ବିଜୟ ନାୟକ
‘ଇଟିକିଲି ମିଟିକିଲି’, ‘ଚକା ଚକା ଭଉଁରୀ’, ‘ଅକଲ ମକଲ ଟକଲ ଟାଇଁ’, ‘କାଇଁଚ କାକୁଡ଼ି ନଳିତା ପିତା’- ଏମିତି ଗୀତସବୁ ମା’ମାନେ କାହିଁ କେଉଁ କାଳରୁ କହିଆସୁଛନ୍ତି ସେମାନଙ୍କ ପିଲାଙ୍କ କାନରେ। ଓଡ଼ିଶା ବା ଭାରତର ମା’ମାନେ ଯେ ଏମିତି କେବଳ କହନ୍ତି ତା’ ନୁହେଁ, ପୃଥିବୀର ବିଭିନ୍ନ ଦେଶର ମା’ମାନେ ନିଜନିଜ ଭାଷାରେ ଏପରି ଗୀତ ଶୁଣାନ୍ତି ପିଲାମାନଙ୍କୁ। ଏହିସବୁ ଗୀତରେ କିଛି ଅର୍ଥ ଥାଏ କି? ନା, ଏସବୁକୁ ଇଂରାଜୀରେ ‘ନନ୍ସେନ୍ସ ରାଇମ୍’ ବୋଲି କହାଯାଏ। ପିଲାମାନଙ୍କ ଅଝଟ ଭାଙ୍ଗିବା ପାଇଁ ନା ଅବୋଧ ଶିଶୁମାନଙ୍କୁ ବୋଧ କରିବା ପାଇଁ ଏମନ୍ତ ଗୀତସଙ୍ଗୀତମାନ ଉଦ୍ଦିଷ୍ଟ? ଯେଉଁସବୁ ଶବ୍ଦର ଅର୍ଥ ନାହିଁ, ସେପରି ଶବ୍ଦମାନଙ୍କର ପ୍ରଭାବ କ’ଣ କିଛି ପଡ଼େ ପିଲାମାନଙ୍କ ଉପରେ? ତେବେ ମା’ମାନଙ୍କ ଗୀତ କିଛି ବୁଝାଉ ନ ବୁଝାଉ, ଅନେକ କିଛି କହିଦିଏ କିନ୍ତୁ। ଶବ୍ଦବିନ୍ୟାସର ଲାଳିତ୍ୟ ମସ୍ତିଷ୍କକୁ ନୁହେଁ, ହୃଦୟକୁ ଛୁଏଁ। ମାତୃ ଉଚ୍ଚାରଣର ଆତ୍ମୀୟତା ଶିଶୁକୁ ଉଲ୍ଲସିତ କରେ। ତା’ ମନର ଦିଗନ୍ତକୁ କରେ ବିସ୍ତାରିତ। ତା’ ଭାବନାକୁ ଉଖୁରାଏ। ତା’ ଜିଜ୍ଞାସାକୁ ଗହନ କରେ। କରେ ତାକୁ ଅନୁସନ୍ଧିତ୍ସୁ, ସ୍ୱପ୍ନ-ବିଭୋର।
ମା’ କଥା ଏଇଠି ଥାଉ, ଜେଜେମା’ କଥା ପଡୁ। ମା’ମାନଙ୍କ ପରି ଜେଜେମା’ମାନେ କ୍ୱଚିତ୍ ଗୀତ ଗାଆନ୍ତି, କିନ୍ତୁ ଗପ କହନ୍ତି। ମନଗଢ଼ା ଗପ, ଭାରି ମନମତାଣିଆ। ଜହ୍ନ ଆଲୁଅରେ ଭିଜୁଥିବ ଅଗଣା, ଟିକି ପରୀଟିଏ ଓହ୍ଲେଇ ଆସିବ ଆକାଶରୁ। ସତରେ ନୁହେଁ, ଜେଜେମା’ ଗପରେ। ସୁନା ପରି ତା’ ଦେହରେ ଲାଗିଥିବ ରୁପାର ଡେଣା। ସେ ଉଡୁଥିବ ନୀଳ ଗଗନରେ ତ ଛୁଉଁଥିବ ସୁନୀଳ ମେଘମାଳାକୁ। ନାତିନାତୁଣୀଙ୍କୁ ଲାଗୁଥିବ ଅନିନ୍ଦ୍ୟା ସୁନ୍ଦରୀ ଝିଅଟିଏ ଯେମିତି ତାଙ୍କ ଅଗଣାରେ ଦଲକାଏ ଫୁଲଗନ୍ଧ ଭିତରେ ଆସି କେଉଁଆଡ଼େ ଉଭାନ ହୋଇଗଲା ତତ୍କ୍ଷଣାତ୍। ଜେଜେମା’ ବି କହୁଥିବେ ଆକାଶରେ ଉଡୁଥିବା ପକ୍ଷୀରାଜ ଘୋଡ଼ା କଥା, ମତ୍ସ୍ୟକନ୍ୟା ଓ ଶଙ୍ଖଚୂଡ଼ ସାପ ବିଷୟରେ ଗପ। ବୁଢ଼ୀ ଅସୁରୁଣୀ ଗପ କହିଲାବେଳେ ଜେଜେମା’କୁ ଭିଡ଼ିଧରିଥିବେ ପିଲାମାନେ। ଜେଜେମା’ କହନ୍ତି ବୁଢ଼ୀ ଅସୁରୁଣୀ କେବେ ମରେନାହିଁ। ତା’ ମରଣର କଥା କାହାକୁ ବା ଜଣା? କ’ଣ ସେ ଅଜଣା କଥା? ପିଲେ ପଚାରିଲେ, ଜେଜେମା’ କହନ୍ତି, ସାତାତାଳ ପାଣି ତଳେ ସାତତାଳ ପଙ୍କ। ତା’ ଭିତରେ ନଅର। ନଅର ଭିତରେ ଅମୁହାଁ କୋଠରି। କୋଠରି ମଝିରେ ଲୁହା ସିନ୍ଦୁକ। ଲୁହା ସିନ୍ଦୁକ ଭିତରେ ରୁପା ଚାଙ୍ଗୁଡ଼ି , ରୁପା ଚାଙ୍ଗୁଡ଼ିରେ ସୁନା ଫରୁଆ। ସୁନା ଫରୁଆରେ ଭଅଁର। ଭଅଁରକୁ ମାରିଲେ ଯାଇ ବୁଢ଼ୀ ଅସୁରୁଣୀର ପ୍ରାଣବାୟୁ ଉଡ଼ିଯିବ।
ଡରରେ ପିଲାମାନେ ସେତେବେଳକୁ ଚୁପ୍ ହୋଇଯାଇଥିବେ। ଜେଜେମା’ ତହୁଁ କାଞ୍ଚନ ଫୁଲଗଛ କଥା କହିବେ। କାଞ୍ଚନ ଗଛ ଦିନରେ ଗଛ ସିନା ରାତିରେ କୁଆଁରୀ ପାଲଟିଯାଏ। ରାତିରେ ପୁଣି ଦୂର ପାହାଡ଼ ଚାଲେ, ବାଘଭାଲୁ ଗପସପ କରନ୍ତି, ପବନ ଗୀତ ଶୁଣାଏ ତାରାମାନଙ୍କୁ। ପୃଥିବୀ ତମାମ ବ୍ୟାପିଛି ଏମିତି ଗପର ପେଡ଼ି। ଭାରତର ପୁରାଣରେ ଯେମିତି, ସେମିତି ଗ୍ରୀକ୍ ପୁରାଣରେ ମଧ୍ୟ ଦେବତାମାନେ ତିନି ଭୁବନ ବୁଲୁଥିବା, ଜମା ବୁଢ଼ା ହେଉ ନଥିବା ଏବଂ କଦାପି ମରୁ ନଥିବା ଗପ କହାଯାଇଛି। ସାବିତ୍ରୀ ଯମ ଠାରୁ ସତ୍ୟବାନଙ୍କୁ ଫେରେଇ ଆଣିଲା ପରି ଅର୍ଫିଅସ୍ ବୀଣା ବାଦନର ମାଧୁର୍ଯ୍ୟରେ ତା’ ପ୍ରିୟତମା-ପତ୍ନୀ ୟୁରିଡାଇସ୍କୁ ମୃତ୍ୟୁଦେବତାଙ୍କ ଠାରୁ ଫେରେଇ ଆଣିପାରେ। ‘ଆରବ୍ୟ ରଜନୀ’ ମଧ୍ୟ ଅବିଶ୍ୱସନୀୟ କାହାଣୀରେ ପରିପୂର୍ଣ୍ଣ।
ଶିଶୁମାନଙ୍କୁ ମାଟିପାଣିପବନ, ବର୍ଷାବତାସ, ମଣିଷର ହର୍ଷୋଲ୍ଲାସ ତଥା ସଂଘର୍ଷ ଓ ସଂଘାତ କଥା ନ କହି ଏହି ଅସଂଲଗ୍ନ ଓ ଅବାସ୍ତବ ଗପସବୁ ମା’ ବା ଜେଜେମା’ମାନେ କହନ୍ତି କାହିଁକି ଭଲା! ଏହାକୁ ଅନେକେ ନାପସନ୍ଦ କରନ୍ତି। ବାସ୍ତବତା ଠାରୁ ଶିଶୁମାନଙ୍କୁ ଦୂରେଇ ରଖିବା ପାଇଁ ଏସବୁ ସମାଜାଧିପତିମାନଙ୍କ ଚକ୍ରାନ୍ତ ବୋଲି କେହିକେହି କହିବାକୁ ଭୁଲନ୍ତି ନାହିଁ। ଯେମିତି ଗାଇଛନ୍ତି କବି ସଚ୍ଚି ରାଉତରାୟ:“ତୁମର ନନ୍ଦନକଳା, ତୁମର ସେ ମାଧବୀ କଳ୍ପନା, କିପରି ମଣିଷ ସତେ କହ କବି କରିବ ଅର୍ଚ୍ଚନା?” ମଣିଷ ସ୍ୱେଦରେ ଫସଲ ଉପୁଜେ, କଳ୍ପନାରେ ପେଟ ଭରେନାହିଁ। ସ୍ୱପ୍ନ ନୁହେଁ, ସଂଗ୍ରାମ ଜୀବନଯାପନର ଭିତ୍ତି। ଶିଶୁମାନଙ୍କୁ କଳ୍ପନା-ବିଳାସୀ କରିବା ସଭ୍ୟତାର ପ୍ରବଞ୍ଚନା!
କିନ୍ତୁ ସର୍ଜନଶୀଳତା ବିନା ସଭ୍ୟତାର ଗତି କାହିଁ? ସେହି ସର୍ଜନଶୀଳତାକୁ ଉନ୍ମୁଖ କରେ କଳ୍ପନା-ବିଳାସ। ବାସ୍ତବତା ବିନା ମଣିଷ ତିଷ୍ଠି ରହିପାରିବ ନାହିଁ କିନ୍ତୁ ଭାବପ୍ରବଣତା ବିନା ସେ ବଞ୍ଚିବ କେମିତି? ବାସ୍ତବତା ମଣିଷର ସର୍ଜନଶୀଳତାକୁ ସୀମିତ କରେ। ଦୃଶ୍ୟମାନ ପୃଥିବୀ ବହିର୍ଭୂତ ଅନ୍ୟ କୌଣସି ଜଗତକୁ ସେ ଅନୁଭବ କରିପାରେନାହିଁ। ଗୋଟିଏ ପ୍ରସିଦ୍ଧ କାର୍ ତିଆରି କମ୍ପାନିର ଏକ ପ୍ରତିଯୋଗିତା ବୃତ୍ତାନ୍ତର ଉଲ୍ଲେଖ ଏଠାରେ ପ୍ରାସଙ୍ଗିକ। ଏକଦା ସେହି କମ୍ପାନି ନୂଆ କାର୍ ତିଆରି କରିବା ପାଇଁ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କାର୍ ମଡେଲ୍ର ଚିତ୍ରାଙ୍କନ ପ୍ରତିଯୋଗିତା କରାଇଥିଲା। ପ୍ରତିଯୋଗିତାରେ ଜଣେ ଗାଉଁଲି ପିଲାର ମଡେଲ୍ ସମସ୍ତଙ୍କ ଦ୍ୱାରା ଆଦୃତ ହୋଇଥିଲା। ଦୂର ଗାଁର ସେହି ପିଲାଟି ତା’ ଜୀବନରେ ଗୋଟେ ଯୋଡ଼େ କାର୍ ଦେଖିଥିଲା ବା ଜମା ଦେଖି ନଥିଲା। ତେଣୁ ତା’ର ପରିକଳ୍ପନାକୁ ବାସ୍ତବ କାର୍ ବାଧା ଦେଇପାରି ନଥିଲା। କିନ୍ତୁ ସହରୀ ପିଲାମାନଙ୍କ ମଡେଲ୍ ଉପରେ ପ୍ରଚଳିତ କାର୍ର ପ୍ରଭାବ ପଡ଼ିଥିବାରୁ ସେମାନଙ୍କ ମଡେଲ୍ରେ ମୌଳିକତା ନଥିଲା। ପୁରାକାଳରେ ପୁଷ୍ପକ ଯାନ ସତରେ ଥିଲା କି ନଥିଲା ବଡ଼ କଥା ନୁହେଁ, ବଡ଼ କଥା ଆମ ମୁନୀମନୀଷୀମାନଙ୍କ କଳ୍ପନାର ଅନନ୍ୟତା।
ସର୍ଜନଶୀଳତା କେବଳ କବିତା ଲେଖା ବା ସଙ୍ଗୀତର ସ୍ୱର ସଂଯୋଜନା ଆଦି ପାଇଁ ଯେ ଅପରିହାର୍ଯ୍ୟ, ତା’ ନୁହେଁ। ଚାଷବାସ ଠାରୁ ଚନ୍ଦ୍ର ଅଭିଯାନ ପର୍ଯ୍ୟନ୍ତ ସବୁରି କାର୍ଯ୍ୟ ସର୍ଜନଶୀଳତା ବଳରେ ଉତ୍କୃଷ୍ଟ ହୋଇଥାଏ। ସୁତରାଂ ଶିଶୁମାନେ ବାସ୍ତବବାଦୀ ହେବା ପୂର୍ବରୁ କଳ୍ପନା-ବିଳାସୀ ହେବା ଚାହି। ସର୍ଜନଶୀଳ ମଣିଷ ହିଁ ବାସ୍ତବତାକୁ ଭିନ୍ନ ଦୃଷ୍ଟିରେ ଦେଖିପାରେ ଏବଂ ସେହି ଭିନ୍ନଦୃଷ୍ଟି ନୂତନତାକୁ ଜନ୍ମଦିଏ। ବିପ୍ଳବୀ ଓ ବିଜ୍ଞାନୀଙ୍କଠୁ ବଳି ବଡ଼ ସର୍ଜନଶୀଳ ମଣିଷ ଆଉ କେହି କ’ଣ ଅଛନ୍ତି? କଳ୍ପନା-ବିଳାସ ହିଁ ସେମାନଙ୍କ ନବଚେତନାର ବଳ ଏବଂ ଇଟିକିଲି ମିଟିକିଲି ପରି ଗପସବୁ କଳ୍ପନା-ବିଳାସର ସମ୍ବଳ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୧୪୩୮୯୬