କେବଳ କୃତଜ୍ଞତା ଜଣାନ୍ତୁ

କଥାଟିଏ - ଯାଯାବର

ଜଣେ ଯୁବକ ଭାଗ୍ୟର ତଲାସରେ ରାଜଧାନୀକୁ ବାହାରିଲେ। ବାଟରେ ଅନ୍ଧାର ହୋଇଗଲା। କେଉଁଠି ଆଶ୍ରୟ ପାଇଲେ ନାହିଁ। ସେତିକି ବେଳେ ଜଣେ ଅତ୍ୟନ୍ତ ଦରିଦ୍ର ବ୍ୟକ୍ତି ତାଙ୍କୁ ନିଜ କୁଡ଼ିଆକୁ ଡାକି ନେଇ ଆଶ୍ରୟ ଦେଲେ। ଅତିଥିଙ୍କର ଯେମିତି କିଛି ଅସୁବିଧା ନ ହୁଏ, ସେଥିଲାଗି ଖୁବ୍‌ ତତ୍ପର ରହିଲେ। ତାଙ୍କ ଠାରୁ ବିଦାୟ ନେଲା ବେଳେ ଯୁବକ ସେହି ଦରିଦ୍ର ବ୍ୟକ୍ତିଙ୍କୁ ଧନ୍ୟବାଦ ଦେଲେ ଏବଂ ଭାବିଲେ ଯେ ଯଦି ସେ ରାଜଧାନୀରେ ନିଜ ଲକ୍ଷ୍ୟରେ ସଫଳ ହୁଅନ୍ତି ତେବେ ଏ ଋଣ ପରିଶୋଧ କରିବା ଲାଗି ନିଶ୍ଚୟ ଫେରିବେ।
ଅନେକ ବର୍ଷ ବିତିଗଲା। ଯୁବକ ଜଣକ ଅତ୍ୟନ୍ତ ସଫଳ ହେଲେ। ତେବେ ସେ ସେଇ ରାତି କଥା ଭୁଲି ନ ଥିଲେ। ତେଣୁ ସେ ସେହି ଦରିଦ୍ର ଲୋକଙ୍କ ନିକଟକୁ ଫେରି ନିଜ ପ୍ରତିଶ୍ରୁତି ରକ୍ଷା କରିବାକୁ ସ୍ଥିର କଲେ।

ସେ ନିଜ ମନ କଥା ତାଙ୍କ ପତ୍ନୀଙ୍କୁ କହିଲେ। ପତ୍ନୀ ସବୁ ଶୁଣିବା ପରେ ଟିକିଏ ବିଚାର କରି କହିଲେ- ସେଭଳି କିଛି କର ନାହିଁ।
ଯୁବକ ବିସ୍ମିତ ‌େହାଇ ସେ ଏଭଳି କହିବାର କାରଣ ପଚାରିଲେ।

ପତ୍ନୀ କହିଲେ- କାରଣ ତୁମେ ସେ ଋଣ କଦାପି ଶୁଝିପାରିବ ନାହିଁ। ଏପରିକି ତୁମର ସବୁ ସଂପତ୍ତି ଓ ପ୍ରତିପତ୍ତି ତାଙ୍କୁ ଅର୍ପଣ କଲେ ବି ତାହା ସମ୍ଭବ ନୁହେଁ। କାରଣ ତୁମକୁ ଯେତେବେଳେ ସେ କିଛି ଦେଇଥି‌େଲ, ସେତିକି ବେଳେ ସେ ନିଃସ୍ବ ଥିଲେ। ନିଜକୁ ବଞ୍ଚିତ କରି ସେ ତୁମକୁ ଦେଇଥିଲେ। ତୁମେ ତାଙ୍କୁ ଯାହା ବି ଦେଲେ ତାର ସମକକ୍ଷ ହେବ ନାହିଁ।
ଯୁବକ କଥାଟିକୁ ବୁଝିଲେ ଏବଂ ପଚାରିଲେ- ତେବେ ମୁଁ କ’ଣ କରିବା ଉଚିତ?
ପତ୍ନୀ କହିଲେ- ତୁମେ ତାଙ୍କ ପାଖକୁ ଯାଅ ଓ ତାଙ୍କ ଉପକାର ମନେ ରଖିଛ ବୋଲି କୃତଜ୍ଞତା ଜଣାଅ ଏବଂ କେବେ ଏହି ଉପକାରକୁ ଭୁଲ ନାହିଁ।

ସମ୍ବନ୍ଧିତ ଖବର