୁ ଏକ ଅସହନୀୟ ସ୍ତରକୁ ନେଇ ଆହୁରି ବିଶୃଙ୍ଖଳ ଅରାଜକତା ସୃଷ୍ଟି କରିପାରେ। ସେହି ଦୃଷ୍ଟିରୁ ଶ୍ରୀଲଙ୍କା ଯେ ଏକ ଅତ୍ୟନ୍ତ ଅନିଶ୍ଚିତ ଭବିଷ୍ୟତ୍‌ ଆଡ଼କୁ ମୁହଁ କରି ଛିଡ଼ା ହୋଇଛି, ତାହା ବୁଝି ହୋଇଥାଏ।

ଜାତିସ˚ଘର ‘ଖାଦ୍ୟ କାର୍ଯ୍ୟକ୍ରମ’ ସୂତ୍ରରୁ ଲବ୍‌ଧ ତଥ୍ୟ ଅନୁସାରେ ବର୍ତ୍ତମାନ ଶ୍ରୀଲଙ୍କାରେ ପ୍ରତି ଦଶଟି ପରିବାରରୁ ନଅଟି ପରିବାର ଦିନକୁ ମାତ୍ର ଥରେ ଖାଉଛନ୍ତି। ଅତ୍ୟାବଶ୍ୟକ ଦ୍ରବ୍ୟ ଲାଗି ଦୀର୍ଘ ଧାଡ଼ିମାନରେ ଛିଡ଼ା ହୋଇ ଏ ଯାବତ୍‌ ୪୯ ଜଣ ପ୍ରାଣ ହରାଇ ସାରିଲେଣି। ସେଠାକର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ଏବ˚ ଅଧିକା˚ଶ ସ୍ଥାନ ବିଜୁଳି ଶୂନ୍ୟ। ପେଟ୍ରୋଲ ଏବ˚ ଡିଜେଲର ଅନୁପଲବ୍‌ଧତା କାରଣରୁ ସ˚ଖ୍ୟାଧିକ ଲୋକ ପାଦ ବା ସାଇକେଲର ବ୍ୟବହାର କରୁଛନ୍ତି। ଔଷଧ ଏବ˚ ଚିକିତ୍ସା ଲାଗି ଆବଶ୍ୟକ ସାମଗ୍ରୀର ଅଭାବ କାରଣରୁ ଡାକ୍ତରମାନେ ନିବେଦନ କରୁଥିବା ଶୁଣାଯାଉଛି ଯେ ଶ୍ରୀଲଙ୍କାର ନାଗରିକମାନେ ଦୁର୍ଘଟଣା ବା ରୋଗଗ୍ରସ୍ତ ନ ହୁଅନ୍ତୁ। ତେବେ ଦୃଶ୍ୟମାନ ହେଉଥିବା ଏଭଳି ବିକଳ ସ୍ଥିତି ତଳେ ଅଦୃଶ୍ୟ ରହିଥିବା ଯେଉଁ ସମସ୍ୟା ଉତ୍କଟ ହେବାରେ ଲାଗିଛି, ତାହା ହେଲା ଶ୍ରୀଲଙ୍କାକୁ ଗ୍ରାସ କରୁଥିବା ଗଭୀର ବିଷାଦ ବୋଧ। ଉଲ୍ଲେଖଯୋଗ୍ୟ ଯେ ୨୦୦୯ ମସିହାରେ ଶ୍ରୀଲଙ୍କା ଦେଖିଥିବା ଅତ୍ୟନ୍ତ ଭୟାବହ ଓ ରକ୍ତାକ୍ତ ଗୃହଯୁଦ୍ଧ ନାଗରିକମାନଙ୍କୁ ଗଭୀର ଅବସାଦବୋଧ ମଧୢକୁ ଠେଲି ଦେଇଥିଲା।

ତାହାର ଦଶ ବର୍ଷ ପରେ କୋଭିଡ୍‌ ଦ୍ବାରା ସୃଷ୍ଟ ହାହାକାର ଏବ˚ ତାହା ନ ସରୁଣୁ ବର୍ତ୍ତମାନ ସେହି ଦେଶ ହଠାତ୍‌ ନିଃସ୍ବ ହୋଇଯିବା ଭଳି ଘଟଣା ତାର ୨ କୋଟି ନାଗରିକଙ୍କୁ ଅବର୍ଣ୍ଣନୀୟ ମାନସିକ ଅବସାଦର ଗହ୍ବର ମଧୢକୁ ନିକ୍ଷେପ କରିଛି। ଏକ ଅନୁଧୢାନମୂଳକ ରିପୋର୍ଟ ଅନୁସାରେ ଏହି ପରିପ୍ରେକ୍ଷୀରେ ଶ୍ରୀଲଙ୍କାର ତରୁଣ ବର୍ଗ ସର୍ବାଧିକ ବିବ୍ରତ ଓ ବିଷାଦଗ୍ରସ୍ତ। ଏକ ପରିସ˚ଖ୍ୟାନ ଅନୁସାରେ ଶ୍ରୀଲଙ୍କାରେ ୯୯.୬ ଛାତ୍ରଛାତ୍ରୀ ହାଇସ୍କୁଲ ଶିକ୍ଷା ପରେ କଲେଜ ଓ ଉଚ୍ଚତର ବୈଷୟିକ ଶିକ୍ଷାନୁଷ୍ଠାନକୁ ଯାଆନ୍ତି ଏବ˚ ସେଠାକାର ସାକ୍ଷରତାର ହାର ହେଉଛି ୯୯ ପ୍ରତିଶତ। ଏଭଳି ସ୍ଥଳେ ଶିକ୍ଷା ବ୍ୟବସ୍ଥା ସ˚ପୂର୍ଣ୍ଣ ଭୁଶୁଡ଼ି ପଡ଼ିବା ସେମାନଙ୍କୁ ଅତ୍ୟନ୍ତ ବିଷଣ୍ଣ କରିପକାଇବା ସ୍ବାଭାବିକ। ସେହିଭଳି ସ୍ବଚ୍ଛଳ ମଧୢବିତ୍ତ ପରିବାରଗୁଡ଼ିକ ସହସା ଅବର୍ଣ୍ଣନୀୟ ଅସହାୟତାର ଶିକାର ହୋଇ ଗଭୀର ମାନସିକ ଚାପ ଭୋଗ କରିବା ମଧୢ ସ୍ବାଭାବିକ। ଏଭଳି ସ୍ଥଳେ ଡାକ୍ତରମାନଙ୍କ ନିବେଦନ ସତ୍ତ୍ବେ ଶ୍ରୀଲଙ୍କାବାସୀ ଅଧିକରୁ ଅଧିକ ସ˚ଖ୍ୟାରେ ଚିକିତ୍ସା ଲୋଡ଼ିବା ମଧୢ ସ୍ବାଭାବିକ ହେଲାଣି। ଏହା ଏକ ବିଡ଼ମ୍ବନା ନୁହେଁ କି?

ଏଥିରେ ଦ୍ବିରୁକ୍ତି ନାହିଁ ଯେ କାଳର ଏକ ଭଉଁରିରେ ନିକ୍ଷେପିତ ଏହି କ୍ଷୁଦ୍ର ଦ୍ବୀପ ରାଷ୍ଟ୍ରର ଭବିଷ୍ୟତ୍‌ ବେଶ୍‌ ଦୀର୍ଘ କାଳ ଧରି ସ˚କଟମୟ ହୋଇ ରହିବ। କେବଳ ସମୟ କହି ପାରିବ କେବେ ସେଇ ଦେଶଟିକୁ ତା ଭଉଁରି କବଳରୁ ମୁକ୍ତ କରିବ।