ନିଷେଧାଦେଶ ସଂପର୍କରେ

ନିକଟରେ ‘ୟୁଏପିଏ’ ବା ‘ବେଆଇନ କାର୍ଯ୍ୟକଳାପ ନିରୋଧକ ଆଇନ’ ବଳରେ ଭାରତ ସରକାରଙ୍କ ଦ୍ବାରା ‘ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ତିଆ’ ବା ‘ପିଏଫ୍‌ଆଇ’କୁ ପାଞ୍ଚ ବର୍ଷ ସକାଶେ ନିଷେଧ କରାଯିବାର ନିଷ୍ପତ୍ତି ରାଜନୈତିକ ଦଳ ଏବ˚ ମତ ନିର୍ବିଶେଷରେ ସମର୍ଥନ ଲାଭ କରିଛି। ପ୍ରକାଶ ଥାଉ କି ‘ପିଏଫ୍‌ଆଇ’ ଦ୍ବାରା ହି˚ସା ପ୍ରୋତ୍ସାହନକାରୀ ଚରମ ସା˚ପ୍ରଦାୟିକତାବାଦୀ ଆଭିମୁଖ୍ୟକୁ ସମସ୍ତ ଦଳ ଏକ ସ୍ବରରେ ନିନ୍ଦା କରିଥିବା ବେଳେ କିଛି ଦଳ ପକ୍ଷରୁ ମତ ପ୍ରକାଶ ପାଇଛି ଯେ କେବଳ ଏକ ନିର୍ଦ୍ଦିଷ୍ଟ ସ˚ପ୍ରଦାୟକୁ ଶରବ୍ୟ କରା ନ ଯାଇ ସା˚ପ୍ରଦାୟିକ ଘୃଣା ସ˚ଚାର କରୁଥିବା ସମସ୍ତ ଚରମ ମୌଳବାଦୀ ସ˚ଗଠନଗୁଡ଼ିକୁ ଏଭଳି ନିଷେଧାଦେଶର ପରିସରଭୁକ୍ତ କରାଯାଉ କିମ୍ବା ‘ଏଆଇଏମ୍‌ଆଇଏମ୍‌’ ଭଳି ଦଳ ପକ୍ଷରୁ ଏକ ଉଦ୍‌ବେଗ ପ୍ରକଟ କରାଯାଇଛି ଯେ ସ˚ଖ୍ୟାଲଘୁ ମୁସଲିମ ସ˚ପ୍ରଦାୟର ନିର୍ଦ୍ଦୋଷ ନାଗରିକମାନଙ୍କୁୁ ‘ପିଏଫ୍‌ଆଇ’ ସହିତ ଛନ୍ଦି ଅଯଥାରେ ହଇରାଣ କରିବାର ଆଗ୍ରହାତିଶଯ୍ୟ ପ୍ରକାଶ ନ ପାଉ। ତେବେ, ‘ପିଏଫ୍‌ଆଇ’ ଯେ କେବଳ ସା˚ପ୍ରଦାୟିକ ଘୃଣାର ପ୍ରସାର ଘଟାଉଥିଲା, ତାହା ନୁହେଁ, ଏହି ସ˚ଗଠନର ସଦସ୍ୟଗଣ ପ୍ରତ୍ୟକ୍ଷ ରୂପେ ଅନେକ ସା˚ପ୍ରଦାୟିକ ହି˚ସାରେ ଲିପ୍ତ ରହିିବା ସହିତ କିଛି ଆନ୍ତର୍ଜାତିକ ଆତଙ୍କବାଦୀ ସ˚ଗଠନ ସହିତ ସ˚ପୃକ୍ତ ଥିଲେ।

୨୦୦୩ ମସିହାରେ କେରଳର ମାରାଡ଼ ଠାରେ ଆଠ ଜଣଙ୍କୁ ହତ୍ୟା ବା ୨୦୧୧ ମସିହାରେ କର୍ଣ୍ଣାଟକରେ ଜଣେ ଅଧୢାପକଙ୍କ ହସ୍ତ ଛେଦନ ଅଥବା କୋଇମ୍ବାଟୁରରେ ବୋମା ବିସ୍ଫୋରଣ ଭଳି ଘଟଣା ଏହି ସ˚ଠଗନର ସଦସ୍ୟମାନଙ୍କ ଦ୍ବାରା ସ˚ଘଟିତ ହୋଇଥିଲା, ଯେଉଁମାନେ ଆଗାମୀ କିଛି ଦିନ ମଧୢରେ କେତେକ ଅତ୍ୟନ୍ତ ଜଘନ୍ୟ ସନ୍ତ୍ରାସବାଦୀ ଆକ୍ରମଣ ରଚନା କରିବାର ମସୁଧା ମଧୢ କରୁଥିଲେ। ଏହା ଜଣାପଡ଼ିବା ପରେ ସ˚ଗଠନଟିକୁ ନିଷିଦ୍ଧ ବୋଲି ଘୋଷଣା କରାଯାଇଛି। ପ୍ରକାଶ ଥାଉ କି କେରଳ ଏବ˚ କର୍ଣ୍ଣାଟକରେ ବିଶେଷ ସକ୍ରିୟ ଥିବା ଏହି ସ˚ଗଠନ ଇତିମଧୢରେ ଦେଶର ବିଭିନ୍ନ ସ୍ଥାନରେ ଦପ୍ତରମାନ ଖୋଲିଥିଲା ଏବ˚ ସ˚ଖ୍ୟାଲଘୁ ମୁସଲିମ ସ˚ପ୍ରଦାୟର ସଦସ୍ୟମାନଙ୍କ ସକାଶେ ଆଇନଗତ ଏବ˚ ସାମାଜିକ ନ୍ୟାୟମୂଳକ ସହାୟତା ପ୍ରଦାନ କରିବାର ଛଦ୍ମ-ବର୍ମ ତଳେ ସା˚ପ୍ରଦାୟିକ ଘୃଣାର ପ୍ରସାର ବା ଆତଙ୍କବାଦୀ କାର୍ଯ୍ୟକଳାପରେ ନିୟୋଜିତ ଥିଲା। ତେବେ, ଏ ସ˚ଦର୍ଭରେ ଯେଉଁ ପ୍ରସଙ୍ଗଟି ଏଠାରେ ଆଲୋଚନା ଲାଗି ଏକ ଅବକାଶ ସୃଷ୍ଟି କରିଥାଏ, ତାହା ହେଲା ଏଭଳି ନିଷେଧାଦେଶ କ’ଣ ସମସ୍ୟାର ସ୍ଥାୟୀ ବା ଦୀର୍ଘକାଳୀନ ସମାଧାନ ଦିଗରେ ଏକ ଫଳପ୍ରଦ ପନ୍ଥା?

ଉଲ୍ଲେଖ ଥାଉ ଯେ ‘ପିଏଫ୍‌ଆଇ’ ଭଳି ସ˚ଗଠନ ଦାରିଦ୍ର୍ୟ ପ୍ରପୀଡ଼ିତ ସୀମାନ୍ତରିତ ମୁସଲିମ ସ˚ପ୍ରଦାୟର ପ୍ରତିକ୍ରିୟାଶୀଳ ଗୋଷ୍ଠୀ ଦ୍ବାରା ସ˚ଚାଳିତ ନୁହେଁ; ବର˚, ଏହାର ପରିଚାଳକମାନେ ପ୍ରାୟତଃ ଉଚ୍ଚ ଶିକ୍ଷିତ, ଅନେକତ୍ର ଓକିଲ ବା ଡାକ୍ତର ବା ଅଧୢାପକଙ୍କ ଭଳି ସଫଳ ପେସାଦାର ଏବ˚ ସ୍ଥଳ ବିଶେଷରେ ବିଦ୍ବାନ ମଧୢ; ଯେଉଁମାନେ ସ˚ଗଠନକୁ ଏକ ଆକର୍ଷଣର କ୍ଷେତ୍ରରେ ପରିଣତ କରିବା ସହିତ ଏହି ସ˚ଗଠନରେ ନୂତନ ଭାବେ ପ୍ରବେଶ କରିଥିବା ତରୁଣ-ତରୁଣୀମାନଙ୍କ ବୁଦ୍ଧି ଭ୍ରଷ୍ଟ କରିବାରେ ସହଜରେ ସମର୍ଥ ହୋଇଥାନ୍ତି। ତେଣୁ ପ୍ରାୟ ସର୍ବଦା ଏଭଳି ହୋଇଥାଏ ଯେ ଏକ କଠୋର ନିଷେଧାଦେଶ ଏବ˚ ତଜ୍ଜନିତ ବ୍ୟାପକ ଗିରଫଦାରି ଭଳି କାର୍ଯ୍ୟାନୁଷ୍ଠାନ ଦ୍ବାରା ଏଭଳି ସ˚ଗଠନ ଅପାତତଃ ବିଲୟ ଲାଭ କରିଛି ବୋଲି ଏକ ଧାରଣା ଉତ୍ପନ୍ନ ହୋଇଥାଏ ସିନା, ପ୍ରକୃତରେ କିନ୍ତୁ କଠୋର ଚରମ ପନ୍ଥୀରେ ପରିଣତ ହୋଇ ସାରିଥିବା ଏହାର ସଦସ୍ୟମାନେ ଆହୁରି ଅଧିକ ଗଭୀର ଭାବେ ଭୂମିଗତ ହୋଇ ସେମାନଙ୍କ କାର୍ଯ୍ୟକଳାପକୁ ସନ୍ତର୍ପଣରେ ଚଳାଇ ରଖିବା ସହିତ ଅଧିକ ତୀବ୍ରତା ପ୍ରଦାନ କରନ୍ତି ଏବ˚ କିଛି କାଳର ବିରତି ପରେ ପୁନର୍ବାର ନିରୀହ ନାମମାନ ଧାରଣ କରି ମୁଣ୍ତ ଟେକନ୍ତି।

‘ପିଏଫ୍‌ଆଇ’ ବା ‘ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ତିଆ’ ଭଳି ଏକ ଦେଶମନସ୍କ ନିରୀହ ନାମଧାରୀ ସାମ୍ମୁଖ୍ୟରେ ଅନ୍ତର୍ଭୁକ୍ତ ଥିବା ସ˚ଗଠନଗୁଡ଼ିକର ନାମ ଉପରେ ଦୃଷ୍ଟି ପକାଯାଉ; ଯେମିତି କି ‘ନେସନାଲ ଡେଭଲପମେଣ୍ଟ’ ଫ୍ରଣ୍ଟ୍‌ ଅଥବା ‘କର୍ଣ୍ଣାଟକ ଫୋରମ ଫର ଡିଗ୍‌ନିଟି’ ଇତ୍ୟାଦି। ଏଥିରେ ସା˚ପ୍ରଦାୟିକ ପରିଚିତିର ଲେଶ ମାତ୍ର ଚିହ୍ନ ଦୃଶ୍ୟମାନ ହେବା ତ ଦୂରର କଥା, ତହିଁରେ ‘ବିକାଶ’ ବା ‘ମର୍ଯ୍ୟାଦା’ ଭଳି ଶବ୍ଦମାନ ରହି ତହିଁରେ ମୂଳପିଣ୍ତ ଭଳି ବିଦ୍ୟମାନ ଥିବା ସା˚ପ୍ରଦାୟିକ ସ˚କୀର୍ଣ୍ଣତାକୁ ସଂପୂର୍ଣ୍ଣ ଆବୃତ କରି ରଖନ୍ତି। ପ୍ରକାଶ ଥାଉ କି ୨୦୦୧ ମସିହାରେ (ଯୁକ୍ତରାଷ୍ଟ୍ର ଆମେରିକାର ବିଶ୍ବ ବାଣିଜ୍ୟ କେନ୍ଦ୍ର ବିଧ୍ବସ୍ତ ହେବା ପରେ) ତତ୍କାଳୀନ ସରକାର ‘ଷ୍ଟୁଡେଣ୍ଟ୍‌ସ ଇସଲାମିକ୍‌ ମୁଭମେଣ୍ଟ ଅଫ୍‌ ଇଣ୍ତିଆ’ ବା ‘ସିମି’ ଉପରେ ନିଷେଧାଦେଶ ଜାରି କରିଥିଲେ, ଯାହା ଏ ପର୍ଯ୍ୟନ୍ତ ବଳବତ୍ତର ରହିଛି। କିନ୍ତୁ କଥା ହେଲା, ଭାରତକୁ ଏକ ଇସଲାମୀୟ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ ନେଇ ଏହି ସ˚ଗଠନ ଏକ ନିରୀହ ନାମ ଧାରଣ କରି ୧୯୭୭ ମସିହାରୁ ଉଦ୍ୟମ ଚଳାଇ ଆସିଥିଲା।

ଏହା ଅବଶ୍ୟ ସତ ଯେ ‘ସିମି’ ବସ୍ତୁତଃ ତାର ଅସ୍ତିତ୍ବ ହରାଇଛି। କିନ୍ତୁ ତା’ ସହିତ ଆଉ ଯାହା ସ୍ପଷ୍ଟ, ତାହା ହେଲା, ‘ସିମି’ ପରବର୍ତ୍ତୀ କାଳରେ ‘ଇଣ୍ତିଆନ୍‌ ମୁଜାହିଦ୍ଦିନ’ ହେଉ ଅଥବା ‘ପିଏଫ୍‌ଆଇ’ ହେଉ; ନୂତନ ଅବତାରରେ ଆବିର୍ଭୂତ ହୋଇଛି। ସେହି ଦୃଷ୍ଟିରୁ ଅନେକ ବିଶେଷଜ୍ଞ ମତ ପ୍ରଦାନ କରନ୍ତି ଯେ ଏଭଳି ନିଷେଧାଦେଶ ଶ˚ସିତ ସମସ୍ୟାର ସ୍ଥାୟୀ ଅନ୍ତ ଘଟାଇବାରେ ସମର୍ଥ ହୋଇ ନ ପାରେ। କାରଣ ଚରମ ସା˚ପ୍ରଦାୟିକତାବାଦ ଏବ˚ ଆତଙ୍କବାଦ ସ˚ପ୍ରତି ପୁରାଣରେ ବର୍ଣ୍ଣିତ ଦୈତ୍ୟ ରକ୍ତବୀର୍ଯ୍ୟର ଚରିତ୍ର ଆହରଣ କଲାଣି, ଯେଉଁଠି ରକ୍ତବୀର୍ଯ୍ୟର ଶରୀରରୁ କ୍ଷରିତ ପ୍ରତି ରକ୍ତ ବିନ୍ଦୁ ଅନ୍ୟ ଏକ ରକ୍ତବୀର୍ଯ୍ୟକୁ ଜନ୍ମ ଦେଇ ତାର ଅସ୍ତିତ୍ବକୁ ବସ୍ତୁତଃ ଏକ ଅନ୍ତହୀନତା ପ୍ରଦାନ କରିଥାଏ।

ଏକଦା ଜର୍ଜ ବର୍ନାର୍ଡ ସ’ କହିବା ଶୁଣାଯାଇଥିଲା ଯେ ନିଷେଧାଦେଶ ଜାରି କରିଦେବା ହେଉଛି ସର୍ବାଧିକ ଆଳସ୍ୟପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ। କିନ୍ତୁ, ଏହା ମଧୢ ସତ ଯେ ନିଷେଧାଦେଶ ଭଳି କାର୍ଯ୍ୟାନୁଷ୍ଠାନ କୌଣସି ସମସ୍ୟାର ସମାଧାନ ଦିଗରେ ସର୍ବାଧିକ ସମର୍ଥ ପଦକ୍ଷେପ ବୋଲି ଅଗତ୍ୟା ଏକ ସାନ୍ତ୍ବନାପ୍ରଦାୟୀ ଧାରଣା ମଧୢ ସୃଷ୍ଟି କରିଥାଏ। ତେଣୁ ସରକାରଗୁଡ଼ିକ ଅନେକ ସମୟରେ ଏହି ପନ୍ଥାର ଆଶ୍ରୟ ନିଅନ୍ତି। କିନ୍ତୁ ବାସ୍ତବରେ ଏହା ଏକ ଦୀର୍ଘମିଆଦୀ ଏବ˚ ଧାରଣକ୍ଷମ କାର୍ଯ୍ୟାନୁଷ୍ଠାନ ହୋଇ ନ ଥାଏ। ଉଦାହରଣ ସ୍ବରୂପ ସା˚ପ୍ରଦାୟିକତାବାଦୀଙ୍କ ଅଭିସନ୍ଧି ସ˚ପର୍କରେ ସାଧାରଣ ନାଗରିକଙ୍କ ମଧୢରେ ସଚେତନତା ସୃଷ୍ଟି ସହିତ ସ˚ଖ୍ୟାଲଘୁ ସ˚ପ୍ରଦାୟକୁ ସରକାରଙ୍କ ଦ୍ବାରା ଅଭୟ ପ୍ରଦାନ ସା˚ପ୍ରଦାୟିକ ଶକ୍ତିଗୁଡ଼ିକୁ ଯେଭଳି ପରାହତ କରି ପାରିବ, ସମ୍ଭବତଃ ନିଷେଧାଦେଶଗୁଡ଼ିକ ସେଭଳି କରି ପାରିବେ ନାହିଁ।

ସ୍ମରଣରେ ଆସିଥାଏ ଯେ ୨୦୧୪ ମସିହାରେ ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ହେବା ସହିତ ‘ମିନିମମ୍‌ ଗଭର୍ନମେଣ୍ଟ୍‌ ଏଣ୍ତ୍‌ ମାକ୍‌ସିମମ୍‌ ଗଭର୍ନାନ୍‌ସ’ ବା ‘ସର୍ବନିମ୍ନ ସରକାର ଏବ˚ ସର୍ବାଧିକ ଶାସନ’ ସ˚ପର୍କରେ ଉଲ୍ଲେଖ କରିଥିଲେ। ସେହି ଦୃଷ୍ଟିରୁ ବିଚାର କଲେ ନିଷେଧାଦେଶଗୁଡ଼ିକରେ ‘ସରକାର’ ବା ‘ଗଭର୍ନମେଣ୍ଟ’ ଦୃଶ୍ୟମାନ ହୁଅନ୍ତି; କିନ୍ତୁ ଯେଉଁ ପଦକ୍ଷେପଗୁଡ଼ିକ ଦୀର୍ଘସ୍ଥାୟୀ ପ୍ରତିକାର କରିବାର ସମ୍ଭାବନା ବହନ କରେ, ତାହା ହେଲା ସୁଶାସନ ବା ‘ଗଭର୍ନାନ୍‌ସ’।

ବାଇବଲରେ ‘ଓଲ୍‌ଡ ଟେଷ୍ଟାମେଣ୍ଟ୍‌’ରେ ବର୍ଣ୍ଣିତ ଅଛି କିଭଳି ଈଶ୍ବରଙ୍କ ଦ୍ବାରା ନିଷେଧ କରାଯାଇଥିବା ଫଳ ଖାଇ ଆଦାମ ଏବ˚ ଇଭ୍‌ ଈଶ୍ବରଙ୍କ ‘ଗାର୍ଡେନ୍‌ ଅଫ୍‌ ଏଡେନ୍‌’ରୁ ବହିଷ୍କୃତ ହୋଇ ଭୂପତିତ ହୋଇଥିଲେ। ଏହା ହିଁ ହେଉଛି ମାନବ ପ୍ରବୃତ୍ତିର ଗୂଢ଼ କଥା; ଯାହା ତାକୁ ବାରଣ କରାଯାଇଥାଏ, ସେହି ବିଷୟରୁ ରସ ଆସ୍ବାଦନ କରିବା ଲାଗି ସେ ଉଦ୍‌ଗ୍ରୀବ ହୋଇ ଉଠେ। ସେହି ଦୃଷ୍ଟିରୁ ବିଚାର କଲେ ନିଷେଧାଦେଶଗୁଡ଼ିକ ସେମାନଙ୍କର ନିତାନ୍ତ ଅନିବାର୍ଯ୍ୟତା ସତ୍ତ୍ବେ ଅନେକ ସମୟରେ ଲକ୍ଷ୍ୟ ସାଧନରେ ବିଫଳ ହେଉଥିବା ଭଳି ପ୍ରତୀତ ହୁଅନ୍ତି; ବର˚ ଏକ ସମ୍ବେଦନଶୀଳ ଶାସନର କୋମଳ ସ୍ପର୍ଶ ତହିଁରେ ସଫଳତା ଲାଭ କରିପାରେ।

ସମ୍ବନ୍ଧିତ ଖବର