ଚଳିତ ମାସ (ଜୁଲାଇ, ୨୦୨୪) ପ୍ରଥମ ସପ୍ତାହରେ ରୁଷିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରବାସୀ ଭାରତୀୟମାନଙ୍କ ଗହଣରେ ଓଡ଼ିଶାର ସାଂସ୍କୃତିକ ବିପୁଳତା ବିଷୟରେ ବଖାଣିଛନ୍ତି। ସେ ଓଡ଼ିଶାର ସମ୍ବଲପୁରୀ ଚାଦର କେବଳ କାନ୍ଧରେ ପକାଇଥିଲେ ତା’ ନୁହେଁ, ସେକଥା ସଦର୍ପ ସେ ଶ୍ରୋତାମାନଙ୍କୁ ଅବଗତ କରାଇଥିଲେ ମଧ୍ୟ।
ଏକଦା ପ୍ରଶାସନିକ ଅବହେଳା, ପ୍ରାକୃତିକ ବିପର୍ଯ୍ୟୟ, ଅଶିକ୍ଷା ଓ ଅନଗ୍ରସରତା ତଥା ଦାରିଦ୍ର୍ୟ ଯୋଗୁଁ ଅଳନ୍ଧୁଗ୍ରସ୍ତ ଓଡ଼ିଆ ଅସ୍ମିତାର ମ୍ଳାନ ମୂର୍ତ୍ତି ଅଧୁନା ସ୍ବର୍ଣ୍ଣାଭ ଦ୍ୟୁତିରେ ଦେଦୀପ୍ୟମାନ। କଳାହାଣ୍ଡିର ଭୋକ ଏକ ଭ୍ରମ, କୋଣାର୍କର କଳା ଏ ଜାତିର ପରିଚୟ। ଦୁର୍ବିପାକ ପାଇଁ ନୁହେଁ, ଦୁର୍ବିପାକ ପରିଚାଳନାର ପାରଦର୍ଶିତା ପାଇଁ ଇଦାନୀନ୍ତନ ଓଡ଼ିଶା ଭାରତରେ ସୁପରିଚିତ। ଓଡ଼ିଆ ଭାବରେ ଗର୍ବିତ ଆମ ଯୁବପିଢ଼ି ମୁଣ୍ଡ ଟେକି ଉଡୁଛନ୍ତି ଗଗନ-ପବନରେ। ନିଜ ଅସ୍ମିତାକୁ ନେଇ ଗର୍ବିତ ହେବା ପାଇଁ କ’ଣ ବା ଆମ ପାଖରେ ନାହିଁ? ଆମ ପ୍ରସ୍ତରକଳା, ପଟ୍ଟଚିତ୍ର, ଚାନ୍ଦୁଆ ଶିଳ୍ପ, ବାନ୍ଧକଳା ଓ ତାରକସିର କ’ଣ ତୁଳନା ଅଛି? ଆମ ଭୂମି ତ ଶାସ୍ତ୍ରୀୟ। କାରଣ ଆମ ଭାଷା, ନୃତ୍ୟ ଓ ସଙ୍ଗୀତ- ସବୁ ଶାସ୍ତ୍ରୀୟ। ବନ ସମ୍ପଦ, ଖଣିଜ ସମ୍ପଦ, ଜଳ ସମ୍ପଦ ଓ ସର୍ବୋପରି ମାନବ ସଂସାଧନରେ ଆମେ ଭାରତରେ ଅନ୍ୟତମ ଅଗ୍ରଣୀ ଭୂଭାଗ। ସୁଉଚ୍ଚ ପର୍ବତ, ସବୁଜ କାନନ, ଉର୍ବର ମୃତ୍ତିକା, ପୂର୍ଣ୍ଣଗର୍ଭା ନଦନଦୀ ଓ ବିସ୍ତୃତ ବେଳା ଓଡ଼ିଶା ପ୍ରତି ପ୍ରକୃତିର ବିପୁଳ ବାତ୍ସଲ୍ୟ। ଏ ସମସ୍ତ ଆମ ସାମର୍ଥ୍ୟ ଓ ସମ୍ଭାବନାର ନିଦର୍ଶନ।
ଓଡ଼ିଆମାନେ କେବଳ ଦେଶରେ କାହିଁକି, ସାରା ପୃଥିବୀରେ ଫୁଟି ବାହାରୁଛନ୍ତି। ଦେଶର ରାଜନୀତି ଓ ଅର୍ଥନୀତି ଉହାଡ଼ରେ ବିଦ୍ୟମାନ ସୁଦକ୍ଷ ଓଡ଼ିଆ ନେତା ଓ ଅଧିକାରୀଙ୍କ ଦିଶାନିର୍ଦ୍ଦେଶ। ପୃଥିବୀର ପ୍ରାୟ ସବୁ ଦେଶରେ ଓଡ଼ିଆ ଆଇ.ଟି. ପ୍ରଫେସନାଲ୍ସ ନିଜ ନିଜର କାର୍ଯ୍ୟକୁଶଳତା ପାଇଁ ପ୍ରଶଂସିତ। ଭାରତର ନାମଜାଦା ଡାକ୍ତରମାନଙ୍କ ମଧ୍ୟରୁ ଅଧିକାଂଶ ଓଡ଼ିଆ। କଳା ଠାରୁ କାରିଗରି ପୁଣି ବିଜ୍ଞାନ ଠାରୁ କ୍ରୀଡ଼ା ପର୍ଯ୍ୟନ୍ତ ସବୁଠି ଓଡ଼ିଆ ପ୍ରତିଭାମାନଙ୍କ ମନ୍ଦ୍ର ନିନାଦରେ ପୁଲକିତ ଦେଶ, ଦେଶାନ୍ତର।
ଏବେ କେବଳ ରୁଷିଆରେ ପ୍ରଧାନମନ୍ତ୍ରୀ ମୋଦୀ ଯେ ଓଡ଼ିଶା କଥା କହିଲେ ତା’ ନୁହେଁ, ଇଣ୍ଡୋନେସିଆର ବାଲିରେ ସେ ବାଲିଯାତ୍ରା କଥା କହି ଓଡ଼ିଶା ପ୍ରତି ବିଶ୍ବବାସୀଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ। ୨୦୨୨ ମସିହା ନଭେମ୍ବର ୧୫ ତାରିଖରେ ‘କପ୍ ସମ୍ମିଳନୀ’ ପାଇଁ ସେ ବାଲି ଦ୍ୱୀପରେ ଥିଲେ ଏବଂ ସେହି ସମୟରେ କଟକରେ ପାଳିତ ହେଉଥିଲା ବିଶ୍ବପ୍ରସିଦ୍ଧ ବାଲିଯାତ୍ରା। ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟ ମାଧ୍ୟମରେ କିପରି ଭାରତ ଶତାବ୍ଦୀ ଶତାବ୍ଦୀ ପୂର୍ବରୁ ବିଶ୍ବ ବନ୍ଧୁତ୍ୱ ସୃଷ୍ଟି କରିଆସିଛି, ତାହା ଥିଲା ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟର ସାରାଂଶ। ଅବଶ୍ୟ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ଶାଢ଼ି ଓ ସର୍ବୋପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ମାଧ୍ୟମରେ ଓଡ଼ିଶାର କଳାନୈପୁଣ୍ୟ ବିଶ୍ବବିଦିତ। ଆଜି ଭାରତର ବିଭିନ୍ନ ପ୍ରାନ୍ତରେ କେବଳ ନୁହେଁ, ପୃଥିବୀର ଅନେକ ଦେଶରେ ରଥଯାତ୍ରା ବେଶ୍ ଲୋକପ୍ରିୟ। ଏ ଦିଗରେ ପ୍ରବାସୀ ଓଡ଼ିଆ ଓ ଦେଶଦେଶାନ୍ତରେ ରହୁଥିବା ଜଗନ୍ନାଥ-ଭକ୍ତଗଣଙ୍କର ଅବଦାନ ଉଲ୍ଲେଖନୀୟ।
ତେବେ ପ୍ରଶ୍ନ: ଓଡ଼ିଆ ଅସ୍ମିତାର ସଦ୍ୟତମ ସ୍ମାରକୀ କ’ଣ ? ଉତ୍ତର: ଭାରତର ନିର୍ବାଚନୀ ରାଜନୀତିରେ ଏହା ଏକ ଇପ୍ସିତ ଉପାଦାନ ପାଲଟିବା। ଏକ ଜାତୀୟ ରାଜନୈତିକ ଦଳ ଆଞ୍ଚଳିକ ଅସ୍ମିତାର ଦ୍ୱାହି ଦେଇ ଓଡ଼ିଶାରେ ଏଥର ନିର୍ବାଚନ ଜିତିବା ଏକ ବିରଳ ଘଟଣା। ଏହା ଭାରତ ଇତିହାସରେ ଅଭିନବ। ବ୍ରିଟିଶ ବିରୋଧୀ ପାଇକ ବିଦ୍ରୋହ, ସ୍ୱଦେଶୀ ବାର୍ତ୍ତା ପ୍ରଚାର, ଭାଷାଭିତ୍ତିକ ପ୍ରଦେଶ ଗଠନ ଓ ଗଡ଼ଜାତ ମିଶ୍ରଣର ଶୁଭାରମ୍ଭ ଆଦି କ୍ଷେତ୍ରରେ ଜାତୀୟ ଇତିହାସରେ ‘ପ୍ରଥମ’ ଓଡ଼ିଶା ସହିତ, ଏହା ଦ୍ୱାରା ଆଉ ଏକ ‘ପ୍ରଥମ’ ସଂଯୁକ୍ତ ହୋଇପାରିଛି। ସତ କହିଲେ ଓଡ଼ିଆ ଅସ୍ମିତାର ଯୁଗାରମ୍ଭ ଘଟିଛି, ଯାହା ଫଳରେ ଏ ଜାତିର ପ୍ରକୃତ ମୂଲ୍ୟ ବିଶ୍ବ ପରିପ୍ରେକ୍ଷୀରେ ନିର୍ଦ୍ଧାରିତ ହେବ ଏବଂ ସମ୍ମାନିତ ହେବ।
ମୋ: ୯୪୩୭୧୪୩୮୯୬
ବହୁବଚନ: ଓଡ଼ିଆ ଅସ୍ମିତାର ବିଶ୍ବୀକରଣ
ବିଜୟ ନାୟକ
/sambad/media/post_attachments/wp-content/uploads/2024/07/sfhffshsf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)