ଚଳିତ ବର୍ଷ ଶାନ୍ତି ସକାଶେ ପ୍ରଦତ୍ତ ନୋବେଲ ପୁରସ୍କାର ସୃଷ୍ଟି କରିଥିବା କୌତୂହଳର କାରଣ ହେଲା ଏହାକୁ ଲାଭ କରିଥିବା ରାଷ୍ଟ୍ର ତ୍ରୟ ମଧୢରୁ ରୁଷିଆ ଏବ˚ ୟୁକ୍ରେନ ବର୍ତ୍ତମାନ ଏକ ଦୀର୍ଘ ଏବ˚ ଅତ୍ୟନ୍ତ ଭୟାବହ ଯୁଦ୍ଧରେ ବ୍ୟାପୃତ ଏବ˚ ତୃତୀୟ ରାଷ୍ଟ୍ର ବେଲାରୁଷ ରୁଷିଆ ପ୍ରତି ପ୍ରଗାଢ଼ ଆନୁଗତ୍ୟ ପ୍ରଦର୍ଶନ କରି ଏହି ଯୁଦ୍ଧରେ ଏକ ପରୋକ୍ଷ ଅ˚ଶୀଦାର ହୋଇଛି। ପ୍ରକାଶ ଥାଉ କି ୟୁକ୍ରେନ ପ୍ରବେଶ କରିବା ଲାଗି ବେଲାରୁଷ ରୁଷୀୟ ସେନାବାହିନୀକୁ ଗୋଟିଏ ବାଟ ଛାଡ଼ି ଦେଇଥିଲା। ସୁତରା˚, ଏହି ପୁରସ୍କାର ଚୟନ ପ୍ରକ୍ରିୟାରେ ଏକ ଭୂ-ରାଜନୈତିକ ଦିଗ ସହିତ ଏକ ରାଜନୈତିକ ଉଦ୍ଦେଶ୍ୟ ମଧୢ ଦିଶିଥାଏ। ଗୋଟିଏ ମତ ଅନୁସାରେ ପାଶ୍ଚାତ୍ୟ ରାଷ୍ଟ୍ର ସମୁଦାୟ ସକାଶେ ଏକ ଖଳନାୟକରେ ପରିଣତ ହୋଇଥିବା ରୁଷୀୟ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ମର୍ମଦାହ ସକାଶେ ଏଭଳି ଚୟନ କରାଯାଇଥିବା ସମ୍ଭବ। କିନ୍ତୁ ଚଳିତ ବର୍ଷର ବିଜେତା ବେଲାରୁଷୀ ନାଗରିକ ଆଲେସ ବ୍ୟାଲ୍ୟାସ୍କି ଓ ‘ଦ ମେମୋରିଆଲ୍’ (ରୁଷିଆ)ଏବ˚ ‘ସେଣ୍ଟର ଫର ସିଭିଲ୍ ଲିବର୍ଟିଜ୍’(ୟୁକ୍ରେନ) ନାମଧାରୀ ଅନୁଷ୍ଠାନ ଦ୍ବୟଙ୍କ ସ˚ଘର୍ଷ ଏବ˚ ସାହସର ପରାକାଷ୍ଠାକୁ ଉପରୋକ୍ତ ଧାରଣା ମଳିନ କରି ପାରିବ ନାହିଁ। ଏମାନେ ନିଜ ନିଜ ରାଷ୍ଟ୍ରରେ ମାନବାଧିକାର ଉଲ୍ଲ˚ଘନ ଏବ˚ ଗଣତନ୍ତ୍ରର ହନନ ବିରୋଧରେ ଦୃଢ଼ ସ୍ବର ଉତ୍ତୋଳନ କରିବା ସହିତ ସମସ୍ତ ପ୍ରତିକୂଳତା ସତ୍ତ୍ବେ ତାକୁ ଅବ୍ୟାହତ ରଖି ଆସିିଛନ୍ତି।
ପ୍ରକାଶ ଥାଉ କି ଆଲେସ ବ୍ୟାଲ୍ୟାସ୍କି ବର୍ତ୍ତମାନ କାରାରୁଦ୍ଧ (୧୯୯୬ରୁ ଏ ପର୍ଯ୍ୟନ୍ତ ଛଅ ଥର ଜେଲ୍ ଯାଇଛନ୍ତି) ଏବ˚ ୧୯୮୯ ମସିହାରେ ଗଠିତ ‘ମେମୋରିଆଲ’ର ଦପ୍ତର ଉଚ୍ଛେଦ ହେବାର ପ୍ରତୀକ୍ଷାରେ। ସେହିଭଳି ୨୦୦୭ ମସିହାରେ ଗଠିତ ‘ସେଣ୍ଟର ଫର ପବ୍ଲିକ ଲିବର୍ଟିଜ’ର କାର୍ଯ୍ୟକର୍ତ୍ତା ଏବ˚ କର୍ମୀମାନେ ଯୁଦ୍ଧ ପୂର୍ବରୁ ବିଭିନ୍ନ ସମୟରେ ୟୁକ୍ରେନ ସରକାରଙ୍କ ଦ୍ବାରା କାର୍ଯ୍ୟାନୁଷ୍ଠାନ ଏବ˚ ଦଣ୍ତର ସମ୍ମୁଖୀନ ହୋଇ ଆସିଛନ୍ତି। ସୂଚନା ଯୋଗ୍ୟ ଯେ ସୋଭିଏତ୍ ଶାସନ କାଳରେ ୧୨ ବର୍ଷ ଧରି ବନ୍ଦୀ ଅବସ୍ଥାରେ ରହିଥିବା ପଦାର୍ଥ ବିଜ୍ଞାନୀ ଏବ˚ ମାନବାଧିକାର ପ୍ରବକ୍ତା ଆନ୍ଦ୍ରେ ସାଖାରୋଭ (୧୯୭୫ର ନୋବେଲ ଶାନ୍ତି ପୁରସ୍କାର ବିଜେତା)ଙ୍କ ଦ୍ବାରା ପ୍ରତିଷ୍ଠିତ ‘ମେମୋରିଆଲ’ ଷ୍ଟାଲିନ୍ଙ୍କ ଅଧୀନସ୍ଥ ରୁଷିଆ ପ୍ରତ୍ୟକ୍ଷ କରିଥିବା କଳ୍ପନାତୀତ ଭାବେ କରୁଣ ନିର୍ଯାତନା ଓ ମାନବାଧିକାର ଉଲ୍ଲ˚ଘନ ସମ୍ବଳିତ ଘଟଣାମାନ ଲୋକଲୋଚନକୁ ଆଣିବାରେ ବ୍ୟାପୃତ, ଯାହା ସ୍ବାଭାବିକ ଭାବେ ସୋଭିଏତ୍ କମ୍ୟୁନିଷ୍ଟ ଶାସନର ଦୃଢ଼ ସମର୍ଥକ ଭ୍ଲାଡିମିର ପୁଟିନଙ୍କୁ କ୍ଷୁବ୍ଧ କରୁଥିବ। ଏଭଳି ସ୍ଥଳେ ପୁଟିନଙ୍କ ରୁଷିଆରେ ରାଷ୍ଟ୍ର ପ୍ରାୟୋଜିତ ବର୍ବରତା ଯେ ଏହି ଅନୁଷ୍ଠାନର ଭାଗ୍ୟ ଭୋଗ ହୋଇ ପଡ଼ିଥିବ, ତହିଁରେ ସନ୍ଦେହ ନାହିଁ। ବେଲାରୁଷର ଆଲେସ ବ୍ୟାଲ୍ୟାସ୍କି ଏକଛତ୍ରବାଦୀ ଶାସକ ଆମେଜାଣ୍ତର ଲୁକାସେଙ୍କୋଙ୍କ ବିରୋଧରେ ସ୍ବର ଉତ୍ତୋଳନ କରି କିଭଳି ବିପଦ ବରଣ କରିଛନ୍ତି, ତାହା ଗଲା ବର୍ଷ ଘଟିଥିବା ଏକ ଘଟଣାରୁ ସ୍ପଷ୍ଟ ହୋଇଥାଏ। ତହିଁରେ ଦେଖିବାକୁ ମିଳିଥିଲା କିଭଳି ଗ୍ରୀସ୍ରୁ ଲିଥୁଆନିଆ ଅଭିମୁଖେ ଯାତ୍ରା କରୁଥିବା ‘ରିୟାନେର୍ ଏୟାରଲାଇନ୍ସ’ର ଏକ ବିମାନକୁ ବେଲାରୁଷ ଉପର ଦେଇ ଯାଇଥିବା ତାର ନିତ୍ୟ ନୈମିତ୍ତିକ ଗତପଥରେ ‘ଗ୍ରାଉଣ୍ତ କ˚ଟ୍ରୋଲ’ ଦ୍ବାରା ବିମାନରେ ଏକ ବୋମା ରହିଥିବାର ମିଥ୍ୟା ସୂଚନା ପ୍ରଦାନ କରାଯାଇ ତତ୍କ୍ଷଣାତ୍ ଅବତରଣ କରିବାକୁ ପରାମର୍ଶ ଦିଆଯାଇଥିଲା, ଯାହାକୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ସମ୍ବନ୍ଧୀୟ ଚିକାଗୋ ରାଜିନାମା ଅନୁସାରେ ପାଇଲଟ୍ ମାନିବାକୁ ବାଧୢ ହୋଇଥିଲେ।
ବିମାନ ଅବତରଣ କରିବା ପରେ ବିମାନ ମଧୢକୁ ବେଲାରୁଷ ସୁରକ୍ଷା ବାହିନୀର କର୍ମଚାରୀ ପ୍ରବେଶ କରି ରୋମାନ ପ୍ରୋତାଚୋଭିଚ୍ ନାମଧାରୀ ଜଣେ ଛିଇଶ ବର୍ଷ ବୟସ୍କ ଯୁବକଙ୍କୁ ଧରି ନେଇ ଯାଇଥିଲେ, ଯିଏ ଥିଲେ ଜଣେ ବେଲାରୁଷୀ ଖବରକାଗଜ ସ˚ପାଦକ ଏବ˚ ତାଙ୍କ ମାନବାଧିକାର ସମ୍ବନ୍ଧୀୟ କାର୍ଯ୍ୟ ଲାଗି ସରକାରଙ୍କ ଚକ୍ଷୁଶୂଳ ହେବାରୁ ଆତ୍ମ ନିର୍ବାସନରେ ଦେଶାନ୍ତର ହୋଇଯାଇଥିଲେ। ଉଲ୍ଲେଖ ଥାଉ କି ତହିଁ ପର ଦିନ ବେଲାରୁଷ ଗଣମାଧୢମରେ ଖବର ପ୍ରକାଶିତ ହୋଇଥିଲା ଯେ ପ୍ରୋତାଚୋଭିଚ୍ ଜଣେ ଉଗ୍ରବାଦୀ ବୋଲି ନିଜେ ସ୍ବୀକାର କରିଛନ୍ତି; ଯେଉଁ ଅପରାଧ ଲାଗି ବେଲାରୁଷରେ ଏକମାତ୍ର ଦଣ୍ତ ହେଉଛି ମସ୍ତକରେ ଗୋଟିଏ ମାତ୍ର ବୁଲେଟ୍ ଦ୍ବାରା ମୃତ୍ୟୁ ପ୍ରଦାନ। ଏବେ ପ୍ରୋତାଚୋଭିଚ୍ ସେଠାରେ ଏକ ଅନିଶ୍ଚିତ ଭବିଷ୍ୟତ୍ର ଆଶଙ୍କାରେ ଗୃହବନ୍ଦୀର ଜୀବନ କାଟୁଛନ୍ତି। ସୁତରା˚, ଏଭଳି ଏକ ଆକ୍ରୋଶ ବହନକାରୀ ତଥା ପ୍ରତିଶୋଧ-ପରାୟଣ ଶାସନ ବିରୋଧରେ ବ୍ୟାଲ୍ୟାସ୍କିଙ୍କ ପ୍ରତିବାଦକୁ ଅତୁଲ୍ୟ ସାହସର ପ୍ରତୀକ ରୂପେ ଦେଖିହୁଏ। ଏହା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ ରୁଷିଆ ଦ୍ବାରା ଆକ୍ରମଣର ଶିକାର ହେବା ପରେ ସହାନୁଭୂତିର ପାତ୍ର ହୋଇ ପଡ଼ିଥିବା ୟୁକ୍ରେନରେ ମଧୢ ଗଣତନ୍ତ୍ର ଏବ˚ ମାନବାଧିକାରର ସ୍ବାସ୍ଥ୍ୟ ଭଲ ନୁହେ, ଯାହା ବିରୋଧରେ ସ˚ଘର୍ଷ କରୁଥିବା ‘ସେଣ୍ଟର ଫର ସିଭିଲ ଲିବର୍ଟିଜ’ ମଧୢ ଅନେକ କ୍ରୂର ପ୍ରତିକୂଳତାର ସାମନା କରିଛି।
ଏହି ପୁରସ୍କାର ଘୋଷିତ ହେବା ପରେ ସର୍ବ ପ୍ରଥମ ପ୍ରତିକ୍ରିୟା ବେଲାରୁଷର ସରକାରୀ ଟ୍ବିଟର ହ୍ୟାଣ୍ତଲରୁ ନିସୃତ ହୋଇଛି; ଯାହା ଏହି ପୁରସ୍କାରକୁ ଘୋର ରାଜନୀତୀକରଣ ଦ୍ବାରା କଳୁଷିତ ବୋଲି ଆକ୍ଷେପ କରିଥାଏ। ତେବେ ନିର୍ଦ୍ଦିଷ୍ଟ ଭାବେ ବେଲାରୁଷ ସ˚ଦର୍ଭରେ ଏହି ମନ୍ତବ୍ୟ ସହିତ ଅଧିକା˚ଶ ଏକମତ ହେବେ ନାହିଁ ନିଶ୍ଚୟ; କିନ୍ତୁ ଏହା ମଧୢ ସ୍ବୀକାର୍ଯ୍ୟ ଯେ ନୋବେଲ ଶାନ୍ତି ପୁରସ୍କାର ଚୟନରେ ଅନେକ ସମୟରେ ରାଜନୈତିକ ଉଦ୍ଦେଶ୍ୟ ନିହିତ ଥାଏ। ଏହି ପୁରସ୍କାରର ମହତ୍ତ୍ବର ବିଶାଳତା ଦୃଷ୍ଟିରୁ ଏଭଳି ସନ୍ଦେହ ନିରର୍ଥକ ସାବ୍ୟସ୍ତ ହୁଅନ୍ତା, ଯଦି ଅନେକ ବିଜେତା ପରବର୍ତ୍ତୀ କାଳରେ ଏହି ସମ୍ମାନ ଲାଗି ସେମାନଙ୍କ ଅଯୋଗ୍ୟତା ସିଦ୍ଧ କରନ୍ତେ ନାହିଁ। ୧୯୭୩ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ‘ନେସନାଲ ସିକ୍ୟୁରିଟି ଆଡଭାଇଜର’ ବା ‘ଜାତୀୟ ପ୍ରତିରକ୍ଷା ପରାମର୍ଶଦାତା’ ହେନରି କିସି˚ଜର ଏବ˚ ଉତ୍ତର ଭିଏତ୍ନାମର ନେତା ଲେ ଡୁକ୍ ଥୋଙ୍କୁ ଯୁଗ୍ମ ଭାବେ ନୋବେଲ ଶାନ୍ତି ପୁରସ୍କାର ବିଜେତା ଭାବେ ଘୋଷଣା କରାଯାଇଥିଲା, ଯାହାର କାରଣ ଭାବେ ଦର୍ଶାଯାଇଥିଲା ଭିଏତ୍ନାମ ଯୁଦ୍ଧର ଅବସାନରେ ଏ ଦୁହିଁଙ୍କ ଭୂମିକା।
ତେବେ, ଏହି ପୁରସ୍କାର ଗ୍ରହଣ କରିବାକୁ ଥୋ ପ୍ରତ୍ୟାଖ୍ୟାନ କଲେ, କାରଣ ସନ୍ଧି ଚୁକ୍ତି ସ˚ପାଦିତ ହେଉଥିବା ବେଳେ କିସି˚ଜରଙ୍କ ଆଦେଶରେ ଉତ୍ତର ଭିଏତ୍ନାମର ରାଜଧାନୀ ହାନୋଇ ଉପରେ ବୋମା ବର୍ଷଣ ଜାରି ରହିଥିଲା। ଏକ ବିଡ଼ମ୍ବନା ଭଳି ଏହି ପୁରସ୍କାର ଘୋଷଣା କରାଯିବା ବେଳେ ‘ଶାନ୍ତିକାମୀ’ କିସି˚ଜରଙ୍କ ଆଦେଶରେ କ୍ଷୁଦ୍ର ଦେଶ କମ୍ବୋଡ଼ିଆ ଆମେରିକୀୟ ବୋମା ଦ୍ବାରା ଚୂର୍ଣ୍ଣ ହେବାରେ ଲାଗିଥିଲା। ତେବେ, ବିଶ୍ବାସ କରାଯାଏ ଯେ କିସି˚ଜରଙ୍କୁ ଏହି ପୁରସ୍କାର ପ୍ରଦାନର ପ୍ରକୃତ ଉଦ୍ଦେଶ୍ୟ ଥିଲା ସୋଭିଏତ୍ ରୁଷିଆ ଦ୍ବାରା ଆତଙ୍କିତ ନରୱେ ଦ୍ବାରା ଆମେରିକାର ପ୍ରିୟଭାଜନ ହେବାର ଏକ ତୋଷାମଦିଆ ଉଦ୍ୟମ। ମିଆଁମାରର ସାମରିକ ଶାସନ ବିରୋଧରେ ସ୍ବର ଉତ୍ତୋଳନ କରି ଗୃହବନ୍ଦୀ ଭାବେ ରହିଥିବା ଅଙ୍ଗ ସନ ସୁକୀ ୧୯୯୧ ମସିହାରେ ଶାନ୍ତି ଲାଗି ନୋବେଲ ପୁରସ୍କାର ଲାଭ କରଥିଲେ। ଅଥଚ ପରବର୍ତ୍ତୀ କାଳରେ ମିଆଁମାର ସରକାରରେ ସାମିଲ ହୋଇ ସେ ସେଠାରେ ଅତ୍ୟାଚାରିତ ସ˚ଖ୍ୟାଲଘୁ ରୋହି˚ଗ୍ୟା ସ˚ପ୍ରଦାୟ ବିରୋଧରେ ବିଷୋଦ୍ଗାର କରିବା ସହିତ ସେମାନଙ୍କ ପ୍ରତି ହେଉଥିବା ହି˚ସାକୁ ଯଥାର୍ଥତା ପ୍ରଦାନ କରି ବିଶ୍ବବ୍ୟାପୀ ତୀବ୍ର ସମାଲୋଚନାର ଶରବ୍ୟ ହୋଇଥିଲେ। ଏରିଟ୍ରିଆ ସହିତ ଦୁଇ ଦଶନ୍ଧିର ଯୁଦ୍ଧର ଅବସାନ ଘଟାଇଥିବା ଇଥିଓପିିଆର ଯୁବ ପ୍ରଧାନମନ୍ତ୍ରୀ ଆବେ ଅହମ୍ମଦ ୨୦୧୯ ମସିହାରେ ଏହି ପୁରସ୍କାର ଲାଭ କରିବାର ମାତ୍ର ବର୍ଷକ ମଧୢରେ ପୁଣି ଯୁଦ୍ଧ ଆରମ୍ଭ କରି ଏକ ଅତ୍ୟନ୍ତ ରକ୍ତାକ୍ତ ସା˚ପ୍ରଦାୟିକ ସ˚ଘର୍ଷର ମୁଖ୍ୟ ନାୟକର ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ସେହିଭଳି ସ୍ମରଣଯୋଗ୍ୟ, କିଭଳି ଶପଥ ନେବାର ମାତ୍ର ସାତ ମାସ ମଧୢରେ ଆମେରିକାର ରାଷ୍ଟ୍ରପତି ବାରାକ ଓବାମାଙ୍କୁ ଏହି ପୁରସ୍କାର ପ୍ରଦାନ କରିବାର ଅପରିପକ୍ବତା ପ୍ରଦର୍ଶନ କରାଯାଇଥିଲା ଏବ˚ ସେ ଏହି ପୁରସ୍କାର ଗ୍ରହଣ କରୁଥିବା ବେଳେ ମାର୍କିନ ସେନାର ବୋମା ମାଡ଼ରେ ଆଫଗାନିସ୍ତାନର ଭୂମି ଥରି ଉଠୁଥିଲା।
କିନ୍ତୁ, ଏ ସମସ୍ତ ସନ୍ଦେହ ଓ ଅଭିଯୋଗ ସତ୍ତ୍ବେ ଏହି ପୁରସ୍କାର ଯେ ଏକ ଅତୁଳନୀୟ ସ୍ବୀକୃତି, ତାହା ୧୯୮୪ ମସିହାରେ ଏହି ପୁରସ୍କାର ଲାଭ କରିଥିବା ଦକ୍ଷିଣ ଆଫ୍ରିକୀୟ ପାଦ୍ରୀ ବିଶପ ଡେସମଣ୍ତ ଟୁଟୁଙ୍କ ଏହି ମନ୍ତବ୍ୟରୁ ବୁଝି ହୁଏ; ଯାହା କହିଥିଲା: ‘କାଲି ପର୍ଯ୍ୟନ୍ତ ତୁମକୁ କେହି କର୍ଣ୍ଣପାତ କରୁ ନ ଥଲେ, ଅଥଚ ଆଜି ତୁମର ପ୍ରତ୍ୟେକ ବାକ୍ୟ ଦେବୀ ବାଣୀ (ଓରାକଲ)ତୁଲ୍ୟ! ସୁତରା˚, ଏହି ପୁରସ୍କାରର ଅପ୍ରତିଦ୍ବନ୍ଦ୍ବୀ ଗୁରୁତ୍ବ ପରିପ୍ରେକ୍ଷୀରେ ସତ୍ତା ବିରୋଧୀମାନଙ୍କୁ ମିଳିଥିବା ଅନବଦ୍ୟ ସ୍ବୀକୃତିକୁ ଅତ୍ୟାଚାରୀ ସରକାରଗୁଡ଼ିକ ଗ୍ରହଣ କରି ନ ପାରି ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଆକ୍ଷେପ କରିବାରେ ବିସ୍ମିତ ହେବାର ବିଶେଷ କାରଣ ନାହିଁ। କିନ୍ତୁ ପ୍ରକୃତ ସତ୍ୟଟି ହେଲା ଶାନ୍ତି ଲାଗି ନୋବେଲ ପୁରସ୍କାର ମାନବ ଜାତି ସକାଶେ ବିବେକ ରକ୍ଷକ ହୋଇ ରହି ଆସିଛି। ସେହି ଦୃଷ୍ଟିରୁ ଚଳିତ ବର୍ଷର ପୁରସ୍କାର ବିଜୟୀମାନଙ୍କୁ ଆଳେକଜାଣ୍ତର ଦୁମାଁଙ୍କ ପ୍ରସିଦ୍ଧ ଉପନ୍ୟାସର ଶୀର୍ଷକ ଛାୟାରେ ‘ଥ୍ରି ମସ୍କଟିଅର୍ସ୍’ ବା ‘ତିନି ସିପାହି’ ବୋଲି ଅଭିହିତ କରାଯାଇପାରେ।