ରାଜାଙ୍କ ବିଦୂଷକ ରାଜାଙ୍କ ଭାରି ପ୍ରିୟ। ଥରେ ସେ ଏକ ଅଭିଯୋଗ ନେଇ ରାଜାଙ୍କ ପାଖକୁ ଗଲା। ରାଜା ସବୁ ଶୁଣିବା ପରେ ଶୁଷ୍କ ଭାବେ କହିଲେ- ହଉ, ଯାଅ।
ରାଜାଙ୍କ ମୁହଁରୁ ଏତିକି ମାତ୍ର ଶୁଣି ବିଦୂଷକ ନିରାଶ ହେଲା ଓ ମୁହଁ ଫୁଲାଇ କହିଲା- ହଜୁର, ଆପଣଙ୍କ ଠାରୁ ଏମିତି ଗୋଟିଏ ଶୁଖିଲା ‘ହଉ ଯାଅ’ ଶୁଣିବାକୁ ଏ ଅଭିଯୋଗ ଆଣି ନ ଥିଲି।
ବିଦୂଷକ ଭାବୁଥିଲା ଯେ ରାଜାଙ୍କ ସହିତ ସବୁ କିଛି ଚଳିଯିବ। କିନ୍ତୁ ରାଜାଙ୍କ ଚେହେରା ବଦଳିଗଲା। ତାଙ୍କ ମୁଖମଣ୍ତଳ କଠିନ ହୋଇଗଲା। ସେ ଚିତ୍କାର କରି ଡାକିଲେ- ଏତେ ବହପ? ମୋତେ ନୀତି ଶିକ୍ଷା ଦେଉଛୁ। କିଏ ଅଛରେ ୟାକୁ ବାନ୍ଧ। ୟେ ରାଜଦ୍ରୋହ କରିଛି। ୟାକୁ ଫାଶୀ ଦରକାର।
ବିଦୂଷକ ହାଁ ହାଁ କରୁ କରୁ ତାକୁ ବାନ୍ଧି ଦିଆଗଲା। ରାଜା କହି ଚାଲିଥାଆନ୍ତି- ଛୋଟ ଲୋକକୁ ପ୍ରଶ୍ରୟ ଦେଲେ ଏମିତି ଦିନ ଦେଖିବାକୁ ମିଳେ। ଆଜି କଥାରେ କହୁଛି, କାଲି ପାହାରେ ଦେବ! ଫାଶୀ ପାଇଁ ବ୍ୟବସ୍ଥା ଏବେ କର। ୟେ ଫାଶୀରେ ଝୁଲିଲା ପରେ ଯାଇ ଯେଉଁ କଥା।
ବିଦୂଷକର ଅକଲ ଗୁଡୁମ। ସେ କାନ୍ଦୁ ଥାଏ ଓ ନିଜକୁ ନିଜେ କହୁଥାଏ- ‘କି ଭୁଲ୍ କଲି?’
ଚାହୁଁ ଚାହୁଁ ସବୁ ପ୍ରସ୍ତୁତି ସରିଗଲା। ବିଦୂଷକକୁ ଫାଶୀ ଖୁଣ୍ଟ ଆଡ଼କୁ ଟାଣି ନିଆଗଲା। ସେ ଖାଲି ହଜୁର, ହଜୁର ଦୟା କରନ୍ତୁ ବୋଲି କହି କାନ୍ଦୁଥାଏ। ତା ବେକରେ ଦଉଡ଼ିର ଫାଶ ଗଳାଇ ଦିଆଗଲା। ବିଦୂଷକ ଏବେ ନିଜର ଶେଷ ନିଃଶ୍ବାସ ଗଣିବାକୁ ଆରମ୍ଭ କଲା।
ଏଇ ସମୟରେ ରାଜା ହଠାତ୍ କହିଲେ- ରହ।
ସବୁ ଅଟକି ଗଲା। ଏବେ ରାଜା କହିଲେ- ଏବେ ଯାଅ।
ବିଦୂଷକ ଦଉଡ଼ି ଆସି ରାଜାଙ୍କ ଗୋଡ଼ ତଳେ ପଡ଼ିଯାଇ କହିଲା- ‘ହଜୁର, ଆପଣଙ୍କ ଦୟା ଭୁଲିବି ନାହିଁ।’ ଏବେ ଆପଣଙ୍କ ‘ହଉ ଯାଅ’ ଭାରି ବଢ଼ିଆ ଶୁଭିଲା।