ଗଲା ଗୁରୁବାର ଦିନ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରା ପ୍ରଦତ୍ତ ହିଜାବ ସ˚ପର୍କିତ ରାୟଟି ବସ୍ତୁତଃ ଏକ ‘ଦ୍ବି-ମତ’ର ରୂପ ନେଇ ବିବାଦଟିକୁ ଅମୀମା˚ସିତ ଅବସ୍ଥାରେ ଛାଡ଼ି ଦେଇଛି । ପ୍ରକାଶ ଥାଉ କି ପ୍ରାୟ ଦଶ ଦିନର ଶୁଣାଣି ପ୍ରକ୍ରିୟା ପରେ ଏକ ଦୁଇ ଜଣିଆ ଖଣ୍ତପୀଠରେ ଉଭୟ ବିଚାରପତି ପରସ୍ପର ବିରୋଧୀ ନିଷ୍ପତ୍ତି ଶୁଣାଇଛନ୍ତି; ଯାହା ଫଳରେ ଏବେ ମାମଲାଟି ମାନ୍ୟବର ପ୍ରଧାନ ବିଚାରପତିଙ୍କ ଠାରେ ପହଞ୍ଚିଛି; ଯିଏ ଖୁବ୍‌ ସମ୍ଭବ ଅଛିଣ୍ତା ସ˚ଖ୍ୟାର ବିଚାରପତିଙ୍କୁ ନେଇ ଏକ ଖଣ୍ତପୀଠ ଗଠନ କରାଇ ସ˚ଖ୍ୟାଧିକ ମତ ଆଧାରରେ ଏକ ନିର୍ଦ୍ଦିଷ୍ଟ ଏବ˚ ସ୍ପଷ୍ଟ ରାୟ ଲାଗି ବାଟ ଫିଟାଇବେ। କିନ୍ତୁ, ଏହି ପ୍ରକ୍ରିୟା ଦ୍ବାରା ସୃଷ୍ଟି ହେବାକୁ ଯାଉଥିବା ସମ୍ଭାବ୍ୟ ବିଳମ୍ବ ଯେଉଁ ଚିନ୍ତା ଉଦ୍ରେକ କରିଥାଏ, ତାହା ଏକ କ୍ଷୁଦ୍ର ଆଲୋଚନା ସକାଶେ ଅବକାଶ ସୃଷ୍ଟି କରିଛି।

Advertisment

ତେବେ, ପ୍ରଥମେ ପାଠକ-ପାଠିକାମାନଙ୍କ ସ୍ମୃତିକୁ ସତେଜ କରିବା ସକାଶେ କର୍ଣ୍ଣାଟକରେ ସୃଷ୍ଟ ‘ହିଜାବ’ ବିବାଦର ପୃଷ୍ଠଭୂମି ଉପରେ ଏକ କ୍ଷିପ୍ର ଦୃଷ୍ଟିପାତ କରାଯାଇପାରେ। ବିବାଦର ପ୍ରାରମ୍ଭ ଘଟିଥିଲା ଗଲା ଫେବ୍ରୁଆରି ମାସରେ ଯେତେବେଳେ କର୍ଣ୍ଣାଟକ ସରକାର ସେଠାକାର ଜୁନିଅର କଲେଜଗୁଡ଼ିକରେ ପାଠ ପଢୁଥିବା ମୁସଲମାନ ଛାତ୍ରୀମାନଙ୍କ ‘ହିଜାବ’ ପରିଧାନକୁ ସ୍କୁଲ ୟୁନିଫର୍ମ ନିୟମ ଅନୁସାରେ ନିଷେଧ କରିଥିଲେ, ଯାହା ଏକ ତୁମୂଳ ବିବାଦକୁ ଜନ୍ମ ଦେଇଥିଲା। ସ୍ବାଭାବିକ ଭାବେ ଏହି ବିବାଦ କର୍ଣ୍ଣାଟକ ଉଚ୍ଚ ଅଦାଲତରେ ପହଞ୍ଚିଥିଲା, ଯେଉଁଠି ଅଦାଲତ ସରକାରଙ୍କ ଆଦେଶକୁ ବଳବତ୍ତର ରଖିବାରୁ ଅଭିଯୋଗକାରୀମାନେ ମାନ୍ୟବର ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ପ୍ରକାଶ ଥାଉ କି ଏହି ସ˚ଦର୍ଭରେ ଯେଉଁ ଆଲୋଚନା ବା ବିତର୍କ ହୋଇ ଚାଲିଛି, ତହିଁରେ ମୂଳ ପ୍ରଶ୍ନ ଭାବେ ଯେଉଁ ପ୍ରସଙ୍ଗଟି ଉଠିଛି, ତାହା ହେଲା ‘ହିଜାବ’ ପରିଧାନ ମୁସଲମାନ ଧର୍ମୀୟ ପର˚ପରାର ଏକ ଅବିଚ୍ଛେଦ୍ୟ ଅ˚ଶ ନା ନୁହଁ? ଯଦି ଏହା ଏକ ଅବିଚ୍ଛେଦ୍ୟ ବା ଅତ୍ୟାବଶ୍ୟକ ଧର୍ମୀୟ ପ୍ରଥା, ତେବେ ସ˚ବିଧାନର ଧାରା ୨୫ ଆଧାରରେ ଏହା ନିର୍ବିବାଦୀୟ ସ୍ବୀକୃତି ଲାଭ କରନ୍ତା। କିନ୍ତୁ କର୍ଣ୍ଣାଟକ ଉଚ୍ଚ ଅଦାଲତ ଏହାକୁ ମୁସଲମାନ ସ˚ପ୍ରଦାୟ ସକାଶେ ଏକ ‘ପସନ୍ଦ’ର ବ୍ୟାପାର ରୂପେ ଅଭିହିତ କରିଥିଲେ ଏବ˚ ଧର୍ମୀୟ ବାଧୢବାଧକତା ନ ଥିବାରୁ ସ୍କୁଲ ବା ଜୁନିଅର କଲେଜ ୟୁନିଫର୍ମରୁ ‘ହିଜାବ’କୁ ବାଦ୍‌ ଦିଆଯାଇପାରିବ ବୋଲି ରାୟ ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ସର୍ବୋଚ୍ଚ ଅଦାଲତର ବିଚାରପତି ଦ୍ବୟଙ୍କ ମଧ୍ୟରୁ ହେମନ୍ତ ଗୁପ୍ତା ତାଙ୍କ ନିଷ୍ପତ୍ତିରେ କହିବା ଶୁଣାଯାଇଛି ଯେ ଏ ସଂପର୍କରେ ଅଦାଲତ ସମକ୍ଷରେ ଉପସ୍ଥାପିତ ସମସ୍ତ ଯୁକ୍ତି ଏବ˚ ପ୍ରତିଯୁକ୍ତି ଆଧାରରେ ସେ ସ˚ବିଧାନରେ ପ୍ରଦତ୍ତ ଅଧିକାର, ଧର୍ମୀୟ ବାଧୢବାଧକତା, ସ୍କୁଲ ୟୁନିଫର୍ମ ନିୟମ ଏବ˚ ଶିକ୍ଷା ଅଧିକାର ଇତ୍ୟାଦି ଭଳି ବିନ୍ଦୁକୁ ସ୍ପର୍ଶ କରି ଯେଉଁ ଏଗାରଟି ପ୍ରଶ୍ନ ନିଜକୁ ପଚାରିଥିଲେ, ତାହାର ଉତ୍ତର ଭାବେ ତାଙ୍କ ବିଚାର ଏବଂ ବିବେକାନୁମୋଦିତ ନିଷ୍କର୍ଷ ହେଲା ସ୍କୁଲ ୟୁନିଫର୍ମରୁ ‘ହିଜାବ’କୁ ବହର୍ଭୂତ ରଖି କର୍ଣ୍ଣାଟକ ସରକାର ଯଥାର୍ଥ ରାୟ ପ୍ରଦାନ କରିଛନ୍ତି।

ତେବେ, ଏ ସ˚ଦର୍ଭରେ ଦ୍ବିତୀୟ ବିଚାରପତି ସୁଧା˚ଶୁ ଧୂଳିଆ ଯାହା କହିଥିଲେ ତାହାର ସାରା˚ଶ ହେଲା ଏହି କ୍ଷେତ୍ରରେ ‘ହିଜାବ’ ପରିଧାନର ଧର୍ମୀୟ ଅନିବାର୍ଯ୍ୟତା ନେଇ ସୃଷ୍ଟ ଉଦ୍‌ବେଗ ଠାରୁ ଅଧିକ ଉଦ୍‌ବିଗ୍ନକାରୀ ହେଉଛି ଏହି ନିଷେଧାଦେଶ କାରଣରୁ ଏକ ନିର୍ଦ୍ଦିଷ୍ଟ ବର୍ଗର ଅନେକ ବାଳିକା ଶିକ୍ଷା ଲାଭ ସୁଯୋଗରୁ ବ˚ଚିତ ହେବା; ଯାହା କର୍ଣ୍ଣାଟକରେ ଘଟିଛି, ଯେଉଁଠି ଅନେକ ପରିବାର ଏହି କାରଣରୁ ସେମାନଙ୍କ କନ୍ୟାମାନଙ୍କୁ ସ୍କୁଲ ପଠାଉ ନାହାନ୍ତି। ତାଙ୍କ ମତରେ ବିଭିନ୍ନ ସାମାଜିକ ଓ ପାରିବାରିକ କାରଣରୁ ଭାରତରେ ବାଳିକାମାନଙ୍କ ଶିକ୍ଷା ଲାଭରେ ଅଜସ୍ର ବିଘ୍ନ ପରିଦୃଷ୍ଟ ହେଉଥିବା ବେଳେ ହିଜାବ ବିବାଦ ଏକ ନୂତନ ଅନ୍ତରାୟ ରୂପେ ଆବିର୍ଭୂତ ହୋଇଛି।

ଏହି ପରିପ୍ରେକ୍ଷୀରେ ଗୋଟିଏ ପକ୍ଷର ମତ କହିଥାଏ ଯେ କର୍ଣ୍ଣାଟକ ସରକାର ପ୍ରକୃତରେ ‘ହିଜାବ’ ପରିଧାନର ସ୍ବାଧୀନତାକୁ କ୍ଷୁଣ୍ଣ କରି ନାହାନ୍ତି; କେବଳ ଯାହା ସ୍କୁଲ ସମୟରେ ହିଜାବ ପରିଧାନକୁ ବାରଣ କରାଯାଇଛି। କିନ୍ତୁ ଏଭଳି ମତ ଯେଉଁଭଳି ସହଜ ଏବ˚ ନିରୁଦ୍‌ବିଗ୍ନ ଶୁଭିଥାଏ ବାସ୍ତବତାଟି ସେଭଳି ନୁହେଁ; ବରଂ, ଏହା ଅତ୍ୟନ୍ତ କ୍ରୂର, ଯେଉଁଠି ‘ହିଜାବ’ ପରିଧାନକୁ ସ˚ଭ୍ରମତାର ଚିହ୍ନ ରୂପେ ପରମ ପବିତ୍ରତାର ମାନ୍ୟତା ଦେଉଥିବା ପରିବାରଗୁଡ଼ିକ ଅଗତ୍ୟା ଏହି କାରଣରୁ ସେମାନଙ୍କ କନ୍ୟାମାନଙ୍କୁ ଶିକ୍ଷା ଲାଭରୁ ବ˚ଚିତ କରି ଦେଇଛନ୍ତି; ଯେଉଁଠି ସେହି ଅସହାୟ ବାଳିକାମାନଙ୍କ ଲାଗି ଏହା କେବଳ ଶିକ୍ଷା ଲାଭର ମୌଳିକ ଅଧିକାର ହରାଇବାର ଆଶଙ୍କାରେ ସୀମିତ ନାହିଁ, ଏହା ସେମାନଙ୍କ ଲାଗି ସ୍ବପ୍ନ ଭଙ୍ଗର କରୁଣତାକୁ ମଧୢ ଜନ୍ମ ଦେଇଛି। ଏ ସ˚ଦର୍ଭରେ ବିଡ଼ମ୍ବନାଟି ହେଲା ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରା ଏକ ନିର୍ଦ୍ଦିଷ୍ଟ ଏବ˚ ସ୍ପଷ୍ଟ ରାୟ ପ୍ରକାଶ ନ ପାଇବା ପର୍ଯ୍ୟନ୍ତ କର୍ଣ୍ଣାଟକରେ ଏହି ନିଷେଧାଦେଶ ବଳବତ୍ତର ରହିବ। ଯଦି ୨୦୨୩ରେ ହେବାକୁ ଥିବା କର୍ଣ୍ଣାଟକ ରାଜ୍ୟ ନିର୍ବାଚନ ଓ ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ରାୟ ଆସି ନ ଥାଏ, ତେବେ ଏହାକୁ କେନ୍ଦ୍ର କରି ଧ୍ରୁବୀକରଣ ରାଜନୀତି ଅତ୍ୟନ୍ତ ତୀବ୍ର ହେବ। ଯଦି ଏଭଳି ହୁଏ, ତେବେ ରାଜନୈତିକ ଉତ୍ତାପ ଏବ˚ ଧୂଳି-ପଟଳ ଅନ୍ତରାଳରେ ଯାହା ଅଦୃଶ୍ୟ ହୋଇ ରହିଯିବ, ତାହା ହେଲା ଅଧାରୁ ପାଠ ଛାଡ଼ିଥିବା ଅନେକ ବାଳିକାଙ୍କ ବିନଷ୍ଟ ସ୍ବପ୍ନର ମର୍ମଭେଦୀ କାହାଣୀ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସ˚ପ୍ରତି କେବଳ ଇରାନ ଏବ˚ ଆଫଗାନିସ୍ତାନକୁ ଛାଡ଼ି ଦେଲେ ପୃଥିବୀର ଅନ୍ୟ କୌଣସି ଇସଲାମୀୟ ରାଷ୍ଟ୍ରରେ ‘ହିଜାବ’ ପରିଧାନ ଆଇନତଃ ବାଧୢତାମୂଳକ ନୁହେଁ। ୨୦୧୮ ମସିହା ଠାରୁ ସାଉଦି ଆରବ ସରକାର ଏହାକୁ ‘ବାଧୢତାମୂଳକ’ ପର୍ଯ୍ୟାୟରୁ ‘ପସନ୍ଦମୂଳକ’ ପର୍ଯ୍ୟାୟକୁ ଘେନି ଆସିଛନ୍ତି। ସ˚ପ୍ରତି ଇରାନରେ ବାଧୢତାମୂଳକ ‘ହିଜାବ’ ପରିଧାନ ବିରୋଧରେ ବ୍ୟାପକ ଜନ ଆନ୍ଦୋଳନ ସୃଷ୍ଟି ହୋଇ ତୀବ୍ରତା ଲାଭ କରିବାରେ ଲାଗିଛି, ଯେଉଁଠି ପ୍ରାୟ ପଚାଶ ସରିକି ଆନ୍ଦୋଳନକାରୀ ପ୍ରାଣ ବିସର୍ଜନ କରି ସାରିଲେଣି। ସେହି ଦୃଷ୍ଟିରୁ ଅନେକଙ୍କ ଦ୍ବାରା ‘ହିଜାବ’ ପରିଧାନକୁ ଅତ୍ୟନ୍ତ ରକ୍ଷଣଶୀଳ ଓ ପଶ୍ଚାତ୍‌ମୁଖୀ ବୋଲି ବିବେଚନା କରାଯାଇଥାଏ, ଯାହା ଦ୍ବାଦଶ ଶତାବ୍ଦୀର ବିଚାରଧାରାର ପ୍ରତିଧ୍ବନି ବୋଲି ସେମାନେ କହିଥାଆନ୍ତି। କିନ୍ତୁ ଏ ସ˚ଦର୍ଭରେ ବ୍ରିଟିସ ‘ଭଗ୍‌’ ପତ୍ରିକାରେ ଗଲା ୨୦୨୧ ମସିହା ଜୁନ୍‌ରେ ପ୍ରକାଶିତ ଏକ ସାକ୍ଷାତକାରରେ ସର୍ବକନିଷ୍ଠା ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ମଲାଲା ୟୁସୁଫଜାଇଙ୍କ ବକ୍ତବ୍ୟ କହିଥାଏ ଯେ ତାଙ୍କ ଲାଗି ‘ମଥା ଓଢ଼ଣି’ ମହିଳା ନିପୀଡ଼ନ ବା ପଶ୍ଚାତ୍‌ମୁଖୀ ରକ୍ଷଣଶୀଳତାର ଚିହ୍ନ ନୁହେଁ; ବର˚, ସୁନ୍ନୀ ସ˚ପ୍ରଦାୟ ଏବ˚ ପଖତୁନ ଜାତିର ସଦସ୍ୟ ରୂପେ ଏହା ତାଙ୍କ ଲାଗି ଏକ ପରିଚୟ ବହନକାରୀ ସମ୍ମାନଜନକ ପରିଧାନ। ଏଠାରେ ପ୍ରଣିଧାନଯୋଗ୍ୟ ଯେ ମଲାଲାଙ୍କୁ କସ୍ମିନ କାଳେ ଜଣେ ପଶ୍ଚାତ୍‌ମୁଖୀ ମହିଳା ଭାବେ ଅଭିହିତ କରାଯାଇ ନ ପାରେ! ଏଭଳି ସ୍ଥଳେ ‘ହିଜାବ’ ପରିଧାନକୁ ନେଇ ବିତର୍କ ଯେ ଏକ ଅଲରା ଜଟ ତହିଁରେ ସନ୍ଦେହ ନାହିଁ।

ଏଥିରେ କୌଣସି ସନ୍ଦେହ ନାହିଁ ଯେ ସୁପ୍ରିମ୍‌ କୋର୍ଟର ମାନ୍ୟବର ବିଚାରପତି ଦ୍ବୟ ଅତ୍ୟନ୍ତ ବିଜ୍ଞ ଓ ବିଚାରଶୀଳ ଏବ˚ ଗଭୀର ମନନ ପରେ ଯାଇ ସେମାନେ ନିଜ ନିଜର ନିଷ୍ପତ୍ତି ଶୁଣାଇଛନ୍ତି। ଏହା ହିଁ ଏକ ପ୍ରମାଣ ଯେ ଏ ସ˚ଦର୍ଭରେ କୌଣସି ବିଦଗ୍‌ଧ ବିତର୍କ ଦୀର୍ଘ ଏବ˚ ଅସମାହିତ ହୋଇ ରହିଯାଇପାରେ। ସୁତରା˚, ଏକ ସ୍ପଷ୍ଟ ଅଦାଲତୀ ରାୟ ଲାଗି ଅଛିଣ୍ତା ସ˚ଖ୍ୟକ ବିଚରପତିଙ୍କୁ ନେଇ ଗଠିତ ଖଣ୍ତପୀଠର ନିତାନ୍ତ ଆବଶ୍ୟକତା ରହିଛି। କିନ୍ତୁ ଯଦି ଏଭଳି ଏକ ଖଣ୍ତପୀଠରେ ଭିନ୍ନ ମତ ପୋଷଣ କରୁଥିବା ବିଚାରପତିମାନଙ୍କ ସ˚ଖ୍ୟାର ପ୍ରଭେଦ ଅତ୍ୟନ୍ତ ସ˚କୀର୍ଣ୍ଣ ହୁଏ, ତେବେ ରାୟକୁ ଗ୍ରହଣ କରାଯାଉଥିବା ସତ୍ତ୍ବେ ଏଭଳି ଭାବନା ମଧୢ ଉଠିପାରେ ଯେ ଯଦି ଆଉ ଜଣେ କେହି ବିଚାରପତି ରହିଥାଆନ୍ତେ, ତେବେ ହୁଏ’ତ ଏକ ସ˚ପୂର୍ଣ୍ଣ ଭିନ୍ନ ରାୟ ମିଳିଥାଆନ୍ତା। ଏହା ହିଁ ହେଉଛି ଏହି ପ୍ରସଙ୍ଗର ଜଟିଳତା। କାରଣ ସ୍କୁଲରେ ‘ହିଜାବ’ ପରିଧାନ ଉପରେ ନିଷେଧାଦେଶ କେବଳ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଧର୍ମୀୟ ଭାବନା ବା କୌଣସି ରାଜନୈତିକ ଦଳର ଅଭୀଷ୍ଟ ପୂରଣ ଭଳି ପ୍ରସଙ୍ଗ ସହିତ ସ˚ପୃକ୍ତ ନୁହେଁ, ଏଥିରେ ଲିଙ୍ଗଗତ ପାତରଅନ୍ତର ବା ଶିକ୍ଷା ଲାଭ କରିବାର ମୌଳିକ ଅଧିକାର ଭଳି ସୂକ୍ଷ୍ମ ନାଗରିକ ପ୍ରସଙ୍ଗ ମଧୢ ଜଡ଼ିତ।