ଆମ ନୌବହର

ଶରତ ଚନ୍ଦ୍ର ମିଶ୍ର

ପ୍ରତ୍ୟେକ ‌େଦଶର ସୁରକ୍ଷା ଓ ସମୁଦ୍ର ପଥରେ ନିଜର ସଂପତ୍ତି ରକ୍ଷା ନିମନ୍ତେ ଏକ ନୌବାହିନୀର ଆବଶ୍ୟକତା ରହିଛି। ଆମ ଦେଶରେ ଏ ଦାୟିତ୍ବ ଭାରତୀୟ ନୌସେନା ବହନ କରନ୍ତି ଓ ତାଙ୍କୁ ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ତଟରକ୍ଷା ବାହିନୀ (Coast Guard) ସହାୟତା କରନ୍ତି। ଇଂଲଣ୍ଡ ଦକ୍ଷ ନୌସେନା ବଳରେ ଫ୍ରାନ୍‌ସର ପ୍ରତିପତ୍ତିକୁ କ୍ଷୁଣ୍ଣ କରି, ସାରା ବିଶ୍ବର ଏକ ଚତୁର୍ଥାଂଶ ଅଞ୍ଚଳର ମାଲିକ ହୋଇପାରିଥିଲା। ଏକ ନୌସେନାର ଅଭାବ ମୋଗଲ ସାମ୍ରାଜ୍ୟର ପତନ ଓ ଭାରତକୁ ୟୁରୋପୀୟମାନଙ୍କ ଆଗମନ ଓ ଉପନିବେଶ ସ୍ଥାପନର ଅନ୍ୟତମ କାରଣ। ଏ ସମସ୍ତ ଐତିହାସିକ ଅଭିଜ୍ଞତାରୁ ଶିକ୍ଷାଲାଭ କରି ସରକାର ଭବିଷ୍ୟତରେ ଦେଶକୁ ୫ ଟ୍ରିଲିଅନ୍‌ ଡଲାର ଅର୍ଥନୀତିରେ ପରିଣତ କରିବାକୁ ହେଲେ ବହିର୍ବାଣିଜ୍ୟର ଅଭିବୃଦ୍ଧି ଜନିତ ସମୁଦ୍ର ପଥରେ ମାଲ ପରିବହନ ସୁରକ୍ଷା ଓ ଚୀନ୍‌ର ଭାରତ ତଥା ପ୍ରଶାନ୍ତ ମହାସାଗରକୁ କରାୟତ୍ତ କରିବାର ଦୁରାଶାକୁ ପ୍ରତିହତ କରିବା ନିମନ୍ତେ ନିଜର ନୌବାହିନୀକୁ ସୁଦୃଢ଼ କରିବା ନିମନ୍ତେ ଉଦ୍ୟମ କରୁଛନ୍ତି।

ନିକଟ ଅତୀତରେ ବିମାନବାହୀ ଜାହାଜ ‘‘ବିକ୍ରାନ୍ତ’’ ନୌବାହିନୀରେ ସାମିଲ ହେବା ସେଇ ଉଦ୍ୟମର ଅଂଶ ବିଶେଷ। ବିକ୍ରାନ୍ତ ଭାରତର ୪ର୍ଥ ବିମାନବାହୀ ଜାହାଜ। ପ୍ରଥମ ଦୁଇଟି ଇଂଲଣ୍ଡରୁ ପୁରୁଣା କିଣା ହୋଇଥିଲା। ତୃତୀୟଟି ସୋଭିଏତ୍‌ ରୁଷିଆରୁ ମଧ୍ୟ ପୁରୁଣା ଖରିଦ ହୋଇଥିଲା ଓ ବର୍ତ୍ତମାନ ବିକ୍ରମାଦିତ୍ୟ ନାମରେ କର୍ମରତ। ପ୍ରଥମ ଦୁଇଟି କାର୍ଯ୍ୟକାଳ ସାରି ଅବସର ନେଲେଣି। ଭାରତୀୟ ନୌସେନା ବିମାନବାହୀ ଜାହାଜ ୧୯୬୧ ମସିହାଠାରୁ ବ୍ୟବହାର କରି ଆସୁଛି। ବର୍ତ୍ତମାନ କେବଳ ଭାରତ, ଇଟାଲୀ, ଇଂଲଣ୍ଡ ଓ ଚୀନ୍‌ର ଦୁଇଟି ଲେଖାଏଁ ବିମାନବାହୀ ଜାହାଜ ରହିଛି। ଚୀନ୍‌ର ତୃତୀୟ ବିମାନବାହୀ ଜାହାଜ ନିର୍ମାଣ ସରିଛି ଓ ଅଳ୍ପଦିନ ମଧ୍ୟରେ ଏହା ଚୀନ୍‌ ନୌସେନାରେ ସାମିଲ ହେବ। ଚୀନ୍‌ ଜାହାଜ କାରଖାନାରେ ଦୁଇଟି ବିମାନବାହୀ ଜାହାଜ ନିର୍ମାଣାଧୀନ। ଅପରପକ୍ଷେ, ଆମେରିକାର ସବୁଠାରୁ ଅଧିକ ସଂଖ୍ୟକ ଓ କ୍ଷମତାଶାଳୀ ବିମାନବାହୀ ଜାହାଜ ରହିଛି। ତାହାର ମୋଟ ୧୧ଟି ବିମାନବାହୀ ଜାହାଜ ମଧ୍ୟରୁ ୧୦ଟି ଆଣବିକ ଶକ୍ତି ସଂପନ୍ନ ଏବଂ ସେଗୁଡ଼ିକର ଆକାର ଅନ୍ୟ ସବୁ ଦେଶର ଜାହାଜମାନଙ୍କ ଠାରୁ ବଡ଼। ଏହି ଜାହାଜ ଶକ୍ତି ପ୍ରୟୋଗ କରି ଆମେରିକା ଇରାକ, ଆଫଗାନିସ୍ତାନ ପରି ଦୁଇଟି ଦେଶ ଦଖଲ କରିଥିଲା। ଆମେରିକା ବ୍ୟତୀତ କେବଳ ଫ୍ରାନ୍‌ସର ଗୋଟିଏ ଆଣବିକ ଶକ୍ତି ସଂପନ୍ନ ବିମାନବାହୀ ଜାହାଜ ଅଛି। ପାକିସ୍ତାନ ପାଖରେ କୌଣସି ବିମାନବାହୀ ଜାହାଜ ନାହିଁ। ନିଜର ସୁରକ୍ଷା ନିମନ୍ତେ ପାକିସ୍ତାନ ବୁଡ଼ାଜାହାଜ ଉପରେ ଅଧିକ ନିର୍ଭରଶୀଳ।

ବିମାନବାହୀ ଜାହାଜ ନୌଶକ୍ତି ଓ ବାୟୁଶକ୍ତିର ଏକ ସମ୍ମିଶ୍ରଣ। ଏହାଦ୍ବାରା ଗୋଟିଏ ଦେଶ ଏକାବେଳକେ ଦୁଇ ଦେଶ ଉପରେ ମଧ୍ୟ ଆକ୍ରମଣ କରିପାରେ ଓ ଦୁଇ ଦେଶର ଆକ୍ରମଣକୁ ପ୍ରତିହତ କରେ। ଏହାକୁ ସମୁଦ୍ରର ମହାରାଣୀ କୁହାଯାଏ ଏବଂ ମହାରାଣୀମାନେ ପରିଭ୍ରମଣ ସମୟରେ ପାରିଷଦ ନେବା ଭଳି ସମୁଦ୍ରର ମହାରାଣୀ ସାଙ୍ଗରେ ଅନ୍ୟ କେତେକ ଜାହାଜ ସଙ୍ଗରେ ନେଇଥାନ୍ତି। ଆମ ନୌସେନାର ପ୍ରାୟ ୬୮ ହଜାର ସକ୍ରିୟ ସେନା, ୨୪୦ଟି ନୌବିମାନ, ୧୧ଟି ‌େଡଷ୍ଟ୍ରୟର. ୧୬ଟି ବୁଡ଼ାଜାହାଜ, ଗୋଟିଏ ଆଣବିକ ଶକ୍ତି ସମ୍ପନ୍ନ ବୁଡ଼ାଜାହାଜ ସମେତ ୧୫୦ଟି ବିଭିନ୍ନ ପ୍ରକାର ଜାହାଜ ଦାୟିତ୍ବରେ ଅଛନ୍ତି। ବିକ୍ରାନ୍ତ, ନୌବାହିନୀର ଶକ୍ତି ବୃଦ୍ଧି ସହିତ ଆମର ନିରାପତ୍ତା ବୃଦ୍ଧିରେ ସହାୟକ ହେବ। କେତେକ ସମର ବିଶାରଦଙ୍କ ମତରେ, ଏଇ ବିଶାଳ ରଣତରୀଗୁଡ଼ିକ ବ୍ୟୟବହୁଳ ଓ ଦୃଶ୍ୟମାନ ହୋଇ ସହଜରେ ଶତ୍ରୁର ଶରବ୍ୟ ହୋଇଥା’ନ୍ତି। ପକ୍ଷାନ୍ତରେ ଏ ଯାବତ୍‌ କୌଣସି ବିମାନବାହୀ ଜାହାଜ ଏପରି ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇନାହିଁ ଓ ଦୁଇ ମହାଶକ୍ତି ଆମେରିକା ଓ ଚୀନ୍‌ ଏବେ ନୂତନ ବିମାନବାହୀ ଜାହାଜ ନିର୍ମାଣ କରି ତା’ଉପରେ ଆସ୍ଥା ପ୍ରକଟ କରୁଛନ୍ତି।

ଦ୍ବିତୀୟ ମହାସମର ପରେ ଜାପାନ ଏବେ ପୁଣି ବିମାନବାହୀ ଜାହାଜ ନିର୍ମାଣ ଆରମ୍ଭ କଲାଣି। ସୋଭିଏତ୍‌ ରୁଷର ଅବକ୍ଷୟ ପରେ ସେ ଦେଶର ପ୍ରମୁଖ ଜାହାଜ ତିଆରି କାରଖାନା ୟୁକ୍ରେନ୍‌ରେ ରହିଯିବାରୁ, ରୁଷିଆ ଆଉ ବିମାନବାହୀ ଜାହାଜ ନିର୍ମାଣ କରିପାରୁନାହିଁ। ନିଜର ସାମ୍ରାଜ୍ୟର ବିଲୋପ ପରେ ଇଂଲଣ୍ଡ ନିଜର ନୌସେନାକୁ ହ୍ରାସ କରି ଆଉ ନୂତନ ବିମାନବାହୀ ଜାହାଜ ନିର୍ମାଣର ଆବଶ୍ୟକତା ଅନୁଭବ କରୁନାହିଁ। ଚୀନ୍‌ ତା’ର ନୌଶକ୍ତି ବିପୁଳ ଭାବରେ ବୃଦ୍ଧି କରିବା ହେତୁ ଜାପାନ ଓ ଭାରତକୁ ନିଜର ନୌଶକ୍ତି ବୃଦ୍ଧି ସହ ବିମାନବାହୀ ଜାହାଜର ଆବଶ୍ୟକତା ବୃଦ୍ଧି ପାଇଛି। ଆଉ ଇଂଲଣ୍ଡ ଓ ରୁଷିଆରୁ ପୁରୁଣା ଜାହାଜ କିଣି ସେଥିରେ ଅର୍ଥବ୍ୟୟ କରିବା ଅପେକ୍ଷା ନିଜର ଜାହାଜ ନିର୍ମାଣ କରିବା, ଭାରତୀୟ ସାମରିକ ଯାନ୍ତ୍ରିକ କୌଶଳର ଏକ ବିରାଟ ସଫଳତା। ବିଦେଶରେ ନିର୍ମାଣ କରିଥିଲେ ଯେତିକି ଖର୍ଚ୍ଚ ହୋଇଥାନ୍ତା, ତା’ର ତିନିଚତୁର୍ଥାଂଶ ଖର୍ଚ୍ଚରେ ଏହା ନିର୍ମିତ ହୋଇଛି। ସାଧାରଣତଃ ବିଦେଶରେ ଗୋଟିଏ ବିମାନବାହୀ ଜାହାଜ ନିର୍ମାଣ କରିବାକୁ ଦଶବର୍ଷ ସମୟ ଲାଗେ। ଆମକୁ ୧୩ ବର୍ଷ ଲାଗିଛି। ସୋଭିଏତ୍‌ ରୁଷରୁ ଏଥିନିମନ୍ତେ ଅବଶ୍ୟ ସ୍ବତନ୍ତ୍ର ଇସ୍ପାତ ଯୋଗାଣ ବନ୍ଦ ହୋଇଯିବାରୁ ଆମକୁ ନିଜର ସ୍ବତନ୍ତ୍ର ଇସ୍ପାତ ନିମନ୍ତେ ଦୁଇବର୍ଷ ସମୟ ଲାଗିଗଲା ଓ କୋଭିଡ୍‌ ଜନିତ ସମସ୍ୟା ମଧ୍ୟ ଲାଗି ରହିଲା। ବର୍ତ୍ତମାନର ଅଭିଜ୍ଞତାକୁ ନେଇ ଆଉ ଏକ ବିମାନବାହୀ ଜାହାଜ ୧୦ ବର୍ଷ ମଧ୍ୟରେ ନିର୍ମାଣ କରାଯାଇପାରିବ।

ଦେଶର ପ୍ରତିରକ୍ଷା ବିଭାଗ ଅନୁସାରେ, ଏହାର ଛଅସ୍ତରି ଭାଗ ଦେଶୀୟ। ଇସ୍ରାଏଲରୁ ରାଡାର, ଆମେରିକାରୁ ଇଞ୍ଜିନ ଓ ରୁଷିଆରୁ ଉଡ଼ାଜାହାଜ ଏଥିରେ ବ୍ୟବହୃତ। ଆଗାମୀ ଜାହାଜ ନିର୍ମାଣ ସମୟକୁ ଭାରତୀୟ ଅଂଶ ୮୫ ଭାଗକୁ ବୃଦ୍ଧି ପାଇବ ବୋଲି ଇଞ୍ଜିନିୟରମାନେ ଆକଳନ କରୁଛନ୍ତି। ଜାହାଜରେ ବ୍ୟବହୃତ ଉଡ଼ାଜାହାଜ ନିର୍ମାଣ ନିମନ୍ତେ ଆମକୁ ଆଉ ପାଞ୍ଚବର୍ଷ ଲାଗିବ ବୋଲି ଅନୁମାନ କରାଯାଉଛି। ଆଉ ଅଳ୍ପ ବର୍ଷ ମଧ୍ୟରେ ଆମର ବହିର୍ବାଣିଜ୍ୟରେ ଅଂଶବୃଦ୍ଧିର ଆକଳନ କରା ହେଉଥିବା ହେତୁ ଓ ଭାରତ ମହାସାଗର, ପ୍ରଶାନ୍ତ ମହାସାଗରରେ ପ୍ରଭୁତ୍ବ ନିମନ୍ତେ ଚୀନ୍‌ ଉଦ୍ୟମ କରୁଥିବା ଯୋଗୁଁ ଏପରି ଏକ ବୃହତ୍‌ ରଣତରୀର ଆବଶ୍ୟକତା ଥିଲା। ଏହାଦ୍ବାରା ଭାରତୀୟ ନିର୍ମାଣ କୌଶଳ ଓ ଆତ୍ମନିର୍ଭରଶୀଳତା ଉଦ୍ୟମ ବିଦେଶରେ ସ୍ବୀକୃତି ଲାଭ କରିଛି ଏବଂ ଚୀନ୍‌, ପାକିସ୍ତାନ ବ୍ୟତୀତ ଅନ୍ୟ ଦେଶମାନେ ଭାରତୀୟ ସଫଳତାକୁ ସ୍ବାଗତ କରିଛନ୍ତି। ନୌସେନାରେ ଏହାର ଯୋଗଦାନ ଉତ୍ସବରେ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ପ୍ରତିନିଧିଙ୍କ ସମେତ ରୁଷିଆର ପ୍ରତିନିଧି ମଧ୍ୟ ସାମିଲ ହୋଇଥିଲେ। ସେହିପରି ଭାରତର ସାମରିକ ଆତ୍ମନିର୍ଭରଶୀଳତା ଉଦ୍ୟମରେ ପୂର୍ଣ୍ଣ ସହଯୋଗ କରିବା ନିମନ୍ତେ ରୁଷିଆ ପ୍ରତିଶ୍ରୁତି ଦେଇଛି।

ଜାପାନ ୧୯୦୫ ମସିହାରେ ନୌଯୁଦ୍ଧରେ ରୁଷିଆକୁ ପରାସ୍ତ କରି ରୁଷିଆ ଠାରୁ ନେଇ ଆସିଥିବା ଏକ ଯୁଦ୍ଧତରୀରେ ବିମାନ ବ୍ୟବହାର କରି ତାକୁ ‘ସି ପ୍ଲେନ୍‌ କ୍ୟାରିଅର’ ଆଖ୍ୟା ଦେଇଥିଲା। ୱାକାମିୟା ନାମିତ ସେହି ଜାହାଜ ୧୯୨୦ରୁ ୧୯୩୨ ପର୍ଯ୍ୟନ୍ତ ବିମାନବାହୀ ଜାହାଜ ଭାବରେ କାର୍ଯ୍ୟ କଲା। ତାହା ହିଁ ପୃଥିବୀର ପ୍ରଥମ ବିମାନବାହୀ ଯୁଦ୍ଧ ଜାହାଜ। ଛଅଟି ବିମାନବାହୀ ଜାହାଜ ଦ୍ବାରା ୧୯୪୧ ମସିହାରେ ଜାପାନ ଆମେରିକାର ପର୍ଲ ହାରବର ‌େନୗଘାଟୀକୁ ଧ୍ବଂସ୍ତବିଧ୍ବସ୍ତ କରି ଦେଇଥିଲା। ଦ୍ବିତୀୟ ମହାଯୁଦ୍ଧରେ ବିଭିନ୍ନ ଶକ୍ତିମାନଙ୍କ ଦ୍ବାରା ୨୪୧ଟି ବିମାନବାହୀ ଜାହାଜ ବ୍ୟବହୃତ ହୋଇଥିଲା। ଜାପାନର ନିରସ୍ତ୍ରୀକରଣ, ଜର୍ମାନୀ ଓ ଇଟାଲୀର ପରାଜୟ, ଇଂଲଣ୍ଡ ଓ ଫ୍ରାନ୍‌ସର ଉପନିବେଶ ବିଲୋପ ପରେ ବିମାନବାହୀ ଜାହାଜ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇଲା। ଆମେରିକା ଓ ଚୀନ୍‌ ଏହାର ଉପଯୋଗ କରିବା ହେତୁ ଏହାର ନିର୍ମାଣର ଦ୍ବିତୀୟ ଯୁଗ ଆରମ୍ଭ ହୋଇଛି। ବର୍ତ୍ତମାନ ମାତ୍ର ୫/୬ ଦେଶ ଏହି ନିର୍ମାଣ ଶକ୍ତିର ଅଧିକାରୀ ହୋଇଥିବା ବେଳେ ଭାରତ ସେମାନଙ୍କ ମଧ୍ୟରୁ ଜଣେ।
ମୋ-୯୯୩୭୪୨୨୫୨୧

ସମ୍ବନ୍ଧିତ ଖବର