ଦୀପାବଳି ଭଳି ପର୍ବ ପାଳନ କଲା ବେଳେ ନୂତନ ବସ୍ତ୍ର ପରିଧାନ କରିବା ସହିତ ଘର ସଜାଇବା ବା ପିଠାପଣା ଖାଇବା ଏବଂ ବନ୍ଧୁବାନ୍ଧବଙ୍କ ସହିତ ଉଲ୍ଲସିତ ହେବା ଭିତରେ ଆମେ ମଜ୍ଜି ଯାଉ। କିନ୍ତୁ ଆମ ଭିତରୁ ସମେସ୍ତ ନୂତନ ବସ୍ତ୍ର ପିନ୍ଧି ପାରନ୍ତି ନାହିଁ ଅବା ଦୀପାବଳିରେ ଫୁଲଝରିଟିଏ ମଧ୍ୟ ଘରକୁ ଆଣି ପାରନ୍ତି ନାହିଁ। ଏହାର କାରଣ ଉତ୍କଟ ଦାରିଦ୍ର୍ୟ। ସେହି କାରଣରୁ କିଏ ଓଳିଏ ଉପାସ ରହି ଶୋଇବାକୁ ଯାଏ ତ ଶୀତ ରାତିରେ କିଏ ଶରୀର ଢାଙ୍କିବା ପାଇଁ କମ୍ବଳଟିଏ ପାଏ ନାହିଁ ବା କିଏ ନିଜ ପିଲାଙ୍କ ପାଦରେ ହଳେ ଜୋତା ମଧ୍ୟ ଦେଇ ପାରେ ନାହିଁ। ଏଭଳି ବୈଷମ୍ୟ ଭିତରେ ଆମେ ଦେଖୁଁ ଯେ କାହା ପାଖରେ ଦରକାର ଠାରୁ ଅଧିକ ଅଛି ତ କାହା ପାଖରେ ସର୍ବନିମ୍ନ ଆବଶ୍ୟକତା ପୂରଣ ଲାଗି ସାଧନ ନାହିଁ। ସୁତରାଂ, ଯାହାଙ୍କ ପାଖରେ ଉଦ୍ବୃତ୍ତ କିଛି ଥାଏ, ତାହାକୁ ଅଭାବୀମାନଙ୍କୁ ଦେଇ ଦେବାର ଇଚ୍ଛା ଏକ ଅତ୍ୟନ୍ତ ମହନୀୟ ଭାବନା ନୁହେଁ କି?
ଆମମାନଙ୍କ ଭିତରୁ ଅନେକଙ୍କ ଘରେ ପିଲାର ପୁରୁଣା ସାଇକେଲ୍, ଅବ୍ୟବହୃତ ଟେବୁଲ୍ ପଙ୍ଖା ବା କପ୍ ପ୍ଲେଟ ଓ ଚାମଚ ବା ଅନ୍ୟାନ୍ୟ ଘରକରଣା ଜିନିଷ ଓ ପିନ୍ଧା ଯାଉ ନ ଥିବା ପୋଷାକପତ୍ର ଥାଏ। ସତ କହିଲେ ଏ ସବୁ ଆମ ପାଇଁ ବୋଝ ସଦୃଶ ହୋଇଥିଲେ ହେଁ ସେହି ସବୁ ଜିନିଷକୁ କାହାକୁ ଦେଇ ଦେବା ଲାଗି ସୁଯୋଗ ବା କାରଣଟିଏ ଅନେକ ସମୟରେ ଜୁଟି ନ ଥାଏ। ସେହି ଦୃଷ୍ଟିରୁ ଗଲା ଅକ୍ଟୋବର ମାସ ୨ରୁ ୮ ତାରିଖ ପର୍ଯ୍ୟନ୍ତ ପାଳିତ ହୋଇଯାଇଥିବା ପ୍ରାୟ ସପ୍ତାହ ବ୍ୟାପୀ ‘ଦାନ ଉତ୍ସବ’ ଯେ ଏକ ସୁଯୋଗ ସୃଷ୍ଟି କରିଥିଲା, ତାହା କହିବା ବାହୁଲ୍ୟ ମାତ୍ର।
ହୁଏ’ତ ଅନେକ ଜାଣି ନ ଥିବେ ଯେ ୨୦୦୯ ମସିହାରୁ ଆମ ଦେଶରେ ଏହି ଉତ୍ସବ ପାଳିତ ହୋଇ ଆସୁଛି। ତେବେ, ଆଗରୁ ଏହା ମାତ୍ର କିଛି ସହର ମଧ୍ୟରେ ସୀମିତ ଥିଲା; ଯାହା ଏବେ ବ୍ୟାପକ ହୋଇଛି ଏବଂ ବହୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏଥିରେ ସଂଶ୍ଳିଷ୍ଟ ହୋଇଛନ୍ତି। ସେମାନେ ବିଭିନ୍ନ ସୂତ୍ରରୁ ଏଭଳି ଦ୍ରବ୍ୟ ଯୋଗାଡ଼ କରି ସେ ସବୁକୁ ଠୁଳ କରନ୍ତି ଏବଂ ଲୋଡୁ ଥିବା ଲୋକଙ୍କ ନିକଟରେ ପହଞ୍ଚାନ୍ତି। ଦିଲ୍ଲୀର ‘ଗୁଞ୍ଜ’ ନାମକ ସଂସ୍ଥା ଏଥିରେ ଖୁବ୍ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିଛି, ଯାହାର ମୁଖ୍ୟ ଅଂଶୁ ଗୁପ୍ତା ଏହି କାର୍ଯ୍ୟ ପାଇଁ ନିକଟରେ ‘ରମନ ମାଗସେସେ’ ପୁରସ୍କାର ମଧ୍ୟ ଲାଭ କରିଛନ୍ତି। ତାଙ୍କ ଅନୁଷ୍ଠାନ ଦ୍ବାରା ସଂଗୃହୀତ ଦ୍ରବ୍ୟଗୁଡ଼ିକୁ ବାଛି ସଜାଡ଼ି ବ୍ୟବହାର ଉପଯୋଗୀ କରାଯାଏ। ଦରକାର ପଡ଼ିଲେ ଏଥିରୁ ସ୍କୁଲ ବ୍ୟାଗ, ମସିଣା, ଟୋପି ପ୍ରଭୃତି ତିଆରି ମଧ୍ୟ କରାଯାଏ ଏବଂ ‘କ୍ଲଥ ଫର ଵର୍କ’ କାର୍ଯ୍ୟକ୍ରମ ଜରିଆରେ ଗ୍ରାମାଞ୍ଚଳରେ ବଣ୍ଟନ କରାଯାଇଥାଏ।
ଏବେ ଏହି କାର୍ଯ୍ୟକ୍ରମରେ ସ୍କୁଲ ପିଲାମାନେ ସଂପୃକ୍ତ ହେଲେଣି। କୌଣସି ବିଦ୍ୟାଳୟରେ ଲାଇବ୍ରେରି ପ୍ରତିଷ୍ଠା କରିବା ବା ଶୌଚାଳୟ ତିଆରି କରିବା କିଂବା ଖେଳନା ବଣ୍ଟନ କରିବା ଅଥବା ଉପହାର ପ୍ରଦାନ କରିବା ଭଳି କାର୍ଯ୍ୟ ଏହି ଛାତ୍ରଛାତ୍ରୀମାନେ କରୁଛନ୍ତି। ଏଭଳି ଭାବନା ଅନ୍ୟ ସ୍ତରକୁ ମଧ୍ୟ ଛୁଇଁଲାଣି। ଯେମିତି କି ଭୁବନେଶ୍ବରର କିଛି ହୃଦୟବାନ ଅଟୋ ଚାଳକ ବସ୍ତିରେ ଥିବା ବୃଦ୍ଧ, ଅସହାୟ ଓ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ପୁରୀ ବୁଲାଇ ନେବା ବା ଦରିଦ୍ର ବିଧବାମାନଙ୍କୁ ଭୁବନେଶ୍ବରର ବିଭିନ୍ନ ମନ୍ଦିର ପରିଦର୍ଶନ କରାଇବାର ବ୍ୟବସ୍ଥା କରିଛନ୍ତି। ଦେଶର ବିଭିନ୍ନ ସହରରେ ଭିନ୍ନ ଭିନ୍ନ ବୃତ୍ତି, ଶ୍ରେଣୀ ଓ ବର୍ଗର ଲୋକଙ୍କ ଦ୍ବାରା ଏ ଦିଗରେ ଆଗ୍ରହ ଏବଂ ଉତ୍ସାହ ପରିଲକ୍ଷିତ ହେଲାଣି।
ଏହି ଉତ୍ସବ ପାଳନ କେବଳ ସାମଗ୍ରୀରେ ସୀମିତ ହୋଇ ରହିନାହିଁ, ଏହା ‘ଜ୍ଞାନ ଦାନ’ ଯାଏଁ ପ୍ରସାରିତ ହୋଇସାରିଛି। କେତେକ ବିଦ୍ୟାଳୟରେ ଇଚ୍ଛୁକ ବ୍ୟକ୍ତିମାନେ ପିଲାମାନଙ୍କୁ କିଛି ବିଶେଷ ଜ୍ଞାନ ବିତରଣ କରିବା ପାଇଁ ଉତ୍ସାହୀ ହୋଇଛନ୍ତି; ଯେଉଁମାନଙ୍କ ଭିତରେ ଅଛନ୍ତି ଶିକ୍ଷାବିତ୍, ବୈଜ୍ଞାନିକ, ଲେଖକ, ପ୍ରାଣୀ ବିଶେଷଜ୍ଞ ଇତ୍ୟାଦି ଏବଂ ସେମାନେ ନିଜ ଖର୍ଚ୍ଚରେ ଏହି କାର୍ଯ୍ୟ ସଂପାଦନ କରୁଛନ୍ତି।
‘ଦାନ ଉତ୍ସବ’ର ସବୁଠାରୁ ବଡ଼ ବିଶେଷତ୍ବ ହେଲା ଏହା କେବଳ ଅର୍ଥ, ଜ୍ଞାନ, ସେବା ପ୍ରଭୃତିରେ ସୀମିତ ନୁହେଁ। ଯିଏ ଯେମିତି ଚାହିଁବେ ଦାନ ଦେଇ ଏହି ଉତ୍ସବକୁ ପାଳନ କରିପାରିବେ। ଓଡ଼ିଆରେ କଥାଟିଏ ଅଛି- ‘ଦେଇଥିଲେ ପାଇ’। ଦେବାର ଭାବନା ଦ୍ବାରା ଆମକୁ ଯାହା ମିଳେ ତାହା ହେଉଛି ଅନିର୍ବଚନୀୟ ତୃପ୍ତି। ସୁତରାଂ, ‘ଦେବା ଓ ଆନନ୍ଦ ପାଇବା’ର ଭାବନାକୁ କେନ୍ଦ୍ର କରି ଗଢ଼ି ଉଠିଥିବା ଦାନ ଉତ୍ସବ ଏବଂ ଏଥିରୁ ଜାତ ଉତ୍ସାହ ଯେ ଆମମାନଙ୍କୁ ଜଣେଜଣେ ଉତ୍ତମ ମନୁଷ୍ୟରେ ପରିଣତ କରିବ ଏଥିରେ ସନ୍ଦେହ ନାହିଁ।
ମୋ: ୯୮୬୧୦୩୦୬୨୩