ମୁଁ ବାହାନଗା। ଓଡ଼ିଶାର ଉତ୍ତର ପଟରେ ଏକ ବିନ୍ଦୁ, ଯାହାକୁ ମାନଚିତ୍ର‌େର ଖୋଜିଲେ ମିଳିବ ନାହିଁ। ମୁଁ ଗୋଟିଏ ଛୋଟିଆ ବ୍ଲକ୍‌ର ସଦର ମହକୁମା ମାତ୍ର; ରାଜ୍ୟର ତିନି ଶହ ଚଉଦ ବ୍ଲକ୍‌ ଭିତରୁ ଗୋଟାଏ। ଏମିତି ବି ହୋଇପାରେ ଗଲା ଜୁନ୍‌ ୨ ତାରିଖ ପୂର୍ବରୁ ଦକ୍ଷିଣ କି ପଶ୍ଚିମ ଓଡ଼ିଶାର ଅଧିକାଂଶ ଲୋକ ମୋ ନାମ ମଧ୍ୟ ଶୁଣି ନ ଥିବେ! ଆଉ ଜୁନ୍ ୨ ତାରିଖ ସନ୍ଧ୍ୟାର ସେହି କ୍ଷଣ ମୋ ଲାଗି ଏମିତି ଏକ ପରିଚିତି ଆଣି ଦେଲା, ଯହିଁରେ ନିମିଷକେ ମୁଁ ସାରା ପୃଥିବୀରେ ଖ୍ୟାତ ହୋଇଗଲି; ପୃଥିବୀର ସବୁ ‌େଦଶରେ ଏବଂ ଆମ ଦେଶର ସବୁ ପ୍ରାନ୍ତରେ ଟେଲିଭିଜନ ଚ୍ୟାନେଲମାନ ମୋ ନାମର ବିକୃତ ଉଚ୍ଚାରଣ ବାରମ୍ବାର କରି ଚାଲିଲେ; ପୃଥିବୀର ସବୁ ଭାଷାର ଖବରକାଗଜରେ ବଡ଼ ବଡ଼ ହରଫରେ ମୋ ନାମ ବି ପ୍ରକାଶିତ ହୋଇଗଲା!
କିନ୍ତୁ ସତରେ କ’ଣ ମୁଁ ଏହିଭଳି ଏକ ପରିଚିତି ଚାହୁଁଥିଲି? ସତରେ କ’ଣ ମୁଁ ଏହିଭଳି ଭାବେ ଇତିହାସର ଏକ ଅଲିଭା ଅଧ୍ୟାୟରେ ପରିଣତ ହେବି ବୋଲି କଳ୍ପନା କରିଥିଲି? ଏଇ ଭିତରେ ମାସଟିଏରୁ ଅଧିକ ସମୟ ଗଡ଼ିଗଲାଣି, କିନ୍ତୁ ଏବେ ବି ବାହାନଗା ବାଟରେ-ଘାଟରେ, ଡ୍ରଇଂରୁମ୍‌ରେ, ଚା’ ଖଟିରେ ହେଉଥିବା ଆଳାପ-ଆଲୋଚନା ଭିତରକୁ ପଶି ଆସୁଛି! ଗୋଟିଏ ନିହାତି ଅପରିଚିତ ସ୍ଥାନର ଏକ ଅପାଙ୍‌କ୍ତେୟ ରେଳ ଷ୍ଟେସନ, ଯାହାର ବକ୍ଷ ଭେଦ କରି ଅନେକ ରେଳ ତୀର ଭଳି ଛୁଟିଯାଆନ୍ତି; କଦବା କେମିତି ଅଳ୍ପ କିଛି ପାସେଂଜର ଟ୍ରେନ୍‌ ସ୍ବଳ୍ପ ସମୟ ଲାଗି ଅଟକି ଯାଆ‌ନ୍ତି; ହଠାତ୍‌ ଏମିତି ଏକ ପ୍ରସିଦ୍ଧି ଲାଭ କରିବ ବୋଲି କିଏ ବା ଘୁଣାକ୍ଷରରେ ସୁଦ୍ଧା ଭାବିଥିଲା? ବାହାନଗା ଷ୍ଟେସନ, କେବଳ ସେତିକି ସମୟ ଯାତ୍ରୀମାନଙ୍କ କଳରବରେ ଭରିଯାଏ, ଯେଉଁ ସମୟରେ କୌଣସି ଲୋକାଲ ପାସେଂଜର ‌େସଠାରେ କ୍ଷଣିଏ ଅଟକିଯାଏ। ଏହି ରେଳ ଷ୍ଟେସନକୁ ଲାଗି ବାହାନଗା ବଜାର ମଧ୍ୟ ଏଠାକାର ବାସିନ୍ଦାମାନଙ୍କ ଛୋଟ ଚାହିଦା ଓ କ୍ଷୁଦ୍ର ସ୍ବପ୍ନମାନ ପୂରଣ କରିବା ଲାଗି ସକାଳେ ଓ ସଂଜରେ କ୍ଷୀଣ ଭାବେ ମୁଖର ହେଇଉଠେ ଓ ବେଳ ଗଡ଼ିଲେ ତୁନି ପଡ଼ିଯାଏ। ତ ଏଭଳି ଏକ କ୍ଷୁଦ୍ରାକାର ବାହନାଗା କ’ଣ ଚାହିଁଥିଲା ଏଭଳି ଏକ ପ୍ରସିଦ୍ଧି, ଯାହା ତାକୁ ଏକ ନିତାନ୍ତ ଅଭିଶପ୍ତ କ୍ଷଣ ସହିତ ଛନ୍ଦି ଦେବ? କିନ୍ତୁ ତାହା ହିଁ ଘଟି ଯାଇଥିଲା। କେଉଁ କାଳ ପୁରୁଷର ଅଦୃଶ୍ୟ ଇଙ୍ଗିତରେ ସନ୍ଧ୍ୟା ପ୍ରାୟ ୭ଟା ବେଳକୁ ଘଟି ଯାଇଥିଲା ସେହି ଭୟାବହ ରେଳ ଦୁର୍ଘଟଣା; ଯହିଁରେ ତିନି ଶହ ସରିକି ଯାତ୍ରୀ ପ୍ରାଣ ହରାଇ‌େଲ ଏବଂ ହଜାରେରୁ ଅଧିକ ଆହତ ହେଲେ; ଅନେକ ନିଖୋଜ ହେଲେ; ଆଖି ପିଛୁଳାକେ କେତେ ସଂସାର, କେତେ ସ୍ବପ୍ନ, କେତେ ଅଭିଳାଷ ସବୁ କିଛି ଉଜୁଡ଼ି ଗଲା!
ବାହାନଗା ରେଳ ଦୁର୍ଘଟଣା ଉପରେ କେତେ କେତେ ଆଲୋଚନାର ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇଛି। ଏହାର କାରଣ ନେଇ କେତେ ଅନୁମାନ ଲଗାଯାଇଛି। ପ୍ରଶ୍ନ ଉଠିଛି ଏହା ପଛରେ କୌଣସି ଷଡ୍‌ଯନ୍ତ୍ର ଥାଇପାରେ କି? କାରଣ ଏହା ଥିଲା ଏଭଳି ଏକ ବିରଳ ଦୁର୍ଘଟଣା ଯହିଁରେ ତିନିଟି ଟ୍ରେନ୍‌ ସଂପୃକ୍ତ ହୋଇଗଲେ। ଏଭଳି ଏକ ଦୁର୍ଘଟଣା ଆମ ଦେଶରେ ପୂର୍ବରୁ ଘଟି ନ ଥିଲା। ପୁଣି ଏହି ଦୁର୍ଘଟଣା କୁଆଡ଼େ ହେଉଛି ଭାରତ ଦେଖିଥିବା ରେଳ ଦୁର୍ଘଟଣା ଭିତରେ ସର୍ବାଧିକ ଭୟାବହ! କିନ୍ତୁ ଏଭଳି ଅପ-କୀର୍ତ୍ତିମାନଗୁଡ଼ିକ ମୋତେ ସଂକୁଚିତ କରେ! କାରଣ ମୁଁ ଏଭଳି ଏକ ଖ୍ୟାତି ପାଇବାକୁ ଆଦୌ ଚାହିଁ ନଥିଲି! ଏତେ ଲହୁଲୁହକୁ ସତରେ କ’ଣ କେହି ଢୋକି ଦେଇପାରେ ଯେ ମୁଁ ଢୋକି ଦିଅନ୍ତି? ମୁଁ କ’ଣ ଏଭଳି ଅମରତ୍ବ କେବେ ବି ଚାହାଁନ୍ତି?
ମୁଁ ଅବସନ୍ନ ହୋଇ ଉଠୁଥିଲି! କିନ୍ତୁ ହଠାତ୍‌ ଯେମିତି ମୋ ପିଠିରେ କେହି ମୁଲାୟମ ହାତରେ ଆଉଁସି ଦେଇ କହିଲା- ନା, ସିଆଡ଼େ ନୁହେଁ! ଏ ପଟେ ଦେଖ। କେମିତି ଅଭିଶାପକୁ ଅତିକ୍ରମ କରି ଅମୃତର କ୍ଷଣମାନ ବି ତୋ’ ଲାଗି ସୃଷ୍ଟି ହେବାକୁ ଯାଉଛି! ସତ‌େର ସେ କ୍ଷଣ ବି ଦେଖିଲି! ମୋ ବୁକୁରେ ବସବାସ କରୁଥିବା ଏବଂ ଛୋଟିଆ ସ୍ବପ୍ନ ନେଇ ଆତଯାତ ହେଉଥିବା କ୍ଷୁଦ୍ର ଜନସମାଜ ହଠାତ୍‌ ଯେମିତି ଉତ୍ତରିତ ହୋଇ ଯାଇଥିଲେ। ଆହତମାନଙ୍କ ସେବାରେ ସେମାନେ ସବୁ କିଛି ଅର୍ପଣ କରି ଦେଉଥିଲେ; ରକ୍ତ ଦେବା ଲାଗି ଅସରନ୍ତି ଧାଡ଼ି ସୃଷ୍ଟି କରିଥିଲେ; ଆହତଙ୍କୁ ଉଦ୍ଧାର ଏବଂ ଅସହାୟଙ୍କୁ ଅଭୟ ପ୍ରଦାନର ଦୃଷ୍ଟାନ୍ତମାନ ସୃଷ୍ଟି କରୁଥିଲେ; ଯାହା କିଛି ହାତ ପାହାନ୍ତାରେ ଉପଲବ୍‌ଧ ଥିଲା, ତାକୁ ନେଇ ଚିକିତ୍ସା ଆରମ୍ଭ କରି ଦେଇଥିଲେ। ଦେଖୁଥିଲି ମୋ ଶରୀର ଉପରେ ନିତି ଦିନ ଚଳପ୍ରଚଳ ହେଉଥିବା ସାଧାରଣ ମଣିଷ କେମିତି ଦୁର୍ଲଭ ଦେବଦୂତରେ ପରିଣତ ହୋଇଯାଇଥିଲେ! ଭାରତରେ ଘଟୁଥିବା ଏଭଳି ଦୁର୍ଘଟଣାମାନରେ ଯେଉଁ ଅଲକ୍ଷଣ ସର୍ବଦା ଦେଖାଯାଇଥାଏ, ତାହା ଏଠାରେ ଦିଶି ନ ଥିଲା; ଅର୍ଥାତ୍‌ ଏଠି ସେବାକାରୀଙ୍କ ବାହାନା ଓ ବେଶରେ କୌଣସି ଜଣେ ହେଲେ ସୁଦ୍ଧା ଲୁଣ୍ଠନକାରୀ ନ ଥିଲେ।
ଏହି ଦୁର୍ଘଟଣାର କିଛି ଦିନ ପରେ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ବାହାନଗାର ସଜ୍ଜନ ନାଗରିକମାନଙ୍କ ଉଚ୍ଛ୍ବସିତ ପ୍ରଶଂସା କଲେ ଏବଂ କେନ୍ଦ୍ର ରେଳମନ୍ତ୍ରୀ ବ୍ୟକ୍ତିଗତ ଭାବେ ଏଠାକୁ ଆସି ବାହାନଗାର ଦେବପୁରୁଷମାନଙ୍କୁ ପ୍ରଣାମ ଜଣାଇଲେ। ଏହା ଥିଲା ମୋ ଲାଗି ଏକ ଗଭୀର ଆତ୍ମତୃପ୍ତିର କ୍ଷଣ। ମୁଁ ହୃଦୟଙ୍ଗମ କରି ପାରୁଥିଲି ଯେ କେବଳ ଦୁର୍ଘଟଣାର ଅଭିଶାପ ନୁହେଁ ତା’ ପରବର୍ତ୍ତୀ ସମୟର ଅମୃତ କ୍ଷଣଗୁଡ଼ିକ ସହିତ ମଧ୍ୟ ମୁଁ ଛନ୍ଦି ହୋଇଯାଇଛି।
ଆଜି ମୁଁ ପୂର୍ବବତ୍‌ ସ୍ଥିତିରେ। ମୋ ବୁକୁରେ ସେମାନେ ସମସ୍ତେ ପୂର୍ବ ଭଳି ସେମାନଙ୍କ କ୍ଷୁଦ୍ର ସ୍ବପ୍ନ, ଛୋଟିଆ ଅଭିଳାଷ, ନିଅଣ୍ଟିଆ ସଂସାର ଇତ୍ୟାଦିକୁ ନେଇ ଚଳପ୍ରଚଳ ହେଉଛନ୍ତିି। କିନ୍ତୁ ଏକ ଅସାମାନ୍ୟ କ୍ଷଣରେ ସେମାନେ ଯେଉଁ ଅସାଧାରଣ ଚରିତ୍ରର ପ୍ରଦର୍ଶନ କରିଛନ୍ତି, ମୁଁ ସେଥିରୁ ନିଶ୍ଚିତ ଯେ ଦେଶର ମାନଚିତ୍ରରେ ମୋର ଅବସ୍ଥିତି ଏକ ଅଦୃଶ୍ୟ ବିନ୍ଦୁଟିଏ ହୋଇଥିଲେ ବି ଭାରତର ହୃଦୟ ମାନଚିତ୍ରରେ ବାହାନଗା ଏକ ଅଲିଭା ସ୍ବାକ୍ଷର ହୋଇ ରହିଯିବ!
ମୋ: ୯୯୩୭୦୫୯୯୫୪