୧୯୨୪ ମସିହାରେ ହଜାରିବାଗ ଜେଲରୁ ମୁକୁଳିଲା ପରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ କଟକ ମ୍ୟୁନିସିପାଲିଟି ହତାରେ ଏକ ଉଚ୍ଛ୍ୱସିତ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେହି ସଭାରେ ଅନ୍ୟ ବିଶିଷ୍ଟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ବରେଣ୍ୟ ବୈଜ୍ଞାନିକ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରୟ। ସେଠାରେ ରୟ ମହାଶୟ ଗୋପବନ୍ଧୁଙ୍କୁ ‘ଉତ୍କଳମଣି’ ଭାବରେ ସଂବୋଧନ କରିଥିଲେ। ଏହି ସଂବୋଧନ ସେତେବେଳେ ଓଡ଼ିଶାରେ ମିଶ୍ରିତ ପ୍ରତିକ୍ରିୟା ସୃଷ୍ଟି କରିଥିଲା। ଓଡ଼ିଶାର ଜନଜୀବନର ମଉଡ଼ମଣି ଗୋପବନ୍ଧୁଙ୍କୁ ଉତ୍କଳମଣି ଭାବରେ ଆଖ୍ୟାୟିତ କରାଯିବାରେ ଅନେକେ ଉଲ୍ଲସିତ ହୋଇଥିଲେ। କେତେକ ବୁଦ୍ଧିଜୀବୀ ମଧ୍ୟ ଏହାକୁ ନାପସନ୍ଦ କରିଥିଲେ। ମହାତ୍ମାଙ୍କ ଘନିଷ୍ଠ ସହଯୋଗୀ ତଥା ଭାରତୀୟ ମୁକ୍ତି ସଂଗ୍ରାମର ଅନ୍ୟତମ ମହାନାୟକ ଗୋପବନ୍ଧୁ କେବଳ ଉତ୍କଳର ମଣି କାହିଁକି? ସେ କ’ଣ ଭାରତର ମଣି ନୁହନ୍ତି? ଏହି ପ୍ରଶ୍ନ ଅନେକଙ୍କୁ ଆନ୍ଦୋଳିତ କରିଥିଲା। ତେବେ ଆଜି ପର୍ଯ୍ୟନ୍ତ ଗୋପବନ୍ଧୁଙ୍କ ନାମ ସହିତ ଉତ୍କଳମଣି ଉପାଧିଟି ସଂଯୁକ୍ତ ହୋଇଆସିଛି।
ମୁକ୍ତାକାଶ ବିଦ୍ୟାଳୟ ପ୍ରତିଷ୍ଠା ଏବଂ ଐକିକ ବିଶ୍ୱବିଦ୍ୟାଳୟ ପରିକଳ୍ପନାରେ ଗୋପବନ୍ଧୁ ଭାରତର ପ୍ରଥମ ଶିକ୍ଷାପ୍ରେମୀ ଜନସେବକ। ଅନେକ ମହାନ ଜନନେତାଙ୍କର ପାଦ ପଡ଼ିଥିଲା ତାଙ୍କ ପ୍ରତିଷ୍ଠିତ ସତ୍ୟବାଦୀ ବନବିଦ୍ୟାଳୟ ପ୍ରାଙ୍ଗଣରେ। ୧୯୨୧ ମସିହା ମାର୍ଚ୍ଚ ମାସରେ ମହାତ୍ମା ଗାନ୍ଧୀ ସତ୍ୟବାଦୀରେ ଦିନଟିଏ ବିତାଇଥିଲେ। ଗାନ୍ଧୀଜୀ ‘ୟଙ୍ଗ୍ ଇଣ୍ଡିଆ’ ପତ୍ରିକାରେ ଲେଖିଥିଲେ ଯେ ଗୋପବନ୍ଧୁ ଏବଂ ତାଙ୍କ ଉତ୍ସାହୀ ସହ-କର୍ମୀମାନଙ୍କ ସହଯୋଗରେ ବର୍ଷକ ମଧ୍ୟରେ ସ୍ୱରାଜ୍ୟ ଆସିବ ବୋଲି ବିଶ୍ୱାସ କଲେ ଆଶ୍ଚର୍ଯ୍ୟ ହେବାର ନାହିଁ। ଲାଲା ଲଜପତ ରାୟ ଲୋକସେବକ ମଣ୍ଡଳର ସଭାପତି ଥିଲାବେଳେ ପୁଣି ଗୋପବନ୍ଧୁ ଥିଲେ ଉପସଭାପତି। ସେହିପରି କଲିକତାରେ ଦେଖାସାକ୍ଷାତ ବେଳେ ନେତାଜୀ ସୁଭାଷ ତାଙ୍କୁ ସମ୍ମାନ ପ୍ରଦର୍ଶନ ପୂର୍ବକ ଓଡ଼ିଆରେ କଥା ହେଉଥିଲେ।
ଭାରତୀୟ ମହାଜାତୀୟତାର ପ୍ରଚଣ୍ଡ ପ୍ରବକ୍ତା ଗୋପବନ୍ଧୁ କିନ୍ତୁ ଉତ୍କଳମଣି ହୋଇ ରହିଗଲେ। ଆମେ ଓଡ଼ିଆମାନେ ଏହି ପରମ ଦେଶଭକ୍ତଙ୍କୁ ଓଡ଼ିଶାର ସରହଦ ମଧ୍ୟରେ ସୀମିତ ରଖିଲୁ।
ଡକ୍ଟର ହରେକୃଷ୍ଣ ମହତାବ ଉତ୍କଳକେଶରୀ ଭାବରେ ପୁରପଲ୍ଲୀରେ ପରିଚିତ। ମହତାବଙ୍କ ସିଂହଠାଣି ଓ ସିଂହନାଦର ତୁଳନା ନାହିଁ। କିନ୍ତୁ ସେ ଯେ ଜଣେ ସର୍ବଭାରତୀୟ ନେତା! ଗୋପବନ୍ଧୁଙ୍କ ଅନ୍ତେ ଓଡ଼ିଶାର ଗ୍ରାମଗ୍ରାମାନ୍ତରରେ ସେ ଗାନ୍ଧୀ ବାର୍ତ୍ତା ପହଞ୍ଚାଇଥିଲେ। ଆଜି ମଧ୍ୟ ‘ହରି ମହତା, ଆଣିଲା ଗାନ୍ଧୀଛତା’ ପ୍ରବାଦ ଲୋକସ୍ମୃତିରେ ଜୀବନ୍ତ। ଖୁବ୍ ସମ୍ଭବତଃ ସେ ଥିଲେ ଅଲ୍ ଇଣ୍ଡିଆ କଂଗ୍ରେସ କମିଟିର ସର୍ବକନିଷ୍ଠ ସଦସ୍ୟ। ଗଡ଼ଜାତରେ ସ୍ୱାଧୀନତା ସଂଗ୍ରାମର ସେ ହିଁ ଆଦିନାୟକ। ‘ପ୍ରଜାମଣ୍ଡଳ’ ମାଧ୍ୟମରେ ସ୍ୱାଧୀନତା ସଂଗ୍ରାମକୁ ସେ ଗଡ଼ଜାତ ଅଞ୍ଚଳରେ ତୀବ୍ର କରିଥିଲେ। ଏହା ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ୱୀକାର କରିଥିବା ସୁଲେଖକ, ଦୁର୍ଗା ଦାସ ତାଙ୍କ ‘ଇଣ୍ଡିଆ ଫ୍ରମ୍ କର୍ଜନ୍ ଟୁ ନେହରୁ ଆଣ୍ଡ୍ ଆଫ୍ଟର୍’ ବହିରେ ଉଲ୍ଲେଖ କରିଛନ୍ତି। ଦେଶ ମିଶ୍ରଣ କ୍ଷେତ୍ରରେ ମଧ୍ୟ ମହତାବଙ୍କର ଥିଲା ପ୍ରମୁଖ ଅବଦାନ। ତାଙ୍କ ଉଦ୍ୟମରେ ‘ନୀଳଗିରି’ ପ୍ରଥମ ଦେଶୀୟ ରାଜ୍ୟ ଯାହା ଓଡ଼ିଶାରେ ପ୍ରକାରାନ୍ତରେ ଭାରତରେ ମିଶିଥିଲା। ତାଙ୍କୁ ଭାରତର ବଡ଼ ନେତା ବୋଲି କହିବାକୁ ଓଡ଼ିଆମାନଙ୍କ ଜିଭ ଲେଉଟିଲା ନାହିଁ।
ବିଜୁବାବୁ ସେମିତି ଓଡ଼ିଶାର ଭୂମିପୁତ୍ର ହୋଇ ରହିଗଲେ। ଇଣ୍ଡୋନେସିଆ ହେଉ କି କାଶ୍ମୀର, ଏହି ଦୁର୍ଦ୍ଦମ ବୈମାନିକ କେତେ ନେତାଙ୍କୁ ଯେ ବିପଦଆପଦରୁ ରକ୍ଷା କରିଛନ୍ତି, ତା’ର ହିସାବ ନାହିଁ। ଦେଶରେ ଯେତେବେଳେ ଟ୍ରକ୍ ବା ବସ୍ ବ୍ୟବସାୟ କରିବାକୁ ଲୋକେ ସାହସ କରୁ ନଥିଲେ, ସେ ‘କଳିଙ୍ଗ ଏୟାରଲାଇନ୍ସ’ ପ୍ରତିଷ୍ଠା କରି ଘରୋଇ ବିମାନ ଚଳାଚଳ ଆରମ୍ଭ କରିଥିଲେ। ଦୀର୍ଘଦିନ ଧରି ଭାରତୀୟ ରାଜନୀତିରେ ସେ ‘ସଙ୍କଟମୋଚକ’ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ଭାରତର ଯୁବପିଢ଼ି ପାଇଁ ତାଙ୍କ ଅଦମ୍ୟ ସାହସ ସଦା ପ୍ରେରଣାର ଉତ୍ସ। ନବଭାରତ ନିର୍ମାତାମାନଙ୍କ ତାଲିକାରେ ତାଙ୍କୁ ରଖିବାକୁ ମଧ୍ୟ ଆମେ ଭରସିଲୁ ନାହିଁ।
ଓଡ଼ିଆ ଜାତିକୁ ଆଗେ ଆଗକୁ ଆଣିଥିବା ବଳିଷ୍ଠ ଜାତୀୟତାବାଦୀ ନେତା ମଧୁବାବୁଙ୍କ ସ୍ଥାନ କେଉଁଠି? ସେ ଓଡ଼ିଶାରେ ନବଜାଗରଣ ଆଣିଥିଲେ ଏବଂ ଭାଷାଭିତ୍ତିରେ ନୂଆ ଓଡ଼ିଶା ଗଠନ କରିଥିଲେ। ଏହା କ’ଣ ତାଙ୍କର ଏକମାତ୍ର ପରିଚୟ? ମତଭେଦ ହେତୁ ମନ୍ତ୍ରୀପଦ ତ୍ୟାଗ କରିଥିବା ପ୍ରଥମ ଭାରତୀୟ ମଧୁସୂଦନ। ଗାନ୍ଧୀଜୀଙ୍କ ପୂର୍ବ ପିଢ଼ିର ସେ ଜଣେ ଦୂରଦର୍ଶୀ ଜନନାୟକ ଓ ମୌଳିକ ଚିନ୍ତାନାୟକ। ସେ ସ୍ୱଦେଶୀ ଶିଳ୍ପର ଆଦ୍ୟ ଝଂକାର ତ ନାରୀ ଶିକ୍ଷା ଓ ସମବାୟ ଆନ୍ଦୋଳନର ଅଗ୍ରଣୀ କର୍ଣ୍ଣଧାର। କେତେକ କ୍ଷେତ୍ରରେ ତାଙ୍କୁ ଗାନ୍ଧୀ ଚେତନାର ଅଗ୍ରଦୂତ କହିଲେ ବି ଅତିଶୟୋକ୍ତି ହେବ ନାହିଁ। ଅଙ୍ଗୁଳିର ପ୍ରୟୋଗ ନ କଲେ ମଣିଷର ସୃଜନଶୀଳତା ବିକଶିତ ହୁଏ ନାହିଁ, ଏହା ମୋତେ ମଧୁବାବୁ କହିଥିଲେ ବୋଲି ଗାନ୍ଧୀଜୀ ଏକାଧିକ ଅବସରରେ ବ୍ୟକ୍ତ କରିଛନ୍ତି। ମୋଚିମାନଙ୍କ ପ୍ରତି ହେଉଥିବା ଅବହେଳା ବିଷୟରେ ମଧୁସୂଦନ ମୋ ଆଖି ଖୋଲିଦେଲେ ବୋଲି ମଧ୍ୟ ମହାତ୍ମା ପ୍ରସଙ୍ଗତଃ ଉଲ୍ଲେଖ କରିଛନ୍ତି। ମଧୁବାବୁଙ୍କ ବିୟୋଗରେ ସେ ଲେଖିଥିଲେ, “ସେ ଥିଲେ ଜଣେ ମହାନ ଦେଶପ୍ରେମୀ।”
ମଧୁବାବୁଙ୍କ ବିଷୟରେ ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଉକ୍ତି ମଧ୍ୟ ପ୍ରଣିଧାନଯୋଗ୍ୟ ଯାହାର ମର୍ମାର୍ଥ: “ମୁଁ ଜନ୍ମ ହେବାର ଅନେକ ଆଗରୁ ମଧୁବାବୁଙ୍କ ସାଧାରଣ ଜୀବନ ଆରମ୍ଭ ହୋଇଯାଇଥିଲା ଏବଂ ଅନେକ କ୍ଷେତ୍ରରେ ତାଙ୍କର ଚିନ୍ତାଧାରା ଥିଲା ମୌଳିକ।’’ ମଧୁସୂଦନଙ୍କ ପ୍ରିୟ ଛାତ୍ର ଆଶୁତୋଷଙ୍କ ସୁପୁତ୍ର ଭାରତୀୟ ଜନସଙ୍ଘର ଜନକ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଦୃଷ୍ଟିରେ ମଧୁବାବୁ ପ୍ରଥମେ ଜଣେ ପ୍ରଚଣ୍ଡ ଜାତୀୟତାବାଦୀ, ତା’ ପରେ ଆଉ ଯାହା। ଏହି ପ୍ରଚଣ୍ଡ ଜାତୀୟତାବାଦୀଙ୍କୁ ଆମେ ଓଡ଼ିଆ ଜାତୀୟତାବାଦୀ କରି ରଖିଦେଲୁ। ହାୟ- ମଧୁବାବୁ ପରା ଉତ୍କଳଗୌରବ, ସେ ଜାତୀୟ ଗୌରବ ବା ଜାତିପ୍ରାଣ ନୁହନ୍ତି!
ଆମ ପୂର୍ବଜମାନଙ୍କୁ ବିଶ୍ୱବନ୍ଦିତ ବୋଲି କହିବାକୁ କିଏ କ’ଣ ଆମକୁ ମନା କରିଛି? କେତେଦିନ ପର୍ଯ୍ୟନ୍ତ ଆମ ଦୃଷ୍ଟିର ଦିଗନ୍ତ ଏତେ ସଂକୀର୍ଣ୍ଣ ହୋଇ ରହିଥିବ, ଖର୍ବ ହୋଇ ରହିଥିବ ଆମ ମନର ମାନଦଣ୍ଡ? ‘ଉଚ୍ଚମନା ଉଚ୍ଚେ ଅମୃତ ଲଭଇ’- ଏହା ସ୍ୱଭାବକବି ଗଙ୍ଗାଧର ଆମ କାନେକାନେ କହିଥିବା ସତ୍ତ୍ୱେ ଆମେ ଗୋଟେ ବଡ଼ କଥା ଭାବିପାରୁନାହୁଁ କାହିଁକି, କାହିଁକି ଦେଖିପାରୁନାହୁଁ ଗୋଟେ ବଡ଼ ସ୍ୱପ୍ନ? ନିଜକୁ ବଡ଼ରେ ଗଣୁ ନଥିବା ଜାତି, ନିଜ ବରପୁତ୍ରମାନଙ୍କୁ ବଡ଼ ମଣିବ କିପରି?
ମୋ: ୯୪୩୭୧୪୩୮୯୬