ବ୍ରିଟିସ୍ ଉପନିବେଶଗୁଡ଼ିକର ବିଲୟ ସହିତ ଏକ ବିଶ୍ବ ଶକ୍ତି ଭାବେ ବ୍ରିଟେନ୍ର ଭାଗ୍ୟ-ରବି କେବେ ଠାରୁ ଅସ୍ତମିତ ହୋଇ ସାରିଲାଣି ସିନା, ଏବେ ମଧୢ ସେଠାକାର ରାଜନୀତି ଆମ ଦେଶରେ ଉତ୍କଣ୍ଠା ଜାତ କରିଥାଏ। ଏହାର ଗୋଟିଏ କାରଣ ହେଲା, ଏକଦା ଏକ ଗୁରୁତ୍ବପୂର୍ଣ୍ଣ ବ୍ରିଟିସ୍ ଉପନିବେଶ ହୋଇଥିବାରୁ ସେଠାରେ ଏକ ବଡ଼ ସ˚ଖ୍ୟକ ଭାରତୀୟ ବ˚ଶୋଦ୍ଭବ ଅବସ୍ଥାନ କରିବା ସହିତ ବିଭିନ୍ନ କ୍ଷେତ୍ରରେ ପ୍ରଭାବ ବିସ୍ତାର କରିଛନ୍ତି, ଯାହା ବ୍ରିଟେନ୍ର ରାଜନୀତିରେ ସୁସ୍ପଷ୍ଟ; ଏପରିକି ସ˚ପ୍ରତି ସେଠାରେ ଉପୁଜିଥିବା ପରିସ୍ଥିତି ପରିପ୍ରେକ୍ଷୀରେ ବ୍ରିଟେନ୍ ତାର ଭବିଷ୍ୟତ୍ ପ୍ରଧାନମନ୍ତ୍ରୀ ରୂପେ ଜଣେ ଭାରତୀୟ ବ˚ଶଜ ଋଷି ସୁନକଙ୍କୁ ଲାଭ କରିପାରେ; ସୁତରା˚, ଗୋଟିଏ ଚକ ସ˚ପୂର୍ଣ୍ଣ ଘୂରିଗଲା ଭଳି ଏକ ଶାସିତ ଜାତିର ଦାୟାଦ ଦ୍ବାରା ତାର ପୂର୍ବ ସୂରୀର ଶାସକ ବର୍ଗ ଶାସିତ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ତେବେ, କେବଳ ଏହି କାରଣ ଲାଗି ଯେ ସ˚ଦର୍ଭଟି ଏଠାରେ ଆଲୋଚିତ ହେବ ତାହା ନୁହେଁ; ଯେଉଁ ଅତ୍ୟନ୍ତ କୌତୁହଳପ୍ରଦ ଘଟଣାକ୍ରମ ଦ୍ବାରା ମାତ୍ର ଦୁଇ ବର୍ଷ ତଳେ ଏକ ବିପୁଳ ଜନ ସମର୍ଥନ ସହିତ କ୍ଷମତାସୀନ ହୋଇଥିବା ବୋରିସ ଜନସନଙ୍କ ଭଳି ଜଣେ ଆକର୍ଷଣୀୟ ବ୍ୟକ୍ତିତ୍ବଙ୍କ ସହସା ପତନ ସମ୍ଭବ ହେଲା, ତାହା ମଧୢ ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ। ଏହି କ୍ରମରେ ଦିଶିଥାଏ କିଭଳି କୋଭିଡ୍-୧୯ ନାମକ ଭୂତାଣୁ ଦ୍ବାରା ସୃଷ୍ଟ ପରିବେଶ ସେଠାରେ ଅନେକ ବିଚକ୍ଷଣଙ୍କ ମତିଭ୍ରମ ଘଟାଇଥିଲା, ଯାହା ପ୍ରକାରାନ୍ତରେ ବୋରିସ ଜନସନଙ୍କ ଠାରୁ ତାଙ୍କ ପ୍ରଧାନମନ୍ତ୍ରିତ୍ବ ଅପହରଣ କରିନେଲା।
ଏଠାରେ ପ୍ରଣିଧାନଯୋଗ୍ୟ ଯେ ୟୁରୋପୀୟ ସ˚ଘରୁ ବ୍ରିଟେନ୍କୁ ବିଚ୍ଛିନ୍ନ କରିବା ଅର୍ଥାତ୍ ‘ବ୍ରେକ୍ଜିଟ୍’ର ପୃଷ୍ଠପୋଷକତା କରି ୨୦୧୯ ମସିହା ଡିସେମ୍ବର ମାସରେ ଅନୁଷ୍ଠିତ ନିର୍ବାଚନରେ ବୋରିସ୍ ଜନସନଙ୍କ ନେତୃତ୍ବରେ ରକ୍ଷଣଶୀଳ ‘ଟୋରି’ ଦଳ ଏକ ବିଶାଳ ସମର୍ଥନ ସହିତ କ୍ଷମତାକୁ ଆସିଥିଲା ସତ, ମାତ୍ର ଭାଗ୍ୟର ବିଡ଼ମ୍ବନା ଯେ ଏହାର ମାତ୍ର ଚାରି ମାସ ପରେ ପାନ୍ଡେମିକ୍ ଜନିତ ‘ଲକ୍ଡାଉନ୍’ ସହିତ ସ˚ଗରୋଧ ଭଳି ବିଭିନ୍ନ କଟକଣା ମଧୢକୁ ଦେଶ ଠେଲି ହୋଇଯାଇଥିଲା। କିନ୍ତୁ ଜଣେ ‘ଆଲ୍ଫା ମେଲ୍’ ବା ଟାଣୁଆ ପୁରୁଷର ଚରିତ୍ର ଧାରଣ କରିଥିବା ଜନସନ କୋଭିଡ୍-୧୯ ଭୂତାଣୁକୁ ଭ୍ରୂକ୍ଷେପ ନ କରି ନିଜେ ଖୁବ୍ ଶୀଘ୍ର କରୋନା ସ˚କ୍ରମିତ ହୋଇଥିଲେ।
ତା’ ପରେ ଯଦିଓ କରୋନା ସ˚କ୍ରମଣର ଭୟାବହତା ଦୃଷ୍ଟିରୁ ସମଗ୍ର ଦେଶ ଏକ କଠୋର ‘ଲକ୍ଡାଉନ୍’ ଅଧୀନକୁ ଯିବାକୁ ବାଧୢ ହୋଇଥିଲା, ମନେ ହୁଏ ଆରୋଗ୍ୟ ଲାଭ କରିବା ସହିତ ବୋରିସ୍ ଜନସନଙ୍କ ମନରେ ଏହି କ୍ଷୁଦ୍ରାତିକ୍ଷୁଦ୍ର ଭୂତାଣୁ ପ୍ରତି ହେୟ ଜ୍ଞାନ ଅତୁଟ ରହିଥିବ। ତାହା ହୋଇ ନ ଥିଲେ ୨୦୨୦ ମସିହା ମେ’ ମାସରୁ ୨୦୨୧ ମସିହା ଏପ୍ରିଲ ମାସ ମଧୢରେ ‘ଲକ୍ଡାଉନ୍’ର ସମସ୍ତ ନିୟମ ଭାଙ୍ଗି ବୋରିସ୍ ଜନସନ ଏବ˚ ତାଙ୍କ ସହକର୍ମୀମାନେ ବିଭିନ୍ନ ସ୍ଥାନରେ ଅନ୍ତତଃ ୧୬ ଥର ଭୋଜିଭାତ ଖିଆପିଆ ଓ ଗମାତର ଉଦ୍ଦାମ ଆସର ଜମାଇ ନ ଥାଆନ୍ତେ, ଯେଉଁ ସମ୍ବନ୍ଧୀୟ ଅଭିଯୋଗର ଅନୁସନ୍ଧାନ କରି ଏକ ସରକାରୀ ରିପୋର୍ଟ ମେ ମାସରେ ପ୍ରକାଶିତ ହୋଇ ଭୀଷଣ ବିବାଦର ସୂତ୍ରପାତ କରିଥିଲା। ସେଥିରୁ ଜଣାପଡ଼ିଥିଲା କିଭଳି ସେହି ସମୟରେ ପରଲୋକ ଗମନ କରିଥିବା ପ୍ରିନ୍ସ ଫିଲିପଙ୍କ ଶେଷକୃତ୍ୟରେ ରାଣୀ ଏଲିଜାବେଥ୍ କୋଭିଡ୍ ନିୟମ ଅନୁପାଳନ କରି ନିଃସଙ୍ଗତାକୁ ସ୍ବୀକାର କରି ନେଇିଥିବା ବେଳେ ତା ପୂର୍ବ ସ˚ଧୢାରେ ବୋରିସ୍ ଜନସନ ଦଳୀୟ ସାଥୀଙ୍କ ସହିତ ଉନ୍ମାଦ ଆସରରେ ବୁଡ଼ି ରହିଥିଲେ। ‘ଲକ୍ଡାଉନ୍’ ଏବ˚ ‘ସ˚ଗରୋଧ’ ଭଳି ଏକ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତି ଦ୍ବାରା ଜର୍ଜର ବ୍ରିଟିସ ଜନସାଧାରଣ ସ˚ଘର୍ଷ ଜାରି ରଖିଥିବା ବେଳେ ଦେଶର ପ୍ରଧାନମନ୍ତ୍ରୀଙ୍କ ଦ୍ବାରା କଟକଣା ଭଙ୍ଗ ଯେ ଘୋର ପ୍ରତିକ୍ରିୟା ସୃଷ୍ଟି କରିଥିବ, ଏହା କହିବା ଅନାବଶ୍ୟକ।
ତେବେ ‘ପାର୍ଟି ଗେଟ୍’ ଭାବେ ପରିଚିତ କେବଳ ଏହି ସ୍କାଣ୍ତାଲ ନୁହେଁ, ‘ଲକ୍ଡାଉନ୍’ ଅଧୀନସ୍ଥ ଏହି ସମୟ ଖଣ୍ତରେ ଅନେକ ‘ଟୋରି’ ସା˚ସଦଙ୍କ ବିଭିନ୍ନ ପ୍ରକାର ଯୌନ କେଳେଙ୍କାରି ସମ୍ବଳିତ ସମ୍ବାଦମାନ ମଧୢ ସେ ସମୟରେ ପ୍ରକାଶ ପାଇ ତୁମୁଳ ଆଲୋଡ଼ନ ସୃଷ୍ଟି କରିଥିଲା। ଏଥି ମଧୢରେ ସମଲିଙ୍ଗୀୟ ଧର୍ଷଣ ଠାରୁ ଆରମ୍ଭ କରି ମହିଳାଙ୍କ ସହିତ ଅସଦାଚରଣ କରିବା, ଚଞ୍ଚକତା ପୂର୍ବକ ଯୌନ ସ˚ପର୍କ ସ୍ଥାପନ କରିବା ଏପରିକି ପତ୍ନୀଙ୍କୁ ଧର୍ଷଣ କରିବା ପର୍ଯ୍ୟନ୍ତ ଅଭିଯୋଗରେ ଛଅ ଜଣ ‘ଟୋରି’ ସା˚ସଦ ଦଳରୁ ଇସ୍ତଫା ଦେବାକୁ ବାଧୢ ହୋଇଥିଲେ, ଯେଉଁ ସବୁ ସ୍ଥାନରେ ହୋଇଥିବା ଉପନିର୍ବାଚନରେ ଆସନଗୁଡ଼ିକ ‘ଟୋରି’ ଦଳ ହାତରୁ ଚାଲିଯାଇଥିଲା।
କିନ୍ତୁ ଏତିକି ଯେମିତି ଯଥେଷ୍ଟ ନ ଥିଲା, ଦଳର ମୁଖ୍ୟ ସଚେତକ ଭାବେ ବୋରିସ ଜନସନଙ୍କ ଦ୍ବାରା ନିଯୁକ୍ତ ତାଙ୍କର ଜଣେ ଅତ୍ୟନ୍ତ ଘନିଷ୍ଠ ମିତ୍ର କ୍ରିସ୍ ପିନ୍ଚରଙ୍କ ସମ୍ବନ୍ଧରେ ଯେତେବେଳେ ସମ୍ବାଦମାନ ପ୍ରକାଶ ପାଇଲା ଯେ ଏହା ପୂର୍ବରୁ ସେ ମଧୢ ବିଭିନ୍ନ ସମୟରେ ସମଲିଙ୍ଗୀୟ ଅସଦାଚରଣରେ ଅଭିଯୁକ୍ତ, ବୋରିସ ଜନସନ ଯେଉଁ ସଫେଇ ଦେଇଥିଲେ, ତାହା ହେଉଛି କ୍ରିସ୍ଙ୍କୁ ନିଯୁକ୍ତି ଦେବା ପୂର୍ବରୁ ସେ ଏ ବାବଦରେ ଅବଗତ ନ ଥିଲେ; କିନ୍ତୁ ଅଚିରେ ଜନସନଙ୍କ ସଫେଇ ମଧୢ ମିଥ୍ୟା ବୋଲି ସାବ୍ୟସ୍ତ ହୋଇଥିଲା। କହିବା ଅନାବଶ୍ୟକ ଯେ ଏହି ପରିପ୍ରେକ୍ଷୀରେ ବୋରିସ ଜନସନଙ୍କ ନେତୃତ୍ବ ପ୍ରଦାନର ସାମର୍ଥ୍ୟ ଘୋର ସନ୍ଦେହାସ୍ପଦ ହୋଇ ଉଠିଥିଲା, ଯେଉଁ କାରଣରୁ ଗଲା ଜୁନ୍ ୬ ତାରିଖରେ ଆଗତ ଅନାସ୍ଥା ଭୋଟର ସମ୍ମୁଖୀନ ହେବାକୁ ପଡ଼ିଥିଲା, ଯହିଁରୁ ସେ ବର୍ତ୍ତି ଯାଇଥିଲେ ସୁଦ୍ଧା ସ˚ସଦରେ ତାଙ୍କ ପ୍ରତି ରହିଥିବା ସମର୍ଥନରେ ୪୧% ହ୍ରାସ ଘଟିଥିଲା। ସୁତରା˚, ଏହାର ମାତ୍ର ଅଳ୍ପ କିଛି ଦିନ ପରେ ଜନସନଙ୍କ ସପକ୍ଷରେ ଭୋଟ ଦେଇଥିବା ସତ୍ତ୍ବେ ଅର୍ଥ ମନ୍ତ୍ରୀ ଋଷି ସୁନକ ଏବ˚ ସ୍ବାସ୍ଥ୍ୟ ମନ୍ତ୍ରୀ ସାଜିଦ ଜାଭେଦଙ୍କ ମନ୍ତ୍ରିମଣ୍ତଳରୁ ଇସ୍ତଫା ପ୍ରଦାନ ସହିତ ସୃଷ୍ଟ ଇସ୍ତଫାର ବନ୍ୟାରେ ବିଶେଷ ଅସ୍ବାଭାବିକତା ଦିଶି ନ ଥାଏ; କାରଣ ଇତିମଧୢରେ ସ୍ପଷ୍ଟ ହୋଇ ସାରିଥିଲା ଯେ ବୋରିସ୍ ଜନସନ ଜଣେ ଅଦକ୍ଷ ନେତା ଭାବେ ଜନ ସମର୍ଥନ ହରାଇବାରେ ଲାଗିଛନ୍ତି।
ଅବଶ୍ୟ ଜଣେ ‘ଆଲ୍ଫା ମେଲ୍’ର ସ୍ବଭାବସୁଲଭ ଢଙ୍ଗରେ ସେ କ୍ଷମତାରୁ ଅପସାରିତ ନ ହେବା ଲାଗି କେତେକ ଉଦ୍ୟମ କରିଥିଲେ (ଡୋନାଲ୍ଡ ଟ୍ର˚ପ୍ଙ୍କ ଭଳି!), ଯାହା ନିଷ୍ଫଳ ହୋଇଯାଇଥିଲା। ସ˚ପ୍ରତି ‘ଟୋରି’ ଦଳର ନୂତନ ନେତା ଭାବେ ମନୋନୀତ ହେବା ଲାଗି ଯେଉଁ ମୁଷ୍ଟିମେୟ ବ୍ୟକ୍ତି ଆଗ ଧାଡ଼ିରେ ବିଦ୍ୟମାନ, ସେମାନେ ହେଲେ ଋଷି ସୁନକଙ୍କ ବ୍ୟତୀତ ପେନି ମୋର୍ଡାଣ୍ଟ୍, ବେନ ଵାଲାସ, ଲିଜ ଟ୍ରୁସ ଓ ସାଜିଦ ଜାଭେଦ। ଅନେକ ବିଶାରଦଙ୍କ ମନରେ ଋଷି ସୁନକ ପ୍ରଧାନମନ୍ତ୍ରୀ ହେବାର ଆଶା ଏଥି ଲାଗି ଉଜ୍ଜ୍ବଳ ଯେ ‘ପାନ୍ଡେମିକ୍’ କାଳରେ ଅର୍ଥନୀତିକୁ ସମ୍ଭାଳିବା ସହିତ ଆର୍ଥିକ ଦୁଃସ୍ଥିତିଜନିତ ସାଧାରଣ ନାଗରିକଙ୍କ କଷ୍ଟକୁ ଲାଘବ କରିବାରେ ଅର୍ଥମନ୍ତ୍ରୀ ଭାବେ ସେ ନିଷ୍ଠାପର ଉଦ୍ୟମ କରିଥିଲେ। ଜଣେ ଭାରତୀୟ ବ˚ଶଜ ଭାବେ ଋଷି ସୁନକ ଭାରତର ନିକଟତର; ତେବେ ଇନ୍ଫୋସିସ୍ର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ବାଇଁ ହୋଇଥିବା ବିଷୟ ତାଙ୍କୁ ଆମ ସହିତ ଅଧିକ ଘନିଷ୍ଠ କରିବ।
ସୂଚନାଯୋଗ୍ୟ ଯେ ଏକ ରେକର୍ଡ୍ ଜନ ସମର୍ଥନ ସହିତ କ୍ଷମତାକୁ ଆସିଥିବା ବୋରିସ ଜନସନ ଇସ୍ତଫା ଦେବା ବେଳକୁ ଦଳରେ ୭୦% ଏବ˚ ଭୋଟରମାନଙ୍କ ମଧୢରେ ୫୪% ସମର୍ଥନ ହରାଇ ସାରିଥିଲେ। ସୁତରା˚, ସେ ଦେଖିଥିବା ଏକ ସୁଖଦ ସ୍ବପ୍ନ ମାତ୍ର ତିନି ବର୍ଷରୁ କମ୍ ସମୟ ଭିତରେ ଧୂଳିସାତ୍ ହୋଇଛି। କିନ୍ତୁ ଏହା ସତ୍ତ୍ବେ ୫୯ ବର୍ଷ ବୟସ୍କ ଏହି ନେତାଙ୍କ ବ୍ୟକ୍ତିିତ୍ବର ଯେ ଏକ ଆକର୍ଷଣ ଥିଲା, ତାହା ତାଙ୍କ ବିରୋଧୀମାନେ ମଧୢ ସ୍ବୀକାର କରନ୍ତି। ଏକ ସ˚ଭ୍ରାନ୍ତ ପରିବାରର ଉତ୍ତରାଧିକାରୀ ଭାବେ ସେ ଏଟନ୍ ଏବ˚ ବଲିଅଲ୍ କଲେଜ ଭଳି ଅତ୍ୟନ୍ତ ଉଚ୍ଚ ଦର୍ଜାର ଶିକ୍ଷାନୁଷ୍ଠାନରୁ ଶିକ୍ଷା ଲାଭ କରିଥିଲେ। କେବଳ ସେତିକି ନୁହେଁ ପ୍ରସିଦ୍ଧ ସାପ୍ତାହିକୀ ‘ଦ ସ୍ପକ୍ଟାଟର୍’ର ଦୀର୍ଘ କାଳର ବିଦ୍ବାନ ସ˚ପାଦକ ଭାବେ ମଧୢ ସେ ଜଣାଶୁଣା। ତାଙ୍କ ପତନର କାରଣ ସମ୍ବନ୍ଧରେ ‘ଡେଲି ମେଲ୍’ରେ ପ୍ରକାଶିତ ମତ କହିଥାଏ ଯେ ପ୍ରବୃତ୍ତିର ଅନୁସରଣ କରି ଔଚିତ୍ୟବୋଧକୁ ପାଶୋରି ଯିବାର ଦୃଷ୍ଟାନ୍ତ ସେ ପୂର୍ବରୁ ଅନେକ ବାର ଦେଇଛନ୍ତି, ଯାହା ବର୍ତ୍ତମାନ ତାଙ୍କ ପ୍ରଧାନମନ୍ତ୍ରିତ୍ବ ହରାଇବାର କାରଣ ହୋଇଛି; ଯେଉଁଥିରୁ ଇସ୍ତଫା ପ୍ରଦାନ କଲାବେଳେ ଜନସନ କହିଥିଲେ ଯେ ତାହା ଥିଲା ‘ପୃଥିବୀର ସର୍ବଶ୍ରେଷ୍ଠ ଦାୟିତ୍ବ’।