ଗତ ମାସରେ ଏକ ସମ୍ମିଳନୀରେ ଆମର ସମ୍ମାନାସ୍ପଦ ଆଇଆଇଟିର ଜଣେ ନିର୍ଦ୍ଦେଶକଙ୍କ ସହ ମୋର ସାକ୍ଷାତ ହୋଇଥିଲା। ସେ ନିଜେ ଜଣେ ବୈଜ୍ଞାନିକ ଓ ଉତ୍କୃଷ୍ଟ ପ୍ରଶାସକ। ସେ ମୋତେ କହିଲେ ଯେ ଅଧୁନା ଆମର ଆଇଆଇଟିମାନଙ୍କ ମଧ୍ୟରୁ ଅତି କମ୍‌ରେ ଆଠଟିରେ ନିର୍ଦ୍ଦେଶକ ନାହାନ୍ତି। ପ୍ରତିଟି କ୍ଷେତ୍ରରେ ପୂର୍ବତନ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ସରିଯାଇଛି ଏବଂ ଯଦିଓ ନିଯୁକ୍ତି ପାଇଁ ମନୋନୟନ ପରିଷଦ ଗଠନ କରାଯାଇଛି, ତେବେ ତାହା ଦ୍ବାରା ସୁପାରିସ ହୋଇଥିବା କୌଣସି ନାଁକୁ ବି ସରକାର ଅନୁମୋଦନ କରିନାହାନ୍ତି। ଏହାର କାରଣ ହେଉଛି, ବଛାଯାଇଥିବା ଆଠ ଜଣ ପ୍ରାର୍ଥୀଙ୍କର ବ୍ୟକ୍ତିଗତ ତଥା ବୌଦ୍ଧିକ ଉପଲବ୍‌ଧିକୁ ‘ନାଗପୁର’ ଦ୍ବାରା ମଞ୍ଜୁର କରାଯିବା ପରେ ଯାଇ ସେମାନଙ୍କ ନାମ ଉପରେ ମୋହର ଲାଗିବ।

Advertisment

‘ନାଗପୁର’ ଭଳି ଗଭୀର ଅର୍ଥପୂର୍ଣ୍ଣ ଶବ୍ଦକୁ ସେହି ଆଇଆଇଟି ନିର୍ଦ୍ଦେଶକ ହିଁ ବ୍ୟଙ୍ଗାତ୍ମକ ଭାବରେ ଉଚ୍ଚାରଣ କରିଥିଲେ। ତେବେ ତହିଁରେ ଉଦାସର ଭାବ ମଧ୍ୟ ଥିଲା। ସାର୍ବଜନୀନ ବିଶ୍ବବିଦ୍ୟାଳୟ ପ୍ରଣାଳୀରେ ନିଜର ସୁଦୀର୍ଘ ଅଭିଜ୍ଞତାରୁ ସେହି ବୈଜ୍ଞାନିକ ଜଣକ ଜାଣିଥିଲେ ଯେ ଉଚ୍ଚ ଶିକ୍ଷାରେ ରାଜନୈତିକ ହସ୍ତକ୍ଷେପ ମୋଦୀ ସରକାରଙ୍କ ଅମଳରୁ ଆରମ୍ଭ ହୋଇନାହିଁ। ପୂର୍ବ ସରକାର ମଧ୍ୟ ନିଜ ପସନ୍ଦର ଖେଳ ଖେଳିଥିଲେ: କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କାହାକୁ ଜଣକୁ କୁଳପତି ଭାବେ ବାଛିବାକୁ କିମ୍ବା ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ଜଣେ ବରିଷ୍ଠ ଅଧିକାରୀ ପଦରେ ନିଯୁକ୍ତି ଦେବାକୁ ଶିକ୍ଷା ମନ୍ତ୍ରୀମାନେ ବେଳେ ବେଳେ କୌଶଳପୂର୍ଣ୍ଣ ଭାବେ (ବା ଅସ୍ପଷ୍ଟ ଭାବରେ) ମନୋନୟନ ପରିଷଦକୁ ନିର୍ଦ୍ଦେଶ ଦିଅନ୍ତି। ତେବେ ପ୍ରଥମ ଥର ପାଇଁ ଏଭଳି ହସ୍ତକ୍ଷେପ ଆଇଆଇଟି ଓ ଆଇଆଇଏମ୍‌ ପରି ପ୍ରତିଷ୍ଠିତ ସଂସ୍ଥାନ ପରିସରରେ ପହଞ୍ଚିଯାଇଛି। ଆଇଆଇଟି ଓ ଆଇଆଇଏମ୍‌ଗୁଡ଼ିକର ନିର୍ଦ୍ଦେଶକ ଚୟନ ପାଇଁ ଆଉ ବୈଜ୍ଞାନିକ ବିଶେଷଜ୍ଞତା ଓ ପ୍ରାଶାସନିକ ଦକ୍ଷତା ଏକମାତ୍ର ମାନଦଣ୍ଡ ହୋଇ ରହିନାହିଁ; ବରଂ ସେଥିପାଇଁ ସଂଘ ପରିବାର ସହ ବୈଚାରିକ ସମନ୍ବୟତା ମଧ୍ୟ ଲୋଡ଼ା ହେଉଛି।

୨୦୧୫ରେ ପ୍ରକାଶିତ ଏକ ପ୍ରବନ୍ଧରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାରଙ୍କୁ ଦେଶର ସବୁଠୁ ଅଧିକ ‘ବୁଦ୍ଧିଜୀବୀ ବିରୋଧୀ’ ଭାବେ ମୁଁ ବର୍ଣ୍ଣନା କରିଥିଲି। କାର୍ଯ୍ୟଭାର ସମ୍ଭାଳିବାର ପ୍ରଥମ କେଇ ମାସ ଭିତରେ ମୋଦୀଙ୍କ ସମେତ ବିଜେପିର ପ୍ରମୁଖ ନେତାମାନଙ୍କ ବକ୍ତବ୍ୟ ଆଧାରରେ ଏଭଳି ନିଷ୍କର୍ଷରେ ପହଞ୍ଚିଥିଲି; ତେବେ ପରବର୍ତ୍ତୀ ସାତ ବର୍ଷରେ ସେହି ନିଷ୍କର୍ଷ ସଂପୂର୍ଣ୍ଣ ରୂପେ ସତ ସାବ୍ୟସ୍ତ ହୋଇପାରିଛି। ଆମର ଆଇଆଇଟି ଓ ଆଇଆଇଏମ୍‌ଗୁଡ଼ିକ ସହ ଯାହା କିଛି କରାଯାଉଛି, ତାହା ହେଲା ଭାରତୀୟ ବିଶ୍ବବିଦ୍ୟାଳୟଗୁଡ଼ିକର ବିଦ୍ୟାର୍ଥୀ ଓ ପ୍ରାଧ୍ୟାପକମାନେ କିପରି କାର୍ଯ୍ୟ କରିବେ ଓ ଚିନ୍ତା କରିବେ, ତାହାକୁ ସରକାର ସୁବ୍ୟବସ୍ଥିତ ଢଙ୍ଗରେ ଏବଂ ବେଳେ ବେଳେ ଅତି ନିର୍ଦ୍ଦୟତାର ସହ ନିୟନ୍ତ୍ରଣ ଏପରିକି ହେରଫେର କରିବାକୁ ଚାହାନ୍ତି। ଏବେ ମୁକ୍ତ ବିଚାର ଓ ଖୋଲା ବିତର୍କକୁ ନିରୁତ୍ସାହିତ କରାଯାଉଛି ଏବଂ ବେଳେ ବେଳେ ନିଷେଧ ମଧ୍ୟ କରାଯାଉଛି। ବରଂ, ତା ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ଏବଂ କ୍ଷମତାସୀନ ଦଳର ବୈଚାରିକ ତଥା ରାଜନୈତିକ ସିଦ୍ଧାନ୍ତର ଅନୁରୂପ ହେବା ଲାଗି କୁହାଯାଉଛି।

କିଛି ବର୍ଷ ହେଲା ବୌଦ୍ଧିକ ସ୍ବାଧୀନତା ଉପରେ ସରକାର ଓ ରାଜନୈତିକ କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ସଂଘଟିତ ଆକ୍ରମଣକୁ ଦିଲ୍ଲୀ ବିଶ୍ବବିଦ୍ୟାଳୟର ସମାଜତତ୍ତ୍ବ ବିଭାଗର ଅଧ୍ୟାପକ ଗୋଷ୍ଠୀ ଓ ବିଦ୍ୟାର୍ଥୀମାନେ ହିସାବ କରି ତାହାର ଏକ ପ୍ରାମାଣିକ ଦଲିଲ ପ୍ରସ୍ତୁତ କରିଛନ୍ତି। ସେମାନେ ନିଜର ନିଷ୍କର୍ଷକୁ ନିମ୍ନ ପ୍ରକାରେ ଛଅଟି ସାରଣୀରେ ବର୍ଗୀକୃତ କରିଛନ୍ତି।

ପ୍ରଥମ ସାରଣୀରେ ବିଶ୍ବବିଦ୍ୟାଳୟର ପାଠ୍ୟକ୍ରମ ଏବଂ ସର୍ବଜନୀନ ବିତରଣରୁ ବହିର୍ଭୂତ ପୁସ୍ତକଗୁଡ଼ିକର ତାଲିକା ରହିଛି, ଯାହାକୁ ଏକ ନିର୍ଦ୍ଦିଷ୍ଟ ଧାର୍ମିକ ଗୋଷ୍ଠୀର ସିଦ୍ଧାନ୍ତ ଓ ବଦ୍ଧମୂଳ ଧାରଣା ପ୍ରତି ତଥାକଥିତ ଅପମାନର ଆଶଙ୍କା ଆଧାରରେ ଅଲଗା କରାଯାଇଛି। ଏହି ଭଳି ଭାବେ ମହାନ୍‌ ଆମେରିକୀୟ ଭାରତ ତତ୍ତ୍ବବିତ୍‌ ୱେଣ୍ଡି ଡୋନିଗର ଓ ପ୍ରଖ୍ୟାତ ବଙ୍ଗାଳୀ ଔପନ୍ୟାସିକା ମହାଶ୍ବେତା ଦେବୀଙ୍କୁ ମଧ୍ୟ ଆଧିକାରିକ ଭାବରେ ‘ରଦ୍ଦ’ କରିଦିଆଯାଇଛି।

ଦ୍ବିତୀୟ ସାରଣୀରେ ବିଦ୍ୟାର୍ଥୀ କିମ୍ବା ବିଭାଗୀୟ ଅଧ୍ୟାପକମାନଙ୍କ ଦ୍ବାରା ଆୟୋଜିତ ସେମିନାରଗୁଡ଼ିକର ତାଲିକା ରହିଛି, ଯାହାକୁ ଅଧିକାରୀମାନେ ରଦ୍ଦ କରିଦେଇଛନ୍ତି ଅଥବା ସେଗୁଡ଼ିକ ରାଜନୈତିକ ଆନ୍ଦୋଳନକାରୀ (ମୁଖ୍ୟତଃ ହିନ୍ଦୁ ଦକ୍ଷିଣପନ୍ଥୀ)ମାନଙ୍କ ଦ୍ବାରା ବାଧାପ୍ରାପ୍ତ ହୋଇଛି। ଏହି ସାରଣୀରେ ସେ ପ୍ରକାରର ଅଣସ୍ତରିଟି ଘଟଣା ସନ୍ନିବେଶିତ ହୋଇଛି। ଅନ୍ୟଗୁଡ଼ିକ ମଧ୍ୟରେ ରହିଛି- ୨୦୧୪ରେ ପୁନେରେ ପ୍ରଦର୍ଶିତ ହୋଇଥିବା ପୁରସ୍କାରପ୍ରାପ୍ତ ବୃତ୍ତଚିତ୍ର ନିର୍ମାତା ଆନନ୍ଦ ପଟବର୍ଦ୍ଧନଙ୍କ ଦ୍ବାରା ପ୍ରସ୍ତୁତ ଚଳଚ୍ଚିତ୍ର; ୨୦୧୬ରେ ଝାଡ଼ଖଣ୍ଡର କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ସମାଜତତ୍ତ୍ବବିତ୍‌ ପ୍ରାଧ୍ୟାପକ ଏମ୍‌.ଏନ୍‌. ପାଣିନୀ ଦେଇଥିବା ଅଭିଭାଷଣ (ତାହା ରଦ୍ଦ ହେବା ପଛର କାରଣ ହେଉଛି, ସେ ଏକଦା ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟରେ ପଢ଼ାଉଥିଲେ); ୨୦୧୮ ଜାନୁଆରିରେ ଚଣ୍ଡୀଗଡ଼ଠାରେ ଗାନ୍ଧୀ ଓ ସାଂପ୍ରଦାୟିକ ସଦ୍‌ଭାବ ଉପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ପ୍ରାଧ୍ୟାପକ ଅପୂର୍ବାନନ୍ଦ ଦେଇଥିବା ଭାଷଣ (ଯାହା ସଂଘର ବିଦ୍ୟାର୍ଥୀ ଶାଖା ଏବିଭିପି ଦ୍ବାରା ବାଧାପ୍ରାପ୍ତ ହୋଇଥିଲା) ଏବଂ ୨୦୨୧ ମାର୍ଚ୍ଚରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଏବିଭିପି ଦ୍ବାରା ବାଧାପ୍ରାପ୍ତ ହୋଇଥିବା ମହିଳା ଦିବସ ପାଳନ ଇତ୍ୟାଦି।

ସେହିପରି ସାରଣୀ ୩ରେ ରହିଛି ବିଭିନ୍ନ ସର୍ବଜନୀନ ବିଶ୍ବବିଦ୍ୟାଳୟର ବିଦ୍ୟାର୍ଥୀ ଓ ବିଭାଗୀୟ ଅଧ୍ୟାପକମାନଙ୍କ ବିରୋଧରେ ଅଣାଯାଇଥିବା ଆପରାଧିକ ମାମଲାର ତାଲିକା, ଯେଉଁଥିରେ ସେମାନେ ଦେଇଥିବା ମତାମତ ଅପମାନସୂଚକ ଏବଂ ଏପରିକି ‘ଦେଶ ବିରୋଧୀ’ ବୋଲି ସରକାର ବିଚାରିଛନ୍ତି। ଏହି ତାଲିକାରେ ରହିଥିବା ୩୭ଟି ଘଟଣା ମଧ୍ୟରେ ରହିଛି କାଶ୍ମୀର, ହିନ୍ଦୁ ଦେବଦେବୀଙ୍କ ଛବି ଓ ନାଗରିକତା ସଂଶୋଧନ ଅଧିନିୟମ ଆଦି ଭଳି ପ୍ରସଙ୍ଗ ଯାହା ପାଇଁ ବର୍ତ୍ତମାନର ସରକାର ବିଶେଷ ଭାବରେ ବ୍ୟାକୁଳ।

ଚତୁର୍ଥ ସାରଣୀରେ ରହିଛି ୩୯ଟି ସ୍ବତନ୍ତ୍ର ଘଟଣା, ଯେଉଁଥିରେ ଭାରତୀୟ ବିଶ୍ବବିଦ୍ୟାଳୟଗୁଡ଼ିକରେ ବିଦ୍ୟାର୍ଥୀ ଓ ବିଭାଗୀୟ ଅଧ୍ୟାପକମାନଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ସ୍ଥାନ ପାଇଛି। ସେଗୁଡ଼ିକ ମଧ୍ୟରେ ରହିଛି- ଉଜ୍ଜୟିନୀରେ ଦକ୍ଷିଣପନ୍ଥୀ ଛାତ୍ରଙ୍କ ଆକ୍ରମଣରେ ଆହତ ଜନୈକ ପ୍ରାଧ୍ୟାପକଙ୍କ ମୃତ୍ୟୁ, ୨୦୧୫ରେ ଧରଵାଡ଼ଠାରେ ବିଦ୍ବାନ ପ୍ରାଧ୍ୟାପକ ଏମ୍‌.ଏମ୍‌. କାଲବୁର୍ଗୀଙ୍କ ହତ୍ୟା ଏବଂ ମୁସଲିମ୍‌ ହୋଇଥିବା କାରଣରୁ ବାରଣାସୀ ହିନ୍ଦୁ ବିଶ୍ବବିଦ୍ୟାଳୟର ଜନୈକ ସଂସ୍କୃତ ଅଧ୍ୟାପକଙ୍କ ବଦଳି ଭଳି ଘଟଣା।

ସାରଣୀ ୫ରେ ରହିଛି ଅଧ୍ୟାପନା ପାଇଁ ନିଯୁକ୍ତ ହୋଇ ସୁଦ୍ଧା ସେଥିପାଇଁ ଅନୁମତି ପାଇନଥିବା ଅଧ୍ୟାପକ ଏବଂ ରାଜନୈତିକ ଚାପରେ ଇସ୍ତଫା ଦେଇଥିବା ଅଧ୍ୟାକମାନଙ୍କ ତାଲିକା। ଏପରି ଦୁଇ ଡଜନ ଘଟଣା ଭିତରୁ ଗୋଟିକରେ ଏଇ ଲେଖକ ମଧ୍ୟ ଜଡ଼ିତ, ଯିଏ ଅହମଦାବାଦ ବିଶ୍ବବିଦ୍ୟାଳୟର ପରିଚାଳନା କମିଟି ଉପରେ ବିଜେପି ଓ ଏବିଭିପିର ଚାପ ଯୋଗୁଁ ସେଠାରେ ଯୋଗ ଦେଇ ପାରି ନ ଥିଲା।

ଶେଷରେ ଷଷ୍ଠ ସାରଣୀରେ ରହିଛି ଭାରତକୁ ପ୍ରବେଶ କରିବା କିମ୍ବା ଭାରତର କୌଣସି ସମ୍ମିଳନୀରେ ଭାଷଣ ଦେବାକୁ ବାରଣ କରାଯାଇଥିବା ବିଦେଶୀ ବିଦ୍ବାନଙ୍କ ତାଲିକା। ଏ ସମ୍ପର୍କରେ ସଂକଳନକାରୀମାନଙ୍କର ଟିପ୍ପଣୀ ହେଲା, ‘ଭବିଷ୍ୟତ୍‌ରେ ଭିସା ନପାଇବା ଆଶଙ୍କାରେ ବିଦେଶୀ ବିଦ୍ବାନ୍‌ମାନେ ଏ ବାବଦରେ ମୁହଁ ଖୋଲିବାକୁ ନାରାଜ। ସାମଗ୍ରିକ ଭାବେ ବର୍ତ୍ତମାନର ପରିବେଶ ବିଦେଶୀ ବିଦ୍ବାନ୍‌ମାନଙ୍କୁ ସ୍ବାଗତ କରୁନାହିଁ।’ ଏ ସମ୍ପର୍କରେ ଆଉ ଏକ ମୂଲ୍ୟବାନ ସୂଚନା ହେଲା, ଦେଶର ଶୈକ୍ଷିକ ସ୍ବାଧୀନତା ଉପରେ ପ୍ରାଧ୍ୟାପକ ନନ୍ଦିନୀ ସୁନ୍ଦରଙ୍କ ଦ୍ବାରା ଲିଖିତ ସାମ୍ପ୍ରତିକ ବିବରଣୀ ଯାହା ଇଣ୍ଡିଆ ଫୋରମ୍‌ ୱେବ୍‌ସାଇଟ୍‌ ଦ୍ବାରା ପ୍ରକାଶିତ।

ଶୈକ୍ଷିକ ସ୍ବାଧୀନତା ପ୍ରତି ବିପଦ ସମ୍ପର୍କରେ ନଥି ପ୍ରସ୍ତୁତି ବେଳେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ସମାଜତତ୍ତ୍ବବିତ୍‌ମାନେ ଯଥା ସମ୍ଭବ ବ୍ୟାପକ ତଥା ନିରପେକ୍ଷ ହେବାକୁ ପ୍ରୟାସ କରିଛନ୍ତି। ମାମଲାଗୁଡ଼ିକୁ ନଥିଭୁକ୍ତ କଲା ବେଳେ ଅନେକ ସମୟରେ ଅଣବିଜେପି ସରକାର ମଧ୍ୟ ଆସିଯାଇଛନ୍ତି (ଯେପରି କି ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଏକ ବ୍ୟଙ୍ଗଚିତ୍ର ପ୍ରକାଶନ ପାଇଁ ଯାଦବପୁର ବିଶ୍ବବିଦ୍ୟାଳୟର ଜଣେ ବିଭାଗୀୟ ଅଧ୍ୟାପକଙ୍କୁ ଉତ୍ପୀଡ଼ନ ଦେଇ ସରକାର ନିଜକୁ ବଦନାମ କରିଥିଲେ)। ତେବେ ନିଜେ ହେଉ ବା ଏବିଭିପିର କଟୂକ୍ତିପୂର୍ଣ୍ଣ ପ୍ରରୋଚନାରେ ହେଉ, ବିଜେପି ଶାସିତ ରାଜ୍ୟ ବା କେନ୍ଦ୍ର ସରକାର ଶୈକ୍ଷିକ ସ୍ବାଧୀନତା ନିଶ୍ଚିତ ନ କରାଇବାର ଦୋଷ ମୁଣ୍ଡାଇଛନ୍ତି।

ଚଳିତବର୍ଷ ମୋ ଅଧ୍ୟୟନସ୍ଥଳୀ ଦିଲ୍ଲୀ ବିଶ୍ବବିଦ୍ୟାଳୟର ଶତବାର୍ଷିକୀ ପଡୁଛି। ବିଭିନ୍ନ ମହତ୍ତ୍ବପୂର୍ଣ୍ଣ ଚିନ୍ତାଧାରାରେ ମୋର ଆଗ୍ରହ ଓ ବୈଚାରିକ ଆଦାନପ୍ରଦାନ ପାଇଁ ମୁଁ ସେଇ ବିଶ୍ବବିଦ୍ୟାଳୟର ଋଣୀ। ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ପାଞ୍ଚ ବର୍ଷ ବିତାଇବା ପରେ ପିଏଚ୍‌ଡି ଡିଗ୍ରି କରିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁଦାନପ୍ରାପ୍ତ କୋଲକାତା ସ୍ଥିତ ଏକ ଅନୁଷ୍ଠାନକୁ ଯାଇଥିଲି। ପରବର୍ତ୍ତୀ ସମୟରେ ବାଙ୍ଗାଲୋର, କୋଲକାତା ଓ ନୂଆଦିଲ୍ଲୀସ୍ଥିତ ଚାରିଟି ଭିନ୍ନ ଅନୁଷ୍ଠାନରେ କାମ କରିଥିଲି। ମୋର କ୍ୟାରିଅର ଓ ଜୀବନ, ଭାରତୀୟ ବିଶ୍ବବିଦ୍ୟାଳୟ ପ୍ରଣାଳୀ ଦ୍ବାରା ଏଭଳି ରୂପ ନେଇଥିଲା ଯେ, ଶୈକ୍ଷିକ ସ୍ବତନ୍ତ୍ରତା ପ୍ରତି ଏ ପ୍ରକାର ତୀବ୍ର ଆକ୍ରମଣକୁ ମୁଁ ଗଭୀର ପୀଡ଼ା ଓ ନିରାଶାର ସହ ଦେଖୁଛି।

ସରକାରୀ ବିଶ୍ବବିଦ୍ୟାଳୟଗୁଡ଼ିକ ଏପରି ଆକ୍ରମଣର ଶିକାର ହୋଇଥିବା ବେଳେ ଘରୋଇ ବିଶ୍ବବିଦ୍ୟାଗୁଡ଼ିକ ମଧ୍ୟ ସେଥିରୁ ବାଦ୍‌ ପଡ଼ିନାହାନ୍ତି। ସତ୍ତାରୂଢ଼ ଦଳର ନେତାମାନଙ୍କ ପ୍ରତିଶୋଧ ଆଶଙ୍କାରେ ସେମାନେ ନିଜର ବିଭାଗୀୟ ଅଧ୍ୟାପକମାନଙ୍କ ବୌଦ୍ଧିକ ସ୍ବାଧୀନତାରେ ଅଙ୍କୁଶ ଲଗାଇବାକୁ ଚାହିଛନ୍ତି। ଏପରିକି ଗୋଟିଏ ଘରୋଇ ବିଶ୍ବବିଦ୍ୟାଳୟ ନିଜ କର୍ମଚାରୀମାନଙ୍କ ସାମାଜିକ ଗଣମାଧ୍ୟମ ପୋଷ୍ଟିଂଗୁଡ଼ିକ ଉପରେ ତୀକ୍ଷ୍‌ଣ ନଜର ରଖିବା ସହ ସେଗୁଡ଼ିକୁ ମଧ୍ୟ ସେନ୍‌ସର କରିବାର ନଜିର ରହିଛି। ଅନ୍ୟ ଏକ ବିଶ୍ବବିଦ୍ୟାଳୟର କୁଳପତି ଆର୍‌ଆର୍‌ଏସ୍‌ ନେତାମାନଙ୍କ ସହ ଘନିଷ୍ଠ ସମ୍ବନ୍ଧ ରଖିବାରେ ବ୍ୟସ୍ତ। ଶାନ୍ତି ଖର୍ଦ୍ଦି କରିବା ପାଇଁ ଏ ପ୍ରକାର ପ୍ରୟାସ ସ୍ଖଳନର କାରଣ ହୋଇଥାଏ।

ପର୍ଯ୍ୟାୟ କ୍ରମେ ଜଣେ ଛାତ୍ର, ଅଧ୍ୟାପକ, ଗବେଷକ ଓ ନିରୀକ୍ଷକ ଭାବେ ମୁଁ ଦୀର୍ଘ ପଚାଶ ବର୍ଷ ହେଲା ଭାରତୀୟ ବିଶ୍ବବିଦ୍ୟାଳୟକୁ ଅତି ନିକଟରୁ ଜାଣିଛି। ଏବେ ଅନ୍ତଃ ଓ ବାହ୍ୟ ଧମକରେ ସେଗୁଡ଼ିକ ଯେଭଳି ଦୁର୍ବଳ ହୋଇଛନ୍ତି, ସେଭଳି ଆଗରୁ କେବେ ହୋଇଥିବା ମୁଁ ଜାଣିନି। ଜରୁରୀକାଳୀନ ପରିସ୍ଥିତି ପରଠାରୁ କୌଣସି ସମୟରେ ବି ଶିକ୍ଷଣ ଓ ମୌଳିକ ଗବେଷଣା ସକାଶେ ସ୍ବାଧୀନ ଚିନ୍ତାଧାରା ପାଇଁ ପରିବେଶ ଏଭଳି ପ୍ରତିକୂଳ ନ ଥିଲା। ଏଭଳି ସ୍ଥିତିରେ ସମସ୍ତ ଦୋଷ କେବଳ ସରକାର କି ଭାରତୀୟ ରାଜନେତା ଅଥବା ସେମାନଙ୍କ ଜଘନ୍ୟ ପନ୍ଥାକୁ ଦେଇହେବନି। ବିଶ୍ବବିଦ୍ୟାଳୟର ପ୍ରଶାସକମାନେ ମଧ୍ୟ ଏଥିପାଇଁ ଦାୟୀ, ଯେଉଁ କୁଳପତି ବା ନିର୍ଦ୍ଦେଶକ, ସହଜରେ ସରକାର ବା ଗୁଣ୍ଡାଙ୍କ ଧମକ ଆଗରେ ମୁଣ୍ଡ ନୁଆଁଇଦିଅନ୍ତି, ସେମାନେ ମଧ୍ୟ ଦାୟୀ। ତେଣୁ ଭାରତୀୟ ବିଶ୍ବବିଦ୍ୟାଳୟଗୁଡ଼ିକର ନବୀକରଣ, ସେଗୁଡ଼ିକୁ ଚଳାଇବା ଦାୟିତ୍ବରେ ଥିବା ଲୋକମାନଙ୍କ ଉପରେ ବେଶ୍ ନିର୍ଭର କରିଥାଏ କାରଣ ସେମାନେ ହେଉଛନ୍ତି ବିଶ୍ବବିଦ୍ୟାଳୟର ମେରୁଦଣ୍ଡ।