ଦିନେ ଗୁରୁ ଦ୍ରୋଣାଚାର୍ଯ୍ୟ, କୌରବ ଓ ପାଣ୍ତବମାନଙ୍କୁ ଉତ୍ତମ ଆଚାର-ବ୍ୟବହାର ସ˚ପର୍କରେ ଶିକ୍ଷା ଦେଉଥିଲେ। ଆକର୍ଷଣୀୟ ଶୈଳୀରେ ସେ କହୁଥିଲେ, କ୍ରୋଧିତ ହୁଅନାହିଁ। ଯଦି ଜୀବନରେ ବଡ଼ ହେବାକୁ ଚାହୁଁଛ, କ୍ରୋଧ ଠାରୁ ଦୂରେଇ ରହିବା ଶିଖ। କ୍ରୋଧ ପ୍ରଭାବରେ ମଣିଷ ନିଜ ଅଜ୍ଞାତରେ କ’ଣ କରିବସେ, ଜାଣିପାରେନାହିଁ।
ପରଦିନ କ’ଣ ମନେରଖିଛ ବୋଲି ପ୍ରଥମେ ଯୁଧିଷ୍ଠିରଙ୍କୁ ସେ ପଚାରିଲେ। ଯୁଧିଷ୍ଠିର କହିଲେ, ସେ ମନେରଖିବାକୁ ପ୍ରଯତ୍ନ କରୁଛନ୍ତି, ଆସନ୍ତା କାଲି କହିବେ। ପରଦିନ ଗୁରୁ ଦ୍ରୋଣ ପୁଣି ଥରେ ପଚାରିଲେ। ଯୁଧିଷ୍ଠିର ପୂର୍ବ ଭଳି ଆସନ୍ତା କାଲି କହିବେ ବୋଲି କହିଲେ। ଏ ଭଳି କିଛି ଦିନ ଯୁଧିଷ୍ଠିରଙ୍କ ମୁହଁରୁ ‘ଆସନ୍ତାକାଲି’, ‘ଆସନ୍ତାକାଲି’ ଶୁଣିଶୁଣି, ଦିନେ ଗୁରୁ ଦ୍ରୋଣ ଉତ୍କ୍ଷିପ୍ତ ହୋଇପଡ଼ିଲେ। ଯୁଧିଷ୍ଠିରଙ୍କୁ ଗାଳି କରିବା ଆରମ୍ଭ କରିଦେଲେ। ଯୁଧିଷ୍ଠିର ଶାନ୍ତ ଭାବେ ସବୁ ଶୁଣିଲେ। ତା’ ପରେ ସେ କହିଲେ- ଗୁରୁ, ଆପଣ ଦେଇଥିବା ଉପଦେଶ ହିଁ ମୁଁ ପାଳନ କରିବା ଅଭ୍ୟାସ କରୁଛି। ଖାଲି ମନେରଖିଲେ ଚଳିବ ନାହିଁ। ପାଳନ ନ କଲେ ସବୁ ଉପଦେଶ ମୂଲ୍ୟହୀନ। ଏହା ତ ଆପଣଙ୍କ ଶିକ୍ଷା। ଗୁରୁ ଦ୍ରୋଣ, ଶିଷ୍ୟଙ୍କଠାରୁ ଜୀବନର ଏହି ମହତ୍ତର ସତ୍ୟ ଉପଲବ୍ଧି କରିପାରିଲେ।
ତେଣୁ, ଅନ୍ୟକୁ ଶିକ୍ଷା ଦେବା ପୂର୍ବରୁ ନିଜେ ଶିଖ; ଉପଦେଶ ଦେବା ପୂର୍ବରୁ ନିଜେ ପାଳନ କର। ନଚେତ୍, ତୁମ ଶିକ୍ଷା ଓ ଉପଦେଶ ମୂଲ୍ୟହୀନ ହୋଇପଡ଼ିବ। ତାହା କାହାକୁ ଅନୁପ୍ରାଣିତ କରିପାରିବନାହିଁ।