ବାବାଜୀଚରଣ ପଟ୍ଟନାୟକ
ଏ ଲେଖକ ମଫସଲ ଗଁାରେ ଜନ୍ମି ବଢ଼ିଛି ଓ ପଢ଼ିଛି। ଗଁା ବିଦ୍ୟାଳୟରେ ହାଇସ୍କୁଲ ପର୍ଯ୍ୟନ୍ତ ପାଠ ସାରିଛି ୧୯୭୦ରେ। ଗଁାରେ ବିଜୁଳି ଆଲୁଅ ନ ଥାଏ। ସନ୍ଧ୍ୟାରେ ପଢ଼ା ସହଯୋଗୀ ଲଣ୍ଠନ ନତୁବା ଡିବିରି। ମାଟିକାନ୍ଥର ଛଣ-ଛପର ଚାଳଘର ମେଲାରେ ଭାଇ-ଭଉଣୀ ଆମେ ଚାରି ଜଣ ହେଁସ ଉପରେ ଲଣ୍ଠନ ଚାରି କତି ବସି ପଢୁ। ଦିନେ ଦିନେ ସଭିଏଁ ବହିଖାତା ପକାଇ ରୋଷେଇ ଘର ଆଡ଼େ ଚାଲିଯିବା କାଳରେ ବାପା କି ଦାଦା ଯଦି ବାହାରୁ ଘର ଖଞ୍ଜାକୁ ଆସନ୍ତି, ପାଟି କରି କହନ୍ତି, ‘‘ବହିବସ୍ତାନିକୁ ବାବରଖାନିଆ କରି ପକେଇ ଦେଇ କୁଆଡ଼େ ଗଲକିରେ ସବୁ?’’ ସେତେବେଳେ ‘ବାବରଖାନିଆ’ ଶବ୍ଦଟିର ଅର୍ଥ ‘ୟାଡ଼େସ୍ୟାଡ଼େ’ କି ‘ଅଳିଆ’, ଏହି ଅର୍ଥରେ ଆମେ ବୁଝୁଥିଲୁ। ବଡ଼ ହେଲା ପରେ ପାଠପଢ଼ା ପାଇଁ ଭୁବନେଶ୍ବର ଓ କଟକ ଆସି ଏ ଶବ୍ଦ ଆଉ କାହା ମୁହଁରୁ ଏ ଲେଖକ ଶୁଣିବାକୁ ପାଏନି। ଓଡ଼ିଆରେ ସମ୍ମାନ ସହ ବି.ଏ. ପଢ଼ିବା କାଳରେ, ପାଇକ ବିଦ୍ରୋହର କାରଣ ସଂପର୍କରେ ଇୱେର ଲେଖିଥିବା ଇଂରେଜୀ ଚିଠିର ଅନୁସର୍ଜନ କରିଥିବା ଗୋଦାବରୀଶ ମିଶ୍ରଙ୍କ ‘‘କଙ୍କାଳର ଆର୍ତ୍ତନାଦ- ପୂର୍ବ ଭାଗ’’ ବହିରୁ ଏ ଶବ୍ଦକୁ ଭେଟିଲି। ମନରେ ଆନନ୍ଦ ଆସିଲା; ଏଇଥିପାଇଁ ଯେ, ‘ବାବରଖାନିଆ’ ଭଳି ଶବ୍ଦ ସାହିତ୍ୟରେ ବ୍ୟବହାର ହୋଇଥିବାରୁ ଓଡ଼ିଆ ଭାଷାକୋଷ କି ଅଭିଧାନମାନଙ୍କରେ ଉପଲବ୍ଧ ହେଉ ନ ଥିଲା ଏବଂ ତାହା ଲୋକମାନଙ୍କ ମୁହଁରେ ଚଳୁଥିବା, ଲେଖା କି ଛାପା ବହିକୁ ଆସି ନ ଥିବା ନିରୋଳା ଗାଉଁଲିଆ ଶବ୍ଦ ବୋଲି ଲେଖକ ମନେର ଥିବା ଧାରଣା ହଟିଥିଲା ୧୯୭୪ ସୁଦ୍ଧା। ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଲିଖିତ ଧାଡ଼ିଟି ଏହିପରି- ‘‘ଜମିଦାରି ବାବରଖାନିଆ ହୋଇଗଲେ, ତା’ର ରକ୍ଷଣାବେକ୍ଷଣ ଲାଗି ଆଇନ ପୂର୍ବରୁ ରହିଥିଲା।’’ (ପୃ- ୩୫) ପୁନଶ୍ଚ, ଏହି ବହିରେ ପଣ୍ଡିତ ମିଶ୍ର ଲେଖିଥାନ୍ତି, ଇୱେର ସାହେବଙ୍କ ଲମ୍ବା ଲମ୍ବା ଇଂରେଜୀ ବାକ୍ୟ, ଯାହା ଇଂରେଜୀ ଲେଖା ପରମ୍ପରାରେ ସଂଭ୍ରାନ୍ତ ବୋଲି ଧରାଯାଏ, ତାହାକୁ ଆକ୍ଷରିକ ଭାବେ ଅନୁବାଦ ସମ୍ଭବପର ନୁହେଁ। ଓଡ଼ିଆରେ ମଧୁସୂଦନ ରାଓ ଦାନ୍ତ ନ ଢୁକିବା ଭଳି ମସ୍ତ ବଡ଼ ବଡ଼ ବାକ୍ୟ ଲେଖିଥାନ୍ତି ବୋଲି ସେ ଦର୍ଶାଇଛନ୍ତି। ଯେତିକି ଯାହା ଓଡ଼ିଆ ଗଦ୍ୟ କୃତି ଆଜି ଯାକେ ଏ ଲେଖକ ପଢ଼ିଛି, ତା’ର ଧାରଣା, ଗୋପବନ୍ଧୁ ଦାସ ଓ ଗୋଦାବରୀଶ ମିଶ୍ରଙ୍କ ଓଡ଼ିଆ ଗଦ୍ୟ ଶୈଳୀ, ବିଶେଷ କରି ଶବ୍ଦ ବସାଣ ଢାଞ୍ଚା, ଅନ୍ୟ କାହାରି ଲେଖାରେ ଦେଖାଯାଏ ନାହିଁ। ଓଡ଼ିଆରେ ଏମ୍.ଏ. ପଢ଼ିବା ବେଳକୁ (୧୯୭୪-୭୬) ଏ ଲେଖକ ଜାଣିବାକୁ ପାଏ, ଏ ଶବ୍ଦର ଉତ୍ସ ସାରଳା ମହାଭାରତର ‘ବାବରପୁରୀ’ରେ ନିହିତ। ସାରଳା ମହାଭାରତ ଉଦ୍ଯୋଗ ପର୍ବର କାହାଣୀଟି ଏହିପରି:
ସାରଳା ମହାଭାରତର ବିରାଟ ପର୍ବରେ ପାଣ୍ଡବମାନଙ୍କ ଅଜ୍ଞାତ ବନବାସ ସମୟ କଟିଛି। ସେଠାରୁ ଫେରି ସେମାନେ ଇନ୍ଦ୍ରପ୍ରସ୍ଥରେ ରହିଛନ୍ତି। କୌରବଙ୍କ ଶାସିତ ପାଞ୍ଚ କଟକ ହେଉଛି; ଇନ୍ଦ୍ରପ୍ରସ୍ଥ, ଯମପ୍ରସ୍ଥ, ହସ୍ତିନା, ବାରୁଣା ଓ ଜଇନ୍ତା। ଉଦ୍ଯୋଗ ପର୍ବ ଆରମ୍ଭରେ ପଞ୍ଚସ୍ତରି ବର୍ଷ ବୟସ୍କ ଯୁଝେଷ୍ଠି ଭାଇମାନଙ୍କ ସହ ଦୁଃଖକଷ୍ଟର ଜୀବନ ବିତେଇ ଥିବା କଥା ଧଉମ୍ୟ ପୁରୋହିତଙ୍କୁ କହିଛନ୍ତି। ଧଉମ୍ୟ ଯାଇଛନ୍ତି ଦ୍ରିଯୋଧନଙ୍କୁ ବୁଝାଇ ପାଣ୍ଡବମାନଙ୍କୁ ରାଜ୍ୟ ପ୍ରାପ୍ତ କରାଇବା ପାଇଁ। ସେ ବିଫଳ ହୋଇଛନ୍ତି। କୌରବଙ୍କ ସହ ଯୁଦ୍ଧ ପାଇଁ ପ୍ରତିଜ୍ଞା କରିଛନ୍ତି ଯୁଝେଷ୍ଠି। ଏହି ସମୟରେ କୃଷ୍ଣ ଦ୍ରିଯୋଧନଙ୍କ ପାଖକୁ ଯାଇ ପାଣ୍ଡବଙ୍କ ନିମିତ୍ତ ପାଞ୍ଚଗୋଟି ପଡ଼ା ମାଗିବା ସ୍ଥିର ହୋଇଛି। କୃଷ୍ଣ ହସ୍ତିନା ଯାଇଛନ୍ତି। ଦ୍ରିଯୋଧନଙ୍କ ରାଜସଭାର ବିଶୃଙ୍ଖଳିତ ଅବସ୍ଥା ଦେଖି, ‘‘ଗୋବିନ୍ଦେ ବୋଇଲେ ଦ୍ରିଯୋଧନ ଆଗର/ୟେ ତୋର ସଭାଗୋଟି ବାବରପୁରୀ ବିଚାର।’’ ୨୫୦ (ଉଦ୍ଯୋଗ ପର୍ବ- ପୃ. ୧୩୭) ଏକଥା ଶୁଣି, ଭୀଷ୍ମ କୃଷ୍ଣଙ୍କୁ ପଚାରିଲେ, ବାବରପୁରୀ କେମିତିକା କଥା। ରାଜସଭାରେ ସମସ୍ତେ ଉପସ୍ଥିତ ଥାନ୍ତି। କୃଷ୍ଣ କହିଲେ, ପଶ୍ଚିମ ସଉରାଷ୍ଟ୍ରରେ କୁରଳ ନାମରେ ଏକ ଦେଶ ଅବସ୍ଥିତ। ସେହି ଦେଶରେ ବାବରପୁରୀ ନାମରେ ଏକ କଟକ ରହିଛି। ତହିଁର ରାଜା ଭଣ୍ଡେଶ୍ବର ଓ ମନ୍ତ୍ରୀ ବାଇଭଣ୍ଡ। ଏହି କଟକର ଦେବୀ ଅଣ୍ଡିଆ କ୍ଷେତ୍ରପାଳ, ଯେ ସୁଦୁ ଲଙ୍ଗଳା ଓ ତାହାଙ୍କ କେଶ ମୁକୁଳା। ତିନିଶ ଯୋଜନ ଆୟତନର ଏ ନଗରରେ ସ୍ତ୍ରୀପୁରୁଷ ଲଙ୍ଗଳା ହୋଇ ଜୀବନ ବଞ୍ଚନ୍ତି। ସେମାନେ ଭଣ୍ଡଶାସ୍ତ୍ରମାନ ଅଭ୍ୟାସ କରିଥାନ୍ତି। ଡାହା ମିଛ କହିବାରେ ସେମାନେ ଅଭ୍ୟସ୍ତ। ମିଛୁଆ ପୁରସ୍କୃତ ହୁଏ, ସତ୍ୟବାଦୀ ସେଠି ଦଣ୍ଡା ପାଏ। ଭଣ୍ଡ ଭାଷାରେ କଥାବାର୍ତ୍ତା ସେଠିକା ଚଳନ୍ତି ଲୋକ ଆଚରଣ। ଦେବମୂର୍ତ୍ତି, ବ୍ରାହ୍ମଣମାନଙ୍କୁ ଭୂମିରେ ପକାଇ ତା’ ଉପରେ ସେମାନେ ବସନ୍ତି। ମୁଣ୍ଡରେ ଲୁଗା ବାନ୍ଧିଥାନ୍ତି ସେ ନଗରର ନାରୀପୁରୁଷ, କିନ୍ତୁ ଶରୀର ଫୁଙ୍ଗୁଳା। ସେଠି ରାଜା, ମନ୍ତ୍ରୀ, ପ୍ରଜାଙ୍କ ମଧ୍ୟରେ କିଛି ତଫାତ ଦେଖାଯାଏ ନାହିଁ। ନାରୀ-ପୁରୁଷ ମୁକ୍ତ ମିଳନ ଜୀବନ ବିତାନ୍ତି। ସେ ରାଜ୍ୟରେ ପ୍ରଜାଙ୍କ ହାରି-ଗୁହାରି ନାହିଁ। ଭୂମି ନିଷ୍କର। ‘‘ୟେମନ୍ତେ ରାଜ୍ୟ ଅଟେ ବାବରା ନଗ୍ରପୁରୀ।’’ ଏଠାରେ ଗୁରୁ ଗୌରବ ବିଚାର ନ ଥାଏ। ଥରେ, ଏଠି କୋକୁଆ ଭୟ ଖେଳିଲା। ଘରେ ଘରେ ତାଟିକବାଟ ପଡ଼ିଲା। କୋକୁଆକୁ ଖୋଜି ପରସ୍ପର ପିଟାପିଟି ହେଲେ ଲୋକେ। ଆପଣାମତେ ମଲେ। ବାବରା ନଗ୍ରପୁରୀରେ ପରିଲକ୍ଷିତ ବିଶୃଙ୍ଖଳା ଓ ପରିଣତି ଭଳି ଦ୍ରିଯୋଧନଙ୍କ ଦରବାରର ଫଳାଫଳ ଭୋଗ ଅବଶ୍ୟମ୍ଭାବୀ। ଖୁବ୍ ସମ୍ଭବତଃ ସାରଳା ମହାଭାରତ ବର୍ଣ୍ଣିତ ବାବରପୁରୀ ଉପାଖ୍ୟାନ ଆଧାରରେ ‘ବାବରଖାନା’, ‘ବାବରଖାନିଆ’ ଶବ୍ଦ ସୃଷ୍ଟି ହୋଇଛି, ଯାହାର ଅର୍ଥ ବିଶୃଙ୍ଖଳା।
ଫିଙ୍ଗାଫୋପଡ଼ା, ଏପଟ ସେପଟ ଓ ଅସ୍ତବ୍ୟସ୍ତ ଅର୍ଥରେ ‘ବାବରଖାନା’ ଶବ୍ଦ ପୁରୀରେ ଲୋକଙ୍କ ଦ୍ବାରା କଥିତ ହେଉଥିବା କଥା ସିେଦ୍ଧଶ୍ବର ମହାପାତ୍ର ବିରଚିତ ଏବଂ ଓଡ଼ିଆ ସାହିତ୍ୟ ଏକାଡେମୀ ପ୍ରକାଶିତ ‘ପୁରୀ ବୋଲି’ (୧୯୯୬) ବହି (ପୃ- ୬୫)ରୁ ଜାଣି ହୋଇଛି। ପୁନଶ୍ଚ, ଏହି ଶବ୍ଦଟି ନଟବର ଶତପଥୀଙ୍କ ପ୍ରସ୍ତୁତ ‘ଶବ୍ଦସିନ୍ଧୁ’ (୨୦୦୮)ରେ ସ୍ଥାନ ପାଇଥିବା ଦେଖିବାକୁ ମିଳିଛି। ଓଡ଼ିଶାର ଭୌଗୋଳିକ ମାନଚିତ୍ର ଯେତିକି ବିଚିତ୍ର, ସାଂସ୍କୃତିକ ଲୋକଚଳଣି ଓ ଲୋକ-କଥିତ ଭାଷା ରୀତି ତତୋଽଧିକ ବିସ୍ମୟକର। ଏସବୁ ଓଡ଼ିଆ ସାହିତ୍ୟ ରଚନା ଦେଇ ପାଠକମାନଙ୍କ ପାଖକୁ ଆସିଲେ, ସାହିତ୍ୟ ଭାଷା ଓ ଲୋକକଥା ଭାଷା ମଧ୍ୟରେ ଦୁସ୍ତର ବ୍ୟବଧାନ ରହିଛି ଭଳି ଅପବାଦ ଅପସରି ଯିବ। ନୂଆ ନୂଆ ଓଡ଼ିଆ ଅଭିଧାନ ବର୍ଷକୁ ବର୍ଷ ପ୍ରକାଶ ପାଇବ। ‘ଓଡ଼ିଆ ମାନକ ଭାଷା’ ସଂପର୍କିତ ଚଳି ଆସିଥିବା ସ୍ଥିର ଫର୍ମୁଲା ଅଚିରେ ବଦଳି ଯିବ। ଏଇଥିପାଇଁ ‘ବାବରଖାନିଆ’ ଘଟିତ ଏ ଚର୍ଚ୍ଚା।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୩୧୯୯୧୪
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/09/04/fsffhhfxbv-2025-09-04-02-24-51.jpg)