ବିଜୟ ନାୟକ
ସୁଖ ଖୋଜିବାରେ ଆହା କି ଦୁଃଖ ସତେ!
ସୁଖ କିନ୍ତୁ ବହୁରୂପୀ। କାହା ପାଇଁ ଜମିବାଡ଼ି, ଧନଧାନ୍ୟ ସୁଖ ତ କାହା ପାଇଁ ରାଜଭୋଗ ପୁଣି ଆଉ କାହା ପାଇଁ ରୂପସମ୍ଭାର ସୁଖର ଆଧାର। ଏହି ଯେମିତି ‘ପାହମ୍’ ନାମକ ଜନୈକ କୃଷକଙ୍କ ପାଇଁ ଅମିତ ଭୂସମ୍ପତ୍ତି ଥିଲା ସୁଖର ଶିରୋନାମା। ଗୋଟିଏ ବଡ଼ ଫାର୍ମ ହାଉସ୍ କରିବା ପାଇଁ ସେ ଆକୈଶୋର ସ୍ୱପ୍ନ ଦେଖି ଆସୁଥିଲେ। ସ୍ୱପ୍ନ ସତ ନ ହେବ କାହିଁକି? ଜଣେ ମଧ୍ୟସ୍ଥି ଜରିଆରେ ବିଶାଳ ଭୂଖଣ୍ଡର ସନ୍ଧାନ ମିଳିଲା ସେହି ଭଦ୍ରଲୋକଙ୍କୁ। ଭୂମ୍ୟଧିକାରୀଙ୍କ ସହିତ ତାଙ୍କର ଭେଟ ହେଲା ମଧ୍ୟ। ପାହମ୍ ଆଶ୍ଚର୍ଯ୍ୟ ହେଲେ ଅନୁଚ୍ଚ ପାହାଡ଼ ଠାରୁ ଅଦୂର ଦିଗ୍ବଳୟ ବ୍ୟାପ୍ତ ମସୃଣ ଓ ବନ୍ଧୁର ଜମି ଦେଖି। ମାଲିକଙ୍କୁ ଜମିର ଦାମ୍ ପଚାରନ୍ତେ ମାଲିକଙ୍କ ଉତ୍ତର ବିଚଳିତ କଲା ପାହମ୍ଙ୍କୁ। ଦିନକର ମୂଲ୍ୟ ସହସ୍ର ମୁଦ୍ରା। ଜମି କ’ଣ ଦିନରେ ମପାଯାଏ? ପାହମ୍ଙ୍କ ଏମନ୍ତ ପ୍ରଶ୍ନର ଉତ୍ତର ଥିଲା ଜମିମାଲିକଙ୍କ ରହସ୍ୟମୟ ସ୍ମିତହାସ୍ୟ। ସକାଳୁ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରୁ ଯାତ୍ରା ଆରମ୍ଭ କରି ସୂର୍ଯ୍ୟାସ୍ତ ପୂର୍ବରୁ ସେହି ସ୍ଥାନକୁ ଫେରିଆସିବା ମଧ୍ୟରେ ଚିହ୍ନିତ ଜମିତକ ହେବ ତୁମ୍ଭର, କହିଲେ ଭୂମ୍ୟଧିକାରୀ। ପୁଲକିତ ପାହମ୍ଙ୍କୁ ରାତିସାରା କ’ଣ ନିଦ ହୁଅନ୍ତା? ତହିଁ ପରଦିନ ବଡ଼ି ଭୋରରୁ ନିଜ ଭୃତ୍ୟଦତ୍ତ କୋଦାଳ ଧରି ଚାଲିବା, ନା ଚାଲିବା ନୁହେଁ, ଦୌଡ଼ିବା ଆରମ୍ଭ କରିଦେଲେ ପାହମ୍। ମଧ୍ୟେ ମଧ୍ୟେ କୋଦାଳ ଚୋଟରେ ଚିହ୍ନ ଅଙ୍କନ କରିବାକୁ ସେ ଭୁଲିଲେ ନାହିଁ।
ସୂର୍ଯ୍ୟ ମୁଣ୍ଡ ଉପରେ ହେଲାବେଳକୁ ପାହମ୍ଙ୍କ ସର୍ବାଙ୍ଗ ସ୍ୱେଦସିକ୍ତ ହୋଇସାରିଥିଲା। ତାଙ୍କ ବୋଲ ମାନୁ ନ ଥିଲେ ନିଜ ପାଦଯୋଡ଼ିକ। ପାହମ୍ଙ୍କର କିନ୍ତୁ ସେଥପ୍ରତି ଭ୍ରୂକ୍ଷେପ ନ ଥିଲା। ମଝିସ୍ଥାନ ଆହୁରି ସୁନ୍ଦର ଦିଶୁଥିବାରୁ ସେ ଆହୁରି ଆଗକୁ ଦୌଡ଼ି ଚାଲିଲେ। ଖରା ମଉଳିବାକୁ ଲାଗିଲା ପରେ ସେ ଫେରିବା କଥା ଚିନ୍ତା କରି କ୍ଷିପ୍ର ବେଗରେ ବିପରୀତ ଦିଗରେ ଗତି କଲେ। ସୂର୍ଯ୍ୟ ଯେମିତି ତାଙ୍କ ସହିତ ପ୍ରତିଯୋଗିତା କଲେ। ସୂର୍ଯ୍ୟଙ୍କର ଗତି ଥିଲା କ୍ଷିପ୍ରତର। ଘନଘନ ନିଃଶ୍ୱାସ ଓ କପାଳରେ ହାତୁଡ଼ି ପ୍ରହାର ସମ ବ୍ୟଥା ସତ୍ତ୍ୱେ ସେ ଯାତ୍ରା ଆରମ୍ଭ କରିଥିବା ସ୍ଥାନ ନିକଟରେ ଆସି ପହଞ୍ଚିଗଲେ। ହଠାତ୍ ସୂର୍ଯ୍ୟ ଘଞ୍ଚ ଉହାଡ଼କୁ ଲମ୍ଫ ପ୍ରଦାନ କଲେ। ପାହମ୍ ବ୍ୟଥାଭରା ଚିତ୍କାର କରିବାରୁ ଭୂମ୍ୟଧିକାରୀଙ୍କ କର୍ମଚାରୀମାନେ ତାଙ୍କୁ ଉତ୍ସାହିତ କରି କହିଲେ, ସୂର୍ଯ୍ୟ ଅସ୍ତ ଯାଇନାହାନ୍ତି। କେତୋଟି ମାତ୍ର ଲମ୍ଫ ମାଧ୍ୟମରେ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ସମ୍ଭବ। ପାହମ୍ ତାହା ହିଁ କଲେ। ସୂର୍ଯ୍ୟାସ୍ତ ପୂର୍ବରୁ ଯଥା ସ୍ଥାନରେ ପହଞ୍ଚିଗଲେ।
କଟାଗଛ ପରି ମୁହଁମାଡ଼ି ପଡ଼ିଥିବା ପାହମ୍ଙ୍କୁ ତାଙ୍କ ଆତ୍ମୀୟ ଭୃତ୍ୟଟି ଧୀରେ ଧୀରେ ଉଠାଇଲା ବେଳକୁ ପାହମ୍ଙ୍କ ମୁହଁରୁ ରକ୍ତର ଝରଣା ଛୁଟୁଥିଲା, ପ୍ରାଣ ନ ଥିଲା ତାଙ୍କ ପିଣ୍ଡରେ। ଯଥା ଶୋକ ପ୍ରକାଶ କରିବା ପରେ ଭୃତ୍ୟଜଣକ ଅଦୂରରେ ଛ’ ଫୁଟ ଲମ୍ବର ଏକ ଗାତ ଖୋଳିଲା। ଛ’ ଫୁଟରୁ ଅଧିକ ସ୍ଥାନ ଲୋଡ଼ା ନ ଥିଲା ତାଙ୍କ ମୁନିବଙ୍କ ପାଇଁ। ଯଶସ୍ୱୀ କଥାଶିଳ୍ପୀ ଲିଓ ଟଲଷ୍ଟୟଙ୍କ ‘ହାଓ ମଚ୍ ଲ୍ୟାଣ୍ଡ୍ ଡଜ୍ ଏ ମ୍ୟାନ୍ ନିଡ୍’ ଗଳ୍ପର ଏହା ସଂକ୍ଷିପ୍ତସାର।
ଏକଥା କିଏ ବା ନ ଜାଣଇ ଯେ ସୁଖ ଏକ ମରୀଚିକା! ତା’ ପାଖକୁ ଗଲେ ସେ ଘୁଞ୍ଚି ଘୁଞ୍ଚି ଯାଏ। ଆଶା ଦିଏ, ଆଶ୍ୱାସନା ଦିଏନା। କେବେ କେଉଁଠି ନ ଥିବା ଏକ ପ୍ରବାଳ ଦ୍ୱୀପର ମାୟାରେ ମଣିଷ ଆତ୍ମହରା ହୁଏ। ମଣିଷକୁ ପୁଣି ତା’ର ପ୍ରିୟ ପ୍ରାଣ ମାଗେ ମରୀଚିକା। ‘ପାହମ୍’ମାନେ କିନ୍ତୁ ଛ’ ଫୁଟ ଜମି ବା ଛ’ ଖଣ୍ଡ କାଠର ମହତ୍ତ୍ୱ ବୁଝନ୍ତି ନାହିଁ। ନା ଦୌଡ଼ିବା ଜୀବନ ନା ଗତି ପ୍ରଗତି? ଏକଥା କେତେଜଣ ବୁଝନ୍ତି?
ତେବେ ସ୍ଥାଣୁତ୍ୱ ମଧ୍ୟ ଜୀବନ ନୁହେଁ। ଗତି ନାହିଁ ତ ସ୍ଥିତି କାହିଁ? ‘କର୍ମ ମୋହର ନିଜ ଗୁରୁ’ ବୋଲି ଉପଦେଶ ଛଳରେ କହାଯାଇଛି ଭାରତୀୟ ପୁରାଣଶାସ୍ତ୍ରରେ। ‘ଯଶ ଲଭସ୍ୱ’, ‘ଭୋକ୍ଷସେ ମହୀମ୍’ ଆଦି ଗୀତାବାଣୀ ଜୀବନରେ ଦୌଡ଼ିବାକୁ ପ୍ରଚୋଦିତ କରେ। ପାର୍ଥିବ ସୁଖକୁ କେବେ କେଉଁଠି କ’ଣ ଅଣଦେଖା କରାଯାଇଛି? ପାଶ୍ଚାତ୍ୟ ପଣ୍ଡିତ ଆରିଷ୍ଟୋଟ୍ଲଙ୍କ ମତରେ ସୁଖରେ ରହିବା ମଣିଷର ପ୍ରବୃତ୍ତି ଏବଂ ସେହି ପ୍ରବୃତ୍ତି ରାଷ୍ଟ୍ର ମାଧ୍ୟମରେ ଚରିତାର୍ଥ ହୁଏ। ସୁଖ କାଳେ କାଳେ ମଣିଷର କାମ୍ୟ। ସେହି ଆନ୍ତରିକ ଅଭୀପ୍ସାରୁ ମଣିଷ ମୁକ୍ତ ହେବା ପାଇଁ କ’ଣ ଦୁର୍ଲଭ ଜୀବନ ଲାଭ କରିଛି? ନା। କିନ୍ତୁ ସୁଖ ନୁହେଁ, ସୁଖର ଅତନ୍ଦ୍ର ଅନ୍ୱେଷଣ ହିଁ ଦୁଃଖର କାରଣ। ସୁଖ କେବେ ବି ଏକ ‘ବସ୍ତୁ’ ନୁହେଁ, ଏକ ‘ଭାବ’। ଭାବ ତ ମନସମ୍ଭୂତ। ତେଣୁ ଏହାର ରୂପରଙ୍ଗ ନାହିଁ, ନାହିଁ ମଧ୍ୟ ସୀମାସରହଦ। ଏହାର ପ୍ରାପ୍ତିରେ ଆମୋଦର ଅନ୍ତ ଘଟେନାହିଁ, ଅନ୍ୱେଷା ତୀବ୍ର ହୁଏ।
ସୁଖଚିନ୍ତା ସୁଖନିଦ୍ରାର ପରିପନ୍ଥୀ। ଅଧିକରୁ ଅଧିକ ସୁଖ ପାଇଁ ଚିନ୍ତା କରୁକରୁ ରାତି ଯାଇ ସକାଳ ହୁଏ, ଅଥଚ ଆଖିପତା ମୁହୂର୍ତ୍ତେ ବି ମୁଦି ହୁଏ ନାହିଁ। ଶ୍ରମିକ ବା କୃଷକଟି ସାରାଦିନର ଅକ୍ଳାନ୍ତ ପରିଶ୍ରମ ପରେ ବିଛଣା ଧରିଲା କ୍ଷଣି ଘୁଙ୍ଗୁଡ଼ି ମାରେ ଅଥଚ ଭୂମ୍ୟଧିପତି ବା ଉଦ୍ୟୋଗପତି କୃତ୍ରିମ ଉପାୟ ଯଥା ନିଶୌଷଧୀ ବା ମଦିରା ସେବନ ବିନା ଶୋଇପାରନ୍ତି ନାହିଁ। ପାର୍ଥିବ ବା ଦୈହିକ ସୁଖର ସନ୍ଧାନ କେବଳ ଦୁଃଖର କାରଣ ନୁହେଁ, ଯେ କୌଣସି ପ୍ରାପ୍ତିର ପ୍ରଖର ଅଭିଳାଷ, ଦୁଃଖକୁ ଅବଶ୍ୟ ଆମନ୍ତ୍ରଣ କରେ। କ୍ଷମତା ଓ ଖ୍ୟାତି ପ୍ରତି ମୋହ, ଧନ ଓ ସମ୍ପତ୍ତି ଲୋଭ ଠାରୁ କମ୍ ଭୟାନକ ନୁହେଁ। କ୍ଷମତା ଲିପ୍ସାଜନିତ ସ୍ୱଜନ ହତ୍ୟାର ଦୃଷ୍ଟାନ୍ତରେ ଇତିହାସର ଗର୍ଭ ସ୍ଫୀତ। ‘କିଙ୍ଗ୍ସିପ୍ ନୋଜ୍ ନୋ କିନ୍ସିପ୍’। ଏକଦା ସାମ୍ରାଜ୍ୟ ଓ ସୌନ୍ଦର୍ଯ୍ୟ ଥିଲା ‘ଯୁଦ୍ଧ’ର ମୁଖ୍ୟ କାରଣ। ବିଶ୍ୱବିଜୟୀ ହେବାର କାମନା ହିଁ ଅନେକ ଦୁର୍ଦ୍ଦଶାକୁ ଜନ୍ମଦେଇଛି ଅତୀତରେ। ଟ୍ରୋଜାନ୍ ଯୁଦ୍ଧ ପରି କେତେକ ସମର ଅନ୍ତରାଳରେ ରହିଛି ରୂପଲାବଣ୍ୟ ପ୍ରତି ଅହେତୁକ ଆକର୍ଷଣ। ଯଶପ୍ରାର୍ଥୀମାନେ ଭିକ୍ଷୁକମାନଙ୍କ ଠାରୁ ଆହୁରି ବୁଭୁକ୍ଷୁ। “ରୂପଂ ଦେହି ଜୟଂ ଦେହି ଯଶୋ ଦେହି ଦ୍ୱିଷୋ ଜହି”- ଏହା ଯାଚନାର ମନ୍ତ୍ର ନୁହେଁ ତ ଆଉ କ’ଣ?
ଅପ୍ରାପ୍ତିର ଦୁଃଖ ଏବଂ ଅଜସ୍ରପ୍ରାପ୍ତିର ଆକାଂକ୍ଷା ମଣିଷକୁ ଅଶାନ୍ତ କରେ। “ଅଶାନ୍ତସ୍ୟ କୁତଃ ସୁଖମ୍?”
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୧୪୩୮୯୬