ଗାନ୍ଧୀ : ଅସମ୍ଭବ ସମ୍ଭାବନା

ଗୌରାଙ୍ଗ ଚରଣ ପରିଡା

ପ୍ରତିଷ୍ଠିତ ଖବର କାଗଜ, ‘ସମ୍ବାଦ’ର ‘ଗାନ୍ଧୀ ଦୃଷ୍ଟି’ ସ୍ତମ୍ଭରେ ପ୍ରକାଶିତ ଏ ଲେଖକର ଲେଖା ପଢ଼ି କିଛି ପାଠକ ବନ୍ଧୁ ପ୍ରଶ୍ନ କରୁଛନ୍ତି ଏବଂ ତା’ସହ ଉତ୍ତର ବି ଦେଇଛନ୍ତି – ‘ଗାନ୍ଧୀ କ’ଣ ଆଉ ଦରକାର? ତାଙ୍କର ଏବେ ଆଉ କୌଣସି ପ୍ରାସଙ୍ଗିକତା ନାହିଁ’ ପ୍ରଶ୍ନରେ ଯେତିକି ଜାଣିବାର ଇଛା ଅଛି, ତା’ ଠାରୁ ବେଶି ନକାରାତ୍ମକ ଓ ଦୋଷଦର୍ଶୀ ଭାବ ଅଛି।

ବଡ଼ କଥା ହେଲା, ଗାନ୍ଧୀ ଯେତେବେଳେ ଭାରତ ପାଇଁ ଅସମ୍ଭବ ଲାଗୁଥିଲେ ସେତେବେଳେ ଆମ ପୂର୍ବପୁରୁଷମାନେ ଗାନ୍ଧୀଙ୍କୁ ବିଶ୍ୱାସ କରିଥିଲେ। ଗାନ୍ଧୀଙ୍କ ପାଖରେ ଏକ ସମ୍ଭାବନା ଦେଖିଥିଲେ, ଯଦିଓ ବ୍ରିଟିଶ୍ ମହାଶକ୍ତି ବିରୋଧରେ ଗାନ୍ଧୀଙ୍କ ସହ ଯିବା ସେତେବେଳେ ବିପଦ ଥିଲା; ଜେଲ ଯିବାର ଭୟ ଥିଲା; ଗୁଳିବିଦ୍ଧ ହୋଇ ମୃତ୍ୟୁବରଣ କରିବାର ଆଶଙ୍କା ଥିଲା। କିନ୍ତୁ ଆଜି ଯେତେବେଳେ ଏକ ସମତାପୂର୍ଣ୍ଣ ନୀତିବାଦୀ ସମାଜର ପ୍ରତିଷ୍ଠା ପାଇଁ ଗାନ୍ଧୀ ବିଚାର ଏକ ବାସ୍ତବ ସମ୍ଭାବନା ହୋଇ ଉଭା ହୋଇଛି, ଆମେ ଗାନ୍ଧୀ ପରବର୍ତ୍ତୀ ଭାରତର ମଣିଷମାନେ ଗାନ୍ଧୀଙ୍କୁ ଅବିଶ୍ୱାସ କରୁଛୁ; ଗାନ୍ଧୀଙ୍କ ପ୍ରାସଙ୍ଗିକତା ନେଇ ପ୍ରଶ୍ନ ଉଠାଉଛୁ। ଏହା ହିଁ ବିଡମ୍ବନା।
୧୯୧୫ ମସିହା ଜାନୁଆରିରେ ଗାନ୍ଧୀଜୀ ଦକ୍ଷିଣ ଆଫ୍ରିକାରୁ ଭାରତ ଫେରି ଆସିବା ବେଳେ ଭାରତରେ ବି ସ୍ୱାଧୀନତା ପାଇଁ ସଂଗ୍ରାମ ଚାଲିଥିଲା। ସଂଗ୍ରାମ ପାଇଁ ଅନୁଷ୍ଠାନମାନ ଥିଲା। କାଁ ଭାଁ ହିଂସା ମଧ୍ୟ ହେଉଥିଲା। କିନ୍ତୁ ଇଂରେଜ ଶାସନର ପରାଧୀନତାରୁ ମୁକ୍ତି ପାଇଁ ଯେଉଁ ବ୍ୟାପକ ଜନସଚେତନତା ତଥା ଗଣଆନ୍ଦୋଳନ ଦରକାର ହେଉଥିଲା, ତାହା ନ ଥିଲା। ଦକ୍ଷିଣ ଆଫ୍ରିକାର ଅହିଂସ ସତ୍ୟାଗ୍ରହ ପରି ଭାରତରେ ସତ୍ୟାଗ୍ରହର ପରୀକ୍ଷା ଗାନ୍ଧୀ ଆରମ୍ଭ କରି ଦେଇଥିଲେ। ସେଇ ପରୀକ୍ଷା ପ୍ରଥମେ ଆରମ୍ଭ ହୋଇଥିଲା ଚମ୍ପାରଣର ଇଣ୍ଡିଗୋ ଚାଷୀ ଆନ୍ଦୋଳନରୁ। ଚମ୍ପାରଣ ସତ୍ୟାଗ୍ରହ ସଫଳ ବି ହୋଇଥିଲା। ଦୁର୍ବଳ ମଣିଷକୁ ଗାନ୍ଧୀ ଯେ ତାଙ୍କ ଅହିଂସା ମନ୍ତ୍ରରେ ଶକ୍ତିବାନ ଓ ନିର୍ଭୀକ କରିଦେଇପାରନ୍ତି, ଏମିତି ଏକ ଅବଧାରଣା ବଳବତ୍ତର ହୋଇଯାଇଥିଲା ଭାରତରେ। ଗାନ୍ଧୀ ଏକ ଅସମ୍ଭବ ସମ୍ଭାବନା ହୋଇ ଯାଇଥିଲେ।

୧୯୩୦ ମସିହା ଲବଣ ସତ୍ୟାଗ୍ରହର ବର୍ଣ୍ଣନା ଏବଂ ଗାନ୍ଧୀ ଓ ଦେଶ ପ୍ରତି ସାଧାରଣ ଜନତାର ପ୍ରତିବଦ୍ଧତା ସମ୍ପର୍କିତ ଦୁଇଟି ବିଦେଶୀ ଲେଖକଙ୍କର ରିପୋର୍ଟ ଏଠି ଉଲ୍ଲେଖଯୋଗ୍ୟ। ପ୍ରଥମ ରିପୋର୍ଟ ଥିଲା ‘ୟୁନାଇଟେଡ଼ ପ୍ରେସ୍’ ର ଆମେରିକୀୟ ରିପୋର୍ଟର ‘ୱେବ୍ ମିଲର’ଙ୍କର ଏବଂ ଦ୍ବିତୀୟଟି ଥିଲା ନୋବେଲ ପୁରସ୍କାର ବିଜେତା ଫରାସୀ ଲେଖକ ‘ରୋମାଁ ରୋଲାଁ’ଙ୍କର।

୧୯୩୦ ମସିହା ମେ’ ୨୧ ତାରିଖ ଗୁଜୁରାଟର ‘ଧରାସେଣା’ର ଲୁଣ ଗୋଦାମ ଦଖଲ ଘଟଣା ଗାନ୍ଧୀ ସତ୍ୟାଗ୍ରହର ଥିଲା ଏକ ଭୟଙ୍କର ଦୃଶ୍ୟ। ଶାନ୍ତିପୂର୍ଣ୍ଣ ଅହିଂସ ଆନ୍ଦୋଳନକାରୀଙ୍କ ଉପରେ ଶାସକବର୍ଗ ଯେ ଏପରି ବର୍ବରୋଚିତ ଆକ୍ରମଣ କରିପାରେ, ଇତିହାସ ଏହାର ସାକ୍ଷୀ ହୋଇ ରହିଛି। ଧରାସେଣା ସତ୍ୟାଗ୍ରହର ନେତୃତ୍ୱ ନେଇଥିଲେ ଗାନ୍ଧୀଙ୍କର ଦ୍ବିତୀୟ ପୁତ୍ର ‘ମଣିଲାଲ’। ଗାନ୍ଧୀ ସେତେବେଳେ ଜେଲରେ ଥିଲେ। ଧରାସେଣା ସତ୍ୟାଗ୍ରହର ଏକ ଆଖିଦେଖା ରିପୋର୍ଟ ଦେଇଥିଲେ ପତ୍ରକାର ୱେବ୍ ମିଲର। ମିଲର ଲେଖିଥିଲେ, ‘ହଠାତ୍ ଆଦେଶ ପାଇ ସତ୍ୟାଗ୍ରହୀଙ୍କ ଉପରେ ପୁଲିସ ଆକ୍ରମଣ କଲା। ଆନ୍ଦୋଳନକାରୀଙ୍କ ମୁଣ୍ଡକୁ ଲାଠିରେ ପିଟିଲା। ଆହତ ହୋଇ ତଳେ ପଡ଼ି ସତ୍ୟାଗ୍ରହୀମାନେ ଯନ୍ତ୍ରଣାରେ ଚିତ୍କାର କରୁଥିଲେ। ପୁଲିସର ଲାଠି ମାଡ଼ରେ ମୁଣ୍ଡର ଖପୁରି ଫାଟି ଛିଟିକି ପଡୁଥିଲା। ମାତ୍ର ଚାରିଶହ ପୁଲିସ ସେଠି ଥିଲା ବେଳେ ସତ୍ୟାଗ୍ରହୀ ଥିଲେ ପଚିଶି ଶହ। ସତ୍ୟାଗ୍ରାହୀମାନେ କିନ୍ତୁ କୌଣସି ଦୈହିକ ପ୍ରତିରୋଧ କରୁନଥିଲେ। ଦୂରରେ ଛିଡ଼ା ହୋଇଥିବା ଦେଖଣାହାରୀମାନେ ଏ ଦୃଶ୍ୟ ଦେଖି କାନ୍ଦି ପକାଉଥିଲେ, ‘ମହାତ୍ମା ଗାନ୍ଧୀ କୀ ଜୟ’ କହୁଥିଲେ। ପୁଲିସ ଆକ୍ରମଣ କଲାବେଳେ କୌଣସି ପ୍ରତିବାଦ ବା ପ୍ରତିରୋଧ ନ କରିବାକୁ ଗାନ୍ଧୀଙ୍କର ନିର୍ଦ୍ଦେଶ ଥିଲା।’

ମିଲର ତାଙ୍କ ରିପୋର୍ଟରେ ପୁଣି ଲେଖିଥିଲେ ମୋ’ ଅଠର ବର୍ଷର ପତ୍ରକାର ଜୀବନ ଭିତରେ ମୁଁ ବାଇଶିଟି ଦେଶ ବୁଲିଛି। କିଛି ରାଷ୍ଟ୍ରରେ ଜନ ଆନ୍ଦୋଳନ ଦେଖିଛି। କିନ୍ତୁ ଧରାସେଣା ସତ୍ୟାଗ୍ରହର ଦୃଶ୍ୟ କେଉଁଠି ଦେଖିନାହିଁ। ଗୋଟିଏ ଅହିଂସ ସଂଗ୍ରାମର ସଂଗ୍ରାମୀଙ୍କ ଉପରେ କ୍ରୂର ଶାସକୀୟ ଆକ୍ରମଣର ଏହା ଥିଲା ଏକ ବୀଭତ୍ସ ଦୃଶ୍ୟ। ମିଲରଙ୍କ ଏ ରିପୋର୍ଟ ପୃଥିବୀର ପ୍ରାୟ ସବୁ ଖବର କାଗଜରେ ପ୍ରକାଶ ପାଇଥିଲା।
ଫରାସୀ ଲେଖକ ରୋମାଁଙ୍କ ରିପୋର୍ଟ କିନ୍ତୁ ଥିଲା ଖୁବ୍ ଭାବୋଦ୍ଦୀପକ। ନିଜର ଜଣେ ଇଂରାଜୀ ବନ୍ଧୁଙ୍କ ପାଖକୁ ଲେଖିଥିବା ଏକ ଚିଠିରେ ରୋମାଁ ଲବଣ ସତ୍ୟାଗ୍ରହ ଏବଂ ଭାରତର ସ୍ୱାଧୀନତା ସଂଗ୍ରାମ ସମ୍ପର୍କରେ ଏକ ବର୍ଣ୍ଣନା ଦେଇଥିଲେ। ଚିଠିରେ ରୋମାଁ ଉଲ୍ଲେଖ କରିଥିଲେ, ‘ହିଂସାକୁ ଆଧାର ନ କରି ଅହିଂସାରେ କିପରି ସାମାଜିକ ପରିବର୍ତ୍ତନ ଆଣିହେବ, ଗାନ୍ଧୀ-ସତ୍ୟାଗ୍ରହର ଏକ ଚମତ୍କାର ପରୀକ୍ଷା ଭାରତରେ ଚାଲିଛି। ଏ ପରୀକ୍ଷା ଯଦି ବିଫଳ ହୋଇଯାଏ କିମ୍ବା ବ୍ରିଟିସ୍‌ ସରକାର ଏହାକୁ ନିଷ୍ଠୁର ଭାବେ ଦମନ କରି ନିଅନ୍ତି, ସାମାଜିକ ପରିବର୍ତ୍ତନ ପାଇଁ ଆଉ କେବଳ ଗୋଟିଏ ବାଟ ରହିଯିବ, ସେ ହେବ ହିଂସାର ବାଟ। ବିଦ୍ରୋହର ନୂଆ ବିଶ୍ଳେଷଣ ନିମନ୍ତେ ଗାନ୍ଧୀ-ସତ୍ୟାଗ୍ରହ ପୃଥିବୀର ବୁଦ୍ଧିଜୀବୀଙ୍କୁ ନୂଆ ଚିନ୍ତା ଯୋଗାଇ ଦେଇଛି।’

ପ୍ରକୃତରେ ରୋମାଁଙ୍କ ଚିଠି ୧୯୩୦ ଦଶକର ବୁଦ୍ଧିଜୀବୀଙ୍କ ପାଇଁ କେବଳ ଉଦ୍ଦିଷ୍ଟ ନଥିଲା। ସବୁ ଯୁଗର ବୁଦ୍ଧିଜୀବୀଙ୍କ ନିମନ୍ତେ ଏହା ଆହ୍ୱାନଟିଏ ଦେଇ ଯାଇଥିଲା।

ଗାନ୍ଧୀ ବିଚାର ତିନିଟି ଭାଗରେ ବିଭକ୍ତ। ପ୍ରଥମଟି ‘ଗାନ୍ଧୀ ଦୃଷ୍ଟି’, ଦ୍ବିତୀୟଟି ‘ଗାନ୍ଧୀ ମାର୍ଗ’ ଏବଂ ତୃତୀୟଟି ହେଉଛି ‘ଗାନ୍ଧୀ ଲକ୍ଷ୍ୟ’। ‘ଗାନ୍ଧୀ ଦୃଷ୍ଟି’ ବା ଗାନ୍ଧୀ ଭିଜନ୍‌ର ଆଧାର ହେଉଛି ସତ୍ୟ ଓ ଅହିଂସା। ସତ୍ୟ ଅହିଂସାର କଷଟି ପଥରରେ ପରୀକ୍ଷା ହୋଇ କୌଣସି କାର୍ଯ୍ୟକ୍ରମ ସଫଳ ହୋଇ ଉତ୍ତୀର୍ଣ୍ଣ ନହେଲେ, ତାହା ଗାନ୍ଧୀ ସିଦ୍ଧାନ୍ତରେ ଗ୍ରହଣୀୟ ନୁହେଁ। ଗାନ୍ଧୀ ବିଚାରର ଦ୍ବିତୀୟ ପର୍ଯ୍ୟାୟ, ‘ଗାନ୍ଧୀ ମାର୍ଗ’ ହେଉଛି ସତ୍ୟାଗ୍ରହ। ସତ୍ୟାଗ୍ରହ ଗାନ୍ଧୀ ବିଚାରର ପ୍ରକ୍ରିୟା। ବିରୋଧୀଙ୍କ ହୃଦୟ ଜିତି ନ୍ୟାୟ ପାଇବାର ଏହା ଏକ ଅହିଂସ ଉପାୟ। ଗାନ୍ଧୀ ବିଚାରର ଅନ୍ତିମ ପର୍ଯ୍ୟାୟ ‘ଗାନ୍ଧୀ ଲକ୍ଷ୍ୟ’ ହେଉଛି ‘ସର୍ବୋଦୟ’ ବା ସମସ୍ତଙ୍କର ମଙ୍ଗଳ। ସର୍ବୋଦୟ ଏକ ଅଭିନବ ସାମାଜିକ ତଥା ଆର୍ଥିକ ବ୍ୟବସ୍ଥା ଯେଉଁଥିରେ ବାସ୍ତବ ଏବଂ ରଚନାତ୍ମକ କାର୍ଯ୍ୟକ୍ରମମାନ ଅଛି। ସେ କାର୍ଯ୍ୟକ୍ରମରେ ରହିଛି ଗଣତନ୍ତ୍ର, ଆର୍ଥିକ ସମବଣ୍ଟନ, ଶାସନର ବିକେନ୍ଦ୍ରୀକରଣ, ଗ୍ରାମ ସ୍ୱରାଜ, କୌଶଳ ଶିକ୍ଷା, ନାରୀ ସୁରକ୍ଷା, ପଂଚାୟତିରାଜ, ନିଶା ନିବାରଣ, ଅସ୍ପୃଶ୍ୟତା ଦୂରୀକରଣ, ଟ୍ରଷ୍ଟିସିପ୍, ସାମ୍ପ୍ରଦାୟିକ ସଂହତି ଏବଂ ବ୍ୟକ୍ତିର ଅଧିକାର, କର୍ତ୍ତବ୍ୟ ଏବଂ ସ୍ୱାଧୀନତା। ଏ ସବୁ ସ୍ୱାଧୀନ ଭାରତ ପାଇଁ ଦରକାର। ଗାନ୍ଧୀ ପରବର୍ତ୍ତୀ ଶାସକ ଓ ନାଗରିକ ଉଭୟଙ୍କ ପାଇଁ ଏହା ଗାନ୍ଧୀ ଲକ୍ଷ୍ୟ। ଭାରତର ସମ୍ବିଧାନରେ ବି ଗାନ୍ଧୀ ବିଚାରର କିଛି ଅଂଶ କାର୍ଯ୍ୟକାରୀ ହେବାକୁ ସନ୍ନିବେଶିତ ହୋଇଅଛି। ଗାନ୍ଧୀ ବିଚାରର ସର୍ବୋଦୟ କେବଳ ଭାରତ ପାଇଁ ଆବଶ୍ୟକ ନୁହେଁ। ଏହା ଯୁଦ୍ଧ, ହିଂସା, ଖାଦ୍ୟଭାବ, ଆର୍ଥିକ ଅସମାନତାରେ ଭରି ଯାଇଥିବା ସାମ୍ପ୍ରତିକ ପୃଥିବୀ ପାଇଁ ବି ଦରକାର। ବାସ୍ତବରେ ଗାନ୍ଧୀ ସିଦ୍ଧାନ୍ତର ପୂର୍ଣ୍ଣ ପ୍ରୟୋଗ ଏପର୍ଯ୍ୟନ୍ତ ହୋଇନି। ଆମେ କେବଳ ଗାନ୍ଧୀଜୀଙ୍କୁ ‘ଜାତିର ଜନକ’ ପରି ଆନୁଷ୍ଠାନିକ ପଦବିଟିକୁ ପୂଜା କରୁଛୁ।
ଫୋନ-୯୮୬୧୪୬୯୩୨୮

ସମ୍ବନ୍ଧିତ ଖବର