ଆସ୍ଥା ଓ ଆଶାର ବର୍ଗବନ୍ଧନୀ ମଧ୍ୟରେ ଜୀବନ ସର୍ବଦା ସମୁଜ୍ଜ୍ୱଳ। ଆସ୍ଥା ବିନା ଜୀବନର ସ୍ଥିତି ନାହିଁ କି ଆଶା ବିନା ଗତି ନାହିଁ। ଜୀବନ ଏକ ସୁଦୀର୍ଘ ଅନ୍ୱେଷଣ। ମଣିଷ କିଛି ନା କିଛି ଖୋଜୁଥାଏ ସାରା ଜୀବନ- ସେ ଭୌତିକ ସୁଖ ହେଉ କି ହେଉ ଆଧିଭୌତିକ ଅନୁଭବ।
ସୁଖ ଖୋଜି ଖୋଜି ମଣିଷ ଦୁଃଖ ପାଏ ନା ପାଏ ଆନନ୍ଦ? ଏହି ପ୍ରଶ୍ନ ଉପରେ ବିଶ୍ୱ ଦର୍ଶନ ଦି’ଫାଳ। ବୌଦ୍ଧ ଦର୍ଶନରେ ସଂସାର ଦୁଃଖମୟ। ସୁଖର ଅନ୍ୱେଷଣ ସମୟକ୍ରମେ କାମନାର ରୂପ ନିଏ। ଏହି କାମନା ହିଁ ଦୁଃଖର କାରଣ। ହିନ୍ଦୁ ଦର୍ଶନ ଏହାର ବିପରୀତ। ଜଗତ ଆନନ୍ଦର ମହାଯଜ୍ଞ। ଆନନ୍ଦ ଅନ୍ୱେଷଣରେ ନିହିତ ଜୀବନର ସାର୍ଥକତା। କବିଗୁରୁ ରବୀନ୍ଦ୍ରନାଥଙ୍କ ‘ଜଗତେ ଆନନ୍ଦ ଯଜ୍ଞେ ଆମାର ନିମନ୍ତ୍ରଣ, ଧନ୍ୟ ହୋଲୋ ଧନ୍ୟ ହୋଲୋ ମାନବ ଜୀବନ’, ଜୀବନାନନ୍ଦର ମହାମନ୍ତ୍ର। ବୌଦ୍ଧ ଦର୍ଶନ ଜୀବନର ଭଙ୍ଗୁରତା ଉପରେ ଆଧାରିତ, ହିନ୍ଦୁ ଦର୍ଶନର ଭିତ୍ତି ଜୀବନରେ ଅମରତ୍ୱର ସନ୍ଧାନ। ସେଥିପାଇଁ ସିନା ସ୍ୱଭାବକବି ଗଙ୍ଗାଧର କହନ୍ତି, “ମୁଁ ତ ଅମୃତ ସାଗର ବିନ୍ଦୁ”।
ଜୀବନ ଉପରେ ଆସ୍ଥା ହିଁ ବଞ୍ଚିବାର ରାହା। ଏହି ଆସ୍ଥା ଶତ ପରାଜୟକୁ ବିଜୟରେ ରୂପାନ୍ତରିତ କରେ। ‘ଓଲ୍ଡ ମ୍ୟାନ୍ ଆଣ୍ଡ୍ ଦି ସି’ ଉପନ୍ୟାସରେ ବୃଦ୍ଧ ସାଣ୍ଟିଆଗୋ ମାଧ୍ୟମରେ ଏମନ୍ତ ସନ୍ଦେଶ ଦିଅନ୍ତି ଅର୍ନେଷ୍ଟ ହେମିଂଗୱେ। କ୍ରମାଗତ ପରାଜୟ ସତ୍ତ୍ୱେ ଜୀବନ ଉପରୁ ଆସ୍ଥା ହରାନ୍ତି ନାହିଁ ସାଣ୍ଟିଆଗୋ। ଶେଷରେ ସେ ବିଜୟ ଲାଭ କରନ୍ତି। ହେମିଂଗୱେଙ୍କ ବାର୍ତ୍ତା କେଡ଼େ ଆସ୍ଥାବାଚକ ସତେ! ତାଙ୍କ ବିଚାରରେ ମଣିଷ ପରାଜିତ ହେବା ପାଇଁ ଜନ୍ମ ହୋଇନାହିଁ। ପ୍ରତିଟି ଆସନ୍ତା କାଲି ଗୋଟେ ନୂଆ ଆସନ୍ତା କାଲି। ଏହା ହିଁ ଜିଇବାର କଳା। ଓ’ ହେନେରିଙ୍କ ‘ଦି ଲାଷ୍ଟ ଲିଫ୍’ ଗଳ୍ପଟି ସେହିପରି ଆଶାର ନିତ୍ୟ ଉଦ୍ଭାସ। ଯୁକ୍ତରାଷ୍ଟ୍ର ଆମେରିକାର ଏକ ସହର ଉପକଣ୍ଠରେ ରହୁଥିଲେ ଦୁଇ ଜଣ ତରୁଣୀ ଶିଳ୍ପୀ- ସୁ ଓ ଜନ୍ସି। ତାହା ନିମୋନିଆ ମହାମାରୀ ସମୟର କଥା। ଜନ୍ସି ହଠାତ୍ ନିମୋନିଆରେ ପୀଡ଼ିତା ହେଲା ଏବଂ ତାଙ୍କ ଝର୍କା ପାଖରେ ଥିବା ଏକ ଦ୍ରାକ୍ଷାଲତାରୁ ଶେଷ ପତ୍ରଟି ଝଡ଼ିପଡ଼ିଲେ ତା’ ଜୀବନଦୀପ ଲିଭିଯିବ ବୋଲି ତା’ ମନରେ ଏକ ଭ୍ରାନ୍ତ ଧାରଣା ସୃଷ୍ଟି ହେଲା। ସେହି ପରିସରରେ ରହୁଥିବା ବୃଦ୍ଧ ଶିଳ୍ପୀ ବର୍ମନ୍କୁ ଏ କଥା ଜଣାଇଲା ସୁ। ତା’ ପରଦିନ ସକାଳୁ ଜନ୍ସି ଝର୍କା ଆଡ଼କୁ ଚାହିଁ ଦେଖିଲା ଯେ ପ୍ରବଳ ତୁଷାରପାତ ସତ୍ତ୍ୱେ ଦ୍ରାକ୍ଷାଲତାରୁ ଶେଷ ପତ୍ରଟି ଝଡୁନାହିଁ। ଏହା ତାକୁ ଜୀବନ-ମନସ୍କ କଲା ଏବଂ ସେ ବଞ୍ଚିଗଲା। ଦ୍ରାକ୍ଷାଲତାର ଶେଷ ପତ୍ରଟି କିନ୍ତୁ ପତ୍ର ନଥିଲା, ଥିଲା ବୃଦ୍ଧ ଶିଳ୍ପୀ ବର୍ମନ୍ଙ୍କ ହାତ ଅଙ୍କା ଚିତ୍ର। ଆଶା ଯେ ମୃତ୍ୟୁକୁ ଜୟ କରିପାରେ, ଏହା ଏହି ଗଳ୍ପର ସାରାଂଶ।
ସାହିତ୍ୟ ଅନ୍ତରଙ୍ଗ ଭାବରେ ଜୀବନ ସହିତ ଯୋଡ଼ି ହୋଇ ରହିଥାଏ ଏବଂ ମଣିଷକୁ ବଞ୍ଚି ରହିବା ପାଇଁ ପ୍ରେରଣା ଦିଏ। ନୈରାଶ୍ୟ ଓ ନକାରାତ୍ମକତାରେ ପରିପୂର୍ଣ୍ଣ ସାହିତ୍ୟ ଜୀବନ ସ୍ରୋତର ଗତିରୋଧ କରେ। ଭାରତୀୟ ମନୀଷା ସେଥିପାଇଁ ବୋଧହୁଏ ଜୀବନ ସଙ୍ଗୀତର ମଧୁର ମୂର୍ଚ୍ଛନାର ସୁମଧୁର ଗୁଞ୍ଜରଣ। ନିଃସଙ୍ଗତାବୋଧ ଓ ପଳାୟନପନ୍ଥୀ ମନୋବୃତ୍ତି ଭାରତୀୟ ଚିନ୍ତା ଚେତନାର ପରିପନ୍ଥୀ।
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ କାବ୍ୟକବିତାରେ ଜୀବନାନୁରାଗ ଏକ ପ୍ରମୁଖ ଧାରା। ଭାରତୀୟ ମୁକ୍ତି ସଂଗ୍ରାମର ଅଗ୍ରଣୀ କର୍ଣ୍ଣଧାର ଭାବରେ ଗୋପବନ୍ଧୁଙ୍କ ରଚନା ଅବଶ୍ୟ ଦେଶାତ୍ମବୋଧର ଚାରୁ ଗନ୍ତାଘର। ତାଙ୍କ ଦୃଷ୍ଟିରେ ଭାରତ ଭୂମିରୁ ଭୂମା ଯାଏ ପ୍ରଲମ୍ବିତ ଏକ ଦିବ୍ୟ ବ୍ୟାପ୍ତି। ଭାରତର ପ୍ରତି ଶିଳା ତାଙ୍କ ପାଇଁ ଶାଳଗ୍ରାମ, ଦେଶର ପ୍ରତି ସ୍ଥାନ ପୁରୀ ପରି ପ୍ରିୟ ଧାମ: “ମୋ ନେତ୍ରେ ଭାରତ ଶିଳା ଶିଳାଗ୍ରାମ, ପ୍ରତି ସ୍ଥାନ ମୋର ପ୍ରିୟ ପୁରୀଧାମ”। ତେବେ ଜାତିପ୍ରାଣ ଗୋପବନ୍ଧୁ ଥିଲେ ଏକ ନିରୋଳା କବିପ୍ରାଣର ଅଧିକାରୀ। ସେହି କବିପ୍ରାଣ ଏକ କୋମଳ ପୁଷ୍ପ ସ୍ତବକ। ଆବେଗ ଓ ଅନୁରାଗରେ ସଦା ସିକ୍ତ ସେହି ପ୍ରାଣ ପ୍ରକୃତିର ପ୍ରତି ସର୍ଜନାରେ ଦେଖେ ବିଶ୍ୱର ମିଳନ ଚିତ୍ର: “କାହିଁ ତପନ କେତେ ଦୂର ଅମ୍ବରେ, କାହିଁ ନଳିନୀ ତଳେ ଫୁଟଇ ସରେ, ଉଇଁବା ମାତ୍ରେ ରବି କର ବଢ଼ାଇ, ନଳିନୀ ଅଙ୍ଗେ ଦିଏ ଅଙ୍ଗ ଲଗାଇ।” କେବଳ ସୂର୍ଯ୍ୟଙ୍କ ସହିତ ପଦ୍ମର ମିଳନ ଚିତ୍ର ଦେଖିନାହାନ୍ତି କବି ଗୋପବନ୍ଧୁ, ଜହ୍ନ ସହିତ ଲହରୀ, ମେଘ ସହିତ ବିଜୁଳି, ଗିରି ସହିତ ନିର୍ଝର ଓ ସାଗର ସହିତ ବେଳାର ସଙ୍ଗମ ତାଙ୍କ ହୃଦୟକୁ ପ୍ରେମ ପ୍ଳାବିତ କରିଛି।
ଜଣେ ଆଜୀବନ ସହକର୍ମୀଙ୍କ ଉଦ୍ଦେଶ୍ୟରେ ଲିଖିତ ‘ବ୍ୟଥିତ ପ୍ରାଣର ଅନ୍ତିମ ଅଶ୍ରୁ’ କବିତାରେ ପଣ୍ଡିତ ଗୋପବନ୍ଧୁ ଗାଇଛନ୍ତି ଆଶାର ଆଶାବରୀ। ଜୀବନ ନିରାଶାର ବାଲି ନୁହେଁ କି ସ୍ନେହ ସୌହାର୍ଦ୍ଦ୍ୟ ମରୁ ମରୀଚିକା ନୁହେଁ ବୋଲି ସେହି କବିତାରେ ସେ ପ୍ରାଞ୍ଜଳ କରିଛନ୍ତି। ତାଙ୍କ ପ୍ରେମ ବ୍ୟଞ୍ଜନା ଅତୁଳନୀୟ: “ଜୀବନ କି ଖାଲି ନିରାଶାର ବାଲି, ମରୁ ମରୀଚି କି ସେନେହ ପ୍ରୀତି? ତେବେ କି ଆଶାରେ କହ ଏ ସଂସାରେ, ପର ଲାଗି ନର ମରୁଛି ନିତି।”
ଦୁଃଖ, ଦୈନ୍ୟ, ଯାତନା ଓ ନୈରାଶ୍ୟ ଜୀବନକୁ ଦୁର୍ବିଷହ କରେ। ସ୍ନେହ, ପ୍ରେମ, ଆସ୍ଥା ଓ ଆଶା ଜୀବନକୁ କରେ ଗତିଶୀଳ। ଆବହମାନ କାଳରୁ ଋଷିମୁନିମାନେ ମଣିଷ କାନରେ ‘ଚରୈବେତି’ ବାଣୀ ଶୁଣାଇଛନ୍ତି, ଅମୃତସ୍ୟ ପୁତ୍ର ବୋଲି ସମ୍ବୋଧନ କରିଛନ୍ତି ତାକୁ। ଏ ସବୁ ମୂଳରେ ରହିଛି ଜୀବନ ପ୍ରତି ଅମିତ ଆଶ୍ୱାସନା। ମହାଭାରତର ଯୁଦ୍ଧ କ’ଣ ଯୁଦ୍ଧ? ନା ତାହା ଜୀବନ ସଂଗ୍ରାମର ଇସ୍ତାହାର? “ହତୋ ବା ପ୍ରାପ୍ୟସି ସ୍ୱର୍ଗଂ, ଜିତ୍ୱା ବା ଭୋକ୍ଷସେ ମହୀମ୍”, ଏହି ମନ୍ତ୍ରରେ ଜୀବନର ରହସ୍ୟ ଲୁକ୍କାୟିତ। ଏ ସୁନ୍ଦର ପୃଥିବୀରେ ସୁନ୍ଦର ଏକ ଜୀବନ ଯାପନ କରିବା ପାଇଁ ପ୍ରଚୋଦନା ରହିଛି ଏଥିରେ। ସ୍ୱପ୍ନ ବିନା ସର୍ଜନଶୀଳତା କାହିଁ? ସର୍ଜନଶୀଳତା ନ ଥିଲେ ମଣିଷ ଜୀବନ କାହିଁ କେଉଁ କାଳରୁ ନିଶ୍ଚିହ୍ନ ହୋଇସାରିଥା’ନ୍ତା। ଜୀବନ କେବେ ନୈରାଶ୍ୟର ମରୁ ପ୍ରାନ୍ତର ନୁହେଁ। ପ୍ରତି ସକାଳର ଆଶାର କିରଣରେ ବିହ୍ୱଳ ହେବା ହିଁ ଜୀବନ।
ମୋ: ୯୪୩୭୧୪୩୮୯୬
ବହୁବଚନ; ଜୀବନ କି ଖାଲି ନିରାଶାର ବାଲି
ବିଜୟ ନାୟକ