ମା’ ପ୍ରଥମେ ପିଲାଟିକୁ ତା’ ପରିପାର୍ଶ୍ୱ ସହିତ ପରିଚିତ କରାଏ। ମା’ କହେ, କିଏ ତା’ ବାପା, କିଏ ତା’ ଜେଜେବାପା। ମା’ ଚିହ୍ନେଇଦିଏ ପିଲାଟିର ଭାଇ କିଏ, କିଏ ପୁଣି ତା’ ଭଉଣୀ। ମା’ ବୁଝେଇଥାଏ ଘର କ’ଣ, ଅଗଣା କ’ଣ, ଗଛ କ’ଣ, ଫୁଲ କ’ଣ। ମା’ ଦେଖାଏ ଜହ୍ନ, ଗାଏ ‘ଆ ଜହ୍ନମାମୁ ସରଗ ଶଶୀ’। ମା’ କହେ ରଜାପୁଅ, ରଜାଝିଅ ଗପ; ମା’ ଶୁଣାଏ ପରୀ କାହାଣୀ ପୁଣି ପୁରାଣ କଥା। ମା’ ଆଖିରେ ପିଲାଟି ପୃଥିବୀକୁ ଦେଖେ, ମା’ର ଭାଷା ଶୁଣେ, ଶିଖେ। ମା’ ତେଣୁ ତା’ର ପ୍ରଥମ ଶିକ୍ଷକ, ମା’ର ଭାଷା ତା’ର ପହିଲି ଉଚ୍ଚାରଣ। ଏହା ହିଁ ମା’ର ମହତ୍ତ୍ୱ, ମାତୃଭାଷାର ମହକ।
ମା’ର ଭାଷାରେ କ’ଣ କେବଳ କଥା କହେ ପିଲାଟି? ନା। ସେ ତା’ର ମା’ର ଭାଷାରେ ଭାବେ, କଳନା କରେ, କଳ୍ପନା କରେ, ପୁଣି ସ୍ୱପ୍ନ ଦେଖେ। ମା’ର ଭାଷା ତେଣୁ କେବଳ ଶିକ୍ଷାର ଭାଷା ନୁହେଁ, ସୃଜନର ଭାଷା ମଧ୍ୟ। ଶିକ୍ଷାୟତନରେ ପହଞ୍ଚିଲା ପରେ ମା’ର ଭାଷାରେ ଶିକ୍ଷାଲାଭ କଲେ ପିଲାଟି ବିଶାଳ ପୃଥିବୀକୁ ସହଜରେ ବୁଝିପାରେ। ଅନ୍ୟ ଯେ କୌଣସି ଭାଷା ତା’ ଆଗରେ ପ୍ରତିବନ୍ଧକ ହୋଇ ଠିଆ ହୁଏ। ଜହ୍ନ କହିଲେ ତା’ ଓଠରେ ସ୍ୱତଃ ହସ ଉକୁଟି ଉଠେ, ‘ମୁନ୍’ କହିଲେ ତା’ ମୁହଁରୁ ଖୁସି ଲିଭିଯାଏ। ଅର୍ଥାତ୍‌ ବିଦେଶୀ ଭାଷାରେ ପ୍ରାରମ୍ଭିକ ଶିକ୍ଷା ଦିଆଗଲେ, ପିଲାଟି ଭିତରେ କଅଁଳୁଥିବା ସ୍ୱାଭାବିକତା ବ୍ୟାହତ ହୁଏ। ପୁଣି ଘର ଠାରୁ ବିଦ୍ୟାଳୟର ଦୂରତା କାହିଁ କେତେ ଗୁଣ ବଢ଼ିଯାଏ। ବିଦ୍ୟାଳୟର ପରିବେଶ ତାକୁ ଲାଗେ କିମ୍ଭୂତକିମାକାର। ତାକୁ ଭୟ ଗ୍ରାସେ। ଫୁଟି ଆସୁଥିବା କଢ଼ିଟି ଫୁଟିବା ଆଗରୁ ମଉଳିଯାଏ। ଚାପରେ ପିଲାଟି ପାଠ ଘୋଷେ, ବୁଝିପାରେ ନାହିଁ। କିନ୍ତୁ ଶିକ୍ଷାର ସାରାଂଶ ଯେ ବୁଝିବା, ମନେରଖିବା ନୁହେଁ!
ଭାରତୀୟ ଛାତ୍ରମାନେ ନିଜ ମାତୃଭାଷାରେ ଚିନ୍ତା କରନ୍ତି କିନ୍ତୁ ଇଂରେଜୀରେ କହନ୍ତି ଓ ଲେଖନ୍ତି। ବିଦେଶୀ ଭାଷା ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ସଂସ୍କୃତି, ସାହିତ୍ୟ, ଇତିହାସ ଓ ଐତିହ୍ୟ ଠାରୁ ବିଚ୍ଛିନ୍ନ କରିଦିଏ। ବିଦେଶୀ ସଂସ୍କୃତିକୁ ସେମାନଙ୍କ ଉପରେ ଲଦିଦିଏ। ବ୍ରିଟିସ୍‌ ଅମଳର ଇଂରେଜୀ-ଶିକ୍ଷିତ ଗୋଷ୍ଠୀ ନା ଭାରତୀୟ ହୋଇ ରହିଲେ, ନା ଇଂରେଜ ହୋଇ ପାରିଲେ? ସ୍ୱାଧୀନ ଭାରତରେ ସେପରି ଅବସ୍ଥାର ବିଶେଷ ପରିବର୍ତ୍ତନ ହେଲାପରି ମନେ ହେଉନାହିଁ।
ତେବେ ମାତୃଭାଷାରେ ଶିକ୍ଷାଦାନ ଉପରେ ଅଧୁନା ସର୍ବାଧିକ ଗୁରୁତ୍ୱାରୋପ କରାଯାଉଛି। ଭାରତୀୟ ମହାଜାତିର ପାତାଳଭେଦୀ ମହାଦ୍ରୁମର ଚେରକୁ ଜାବୁଡ଼ି ଧରିବା ପାଇଁ ପରାମର୍ଶ ଦିଆଯାଉଛି। ପରାମର୍ଶ ଦିଆଯାଉଛି ପୁଣି ଭାରତୀୟ ଜ୍ଞାନବିଜ୍ଞାନର ପ୍ରାସଙ୍ଗିକତା ପ୍ରତିପାଦନ କରିବା ପାଇଁ। ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷା ମାତୃଭାଷାରେ ଦିଆଯିବା ପାଇଁ ପଦକ୍ଷେପ ନିଆଯିବା ଏବଂ ବିଭିନ୍ନ ଭାରତୀୟ ଭାଷାରେ ଉଚ୍ଚତମ ନ୍ୟାୟାଳୟର ରାୟଗୁଡ଼ିକ ଉପଲବ୍ଧ ହେବା ଖୁବ୍ ଭଲ କଥା। ଏହା ମାତୃଭାଷା ପ୍ରତି ଆସ୍ଥା ବଢ଼ାଇବ। ତେବେ ଭାରତୀୟ ଚେତନା କେଉଁ ସ୍ମରଣାତୀତ କାଳରୁ ବିଶ୍ୱ ବାତାୟନ ଖୋଲା ରଖିଛି। ଆହରଣ ଓ ବିତରଣ ଭାରତୀୟ ଉଦାରତାର ଅଭିବ୍ୟକ୍ତି। ବିଶ୍ୱରୁ ବିଶେଷତଃ ପାଶ୍ଚାତ୍ୟ ପୃଥିବୀରୁ ବିଜ୍ଞାନ ଓ କାରିଗରୀ କୌଶଳ ଆହରଣ କରିବାରେ ବାଧା କେଉଁଠି? ସଦ୍ୟତମ ବିଷୟବିଦ୍ୟା ବିନା ଗୋଟେ ଜାତିର ଅଗ୍ରଗତି ତ୍ୱରାନ୍ୱିତ ହୋଇପାରିବ ନାହିଁ। ଏପରିକି ଉଚ୍ଚଶିକ୍ଷା କ୍ଷେତ୍ରରେ ଇଂରେଜୀ, ବିକଳ୍ପ ବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ, ଜ୍ଞାନବିଜ୍ଞାନର ଭାଷା ହୋଇପାରେ। କିନ୍ତୁ କୌଣସି ବି ବିଦେଶୀ ଭାଷା ସୃଜନର ଭାଷା ହେବା ସମ୍ଭବ ନୁହେଁ।
ଯେତେସବୁ କାଳଜୟୀ କାବ୍ୟକବିତା ବା ସ୍ମରଣୀୟ ଗଳ୍ପଉପନ୍ୟାସ କେଉଁ ଭାଷାରେ ରଚିତ ହୋଇଛି? ପୃଥିବୀର ପ୍ରସିଦ୍ଧ ପୁସ୍ତକଗୁଡ଼ିକର ଭାଷା କ’ଣ? ଏହାର ଉତ୍ତର ଅତି ସହଜ ଓ ସରଳ। ସବୁ ମହାନ ଓ ମହାଗ୍ରନ୍ଥ ଲେଖାଯାଇଛି ମାତୃଭାଷାରେ। ବିଶ୍ୱବ୍ୟାପୀ ସର୍ବାଧିକ ପଠିତ ଦୁଇଟି ବହି ମଧ୍ୟରୁ ପ୍ରଥମଟି କାର୍ଲ ମାର୍କସଙ୍କର ‘କମ୍ୟୁନିଷ୍ଟ ମେନିଫେଷ୍ଟୋ’ ତ ଅନ୍ୟଟି ମହାତ୍ମା ଗାନ୍ଧୀଙ୍କ ଆତ୍ମଜୀବନୀ- ‘ସତ୍ୟର ପ୍ରୟୋଗ’। ଏହି ଦୁଇ ବହି ଯଥାକ୍ରମେ ଜର୍ମାନ୍ ଓ ଗୁଜରାଟୀ ଭାଷାରେ ଲିଖିତ ଏବଂ ପୃଥିବୀର ପ୍ରାୟ ସବୁ ଭାଷାରେ ଅନୂଦିତ। ଅନେକ ଭାବନ୍ତି ସନ୍ଥକବି ତୁଳସୀ ଦାସଙ୍କ ‘ରାମଚରିତ ମାନସ’ ହିନ୍ଦୀ ଭାଷାରେ ରଚିତ। କିନ୍ତୁ ତାହା ପ୍ରକୃତରେ ‘ଅବଧି’ ଭାଷାର ଅବଦାନ। କବିଗୁରୁ ରବୀନ୍ଦ୍ରନାଥ ‘ଗୀତାଞ୍ଜଳି’ ପାଇଁ ନୋବେଲ ପୁରସ୍କାର ପ୍ରାପ୍ତ ହୋଇଥିବା କଥା କାହାକୁ ବା ଅଜଣା? ଗୀତାଞ୍ଜଳିର ଭାଷା ଭାରତବର୍ଷର ଏକ ପ୍ରାନ୍ତୀୟ ଭାଷା- ବଙ୍ଗଳା। ଟଲଷ୍ଟୟ ବା ଗର୍କିଙ୍କ ରଚନାର ଭାଷା କ’ଣ ଇଂରେଜୀ? ନା, ରୁଷୀୟ। ଖୁବ୍ ଅତୀତର କଥା ନୁହେଁ। କାଫ୍‌କାଙ୍କ ‘ମେଟାମର୍ଫସିସ୍ ଆଣ୍ଡ୍ ଅଦର୍ ଷ୍ଟୋରିଜ୍’ ଏକଦା ଚହଳ ପକାଇଥିଲା ପୃଥିବୀସାରା। ଏହା ଇଂରେଜୀରେ ନୁହେଁ, ଜର୍ମାନ୍ ଭାଷାରେ ରଚିତ।
ସାହିତ୍ୟ ସର୍ବଦା ଭାବ ଓ ଭାଷାର ଦିବ୍ୟ ମିଳନର ଫଳଶ୍ରୁତି। ମାତୃଭାଷା ଓ ମାତୃଭାଷାରୁ ପରିସ୍ଫୁଟ ଭାବ ସର୍ଜନାର ଦ୍ୱାର ଉନ୍ମୁକ୍ତ କରେ। ବିଦେଶୀ ଭାଷାରେ ପାଠ ପଢ଼ି, ପାଠ ଘୋଷି ଡିଗ୍ରି ଲାଭ କରାଯାଇପାରେ। କେତେକ ପ୍ରତିଯୋଗିତା-ମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଜୀବିକା ମଧ୍ୟ ଲାଭ କରାଯାଇପାରେ। ବାଣିଜ୍ୟ-ବ୍ୟବସାୟ ବି କରାଯାଇପାରେ। କିନ୍ତୁ ଏପରି ଶିକ୍ଷା ଦ୍ୱାରା ଯେ ବ୍ୟକ୍ତି ମଧ୍ୟରେ ଅନ୍ତର୍ନିହିତ ମୌଳିକତାର ସ୍ଫୁରଣ ଘଟେ ନାହିଁ, ଏଥିରେ କ’ଣ ଦ୍ୱିରୁକ୍ତି ଅଛି? ସୃଜନ, କଳାସାହିତ୍ୟ ବା ସଙ୍ଗୀତ ମଧ୍ୟରେ ସୀମିତ ଏକ ଧାରା ନୁହେଁ। ସୃଜନଶୀଳତା ବିନା ଜ୍ଞାନବିଜ୍ଞାନର ଏଷଣା ମଧ୍ୟ ଅସମ୍ଭବ। ଅସମ୍ଭବ ଆବିଷ୍କାର ଓ ଉଦ୍ଭାବନ। ପ୍ରଲମ୍ବିତ ବିଦେଶୀ ଶାସନ ଓ ବୈଦେଶିକ ଶିକ୍ଷା ପଦ୍ଧତି ଯୋଗୁଁ ଜ୍ଞାନ କୌଟିଲ୍ୟଙ୍କ ପାଖରେ ତ ବିଜ୍ଞାନ ଆର୍ଯ୍ୟଭଟ୍ଟଙ୍କ ପାଖରେ ଅଟକି ରହିଥିଲା। ସ୍ୱାଧୀନ ଭାରତରେ ବି ଜ୍ଞାନବିଜ୍ଞାନ ବା ସାହିତ୍ୟସଙ୍ଗୀତ କ୍ଷେତ୍ରରେ ଆଶାନୁରୂପ ଉତ୍କର୍ଷ କାହିଁ? ପରାଧୀନ ଭାରତରେ ସାହିତ୍ୟ ପାଇଁ ନୋବେଲ୍ ପୁରସ୍କାର ପାଇଥିଲେ ରବୀନ୍ଦ୍ରନାଥ। ସ୍ୱାଧୀନ ଭାରତରେ ଭାରତୀୟ ସାହିତ୍ୟ ସେହି ତୁଙ୍ଗିମା ସ୍ପର୍ଶ କଲାଣି କି?
ମାତୃଭାଷା ଚକ୍ଷୁ, ବିଦେଶୀ ଭାଷା ପ୍ରଚକ୍ଷୁ। ଆଖିକୁ ଉପେକ୍ଷା କରି ଚଷମାର କାଚ ପୋଛିଲେ କି ଲାଭ?
ମୋ: ୯୪୩୭୧୪୩୮୯୬