ଶ୍ରୀକ୍ଷେତ୍ର ଆସିଥିଲେ କି ପ୍ରଭୁ ଶ୍ରୀରାମ? ଆଶ୍ଚର୍ଯ୍ୟଜନକ ଭାବରେ ସକାରାତ୍ମକ ଭାଷାରେ ଏହାର ଉତ୍ତର ଦିଅନ୍ତି କତିପୟ ଗବେଷକ। ରାଜ୍ୟାଭିଷେକ ଅନ୍ତେ ରାମଚନ୍ଦ୍ର କଣ୍ଡୁ ଋଷିଙ୍କ ଆଶ୍ରମକୁ ଆସିଥିଲେ ବୋଲି ରାମାୟଣର ଉତ୍ତରାକାଣ୍ଡରେ ଉଲ୍ଲେଖ ଥିବା ଜଣାଯାଏ। ଭାରତ ଭୂଖଣ୍ଡର ଦକ୍ଷିଣବର୍ତ୍ତୀ ଏକ ବାଲୁକାମୟ ଅଞ୍ଚଳରେ ଥିଲା କଣ୍ଡୁଙ୍କ ଆଶ୍ରମ। ରାମାୟଣ କାଳରେ ଉତ୍କଳର ଅବସ୍ଥିତିକୁ ଦକ୍ଷିଣରେ ଗଣ୍ୟ କରାଯାଉଥିଲା। ସୁତରାଂ ଆଶ୍ରମ ଶୋଭିତ ଦକ୍ଷିଣର ସେହି ସିକତା ସଙ୍କୁଳ ସ୍ଥାନଟି ଯେ ଶ୍ରୀକ୍ଷେତ୍ର, ଏହା କେତେକ ଗବେଷକ ଅନୁମାନ କରନ୍ତି। ଆହୁରି ମଧ୍ୟ ସ୍କନ୍ଦ ପୁରାଣରେ ଉଲ୍ଲେଖ ରହିଛି ଯେ କଣ୍ଡୁ ଋଷି ଶ୍ରୀକ୍ଷେତ୍ରକୁ ଆସି ଦାରୁବ୍ରହ୍ମ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରିଥିଲେ। ଏହା ଶ୍ରୀଜଗନ୍ନାଥଙ୍କ ସହିତ ଶ୍ରୀରାମଙ୍କ ସମ୍ବନ୍ଧର ନିଦର୍ଶନ। ତେବେ ଏସବୁ ବିଷୟରେ ଅଧିକ ଅଧ୍ୟୟନ ଓ ଅନୁସନ୍ଧାନର ଆବଶ୍ୟକତା ରହିଛି।
କିନ୍ତୁ ଶ୍ରୀଜଗନ୍ନାଥଙ୍କର ନୀତିକାନ୍ତି, ବେଶଭୂଷା ଓ ପର୍ବପର୍ବାଣି ସହିତ ଶ୍ରୀରାମଚନ୍ଦ୍ରଙ୍କ ସମ୍ପର୍କ ଯେ ଗହନ, ଏହା ଅନସ୍ୱୀକାର୍ଯ୍ୟ। ଶ୍ରୀକ୍ଷେତ୍ରରେ ବାର ମାସରେ ପାଳିତ ତେର ଯାତ୍ରା ମଧ୍ୟରୁ ଶ୍ରୀରାମ ସମ୍ପର୍କିତ ଯାତ୍ରାର ସଂଖ୍ୟା ନ୍ୟୂନ ନୁହେଁ। ପୁରୀ କଲେକ୍ଟର ଚାର୍ଲସ୍‌ ଗ୍ରୋମ୍ ୧୮୦୫ ମସିହା ଜୁନ୍ ୧୦ ତାରିଖରେ କଟକ କମିଶନର୍‌ଙ୍କୁ ପ୍ରଦାନ କରିଥିବା ଜଗନ୍ନାଥ ମନ୍ଦିର ରିପୋର୍ଟରେ ଉଲ୍ଲିଖିତ ବିଭିନ୍ନ ଯାନିଯାତ୍ରା ତାଲିକାରେ ଶ୍ରୀରାମ ଜନ୍ମଯାତ୍ରା ସ୍ଥାନିତ ହୋଇଛି, ଯେଉଁଥିରେ ଦଶଟି ଯାତ୍ରା ଅନ୍ତର୍ଭୁକ୍ତ। ତନ୍ମଧ୍ୟରୁ ରାମ ଅଭିଷେକ ଅନ୍ୟତମ। ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁସାରେ ପ୍ରତି ବର୍ଷ ଚୈତ୍ର ଶୁକ୍ଳ ନବମୀ ତିଥିରେ ରାମଜନ୍ମନୀତି ଶ୍ରୀମନ୍ଦିରରେ ଯଥାରୀତି ପାଳିତ ହୁଏ। ତା’ ପରଦିନ ଠାରୁ ଶ୍ରୀରାମଲୀଳା ଅନୁଷ୍ଠିତ ହୁଏ। ଲୀଳାଗୁଡ଼ିକ ମଧ୍ୟରେ ରହିଛି ଯଜ୍ଞରକ୍ଷା, ସୀତାବିବାହ, ବନବାସ, ମାୟାମୃଗ, ସେତୁବନ୍ଧ, ଲଙ୍କାପୋଡ଼ି ଓ ରାବଣବଧ ଇତ୍ୟାଦି। ଏହି ଲୀଳାମାନ ଶ୍ରୀମନ୍ଦିରରୁ ଜଗନ୍ନାଥ ବଲ୍ଲଭ ମଠ ପର୍ଯ୍ୟନ୍ତ ପରିବ୍ୟାପ୍ତ। ରାମଲୀଳାରେ ପୁରୀର ଅନେକ ପୁରାତନ ସାହି ଯଥା, ହରଚଣ୍ଡୀ ସାହି, ମାର୍କଣ୍ଡେଶ୍ୱର ସାହି, କୁଣ୍ଢେଇବେଣ୍ଟ ସାହି, ଦୋଳମଣ୍ଡପ ସାହି, ବାଲିସାହି, ଗୌଡ଼ବାଡ଼ ସାହି ଆଦିର ବାସିନ୍ଦାମାନେ ଅଂଶଗ୍ରହଣ କରନ୍ତି। ରାମଲୀଳା ହେଉଛି ପୁରୀର ସାହିଯାତ ପର୍ବର ଏକ ଅଂଶବିଶେଷ।
ଯେଉଁଦିନ ପୁଷ୍ୟା ନକ୍ଷତ୍ର ଥାଇ ମହାପ୍ରଭୁଙ୍କ ତାରା ଶୁଦ୍ଧି ହୁଏ, ସେହିଦିନ ହୁଏ ରାମାଭିଷେକ ନୀତି। ଉକ୍ତ ଦିନ ସନ୍ଧ୍ୟା ଆଳତି ଓ ଦକ୍ଷିଣଘର ଧୂପ ପରେ ବିଜେ ପ୍ରତିମା ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ ଏକ ରଥାକୃତି ବିମାନରେ ବିଜେ କରି ନନ୍ଦିଗ୍ରାମ (ଜଗନ୍ନାଥ ବଲ୍ଲଭ ମଠ)କୁ ଯାଆନ୍ତି। ଗୌଡ଼ବାଡ଼ ସାହିରୁ ଦୁଇଜଣ ଲୋକ ଭରତ ଓ ଶତ୍ରୁଘ୍ନ ବେଶ ହୋଇ ଶ୍ରୀମନ୍ଦିରକୁ ଆସନ୍ତି ଏବଂ ଭଣ୍ଡାରଘରୁ ଜଗନ୍ନାଥଙ୍କ ପାଦୁକା ନେଇ ନନ୍ଦିଗ୍ରାମକୁ ଘଣ୍ଟ, ଛତା ଓ କାହାଳୀ ସହିତ ଯାଆନ୍ତି। ସେଠାରେ ଅଭିଷେକ ନୀତି ସମ୍ପନ୍ନ ହେବା ଅନ୍ତେ ବିଜେପ୍ରତିମାମାନ ଶ୍ରୀମନ୍ଦିରକୁ ବାହୁଡ଼ି ଆସନ୍ତି। ତତ୍ପରେ ଶ୍ରୀମନ୍ଦିର ବେଢ଼ାରେ ଲକ୍ଷ୍ମୀମନ୍ଦିର ଜଗମୋହନରେ ଖଟ ଉପରେ ଭଦ୍ରାସନରେ ଏହି ଚାରି ମୂର୍ତ୍ତି ବିଜେ କରନ୍ତି।
ମହାପ୍ରଭୁଙ୍କ ପ୍ରସିଦ୍ଧ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ‘ପୁଷ୍ୟାଭିଷେକ’ ଉତ୍ସବ ପୌଷପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ପାଳିତ ହୁଏ। ଏହି ଦିନ ରାଜବେଶ ଓ ଅଭିଷେକ କରାଯାଏ। କେତେକଙ୍କ ମତରେ ବନବାସ ପ୍ରତ୍ୟାବର୍ତ୍ତନାନ୍ତେ ଅଯୋଧ୍ୟାରେ ଅନୁଷ୍ଠିତ ରାମଚନ୍ଦ୍ରଙ୍କ ରାଜ୍ୟାଭିଷେକର ଏହା ସ୍ମାରକୀ ବହନ କରେ। ଏହି ଉତ୍ସବର ମହତ୍ତ୍ୱ ଏହି ଯେ ବିଶେଷ ନୀତିମାନ ସମାପିତ ହେବା ପରେ ଭିତରଛ ମହାପାତ୍ର ସେବକ ସିଂହାସନ ଉପରେ ଦଣ୍ଡାୟମାନ ପୂର୍ବକ ଲକ୍ଷ୍ମଣ ସ୍ୱରୂପ ହୋଇ ଦଣ୍ଡଛତ୍ର ଧରନ୍ତି ଏବଂ ହନୁମାନ ସ୍ୱରୂପ ହୋଇ ଦଣ୍ଡଛତ୍ର ମୂଳକୁ ଧରି ବସନ୍ତି ଭଣ୍ଡାର ମେକାପ। ଭୋଗନୀତି ବନ୍ଦାପନା ହୋଇ ଫୁଲଶର ଆୟୁଧ ପ୍ରଭୁଙ୍କୁ ଲାଗି କରାଯାଏ। ଦକ୍ଷିଣଘର ଭୋଗନୀତି ବଢ଼ିଲା ପରେ ବିଜେପ୍ରତିମା ରଘୁନାଥ ସିଂହାସନକୁ ବିଜେ କରନ୍ତି। ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇଲା ପରେ ରଘୁନାଥ ଲକ୍ଷ୍ମୀମନ୍ଦିରକୁ ବାହାରବିଜେ ଅଭିଷେକ ପାଇଁ ଯାଇ ଭଦ୍ରାସନରେ ବିଜେ କରନ୍ତି। ସେଠାରେ କେତେକ ନୀତି ପାଳନ କରାଯାଏ।
ଶ୍ରୀରାମଙ୍କ ସହିତ ସଂପୃକ୍ତ ଏକ ସାମୟିକ ବେଶର ନାମ ‘ରଘୁନାଥ ବେଶ’। ୧୯୦୫ ମସିହା ପରଠାରୁ ଏହା ହୋଇଥିବାର ପ୍ରମାଣ ମିଳୁନାହିଁ। ତା୨୭.୦୪.୧୯୦୫ରିଖରେ ଏହି ବେଶ ହୋଇଥିବା ସମ୍ବାଦ ‘ଉତ୍କଳ ଦୀପିକା’ରେ ପ୍ରକାଶ ପାଇଥିଲା। ସେଥିରୁ ବୁଝାପଡ଼େ ଯେ ଏହି ଅବସରରେ ଶ୍ରୀଜଗନ୍ନାଥ ଶ୍ରୀରାମଚନ୍ଦ୍ର ବେଶ ଧାରଣ କରନ୍ତି। ତାଙ୍କ ବାମ ପାର୍ଶ୍ୱରେ ଭରତ ଓ ଶତ୍ରୁଘ୍ନ ଚାମର ଓ ଛତ୍ର ଧରି ଠିଆ ହୋଇଥା’ନ୍ତି ତ ଲକ୍ଷ୍ମଣରୂପୀ ବଳଭଦ୍ରଙ୍କ ଦକ୍ଷିଣରେ ବ୍ରହ୍ମା ଓ ବଶିଷ୍ଠ ଦଣ୍ଡାୟମାନ ହୋଇଥା’ନ୍ତି। ଶ୍ରୀରାମ ସ୍ୱରୂପ ଜଗନ୍ନାଥଙ୍କ ବାମଜାନୁରେ ସୀତାସ୍ୱରୂପା ଲକ୍ଷ୍ମୀପ୍ରତିମା ଉପବେଶନ କରନ୍ତି। ସମ୍ମୁଖ ଭାଗରେ ହନୁମାନ କରଯୋଡ଼ି ବସନ୍ତି। ରତ୍ନବେଦୀଠାରୁ କଳାହାଟ ଦ୍ୱାର ପର୍ଯ୍ୟନ୍ତ ବିଛାଯାଇଥିବା ସରୁପଟା ଉପରେ ଅଙ୍ଗଦ, ଜାମ୍ବବାନ, ବିଭୀଷଣ, ନଳ ଓ ନୀଳ ଆଦିଙ୍କ ପ୍ରତିମା ଶୋଭା ପାଆନ୍ତି। ଏହି ବେଶରେ ଅନେକ ରତ୍ନାଳଙ୍କାର ଲାଗି ହୋଇଥାଏ। ଏହା ସର୍ବବୃହତ୍ ଓ ସର୍ବାଧିକ ଆକର୍ଷଣୀୟ ବେଶ।
ଶ୍ରୀଜଗନ୍ନାଥଙ୍କ ସହିତ ଶ୍ରୀରାମଚନ୍ଦ୍ରଙ୍କ ସଂଯୋଗର ଅନ୍ୟ ଏକ ସେତୁ ଅଟେ ବାଲ୍ମିକୀ ରାମାୟଣରେ ଜଗନ୍ନାଥ ନାମୋଲ୍ଲେଖ। ଶ୍ରୀରାମ ବିଭୀଷଣଙ୍କୁ ଈକ୍ଷ୍ୱାକୁ ବଂଶର କୁଳଦେବତା ଜଗନ୍ନାଥଙ୍କୁ ଆରାଧନା କରିବା ପାଇଁ ପରାମର୍ଶ ଦେଇଛନ୍ତି: “ଆରାଧୟ ଜଗନ୍ନାଥମ୍ ଈକ୍ଷ୍ୱାକୁ କୁଳଦୈବତମ୍”। ତେବେ ରାମଚନ୍ଦ୍ର ସୂର୍ଯ୍ୟବଂଶୀ ହୋଇଥିବାରୁ ସୂର୍ଯ୍ୟଙ୍କୁ ଜଗନ୍ନାଥ କହିଥିବେ ବୋଲି ଅନେକେ ବିଚାରନ୍ତି।
କେତେଜଣ ସୁପ୍ରସିଦ୍ଧ ଓଡ଼ିଆ କବିଙ୍କ କାବ୍ୟକବିତାରେ ଶ୍ରୀରାମ ଓ ଶ୍ରୀଜଗନ୍ନାଥ ଅଦ୍ଭୁତ ସୂତ୍ରରେ ସଂଯୋଜିତ ହୋଇଛନ୍ତି। କୃପାସିଦ୍ଧା ବଳରାମ ଦାସଙ୍କ ଦାଣ୍ଡି ରାମାୟଣରେ ଜଗନ୍ନାଥଙ୍କ ରାମାବତାର ଉପସ୍ଥାପିତ। ସେ ଲେଖିଛନ୍ତି, “ଅଯୋଧ୍ୟାରେ ଅଭିଷେକ ଶ୍ରୀରାମ ଯେମନ୍ତ, ତେସନ ନୀଳଗିରିରେ ଲକ୍ଷ୍ମୀଜଗନ୍ନାଥ”। ସେହିପରି ପରମ ରାମଭକ୍ତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ତାଙ୍କ ରଚିତ ‘ବୈଦେହୀଶ ବିଳାସ’ ଓ ‘ସୁଭଦ୍ରା ପରିଣୟ’ରେ ଜଗନ୍ନାଥ ଓ ରାମଚନ୍ଦ୍ରଙ୍କୁ ଅଭିନ୍ନ ଭାବରେ ବର୍ଣ୍ଣନା କରିଛନ୍ତି। ଗୁଣ୍ଡିଚା ମନ୍ଦିରକୁ ଜନକପୁରୀ ଓ ବଡ଼ଦେଉଳକୁ ଅଯୋଧ୍ୟା ବୋଲି ‘ବୈଦେହୀଶ ବିଳାସ’ରେ କହାଯାଇଛି। ‘ସୁଭଦ୍ରା ପରିଣୟ’ରେ ଉପେନ୍ଦ୍ରଙ୍କ ମର୍ମସ୍ପର୍ଶୀ ଗୀତ ଏହିପରି: “ସିନ୍ଧୁରେ ଯେ ସେତୁ କରି ରାବଣ ଛେଦିଲେ, ସେଟି କ୍ଷେତ୍ରବରେ ଦାରୁରୂପେ ବିଜେ କଲେ ଯେ”।
କାହିଁ କେଉଁ କାଳରୁ ଶ୍ରୀକ୍ଷେତ୍ର, ଶ୍ରୀଜଗନ୍ନାଥ ଓ ଶ୍ରୀରାମଚନ୍ଦ୍ର ଏକ ସୂକ୍ଷ୍ମ ଭାବବନ୍ଧନରେ ଆବଦ୍ଧ।
ମୋ: ୯୪୩୭୧୪୩୮୯୬