ଅନେକ ବର୍ଷ ତଳର କଥା। ଡେଟ୍ରଏଟ୍ ସହରର ମେୟରଙ୍କୁ ଅଗତ୍ୟା କୌଣସି ଏକ କାରଣ ଲାଗି ଏକ ବିପଦପୂର୍ଣ୍ଣ ଦାୟିତ୍ବ ନେବାକୁ ହେଲା। ଦାୟିତ୍ବଟି ଥିଲା କିଛି ଅତି ସାଂଘାତିକ ତରଳ ବିସ୍ଫୋରକକୁ ଆଉ ଗୋଟିଏ ସହରକୁ ପଠାଇବା। ‌କଥା ହେଲା, ବିସ୍ଫୋରକ ଯେଉଁ ଲରୀରେ ବୋଝେଇ ହୋଇ ଯିବ ତାର ଚାଳକ ନିହାତି ଦକ୍ଷ ହେବା ଦରକାର। କାରଣ ତାହା ନ ହେଲେ ଗାଡ଼ି ଭିତରେ ଅଧିକ ହଲଚଲ ହୋଇ ତହିଁରେ ବିସ୍ଫୋରଣ ହେବାର ଆଶଙ୍କା ଥିଲା। ଏବଂ ଆହୁରି ବଡ଼ କଥା ଥିଲା, ଯେଉଁ ରାସ୍ତାରେ ବିସ୍ଫୋରକ ଯିବାର ଥିଲା, ସେ ରାସ୍ତାଟିର ଅବସ୍ଥା ଥିଲା ଅତି କଦର୍ଯ୍ୟ। ତେଣୁ ମେୟର ଏ ଦାୟିତ୍ବ ସହରର ସବୁଠାରୁ ଦକ୍ଷ ଲରୀ ଚାଳକଙ୍କୁ ଦେଲେ। ଏ କାର୍ଯ୍ୟ ସଂପାଦନ କରିପାରିଲେ ଲରୀ ଚାଳକଙ୍କୁ ବିପୁଳ ଅର୍ଥ ପୁରସ୍କାର ଦିଆଯିବ ବୋଲି ମଧ୍ୟ କୁହାଗଲା। ଲରୀ ଚାଳକ ଏ ବିପଦପୂର୍ଣ୍ଣ କାର୍ଯ୍ୟରେ ଯିବା ପୂର୍ବରୁ ବାପାଙ୍କ ନିକଟକୁ ଯାଇ ବିଦାୟ ମାଗିଲେ। ବାପା କହିଲେ, ଯିବା ବେଳେ ନୁହେଁ ଫେରିଲା ବେଳେ ସତର୍କ ରହିବୁ।

Advertisment

ଲରୀ ଚାଳକ ଯାତ୍ରା ଆରମ୍ଭ କଲେ। ନିଜ ଅପୂର୍ବ ଦକ୍ଷତା ଓ ସାବଧାନତାର ପରିଚୟ ଦେଇ ସେ ବିସ୍ଫୋରକକୁ ଠିକଣା ଜାଗାରେ ପହଞ୍ଚାଇଦେଲେ।

ତା ପରେ ଖୁସିରେ ଆତ୍ମହରା ହୋଇ ସେ ଘରକୁ ଫେରିଲେ। ବିପୁଳ ଅର୍ଥ ପୁରସ୍କାରର ସ୍ବପ୍ନ ତାଙ୍କୁ ଏଭଳି ବିହ୍ବଳ କରିଦେଲା ଯେ ସେ ଅନ୍ୟମନସ୍କ ହୋଇଗଲେ। ଫେରିବା ବାଟରେ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଲା ଓ ସେ ଗୁରୁତର ଭାବେ ଆହତ ହେଲେ।

ଅନେକ ବର୍ଷ ପରେ ସେ ନିଶ୍ଚିତ ମୃତ୍ୟୁ ମୁଖରୁ ଫେରିଲେ ସତ କିନ୍ତୁ ଅକର୍ମଣ୍ୟ ହୋଇଯାଇଥିଲେ। ବାପାଙ୍କ ଉପଦେଶର ମର୍ମ ‌େସ ଅକ୍ଷରେ ଅକ୍ଷରେ ବୁଝି ପାରିଥିଲେ।