ଆଦର୍ଶ ଶିକ୍ଷକ କିଏ?

ପ୍ରୀତୀଶ ଆଚାର୍ଯ୍ୟ

ଜଣେ ଆଦର୍ଶ ଶିକ୍ଷକ ବୋଲି କାହାକୁ ଜାଣିବା? ଯାହାଙ୍କର ଔପଚାରିକ ଡିଗ୍ରି ଥିବ? ଯିଏ ସମୟନିଷ୍ଠ ହୋଇଥିବେ ଏବ˚ ଶୃଙ୍ଖଳାକୁ ଯଥୋଚିତ ମହତ୍ତ୍ବ ଦେଉଥିବେ? ଯିଏ ଅନାବିଳ ଭାବେ ପିଲାଙ୍କୁ ଭଲ ପାଉଥିବେ? ଯିଏ ଜାତି, ଧର୍ମ, ଭାଷା କିମ୍ବା ଲିଙ୍ଗ ଆଧାରରେ ପିଲାଙ୍କ ମଧୢରେ ଭେଦ କରୁନଥିବେ? ମୋ ମତରେ ଏଗୁଡ଼ିକ ମଧୢରୁ କୌଣସି ଗୋଟାଏକୁ ଧରି ଜଣେ ଆଦର୍ଶ ଶିକ୍ଷକ ବୋଲାଇ ପାରିବେ ନାହିଁ। ବର˚ ବିଷୟ ଜ୍ଞାନ ଭଳି ଏହି ସବୁଗୁଡ଼ିକ ଶିକ୍ଷକତା ପାଇଁ ଗୋଟାଏ ଗୋଟାଏ ଆବଶ୍ୟକତା। ପ୍ରତ୍ୟେକଟି ପରସ୍ପରର ପରିପୂରକ। ଦ୍ବିତୀୟତଃ, ଶିକ୍ଷକତା ଏମିତିରେ ଏକ ଆଦର୍ଶ ବୃତ୍ତି; ତା’ ଆଗରେ ‘ଆଦର୍ଶ’ ବିଶେଷଣ ଏକ ଅତିର˚ଜନ। ଶିକ୍ଷକକୁ ସମାଜ ସ୍ବାଭାବିକ ଭାବେ ଆଦର୍ଶ ବୋଲି ବିଚାର କରେ ଏବ˚ ସାଧାରଣ ବ୍ୟକ୍ତି ତୁଳନାରେ ତା’ ପାଖରୁ ଅଧିକ ଆଶା କରେ। ଶିକ୍ଷକର ବିପରୀତ ଶବ୍ଦ ନାହିଁ, ଯେମିତି ମା’ର। ବର˚ ଶିକ୍ଷକ ହିଁ ସମାଜରେ ଆଦର୍ଶର ସ୍ତର ନିର୍ଦ୍ଧାରଣ କରିଥାଏ। ଯେଉଁ ଆଦର୍ଶ ଧାରାକୁ ଅନ୍ୟମାନେ ପ୍ରତିପାଦନ କରି ପାରନ୍ତି ନାହିଁ, ତାକୁ ମଧୢ ଜଣେ ଶିକ୍ଷକ କରିପାରିବ ବୋଲି ଲୋକେ ଆଶା ରଖନ୍ତି। ସେହି ଧାରା ଯଦି ଅଧଃପତନର ଶିକାର, ତାକୁ ଶିକ୍ଷକର ପରାଜୟ ବୋଲି ମନେ କରାଯାଏ। ତେଣୁ, ସମାଜର ପ୍ରଚଳିତ ବ୍ୟବସ୍ଥା ଓ ଶିକ୍ଷକର ଜୀବନାଦର୍ଶ ମଧୢରେ ସର୍ବଦା କିଛି ବ୍ୟବଧାନ ରହେ; କିନ୍ତୁ ବ୍ୟବଧାନ ବଢ଼ିଲେ ସମାଜର ଚିନ୍ତା ବଢ଼େ। ସୁତରାଂ, ସମାଜକୁ ଏକ ପ୍ରାଜ୍ଞ ଓ ସଭ୍ୟ ସ୍ତରକୁ ଉନ୍ନୀତ କରିବାର ପ୍ରୟାସକୁ ଆମେ ଶିକ୍ଷକତା ବୋଲି କହିପାରିବା। ଏହା ଏକ ନିରନ୍ତର ପ୍ରକ୍ରିୟା। ଏଥିରେ ବର୍ତ୍ତମାନର ଶିକ୍ଷକ କେତେ ଦୂର ଆଶାନୁରୂପ ଭୂମିକା ନିର୍ବାହ କରୁଛନ୍ତି- ତାହା ବିଚାର୍ଯ୍ୟ।

ଶ୍ରେଣୀ ଗୃହରେ ଧାର୍ଯ୍ୟ ସମୟରେ ଶିକ୍ଷାଦାନ କରୁଥିବା ବ୍ୟକ୍ତି ଜଣକ ହିଁ କେବଳ ଶିକ୍ଷକ ନା ସମାଜର ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ଶିକ୍ଷକ? ଆମେମାନେ ମନ ମଧୢରେ ଏକ ଆଦର୍ଶ ନିର୍ମାଣ କରନ୍ତି। ଏବ˚ ତାକୁ କାର୍ଯ୍ୟରେ ପରିଣତ କରିବା ଲାଗି ଯଦି ଆମେ ପ୍ରୟାସ କରୁ, ତେବେ ଆମେ ଶିକ୍ଷକତା କରୁଛନ୍ତି ବୋଲି ବୁଝିବାକୁ ହେବ। ତେଣୁ ବାପା, ମା’ଙ୍କୁ ପିଲାର ପ୍ରଥମ ଶିକ୍ଷକ ବୋଲି ମନେ କରାଯାଏ। ସେହିଭଳି ଅନୁଭବୀ ବା ଅଭିଜ୍ଞ ଜ୍ୟେଷ୍ଠମାନେ ମଧୢ ଶିକ୍ଷକ। ଶିକ୍ଷକକୁ ଚିହ୍ନିବା ଲାଗି ପ୍ରତ୍ୟେକଙ୍କୁ ଶିକ୍ଷାର୍ଥୀ ହେବାର ମାନସିକତା ରଖିବାକୁ ପଡ଼େ। ଏଥିରୁ ବୃତ୍ତିଧାରୀ ଶିକ୍ଷକ ମଧୢ ବାଦ ପଡ଼ି ନ ପାରନ୍ତି। ଅନ୍ୟ ଠାରୁ କେବଳ ଶିଖିବାର ଇଚ୍ଛା ରହିବା କଥା। ଏହି କ୍ରମରେ ମଣିଷେତର ପ୍ରାଣୀ ମଧୢ ଶିକ୍ଷକ ହେବାର ସାମର୍ଥ୍ୟ ରଖନ୍ତି। ଏହା ସତ ନୁହେଁ କି ଗଛଲତା, ପଶୁପକ୍ଷୀ, କୀଟପତଙ୍ଗ ଠାରୁ ମଧ୍ୟ ଶିଖିବାର ଅଛି। ଯଦି ଏହା ଠିକ୍‌, ତେବେ ଶ୍ରେଣୀର ସବା ତଳ ସ୍ତରରେ ଥିବା ପିଲା ଠାରୁ ବି କିଛି ଶିକ୍ଷା କରିବା ଭଳି ଉପାଦାନ ଥିବ। ମନରେ ସବ୍‌ଜାନତାର ଅହଂକାର ନ ରହିଲେ ସମସ୍ତଙ୍କ ଠାରୁ କିଛି ନା କିଛି ଶିଖି ହେବ। ସୁତରାଂ, ଭିନ୍ନ ଭାଷାଟିଏ ଜାଣିଥିବା ପିଲା ଠାରୁ ଜଣେ ଉଚ୍ଚଶିକ୍ଷିତ ଶିକ୍ଷକ ନୂଆ ଭାଷାଟିଏ ଶିଖିପାରିବେ। ଏହା ଏକ ଉଦାହରଣ ମାତ୍ର। ପ୍ରତ୍ୟେକ ଛାତ୍ର ବିଭିନ୍ନ ଅନୁଭବରେ ଧନୀ। ଇଚ୍ଛା ରଖିଲେ ଶିକ୍ଷକ ସେମାନଙ୍କ ଠାରୁ ମଧ୍ୟ ଶିଖିପାରିବେ। ତେଣୁ ଶିଖିବାର ମନୋବୃତ୍ତି ରଖିବା ଅତ୍ୟନ୍ତ ‘ମହତ୍ତ୍ବପୂର୍ଣ୍ଣ। ପୁଣି ଏଭଳି ସ୍ଥଳେ ପିଲାଟିଏ ତା’ ଭିତରେ ଥିବା ସାମର୍ଥ୍ୟକୁ ନେଇ ଆତ୍ମ ପ୍ରତ୍ୟୟବାନ ହୋଇପାରେ। ତେଣୁ କୌଣସି ଛାତ୍ର ବା ଛାତ୍ରୀଙ୍କୁ ବୋକା, ଅଜ୍ଞାନ, ମାନ୍ଦା, ନିକୃଷ୍ଟ ଆଦି ମନେ କରିବା ପ୍ରକୃତ ଶିକ୍ଷକତାର ପରିପନ୍ଥୀ। ବର˚ ସେହି ପିଲାଟି ଅସୀମ ସାମର୍ଥ୍ୟର ଅଧିକାରୀ ବୋଲି ତା’ର ହୃଦ୍‌ବୋଧ କରାଇବା ହେଉଛି ପ୍ରକୃତ ଶିକ୍ଷକୀୟ ଗୁଣ। ଏହା ଫଳରେ ଜଣେ ଅତି ସାଧାରଣ ପିଲା ଭବିଷ୍ୟତ୍‌ରେ ସମାଜ ପାଇଁ ସ˚ପତ୍ତିରେ ପରିଣତ ହୋଇପାରେ। କିନ୍ତୁ ତାକୁ ଦୁର୍ବଳ ବା ସାମର୍ଥ୍ୟହୀନ ବୋଲି ବିଚାର କରାଗଲେ ତା’ ଭିତରର ଫୁଲ ପ୍ରସ୍ଫୁଟିତ ହେବାକୁ ସୁଯୋଗ ପାଏ ନାହିଁ। ସେହି ପିଲା ହୁଏ’ତ ଏଭଳି ସ୍ଥଳେ ସମାଜ ଲାଗି ବୋଝରେ ପରିଣତ ହୋଇପାରେ!

ମହାନ ଶିକ୍ଷାବିଦ୍‌ମାନେ କହନ୍ତି ଯେ କୌଣସି ଛାତ୍ରକୁ ଶିକ୍ଷକ ନୂଆ କିଛି ଶିକ୍ଷା ଦିଅନ୍ତି ନାହିଁ, ବର˚ ତା’ ଅନ୍ତରରେ ଥିବା ସାମର୍ଥ୍ୟକୁ ତାକୁ ଚିହ୍ନାଇ ଦିଅନ୍ତି। ଏହାର ଅର୍ଥ ପ୍ରତ୍ୟେକ ଶିଶୁ କସ୍ତୁରୀ ମୃଗ ସମ; ତା’ର ସାମର୍ଥ୍ୟ ଲୁକ୍କାୟିତ। ଶିକ୍ଷକଙ୍କ କାମ ହେଲା ତାକୁ ଉଜାଗର କରିବା।

ଶିଶୁଟିଏ କେମିତି ଜାଣେ ଯେ ସେ ଜଣେ କବି ବା ଚିତ୍ରକର ହୋଇପାରିବ? ଶିକ୍ଷକ ହିଁ ତାକୁ ଏହି ଅବବୋଧ ପ୍ରଥମ କରି ପ୍ରଦାନ କରନ୍ତି। ଏହା ଦ୍ବାରା ମୁଁ କହୁନାହିଁ ଯେ ସେ ଜଣେ ଔପଚାରିକ ଶିକ୍ଷକ ହିଁ ହୋଇଥିବେ!; ସେ ତା’ର ବାପା-ମା’ କିମ୍ବା ପରିଜନ ବା ପଡ଼ୋଶୀ ମଧ୍ୟ ହୋଇପାରନ୍ତି; କିନ୍ତୁ ସେହି ବ୍ୟକ୍ତି ହିଁ ଶିକ୍ଷକ ଭାବେ ଗଣା ହେବେ। ଏହାର ଅର୍ଥ ହେଲା, ଯେଉଁମାନଙ୍କ ଠାରେ ପ୍ରତିଭାର ବିକାଶ ହୋଇପାରିନାହିଁ, ତା’ର ଅର୍ଥ ନୁହେଁ ଯେ ସେମାନଙ୍କ ଭିତରେ ପ୍ରତିଭାର ଅଭାବ ରହିଛି, ବର˚ ତା’ର କାରଣ ହେଉଛି ଜଣେ ପ୍ରତିଭା ଚିହ୍ନରାର ଅଭାବ। ଏହି ଦୃଷ୍ଟିରୁ କହିହେବ ଯେ, ପ୍ରତ୍ୟେକ ଅନୁଭବଧାରୀ ବୟସ୍କଙ୍କ କର୍ତ୍ତବ୍ୟ ହେଲା ଅଙ୍କୁରର ସାମର୍ଥ୍ୟକୁ ଖୋଜିବା, ଚିହ୍ନିବା ଏବ˚ ପଲ୍ଲବିତ ହେବା ପାଇଁ ତାକୁ ପ୍ରୋତ୍ସାହିତ କରିବା। ସାମାନ୍ୟ ପ୍ରୋତ୍ସାହନର ଅଭାବ ହିଁ ଜଣେ ମନୁଷ୍ୟକୁ ନିଷ୍ଫଳା ବୃକ୍ଷରେ ପରିଣତ କରିଥାଏ।

ପ୍ରକୃତ ଶିକ୍ଷକ ବିନା ପକ୍ଷପାତରେ ପିଲାମାନଙ୍କୁ ଭଲ ପାଏ ଏବ˚ ବିଷମ ପରିସ୍ଥିତିରେ ପିଲାମାନେ ଯେମିତି ନିରାଶ ନ ହୁଅନ୍ତି, ତା’ର ମାର୍ଗ ଦେଖାଏ। ଜାତି ଓ ଧର୍ମ ଆଦିର କୃତ୍ରିମ ଭେଦାଭେଦରୁ ଊର୍ଦ୍ଧ୍ବରେ ରହି ପିଲାମାନଙ୍କୁ ତା’ର ଊର୍ଦ୍ଧ୍ବକୁ ଯିବାକୁ ପ୍ରେରଣା ଦିଏ। ଜାତି, ଧର୍ମ କିମ୍ବା ଭାଷା ଆଧାରରେ କିଛି ନିର୍ଦ୍ଦିଷ୍ଟ ବର୍ଗକୁ ଅଣଦେଖା କରିବା ବା ସେମାନଙ୍କ ପ୍ରତି ଭେଦାଭେଦ ରଖିବାକୁ ଛାତ୍ରଛାତ୍ରୀମାନଙ୍କୁ ବୁଦ୍ଧି ଦେବା କିମ୍ବା ସେମାନଙ୍କ ପୃଥକ୍‌ ଜୀବନଶୈଳୀ ଓ ପର˚ପରାକୁ ବିଦ୍ବେଷପୂର୍ଣ୍ଣ ଦୃଷ୍ଟିରେ ଦେଖିବା କେବେ ପ୍ରକୃତ ଶିକ୍ଷକତା ହୋଇ ନ ପାରେ। ଦେଶ କିମ୍ବା ପ୍ରଦେଶକୁ ନେଇ ମନରେ ସ୍ବାଭିମାନ ଜାଗ୍ରତ କରିବା ସହିତ ଅନ୍ୟ ଦେଶ ଏବ˚ ଅନ୍ୟ ବର୍ଗ ପ୍ରତି ସମ୍ମାନ ଓ ଶ୍ରଦ୍ଧା ସୃଷ୍ଟି କରିବା ହେଉଛି ଉତ୍ତମ ଶିକ୍ଷକତା। ପଡ଼ୋଶୀର ଘରକୁ ନିଆଁରେ ପୋଡ଼ି କେହି କେବେ ନିଜ ଘରକୁ ସୁରକ୍ଷିତ ରଖି ପାରେନାହିଁ। ପ୍ରତ୍ୟେକ ଶିଶୁକୁ ବିଶ୍ବ ସମାଜର ନାଗରିକ ହେବାରେ ସହାୟତା କରିବା ହେଉଛି ଉତ୍ତମ ଶିକ୍ଷକତାର ଉଦାହରଣ। ଏଥିରେ ଘୃଣା, ଦ୍ବେଷ ପାଇଁ ସ୍ଥାନ ନାହିଁ। ମାନବ ସମାଜକୁ ‘ଏକ’ ବୋଲି ମନେ କରିବା ଏବ˚ ଏହି ଉଦାତ୍ତ ମାନବୀୟ ବାଣୀ ଦ୍ବାରା ପିଲାର ଅନ୍ତର୍ମନକୁ ରସାଣିତ କରିବା ହେବ ଆଦର୍ଶ ଶିକ୍ଷକତା। ତେଣୁ ପ୍ରତ୍ୟେକ ଶିକ୍ଷକ କାୟମନୋବାକ୍ୟରେ ଏଭଳି ଅବବୋଧ ପୋଷଣ କରିବା ନିତାନ୍ତ ଆବଶ୍ୟକ।

ସମସ୍ୟାଟିଏ ଜଟିଳ ହେବା ପଛରେ କାରଣ ହେଲା, ତା’ପାଇଁ ବ୍ୟକ୍ତି ନିଜକୁ ବାଦ ଦେଇ ଅନ୍ୟ ସମସ୍ତଙ୍କୁ ଦାୟୀ କରିଥାଏ। ସମସ୍ୟାଟି ଲାଗି ସେ ନିଜେ କେମିତି ସମ ପରିମାଣରେ ଦାୟୀ, ତାହା ବୁଝିପାରିଲେ, ସମସ୍ୟାକୁ ନେଇ ଅନ୍ତର୍ମୁଖୀ ହୋଇ ପାରିଲେ ସମାଧାନର ବାଟ ଫିଟେ। ଆତ୍ମ-ସମୀକ୍ଷା ବିନା କୌଣସି ସମାଧାନର ସ˚ଭାବନା କ୍ଷୀଣ! ଏହା ଜଣେ ଉଚ୍ଚକୋଟୀର ଶିକ୍ଷକଙ୍କ ବିଭାବ ‌େହାଇଥାଏ। ସାଧାରଣତଃ ବାପା-ମା’, ଶିକ୍ଷକ ଏବ˚ ଗୁରୁଜନଙ୍କ ଅଭିଯୋଗ ଯେ ସେମାନଙ୍କ କଥାକୁ କନିଷ୍ଠମାନେ ଧୢାନ ଦେଉ ନାହାନ୍ତି। ଏହି ଅଭିଯୋଗ ଆବହମାନ କାଳରୁ ରହି ଆସିଛି। କନିଷ୍ଠ ଏବ˚ ଶିକ୍ଷାର୍ଥୀ ସମାଜର ମଧୢ ଅନୁରୂପ ଅଭିଯୋଗ ଯେ ସେମାନଙ୍କ ଅଭିନବ ପ୍ରୟୋଗକୁ ଜ୍ୟେଷ୍ଠମାନେ ହେୟ ମନେ କରୁଛନ୍ତି! ମାତ୍ର ବାସ୍ତବତା ହେଲା, ସେହି ନୂଆ ଓ ପୁରୁଣାର ସ˚ଘାତ ସାଙ୍ଗରେ ନିରନ୍ତର ସ˚ହତି ମଧୢ ଚାଲିଥାଏ। କେହି ସମୂଳେ ତ୍ୟାଜ୍ୟ ହୁଅନ୍ତି ନାହିଁ କିମ୍ବା ସମୂଳେ ଗୃହୀତ ମଧୢ ହୁଅନ୍ତି ନାହିଁ। ନିଜ ବିଚାରକୁ ଅନ୍ୟମାନେ ହେୟ କଲେ ବୋଲି ମୁହ୍ୟମାନ ହେବା ଅର୍ଥ ନିଜ ଉପରେ ଆସ୍ଥା ହରାଇବା। ଏହା ଯେଉଁ ନିରୁତ୍ସାହ ଭାବ ସୃଷ୍ଟି କରେ, ତା’ର ଗଭୀର ପ୍ରଭାବ ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିତ୍ବ ଉପରେ ମଧ୍ୟ ପଡ଼ିପାରେ। ଏହି ମର୍ମ କଥାଟିକୁ ଉଭୟ ଜ୍ୟେ‌ଷ୍ଠ ବର୍ଗ ଅର୍ଥାତ୍‌ ଶିକ୍ଷକ ଏବଂ କନିଷ୍ଠ ବର୍ଗ ଅର୍ଥାତ୍‌ ଶିକ୍ଷାର୍ଥୀ ହୃଦୟଙ୍ଗମ କରିବା ଆବଶ୍ୟକ। ଏକ ବ୍ୟାପକ ଅର୍ଥରେ ଦେଖିଲେ ପ୍ର‌େତ୍ୟକ ମନୁଷ୍ୟ ଏକା ସାଙ୍ଗରେ ଜଣେ ଶିକ୍ଷକ ଏବଂ ଶିକ୍ଷାର୍ଥୀ ମଧ୍ୟ। ନିଜେ ସର୍ବଦା ଠିକ ବୋଲି ଭାବିନେବା ଜଣକୁ ଉଭୟ ଶିକ୍ଷକ ଏବଂ ଶିକ୍ଷାର୍ଥୀ ହେବାରୁ ବଂଚିତ କରିଥାଏ।

ଅନେକ ବୃତ୍ତିଧାରୀ ଶିକ୍ଷକଙ୍କ ଅଭିଯୋଗ ହେଲା ସେମାନେ ସାମାନ୍ୟ ଶିକ୍ଷକ ହେବା ଠାରୁ ଜୀବନରେ ଅଧିକ କିଛି ହେବାର ଆଶା ରଖିଥିଲେ। ଅବଶ୍ୟ ଅନେକ ବ୍ୟତିକ୍ରମ ମଧୢ ଅଛନ୍ତି ଏବ˚ ସେମାନଙ୍କ ଭରସାରେ ଶିକ୍ଷକତା ତା’ ମହାନତା ସାବ୍ୟସ୍ତ କରିଥାଏ। ଯେଉଁମାନେ ଅଭିଯୋଗକାରୀ ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଲୋଡ଼ା। ଶିକ୍ଷକତା ସେମାନଙ୍କୁ ସମ୍ମାନ ଦିଏ, ପରାର୍ଥେ ଜୀବନ ବ˚ଚିବାକୁ ସମୟ ଦିଏ ତଥା ପ୍ରତିଦିନ ପିଲାଙ୍କ ଗହଣରେ ରହିବାର ସୁଯୋଗ ଦିଏ ଯାହା ତାଙ୍କୁ ଆତ୍ମକୈନ୍ଦ୍ରିକ ହେବାରୁ ରକ୍ଷା କରେ। ଜୀବନର ନିର୍ଣ୍ଣାୟକ ମୋଡ଼ ସାଧାରଣତଃ କୈଶୋରାବସ୍ଥାରେ ଆସିଥାଏ ଏବ˚ ସେହି ସମୟରେ ଶିକ୍ଷକର ଭୂମିକା ଶିଶୁ ପାଇଁ ଅନ୍ୟ ସମସ୍ତଙ୍କ ତୁଳନାରେ ଅଧିକ। ତେଣୁ, ସ୍କୁଲ୍‌ ଶିକ୍ଷକକୁ ଏହି ଭୂମିକା ନିର୍ବାହନ ପାଇଁ ଅବସର ମିଳିଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରିବା କଥା। ଅବଶ୍ୟ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥାରେ ଆର୍ଥିକ ଦୃଷ୍ଟିରୁ ଅନେକ ଶିକ୍ଷକ ଅନ୍ୟମାନଙ୍କ ତୁଳନାରେ ନିମ୍ନରେ; ମାତ୍ର ଅନେକଙ୍କ ଠାରୁ ଉଚ୍ଚରେ ମଧୢ। ଶିକ୍ଷକ କେଉଁମାନଙ୍କୁ ନଜରରେ ରଖି ନିଜ ସମ୍ବଳ ତଥା ସାମାଜିକ ସ୍ଥିତିର ଆକଳନ କରିବେ- ତାହା ସେହି ବ୍ୟକ୍ତିଙ୍କ ଉପରେ ନିର୍ଭର କରିବ। କେବଳ ଅଧିକରୁ ଅଧିକ ରୋଜଗାର ଲକ୍ଷ୍ୟ ଆଦର୍ଶ ଶିକ୍ଷକତାର ମାର୍ଗରେ ଏକ ବାଧକ କି? ଏହା ବି ଏକ ବିଚାର୍ଯ୍ୟ ପ୍ରଶ୍ନ। କିନ୍ତୁ ଶେଷ କଥାଟି ହେଲା, କେବଳ ବୃତ୍ତିଧାରୀ ଶିକ୍ଷକ କାହିଁକି, ବାପା-ମା’, ବନ୍ଧୁ ପରିଜନ, ପଡ଼ୋଶୀ, ଜ୍ୟେଷ୍ଠ, ଅଭିଜ୍ଞ, କନିଷ୍ଠ; ସମସ୍ତେ ଜଣେ ଜଣେ ଆଦର୍ଶ ଶିକ୍ଷକ ହେବାର ସମ୍ଭାବନା ବହନ କରନ୍ତି।
[email protected]

ସମ୍ବନ୍ଧିତ ଖବର