ଅକ୍ଟୋବର ମାସ ଆସିଲେ ଅନେକ ପ୍ରାଚୀନ ଓ ପରମ ମିତ୍ର ସେମାନଙ୍କ କହିବା ମୁତାବକ ଭାବନ୍ତି ଯେ- ଯାହା ସେମାନେ ଆଗରୁ ଭାବୁଥିଲେ- ଏଥରକ ସାହିତ୍ୟରେ ନୋବେଲ ପାଇବା ପାଇଁ ସଚ୍ଚି ରାଉତରାୟ କିମ୍ବା ଗୋପୀନାଥ ମହାନ୍ତି ଅଥବା ମନୋଜ ଦାସଙ୍କ ନାଁ ଘୋଷଣା ହେବା ଶୁଣିବାକୁ ମିଳନ୍ତା କି! ସେମିତି ଚଳିତ ବର୍ଷ ଅନେକ ଆଶା କରୁଥିଲେ ସଲ୍ମାନ୍ ରୁଶଦିଙ୍କୁ ନୋହିଲେ ଅମିତାଭ ଘୋଷଙ୍କୁ ନୋବେଲ ମିଳିଯାଇପାରେ! କିନ୍ତୁ ଯେତେବେଳେ ମନକୁ ଢୁକେ ଯେ ଟଲ୍ଷ୍ଟୟ ବି ସାହିତ୍ୟରେ ନୋବେଲ୍ ପାଇ ନ ଥିଲେ, ସେତେବେଳେ କ୍ଷୋଭ ଓ ଅବସୋସ ସ୍ଥାୟୀ ହୋଇ ରହେନି। ଟଲ୍ଷ୍ଟୟଙ୍କ ଭଳି ତାଙ୍କର ଅତି ପ୍ରିୟ ମୋହନ ଦାସ କରମ ଚାନ୍ଦ ଗାନ୍ଧୀ ମଧ୍ୟ ଶାନ୍ତି ସକାଶେ ନୋବେଲ ପାଇ ନ ଥିଲେ।
ଅବଶ୍ୟ ପାଇଥିଲେ ଗାନ୍ଧୀ ବିଚାର ଓ କର୍ମପ୍ରବଣତା ଅନୁପ୍ରାଣିତ ନେଲ୍ସନ୍ ମାଣ୍ଡେଲା, ଦଲାଇ ଲାମା, ମାର୍ଟିନ୍ ଲୁଥର୍ କିଙ୍ଗ୍ (କନିଷ୍ଠ), ଲା ୱାଲେସା, ବାରାକ ଓବାମା ଏବଂ ଶାନ୍ତିକାମୀ ମଦର ଟେରେସା, ଡେସମଣ୍ଡ ଟୁଟୁ, ଅଂଗ୍ ସୁ କୀ, ଆଲ୍ଭା ମିର୍ଦାଲ୍, ରିଗାବେର୍ଟା ମେଞ୍ଚୁ, ବାଙ୍ଗାରୀ ମାଥାଇ, କୈଳାସ ସତ୍ୟାର୍ଥୀ ଓ ମଲାଲା ୟୁସୁଫଜାଇ ଆଦି। ଏମାନେ ପାଇବା ମାନେ ପ୍ରକାରାନ୍ତର ଗାନ୍ଧୀ ପାଇବା ପ୍ରାୟ। ସେହିଭଳି ସାହିତ୍ୟରେ ନୋବେଲ ପୁରସ୍କାର ପାଇଁ ରବୀନ୍ଦ୍ର ନାଥ ଠାକୁର, ଗାର୍ସିଆ ମାର୍କ୍ବେଜ୍, ପାବ୍ଲୋ ନେରୁଦା, ଅକ୍ଟାଭିଓ ପାଜ୍, ଜର୍ଜ ବର୍ଣ୍ଟାଡ୍ ଶ’, ରୋମାଁ ରୋଲାଁ, ଇଲିଅଟ୍, ବରିସ୍ ପାସ୍ତରନାକ୍, ନାଇପଲ୍, ଆଲ୍ବେଆର୍ କାମ୍ୟୁ, ହରମାନ୍ ହେସେ, ହେମିଂୱେ, ସିଂଗର୍, ସଲ୍ ବେଲୋ, ମେହଫୁଜ୍, ଗୁଣ୍ଟର୍ ଗ୍ରାସ୍, ଓରହାନ୍ ପାମୁକ୍, ଜାଁ ପଲ୍ ସାର୍ତ୍ତ୍ର ଓ ବର୍ଟ୍ରାଣ୍ଡ ରସେଲ୍ ପ୍ରମୁଖଙ୍କ ନାମ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଥିବା ଖବର ଟଲଷ୍ଟୟ ଯଦି ଜାଣି ପାରୁଥିବେ, ତେବେ ସେ ନିଶ୍ଚୟ ଆନନ୍ଦିତ ହେଉଥିବେ।
କାରଣ ଗାନ୍ଧୀଙ୍କ ସମ ଟଲ୍ଷ୍ଟୟ ମହାନ୍ ପୁରସ୍କାର ବଦଳରେ ମହତ୍ ପ୍ରୟାସ ମନସ୍କ ଥିଲେ ଏବଂ ସମସ୍ତେ ସ୍ବୀକାର କରିବେ ଯେ ଟଲ୍ଷ୍ଟୟ ଓ ଗାନ୍ଧୀଙ୍କୁ ନୋବେଲ ମିଳିଥିଲେ ନୋବେଲ ପୁରସ୍କାର ବ୍ୟବସ୍ଥାର ନୈତିକ ମାନ ଆହୁରି ବଢ଼ି ଯାଇଥାନ୍ତା, ନୋବେଲ ପୁରସ୍କାର ନିଜେ ପୁରସ୍କୃତ ହୋଇଥାନ୍ତା। ୨୦୦୬ ମସିହାରେ ନୋବେଲ କମିଟିର ସଚିବ କହିଲା ଭଳି- ଗାନ୍ଧୀଙ୍କ ପାଇଁ ନୋବେଲ ପୁରସ୍କାର ନ ହେଲେ, ଚଳେ ଓ ଚଳିଗଲା, କିନ୍ତୁ ପ୍ରଶ୍ନ ଉଠେ ସିଏ ନ ପାଇବା ଆମ ପାଇଁ ଚଳିବ କି? କ’ଣ ପାଇଁ ତେବେ ଟଲ୍ଷ୍ଟୟ ଓ ଗାନ୍ଧୀ ନୋବେଲ ପୁରସ୍କାର ପାଇଲେ ନାହିଁ, ଅସୁବିଧାଟି କେଉଁଠି ରହିଲା? ନୋବେଲ ପୁରସ୍କାର ପାଇଁ ବିଚାରକୁ ନେବା ପାଇଁ ବିିଭିନ୍ନ ମହଲରୁ ଗାନ୍ଧୀଙ୍କ ନାଁ ମନୋନୟନ କରାଯାଇଥିଲା ୧୯୩୭, ୧୯୩୮, ୧୯୩୯, ୧୯୪୭ ଓ ୧୯୪୮ ମସିହାରେ- ଏମିତି ମୋଟ ପାଞ୍ଚ ଥର। ହେଲେ ପ୍ରଥମ ଦୁଇଥର ଚୂଡ଼ାନ୍ତ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ ହେବା ପୂର୍ବରୁ ନୋବେଲ କମିଟିକୁ ସାହାଯ୍ୟ କରୁଥିବା ପରାମର୍ଶଦାତା ରିପୋର୍ଟରେ ଗାନ୍ଧୀଙ୍କ ବାବଦରେ କେତେକ ପ୍ରତିକୂଳ ମନ୍ତବ୍ୟ ସ୍ଥାନ ପାଇଥିଲା। କୁହାଯାଇଥିଲା ଯେ ସେ ଅତି ଦେଶପ୍ରେମୀ, ପ୍ରଚଣ୍ଡ ଜାତୀୟତାବାଦୀ ଏବଂ ଦକ୍ଷିଣ ଆଫ୍ରିକାରେ ସଂଗଠିତ ଆନ୍ଦୋଳନରେ ସେ ଭାରତୀୟଙ୍କ ଦୁରବସ୍ଥା କଥା ଉଠେଇଥିଲେ, ସେଠାକାର ସ୍ଥାନୀୟ କୃଷ୍ଣକାୟଙ୍କ ଆହୁରି ଅଧିକ ଶୋଚନୀୟ ଦୈନନ୍ଦିନ ଜୀବନର ଅବସ୍ଥା ସେତେଟା ଉଠାଉନଥିଲେ (ଗାନ୍ଧୀ)।
ଜନୈକ ପରାମର୍ଶଦାତା/ଉପଦେଷ୍ଟା ପ୍ରଫେସର ଲେଖିଥିଲେ- ଗାନ୍ଧୀ କେତେବେଳେ ଯୀଶୁଖ୍ରୀଷ୍ଟଙ୍କ ଗୁଣର ଅଧିକାରୀ ତ ଠିକ୍ ତା’ ପରେ ମାମୁଲି ରାଜନେତା ଭଳିଆ ଲାଗନ୍ତି। ଏଭଳି ଆେକ୍ଷପ ପଛରେ ପୂର୍ବାଗ୍ରହ ବି କାମ କରୁଥିଲା। ୧୯୩୯ରେ କାହାକୁ ଶାନ୍ତି ପାଇଁ ନୋବେଲ ପୁରସ୍କାର ଦିଆ ଯାଇନଥିଲା ଦ୍ବିତୀୟ ବିଶ୍ବଯୁଦ୍ଧ କାରଣରୁ। ୧୯୪୭ ଥିଲା ଭାରତର ସ୍ବାଧୀନତା ସାଙ୍ଗକୁ ଦେଶ ବିଭାଜନର ବର୍ଷ। ପାଶ୍ଚାତ୍ୟ ଉପନିବେଶବାଦ ଓ ସାମ୍ରାଜ୍ୟବାଦର ବିରୋଧ ଅହିଂସ ଗଣସଂଗ୍ରାମ ବାଟେ କରି ଭାରତର ମୁକ୍ତି ସମ୍ଭବ କରାଇଥିବା ଗାନ୍ଧୀଜୀଙ୍କୁ ସେ ବର୍ଷ ନୋବେଲ ପାଇବା ପାଇଁ ଅକଳିଅାରେ ପକାଇଥିଲା। ୧୯୪୭ରେ ପୁଣି ହୋଇଥିଲା ବ୍ୟାପକ ଦଙ୍ଗା ତଥା ରକ୍ତପାତ; ଯେଉଁ ହିଂସା ପ୍ରକ୍ରିୟା ବିେରାଧରେ ନିଜେ ଗାନ୍ଧୀ ଦେହ-ମନ-ପ୍ରାଣ ଦେଇ ଲଢ଼ି ଚାଲିଥିଲେ। ଏକଥା ମାଉଣ୍ଟବ୍ୟାଟେନ୍ଙ୍କ ଭଳି ଭାରତ ଓ ଗାନ୍ଧୀ ବିମୁଖ ବ୍ୟକ୍ତିତ୍ବ ବି ସ୍ବୀକାର କରି ଲେଖିଥିଲେ- ପଞ୍ଜାବରେ ଆମର ୫୫,୦୦୦ ସୈନିକ ମୁତୟନ ହୋଇଥିଲେ, ତଥାପି ସେ ଅଞ୍ଚଳରେ ନାହିଁ ନ ଥିବା ଦଙ୍ଗା େହଲା; କିନ୍ତୁ ବଙ୍ଗ ଇଲାକାରେ ସୈନିକ ବୋଇଲେ ମାତ୍ର ଜଣେ, ଶାନ୍ତିର ସୈନିକ ‘ଗାନ୍ଧୀ’, ଯାହାଙ୍କ ଯୋଗୁଁ ସେଠି ଦଙ୍ଗାର ନାଁ ଗନ୍ଧ ନ ଥିଲା।
ଏସବୁ ସତ୍ତ୍ବେ ଓ ଏଭଳି ପୃଷ୍ଠଭୂମିରେ ଗାନ୍ଧୀ ସେ ବର୍ଷ ନୋବେଲ ପାଇଲେନି। ୧୯୪୮ ମସିହାରେ ସିଏ ନିଶ୍ଚୟ ପାଇବେ ବୋଲି ବିଶ୍ବ ଜନମତ ସୃଷ୍ଟି ହୋଇଥିଲା, ଧାରଣା ପ୍ରକାଶ ପାଇଥିଲା। କିନ୍ତୁ, ଆତତାୟୀର ଗୁଳିରେ ଗାନ୍ଧୀଙ୍କୁ ହତ୍ୟା କରାଗଲା ସେଇ ବର୍ଷ ଜାନୁଆରି ମାସରେ। ପରେ ଯେତେବେଳେ ନୋବେଲ କମିଟି ବସିଲା ପୁରସ୍କାର ବାବଦରେ ନିଷ୍ପତ୍ତି ନେବା ପାଇଁ ସେମାନେ େଘାଷଣା କଲେ- କୌଣସି ଜୀବିିତ ଯୋଗ୍ୟ ବ୍ୟକ୍ତି ନ ଥିବାରୁ ଏ ବର୍ଷ ପୁରସ୍କାର କାହାକୁ ଦିଅାଯିବ ନାହିଁ। ମରଣୋତ୍ତର ପୁରସ୍କାର ବ୍ୟବସ୍ଥା ସେତେବେଳେ ନ ଥିଲା। ୧୯୮୯ ମସିହାରେ ଯେତେବେଳେ ଦଲାଇ ଲାମା ପୁରସ୍କାର ପାଇବେ ବୋଲି ଘୋଷଣା ହୋଇଥିଲା, ସେତେବେଳେ ନୋବେଲ କମିଟି ତରଫରୁ ପ୍ରାୟଶ୍ଚିତ୍ତ ଭଳି ସ୍ବରରେ କୁହାଯାଇଥିଲା: ଦଲାଇ ଲାମାଙ୍କୁ ପୁରସ୍କାର ଗାନ୍ଧୀଙ୍କ ସ୍ମୃତି ପ୍ରତି ସମ୍ମାନ ଓ ଶ୍ରଦ୍ଧାଞ୍ଜଳି।
ଏସବୁ ଯଦି ଗାନ୍ଧୀଜୀ ନୋବେଲ ନ ପାଇବାର ସଂକ୍ଷିପ୍ତ ପ୍ରେକ୍ଷାପଟ ତେବେ ତାଙ୍କର ଅନ୍ୟତମ ଗୁରୁ ଟଲ୍ଷ୍ଟୟଙ୍କ କ୍ଷେତ୍ରରେ ପ୍ରତିବନ୍ଧମାନ କ’ଣ ଥିଲା ଜାଣିବା ପାଇଁ ଆଗ୍ରହ ଜନ୍ମିବା ସ୍ବାଭାବିକ। ପଢ଼ିବାକୁ ମିଳେ ନିଜେ ଟଲ୍ଷ୍ଟୟ କୁଆଡ଼େ ନୋବେଲ ପୁରସ୍କାର ଗ୍ରହଣ କରିବାକୁ ଇଚ୍ଛୁକ ନ ଥିଲେ ଏବଂ ଥରେ କହିଥିଲେ ଯଦି ତାଙ୍କୁ ସେ ପୁରସ୍କାର ଦିଆଯାଏ, ତେବେ ସିଏ ସେ ପୁରସ୍କାର ପ୍ରତ୍ୟାଖ୍ୟାନ କରିବେ। ନୋବେଲ ପୁରସ୍କାରକୁ ଏକ ପ୍ରକାରର ବୁର୍ଜୁଆ ପ୍ରୋତ୍ସାହନ ବୋଲି ଅଭିହିତ କରି ଆଦର୍ଶତାତ୍ତ୍ବିକ କାରଣରୁ ଜାଁ ପଲ୍ ସାର୍ତ୍ତ୍ର ମଧ୍ୟ ନୋବେଲ ପ୍ରତ୍ୟାଖ୍ୟାନ କରିଥିଲେ।
ଟିକକ ଆଗରୁ ସୂଚିତ ହୋଇଥିବା କାରଣ ଦ୍ବୟ ଟଲ୍ଷ୍ଟୟ ନୋବେଲ ନ ପାଇବା ନିମନ୍ତେ ବା ତାଙ୍କୁ ନୋବେଲ ପୁରସ୍କାର ଦିଆନଯିବାର ଯଥେଷ୍ଟ ତଥା ଯୁକ୍ତିଯୁକ୍ତ କାରଣ ମନେ ହୁଏ ନାହିଁ। ୟୁରୋପୀୟ, ଆଧୁନିକ ଓ ପାଶ୍ଚାତ୍ୟ ପରଂପରା, ଧର୍ମ, ବିଶ୍ବାସ, ବିଜ୍ଞାନ, ଇତିହାସ, ଦର୍ଶନ ଓ ଅଭିଜାତତନ୍ତ୍ର ପ୍ରତି ତାଙ୍କ ଆଭିମୁଖ୍ୟ ନିଶ୍ଚୟ ଅନେକଙ୍କୁ ଅତି ଅଖାଡୁଆ ତଥା ଅସ୍ବସ୍ତିକର ଲାଗିଥିବ। ଏକ ଅତି ଅଭିଜାତ, ସମ୍ଭ୍ରାନ୍ତ ରୁଷୀୟ ପରିବାରରେ ଜନ୍ମ ଗ୍ରହଣ କରିଥିବା ଟଲ୍ଷ୍ଟୟ ସମୟ କ୍ରମେ ନିଜ ହାତରେ ପନିପରିବା ଲଗେଇଲେ, ଚାଷବାସ କଲେ, କୃଷକଙ୍କ ପିଲାମାନଙ୍କ ପାଇଁ ବିଦ୍ୟାଳୟ ପ୍ରତିଷ୍ଠା କଲେ ଏବଂ ସହର ତଥା କଳ କାରଖାନା ଆଶ୍ରିତ ହେଉ ନ ଥିବା ପେଟପାଟଣା କୃଷି ଅର୍ଥନୀତି କଥା କହିଥିଲେ। ତାଙ୍କୁ ବିଶ୍ବର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ଲେଖକ ବୋଲି ଗଣାଯାଏ ଯିଏ ‘ୱାର ଆଣ୍ଡ ପିସ୍’, ‘ଆନ୍ନା କାରେନିନା’ ଓ ‘ଦି ଡେଥ୍ ଅଫ୍ ଇଭାନ୍ ଇଲିଚ୍’ ଭଳି କାଳଜୟୀ କୃତି ରଚନା କରିଥିଲେ। ତାଙ୍କ ଅସାଧାରଣତ୍ବ ବାବଦରେ କୁହାଯାଏ ଯେ ପୃଥିବୀ ଯଦି ଲେଖି ପାରୁଥାନ୍ତା ତେବେ ପୃଥିବୀ ଟଲ୍ଷ୍ଟୟଙ୍କ ଭଳି ହିଁ ଲେଖନ୍ତା। ଟଲ୍ଷ୍ଟୟଙ୍କ ଲେଖାରେ କଳା ଓ ପ୍ରକୃତି ଏକାକାର। ସିଏ ପ୍ରକୃତିର ସ୍ବରୂପ, ଜଗତ୍ର ବିବେକ। ତାଙ୍କ ଲେଖା ବିଶାଳ ହ୍ରଦ ସମ। ତାଙ୍କୁ ନୋବେଲ ନ ଦିଆଯିବା ମାନେ ନୋବେଲ ପୁରସ୍କାରର ମାନ ହ୍ରାସ ପାଇବା।
ଈଶ୍ବରଙ୍କ ସାମ୍ରାଜ୍ୟ ଯେ ଜଣେ ମଣିଷ ଭିତରେ ଅବସ୍ଥିତ- ଟଲ୍ଷ୍ଟୟଙ୍କ ଏ ଦର୍ଶନ ଗାନ୍ଧୀଙ୍କୁ ବେଶ ପ୍ରଭାବିତ କରିଥିଲା। ଟଲ୍ଷ୍ଟୟଙ୍କ ସମ୍ମାନରେ ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ଟଲ୍ଷ୍ଟୟ ଫାର୍ମ ସ୍ଥାପନ କରିଥିଲେ। ଗାନ୍ଧୀଜୀ ୧୦.୯.୧୯୨୮ ମସିହାରେ ଟଲ୍ଷ୍ଟୟଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଅହମଦାବାଦ ଯୁବ ସଂଘକୁ ଏକ ଉଦ୍ବୋଧନ ଦେଇଥିଲେ ଏବଂ ସେଥିରେ ସିଏ ଟଲ୍ଷ୍ଟୟଙ୍କ ସରଳ ଜୀବନଯାପନ, ସତ୍ୟାନୁରାଗ ଓ ଅହିଂସା ପ୍ରୀତି କଥା ଉଲ୍ଲେଖ କରିବା ସାଙ୍ଗକୁ ତାଙ୍କୁ ନିଜର ଅନ୍ୟତମ ପ୍ରମୁଖ ପ୍ରେରଣା ବୋଲି ସ୍ବୀକାର କରିଥିଲେ। ଉଦ୍ବୋଧନଟି ପରେ ୧୬.୯.୧୯୨୮ରେ ‘ନବଜୀବନ’ ଓ ‘ୟଙ୍ଗ୍ ଇଣ୍ଡିଆ’ରେ ପ୍ରକାଶିତ ହୋଇଥିଲା। ଉଭୟ ଟଲ୍ଷ୍ଟୟ ଓ ଗାନ୍ଧୀ ସ୍ବେଚ୍ଛା ଦାରିଦ୍ର୍ୟରେ ବିଶ୍ବାସ କରୁଥିଲେ। ସେ ଧରଣର ବିଶ୍ବାସୀ ଦ୍ବୟଙ୍କୁ ନୋବେଲ ମିଳିଥିଲେ ସେମାନେ ଅଭିଭୂତ ହୋଇ ନ ଥାନ୍ତେ କିମ୍ବା ଅନ୍ୟମାନେ ପାଇଲେ, ସେମାନେ ପାଇଲେନି ବୋଲି ବିଚଳିତ ହୋଇନଥିଲେ।
ମୋ: ୯୪୩୭୩୦୭୦୭୯