ରାମାନୁଜ ତାଙ୍କର ବ୍ରହ୍ମ ସୂତ୍ର ଭାଷ୍ୟରେ ବେଦ-ବିରୋଧୀ କାପାଳିକ ଓ କାଳମୁଖମାନଙ୍କ ସମ୍ବନ୍ଧରେ ଉଲ୍ଲେଖ କରିଥିବା ସୁବିଦିତ। ଭବଭୂତିଙ୍କର ‘ମାଳତୀ-ମାଧବ’ରେ ମଧ୍ୟ କାପାଳିକମାନଙ୍କ ସମ୍ବନ୍ଧରେ ଉଲ୍ଲେଖ ରହିଛି। ଶଙ୍କରଙ୍କ ସମସାମୟିକ ଓ ଜୀବନୀକାର ଆନନ୍ଦଗିରି ମଧ୍ୟ ତାଙ୍କର ରଚନାରେ ଦୁଇଟି ସମ୍ପ୍ରଦାୟର କାପାଳିକମାନଙ୍କ ସମ୍ବନ୍ଧରେ ଉଲ୍ଲେଖ କରିଛନ୍ତି। ଏହି କାପାଳିକ କିମ୍ବା କାଳମୁଖମାନଙ୍କର କୌଣସି ସ୍ବତନ୍ତ୍ର ନିର୍ଦ୍ଦିଷ୍ଟ ଦାର୍ଶନିକ ଆଭିମୁଖ୍ୟ ଥିବା ସମ୍ବନ୍ଧରେ କେହି କହି ନାହାନ୍ତି, କିନ୍ତୁ ଏତିକି କୁହାଯାଇଛି ଯେ ସେମାନେ ସଂହାରକର୍ତ୍ତା ରୂପେ ବିବେଚନା କରୁଥିବା ଭୈରବଙ୍କର ଆରାଧନା କରିଥାନ୍ତି, ଯାହାଙ୍କୁ ମଧ୍ୟ ସେମାନେ ସଂସାରର ସୃଷ୍ଟିକର୍ତ୍ତା ଓ ପାଳନକର୍ତ୍ତା ରୂପେ ବିଶ୍ବାସ କରିଥାନ୍ତି। ସେମାନେ ‘କର୍ମ’ରେ ବିଶ୍ବାସ କରୁନଥିଲେ ଏବଂ ଭୈରବଙ୍କ ଇଚ୍ଛାକୁ ଅନୁସରଣ କରି ଅନ୍ୟାନ୍ୟ ଗୌଣ ଦେବଦେବୀମାନେ ସଂସାରରେ ସମସ୍ତ ଘଟଣାମାନଙ୍କୁ ନିୟନ୍ତ୍ରଣ କରିଥାନ୍ତି ବୋଲି ବିଶ୍ବାସ କରିଥାନ୍ତି।

Advertisment

ପ୍ରସିଦ୍ଧ ଇତିହାସ ଗବେଷକ ସାର୍‌ ଆର୍‌ ଜି ଭଣ୍ଡାରକର ବିଶ୍ବାସ କରୁଥିଲେ ଯେ କାଳମୁଖମାନଙ୍କର ଅନ୍ୟ ପରିଚୟ ଥିଲା- ‘ମହାବ୍ରତଧର’। ସେମାନେ ଧାରଣ କରୁଥିବା ମହାବ୍ରତର ଅଂଶ ଥିଲା ମନୁଷ୍ୟ ଖପୁରିକୁ ପାତ୍ର ରୂପେ ବ୍ୟବହାର କରି ସେଥିରୁ ଖାଦ୍ୟ ଗ୍ରହଣ କରିବା, ମନୁଷ୍ୟର ଚିତାଭସ୍ମକୁ ବିଭୂତି ଭାବରେ ଶରୀରରେ ବୋଳିବା ଇତ୍ୟାଦି। ମଦ୍ୟପାନ, ଯୌନ ସମ୍ଭୋଗ ସହିତ ଯେଉଁ ମାଂସ ଭକ୍ଷଣ ମଧ୍ୟ ଏହି କାପାଳିକ ଓ କାଳମୁଖମାନଙ୍କର ପୂଜାବିଧିର ଅଂଶ ଥିଲା, ସେଥିରେ ନରମାଂସ ମଧ୍ୟ ଅନ୍ତର୍ଭୁକ୍ତ ଥିଲା। କୌଣସି କାରଣରୁ ଏହି ସବୁ ପ୍ରଥା କ୍ରମେ ତାନ୍ତ୍ରିକ ପୂଜାବିଧିର ଅଂଶ ପାଲଟିଗଲା। ‘ଏନ୍‌ସାଇକ୍ଲୋପିଡିଆ ଅଫ୍‌ ରିଲିଜିଅନ୍‌ ଆଣ୍ଡ ଏଥିକ୍‌ସ’ (‘ଧର୍ମ ଓ ‌ନୀତିଶାସ୍ତ୍ର ଜ୍ଞାନକୋଷ’)ରେ ପ୍ରଶାସକ ତଥା ଭାରତବିତ୍‌ ଆର୍‌ ଡବ୍‌ଲ୍ୟୁ ଫ୍ରେଜର୍‌ ପ୍ରଦାନ କରିଥିବା ବର୍ଣ୍ଣନା ଅନୁସାରେ ଊନବିଂଶ ଶତାବ୍ଦୀର ଶେଷ ଭାଗରେ ମଧ୍ୟ ଦକ୍ଷିଣ ଭାରତର କେତେକ ଜଣାଶୁଣା ମନ୍ଦିରରେ ଉପରୋକ୍ତ ପ୍ରାଚୀନ ପରମ୍ପରାକୁ ସ୍ବୀକୃତି ପ୍ରଦାନ ସ୍ବରୂପ ବର୍ଷରେ ଥରେ ମଦମତ୍ତ ରକ୍ତାକ୍ତ ବିଧିରେ ପୂଜାର୍ଚ୍ଚନା କରାଯାଉଥିଲା।

ଇତି ମଧ୍ୟରେ ଶହେ ବର୍ଷରୁ ଅଧିକ କାଳ ବିତି ଗଲାଣି (ଫ୍ରେଜର୍‌ଙ୍କ ସମୟ ପରେ) ଏବଂ ଅନେକ ପ୍ରାଚୀନ ପରମ୍ପରା ଓ ଅନ୍ଧବିଶ୍ବାସମାନଙ୍କୁ ପରିତ୍ୟାଗ କରି ଭାରତୀୟମାନେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସାରା ପୃଥିବୀରେ ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି କରିସାରିଲେଣି। କିନ୍ତୁ ତାହା ସତ୍ତ୍ବେ କେରଳରେ ଏବେ ଘଟିଥିବା ଯେଉଁ ନରବଳି (ନାରୀବଳି) ଘଟଣା ସାରା ଦେଶକୁ ସ୍ତବ୍‌ଧ କରି ଦେଇଛି, ତାହା ଯେଉଁ ନିଶ୍ଚିତ ସୂଚନା ବହନ କରିଥାଏ, ତାହା ହେଲା ଆଜିର ଭାରତୀୟ ସମାଜରେ ସିନା ପ୍ରାଚୀନ କାଳର କାପାଳିକ କିମ୍ବା କାଳମୁଖ ବେଶରେ କେହି ଆତଯାତ ହେବା ଦେଖା ଯାଉନାହିଁ, କିନ୍ତୁ ଜାତି ଧର୍ମ ନିର୍ବିଶେଷରେ ତଥାପି ଏପରି କେତେକ ଲୋକ ଅଛନ୍ତି, ଯେଉଁମାନଙ୍କର ମସ୍ତିଷ୍କ ରହିଛି ସେଇ ଭୈରବଙ୍କର ନିୟନ୍ତ୍ରଣରେ। ହେତୁବାଦକୁ ସମ୍ପୂର୍ଣ୍ଣ ପରିତ୍ୟାଗ କରି ଏମାନେ କୌଣସି ପାର୍ଥିବ ଅଭୀଷ୍ଟ ହାସଲ କରିବା ଉଦ୍ଦେଶ୍ୟରେ (ଧନ ସମ୍ପଦ, କ୍ଷମତା ଇତ୍ୟାଦି) କପୋଳକଳ୍ପିତ ତାନ୍ତ୍ରିକ ପଦ୍ଧତି ଅନୁସରଣ କରି କେବଳ ନରବଳି ଆୟୋଜନ କରନ୍ତି, ତାହା ନୁହେଁ, ଭୈରବଙ୍କ ପ୍ରସାଦ ସ୍ବରୂପ ନରମାଂସ ଭକ୍ଷଣ କରିବାକୁ ମଧ୍ୟ ପଛାଇ ନ ଥାନ୍ତି। ଏଠାରେ ଅବଶ୍ୟ ଭୈରବଙ୍କ ସ୍ଥାନ ନେଇଛନ୍ତି କୌଣସି ଏକ ଦେବୀ।

ପ୍ରକାଶିତ ସମ୍ବାଦ ଅନୁସାରେ ଏକ ଦମ୍ପତି ଭାଗବଲ ସିଂହ ଓ ତା’ର ପତ୍ନୀ ଲଇଲା ନିଜର ଆର୍ଥିକ ସମୃଦ୍ଧି ହାସଲ ଆଶାରେ ମୁଖ୍ୟ ଅଭିଯୁକ୍ତ ତାନ୍ତ୍ରିକ ମହମ୍ମଦ ସାଫି ସହାୟତାରେ ବିଭିନ୍ନ ସମୟରେ ଦୁଇ ଜଣ କର୍ମଜୀବୀ ମହିଳାଙ୍କୁ ଭୁଲାଇ ଆଣି ସେମାନଙ୍କୁ ସାଫି ଦ୍ବାରା ଅମାନୁଷିକ ଯୌନ ଉତ୍ପୀଡ଼ନ ସହ ବୀଭତ୍ସ ଭାବରେ ହତ୍ୟା କରିବା ସହିତ ସେମାନଙ୍କର ଶରୀରକୁ କାଟି ଖଣ୍ଡବିଖଣ୍ଡିତ କରି ଦେଇଥିଲେ ଓ କିଛି ଅଂଶକୁ ତାନ୍ତ୍ରିକ ସାଫିର ନିର୍ଦ୍ଦେଶରେ ରନ୍ଧନ କରି ଭକ୍ଷଣ କରିଥିଲେ। କେରଳର ଏଲାନ୍ଥୁର୍‌ଠାରେ ଘଟିଥିବା ଏହି ପୈଶାଚିକ ଘଟଣା ସମଗ୍ର ଦେଶବାସୀଙ୍କୁ ହତଭମ୍ଭ କରି ଦେଇଥିବା ଏକ ଚରମ ବେଦନାଦାୟକ ସଦ୍ୟତମ ଘଟଣା ହୋଇଥିଲେ ହେଁ, ଦୁର୍ଭାଗ୍ୟଜନକ ଭାବରେ ଏହା ଆଦୌ ବିରଳ ନୁହେଁ। ଏକ ଉଦାହରଣ ସ୍ବରୂପ ଏଇମାତ୍ର ଦଶହରା ସମୟରେ ଦିଲ୍ଲୀର ଲୋଧି କଲୋନିରେ ଦୁଇଜଣ ଯୁବକ ଏକ ଛ’ବର୍ଷର ଶିଶୁକୁ ବଳି ସ୍ବରୂପ ହତ୍ୟା କରିି‌ଥିଲେ। ଅଭିଯୁକ୍ତ ଯୁବକ ଦ୍ବୟ ପୁଲିସକୁ କହିଥିଲେ ଯେ ସେମାନେ ଧନପ୍ରାପ୍ତି ଆଶାରେ ଗଞ୍ଜେଇ ନିଶାରେ ଥିବା ସମୟରେ ଦୈବୀ ଆଦେଶ ପାଇ ଶିଶୁଟିକୁ ହତ୍ୟା କରିଥିଲେ।

ଏଭଳି ନରବଳି ଆମର ମାନବୀୟ ଅନ୍ତରାତ୍ମାକୁ ଦୋହଲାଇ ଦେଉଥିଲେ ହେଁ, ସତକଥା ହେଲା ଏ ସୃଷ୍ଟିର ଅନେକ ବିକୃତି ଭଳି ପ୍ରାଗୈତିହାସିକ କାଳରୁ କେବଳ ଭାରତର କାପାଳିକମାନଙ୍କ ମଧ୍ୟରେ ନୁହେଁ, ପୃଥିବୀର ପ୍ରାୟ ସମସ୍ତ ସମାଜ ଓ ଧର୍ମରେ ନରବଳି ପ୍ରଥା‌ ଅନୁସୃତ ହେବା ଦେଖା ହୋଇଆସିଛି। ପ୍ରସିଦ୍ଧ ବିବର୍ତ୍ତନ ଜୀବବିଜ୍ଞାନୀ ରିଚାର୍ଡ ଡକିନ୍‌ସ ଓଲ୍‌ଡ ଟେଷ୍ଟାମେଣ୍ଟ୍‌ର ଈଶ୍ବରଙ୍କୁ ଯେଉଁ ସମସ୍ତ ଅରୁଚିକର ବିଶେଷଣରେ ଭୂଷିତ କରି ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ, ସେଥି ମଧ୍ୟରେ ଅନ୍ୟତମ ଥିଲା-‘ରକ୍ତପିପାସୁ’। କେନ୍ଦ୍ରୀୟ ଆମେରିକାର ପ୍ରାଚୀନ ଆଜଟେକ୍‌ ଓ ମାୟା ସଭ୍ୟତାରେ ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଯେଉଁ ନରବଳି ଦିଆଯାଉଥିଲା ତାହାର ଅମାନୁଷିକ ନିଷ୍ଠୁରତା କେରଳ ବଳିଠାରୁ ଆହୁରି ହୃଦୟ ବିଦାରକ ଥିଲା ବୋଲି କେହି କେହି କହି ପାରନ୍ତି। ବଳି ପାଇଁ ଉଦ୍ଦିଷ୍ଟ ବ୍ୟକ୍ତିକୁ ମନ୍ଦିର ମଣ୍ଡପରେ ଚିତ୍‌ କରି ଶୁଆଇ ଦିଆଯାଇ ତା’ର ସଚେତନ ଅବସ୍ଥାରେ ତା’ର ଛାତି ଚିରି ହୃତ୍‌ପିଣ୍ଡକୁ ତାଡ଼ି ବାହାର କରି ଆଣି ତାହା ଧକ୍‌ ଧକ୍‌ ହେଉଥିବା ଅବସ୍ଥାରେ ଦେବତାଙ୍କୁ ପ୍ରସାଦ ରୂପେ ଅର୍ପଣ କରାଯାଉଥିଲା ଓ ପରେ ଭକ୍ତିମାନେ ତାହାକୁ ପ୍ରସାଦ ରୂପେ ସେବନ କରୁଥିଲେ।

ବ୍ରିଟିସ ଦ୍ବୀପପୁଞ୍ଜ ଓ ଇଉରୋପର ‘ପିଟ୍‌ ବଗ୍‌’ମାନଙ୍କରେ କାଠ ମୂର୍ତ୍ତିମାନଙ୍କ ସହିତ ବଳି ଦିଆଯାଇଥିବା ମନୁଷ୍ୟ ଶରୀରର ଅବ‌େଶଷ ପୋତା ଯାଇଥିବା ଆବିଷ୍କାର କରାହୋଇଛି। ଚୀନ୍‌ ଓ ମିଶରରେ ଶାସକମାନଙ୍କ ସମାଧି ନିକଟରେ ସମାଧି ପାଇଥିବା ଶହ ଶହ ଜୀବନ୍ତ ବ୍ୟକ୍ତିଙ୍କ ଶରୀରର ଅବଶେଷ ଆବିଷ୍କୃତ ହୋଇଛି। ଏହି ହତଭାଗ୍ୟମାନେ ଜୀଅନ୍ତା କବର ପାଇଥିବା ଯୋଗୁଁ ସେମାନଙ୍କର ଆତ୍ମା ସେପାରିରେ ମଧ୍ୟ ସମ୍ପୃକ୍ତ ରାଜା ବା ଶାସକଙ୍କର ସେବା କରିପାରିବେ ବୋଲି ବିଶ୍ବାସ କରାଯାଉଥିଲା।

ଏପରିକି ପ୍ରଶାନ୍ତ ମହାସାଗରୀୟ ଦ୍ବୀପମାନଙ୍କ ଭଳି ସମ୍ପୂର୍ଣ୍ଣ ବିଚ୍ଛିନ୍ନ ଭୌଗୋଳିକ ଅଞ୍ଚଳ‌ମାନଙ୍କରେ ଛୋଟ ବଡ଼ ଜନବସତିମାନଙ୍କରେ ମଧ୍ୟ ନରବଳି ପ୍ରଥା ଅନୁସୃତ ହେବାର ପ୍ରମାଣ ଗବେଷକମାନେ ଆବିଷ୍କାର କରିଛନ୍ତି। ସେଠାରେ ଯେଉଁ ସବୁ ଅବସରରେ ନରବଳି ପ୍ରଦାନ କରା ହେବା ବିଧି ଥିଲା, ସେଥିରେ ଅନ୍ତର୍ଭୁକ୍ତ ଥିଲା- ମୁଖିଆଙ୍କ ମୃତ୍ୟୁ, ଗୃହ ନିର୍ମାଣ, ନୌକା ନିର୍ମାଣ, ଯୁଦ୍ଧ ପାଇଁ ପ୍ରସ୍ତୁତି, କୌଣସି ମହାମାରିର ଆବିର୍ଭାବ ଏବଂ କୌଣସି ଗୁରୁତ୍ବପୂର୍ଣ୍ଣ ସାମାଜିକ ପରମ୍ପରାର ଉଲ୍ଲଂଘନ। ବଳି ପାଇଁ ଅନୁସୃତ ପଦ୍ଧତି ମଧ୍ୟ ଭିନ୍ନ ଭିନ୍ନ ଥିଲା- ଶ୍ବାସରୋଧ, ପ୍ରହାର, ଦହନ, ଜୀବନ୍ତ ସମାଧି, ସଲିଳ ସମାଧି ଇତ୍ୟାଦି। ବେଳେବେଳେ ଏକ ନବନିର୍ମିତ ନୌକା ତଳେ ଚାପି ଦିଆଯାଇ ବଳି ପାଇଁ ଉଦ୍ଦିଷ୍ଟ ବ୍ୟକ୍ତିର ପ୍ରାଣ ନାଶ କରାଯାଇଥାଏ ଓ ଏକ ନବନିର୍ମିତ ଗୃହର ଛାତ ଉପରୁ ତାକୁ ତଳକୁ ଫିଙ୍ଗି ଦେବା ପରେ ତା’ର ଶିର ଛେଦନ କରାଯାଇଥାଏ।

ସଭ୍ୟତାର ପ୍ରସାର ସହିତ ପୃଥିବୀ ସାରା ଏହି ବର୍ବର ପ୍ରଥାରେ ବିରତି ଘଟିଛି; କିନ୍ତୁ ସୁଯୋଗ ପାଇଲେ ନରବଳି ପାଇଁ ରଡ଼ି ଦେଇ ନିଜର ପରାକ୍ରମ ଦେଖାଇବା ପାଇଁ ମନୁଷ୍ୟର ମନଗହନରେ ଭୈରବ ଯେ ଲୁଚି ବସିଛନ୍ତି, କେରଳ ଘଟଣା ଆମକୁ ତାହା ସୂଚାଇ ଦେଇଥାଏ। ସେଇଥି ପାଇଁ କେରଳରେ ଶାସକ ବାମଦଳ ଏକ ବକ୍ତବ୍ୟ ଜାରି କରିଛି ଯେ କେବଳ ଆଇନ ଦ୍ବାରା ଏଭଳି ଅପରାଧର ପ୍ରତିରୋଧ କରାଯାଇପାରିବ ନାହିଁ‌ ଓ ସେଥିପାଇଁ ଏକ ଗଣସଚେତନତା ସୃଷ୍ଟି ତଥା ଜନଆ‌େନ୍ଦାଳନ ଆବଶ୍ୟକ।