ଗୋଟିଏ ଜନପଦରେ ନୂଆ ମନ୍ଦିରଟିଏ ତିଆରି ଲାଗି ସ୍ଥାନୀୟ ବାସିନ୍ଦା ଚାହିଁଲେ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ ଆରମ୍ଭ ହେଲା। କିଛି ଲୋକ ଅଗ୍ରଣୀ ଭୂମିକା ତୁଲାଇଲେ। ସେମାନେ ଏକାଠି ଦାନ-ଦକ୍ଷିଣା ସ˚ଗ୍ରହରେ ଲାଗିଲେ। ଜଣେ ଏକ ପ୍ରସ୍ତାବ ଦେଲେ। ତାଙ୍କ ପ୍ରସ୍ତାବ ଅନୁଯାୟୀ ଘୋଷଣା କରାଗଲା- ଯିଏ ସବୁଠାରୁ ଅଧିକ ଦାନ ଦେବେ, ତାଙ୍କ ନାମ ଦାତା ତାଲିକାର ସର୍ବାଗ୍ରେ ରହିବ। ମନ୍ଦିର କାନ୍ଥରେ ଅଲିଭା ଅକ୍ଷରରେ ତାଲିକାକୁ ସ୍ଥାନ ଦିଆଯିବ। ସର୍ବାଗ୍ରେ ନିଜ ନାମ ଦେଖିବାକୁ କିଛି ଦାତା ଅଧିକରୁ ଅଧିକ ଦାନ ଦେବାକୁ ଲାଗିଲେ।

Advertisment

ଦାନ ଦେବା ପାଇଁ ଏକରକମ ପ୍ରତିଯୋଗିତା ଚାଲିଲା। ଉଦ୍ୟୋକ୍ତାମାନେ ବିଶେଷ ଭାବେ ଉତ୍ସାହିତ ହେଲେ। କିନ୍ତୁ, ଜନପଦର ସବୁଠାରୁ ବିତ୍ତଶାଳୀ ବଣିକ କିଛି ଦେଉ ନ ଥାଆନ୍ତି! ଉଦ୍ୟୋକ୍ତାମାନେ ବିସ୍ମିତ ହେଲେ। ସେମାନେ ଯାଇ, ତାଙ୍କ ପାଖରେ ପହଞ୍ଚିଲେ। ବଣିକ ମନ୍ଦିର ନିର୍ମାଣ ଓ ଘୋଷଣା ଆଦି ବାବଦରେ ଅବଗତ ଥିବା ଜଣାଇଲେ। ସବୁଠାରୁ ଅଧିକ ଅର୍ଥ ଦାନ ଦେବାକୁ ବି କହିଲେ। ହେଲେ, ସର୍ତ୍ତଟିଏ ରଖିଲେ- ଦାତା ତାଲିକା ଶୀର୍ଷରେ ଯେପରି ତାଙ୍କର ନାମ ନ ରହେ। ଉଦ୍ୟୋକ୍ତାମାନେ ପୁଣି ଥରେ ବିସ୍ମିତ ହେଲେ। ତାଙ୍କ କଥା ରହିଲା। ଜଣେ ପଣ୍ତିତ ମନ୍ଦିର ପିଣ୍ତାରେ ବସି କାହାଣୀଟି ଶୁଣାଉଥିଲେ। କାହାଣୀ ସରିବା ପରେ ଉପସ୍ଥିତ ଶ୍ରୋତାଙ୍କୁ ପଚାରିଲେ- କ’ଣ ବୁଝିଲେ? ସମସ୍ତେ ନିରବ। ପଣ୍ତିତ କହିଲେ- ଦାତା ତାଲିକାର ସର୍ବାଗ୍ରେ ନିଜର ନାମ ଦେଖିବା ଉଦ୍ଦେଶ୍ୟରେ ଦିଆଯାଉଥିବା ଦାନ ପ୍ରକୃତରେ ଯଶଃ କାମନା ଚରିତାର୍ଥ ପାଇଁ। ଏ ଭଳି କାମନା ନ ରଖି ଦିଆଯାଉଥିବା ଦାନ ହିଁ ପ୍ରକୃତ ଦାନ। ଏଥିରୁ ମନକୁ ଯେଉଁ ସାତ୍ତ୍ବିକ ଆନନ୍ଦ ମିଳେ, ତାର ଆକଳନ କରିବା ଅସ˚ଭବ।