କାଶ କଫ ଦମନ ନିମିତ୍ତ କଫ୍ ସିରପ୍ ସେବନ କରାଯାଇଥାଏ। ଏବେ କିନ୍ତୁ କାଶ ସର୍ଦ୍ଦିର ଚିକିତ୍ସା ନିମିତ୍ତ ଭାରତରେ ନିର୍ମିତ କେେତକ କଫ୍ ସିରପ୍ ଏପରି ଏକ ଭୟଙ୍କର ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି, ଯାହା ଭାରତର ସମଗ୍ର ଔଷଧ ନିର୍ମାଣ ବା ଫାର୍ମା ଶିଳ୍ପ ପାଇଁ ଏକ ଅଣନିଃଶ୍ବାସକାରୀ ଦମା-ଉଠା କାଶ ଭଳି ବିପଦ ସୃଷ୍ଟି କଲାପରି ମନେ ହେଉଛି। ଗତ ସପ୍ତାହରେ ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ (‘ହୁ’) ଭାରତର ଏକ ଔଷଧ କମ୍ପାନି ଦ୍ବାରା ପ୍ରସ୍ତୁତ ଚାରିଟି ‘ଦୂଷିତ’ କଫ ସର୍ଦ୍ଦି ସିରପ୍ ସମ୍ବନ୍ଧରେ ପ୍ରସାର କରିଥିବା ସତର୍କ ସୂଚନା ଭାରତର ଔଷଧ ନିୟନ୍ତ୍ରଣ ବ୍ୟବସ୍ଥାର ମାନ ଓ କାର୍ଯ୍ୟକାରିତା ଉପରେ ଯେଉଁ ଗଭୀର ପ୍ରଶ୍ନବାଚୀ ଲଗାଇଛି, ତାହା ଯେ ଆନ୍ତର୍ଜାତିକ ସ୍ତରରେ ଭାରତର ସମଗ୍ର ଔଷଧ ଶିଳ୍ପର ବିଶ୍ବସନୀୟତା ପ୍ରତି ଗୁରୁତର ଆଞ୍ଚ ଆଣିବ, ତାହାର ଦୃଢ଼ ସମ୍ଭାବନା ଦେଖା ଦେଇଛି।
‘ହୁ’ ଏହି କଫ୍ ସିରପ୍ର ବ୍ୟବହାରକୁ ଆଫ୍ରିକାର ଏକ କ୍ଷୁଦ୍ର ଅନୁନ୍ନତ ଦେଶ ଗାମ୍ବିଆରେ ୬୬ ଜଣ ଶିଶୁଙ୍କର ଅକାଳ ମୃତ୍ୟୁର ସମ୍ଭାବ୍ୟ କାରଣ ରୂପେ ସେଇ ସୂଚନାରେ ଉଲ୍ଲେଖ କରିଛି। ‘ହୁ’ ଅନୁଯାୟୀ ଏହି ଦୂଷିତ ସିରପ୍ ଏପର୍ଯ୍ୟନ୍ତ କେବଳ ଏହି ପଶ୍ଚିମ ଆଫ୍ରିକୀୟ ଦେଶରେ ବ୍ୟବହୃତ ହୋଇଥିବା ଜଣାପଡ଼ିଛି, କିନ୍ତୁ ଅନ୍ୟ ଦେଶମାନଙ୍କରେ ମଧ୍ୟ ଏହି ବିପଜ୍ଜନକ ଔଷଧର ପ୍ରବେଶର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ‘ହୁ’ ତେଣୁ ଏହି ଔଷଧର ସେବନ ଅଧିକ ଅନୁରୂପ କ୍ଷତି ଘଟାଇବା ପୂର୍ବରୁ ତାହାକୁ ଠାବ କରି ପ୍ରଚଳନରୁ ପ୍ରତ୍ୟାହାର କରିବା ନିମିତ୍ତ ଅନ୍ୟ ଦେଶମାନଙ୍କୁ ଆହ୍ବାନ ଦେଇଛି।
ଏତେ ସଂଖ୍ୟକ ଶିଶୁ ମୃତ୍ୟୁ ବର୍ତ୍ତମାନ ଭାରତୀୟ ଔଷଧ ଶିଳ୍ପ ପାଇଁ ଏକ ଚରମ ଅପଖ୍ୟାତି ସୃଷ୍ଟି କରିଥିଲେ ହେଁ, ଭାରତରେ ଔଷଧ ନିର୍ମାଣର ମାନ ଯେ ଏଥି ପୂର୍ବରୁ ସମ୍ପୂର୍ଣ୍ଣ ରୂପେ ସନ୍ଦେହମୁକ୍ତ ଥିଲା, ତାହା ନୁହେଁ। ଏହି ସନ୍ଦେହ ଯୋଗୁଁ ହିଁ ୨୦୦୯ ପରଠାରୁ ପୃଥିବୀର ଅନ୍ୟ ସମସ୍ତ ଔଷଧ ନିର୍ମାତାମାନଙ୍କ ତୁଳନାରେ ଭାରତର ଔଷଧ ନିର୍ମାତାମାନେ ସର୍ବାଧିକ ଥର ଆମେରିକାର ଖାଦ୍ୟ ଓ ଔଷଧର ଗୁଣାତ୍ମକ ମାନ ଜଗୁଆଳି ସଂସ୍ଥା ‘ଏଫ୍ଡିଏ’ର ଯାଞ୍ଚର ସମ୍ମୁଖୀନ ହୋଇଥିବା ଦେଖାଯାଇଛି। ଚଳିତ ବର୍ଷ ହିଁ ‘ଏଫ୍ଡିଏ’ ଭାରତୀୟ ଔଷଧ କମ୍ପାନି ‘ଅରବିନ୍ଦ ଫାର୍ମାସିଉଟିକାଲ୍ସ’କୁ ସାବଧାନ ବାଣୀ ଶୁଣାଇ ଏକ ପତ୍ର ଲେଖିଥିଲା, ଯେଉଁଥିରେ ଏହି କମ୍ପାନି ତା’ର ଔଷଧ ନିର୍ମାଣରେ ଅପମିଶ୍ରଣ ଘଟାଉଥିବା ଅଭିଯୋଗ ଥିଲା ଅନ୍ୟତମ। ଆମେରିକାର ଏହି ନିୟନ୍ତ୍ରଣ ସଂସ୍ଥା ଚଳିତ ବର୍ଷ ଏ ପର୍ଯ୍ୟନ୍ତ ଭାରତରୁ ହେଉଥିବା ଔଷଧପତ୍ର ଆମଦାନି ପ୍ରତି ଆଠ ଥର ସତର୍କ ସୂଚନା ଜାରି କରି ସାରିଲାଣି। ଏହି ପଦକ୍ଷେପ ପଛରେ ନିହିତ ଥିବା କାରଣମାନ ମଧ୍ୟରେ ଅନ୍ତର୍ଭୁକ୍ତ ଅଛି ଉତ୍ତମ ନିର୍ମାଣ ପଦ୍ଧତି ଅନୁସରଣ କରାନଯିବା, ଜୀବାଣୁ ପ୍ରଦୂଷଣ, ‘ଏଫ୍ଡିଏ’ ନିରୀକ୍ଷଣ ପ୍ରତି ଅସହଯୋଗ ଇତ୍ୟାଦି। ସେହିପରି ଗତ ଜୁଲାଇରେ ଭାରତର ଏକ ପ୍ରମୁଖ ଔଷଧ କମ୍ପାନି ‘ବାୟୋକନ୍ ବାୟୋଲଜିକ୍ସ’ର ତିନିଟି ଉତ୍ପାଦନ କେନ୍ଦ୍ରରେ ଅନୁସୃତ ପ୍ରଣାଳୀ ଓ ଗୁଣାତ୍ମକ ମାନ ସମ୍ପର୍କରେ ‘ଏଫ୍ଡିଏ’ ଅସନ୍ତୋଷ ପ୍ରକାଶ କରି ଚହଳ ସୃଷ୍ଟି କରିଥିଲା। ଗତ ଏପ୍ରିଲରେ ଜାତିସଂଘ ଭାରତରୁ କୋଭିଡ୍ ଟିକା ‘କୋଭାକ୍ସିନ୍’ର ସଂଗ୍ରହ ସ୍ଥଗିତ କରିବାକୁ ନେଇଥିବା ନିଷ୍ପତ୍ତି ପଛରେ ଯେଉଁ କାରଣ ନିହିତ ଥିଲା, ତାହା ହେଲା ଉତ୍ପାଦନ କେନ୍ଦ୍ରମାନଙ୍କର ଅନୁସୃତ ଉତ୍ପାଦନ ବିଧି ବ୍ୟବସ୍ଥାରେ ପରିଦୃଷ୍ଟ ହେଉଥିବା ଦୁର୍ବଳତାମାନ।
ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ଔଷଧ ଶିଳ୍ପ ସମ୍ବନ୍ଧରେ ପ୍ରକାଶ ପାଉଥିବା ଏଭଳି ପ୍ରତିକୂଳ ପାଶ୍ଚାତ୍ୟ ମନ୍ତବ୍ୟ ସବୁକୁ ଏଠାରେ ଏପର୍ଯ୍ୟନ୍ତ ସେମାନଙ୍କର ଏକ ଯୋଜନାବଦ୍ଧ ଚକ୍ରାନ୍ତ ରୂପେ ଆଡ଼େଇ ଦେବାକୁ ଚେଷ୍ଟା କରାହୋଇ ଆସୁଥିଲା। ଭାରତୀୟ ଔଷଧ ଶିଳ୍ପ ନିକଟ ଅତୀତେର ପୃଥିବୀର ଏକ ମୁଖ୍ୟ ଔଷଧ ନିର୍ମାଣ କେନ୍ଦ୍ର ରୂପେ ଆବିର୍ଭୂତ ହେବାକୁ ଆରମ୍ଭ କରିବା ଓ ସାରା ପୃଥିବୀକୁ ଅନେକ ଜୀବନ ରକ୍ଷାକାରୀ ଔଷଧ ଶସ୍ତାରେ ଯୋଗାଇବାକୁ ଆରମ୍ଭ କରିବା ଯୋଗୁଁ ଆତଙ୍କିତ ପାଶ୍ଚାତ୍ୟ ପ୍ରତିଦ୍ବନ୍ଦ୍ବୀମାନେ ଭାରତ ବିରୋଧରେ ଏଭଳି ଚକ୍ରାନ୍ତ ରଚନା କରୁଛନ୍ତି ବୋଲି ଆମେ ବିଶ୍ବାସ କରୁଥିଲୁ। କିନ୍ତୁ ଗାମ୍ବିଆରେ ଘଟିଥିବା ମର୍ମନ୍ତୁଦ ଅଘଟଣ ଆମର ଏହି ମନବୋଧକାରୀ ବିଶ୍ବାସକୁ ଏକ ଆତ୍ମପ୍ରବଞ୍ଚନାରେ ପରିଣତ କରି ଦେଇଥିବା ଭଳି ମନେ ହେଉଛି।
ହରିଆନାରେ ଅବସ୍ଥିତ ମେଡେନ୍ ଫାର୍ମାସିଉଟିକାଲ୍ସ ଦ୍ବାରା ପ୍ରସ୍ତୁତ ଏହି କଫ୍ ସିରପ୍ମାନ ଯୋଗୁଁ ଗାମ୍ବିଆରେ ଘଟିିଥିବା ଶିଶୁମାନଙ୍କର ଦୁର୍ଦ୍ଦଶା ସମ୍ବନ୍ଧରେ ‘ହୁ’ ସେପ୍ଟେମ୍ବର ଶେଷ ଆଡ଼କୁ ଭାରତର ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ଙ୍କୁ ଜଣାଇଥିଲା, ଯିଏ ହରିଆନା ସରକାରଙ୍କ ସହିତ ମିଶି ଏହାର ଅନୁସନ୍ଧାନ ଆରମ୍ଭ କରିଛି। ସରକାର ମଧ୍ୟ ଭାରତରୁ ରପ୍ତାନି କରାଯାଇଥିବା ଏହି ଔଷଧ ଓ ଗାମ୍ବିଆରେ ଘଟିଥିବା ଶିଶୁମୃତ୍ୟୁ ମଧ୍ୟରେ ନିଶ୍ଚିତ କାର୍ଯ୍ୟ-କାରଣ ସମ୍ପର୍କ ସାବ୍ୟସ୍ତ କରୁଥିବା ରିପୋର୍ଟ ‘ହୁ’ ଠାରୁ ପାଇବାକୁ ଅପେକ୍ଷା କରିଛନ୍ତି। କିନ୍ତୁ ଇତି ମଧ୍ୟରେ ଭାରତର ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ ଏବଂ ହରିଆନାର ଡ୍ରଗ୍ସ କଣ୍ଟ୍ରୋଲ୍ କର୍ତ୍ତୃପକ୍ଷ ମିଳିତ ଭାବରେ ଆରମ୍ଭ କରିଥିବା ଅନୁସନ୍ଧାନରୁ ମିଳିଥିବା ପ୍ରାରମ୍ଭିକ ଫଳାଫଳ ଅତ୍ୟନ୍ତ ଚିନ୍ତାଜନକ ମନେ ହେଉଛି। ଗବେଷଣାଗାରରେ ଗୋଟିଏ କଫ୍ ସିରପ୍ର କରାଯାଇଥିବା ଅନୁଶୀଳନରୁ ଜଣାପଡ଼ିଛି ସେଥିରେ ଏଥିଲିନ୍ ଗ୍ଲାଇକଲ୍ ଓ ଡାଇଏଥିଲିନ୍ ଗ୍ଲାଇକଲ୍ ମାତ୍ରାଧିକ ଅନୁପାତରେ ଉପସ୍ଥିତ ଅଛି, ଯାହା କିଡ୍ନୀ ପାଇଁ କ୍ଷତିକାରକ ହୋଇଥାଏ। ଏଥିରୁ ଯେଉଁ ବିପଜ୍ଜନକ ସତ୍ୟ ଆମ ସାମନାକୁ ଆସିଥାଏ, ତାହା ହେଲା- ଔଷଧ ଯେଉଁ ଭଳି ଜୀବନ ରକ୍ଷା କରିପାରେ, ତାହା ଯଦି ଅଯତ୍ନରେ ପ୍ରସ୍ତୁତ ହୋଇଥାଏ, ସେଇଭଳି ଜୀବନ ମଧ୍ୟ ନଷ୍ଟ କରିପାରେ।
ଔଷଧ ଦେଶ ଭିତରେ ବ୍ୟବହାର ପାଇଁ ଉତ୍ପାଦିତ ହୋଇଥାଉ କି ବିଦେଶକୁ ରପ୍ତାନି ହେବା ପାଇଁ ଉତ୍ପାଦିତ ହୋଇଥାଉ, ଉପଯୁକ୍ତ ମାନ ନିୟନ୍ତ୍ରଣ ଅଭାବରେ ମେଡେନ୍ ଫାର୍ମାସିଉଟିକାଲ୍ସ ଭଳି କମ୍ପାନିମାନେ ଜାଣିଶୁଣି ହେଉ କି ଅବହେଳା ଯୋଗୁଁ ହେଉ, ନିମ୍ନ ମାନର ଔଷଧ ଉତ୍ପାଦନ କରି ଚାଲିବେ। ଆମର ସଂଘୀୟ ବ୍ୟବସ୍ଥାରେ କିନ୍ତୁ ଯେଉଁ ଔଷଧ ଗୋଟିଏ ରାଜ୍ୟରେ ନିମ୍ନ ମାନର ବୋଲି ବିବେଚିତ ହୋଇଥାଏ, ସେଇ ଔଷଧ ହୁଏତ ଅନ୍ୟ ଏକ ରାଜ୍ୟରେ ବିକ୍ରି ହୋଇପାରେ କିମ୍ବା ସେଠାରୁ ରପ୍ତାନି କରାଯାଇ ପାରେ। ଔଷଧର ପରିବହନ ଓ ସାଇତା ଏକ ଆଇନଗତ ନିର୍ଦ୍ଦେଶାବଳୀ ଦ୍ବାରା ନିୟନ୍ତ୍ରିତ ନ ହେବା ଯାଏଁ ଔଷଧର ଗୁଣାତ୍ମକ ମାନରେ ତାରତମ୍ୟ ଦେଖାଯିବାର ସମ୍ଭାବନା ଲାଗି ରହିବ। ନୂତନ ‘ଡ୍ରଗ୍ସ, ମେଡିକାଲ୍ ଡିଭାଇସେସ୍ ଆଣ୍ଡ୍ କସ୍ମେଟିକ୍ସ ବିଲ୍’ରେ କିନ୍ତୁ ଏଥି ପ୍ରତି ଧ୍ୟାନ ଦିଆଯାଇନାହିଁ।
ଏକ ନିର୍ଦ୍ଦିଷ୍ଟ ଗୁଣାତ୍ମକ ମାନ ରକ୍ଷାକାରୀ ମାପକାଠିର ବ୍ୟବହାର ମଧ୍ୟ ଔଷଧ ଉତ୍ପାଦନର ଗୁଣାତ୍ମକ ମାନରକ୍ଷା ଦିଗରେ ଏକ ନିଶ୍ଚିତ ପଦକ୍ଷେପ ହୁଅନ୍ତା। ବର୍ତ୍ତମାନ ଉତ୍ପାଦନକାରୀମାନେ ନିର୍ଦ୍ଦିଷ୍ଟ ବଜାରକୁ ଦୃଷ୍ଟିରେ ରଖି ଭିନ୍ନ ଭିନ୍ନ ଗୁଣାତ୍ମକ ମାନ ଅନୁସରଣ କରୁଛନ୍ତି। ଭାରତ ‘ଫାର୍ମାସିଉଟିକାଲ୍ସ ଇନ୍ସ୍ପେକ୍ସନ୍ କନ୍ଭେସନ୍’ର ସଦସ୍ୟ ହେବା ଦ୍ବାରା ଏଥିରେ ଅନ୍ତ ଘଟିବ ଓ ସର୍ବତ୍ର ଗ୍ରହଣଯୋଗ୍ୟ ଏକ ନିର୍ଦ୍ଦିଷ୍ଟ ମାନର ଛାପା ବହନ କରୁଥିବା ଔଷଧ ଉତ୍ପାଦନ ଓ ବିକ୍ରୟ କରାଯାଇପାରିବ। ଗାମ୍ବିଆ ଘଟଣାରୁ ଶିକ୍ଷା ଲାଭ କରି ଭାରତ ଯଦି ଏଭଳି ଗୁଣାତ୍ମକ ମାନ ରକ୍ଷା ପଦକ୍ଷେପମାନ ପ୍ରତି ଆବଶ୍ୟକ ଧ୍ୟାନ ଦିଏ, ତେବେ ଏହି ଦୁର୍ଭାଗ୍ୟଜନକ ଘଟଣାକୁ ଏକ ଦୁଃସ୍ବପ୍ନ ପରି ପଛରେ ପକାଇ ପୃଥିବୀର ଫାର୍ମାସି ହେବା ପଥରେ ଭାରତ ତଥାପି ଅଗ୍ରସର ହୋଇପାରିବ।