ବାହାନଗା ରେଳ ଦୁର୍ଘଟଣା

ମହାମେଘବାହନ ଐର ଖାରବେଳ ସ୍ୱାଇଁ

ଭାରତରେ ଏ ଯାଏ ଘଟିଥିବା ଚତୁର୍ଥ ସର୍ବାଧିକ ଭୟାବହ ରେଳ ଦୁର୍ଘଟଣା ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ଘଟିବାର ଥିଲା ଏ କଥାକୁ କିଏ କିପରି କଳ୍ପନା କରିପାରିଥାନ୍ତା! ଏ ଯାଏ ମୋଟ ୨୮୮ ଜଣ ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି ଓ ୧୦୦୦ରୁ ଅଧିକ ଯାତ୍ରୀ ଆହତ ହୋଇ ଡାକ୍ତରଖାନାଗୁଡ଼ିକରେ ଚିକିତ୍ସିତ ହେଉଛନ୍ତି ଅବା ଘରକୁ ଲେଉଟି ଯାଇଛନ୍ତି। ସେମାନଙ୍କୁ ଅବଶ୍ୟ ରେଳବାଇ ଓ ରାଜ୍ୟ ସରକାରମାନଙ୍କ ପକ୍ଷରୁ କ୍ଷତିପୂରଣ ଦିଆଯାଇଛି। ଅନେକ ଶବ ଏ ଯାଏ ଚିହ୍ନଟ ହୋଇ ପାରିନାହିଁ। ସେମାନଙ୍କ ଚିହ୍ନଟ ପାଇଁ ଚେଷ୍ଟା ଚାଲିଛି। ଏହି ଦୁର୍ଘଟଣା କେମିତି ଓ କାହିଁକି ହେଲା ସେ ସମ୍ପର୍କରେ ସାଧାରଣତଃ ରେଳବାଇ ସୁରକ୍ଷା କମିସନର ତଦନ୍ତ କରିବା କଥା। କିନ୍ତୁ ଏଥରର ଏହି ଗୁରୁତର ଦୁର୍ଘଟଣାର ବାସ୍ତବ କାରଣ ସମ୍ପର୍କରେ ଜାଣିବା ପାଇଁ ସିବିଆଇକୁ ଦାୟିତ୍ୱ ଦିଆଯାଇଛି। ସିବିଆଇ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି କାର୍ଯ୍ୟ ଆରମ୍ଭ କରିସାରିଛି। ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ଦୁର୍ଘଟଣା ଦ୍ୱାରା ରେଳବାଇର ୪୫୦- ୫୦୦ କୋଟି ଟଙ୍କାର କ୍ଷତି ହୋଇଛି। କାରଣ ଟ୍ରେନ୍‌ର ଡବାମାନ ନଷ୍ଟ ହୋଇଛନ୍ତି। ରେଳପଥ (ଟ୍ରାକ୍) ନଷ୍ଟ ହୋଇଛି। ଅନ୍ୟ ଟ୍ରେନ୍‌ଗୁଡ଼ିକୁ ଅଲଗା ପଥ ଦେଇ ଯାତାୟାତ କରିବାକୁ ପଡ଼ୁଥିବାରୁ ସେଥିପାଇଁ ଅଧିକ ଖର୍ଚ୍ଚ ହେଉଛି ଏବଂ ଯେଉଁମାନେ ବିଭିନ୍ନ ଟ୍ରେନ୍‌ଗୁଡ଼ିକରେ ଯିବା ପାଇଁ ପୂର୍ବରୁ ଟିକଟ କରିଥିଲେ କିନ୍ତୁ ଯାଇ ପାରିଲେ ନାହିଁ, ସେମାନଙ୍କୁ ଭଡ଼ା ଫେରାଇ ଦେବାକୁ ପଡ଼ିଛି। ଏହାକୁ ବାଦ୍ ଦେଲେ ମୃତାହତଙ୍କୁ କ୍ଷତିପୂରଣ ମଧ୍ୟ ଦିଆଯାଉଛି। ଏତିକି ବେଳେ ମନେ ପଡୁଛି ଯେ ଷଷ୍ଠ ଦଶକରେ ବାଉଦପୁର ରେଳ ଷ୍ଟେସନରେ ଏକ ଭୟାବହ ରେଳ ଦୁର୍ଘଟଣା ଘଟିଥିଲା, ଯାହା ଓଡ଼ିଆ ଜାତିର ବିବେକକୁ ଦୋହଲାଇ ଦେଇଥିଲା।
ଏଥର ଏଭଳି ଭୟାବହ ଦୁର୍ଘଟଣା କାହିଁକି ଘଟିଲା ତାହାକୁ ନେଇ ପ୍ରଥମରୁ ଅଲଗା ଅଲଗା କାରଣମାନ ଅଲଗା ଅଲଗା ସୂତ୍ରରୁ ଆସିଥିଲା। ପ୍ରଥମେ କୁହାଯାଇଥିଲା ଯେ ସାଲିମାରରୁ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ୍ ଠିକ୍ ବାହାନଗା ବଜାର ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇ ପାଖରେ ଏକ ନମ୍ବର ଲାଇନ୍‌ରେ ଛିଡ଼ା ହୋଇଥିବା ମାଲ ଗାଡ଼ି ସହିତ ପିଟି ହୋଇଯାଇଥିଲା ଓ ଏହି ଗାଡ଼ିର କେତେକ ଡବା ଦୁଇ ନମ୍ବର ଲାଇନ୍ ଉପରେ ପଡ଼ିଥିଲା। ଏହାର ମାତ୍ର ୨/୩ ମିନିଟ୍ ପରେ ଅନ୍ୟ ପଟରୁ (ଭୁବନେଶ୍ୱର ଆଡୁ) ପ୍ରାୟ ୧୩୦ କିଲୋମିଟର ବେଗରେ ଆସୁଥିବା ଯଶବନ୍ତପୁର-ହାୱାଡ଼ା ଏକ୍ସପ୍ରେସ୍ ଏହି ଲାଇନଚ୍ୟୁତ ହୋଇ ପଡ଼ିଥିବା କରମଣ୍ଡଳ ଏକ୍ସପ୍ରେସର ଡବାଗୁଡ଼ିକୁ ମାଡ଼ କରିଥିଲା।
କେତେକ ସୂତ୍ରରୁ କୁହାଯାଉଥିଲା ଯେ ସିଗ୍‌ନାଲ ବିଫଳତା ହେତୁ ଦୁଇ ନମ୍ବର ଲାଇନ୍‌ରେ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ୍ ଏକ ନମ୍ବର ଲାଇନ୍ ଆଡ଼କୁ ମାଡ଼ିଯାଇ ସେଠାରେ ଠିଆ ହୋଇଥିବା ମାଲଗାଡ଼ିକୁ ପଛରୁ ଧକ୍କା ଦେଇ ଓଲଟି ପଡ଼ିଥିଲା। କେତେକ ସୂତ୍ରରୁ କୁହାଯାଉଥିଲା ଯେ ଏହା ହେଉଛି ଏକ ଅନ୍ତର୍ଘାତୀ କାର୍ଯ୍ୟ। କୌଣସି ରାଷ୍ଟ୍ରଦ୍ରୋହୀ ବ୍ୟକ୍ତି ଏପରି ଦୁର୍ଘଟଣା ଘଟାଇଛି ଯେମିତି କି ମାଓବାଦୀ ବା ଆତଙ୍କବାଦୀମାନେ କରନ୍ତି।
ଯଦିଓ ଏହି ରିପୋର୍ଟ ଲେଖାଗଲା ବେଳକୁ ରେଳ ସୁରକ୍ଷା କମିସନର ବା ସିବିଆଇ ପକ୍ଷରୁ ଏ ସମ୍ପର୍କରେ କୌଣସି ରିପୋର୍ଟ ଆସିନାହିଁ, ତଥାପି ରେଳବାଇ ବୋର୍ଡ ପକ୍ଷରୁ କୁହାଯାଇଛି ଯେ ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ପଦ୍ଧତିରେ କେହି ହସ୍ତକ୍ଷେପ କରିଥିବା ଯୋଗୁଁ ଏପରି ଦୁର୍ଘଟଣା ଘଟିଛି ଏବଂ ଏହା ଉଦ୍ଦେଶ୍ୟମୂଳକ ଭାବରେ କରାଯାଇଛି ଅବା କର୍ତ୍ତବ୍ୟରେ ଅବହେଲା ଯୋଗୁଁ ଘଟିଛି।
ଏବେ ଜଣାପଡ଼ିଛି ଯେ ବାହାନଗା ବଜାର ଷ୍ଟେସନର କ୍ୟାବିନରେ ଥିବା ଇଣ୍ଟରଲକିଂ ପଦ୍ଧତିରେ କେହି ହସ୍ତକ୍ଷେପ କରି ତାହାକୁ ଏପଟ ସେପଟ କରିଛି। ଏହି ପଦ୍ଧତିଟି ସିଗନାଲ ବ୍ୟବସ୍ଥାକୁ ପରିଚାଳିତ କରିଥାଏ। ଏହାର ତଦନ୍ତ ସିବିଆଇ ପରି ସଂସ୍ଥା ଏଇଥି ପାଇଁ କରିବ ଯେ, ରେଳବାଇର ସିଗନାଲ ପଦ୍ଧତିରେ କୌଣସି ତ୍ରୁଟି ନଥାଏ। ଏହାର ଇଣ୍ଟରଲକିଂ ପଦ୍ଧିତିଟି ଏତେ ସୁରକ୍ଷିତ ଯେ ଏହା ଯଦି କେବେ କାମ ନ କରେ, ତେବେ ସିଗନାଲର ବତି ଲାଲ ହୋଇଯାଏ; ଯାହା ଫଳରେ ଟ୍ରେନଗୁଡ଼ିକ ଅଟକି ଯାଆନ୍ତି। କିନ୍ତୁ ଏଠାରେ ତାହା ଘଟିନାହିଁ। ସିଗନାଲ ତ୍ରୁଟି ସତ୍ତ୍ୱେ ଟ୍ରେନ ଚାଲିଛି ଓ ଠିଆ ହୋଇ ରହିଥିବା ମାଲଗାଡ଼ି ଉପରେ ଜୋର‌େର ପିଟି ହୋଇଛି। ତେଣୁ ପୂର୍ଣ୍ଣ ସୁରକ୍ଷିତ ବ୍ୟବସ୍ଥାରେ ଏପରି ଘଟଣା ଘଟିବାର ଅର୍ଥ ହେଉଛି ଏଇ ବ୍ୟବସ୍ଥାରେ କୌଣସି ବ୍ୟକ୍ତି ହସ୍ତକ୍ଷେପ କରିଛି। ରେଳବାଇ ବୋର୍ଡ଼ ପକ୍ଷରୁ କୁହାଯାଇଛି ଯେ ଏପରି ବିଭ୍ରାଟ ଏହି ଅତ୍ୟାଧୁନିକ ବ୍ୟବସ୍ଥାରେ ସମ୍ଭବ ହେବା କଥା ନୁହେଁ। ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ରେଳବାଇ ଦ୍ୱାରା ବ୍ୟବହୃତ ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ପଦ୍ଧତି ସିଲ୍- ୪ ପ୍ରମାଣପତ୍ର ପାଇଛି, ଯାହାର ଅର୍ଥ ଏହା ୧୦୦% ସୁରକ୍ଷିତ। ଏଣୁ ଏ ଧରଣର ଦୁର୍ଘଟଣା ଘଟିବା ଅତି ଆଶ୍ଚର୍ଯ୍ୟକର।
ଯେତେବେଳେ ଏହି ଭୟାବହ ଦୁର୍ଘଟଣା ଘଟିଲା, ପ୍ରଥମେ କୁହାଯାଇଥିଲା ଯେ ଏଇ ଘଟଣାରେ ତିନିଟି ଟ୍ରେନ୍ କ୍ଷତିଗ୍ରସ୍ତ ହୋଇଛନ୍ତି। ଗୋଟିଏ ହେଲା ମାଲଗାଡ଼ି, ଗୋଟିଏ ହେଲା କରମଣ୍ଡଳ ଏକ୍ସପ୍ରେସ୍ ଓ ଗୋଟିଏ ହେଲା ଯଶବନ୍ତପୁର-ହାୱାଡ଼ା ଏକ୍ସପ୍ରେସ୍। କିନ୍ତୁ ରେଳବାଇ ବୋର୍ଡ଼ ପକ୍ଷରୁ କୁହାଯାଇଛି ଯେ ବାସ୍ତବରେ ଏହି ଦୁର୍ଘଟଣା ଗୋଟିଏ ଟ୍ରେନ୍ ଅର୍ଥାତ୍ କରମଣ୍ଡଳ ଏକ୍ସପ୍ରେସ ସହିତ ଘଟିଛି। ରେଳବାଇ ବୋର୍ଡର ଉଚ୍ଚ ଅଧିକାରୀଙ୍କ କହିବା ଅନୁସାରେ କରମଣ୍ଡଳ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି ଏବଂ ମାଲଗାଡ଼ି ଉପରେ ମାଡ଼ ମାରିଛି। ମାଲ ଗାଡ଼ିଟି ଲାଇନଚ୍ୟୁତ ହୋଇନାହିଁ। ଲୁହାପଥର ବୋଝେଇ ହୋଇଥିବା ମାଲ ଗାଡ଼ିଟି ଅତ୍ୟନ୍ତ ଭାରି ଥିବାରୁ ମାଡ଼ ସମ୍ଭାଳି ନେଇ ଧାରଣାରେ ଛିଡ଼ା ହୋଇ ରହିଥିଲା। କରମଣ୍ଡଳର ଡବାମାନ ଓଲଟି ବିକ୍ଷିପ୍ତ ହୋଇ ପାଖ ୩ ନମ୍ବର ଲାଇନ୍ ଉପରେ ଯାଉଥିବା ଯଶବନ୍ତପୁର-ହାୱାଡ଼ା ଏକ୍ସପ୍ରେସ୍‌ର ପଛ ଦୁଇଟି ଡବାକୁ ଆଘାତ ଦେଇଥିଲେ। ତେଣୁ ଏକା କରମଣ୍ଡଳ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ଗୋଟାଏ ଦୃଷ୍ଟିରୁ କୁହାଯାଇପା‌ରେ।
ଟ୍ରେନ୍ ଦୁର୍ଘଟଣାମାନଙ୍କରେ ତିନିଟି କଥା ହୋଇଥାଏ: ଯାତ୍ରୀ ମୃତାହତ ହେବା, ରେଳ ସମ୍ପତ୍ତିର କ୍ଷତି ଘଟିବା ଓ ଯାତାୟାତରେ ବାଧା ସୃଷ୍ଟି ହେବା। ଭାରତର ସିଏଜିଙ୍କ ରିପୋର୍ଟ (୨୦୨୨) ଅନୁସାରେ ଭାରତୀୟ ରେଳବାଇର ୧୭ଟି ଜୋନ୍‌ରେ ୬୫,୯୫୬ ରୁଟ୍ କିଲୋମିଟର ରହିଛି ଅର୍ଥାତ୍ ଏହି ଲମ୍ବର ରେଳପଥମାନଙ୍କ ଉପରେ ଟ୍ରେନ୍ ଚାଲିଥାଏ। ଏହି ରେଳପଥମାନଙ୍କ ଉପରେ ୨୧,୬୪୮ଟି ଯାତ୍ରୀ ଓ ମାଲ୍‌ବାହୀ ଟ୍ରେନ୍ ଚାଲିଥାନ୍ତି। ସେମାନେ ୨ କୋଟି ୨୧ ଲକ୍ଷ ୨୦ ହଜାର ଟନ୍‌ ଓଜନର ମାଲ୍ ପ୍ରତିଦିନ ପରିବହନ କରିଥାନ୍ତି। ସୁତରାଂ, ଭୁଲ୍ ତ୍ରୁଟି ଯୋଗୁଁ ବିଭିନ୍ନ ଦୁର୍ଘଟଣାମାନ ଘଟିଥାଏ। ଗତ ୬ ବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୧୭-୧୮ରୁ ୨୦୨୨-୨୩ ମଧ୍ୟରେ ସବୁ ରେଳବାଇମାନଙ୍କରେ ୨୪୬ଟି ଛୋଟବଡ଼ ଦୁର୍ଘଟଣା ଘଟିଛି। ଏମାନଙ୍କ ମଧ୍ୟରୁ ୧୬୩ଟି ଦୁର୍ଘଟଣା ଘଟିଛି ଲାଇନଚ୍ୟୁତ ହେବା କାରଣରୁ।
କଂଗ୍ରେସ ଓ ଅନ୍ୟ କେତେକ ଦଳ ପକ୍ଷରୁ ଦାବି କରାଯାଇଛି ଯେ ଏହି ଦୁର୍ଘଟଣା ପାଇଁ ରେଳମନ୍ତ୍ରୀ ଦାୟୀ ଓ ସେଥିପାଇଁ ପଦରୁ ଇସ୍ତଫା ଦେବା ଉଚିତ। ଯୁକ୍ତି କରାଯାଉଛି ଯେ ଯଦିଓ ଦୁର୍ଘଟଣା ପାଇଁ ସେ ନିଜେ ଦାୟୀ ନୁହନ୍ତି ତଥାପି ମଧ୍ୟ ନୈତିକତା ଦୃଷ୍ଟିରୁ ସେ ଇସ୍ତଫା ଦେବା ଉଚିତ। ଏହି ଦଳଗୁଡ଼ିକ ପକ୍ଷରୁ କୁହାଯାଇଛି ଯେ ଷଷ୍ଠ ଦଶକରେ ରେଳମନ୍ତ୍ରୀ ଥିବା ଲାଲ ବାହାଦୂର ଶାସ୍ତ୍ରୀ ଗୋଟିଏ ରେଳ ଦୁର୍ଘଟଣା ପରେ ନୈତିକତାର ପ୍ରଶ୍ନ ଉଠାଇ ପଦରୁ ଇସ୍ତଫା ଦେଇଥିଲେ। କିନ୍ତୁ ଯଦି କେବଳ ଦୁର୍ଘଟଣା ଘଟିଲେ ରେଳମନ୍ତ୍ରୀମାନଙ୍କ ଇସ୍ତଫା ଦେବା କଥା ତେବେ ଗତ ୬ ବର୍ଷ ମଧ୍ୟରେ ଯେଉଁ ୨୪୬ଟି ରେଳ ଦୁର୍ଘଟଣା ଘଟିଛି ସେଥିପାଇଁ ୨୪୬ ଜଣ ରେଳମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା କଥା। ଏମିତି ହେଲେ ରେଳମନ୍ତ୍ରୀ ହେବା ପାଇଁ ସାଂସଦ ମିଳିବେ ନାହିଁ। ବରଂ ରେଳ ଦୁର୍ଘଟଣା ପରେ କେମିତି ରେଳ ଚଳାଚଳ ସ୍ୱାଭାବିକ ହେବ ଓ ଯେଉଁମାନେ ମୃତାହତ ହୋଇଛନ୍ତି, ସେମାନଙ୍କ ଚିକିତ୍ସା କେମିତି ହେବ ଓ କେମିତି ସେମାନଙ୍କୁ ଯଥାଯଥ କ୍ଷତିପୂରଣ ଦିଆଯିବ; ସେ ସମ୍ପର୍କରେ ରେଳବାଇ ମନ୍ତ୍ରୀମାନେ ପ୍ରଥମେ ଧ୍ୟାନ ଦେବା ଉଚିତ। ସେମାନେ ଦୁର୍ଘଟଣା ଘଟିବା ମାତ୍ରକେ ଇସ୍ତଫା ଦେଲେ ଏ କାମମାନ କରିବ କିଏ?
ବାହାନଗା ବଜାରର ଦୁର୍ଘଟଣାକୁ ସାମାଜିକ ଗଣମାଧ୍ୟମମାନଙ୍କରେ ନାନା ସାଂପ୍ରଦାୟିକ ଓ ରାଷ୍ଟ୍ରଦ୍ରୋହ ରୂପ ଦିଆଯାଉଥିଲା। ଏଥିରେ ପ୍ରକାଶ ପାଉଥିଲା ଯେ ପାଖରେ ଥିବା ଗୋଟିଏ ସବୁଜ ରଙ୍ଗର କୋଠା ହେଉଛି ଏକ ମସଜିଦ। ଅର୍ଥାତ୍ ସେଠାରେ ଥିବା ମୁସଲମାନମାନେ ଏହି ଦୁର୍ଘଟଣା ଘଟାଇଛନ୍ତି। କିନ୍ତୁ ବାସ୍ତବରେ ଏହି କୋଠାଟି ହେଉଛି ଏକ ଇସ୍କନ ମନ୍ଦିର। ଏହା ଛଡ଼ା ସାମାଜିକ ଗଣମାଧ୍ୟମରେ କୁହାଯାଇଥିଲା ଯେ ବାହାନଗା ବଜାର ଷ୍ଟେସନ ମାଷ୍ଟର ଥିଲେ ଜଣେ ମୁସଲମାନ୍ ବ୍ୟକ୍ତି। ଅର୍ଥାତ୍ ସେ ହିଁ ସିଗନାଲ ପଦ୍ଧତିରେ ଗଡ଼ବଡ଼ କରି ଦୁର୍ଘଟଣା ଘଟାଇଥିଲେ। କିନ୍ତୁ ବାସ୍ତବରେ ଏହି ଷ୍ଟେସନର ମାଷ୍ଟର ହେଉଛନ୍ତି ଜଣେ ହିନ୍ଦୁ। ସିଗନାଲ ପଦ୍ଧତିରେ ଅଦଳବଦଳ କ୍ଷେତ୍ରରେ ତାଙ୍କର କୌଣସି ନକାରାତ୍ମକ ଭୂମିକା ନଥିଲା। ତେବେ ଏହି ରେଳ ଦୁର୍ଘଟଣାରେ ବାସ୍ତବ ହିରୋ ହେଉଛନ୍ତି ସ୍ଥାନୀୟ ଲୋକେ, ଯେଉଁମାନେ ଦୁର୍ଘଟଣା ଘଟିବା ମାତ୍ରକେ ଘଟଣା ସ୍ଥଳକୁ ଆସି ଆହତ ଲୋକମାନଙ୍କୁ ସବୁପ୍ରକାର ସାହାଯ୍ୟ ଓ ସହଯୋଗ କରିଥିଲେ, ଯେଉଁଥିପାଇଁ ଅନେକ ଲୋକ ବଞ୍ଚି ଗଲେ। ପ୍ରଧାନମନ୍ତ୍ରୀ ମୋଦୀ ଉଦ୍ଧାର କାର୍ଯ୍ୟ ଚାଲିଥିଲା ବେଳେ ଦିଲ୍ଲୀରୁ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ। ବାଉଦପୁରରେ ଯେମିତି ସ୍ଥାନୀୟ ଲୋକେ ଅଧମରା ଆହତ ରେଳଯାତ୍ରୀମାନଙ୍କୁ ମରିବାକୁ ଦେଇ ସେମାନଙ୍କଠାରୁ ଅର୍ଥ ଓ ଜିନିଷପତ୍ର ଲୁଟ କରିଥିଲେ, ଏଥର ସେଭଳି କଥା ଦେଖିବାକୁ ବା ଶୁଣିବାକୁ ମିଳିନାହିଁ।
ମୋ: ୯୪୩୭୦୨୦୨୯୦

ସମ୍ବନ୍ଧିତ ଖବର