ବାବାସାହେବ ଆମ୍ବେଦକରଙ୍କ ଓଡ଼ିଶା ଚିନ୍ତା

କାର୍ତ୍ତିକ ପ୍ରସାଦ ଜେନା

ସଂବିଧାନର ମୁଖ୍ୟ ପ୍ରଣେତା ବାବାସାହେବ ଆମ୍ବେଦକର କେବଳ ଜଣେ ବିଦ୍ବାନ ଆଇନ ବିଶେଷଜ୍ଞ, ରାଷ୍ଟ୍ରନୀତିଜ୍ଞ ଏବଂ ଦୂରଦୃଷ୍ଟି ସଂପନ୍ନ ସମାଜ ସଂସ୍କାରକ ନ ଥିଲେ, ସେ ମଧ୍ୟ ଥିଲେ ଜଣେ ଅର୍ଥନୀତିଜ୍ଞ। ଦେଶର ଆର୍ଥିକ ସୁଧାର ଓ କ୍ଷିପ୍ର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ତାଙ୍କର ମତାମତ ଏବଂ ଦୃଷ୍ଟିଭଙ୍ଗୀରେ ତାହାର ଆଭାସ ମିଳିଥାଏ। ଅର୍ଥନୀତି ସଂବଳିତ ଅନେକ ତତ୍ତ୍ୱକୁ ବ୍ୟାଖ୍ୟା କରିବା ସହିତ ସେ ସବୁକୁ ବାସ୍ତବାୟିତ କରିବା ଉପରେ ସେ ଗୁରୁତ୍ବ ଆରୋପ କରୁଥିଲେ। କେନ୍ଦ୍ରମନ୍ତ୍ରୀ ଥିବା ସମୟରେ ସେ ଏ ଦିଗରେ ପଦକ୍ଷେପମାନ ମଧ୍ୟ ଗ୍ରହଣ କରିଥିଲେ। ଭାରତରେ ମିଶ୍ର-ଅର୍ଥନୀତିର ଦୃଢ଼ ଭିତ୍ତିଭୂମି ସ୍ଥାପନର ସେ ଥିଲେ ପୁରୋଧା। ଦାମୋଦର ଓ ମହାନଦୀ ଅବବାହିକା ବହୁମୁଖୀ ନଦୀବନ୍ଧ ପ୍ରକଳ୍ପ ମାଧ୍ୟମରେ ବୃହତ୍‌ ଅଞ୍ଚଳରେ ସାମଗ୍ରିକ ବିକାଶ ପାଇଁ ଭିତ୍ତିଭୂମି ପ୍ରସ୍ତୁତି ଥିଲା ତାଙ୍କରି ମାନସ ସନ୍ତାନ।
୧୯୪୨ ମସିହାରେ ସେ ଭାରତର ଭାଇସ୍‌ରାୟଙ୍କ ମନ୍ତ୍ରୀ ପରିଷଦରେ ଶ୍ରମ ବିଭାଗ ସଦସ୍ୟ (ଶ୍ରମ ମନ୍ତ୍ରୀ) ଥିଲାବେଳେ ୧୯୪୫ ମସିହା ନଭେମ୍ବର ୮ ତାରିଖରେ ଓଡ଼ିଶା ଗସ୍ତ କରିଥିଲେ। ଏହି ସମୟରେ କଟକ ଠାରେ ଅନୁଷ୍ଠିତ କେନ୍ଦ୍ର ସରକାର, ଓଡ଼ିଶା ରାଜ୍ୟ ସରକାର, କେନ୍ଦ୍ର ପ୍ରଦେଶ (ବର୍ତ୍ତମାନର ମଧ୍ୟପ୍ରଦେଶ) ଓ ପୂର୍ବାଞ୍ଚଳ ରାଜ୍ୟମାନଙ୍କର ଶ୍ରମିକ ସଂଘର ପ୍ରତିନିଧିମାନଙ୍କ ସମ୍ମିଳନୀ ଦ୍ବାରା ଆହୂତ ଏକ ଆଲୋଚନାଚକ୍ରରେ ସଭାପତିତ୍ୱ କରିଥିଲେ। ଏହି ଅବସରରେ ତାଙ୍କ ଦ୍ବାରା ପ୍ରଦତ୍ତ ଅଭିଭାଷଣ କିଭଳି ଓଡ଼ିଶାର ବିକାଶକୁ ନେଇ ସୁଦୂରପ୍ରସାରୀ ଦୃଷ୍ଟି ନିକ୍ଷେପ କରିଥିଲା, ତାହା ନିମ୍ନ ଆଲୋଚନାର ସ୍ପଷ୍ଟ ହେବ। ପ୍ରାକୃତିକ ସମ୍ପଦରେ ଭରପୂର ଓଡ଼ିଶାର ଚିର ସହଚର ବନ୍ୟା, ବାତ୍ୟା ଓ ଅନାବୃଷ୍ଟି ଭଳି ପ୍ରାକୃତିକ ଦୁର୍ବିପାକ ଏବଂ ତଦ୍ଦ୍ବାରା ସୃଷ୍ଟ ଦାରିଦ୍ର୍ୟ, ବେକାରି, ଅନାହାର ଓ ତଜ୍ଜନିତ ମୃତ୍ୟୁକୁ ନେଇ ସେ ଗଭୀର ଚିନ୍ତା ପ୍ରକଟ କରିଥିଲେ। ଓଡ଼ିଶାକୁ ଏକ ବିକଶିତ ଓ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ପାଇଁ ସେ କେତେଗୁଡ଼ିଏ ପ୍ରସ୍ତାବ ଏବଂ ଯୋଜନାର ରୂପରେଖ ଉପସ୍ଥାପନ କରିଥିଲେ।
ଡକ୍ଟର ଆମ୍ବେଦକର ତାଙ୍କର ସେହି ବକ୍ତବ୍ୟରେ ଉତ୍‌ଥାପିତ କରିଥିବା ପ୍ରଶ୍ନଟି ଥିଲା ଯେ ପ୍ରାକୃତିକ ସମ୍ପଦରେ ଭରା ଓଡ଼ିଶା ଏଭଳି ଚିନ୍ତାତୀତ ଭାବେ ଦରିଦ୍ର କାହିଁକି? ଅନୁନ୍ନତ କାହିଁକି? ଏତେ ଦୁଃସ୍ଥ କାହିଁକି? ଏଭଳି ପ୍ରଶ୍ନର ଉତ୍ତର ରଖି ସେ କହିଥିଲେ ଯେ ଏହାର ଏକ ବଡ଼ କାରଣ ହେଲା, ଓଡ଼ିଶା ତା’ର ଜଳ ସମ୍ପଦର ଠିକଣା ଉପଯୋଗ କରି ନ ଶିଖିବା। ସେ କହିଥିଲେ ଯେ ଯଦିଓ ଓଡ଼ିଶାର ଜଳ ସମ୍ପଦ ହେଉଛି ତା’ ଲାଗି ପ୍ରକୃତିର ଏକ ମାହାର୍ଘ ଉପହାର, ତାହା କିନ୍ତୁ ମୁଖ୍ୟତଃ ଏହି ପ୍ରଦେଶ ଲାଗି ଅଭିଶାପରେ ପରିଣତ ହୋଇଛି। ଓଡ଼ିଶାର ନଦୀ ମୁହାଣ ଓ ତ୍ରିକୋଣଭୂମି କ୍ଷେତ୍ର ଦେଇ ଯେତିକି ଜଳ ପ୍ରବାହିତ ହୁଏ, ତା’ର ପରିମାଣ ଅକଳ୍ପନୀୟ ଭାବେ ବିପୁଳ। କଟକ, ପୁରୀ, ବାଲେଶ୍ୱର (ସେତେବେଳକୁ ଅବିଭକ୍ତ) ଭଳି ରାଜ୍ୟର ତିନିଟି ଜିଲ୍ଲା ମଧ୍ୟରେ ଏହି ତ୍ରିକୋଣଭୂମି ଅଞ୍ଚଳ ଆସିଥାଏ, ଯାହା ୮,୦୦୦ ବର୍ଗମାଇଲ୍‌ ପରିମିତ କ୍ଷେତ୍ରରେ ପରିବ୍ୟାପ୍ତ। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀର ଶାଖା ନଦୀମାନଙ୍କ ଦ୍ୱାରା ଏହି ଅଞ୍ଚଳ ଜଳସେଚିତ ଓ ଏହି ନଦୀଗୁଡ଼ିକ ଦେଇ ସମୁଦ୍ରକୁ ଜଳ ନିଷ୍କାସିତ ହୋଇଥାଏ। କିନ୍ତୁ ବନ୍ୟା ହେଲେ ସେହି ନଦୀଗୁଡ଼ିକ ୬୯,୦୦୦ ବର୍ଗମାଇଲ୍‌ କ୍ଷେତ୍ରଫଳ ବିଶିଷ୍ଟ ଅଞ୍ଚଳକୁ ଜଳ ପ୍ଳାବିତ କରି ପକାନ୍ତି। ସେମାନଙ୍କ ମଧ୍ୟରୁ ବୃହତ୍ତମ ନଦୀ ମହାନଦୀ ମୋଟ ୫୧,୦୦୦ ବର୍ଗମାଇଲ୍‌ ଆୟତନବିଶିଷ୍ଟ କ୍ଷେତ୍ରରୁ ଜଳ ନିଷ୍କାସନ କରିଥାଏ। ଏହି ତିନିଟି ନଦୀ ମାଧ୍ୟମରେ ପ୍ରତି ବର୍ଷ ୯୦ ନିୟୁତ ଏକର ଫୁଟ ଜଳ ସମୁଦ୍ରକୁ ପ୍ରବାହିତ ହୋଇଥାଏ। ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ଭଳି ଅନ୍ୟ ଦୁଇଟି କମ୍ ଗୁରୁତ୍ୱପୂର୍ଣ୍ଣ ନଦୀ ମଧ୍ୟ ଏହି ତ୍ରିକୋଣଭୂମି ଅଞ୍ଚଳ ଦେଇ ଗତି କରିଥାନ୍ତି। ସେ କହିଥିଲେ ଯେ ମହାନଦୀ ଦେଇ ଯେତିକି ଜଳ ସମୁଦ୍ରକୁ ପ୍ରବାହିତ ହୋଇଥାଏ, ତାକୁ ଯଦି କୌଣସି ଉପାୟରେ ଗଚ୍ଛିତ ବା ଭଣ୍ଡାରଣ କରି ରଖାଯାଏ, ତେବେ ତାହା ୧୦ ଲକ୍ଷ ଏକର ଭୂମିକୁ ଜଳସେଚିତ କରିପାରିବ। ତାଙ୍କ ଦୂରଦୃଷ୍ଟିସଂପନ୍ନ ଭାଷଣରେ ଏହା ମଧ୍ୟ ଶୁଣିବାକୁ ମିଳିଥିଲା ଯେ କେବଳ ଜଳସେଚନ ନୁହେଁ, ଏଭଳି ଏକ ବହୁମୁଖୀ ପ୍ରକଳ୍ପ ସାହାଯ୍ୟରେ ପ୍ରଭୂତ ପରିମାଣରେ ଜଳ ବିଦ୍ୟୁତ୍ ଶକ୍ତି ମଧ୍ୟ ଉତ୍ପାଦନ କରାଯାଇପାରିବ। ଓଡ଼ିଶାର ଦାରିଦ୍ର୍ୟର ଏକ ମୂଳ କାରଣକୁ ଉଜ୍ଜୀବିତ କରିବାକୁ ଯାଇ ସେ କହିଥିଲେ ଯେ ଶିଳ୍ପ ଓ ଉ‌େଦ୍ୟାଗଗୁଡ଼ିକୁ ସୁଲଭ ଦରରେ ଯଥେଷ୍ଟ ବିଜୁଳି ଶକ୍ତି ଉପଲବ୍‌ଧ କରାଇବାରେ ଓଡ଼ିଶାର ଅକ୍ଷମତା ହିଁ ଏହି ରାଜ୍ୟକୁ ଶିଳ୍ପ ଦୃଷ୍ଟିରୁ ଅନୁନ୍ନତ କରି ରଖିଛି। ସେ ପ୍ରଚୁର ଆଶାବାଦୀ ଥିଲେ ଯେ ମହାନଦୀ ଉପରେ ନଦୀବନ୍ଧଟିଏ ଗଢ଼ା ହେଲେ ତହିଁରୁ ଉତ୍ପାଦିତ ବିଜୁଳି ଶକ୍ତି ଏହି ଅଭାବକୁ ପୂରଣ କରିବ। ଓଡ଼ିଶାର ନଦୀମାନଙ୍କ ଉପରେ ବାବାସାହେବ ଆମ୍ବେଦକରଙ୍କ ଦ୍ବାରା ଆହୃତ ଏବଂ ଉପସ୍ଥାପିତ ତଥ୍ୟମାନ ସେହି ସମ୍ମିଳନୀରେ ଉପସ୍ଥିତ ସମସ୍ତଙ୍କୁ ବିସ୍ମିତ କରିଥିଲା।
ତେବେ, ଆମ୍ବେଦକରଙ୍କ ସ୍ବପ୍ନ ସେତିକିରେ ସୀମିତ ନ ଥିଲା। ଏଭଳି ପ୍ରକଳ୍ପରେ ଜଳର ଅନ୍ୟ ଏକ ଉପଯୋଗିତା ବିଷୟରେ ମଧ୍ୟ ସେ କହିଥିଲେ। ତାହା ଥିଲା ନୌ-ପରିବହନ। ତାଙ୍କ ମତରେ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ଥିଲା ଓଡ଼ିଶାକୁ ବନ୍ୟା ଦାଉରୁ ରକ୍ଷା କରିବା। ତା’ ପରେ କୃଷି, ଶିଳ୍ପ ଏବଂ ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଆଣି ରାଜ୍ୟବାସୀଙ୍କ ଆର୍ଥିକ ସ୍ଥିତି ଓ ଜୀବନ ଧାରଣର ମାନରେ ଉନ୍ନତି ଘଟାଇବା। ତାଙ୍କର ବିଶ୍ବାସ ଥିଲା ଯେ ଏହିସବୁ କାର୍ଯ୍ୟ କେବଳ ସେହି ବୃହତ୍‌ ବହୁମୁଖୀ ନଦୀବନ୍ଧ ଯୋଜନା ବଳରେ ହିଁ ସମ୍ଭବ ହୋଇପାରିବ।
ଆମ୍ବେଦକରଙ୍କ ମତରେ ଓଡ଼ିଶାର ଆଉ ଏକ ସମସ୍ୟା ଥିଲା ଏହାର ଆଭ୍ୟନ୍ତରୀଣ ଯୋଗାଯୋଗ ଭିତ୍ତିଭୂମିର ଦୁର୍ବଳତା। ପୂର୍ବ ଉପକୂଳବର୍ତ୍ତୀ ଏହି ରାଜ୍ୟ ବିଭିନ୍ନ ସାମୁଦ୍ରିକ ବନ୍ଦରମାନଙ୍କ ସହିତ ଯୋଗସୂତ୍ର ସ୍ଥାପନ କରିବା ଉପରେ ସେ ବିଶେଷ ମହତ୍ତ୍ବ ପ୍ରଦାନ କରିଥିଲେ। ତେଣୁ ସେ ଓଡ଼ିଶା‌ରେ ଗମନାଗମନ ଏବଂ ପରିବହନ ଭିତ୍ତିଭୂମି ବିକାଶ ଉପରେ ମଧ୍ୟ ଜୋର୍ ଦେଇଥିଲେ। ମହାନଦୀ ଉପରେ ୩ଟି ନଦୀ ବନ୍ଧ କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ପ୍ରଥମଟି ନରାଜ ଠାରୁ ୭ ମାଇଲ୍ ଦୂର ଯେଉଁଠି ପାହାଡ଼ର ସଂକୀର୍ଣ୍ଣ ପଥଦେଇ ତାହା ବହିଯାଇଛି, ଦ୍ବିତୀୟଟି ଟିକରପଡ଼ା ଠାରେ ଏବଂ ତୃତୀୟଟି ସମ୍ବଲପୁର ଉପରକୁ। ସେ କହିଥିଲେ ଯେ ଯଦି ଏହି ତିନି ଯୋଜନାକୁ କାର୍ଯ୍ୟକାରୀ କରାଯାଏ, ତେବେ ୩୫୦ ମାଇଲ୍‌ର ଦୀର୍ଘ ଜଳପଥକୁ ବର୍ଷତମାମ କାର୍ଯ୍ୟକ୍ଷମ କରି ରଖାଯାଇପାରିବ। ସେ କହୁଥିଲେ ଯେ ଏହାଦ୍ୱାରା ଶସ୍ତା ଓ ସୁବିଧାରେ ଯାତ୍ରୀ ଓ ମାଲ୍ ପରିବହନ କରାଯାଇପାରିବ ଏବଂ ସମୁଦ୍ର କୂଳରେ ଯାତାୟାତ କରୁଥିବା ଛୋଟଜାହାଜ ଓ ନୌକାମାନ କଟକ ଦେଇ ସମ୍ବଲପୁର ଓ ତା’ ଠାରୁ ଆଗକୁ ମଧ୍ୟପ୍ରଦେଶ (ବର୍ତ୍ତମାନ ଛତିଶଗଡ଼) ପର୍ଯ୍ୟନ୍ତ ଯାଇପାରିବେ।
ତାଙ୍କ ପ୍ରସ୍ତାବ ଅନୁସାରେ ଓଡ଼ିଶାର ନଦୀସମୂହଙ୍କ ସମ୍ପର୍କରେ ସର୍ଭେ ଓ ଅନୁସନ୍ଧାନ କରାଯିବାର ଆବଶ୍ୟକତା ଗୁରୁତ୍ବ ଲାଭ କରିଥିଲା, ଯାହା ଫଳରେ ଏକ ସମନ୍ୱିତ ଓ ବହୁମୁଖୀ ଉନ୍ନୟନ ଯୋଜନା କାର୍ଯ୍ୟକାରୀ କରାଯାଇପାରିବ। ଏହାଦ୍ବାରା ବନ୍ୟା ନିୟନ୍ତ୍ରଣ, ନୌ-ପରିବହନ, ଜଳସେଚନ ଓ ଜଳ ନିଷ୍କାସନ, ମୃର୍ତ୍ତିକା ସଂରକ୍ଷଣ ଏବଂ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ଭଳି ପାଞ୍ଚଟି ଉପକାର ରାଜ୍ୟ ପାଇବ ବୋଲି ସେ କହୁଥିଲେ। ସେହି ସମ୍ମିଳନୀରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଯେ ଏକ ସମନ୍ୱିତ ଓ ବହୁମୁଖୀ ବିକାଶ ଯୋଜନା ପ୍ରସ୍ତୁତି ନିମନ୍ତେ ଓଡ଼ିଶାର ନଦୀମାନଙ୍କ ସମ୍ପର୍କରେ ପ୍ରାଥମିକ ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବ। ପ୍ରାଥମିକ ସର୍ଭେ କାର୍ଯ୍ୟ ପରେ ସମ୍ମିଳନୀରେ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା ଯେ ପ୍ରଥମେ ମହାନଦୀର ଜଳ ନିୟନ୍ତ୍ରଣ ଓ ବିକାଶ ସମ୍ପର୍କରେ ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବ। ଏହାର ବର୍ଷକ ପରେ, ୧୯୪୬ ମସିହାରେ, ହୀରାକୁଦ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ ହେବାଲାଗି ଭିତ୍ତିପ୍ରସ୍ତର ପଡ଼ିଥିଲା ଓ ତାହାର ଉପକାର ଓଡ଼ିଶା କିଭଳି ପାଇଛି ତାହା ବୁଝାଇ କହିବାର ଆବଶ୍ୟକତା ନାହିଁ।
ଓଡ଼ିଶାର ବିଭିନ୍ନ ସମସ୍ୟା ବାବାସାହେବ ଆମ୍ବେଦକରଙ୍କୁ କିଭଳି ବ୍ୟଥିତ କରିଥିଲା, ତାହା ମଧ୍ୟ ଏହି ଅଭିଭାଷଣରୁ ସ୍ପଷ୍ଟ ହୋଇଥିଲା, ଯହିଁରେ ସେ ଏହି ରାଜ୍ୟର ଦୟନୀୟ ସ୍ବାସ୍ଥ୍ୟ ‌ସେବା ଓ ଚିକିତ୍ସା ସୁବିଧା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ତାଙ୍କ ଦୃଷ୍ଟିରେ ଓଡ଼ିଶାବାସୀଙ୍କ ସକାଶେ ଏହା ଥିଲା ଆଉ ଏକ ମୁଖ୍ୟ ସଂକଟ। ସେ କହିଥିଲେ ଯେ ଓଡ଼ିଶା ପ୍ରଦେଶର ମୋଟ ଜନସଂଖ୍ୟା ୭୭.୫ ଲକ୍ଷ ହୋଇଥିଲା ବେଳେ ୧୯୪୪ ମସିହା ସ୍ୱାସ୍ଥ୍ୟ ରିପୋର୍ଟ ଅନୁସାରେ ଏଠାକାର ମୃତ୍ୟୁ ସଂଖ୍ୟା ହେଲା ୨,୩୫,୫୮୧। ସେମାନଙ୍କ ମଧ୍ୟରୁ ୧,୩୦,୦୦୦ ଲୋକଙ୍କର ପ୍ରାଣନାଶ ଘଟିଥିଲା କୌଣସି ନା କୌଣସି ପ୍ରକାର ରୋଗ ବା ଜ୍ୱରରେ ଯହିଁରେ ମ୍ୟାଲେରିଆ ଥିଲା ସବୁଠାରୁ ବଡ଼ ଘାତକ ବେମାରି। କହିବା ବାହୁଲ୍ୟ ଯେ ସେ ଏକ ବିକାଶିତ ଓଡ଼ିଶାର ସ୍ବମ୍ନ ଦେଖୁଥିଲେ ଯହିଁରେ ଦାରିଦ୍ର୍ୟ, ଦୁର୍ବିପାକ ଏବଂ ବ୍ୟାଧିର ପ୍ରକୋପ ଅନୁପସ୍ଥିତ ଥିବ।
ଓଡ଼ିଶାକୁ ନେଇ ବାବାସାହେବଙ୍କ ଏଭଳି ଚିନ୍ତା ଓ ଚିନ୍ତନ ସଂପର୍କରେ ହୁଏତ ଅନେକ ଅବଗତ ନ ଥିବେ। ଓଡ଼ିଶା ସଂଦର୍ଭରେ ତାଙ୍କ ସଚେତନତା, ଧାରଣା ଏବଂ ଜ୍ଞାନ ଥିଲା ଦୃଷ୍ଟାନ୍ତମୂଳକ। ଏହି ଅନୁନ୍ନତ ଉପକୂବର୍ତ୍ତୀ ରାଜ୍ୟର ସ୍ଥିତି ତାଙ୍କୁ ନିଶ୍ଚୟ ଗଭୀର ଭାବେ ମର୍ମାହତ କରୁଥିବ; କାରଣ ତାହା ହୋଇ ନ ଥିଲେ ଏହି ରାଜ୍ୟର ସଂକଟ ଏବଂ କଷଣକୁ ଦୂର କରିବା ଲାଗି ଏଭଳି ସମାଧାନର ସୂତ୍ରମାନ ପ୍ରଦାନ କରି ପାରି ନ ଥାଆନ୍ତେ। ହୀରାକୁଦ ବହୁମୁଖୀ ବୃହତ୍‌ ନଦୀବନ୍ଧ ଯୋଜନା ଦ୍ବାରା ଓଡ଼ିଶା ଉପକୃତ ହୋଇଛି। ଏବେ ଭୁବନେଶ୍ବରରେ ନବନିର୍ମିତ ଚମତ୍କାର ବସ୍‌ ଟର୍ମିନସ୍‌କୁ ବାବାସାହବେଙ୍କ ସ୍ମୃତିରେ ନାମିତ କରି ବୋଧହୁଏ ଏହି ଜାତି ତାଙ୍କ ପ୍ରତି ଯଥାର୍ଥ କୃତଜ୍ଞତା ଜ୍ଞାପନ କରିଛି।
ମୋ: ୯୪୩୯୦୪୯୧୨୫

ସମ୍ବନ୍ଧିତ ଖବର