ଅନେକ ସମୟରେ ଅଭିଯୋଗ ଶୁଣିବାକୁ ମିଳିଥାଏ ଯେ ବ୍ୟାଙ୍କଗୁଡ଼ିକ ବଡ଼ବଡ଼ିଆଙ୍କୁ ବିପୁଳ ପରିମାଣର ଋଣ ଦେବା ଲାଗି ଆଗ୍ରହୀ, କିନ୍ତୁ ଚାଷୀ ବା ଆଦିବାସୀମାନଙ୍କୁ ସେମାନଙ୍କ ପେଟ ପୋଷିବା ଲାଗି ମଧ୍ୟ ଆବଶ୍ୟକ ସର୍ବନିମ୍ନ ଋଣ େଦବା ଲାଗି ପ୍ରସ୍ତୁତ ନୁହନ୍ତି। ଏଥିରେ ଅନେକ ସତ୍ୟତା ରହିଛି। ଏହି ଲେଖକ ତା’ର ଚାକିରି ଜୀବନରେ ଏହା ଅନୁଭବ କରିଛି। ଦରିଦ୍ର ଅଶିକ୍ଷିତ ଗ୍ରାମୀଣ ଲୋକଙ୍କ ପ୍ରତି କେତେକ ବ୍ୟାଙ୍କ ବାବୁଙ୍କ ମନରେ ଥିବା ଅହେତୁକ ଧାରଣା ଯେ ଏହା ପଛର କାରଣ, ଏଥିରେ ସନ୍ଦେହ ନାହିଁ।
ଏହି ଲେଖକ ଅବିଭକ୍ତ ଗଞ୍ଜାମ ଜିଲ୍ଲା ପାରଳାଖେମୁଣ୍ଡି ଉପଖଣ୍ଡର ଉପଜିଲ୍ଲାପାଳ ଥିବା ବେଳେ ଏଭଳି ସ୍ଥିତିର ପ୍ରତ୍ୟକ୍ଷ କରିଥିଲା। ସେହି ସମୟରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଆଦିବାସୀ ହିତାଧିକାରୀଙ୍କୁ ବ୍ୟାଙ୍କ ଋଣ ପ୍ରଦାନ କରି ଆତ୍ମନିର୍ଭରଶୀଳ କରିବାକୁ ସରକାରୀ ଉଦ୍ୟମ ଚାଲିଥାଏ। ଏଥି ଲାଗି ସରକାରଙ୍କ ତରଫରୁ ବ୍ୟାଙ୍କଗୁଡ଼ିକୁ ଅଗ୍ରିମ ସବ୍ସିଡି ରାଶି ମଧ୍ୟ ଦିଆଯାଉଥାଏ। ଦିନେ ଗୋଟିଏ ବ୍ଲକ୍ର ବିଡିଓ ଅଭିଯୋଗ କଲେ ଯେ ଗୋଟିଏ ନିର୍ଦ୍ଦିଷ୍ଟ ବ୍ୟାଙ୍କ ଆଗୁଆ ସବ୍ସିଡି ପାଇଥିବା ସତ୍ତ୍ୱେ ଋଣ ମଂଜୁର କରିବାରେ ସଂପୂର୍ଣ୍ଣ ଅସହଯୋଗ କରୁଥିବାରୁ ସରକାରୀ ଲକ୍ଷ୍ୟ ପୂରଣ ଦିଗରେ ତାଙ୍କ ବ୍ଲକ୍ ବିଫଳ ହେଉଛି। ବ୍ୟାଙ୍କ ମ୍ୟାନେଜରଙ୍କୁ ବହୁତ ଅନୁରୋଧ କରାଯାଉଥିବା ସତ୍ତ୍ବେ ସେ କର୍ଣ୍ଣପାତ କରୁ ନ ଥିଲେ। ଯୁବ ବ୍ୟାଙ୍କ ମ୍ୟାନେଜର ଜଣକ କେବଳ ସେହି ଗୋଟିଏ କଥା ରଟୁଥିବା ଦେଖାଯାଉଥିଲା ଯେ ଆଦିବାସୀ ଲୋକଙ୍କୁ ଋଣ ଦେଇ ଲାଭ ନାହିଁ। କାରଣ ସେମାନେ ଋଣ ଟଙ୍କାର ଅପବ୍ୟୟ କରିବେ ଓ ଋଣ ପରିଶୋଧ କରିବେ ନାହିଁ। ବ୍ୟାଙ୍କର ଉଚ୍ଚ କର୍ତ୍ତୃପକ୍ଷ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ମଧ୍ୟ ମ୍ୟାନେଜର୍ଙ୍କ ଏଭଳି ଧାରଣା ନେଇ ଅବଗତ ଥିଲେ; କିନ୍ତୁ ମ୍ୟାନେଜର ମହାଶୟ ଥିଲେ ତାଙ୍କ ଧାରଣାରେ ଅଟଳ। ଏଣୁ, କାର୍ଯ୍ୟକ୍ରମ ସମୀକ୍ଷା ବୈଠକରେ ବିଡିଓ ବାବୁ ଉପରିସ୍ଥ ଅଧିକାରୀମାନଙ୍କ ଠାରୁ କେବଳ ଲାଂଛିତ ହୋଇ ଚାଲିଥିଲେ।
ସ୍ବାଭାବିକ ଭାବେ ପର ଦିନ ଏହି ଲେଖକ ଓ ବିଡିଓ; ଉଭୟଙ୍କ ଦ୍ବାରା ବ୍ୟାଙ୍କ ମ୍ୟାନେଜରଙ୍କୁ ଅନେକ ଅନୁରୋଧ ଓ ବୁଝାଶୁଝା କରାଗଲା। କିନ୍ତୁ କୌଣସି ଫଳ ମିଳି ନ ଥିଲା। ଏହି ପରିପ୍ରେକ୍ଷୀରେ ଏହା ବୁଝିବା ଆଦୌ କଷ୍ଟକର ହେଉ ନ ଥିଲା ଯେ ପ୍ରକୃତରେ ଚାଷୀମାନେ କାହିଁକି ଚଢ଼ା ସୁଧ ଦରରେ ମହାଜନମାନଙ୍କ ପାଖରୁ ଋଣ ନେବାକୁ ବାଧ୍ୟ ହେଉଛନ୍ତି!
ଅବଶ୍ୟ, ଏହା ଏକ ଭିନ୍ନ କଥା ଯେ ପରେ ଏକ କେଳେେଙ୍କରୀ ଜନିତ ହରଡ଼ ଘଣାରେ ପଡ଼ି ମ୍ୟାନେଜର ଜଣକ ଋଣ ଦେବାକୁ ରାଜି ହୋଇଥିଲେ। ପ୍ରଥମ କଥା ତ ଉକ୍ତ ବ୍ୟାଙ୍କରୁ ସମସ୍ତ ସବ୍ସିଡି ଟଙ୍କା ଉଠାଇ ନେଇ ଅନ୍ୟ ଏକ ବ୍ୟାଙ୍କରେ ଜମା କରିବା ଲାଗି ସ୍ଥିର କରାଗଲା। କିନ୍ତୁ ଏହା ମଧ୍ୟ ପ୍ରଭାବଶାଳୀ ହୁଅନ୍ତା ନାହିଁ; ଯଦି ସଂପୃକ୍ତ ବ୍ୟାଙ୍କ ମ୍ୟାନେଜରଙ୍କ ନାମରେ ଏକ ସାଂଘାତିକ ଅଭିଯୋଗ ଆସି ନ ଥାଆନ୍ତା ଯେ ସେ ମିଛ ଜାତିଗତ ପ୍ରମାଣପତ୍ର ଦେଇ ଚାକିରି ପାଇଛନ୍ତି। ଜିଲ୍ଲାପାଳଙ୍କ ଆଦେଶରେ ଏ ନେଇ ତଦନ୍ତ ଆରମ୍ଭ ହୋଇଗଲା। ଏବେ ମ୍ୟାନେଜର ଜଣକ ତାଙ୍କ ଗଉଁ ଛାଡ଼ି ହଠାତ୍ ଋଣ ଦେବାକୁ ରାଜି ହୋଇ ଯାଇଥିଲେ ଏବଂ ତାଙ୍କ ବିରୋଧରେ ହେଉଥିବା ତଦନ୍ତରେ ନ ଆଗେଇବାକୁ ଅନୁରୋଧମୂଳକ ଇଙ୍ଗିତମାନ ପ୍ରଦାନ କରୁଥିଲେ। କିନ୍ତୁ ତଦନ୍ତ ଯେ ତା ବାଟରେ ଆଗେଇ ଚାଲିବା ସ୍ବାଭାବିକ ଥିଲା, ଏଥିରେ ସନ୍ଦେହ ନାହିଁ। କିନ୍ତୁ ତୃଣମୂଳ ସ୍ତରରେ ବ୍ୟାଙ୍କ ଅଧିକାରୀମାନଙ୍କ ଅସହଯୋଗର ଏଭଳି ଦୃଷ୍ଟାନ୍ତ ଯେ ଅନେକ ଥିବ; ତାହା ହୃଦୟଙ୍ଗମ କରି ହେଉଥିଲା।
ଏହା ପ୍ରାୟ ୩୫ ବର୍ଷ ତଳର ଘଟଣା। କିନ୍ତୁ ଯେତେବେଳେ ଖବର ପ୍ରକାଶ ପାଏ ଯେ ବିଜୟ ମାଲ୍ୟା ବା ନିରବ ମୋଦୀଙ୍କ ବିରାଦରିର ଲୋକେ ହଜାର ହଜାର କୋଟି ଟଙ୍କା ବ୍ୟାଙ୍କରୁ ଋଣ ନେଇ ଏବଂ ତାକୁ ନ ଶୁଝି ବିଦେଶକୁ ପଳାୟନ କରୁଛନ୍ତି ଏବଂ ସେଠାରେ ଅତ୍ୟନ୍ତ ବିଳାସମୟ ଜୀବନ କାଟୁଛନ୍ତି, ଅଥଚ, ମାତ୍ର କେଇ ହଜାର ଟଙ୍କାର ଋଣ ଶୁଝି ନ ପାରି ଚାଷୀ ଆତ୍ମହତ୍ୟା କରି ଦେଉଛନ୍ତି, ମନ କ୍ଷୋଭରେ ଭରି ଉଠେ। ଏହି ଲେଖକର ପରିଚିତ ଜଣେ ବ୍ୟାଙ୍କ ଅଧିକାରୀ ଥରେ କହୁଥିଲେ, ‘ଯଦିଓ ଆମେ ସର୍ବଦା କହୁ ଯେ ଗ୍ରାହକ ହେଉଛନ୍ତି ଆମର ମଞ୍ଜ, କିନ୍ତୁ ଆମ ଚାକିରିର ମୂଳ ଦର୍ଶନ ହେଲା ଗ୍ରାହକଙ୍କୁ ସର୍ବଦା ସନ୍ଦେହ କର।’ ସେ ଏହି କଥା କେତେ ଗମ୍ଭୀରତାର ସହିତ କହିଥିଲେ, ତାହା ଜଣା ନାହିଁ; କିନ୍ତୁ ମନରେ ପ୍ରଶ୍ନ ଉଠିଥିଲା ଯେ ତାହା ଯଦି ସତ ତେେବ ବିଜୟ ମାଲ୍ୟା ବା ନିରବ ମୋଦୀ ସମ୍ଭବ ହେଉଛନ୍ତି କିପରି? ସବୁ ସନ୍ଦେହ କ’ଣ କେବଳ ନିମ୍ନ-ବିତ୍ତ ବର୍ଗର ଲୋକଙ୍କ ଲାଗି? ସୁତରାଂ, ଋଣ ନେବା ଓ ଋଣ ଶୁଝିବାକୁ ନେଇ ରହିଥିବା ‘ଷ୍ଟେରିଓଟାଇପ୍’ ଯେ ଅବାନ୍ତର, ଏହା ନିଃସନ୍ଦେହ। ତିନି ଦଶନ୍ଧି ତଳେ ଯେଉଁ ଧାରଣା ଥିଲା, ଆଜି ମଧ୍ୟ ସେଭଳି ଧାରଣା ଅଛି। ଏହା ଯେତେ ଶୀଘ୍ର ଦୂର ହେବ, ସେତେ ଅଧିକ ଭଲ।
ମୋ-୯୪୩୭୦୩୨୦୦୨