ଆଇନ୍ଷ୍ଟାଇନ୍ ଏକଦା ତାହାକୁ ଏକ ‘‘େଭୗତିକ କାରବାର’’ ରୂପେ ଅଭିହିତ କରିଥିବା ପଦାର୍ଥ ବିଜ୍ଞାନର ଏକ ଅଦ୍ଭୁତ ଶାଖା ‘କ୍ବାଣ୍ଟମ୍ ମେକାନିକ୍ସ’ର ଅନ୍ୟତମ ପ୍ରବର୍ତ୍ତକ ମହାନ୍ ଅଷ୍ଟ୍ରୀୟ ପଦାର୍ଥ ବିଜ୍ଞାନୀ ଏର୍ୱିନ୍ ସ୍ରୋଡିଙ୍ଗର୍ ଜଣେ ଅଭ୍ୟାସଗତ ଲମ୍ପଟ ରୂପେ ମଧ୍ୟ କୁଖ୍ୟାତ ଥିଲେ। ହିଟ୍ଲର୍ ସୃଷ୍ଟ ନାତ୍ସି ଅାତଙ୍କରୁ ରକ୍ଷା ପାଇବା ପାଇଁ ଦୀର୍ଘ କାଳ ଧରି ଆୟାର୍ଲାଣ୍ଡରେ ଆଶ୍ରୟ ଗ୍ରହଣ କରିଥିବା ସମୟରେ ସେ ଯେଉଁ ଏକାଧିକ ନାରୀମାନଙ୍କ ସହିତ ପ୍ରେମ ସମ୍ପର୍କରେ ଜଡ଼ିତ ଥିଲେ (ସ୍ରୋଡିଙ୍ଗର୍ଙ୍କ ପତ୍ନୀ ଆନୀ ତାଙ୍କର ବିଚକ୍ଷଣ ପ୍ରତିଭାଧର ପତିଙ୍କ ପ୍ରତି ଏକ ଉଦାର ମନୋଭାବ ପ୍ରଦର୍ଶନ କରି କହୁଥିଲେ ଯେ ସେ ପତି ରୂପେ ଏକ ‘ରେସ୍ ହର୍ସ’ ବା ‘ଦୌଡ଼ ଘୋଡ଼ା’କୁ ପସନ୍ଦ କରିଥିବାରୁ ଏଥିପାଇଁ ପ୍ରସ୍ତୁତ ଥିଲେ), ସେମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ଅଭିନେତ୍ରୀ ସିଲା ମେ।
ଯେତେବେଳେ ସିଲାଙ୍କ ସହିତ ସ୍ରୋଡିଙ୍ଗର୍ଙ୍କର ପ୍ରେମ ସମ୍ପର୍କରେ ଅନ୍ତ ଘଟିଲା, ସେତେବେଳେ ସିଲା ସ୍ରୋଡିଙ୍ଗର୍ଙ୍କୁ ଲେଖିଥିବା ଏକ ପତ୍ରରେ ନିଜର ମର୍ମବେଦନା ଏହିପରି ପ୍ରକାଶ କରିଥିଲେ: ‘‘ମୁଁ ତୁମ ଆଖିକୁ ଚାହିଁ ସେଥିରେ ସମଗ୍ର ଜୀବନକୁ ଆବିଷ୍କାର କରିଥିଲି, ସେଇ ଆତ୍ମାକୁ ଯାହା ତୁମ କହିବା ଅନୁସାରେ ତୁମର ନୁହେଁ କି ମୋର ନୁହେଁ, କିନ୍ତୁ ଆମର; ଗୋଟିଏ ମନ, ଗୋଟିଏ ସତ୍ତା... ବର୍ତ୍ତମାନ ଆମେ କିନ୍ତୁ ହୋଇ ଯାଇଛନ୍ତି ଦୁଇଜଣ, ଆଉ ଏକ ନୁହଁ।’’
ସ୍ରୋଡିଙ୍ଗର୍ଙ୍କର ପଦାର୍ଥ ବିଜ୍ଞାନ ଭଳି ତାଙ୍କର ସିଲା ବର୍ଣ୍ଣିତ ଏହି ପ୍ରେମ ମଧ୍ୟ ଯାହା ଦ୍ବାରା ଗଭୀର ଭାବେ ପ୍ରଭାବିତ ହୋଇଥିଲା, ତାହା ହେଉଛି ଭାରତୀୟ ଉପନିଷଦ ବା ବେଦାନ୍ତ ଦର୍ଶନ। ଉପନିଷଦ ପ୍ରେମୀ ଊନବିଂଶ ଶତାବ୍ଦୀର ପ୍ରସିଦ୍ଧ ଜର୍ମାନ୍ ଦାର୍ଶନିକ ଆର୍ଥର୍ ସୋପେନ୍ହାଉଅର୍ଙ୍କ ରଚନାମାନ ମାଧ୍ୟମରେ ସ୍ରୋଡିଙ୍ଗର୍ ବେଦାନ୍ତ ଦର୍ଶନ ସହିତ ପ୍ରଥମେ ପରିଚିତ ହେବା ପରେ କ୍ବାଣ୍ଟମ୍ ମେକାନିକ୍ସରେ ଇଲେକ୍ଟ୍ରନ୍ ଭଳି ପରମାଣୁର ଅଦ୍ଭୁତ ଆଚରଣ ଯୋଗୁଁ ଯୌକ୍ତିକ ଥଳକୂଳ ପାଉନଥିବା ସ୍ରୋଡିଙ୍ଗର୍ ଏହି ପ୍ରାଚୀନ ଭାରତୀୟ ଦର୍ଶନରେ ତାହାର ଏକ ଦୃଢ଼ ତାତ୍ତ୍ବିକ ଭିତ୍ତିଭୂମି ଆବିଷ୍କାର କରିଥିଲେ। ଉପନିଷଦ ସହିତ ପ୍ରାଥମିକ ପରିଚୟ ଥିବା ସମସ୍ତଙ୍କୁ ଜଣା ଯେ ଏଥିରେ ବ୍ରହ୍ମନ୍ ଓ ଆତ୍ମନ୍ ମଧ୍ୟରେ ଥିବା ସମ୍ପର୍କର ବର୍ଣ୍ଣନା କରାଯାଇଛି। ଏହା ଅନୁସାରେ କେବଳ ମନୁଷ୍ୟଠାରେ ନୁହେଁ, ବିଶ୍ବର ପ୍ରତ୍ୟେକ ପଦାର୍ଥଠାରେ ଆତ୍ମନ୍ ନିହିତ ଅଛି, ତେଣୁ ଆତ୍ମନ୍ ବାହାରେ କିଛି ହେଲେ ନାହିଁ, ତେଣୁ ସଂସାର ହେଉଛି ଅଦ୍ବୈତ। ତେଣୁ ବ୍ୟକ୍ତିର ଅନ୍ତଃସତ୍ତା ଓ ବିଶ୍ବର ଅନ୍ତଃସତ୍ତା ହେଉଛି ଏକ ଓ ଅଭିନ୍ନ, ଏବଂ ତାହା ହିଁ ହେଉଛି ବ୍ରହ୍ମନ୍। ଆତ୍ମନ୍ ଓ ବ୍ରହ୍ମନ୍ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ: ‘ତତ୍ ତ୍ବମ୍ ଅସି’। ଆତ୍ମା-ଆତ୍ମା ମଧ୍ୟରେ କୌଣସି ତଫାତ୍ ନାହିଁ- ସିଲା ମେ’ଙ୍କ ଆତ୍ମା ଓ ସ୍ରୋଡିଙ୍ଗର୍ଙ୍କ ଆତ୍ମା ମଧ୍ୟରେ ତେଣୁ କୌଣସି ଫରକ ନାହିଁ!
ସେମାନଙ୍କର ଆତ୍ମା-ଆତ୍ମା ମଧ୍ୟରେ ଏହି ବେଦାନ୍ତ-ନିର୍ଦ୍ଦେଶିତ ଅଭିନ୍ନ ଓ ଅବିଚ୍ଛେଦ୍ୟ ସମ୍ପର୍କ ଭଳି ସ୍ରୋଡିଙ୍ଗର୍ ୧୯୩୫ରେ କ୍ବାଣ୍ଟମ୍ ମେକାନିକ୍ସ ଅନୁସାରେ ପରସ୍ପର ଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ଦୁଇଟି ପାରମାଣବିକ ପଦାର୍ଥ ମଧ୍ୟରେ ଦେଖାଯିବ ବୋଲି ବିଶ୍ବାସ କରାଯାଉଥିବା ଅବିଚ୍ଛିନ୍ନ ସମ୍ପର୍କର ନାମକରଣ କରିଥିଲେ- ‘ଏଣ୍ଟାଙ୍ଗ୍ଲମେଣ୍ଟ’ ବା ‘ସମ୍ପୃକ୍ତି’। ଏହା ଅନୁସାରେ ଏଭଳି ପରସ୍ପର ସହିତ ‘ଏଣ୍ଟାଙ୍ଗ୍ଲ’ ଅର୍ଥାତ୍ ଜଡ଼ିତ ହୋଇଥିବା କ୍ବାଣ୍ଟମ୍ ପଦାର୍ଥମାନଙ୍କ ମଧ୍ୟରେ ଦୂରତା ଯେତେ ବିଶାଳ ହୋଇଥିଲେ ମଧ୍ୟ- ଏପରିକି ସେମାନେ ଭିନ୍ନ ଭିନ୍ନ ଛାୟାପଥରେ ଥିଲେ ମଧ୍ୟ- ସେମାନଙ୍କ ମଧ୍ୟରେ ତତ୍କ୍ଷଣାତ୍ ସୂଚନାର ଆଦାନ ପ୍ରଦାନ ଘଟିଥାଏ (ଅର୍ଥାତ୍ ସୂଚନା ପ୍ରସାରର ବେଗ ଆଲୋକର ବେଗଠାରୁ ଅଧିକ ହେବ, ଯାହା ଆଇନ୍ଷ୍ଟାଇନ୍ଙ୍କ ବିଶେଷ ଆପେକ୍ଷିକ ତତ୍ତ୍ବ ଅନୁସାରେ ଅସମ୍ଭବ, ତେଣୁ ଆଇନ୍ଷ୍ଟାଇନ୍ଙ୍କ ବିଚାରରେ ‘‘ଭୌତିକ କାରବାର’’)।
ସେଇ ୧୯୩୫ରେ ଆଇନ୍ଷ୍ଟାଇନ୍ ଓ ତାଙ୍କର ଦୁଇଜଣ ସହକର୍ମୀ- ବୋରିସ୍ ପୋଡଲ୍ସ୍କି ଓ ନାଥାନ୍ ରୋଜେନ୍- ଏକ ଚିନ୍ତନ ପରୀକ୍ଷାର ରୂପାୟନ କରିଥିଲେ ଯାହା ପରବର୍ତ୍ତୀ ସମୟରେ ସେମାନଙ୍କ ନାମାନୁସାରେ ‘ଇପିଆର୍ ପାରାଡକ୍ସ’ ବା ‘ଇପିଅାର୍ ବିଡ଼ମ୍ବନା’ ରୂପେ ପ୍ରସିଦ୍ଧି ଲାଭ କରିଥିଲା। ଏହି ପରୀକ୍ଷାର ଉଦ୍ଦେଶ୍ୟ ହେଲା ଅନୁସନ୍ଧାନ କରିବା ଯେ ଯଦି ‘ଏଣ୍ଟାଙ୍ଗ୍ଲମେଣ୍ଟ’ର ବିଚିତ୍ର ଆଚରଣ ସତ ହୋଇଥାଏ, ତେବେ କ୍ବାଣ୍ଟମ୍ ମେକାନିକ୍ସ କ’ଣ ବାସ୍ତବତାର ସମ୍ପୂର୍ଣ୍ଣ ଚିତ୍ର ପ୍ରଦାନ କରିବାରେ ଅସମର୍ଥ କି? ଏହାର ମର୍ମ ହେଲା, ବୋଧହୁଏ ପାରମାଣବିକ ପଦାର୍ଥମାନେ ବହନ କରୁଥିବା କୌଣସି ଅଜଣା ଚରିତ୍ର (ହିଡ୍ନ ଭାରିଏବ୍ଲ) ଯୋଗୁଁ ‘ଏଣ୍ଟାଙ୍ଗ୍ଲମେଣ୍ଟ’ ଘଟିବା ସମ୍ଭବ ହେଉଛି, ଯାହାକୁ କ୍ବାଣ୍ଟମ୍ ମେକାନିକ୍ସ ଆବିଷ୍କାର କରି ପାରିନାହିଁ। ଏହା ଜଣାଶୁଣା ଯେ କ୍ବାଣ୍ଟମ୍ ମେକାନିକ୍ସରେ ପର୍ଯ୍ୟବେକ୍ଷଣ ବା ପରୀକ୍ଷଣ ଇଲେକ୍ଟ୍ରନ୍ ଭଳି ପାରମାଣବିକ ପଦାର୍ଥର ଆଚରଣକୁ ପ୍ରଭାବିତ କରିଥାଏ। ‘ଇପିଆର୍ ପାରାଡକ୍ସ’ ଅନୁମାନ କରିଥାଏ ଯେ ଉପରୋକ୍ତ ଲୁକ୍କାୟିତ ଚରିତ୍ର ହିଁ ଏଭଳି ଅସ୍ବାଭାବିକ ମନେ ହେଉଥିବା ଆଚରଣକୁ ନିୟନ୍ତ୍ରଣ କରିଥାଏ।
୧୯୬୪ରେ ଆୟାର୍ଲାଣ୍ଡର (ପୁଣି ଆୟାର୍ଲାଣ୍ଡ ଯୋଗସୂତ୍ର!) ପଦାର୍ଥବିଜ୍ଞାନୀ ଜନ୍ ଷ୍ଟିୱାର୍ଟ ବେଲ୍ ଏହି ଲୁକ୍କାୟିତ ଚରିତ୍ରର ଅସ୍ତିତ୍ବର ସତ୍ୟତା ପରୀକ୍ଷା କରିବା ନିମିତ୍ତ ଉପରୋକ୍ତ ‘ଇପିଆର୍ ପାରାଡକ୍ସ’କୁ ଆହୁରି ପରିମାର୍ଜିତ କରିଥିଲେ। ଚଳିତ ବର୍ଷ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଲାଭ କରିଥିବା ତିନିଜଣ ପଦାର୍ଥ ବିଜ୍ଞାନୀ ବେଲ୍ଙ୍କର ସେଇ ପରିକଳ୍ପନାକୁ ହିଁ କାର୍ଯ୍ୟକାରୀ କରି ଏହି ସମ୍ମାନ ଲାଭ କରିଛନ୍ତି। ପ୍ରଥମେ ବେଲ୍ଙ୍କ ପରିକଳ୍ପନାର ପ୍ରାୟ ଦଶ ବର୍ଷ ପରେ ଆମେରିକୀୟ ଜନ୍ କ୍ଲଜର୍ ରଚନା କରିଥିବା ପରୀକ୍ଷଣରୁ ଯାହା ଜଣା ପଡ଼ିଥିଲା, ତାହା ହେଲା କ୍ବାଣ୍ଟମ୍ ମେକାନିକ୍ସର ପୂର୍ବାନୁମାନ ସମସ୍ତ ହେଉଛି ନିର୍ଭୁଲ୍ ଏବଂ ବୋଧହୁଏ ଆଇନ୍ଷ୍ଟାଇନ୍ଙ୍କର ତଥାକଥିତ ଲୁକ୍କାୟିତ ଚରିତ୍ରମାନ ହେଉଛନ୍ତି ଅସ୍ତିତ୍ବହୀନ। ଅବଶ୍ୟ କ୍ଲଜର୍ଙ୍କ ପରୀକ୍ଷଣରେ କେତେକ ଛିଦ୍ର ରହିଯାଇଥିଲା, ଯାହାକୁ ୧୯୮୦ ଦଶକର ଆଦ୍ୟ କାଳରେ ତତ୍କାଳୀନ ଫରାସୀ ପଦାର୍ଥବିଜ୍ଞାନ ସ୍ନାତକ ଛାତ୍ର ଆଲେନ୍ ଆସ୍ପେକ୍ଟ୍ ପୂରଣ କରି ଆଇନ୍ଷ୍ଟାଇନ୍ଙ୍କର ଲୁକ୍କାୟିତ ଚରିତ୍ର ରୂପକ ସନ୍ଦେହକୁ ସମ୍ପୂର୍ଣ୍ଣ କବର ଦେଇ ଦେଇଥିଲେ। କୁହାଯାଇପାରେ ଯେ ବ୍ରହ୍ମନ୍ ଓ ଆତ୍ମନ୍ ମଧ୍ୟରେ କୌଣସି ପାର୍ଥକ୍ୟ ନ ଥିବା ଭଳି ବାସ୍ତବ ସତ୍ୟ ଓ କ୍ବାଣ୍ଟମ୍ ମେକାନିକ୍ସ ଦ୍ବାରା ପ୍ରକାଶିତ ତଥ୍ୟ ମଧ୍ୟରେ କୌଣସି ପାର୍ଥକ୍ୟ ନ ଥାଏ ବୋଲି ଏହି ପଦାର୍ଥ ବିଜ୍ଞାନୀ ଦ୍ବୟ ସାବ୍ୟସ୍ତ କରିଥିଲେ।
ସ୍ରୋଡିଙ୍ଗର୍ଙ୍କ ଭଳି ଅଷ୍ଟ୍ରୀୟ ମୂଳ ହୋଇଥିବା ନୋବେଲ୍ ବିଜେତା ତୃତୀୟ ପଦାର୍ଥ ବିଜ୍ଞାନୀ ଜଣକ ହେଉଛନ୍ତି ଆଣ୍ଟନ୍ ଜେଲିଙ୍ଗର୍, ଯିଏ ‘ଏଣ୍ଟାଙ୍ଗ୍ଲମେଣ୍ଟ’କୁ କିପରି ବାସ୍ତବ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ, ବିଗତ ଦୁଇ ଦଶନ୍ଧିରୁ ଅଧିକ କାଳ ତାହାର ଉପାୟ ଖୋଜି ବାହାର କରିବାରେ ବିତାଇ ଦେଇଛନ୍ତି। ୧୯୯୭ରେ ସେ ‘କ୍ବାଣ୍ଟମ୍ ଟେଲିପୋର୍ଟେସନ୍’ ନାମକ ପ୍ରକ୍ରିୟା ମାଧ୍ୟମରେ ପାରମାଣବିକ ପଦାର୍ଥମାନଙ୍କ ମଧ୍ୟରେ ତତ୍କ୍ଷଣାତ୍ ସୂଚନା ଆଦାନ ପ୍ରଦାନ ସମ୍ଭବ ବୋଲି ପ୍ରମାଣ କରିଥିଲେ। ଏହା ‘କ୍ବାଣ୍ଟମ୍ ସୂଚନା ବିଜ୍ଞାନ’ ନାମକ କ୍ବାଣ୍ଟମ୍ ମେକାନିକ୍ସର ଯେଉଁ ଶାଖାର ଭିତ୍ତି ସ୍ଥାପନ କରିଛି, ତାହା ବର୍ତ୍ତମାନ ଏକ ଦ୍ରୁତ ବର୍ଦ୍ଧିଷ୍ଣୁ ପ୍ରାବିଧିକ କ୍ଷେତ୍ରରେ ପରିଣତ ହୋଇଛି, ଯାହା ମାନବ ସମାଜର ଭବିଷ୍ୟତକୁ ରୂପ ଦେବା ପାଇଁ ଅଶେଷ ସମ୍ଭାବନା ବହନ କରିଥାଏ। ନିରାପଦ ସୂଚନା ହସ୍ତାନ୍ତରରୁ ଆରମ୍ଭ କରି କ୍ବାଣ୍ଟମ୍ କମ୍ପ୍ୟୁଟିଙ୍ଗ୍ ପର୍ଯ୍ୟନ୍ତ ଏହାର ନିର୍ଣ୍ଣାୟକ ଭୂମିକା ରହିଛି।
ଆରବୀ କାହାଣୀମାନଙ୍କରେ ଜୀନ୍ ରୂପକ ଭୂତ ତା’ର ମାଲିକ ପାଇଁ ଦୁଃସାଧ୍ୟ କାର୍ଯ୍ୟମାନ ସମ୍ପାଦନ କଲା ଭଳି ଏହି ନୋବେଲ ବିଜେତାମାନଙ୍କ ଅବଦାନ ଯୋଗୁଁ ଆଇନ୍ଷ୍ଟାଇନ୍ଙ୍କର କ୍ବାଣ୍ଟମ୍ ଭୂତ ବର୍ତ୍ତମାନ ମନୁଷ୍ୟ ଜାତି ପାଇଁ ଅଭୂତପୂର୍ବ ସେବା ପ୍ରଦାନ କରିବାକୁ ପ୍ରସ୍ତୁତ ହୋଇ ରହିଛି। ତା’ର ଭୌତିକ କାଣ୍ଡକୁ କେବଳ ମନୁଷ୍ୟର ମଙ୍ଗଳ ସାଧନ ଦିଗରେ ନିୟୋଜିତ କରିବା ଦାୟିତ୍ବ ହେଉଛି ମନୁଷ୍ୟର।