କଂଗ୍ରେସ ମୁଖପାତ୍ରମାନେ ଚାହାଁନ୍ତି ଆମେ ଏକଥା ବିଶ୍ବାସ କରୁ ଯେ ‘ଭାରତ ଯୋଡ଼ୋ ଯାତ୍ରା’ ଘୃଣା ସୃଷ୍ଟିକାରୀଙ୍କୁ ବିଚଳିତ କରିଦେଇଛି। ମୋହନ ଭାଗବତଙ୍କ ମସ୍ଜିଦ ଗସ୍ତ ଏବଂ ଧ୍ରୁବୀକରଣ ଓ ମିଥ୍ୟା ଉପାଖ୍ୟାନକୁ ପ୍ରସାର କରାଉଥିବା ବିତର୍କକାରୀମାନଙ୍କୁ ଆମନ୍ତ୍ରଣ କରୁଥିବା ନେଇ ପ୍ରମୁଖ ଟିଭି ଚ୍ୟାନେଲ (ସେମାନଙ୍କ ଘୃଣାତନ୍ତ୍ରର ଅଂଶବିଶେଷ)ଗୁଡ଼ିକୁ ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କ ନିନ୍ଦା କରିବା ଘଟଣାକୁ ଦର୍ଶାଇ ସେମାନେ ଉଲ୍ଲେଖ କରୁଛନ୍ତି ଯେ ତାହା ହେଉଛି ‘ଭାରତ ଯୋଡ଼ୋ ଯାତ୍ରା’ ଝଡ଼ ସେମାନଙ୍କୁ ବ୍ୟାକୁଳ କରିଦେଇଥିବାର ପ୍ରମାଣ। ମୁଖପାତ୍ରମାନେ ମୃଦୁ ହସ ହସି କଟାକ୍ଷ କରିଛନ୍ତି, ‘ଆମ ଯାତ୍ରା ଆରମ୍ଭରୁ ସେମାନେ ଏତିକି ପଦକ୍ଷେପ ନେଲେଣି। ଦେଖାଯାଉ, ଆମେ ଯାତ୍ରା ଶେଷ କଲା ବେଳକୁ ସେମାନେ କ’ଣ କରୁଛନ୍ତି।’
‘ଭାରତ ଯୋଡ଼ୋ ଯାତ୍ରା’ ନେଇ କଂଗ୍ରେସିଆମାନେ ଆନନ୍ଦିତ ଓ ଉତ୍ସାହିତ ହେବା ସ୍ବାଭାବିକ। ସେମାନଙ୍କ ନେତା ରାହୁଳ ଗାନ୍ଧୀ ପ୍ରାୟ ତିନିବର୍ଷର ଅର୍ଦ୍ଧ-ପ୍ରତ୍ୟାହାର ଅବସ୍ଥାରୁ ବାହାରି ଆସି ଶେଷରେ ସେମାନଙ୍କ ପ୍ରାର୍ଥନା ଶୁଣିଛନ୍ତି ଯାହା ସେମାନଙ୍କୁ ବିସ୍ତାରିତ ନୈରାଶ୍ୟବାଦକୁ ଟାଣି ନେଲା ପରି ଜଣାପଡୁଥିଲା। ସେମାନଙ୍କ ପରମାନନ୍ଦ ଏଇଆ ଯେ, ସେମାନେ ତାଙ୍କୁ ପ୍ରୀତିର ଜଣେ ଦେବଦୂତ ଭଳି ଦେଖୁଛନ୍ତି ଯିଏ ‘ଘୃଣାର ଶାସନ’ରେ ଅନ୍ତ ଘଟାଇପାରିବେ। ଯାତ୍ରାରେ ସାଧାରଣ ଜନତା କୋଳାଗ୍ରତ କରୁଥିବା ପଦଯାତ୍ରୀ ଗାନ୍ଧୀଙ୍କୁ କଂଗ୍ରେସର ସମାଲୋଚନାକାରୀଙ୍କ ସମେତ କ୍ରମବର୍ଦ୍ଧିଷ୍ଣୁ ଉଦାରବାଦୀଙ୍କୁ ମୁଗ୍ଧ ତଥା ଉତ୍ସାହିତ କରିପାରିଛି।
ବାସ୍ତବରେ କ’ଣ ୧୨ଟି ରାଜ୍ୟ ଦେଇ ରାହୁଳଙ୍କ ଏହି ୩,୫୦୦ କି.ମି. ଯାତ୍ରା, ମୋଦୀଙ୍କ ରାଜନୈତିକ ପ୍ରାସାଦକୁ ଚୂରମାର କରିଦେଲା ଭଳି ଭୂମିକମ୍ପ ସୃଷ୍ଟି କରିପାରିବ?
କଂଗ୍ରେସିଆମାନେ ନିଜକୁ ବୋକା ବନେଇ ଚାଲିଛନ୍ତି।
ପ୍ରଥମତଃ, ଏହା କେବଳ ଏକ ଯାତ୍ରା। ଏହା ତୃଣମୂଳ ସ୍ତରର ଏକ ଆନ୍ଦୋଳନ ନୁହେଁ। ଯାତ୍ରୀମାନଙ୍କୁ ସହର ଓ ଗ୍ରାମାଞ୍ଚଳର ନିର୍ଦ୍ଦିଷ୍ଟ ପଥ ଦେଇ ଯିବାକୁ ହେଉଛି, ସେମାନେ ନିର୍ଦ୍ଧାରିତ ସ୍ଥାନରେ ହିଁ ପୂର୍ବନିର୍ଦ୍ଧାରିତ ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା କରି ଆଗକୁ ବଢୁଛନ୍ତି। ଏଥିରେ ସ୍ଥାନୀୟ ଦଳୀୟ କର୍ମୀଙ୍କୁ ଟିକେ ଉଜ୍ଜୀବିତ ହେବାର ଅନୁଭବ ବ୍ୟତୀତ ଆଉ କିଛି ପରିବର୍ତ୍ତନ ଘଟୁନାହିଁ। ବିଗତ ଆଠ ବର୍ଷରେ ମୋଦୀଙ୍କ ବିଜେପି ସୁଦୃଢ଼ କରିଆସିଥିବା ନିର୍ବାଚନୀ ଛାଞ୍ଚକୁ ଏହା ଗୁରୁତର ଭାବେ ପ୍ରଭାବିତ କରୁନାହିଁ।
ଦ୍ବିତୀୟତଃ, ବିଭାଜନକାରୀ ଶକ୍ତି ବିରୋଧରେ ଜାତିଧର୍ମ ନିର୍ବିଶେଷରେ, ସମସ୍ତ ଭାରତୀୟ ଏକଜୁଟ ହେବା ଲାଗି ଯାତ୍ରାର ଆହ୍ବାନ କଂଗ୍ରେସକୁ ଏକଘରିକିଆ କରିଥିବା ମତଦାତାମାନଙ୍କୁ ଫେରାଇ ଆଣିପାରିବ ନାହିଁ ଯେଉଁମାନେ ସ୍ଥାନ ପରିବର୍ତ୍ତନ କରି ମୋଦୀଙ୍କ ନେତୃତ୍ବାଧୀନ ବିଜେପିକୁ ଚାଲିଯାଇଛନ୍ତି। ବିଜେପି ସହ ଲଢ଼ିବା କେବଳ ‘ଘୃଣା ବନାମ ପ୍ରେମ’ରେ ସୀମିତ ନରହି ତାହା ଅଧିକ ଜଟିଳ ହୋଇପଡ଼ିଛି।
ଏ କଥା ସତ ଯେ ମୋଦୀ ଏକ ବିପଜ୍ଜନକ ମାତ୍ରାର ଧାର୍ମିକ ଚିନ୍ତାଧାରାକୁ ରାଜନୀତିରେ ସଂଚାର କରିଛନ୍ତି। ସେ ନିୟମିତ ହିନ୍ଦୁ ମନ୍ଦିର ପରିଦର୍ଶନରେ ଯାଉଛନ୍ତି। ତାଙ୍କ ସରକାର ଖୋଲାଖୋଲି ଭାବେ ହିନ୍ଦୁ ଧର୍ମର ପକ୍ଷପାତୀ। ସମାନ ଅପରାଧ ପାଇଁ ସରକାର ହିନ୍ଦୁଙ୍କୁ କ୍ଷମା କରିଦେଉଥିବା ବେଳେ ମୁସଲମାନମାନଙ୍କୁ ଦଣ୍ଡିତ କରୁଛନ୍ତି। ତାଙ୍କ ଶାସନ କାଳରେ ମୁସଲିମ୍ମାନଙ୍କୁ ହିଂସା ଓ ଭେଦଭାବର ଶିକାର ହେବାକୁ ପଡୁଛି। ତଥାପି ସେ ନିର୍ବାଚନ ଜିତୁଛନ୍ତି, କାହିଁକି?
କାରଣ, ଯଦିଓ ଉଦାରବାଦୀମାନେ ମୋଦୀଙ୍କୁ ଘୃଣାକାରୀଙ୍କ ସମ୍ରାଟ ଭାବେ ବିଚାରୁଛନ୍ତି, ସଂଖ୍ୟାଧିକ ଭାରତୀୟ ହିନ୍ଦୁ ତାଙ୍କୁ ସେପରି ଦେଖୁନାହାଁନ୍ତି। ଏମାନେ ହେଉଛନ୍ତି ସମାଜର ନିମ୍ନ ଜାତି, ମଧ୍ୟମ ଜାତି ଓ ଉଚ୍ଚ ଜାତିର ଏକ ଗୋଷ୍ଠୀ ସହ ସମ୍ବନ୍ଧିତ। ସେମାନଙ୍କ ପାଇଁ ମୋଦୀ ହିଁ ମଙ୍ଗଳକରୀ।
ନିର୍ବାଚନ ପରବର୍ତ୍ତୀ ସର୍ବେକ୍ଷଣରୁ ଗତ ଆଠ ବର୍ଷରେ ମୋଦୀଙ୍କ ସପକ୍ଷରେ ନିମ୍ନ ଜାତିର ମତଦାତାଙ୍କ ସଂଖ୍ୟା ବଢ଼ିଥିବା ଜଣାଯାଇଛି। ବହୁ ସଂଖ୍ୟାରେ ଦଳିତ ଓ ପଛୁଆବର୍ଗ ତାଙ୍କୁ ଭୋଟ ଦେଇଛନ୍ତି, କାରଣ ସେମାନଙ୍କ ପାଇଁ ସେ ବାସଗୃହ, ମାଗଣା ଖାଦ୍ୟ ସାମଗ୍ରୀ, ଶୌଚାଳୟ, ବିଦ୍ୟୁତ୍, ପେନ୍ସନ୍, ସ୍ବାସ୍ଥ୍ୟ ବୀମା ଓ କ୍ଷୁଦ୍ର ବ୍ୟବସାୟ ପାଇଁ ସହଜ ଋଣ ଆଦି ସୁବିଧା ଯୋଗାଇଛନ୍ତି।
କେବଳ ଅର୍ଥନୈତିକ କାରଣରୁ ସେମାନେ ତାଙ୍କୁ ଭୋଟ ଦେଉନାହାନ୍ତି। ମନସ୍ତାତ୍ତ୍ବିକ କାରଣରୁ ମଧ୍ୟ ସେମାନେ ଏହା କରୁଛନ୍ତି। ପ୍ରତ୍ୟେକ ନିମ୍ନ ଜାତିର ଜଣେ ଜଣେ ନାୟକ ବା ବୀର ରହିଛନ୍ତି ଯିଏ ସେମାନଙ୍କ କିଂବଦନ୍ତି ଅନୁସାରେ ଅତୀତରେ ବ୍ରିଟିସ, ମୁସଲମାନ ଆକ୍ରମଣକାରୀ ବା ଉଚ୍ଚ ବର୍ଗ ଦମନକାରୀଙ୍କୁ ପରାସ୍ତ କରିଥିଲେ କିମ୍ବା ସେମାନଙ୍କ ସହ ବୀରତ୍ବର ସହ ଲଢ଼ିଥିଲେ। ସେହି ନାୟକ ବା ଯୋଦ୍ଧା ହିଁ ସେମାନଙ୍କର ସମ୍ମାନାସ୍ପଦ ଏବଂ ସେମାନଙ୍କ ସାମୂହିକ ଗୌରବର ସଂକେତ।
ସେମାନଙ୍କର ସେହି ନାୟକମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ ପୂର୍ବକ ସେମାନଙ୍କ ସାମୂହିକ ଗୌରବକୁ ପରିବର୍ଦ୍ଧିତ କରିବାର ଏକ ଚତୁର ରଣନୀତି ବିଜେପି ଆପଣେଇଛି। ଉତ୍ତର ପ୍ରଦେଶରେ ସଂଘଟିତ ଏହାର କିଛି ଉଦାହରଣ ସ୍ବରୂପ, ରାଜ୍ୟର ଏକ ସଶସ୍ତ୍ର ପୁଲିସ ବାହିନୀକୁ କୋଲିମାନଙ୍କର ଦେବପ୍ରତିମା ‘ଝଲକରୀ ବାଈ’ଙ୍କ ନାମରେ ନାମିତ କରାଯାଇଛି ଯିଏ ଝାନ୍ସୀରାଣୀଙ୍କ ସହ ବ୍ରିଟିସ୍ ବିରୋଧରେ ଲଢ଼ିଥିଲେ। ସେହିପରି ମୁସଲିମ୍ ଆକ୍ରମଣକାରୀଙ୍କ ବିରୋଧରେ ଲଢ଼ିଥିବା ଲଖନପୁର (ବର୍ତ୍ତମାନର ଲକ୍ଷ୍ନୌ) ତଥା ପାସିମାନଙ୍କର ରାଜା ଲଖନ ପାସିଙ୍କ ନାମରେ ଏକ ବିଶାଳ ସ୍ମାରକୀ ନିର୍ମାଣ କରାଯାଇଛି। ଏଥି ସହିତ ଗଜନୀର ମହମ୍ମଦଙ୍କ ପୁତୁରାଙ୍କୁ ପରାସ୍ତ କରିଥିବା ରାଜଭର ଯୋଦ୍ଧା ସୁହେଲଦେବଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି।
ସେମାନେ ରାଜନୈତିକ କାରଣରୁ ମଧ୍ୟ ମୋଦୀଙ୍କୁ ଭୋଟ ଦେଉଛନ୍ତି। କଂଗ୍ରେସ ଓ ଅନ୍ୟ ଦଳ ତୁଳନାରେ ମୋଦୀଙ୍କ ବିଜେପି ଦଳୀୟ ସଂଗଠନ, ପଞ୍ଚାୟତ, ପୌରାଞ୍ଚଳ, ବିଧାନସଭା, ସଂସଦ ଓ ମନ୍ତ୍ରିମଣ୍ଡଳରେ ଅଧିକ ରାଜନୈତିକ ପଦପଦବି ବାଣ୍ଟିଛି। ଏଥି ସହିତ ସେମାନଙ୍କ ରାଜନୈତିକ ଅଭିବ୍ୟକ୍ତିର ବାହନ ସାଜିଥିବା ଛୋଟ ଛୋଟ ଦଳଗୁଡ଼ିକ ସହ ବିଜେପି ମେଣ୍ଟ କରି ନିଜର ପ୍ରତିନିଧିତ୍ବକୁ ଆହୁରି ପରିବର୍ଦ୍ଧିତ କରିପାରିଛି।
ସର୍ବୋପରି ବିଜେପି ଅଧିକ ଭୋଟ ପାଇବା ପଛରେ ଧାର୍ମିକ କାରଣ ରହିଛି। ଉଚ୍ଚ ଜାତିର ହିନ୍ଦୁଙ୍କ ଅପେକ୍ଷା ନିମ୍ନ ଜାତିର ହିନ୍ଦୁମାନେ କିଛି କମ୍ ଉତ୍ସାହୀ ନୁହଁନ୍ତି। ଦାରିଦ୍ର୍ୟ ଓ ନିରକ୍ଷରତା କାରଣରୁ ସେମାନେ ଉଚ୍ଚ ଜାତି ଅପେକ୍ଷା ଅଧିକ କଠୋରପନ୍ଥୀ ହିନ୍ଦୁ। ସେମାନେ ମୋଦୀଙ୍କୁ ଭୋଟ ଦେଉଛନ୍ତି, କାରଣ ସେମାନେ ତାଙ୍କୁ ହିନ୍ଦୁ ମର୍ଯ୍ୟାଦାର ପୁନଃସ୍ଥାପନକାରୀ ଭାବେ ଦେଖୁଛନ୍ତି।
ମୋଦୀ ଧାର୍ମିକ ଖୋଳରେ ଉପହାର ବାଣ୍ଟିବା ଦ୍ବାରା ମନ୍ତ୍ରମୁଗ୍ଧ ବିଶାଳ ଜନତାଙ୍କ ମନ ଜିତିବା ଲାଗି କଂଗ୍ରେସ ଅଦ୍ୟାବଧି କି ଅବା ପ୍ରୟାସ କରିପାରିଛି? ଏହା କେବଳ ଏତିକି କରିଛି ଯେ ବିଜେପି ଯେତିକି ହିନ୍ଦୁ, କଂଗ୍ରେସ ମଧ୍ୟ ସେତିକି ହିନ୍ଦୁ ବୋଲି ପ୍ରମାଣ କରିବାର ପ୍ରୟାସ କରିଛି। ଏଥିପାଇଁ କଂଗ୍ରେସ ଦୁଇଟି ପନ୍ଥା ଅବଲମ୍ବନ କରିଛି। ପ୍ରଥମଟି ହେଲା, ଦଳୀୟ ନେତାମାନେ ପ୍ରତିଟି ହିନ୍ଦୁ ଉତ୍ସବ ମାଧ୍ୟମରେ ନିଜ ହିନ୍ଦୁତ୍ବର ସାର୍ବଜନୀନ ପରିପ୍ରକାଶ କରାଇଛନ୍ତି। ଦ୍ବିତୀୟରେ ଦଳ ‘ହିଜାବ’ କି ‘ଜ୍ଞାନବାପି ମସଜିଦ’ ପରି ମୁସଲିମ୍ ପ୍ରସଙ୍ଗ ଉଠାଇବା କି ତା ସପକ୍ଷରେ ଲଢ଼ିବାରୁ ବିରତ ରହିଛି।
ଉଭୟ କୌଶଳ କିନ୍ତୁ କାମ କରିନାହିଁ। କଂଗ୍ରେସ ସେସବୁକୁ ପରିହାର କରିବା ଦରକାର। ହିନ୍ଦୁତ୍ବ ବାବଦରେ ବିଜେପି ସହ ପ୍ରତିଦ୍ବନ୍ଦ୍ବିତା କରିବା ବୋକାମି ଓ ଆତ୍ମଘାତୀ। ଏହା କେବେ ବି ବିଜେପିକୁ ହରାଇ ପାରିବନାହିଁ। ବରଂ ଏହାଦ୍ବାରା ସେମାନେ ହିନ୍ଦୁ ଓ ମୁସଲମାନ ଉଭୟଙ୍କୁ ହରାଇବେ।
ଏ ପରିପ୍ରେକ୍ଷୀରେ ‘ଭାରତ ଯୋଡ଼ୋ ଯାତ୍ରା’କୁ ଏକ ‘ଭାରତ ଯୋଡ଼ୋ ଆନ୍ଦୋଳନ’ରେ ରୂପାନ୍ତରଣ କରିବା ହିଁ କଂଗ୍ରେସ ପାଇଁ ଶ୍ରେଷ୍ଠ ରଣନୀତି ହେବ। ଅବଶ୍ୟ ‘ସାମ୍ପ୍ରଦାୟିକ ଓ ରାଷ୍ଟ୍ରୀୟ ଏକତା’ ପରି ଆହ୍ବାନର ଏକ ମହତ୍ତ୍ବପୂର୍ଣ୍ଣ ପ୍ରଭାବ ରହିଛି। ଆଜି ମୋଦୀଙ୍କ ପଛରେ ଛିଡ଼ା ହୋଇଥିବା ହିନ୍ଦୁଙ୍କ ଅପେକ୍ଷା ଭାରତରେ ଆହୁରି ଅଧିକ ସଂଖ୍ୟାରେ ହିନ୍ଦୁ ଅଛନ୍ତି ଯେଉଁମାନେ ହିନ୍ଦୁ, ମୁସଲମାନ ଓ ଅନ୍ୟ ସମ୍ପ୍ରଦାୟ ମଧ୍ୟରେ ଶାନ୍ତିପୂର୍ଣ୍ଣ, ସୌହାର୍ଦ୍ଦପୂର୍ଣ୍ଣ ଓ ପାରସ୍ପରିକ ମଙ୍ଗଳକାରୀ ସହାବସ୍ଥାନ ଚାହାନ୍ତି। ତେବେ ମୋଦୀଙ୍କ ସପକ୍ଷରେ ଥିବା ହିନ୍ଦୁମାନଙ୍କ ମନ ଜିଣିବାକୁ କଂଗ୍ରେସ ଯଦି ଚାହେଁ, ତେବେ ଭାରତ ଯୋଡ଼ୋ ଆନ୍ଦୋଳନ ବି ଯଥେଷ୍ଟ ହେବନାହିଁ; ଆହୁରି ଅଧିକ କିଛି କରିବାକୁ ହେବ।
ଆମେ ଏବେ ଏକ ନେଣଦେଣ ରାଜନୀତିର ଯୁଗରେ ପହଞ୍ଚିଛନ୍ତି। ଭୋଟରମାନେ ସେମାନଙ୍କ ପସନ୍ଦ ବାଛିବା ଆଗରୁ ରାଜନୈତିକ ଦଳମାନେ ସେମାନଙ୍କୁ କ’ଣ ଦେଇପାରିବେ, ସେ କଥା ଜାଣିବାକୁ ଚାହୁଛନ୍ତି। ତେଣୁ ସେମାନଙ୍କୁ ଅଧିକରୁ ଅଧିକ ରାଜନୈତିକ ଓ ଆର୍ଥିକ ଲାଭ ପ୍ରଦାନ ପାଇଁ କଂଗ୍ରେସ ରଣନୀତି କରିବା ବିନା ବିଜେପିକୁ ବିସ୍ଥାପିତ କରିପାରିବ ନାହିଁ। ନିଯୁକ୍ତି, ସୁରକ୍ଷିତ ଚାକିରି ଓ ଆକର୍ଷଣୀୟ ରୋଜଗାର ପରି ସୁବିଧା ଓ ସୁଯୋଗ ଯାହା ବିଜେପି ଦେଇପାରିନାହିଁ, ତାହା କିପରି ସେମାନଙ୍କୁ ମିଳିପାରିବ ସେ ସମ୍ପର୍କରେ କଂଗ୍ରେସ ଚିନ୍ତା କରିବାର ସମୟ ଆସିଛି।
କଂଗ୍ରେସକୁ ମଧ୍ୟ ଅର୍ଥନୈତିକ ଓ ରାଜନୈତିକ ପ୍ରସଙ୍ଗ ଉପରେ ଗୁରୁତ୍ବାରୋପ କରିବାକୁ ହେବ। ବିଜେପି ଦ୍ବାରା ଆବଣ୍ଟିତ ରାଜନୈତିକ ତଥା ଆର୍ଥିକ ଉପହାରଗୁଡ଼ିକ ଅତି ନଗଣ୍ୟ ଓ ଭ୍ରମାତ୍ମକ ତଥା କଂଗ୍ରେସ ଦ୍ବାରା ପ୍ରସ୍ତାବିତ ସେହି ସବୁ ସୁବିଧାଗୁଡ଼ିକ ଅଧିକ ଓ ଦୀର୍ଘସ୍ଥାୟୀ ବୋଲି ଲୋକେ ଅନୁଭବ କରିବା ମାତ୍ରକେ ସେମାନେ ବିଜେପିର ହିନ୍ଦୁସର୍ବସ୍ବ ଭାବମୂର୍ତ୍ତି ସତ୍ତ୍ବେ ତାହାଠାରୁ ଦୂରେଇଯିବା ଆରମ୍ଭ କରିବେ। ଧର୍ମ କେବେ ପାର୍ଥିବ ପ୍ରଗତି ଅଭୀପ୍ସାର ଉତ୍ତର ହୋଇନପାରେ।
[email protected]