ଗାନ୍ଧୀଜୀଙ୍କୁ ବଳପୂର୍ବକ ଅପହରଣ କରିନେବାକୁ କେବେ ଷଡ୍ଯନ୍ତ୍ର ହୋଇଥିଲା କି? ଏମିତି ଏକ ପ୍ରଶ୍ନ ଏବେ ହୁଏତ ଆଶ୍ଚର୍ଯ୍ୟଜନକ ଲାଗିପାରେ। କିନ୍ତୁ ଗାନ୍ଧୀ ହତ୍ୟାର ଷଡ୍ଯନ୍ତ୍ର ଯାଞ୍ଚ କରିବାକୁ ବସିଥିବା କପୁର ଆୟୋଗଙ୍କ ସମ୍ମୁଖରେ ଏ ପ୍ରଶ୍ନ ଥିଲା। ଆୟୋଗ ଏଥିନେଇ ଯାଞ୍ଚ ବି କରିଥିଲେ। ଅପହରଣ ସମ୍ପର୍କିତ ତଥ୍ୟ ଆୟୋଗଙ୍କ ରିପୋର୍ଟର ପାରା ୨୫.୧୧୯ରୁ ପାରା ୨୫.୧୩୫ ମଧ୍ୟରେ ସନ୍ନିବେଶିତ ହୋଇଛି।
ମହାତ୍ମା ଗାନ୍ଧୀଙ୍କ ହତ୍ୟା ଷଡ୍ଯନ୍ତ୍ରର ବିଶେଷ ଅନୁସନ୍ଧାନ କରି ରିପୋର୍ଟ ଦେବାକୁ ୧୯୬୫ ମସିହା ନଭେମ୍ବର ମାସରେ ଭାରତ ସରକାର ଏକ ଯାଞ୍ଚ ଆୟୋଗ ଗଠିତ କରିଥିଲେ। ଆୟୋଗର ଅଧ୍ୟକ୍ଷ ଥିଲେ ସୁପ୍ରିମ୍ କୋର୍ଟର ମାନ୍ୟବର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଜୀବନ ଲାଲ କପୁର। ଆୟୋଗ ତାଙ୍କ ରିପୋର୍ଟ ୧୯୬୯ ମସିହା ସେପ୍ଟେମ୍ବର ୩୦ ତାରିଖରେ ଭାରତ ସରକାରଙ୍କୁ ଦେଇଥିଲେ।
ଏପରି ଏକ ଆୟୋଗର ଗଠନ ପାଇଁ ଏକ ବିଶେଷ ପରିସ୍ଥିତି ସୃଷ୍ଟି ହୋଇଥିଲା ୧୯୬୪ ମସିହାରେ। ମହାରାଷ୍ଟ୍ର ବିଧାନସଭା ଓ ଭାରତୀୟ ସଂସଦରେ ଏଥିନେଇ ପ୍ରବଳ ଦାବି ଉଠିଥିଲା। ଏ ପରିସ୍ଥିତିର ସୂତ୍ରପାତ ଘଟିଥିଲା ପୁନାରେ। ଗାନ୍ଧୀ ହତ୍ୟାରେ ଦୋଷୀ ସାବ୍ୟସ୍ତ ହୋଇ ଏବଂ ଜେଲରେ ପ୍ରାୟ ପନ୍ଦର ବର୍ଷ ରହି ମୁକ୍ତ ହେବା ପରେ ଗୋପାଳ ଗଡ଼ସେ, ବିଷ୍ଣୁ କାରକେରେ ଓ ମଦନଲାଲ ପାହ୍ୱାଙ୍କ ପାଇଁ ସତ୍ୟ ବିନାୟକ ପୂଜା ସହ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ ହୋଇଥିଲା। ନାଥୁରାମ ଗଡ଼ସେର ଫଟୋରେ ଫୁଲମାଳ ଦିଆଯାଇଥିଲା। ଏ ସଭାରେ ଅଧ୍ୟକ୍ଷତା କରିଥିଲେ ବାଲ ଗଙ୍ଗାଧର ତିଲକଙ୍କ ନାତି ଜି. କେଟକର। ଗାନ୍ଧୀ ହତ୍ୟାର ଷଡ୍ଯନ୍ତ୍ର କଥା ପୂର୍ବରୁ ଜାଣିଥିଲେ ବୋଲି କେଟକର ସେ ସଭାରେ କହିଥିଲେ। ସ୍ୱାଗତ ସମ୍ବର୍ଦ୍ଧନା ଆଳରେ ନ୍ୟାୟସିଦ୍ଧ ହତ୍ୟାକାରୀଙ୍କର ମହିମାଗାନ କରି ରାଜନୈତିକ ହତ୍ୟା ଓ ହିଂସାକୁ ପ୍ରୋତ୍ସାହନ ଦେବା ଅଭିଯୋଗରେ କେଟକର ଓ ତାଙ୍କ ସାଥୀମାନଙ୍କୁ ଗିରଫ କରାଯାଇ ଜେଲ ପଠାଯାଇଥିଲା ଏବଂ ଏକ ବିସ୍ତୃତ ଯାଞ୍ଚ ପାଇଁ ନ୍ୟାୟିକ ଆୟୋଗ ଗଠିତ ହୋଇଥିଲା।
ହତ୍ୟା ଷଡ୍ଯନ୍ତ୍ର ସହ ଅପହରଣ ଷଡ୍ଯନ୍ତ୍ର ପ୍ରଶ୍ନ ଆସୁଛି କାହିଁକି ବୋଲି ଆୟୋଗ ପ୍ରଶ୍ନ କରିବାରୁ ବିରଳା ଭବନରେ ୧୯୪୮ ମସିହା ଜାନୁଆରି ୨୦ ତାରିଖରେ ଗାନ୍ଧୀଙ୍କ ଉପରକୁ ବୋମା ଫିଙ୍ଗିବା ଅଭିଯୋଗରେ ସମ୍ପୃକ୍ତ ଥିବା ମଦନଲାଲ ପାହ୍ୱାର ବୟାନ ଏକ ଆଧାର ଭାବେ ବିଚାରକୁ ଆସିଥିଲା। ମଦନଲାଲ ତା’ ବୟାନରେ କହିଥିଲା, ଗାନ୍ଧୀଙ୍କ ପ୍ରାର୍ଥନା ସଭାରେ ସେ ବୋମା ଫିଙ୍ଗିବା ଏବଂ ବିସ୍ଫୋରଣ ଯୋଗୁଁ ଲୋକମାନେ ଇତସ୍ତତଃ ହୋଇ ପଳାୟନ ପରିସ୍ଥିତିର ସୁଯୋଗ ନେଇ ତା’ ସାଥୀମାନେ ଗାନ୍ଧୀଙ୍କୁ ବଳପୂର୍ବକ କାବୁ (ଓଭରପାୱାର) କରିନେବାର ଯୋଜନା ଥିଲା। ମଦନଲାଲର ଏ ଉକ୍ତିକୁ ପ୍ରଫେସର ଜୈନ ସମର୍ଥନ କରିଥିଲେ। ଗାନ୍ଧୀଙ୍କ ଅପହରଣ ଷଡ୍ଯନ୍ତ୍ର ମହାରାଷ୍ଟ୍ରରୁ ପଞ୍ଜାବ ପର୍ଯ୍ୟନ୍ତ ଏତେ ବିସ୍ତୃତ ଥିଲା ଯେ ଏହାର ଯାଞ୍ଚ ଅସମ୍ଭବ ଥିଲା। ଏପରି ଥିଓରିକୁ ଆୟୋଗ ପ୍ରତ୍ୟାଖ୍ୟାନ କରି ନଥିଲେ ବି ଏଥିନେଇ ଅଧିକ ଯାଞ୍ଚକୁ ଆଉ ଆଗେଇ ନ ଥିଲେ। ଯାଞ୍ଚ ତାର୍କିକ ନିଷ୍କର୍ଷରେ ପହଞ୍ଚି ପାରି ନଥିଲା। ୧୯୪୮ ମସିହାରେ ଗାନ୍ଧୀ ହତ୍ୟାର ତଦନ୍ତ କରିଥିବା ପୋଲିସ ଅଫିସର ଜିମି ନଗରୱାଲା, ମଦନଲାଲର ‘ଓଭରପାୱାର’ ପ୍ରସଙ୍ଗ ନେଇ କାହିଁକି ତଦନ୍ତ କରି ନଥିଲେ, ଏ ପ୍ରଶ୍ନ କିନ୍ତୁ ପ୍ରଶ୍ନରେ ହିଁ ରହିଯାଇଥିଲା।
ଗାନ୍ଧୀଙ୍କ ହତ୍ୟାର ବହୁ ପୂର୍ବରୁ ତାଙ୍କ ଉପରେ ଆଉ ପାଞ୍ଚ ଥର ଆକ୍ରମଣର ଉଦ୍ୟମ ହୋଇଥିଲା। ସେତେବେଳେ ଭାରତ ବିଭାଜନ କିମ୍ବା ପାକିସ୍ତାନ ଗଠନ ପ୍ରସଙ୍ଗ କେବେ କେଉଁଠି ଗମ୍ଭୀର ଭାବେ ଉଠି ନ ଥିଲା। ଭାରତର ସ୍ୱାଧୀନତା ପାଇଁ ଗାନ୍ଧୀ ସେବେ ସତ୍ୟାଗ୍ରହ କରୁଥିଲେ। ଅସ୍ପୃଶ୍ୟତା, ନିଶା ଓ ସାମ୍ପ୍ରଦାୟିକ ହିଂସା ବିରୋଧରେ ସେ ପଦଯାତ୍ରା କରୁଥିଲେ। ନିଜ ଉପରେ ଆକ୍ରମଣ ପରେ ଗାନ୍ଧୀ ତାଙ୍କର ଆବେଗିକ ଉତ୍ତର ରଖୁଥିଲେ ,‘ମୁଁ କାହାକୁ କେବେ ଆଘାତ ଦେଇନି କିମ୍ବା ଶତ୍ରୁ ବୋଲି ଭାବିନି। ମୋ ଉପରେ ଏତେ ମରଣାନ୍ତକ ଆକ୍ରମଣ କାହିଁକି?’
ଗାନ୍ଧୀଙ୍କ ଉପରେ ପ୍ରଥମ ଆକ୍ରମଣ ହୋଇଥିଲା ୧୯୩୪ ଜୁନ ୨୫ ତାରିଖରେ। ସେଦିନ ପୁନାର ମୁନିସିପାଲିଟି ହଲ୍ରେ ଗାନ୍ଧୀ ଓ କସ୍ତୁରବାଙ୍କ ପାଇଁ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ ହେଉଥିଲା। କିନ୍ତୁ ସଭାସ୍ଥଳରେ ପହଞ୍ଚିବାର ଠିକ୍ ପୂର୍ବରୁ ଗାନ୍ଧୀ ଓ କସ୍ତୁରବା ବସିଥିବା କାର ଉପରକୁ ଜଣେ ଦୁର୍ବୃତ୍ତ ଗ୍ରେନେଡ୍ ଫିଙ୍ଗିଥିଲା। ଗ୍ରେନେଡ୍ଟି କାରର ବୋନେଟ୍ରେ ବାଜିଥିଲା। ଗାନ୍ଧୀ ଅକ୍ଷତ ଥିଲେ। ଅସ୍ପୃଶ୍ୟତା ଦୂରୀକରଣ ଅଭିଯାନକୁ ବିରୋଧ କରୁଥିବା କିଛି ଖଳ ଲୋକଙ୍କ ଏଥିରେ ସମ୍ପୃକ୍ତି ଥିବା ଜଣାଯାଇଥିଲା।
ଗାନ୍ଧୀଜୀଙ୍କ ଉପରେ ଦ୍ବିତୀୟ ଆକ୍ରମଣ ହୋଇଥିଲା ୧୯୪୪ ଜୁଲାଇରେ। ଆଗା ଖାଁ ପାଲେସରୁ ବାହାରି ଗାନ୍ଧୀ ପଞ୍ଚଗନିରେ ବିଶ୍ରାମ ନେଉଥିବା ବେଳେ ନାଥୁରାମ ଗଡ଼ସେ ସହ କିଛି ସନାତନୀ ଯୁବକ ହାତରେ ଖଣ୍ଡା ଓ ମାରଣାସ୍ତ୍ର ଧରି ଗାନ୍ଧୀଙ୍କ ପ୍ରାର୍ଥନା ସଭାକୁ ଆସିଥିଲେ। କାରଣ କ’ଣ ବୋଲି ଗାନ୍ଧୀ ପଚାରିଥିଲେ ବି, କିଛି ଉତ୍ତର ନଥିଲା।
୧୯୪୪ ମସିହା ସେପ୍ଟେମ୍ବର ମାସରେ ଗାନ୍ଧୀ ଯେତେବେଳେ ସେବାଗ୍ରାମରେ ଥିଲେ, ତୃତୀୟ ଆକ୍ରମଣ ହୋଇଥିଲା। ପାକିସ୍ତାନ ଦାବି ଛାଡ଼ିଦେବାକୁ ଜିନ୍ନାଙ୍କୁ ଭେଟି ବୁଝାଇବାକୁ ଗାନ୍ଧୀ ସେବେ ତାଙ୍କ ଘରକୁ ଯାଉଥିଲେ।
ଗାନ୍ଧୀ ହତ୍ୟା ଉଦ୍ୟମର ଚତୁର୍ଥ ଘଟଣା ଘଟିଥିଲା ୧୯୪୬ ଜୁନ ୨୯ ତାରିଖରେ। ଗାନ୍ଧୀ ସେଦିନ ଟ୍ରେନରେ ପୁନା ଆସୁଥିଲେ। ଟ୍ରେନକୁ ଲାଇନଚ୍ୟୁତ କରିଦେଇ ବଡ଼ ଧରଣର ଏକ ଦୁର୍ଘଟଣା ଘଟେଇବାକୁ ରେଳ ଧାରଣା ଉପରେ ବୋଲଡର ରଖି ଦିଆଯାଇଥିଲା। ସେଦିନ ଦୁର୍ଘଟଣା ସତ୍ତ୍ବେ ଗାନ୍ଧୀ ଅଳ୍ପକେ ବର୍ତ୍ତି ଯାଇଥିଲେ।
ପଞ୍ଚମ ହତ୍ୟା ଉଦ୍ୟମ ହୋଇଥିଲା ୧୯୪୮ ମସିହା ଜାନୁଆରି ୨୦ ତାରିଖରେ, ଦିଲ୍ଲୀର ବିରଳା ଭବନରେ। ଗାନ୍ଧୀଙ୍କ ପ୍ରାର୍ଥନା ସଭାରେ ବୋମା ବିସ୍ଫୋରଣ ହୋଇଥିଲା। ମଦନଲାଲ ବୋମା ଫିଙ୍ଗି ଆତଙ୍କ ସୃଷ୍ଟି କରିଥିଲା। ପୁଲିସ ହାତରେ ଧରା ପଡ଼ି ମଦନଲାଲ ବୋମା ବିସ୍ଫୋରଣର କାରଣରେ କହିଥିଲା- ‘ଗାନ୍ଧୀ ହତ୍ୟା ଷଡ୍ଯନ୍ତ୍ର ବହୁ ପୁରୁଣା। ମହାରାଷ୍ଟ୍ରର କିଛି ସନାତନୀ ଗୋଷ୍ଠୀ ଗାନ୍ଧୀଙ୍କ ଅହିଂସା ନୀତି ଓ ତିଲକଙ୍କ ପରିବର୍ତ୍ତେ ଗାନ୍ଧୀଙ୍କ ଅଭ୍ୟୁଦୟକୁ ଗ୍ରହଣ କରି ପାରି ନଥିଲେ।’
୧୯୪୮ ଜାନୁଆରି ୩୦ ତାରିଖ ଥିଲା ଗାନ୍ଧୀ ହତ୍ୟାର ଷଷ୍ଠ ଉଦ୍ୟମ। ପାଞ୍ଚ ଥରର ବିଫଳତା ପରେ ଏ ଉଦ୍ୟମ କିନ୍ତୁ ସେଦିନ ସଫଳ ହୋଇଥିଲା। ସେତେବେଳକୁ ଗାନ୍ଧୀ କିନ୍ତୁ ଭାରତକୁ ସ୍ୱାଧୀନ କରିବା ଲକ୍ଷ୍ୟରେ ସଫଳ ହୋଇସାରିଥିଲେ।
ମୋ: ୯୮୬୧୪୬୯୩୨୮
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/mahatma-gandhi-copy.jpg)