ସଂପ୍ରତି, ବିଶେଷ କରି କୋଭିଡ୍‌-୧୯ ପାନ୍‌ଡେମିକ୍‌ ଦ୍ବାରା ପ୍ରଭାବିତ ସମୟଖଣ୍ଡରେ ପୃଥିବୀର ସର୍ବତ୍ର ମାନସିକ ଅବସାଦଗ୍ରସ୍ତ ବ୍ୟକ୍ତିଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଏହି ମହାମାରୀ ଜନିତ ଜୀବନ ଓ ଜୀବିକାର ଅନିଶ୍ଚିତତା ହେତୁ ମାନସିକ ଚାପ ଏବଂ ଉତ୍କଣ୍ଠା ବା ଉଦ୍‌ବେଗ ବହୁଗୁଣିତ ହୋଇଛି; ଅସହାୟତା ଏବଂ ନିଃସଙ୍ଗତା ଅତ୍ୟନ୍ତ ତୀବ୍ର ହୋଇ ଅସଂଖ୍ୟ ଲୋକଙ୍କ ମାନସିକ ସ୍ଥିତିକୁ ଅତ୍ୟନ୍ତ ଦୁର୍ବଳ କରି ପକାଇଛି। ଏହି ପରିପ୍ରେକ୍ଷୀରେ ମାନସିକ ସୁସ୍ଥତା ଲାଭ କରିବା ଏକ ଆହ୍ବାନ ସଦୃଶ ହୋଇଥିଲେ ମଧ୍ୟ ଏ ସଂପର୍କରେ ଅଧିକ ବିମର୍ଶର ଆବଶ୍ୟକତା ରହିଛି।

Advertisment

ଅନେକ ସମୟରେ ଜଣେ ବ୍ୟକ୍ତି ଅବସାଦଗ୍ରସ୍ତ ହୋଇଥିଲେ ସୁଦ୍ଧା ତାହା ଠଉରାଇବା କଷ୍ଟକର ହୋଇପ‌େଡ଼। ଏହି କାରଣରୁ ଅବସାଦଗ୍ରସ୍ତ ବ୍ୟକ୍ତି ଉପଯୁକ୍ତ ସମୟରେ ଉପଯୁକ୍ତ ଚିକିତ୍ସା ପାଇପାରେ ନାହିଁ। ଏହା ଏକ ବଡ଼ ସମସ୍ୟା। ତେବେ ମୂଳ କଥା ହେଲା ଜଣେ ବ୍ୟକ୍ତି ମାନସିକ ସୁସ୍ଥତା ବଜାୟ ରଖିବ କିପରି! ଏଥି ଲାଗି ପ୍ରଥମ ପରାମର୍ଶ ହେଉଛି ନକାରାତ୍ମକ ଉଦ୍ଦୀପନାର ଉତ୍ସଗୁଡ଼ିକ ଠାରୁ ଯଥାସମ୍ଭବ ଦୂରେଇ ରହିବା ସହିତ ଚିତ୍ତବୃତ୍ତିକୁ ସମୃଦ୍ଧ କରୁଥିବା ବିଷୟ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା ଆବଶ୍ୟକ। ଏକ ସ୍ବାସ୍ଥ୍ୟକର ଜୀବନଶୈଳୀ ପ୍ରତି ଆଗ୍ରହ ଏ ଦିଗରେ ପ୍ରଥମ ପଦକ୍ଷେପ। ତେଣୁ, ନିୟମିତ ବ୍ୟାୟାମର ଅଭ୍ୟାସ, ପୁଷ୍ଟିକର ଓ ସନ୍ତୁଳିତ ଆହାର, ପର୍ଯ୍ୟାପ୍ତ ନିଦ୍ରା ସାଧାରଣ ଜୀବନର ଅପରିହାର୍ଯ୍ୟ ଅଂଶ ହେବା ଦରକାର। ସେହିଭଳି ଭାବଗତ ଜୀବନର ସମୃଦ୍ଧି ଲାଗି ସାମାଜିକ ତଥା ପାରିବାରିକ ସଂପର୍କରେ ଦୃଢ଼ତା ଆଣିବା ବା ସକାରାତ୍ମକ ଦୃଷ୍ଟିକୋଣ ପୋଷଣ କରିବା ବା ସ‌ଚ୍ଚୋଟ ଏବଂ ସମୟାନୁବର୍ତ୍ତୀ ଜୀବନ ଜିଇବା ଅଥବା ଦକ୍ଷତା ବୃଦ୍ଧି ଲାଗି ପ୍ରୟାସ କରିବା ଭଳି ବିଷୟ ଗୁରୁତ୍ବ ଲାଭ କରିବା ଆବଶ୍ୟକ। ଯେଉଁମାନେ ସ୍ବଭାବଗତ ଭାବେ ପରୋପକାରୀ, ସେମାନେ ସକାରାତ୍ମକ ଓ ସୁସ୍ଥ ମାନସିକ ଜୀବନ ଜିଅନ୍ତି। ସେମାନଙ୍କ କାର୍ଯ୍ୟ ସେମାନଙ୍କୁ ଅନବଦ୍ୟ ତୃପ୍ତି ପ୍ରଦାନ କରେ; ସେମାନେ ସାଧାରଣତଃ ଆଶାବାଦୀ ହୋଇଥିବା ଦେଖାଯାଏ, ସୁତରାଂ, ବିଫଳତା ଦ୍ବାରା ସେମାନେ ବିଶେଷ ଆକ୍ରାନ୍ତ ହୋଇ ନ ଥାଆନ୍ତି।

ଏବେ ଏ ନେଇ ସମସ୍ତେ ଅବଗତ ଯେ ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ ଏବଂ ଡାଇବେଟିସ୍‌ ଆଦି ବୃଦ୍ଧି ପାଇବାର ଏକ ବଡ଼ କାରଣ ହେଉଛି ମାନସିକ ଚାପ। ଶରୀର ଓ ମନ ପରସ୍ପର ଉପରେ ଅତ୍ୟନ୍ତ ନିର୍ଭରଶୀଳ ଏବଂ ଉଭୟ ପରସ୍ପରକୁ ପ୍ରଭାବିତ କରନ୍ତି। ତେଣୁ ଶରୀର ଓ ମନ ମଧ୍ୟରେ ସନ୍ତୁଳନ ଆଣୁଥିବା ‘ଯୋଗ’କୁ ମାନସିକ ସୁସ୍ଥତା ପାଇଁ ଏକ ଉତ୍କୃଷ୍ଟ ମାର୍ଗ ଭାବେ ଗ୍ରହଣ କରାଗଲାଣି। ବିଶେଷଜ୍ଞମାନଙ୍କ ମତରେ କେବଳ ଡାକ୍ତରୀ ଚିକିତ୍ସା ଦ୍ବାରା ବ୍ୟକ୍ତିର ମାନସିକ ଓ ଶାରୀରିକ ଅସୁସ୍ଥତା ଦୂର କରିବା ସମ୍ଭବପର ନୁହେଁ।

ମନୁଷ୍ୟ ଲାଗି ସର୍ବାଧିକ ବଡ଼ ବିଡ଼ମ୍ବନାଟି ହେଲା ସେ ପ୍ରକୃତ‌େର କ’ଣ ଚାହେଁ, ତାହା ଜାଣି ନ ଥାଏ। ଏ ସମ୍ବନ୍ଧ‌େର ଏକ ଗଳ୍ପ ରହିଛି। ଜଣେ ବ୍ୟକ୍ତିଙ୍କୁ ଈଶ୍ବର ଦର୍ଶନ ଦେଇ ବର ମାଗିବାକୁ କହିବାରୁ ବ୍ୟକ୍ତି ଜଣକ ଅଜସ୍ର ଟଙ୍କା ଏବଂ ସୁନା ଆଦି ମାଗିଲେ। ସେହି ବ୍ୟକ୍ତି ଭାବି ନେଇଥିଲେ ଯେ ଧନୀ ହେବା ଅର୍ଥ ସୁଖୀ ହେବା। କିନ୍ତୁ ଦେଖାଗଲା ‌େଯ କିଛି ଦିନର ଖୁସି ଓ କାମନା ପୂରଣ ପରେ ପୁନର୍ବାର ସେହି ବ୍ୟକ୍ତିଙ୍କ ମନର କୋଣରେ କିଛି ଅଭାବ ଥିଲା ଭଳି ଲାଗିଲା। ଏବେ ଟଙ୍କା ଓ ସୁନା ଆଦି ସାଧାରଣ ଭଳି ଲାଗୁଥିଲା। ସୁତରାଂ, ପୁଣି ଅଶାନ୍ତି ତାଙ୍କୁ ବ୍ୟଥିତ କଲା। ଏମିତି ଅବସ୍ଥାରେ ଈଶ୍ବର ଆଉ ଥରେ ଦର୍ଶନ ଦେଇ ପଚାରିଲେ- ତୁମେ ପ୍ରକୃତରେ କ’ଣ ଚାହଁ କୁହ। ସେ ବ୍ୟକ୍ତି କହିଲେ- ମୁଁ ପ୍ରକୃତରେ ସୁଖ ଏବଂ ଶାନ୍ତି ଚାହେଁ।

ଈଶ୍ବର କହିଲେ- ତେବେ ତୁମେ ସୁଖ ନ ମାଗି ସୁନା ମାଗୁଛ କାହିଁକି?

ଏହି ଗଳ୍ପରେ ମନୁଷ୍ୟର ଅଭିଳାଷ ସଂପର୍କରେ ଗୂଢ଼ କଥାଟି ରହିଛି। ଲୋକେ ପୋଷଣ କରିଥିବା ଅଭିଳାଷ ପୂରଣ ହୋଇଯିବାର କିଛି ଦିନ ପରେ ମନରେ ପୁଣି କାହିଁକି ଅଭାବବୋଧ ଓ ଅଶାନ୍ତି ସୃଷ୍ଟି ହୁଏ, ତାର କାରଣ ଏହି ଗପରୁ ବୁଝି ହୁଏ। ତେଣୁ ପ୍ରଥମ କଥା ହେଉଛି ନିଜକୁ ଚିହ୍ନିବା। ଏ ଦିଗରେ ଗଭୀର ଚିନ୍ତନ ଓ ମନନ ଯେଉଁ ଆତ୍ମିକ ବା ଆଧ୍ୟା‌ତ୍ମିକ ଇଙ୍ଗିତ ଦିଅନ୍ତି, ତାହା ଠିକଣା ମାର୍ଗ ଦର୍ଶାଇବାରେ ସହାୟକ ହୁଏ। ଏହାକୁ ହୃଦୟଙ୍ଗମ କରାଯାଇ ପାରିଲେ ଅତୁଲ୍ୟ ମାନସିକ ସୁସ୍ଥତା, ସ୍ଥିରତା, ଧୈର୍ଯ୍ୟ, ସହାନୁଭୂତିଶୀଳତା ମିଳିଥାଏ।

ଜାହାଜଟିଏ ପୋତାଶ୍ରୟରେ ସୁରକ୍ଷିତ ଥାଏ ସତ କିନ୍ତୁ ସମୁଦ୍ର ଯାତ୍ରା କରିବା ହେଉଛି ତାର ଧ୍ୟେୟ। ଜାହାଜର କର୍ମଭୂମି ହେଉଛି ସମୁଦ୍ର। ତେଣୁ ଝଡ଼ ବାତ୍ୟାକୁ ଭୟ ନ କରି ସମୁଦ୍ର ଯାତ୍ରା ଜାହାଜକୁ ସାର୍ଥକତା ଲାଭ କରାଇଥାଏ। ମନୁଷ୍ୟ ଜୀବନ ହେଉଛି ଠିକ୍‌ ସେହିଭଳି। ତେଣୁ ଜୀବନକୁ ଉଭୟ ସୁଖ ଓ ଦୁଃଖର ମିଶ୍ର ପ୍ରବାହ ଭାବେ ଗ୍ରହଣ କରିବା ଆବଶ୍ୟକ। ଯେଉଁମାନେ ଏହାକୁ ଅନ୍ତଃକରଣରେ ସ୍ବୀକାର କରି ନିଅନ୍ତି, ସେମାନଙ୍କୁ ପ୍ରତିକୂଳତା ବିଶେଷ ଆକ୍ରାନ୍ତ କରିପାରି ନ ଥାଏ। ତେବେ ଏହା ମଧ୍ୟ ସତ ଯେ ବ୍ୟକ୍ତିର ମାନସିକ ସୁସ୍ଥତା କ୍ଷେତ୍ରରେ ପରିବାର ଏବଂ ସମାଜ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଦେଖାଯାଇଛି ‌େଯ ଏକ ପ୍ରଗତିଶୀଳ ସମାଜରେ ବସବାସ କରୁଥିବା ବ୍ୟକ୍ତିମାନେ ସାଧାରଣତଃ ମାନସିକ ସ୍ତରରେ ସୁସ୍ଥ ହୋଇଥାଆନ୍ତି। ତେଣୁ ଏ ଦିଗରେ ମଧ୍ୟ ସାମାଜିକ ଓ ରାଜନୈତିକ ନେତୃତ୍ବ ପ୍ରଦାନ କରୁଥିବା ବିଶିଷ୍ଟ ବ୍ୟକ୍ତିମାନେ ଚିନ୍ତା କରିବା ଉଚିତ।
ମୋ: ୮୨୪୯୬୨୬୭୮୫