ମହିମା କେବଳ ଗୋଟିଏ ଧର୍ମ ପନ୍ଥା ନୁହେଁ, କ୍ରାନ୍ତି ପଥ ମଧ୍ୟ। ଊନବିଂଶ ଶତାବ୍ଦୀର ଭାରତରେ ଏହା ଜନ ଜାଗୃତିର ଜୟକାର, ସାମାଜିକ ସଂସ୍କାରର ସମ୍ମିଳିତ ସ୍ୱରଲିପି।
ଭାରତ ଇତିହାସରେ ଊନବିଂଶ ଶତାବ୍ଦୀ ବୈପରିତ୍ୟ ସମାହାରର ଏକ ଅଦ୍ଭୁତ କାଳଖଣ୍ଡ। ଏହା ସର୍ବବିଦିତ ଯେ ରବର୍ଟ କ୍ଲାଇବ୍ ଭାରତରେ ରାଜନୈତିକ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିବାବେଳେ ଲର୍ଡ ମାକଲେ ସ୍ଥାପନ କରିଥିଲେ ସାଂସ୍କୃତିକ ସାମ୍ରାଜ୍ୟର ଭିତ୍ତିପ୍ରସ୍ତର। ପଲାସୀ ଯୁଦ୍ଧ ପରେ ପ୍ରତିଷ୍ଠିତ କମ୍ପାନି ଶାସନ ରାଣୀଙ୍କ ଶାସନରେ ପରିଣତ ହୋଇଥିଲା ଊନବିଂଶ ଶତାବ୍ଦୀରେ। ମାକଲେଙ୍କ ନୂଆ ଶିକ୍ଷାନୀତି ଭାରତୀୟମାନଙ୍କ ମନରେ ଗୋଲାମୀ ମନୋଭାବ ସୃଷ୍ଟି କରିଥିଲା ସତ, ତାହା ମଧ୍ୟ ପ୍ରାଚ୍ୟ-ପାଶ୍ଚାତ୍ୟ ସମନ୍ୱୟର ଦ୍ୱାର ଉନ୍ମୁକ୍ତ କରିଥିଲା। ଇଂରେଜୀ ଶିକ୍ଷା ମାଧ୍ୟମରେ ପାଶ୍ଚାତ୍ୟ ପ୍ରଚକ୍ଷୁରେ ସ୍ୱଦେଶକୁ ଦେଖିବାର ପ୍ରବଣତା ଏହି କାଳଖଣ୍ଡର ଅବଦାନ। ଏହା ଦ୍ୱାରା ଆମ ଦେଶରେ ସାମାଜିକ ଓ ସାଂସ୍କୃତିକ ଜାଗରଣର ବୀଜ ବପନ ହୋଇଥିଲା।
ଅଶିକ୍ଷା ଓ ଅଜ୍ଞାନର ତମସାଚ୍ଛାଦିତ ଭାରତୀୟ ମହାଜାତି ଅନେକ କୁସଂସ୍କାରର ବଶବର୍ତ୍ତୀ ହୋଇ ଜଡ଼ ପାଲଟିଥିଲା। ଉପାସନାର ସ୍ଥାନ ନେଇଥିଲା ଉପଚାର, ଜାତିପ୍ରଥା ସାଜିଥିଲା ଜାତୀୟତାର ପରିପନ୍ଥୀ ଓ ଅନ୍ଧବିଶ୍ୱାସ ବୈଜ୍ଞାନିକ ମନୋବୃତ୍ତିର ଦ୍ୱାରରୁଦ୍ଧ କରିଥିଲା। ତେଣୁ ଜାଗୃତି ଓ ସଂସ୍କାର ଥିଲା ସେହି ସମୟର ଆହ୍ୱାନ। ଅନେକ ସାମାଜିକ ଓ ଧର୍ମୀୟ ସଙ୍ଗଠନ ସେହିସବୁ ଆହ୍ୱାନକୁ ଅଙ୍ଗୀକାର ଭାବରେ ଗ୍ରହଣ କରିଥିଲେ। ସେହି ସଙ୍ଗଠନଗୁଡ଼ିକ ମଧ୍ୟରେ ଅଗ୍ରଣୀ ଥିଲେ ବ୍ରାହ୍ମ ସମାଜ, ପ୍ରାର୍ଥନା ସମାଜ ଓ ଆର୍ଯ୍ୟ ସମାଜ। ୧୮୨୮ ମସିହାରେ କଲିକତା ମହାନଗରୀରେ ବ୍ରାହ୍ମ ସମାଜ ଗଠନ କରିଥିଲେ ବିଶିଷ୍ଟ ସମାଜ ସଂସ୍କାରକ ରାଜା ରାମମୋହନ ରାୟ। ପ୍ରାର୍ଥନା ସମାଜ ଆତ୍ମାରାମ ପାଣ୍ଡୁରାମଙ୍କ ନେତୃତ୍ୱରେ ପ୍ରତିଷ୍ଠିତ ହୋଇଥିଲା ବମ୍ବେ ମହାନଗରୀରେ ୧୮୬୭ ମସିହାରେ। ସେହିପରି ସ୍ୱାମୀ ଦୟାନନ୍ଦ ପ୍ରତିଷ୍ଠା କରିଥିଲେ ଆର୍ଯ୍ୟ ସମାଜ ସେହି ବମ୍ବେ ମହାନଗରୀରେ ୧୮୭୫ ମସିହାରେ ଯାହାର ମୁଖ୍ୟାଳୟ ପରବର୍ତ୍ତୀ ସମୟରେ ଲାହୋରକୁ ସ୍ଥାନାନ୍ତରିତ ହୋଇଥିଲା।
ଉଚ୍ଚଶିକ୍ଷିତ ରାଜା ରାମମୋହନ ରାୟଙ୍କର ପାଶ୍ଚାତ୍ୟ ଇତିହାସ, ସାହିତ୍ୟ ଓ ଦର୍ଶନରେ ଅଗାଧ ପାଣ୍ଡିତ୍ୟ ଥିଲା। ବେଦବେଦାଙ୍ଗ ଓ ଭାରତୀୟ ଶାସ୍ତ୍ରପୁରାଣରେ ମଧ୍ୟ ଥିଲା ଗଭୀର ପ୍ରବେଶ। ହିନ୍ଦୁ ଓ ବୌଦ୍ଧ ଧର୍ମ ସହିତ ଖ୍ରୀଷ୍ଟ ଓ ଇସଲାମ ଧର୍ମ ଓ ଦର୍ଶନ ଆଦିରେ ମଧ୍ୟ ତାଙ୍କର ସମ୍ୟକ ଜ୍ଞାନ ଥିଲା। ତେଣୁ ତାଙ୍କ ଚିନ୍ତାଧାରା ପ୍ରାଚ୍ୟ ଓ ପାଶ୍ଚାତ୍ୟ ଚିନ୍ତନର ସଂଘାତରୁ ସୃଷ୍ଟ ବୋଲି କହାଯାଏ। ସେ ପ୍ରତିମା ପୂଜା ଓ ଜାତିପ୍ରଥାର ବିରୋଧୀ ଥିଲେ, ଥିଲେ ନାରୀ ଶିକ୍ଷାର ଅନ୍ୟତମ ପ୍ରବର୍ତ୍ତକ। ତାଙ୍କ ଦୃଷ୍ଟି ଓ ଦର୍ଶନ ବ୍ରାହ୍ମ ସମାଜର ସଂହିତାରେ ପ୍ରତିଫଳିତ। ପ୍ରାର୍ଥନା ସମାଜ ମଧ୍ୟ ଥିଲା ଏକ ସଂସ୍କାରବାଦୀ ଅନୁଷ୍ଠାନ। ଆର୍ଯ୍ୟ ସମାଜର ସଂସ୍ଥାପକ ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଇଂରେଜୀ ଶିକ୍ଷା ଓ ବେଦବାଣୀ ମଧ୍ୟରେ ସନ୍ତୁଳନର ବାର୍ତ୍ତା ଦେଇଥିଲେ ସମାଜକୁ।

Advertisment

ମହିମା ଧର୍ମର ଆଦି ରୂପକାର ମୁକୁନ୍ଦ ଦାସଙ୍କର ପ୍ରଥମ ଆବିର୍ଭାବ ଘଟିଥିଲା ଶ୍ରୀକ୍ଷେତ୍ର ପୁରୀରେ ୧୮୨୬ ମସିହାରେ। ସର୍ବାଙ୍ଗରେ ଭସ୍ମ ବିଭୂଷିତ ଏହି ସନ୍ନ୍ୟାସୀ ‘ଧୂଳିଆ ବାବା’ ଭାବରେ ଜଣାଶୁଣା ଥିଲେ। ସେହିବର୍ଷ ସେ ବ୍ରହ୍ମପୁରୁଷଙ୍କ ‘ନିର୍ଗୁଣ’ ଓ ‘ଶୂନ୍ୟ’ ମହିମା ସମ୍ପର୍କରେ ଶ୍ରୀମନ୍ଦିରର ମୁକ୍ତିମଣ୍ଡପରେ ସ୍ୱଚିନ୍ତା ବ୍ୟକ୍ତ କରିଥିଲେ। ତାହା ଥିଲା ମହିମା ଧର୍ମର ପ୍ରାରମ୍ଭିକ ପର୍ଯ୍ୟାୟ। ବ୍ରହ୍ମପୁରୁଷ ଶୂନ୍ୟପୁରୁଷ ହୋଇଥିବାରୁ ସେ କେବଳ ଏକ ନୁହନ୍ତି, ସର୍ବବିଦ୍ୟମାନ ମଧ୍ୟ। ଏହି ଦର୍ଶନରୁ ତେଣୁ ଜନ୍ମ ନେଇଥିଲା ସାମାଜିକ ସମତାର ମନ୍ତ୍ର ଯାହାର ଫଳଶ୍ରୁତି ଥିଲା ମୂର୍ତ୍ତିପୂଜା ଓ ଜାତିପ୍ରଥା ପ୍ରତି ଅନାସ୍ଥା।
ବଣପାହାଡ଼ ଘେରା ବୌଦ୍ଧ ଗଡ଼ଜାତରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ମୁକୁନ୍ଦ ଦାସ। ପୁରୀ ପରେ ଖୋର୍ଦ୍ଧା ଅଞ୍ଚଳରେ ନିଜ ବାଣୀ ପ୍ରଚାର କରି ୧୮୩୮ ମସିହାରେ ସେ କପିଳାସ ଯାଇ ସେଠାରେ ଅବସ୍ଥାନ କରିଥିଲେ। ୧୮୬୨ ମସିହାରେ ସିଦ୍ଧିଲାଭ କରି ମହିମା ଧର୍ମକୁ ଆନୁଷ୍ଠାନିକ ରୂପ ଦେଇଥିଲେ। ତାଙ୍କ ସିଦ୍ଧିକୁ ପ୍ରସିଦ୍ଧି ବୋଲି ବୁଝିବାକୁ ହେବ। ସେତେବେଳକୁ ସମାଜରେ ତାଙ୍କ ବାଣୀର ଗ୍ରହଣୀୟତା ବୃଦ୍ଧି ପାଇସାରିଥିଲା। ତାଙ୍କ ପ୍ରଥମ ଶିଷ୍ୟ ଗୋବିନ୍ଦ ଦାସ ଏବଂ ପରବର୍ତ୍ତୀ ସମୟରେ ସନ୍ଥକବି ଭୀମଭୋଇ ମହିମା ଧର୍ମ ଓ ଦର୍ଶନର ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ରାଜା ରାମମୋହନ ରାୟ ଓ ଦୟାନନ୍ଦଙ୍କ ପରି ପ୍ରଜ୍ଞାପୁରୁଷମାନଙ୍କ ଚିନ୍ତା ଚେତନା ସହିତ ମୁକୁନ୍ଦ ଦାସ ଓରଫ ମହିମା ଗୋସାଇଁଙ୍କ ଭାବଧାରାର ରହିଛି ଅପୂର୍ବ ସାମଞ୍ଜସ୍ୟ। ବରଂ ପାରମ୍ପରିକ ଓ ଆଧୁନିକ ଜ୍ଞାନରେ ନିପୁଣ ରାଜା ରାମମୋହନ ରାୟ ଓ ଦୟାନନ୍ଦଙ୍କ ପୂର୍ବରୁ ସଂସ୍କାରର ମାର୍ଗ ଉନ୍ମୋଚନ କରିଥିଲେ ସ୍ୱଳ୍ପଶିକ୍ଷିତ ମୁକୁନ୍ଦ ଦାସ। ମୁକୁନ୍ଦ ଦାସ ଇଂରେଜୀ ପଢ଼ି ନ ଥିଲେ। ଓଡ଼ିଆ ଓ ସଂସ୍କୃତ ଛଡ଼ା ଅନ୍ୟ କୌଣସି ଭାଷା ତାଙ୍କୁ ଜଣା ନ ଥିଲା। ପାଶ୍ଚାତ୍ୟ ସଂସ୍କୃତି ସହିତ ବିଶେଷ ପରିଚୟ ନ ଥିଲା ତାଙ୍କର। ତା’ ସତ୍ତ୍ୱେ ତାଙ୍କ ଚିନ୍ତାରେ ଥିଲା ଅନନ୍ୟ ମୌଳିକତା ଓ ଆଧୁନିକତାର ପ୍ରଲେପ। ୧୮୨୬ ମସିହାକୁ ମହିମା ଧର୍ମର ଆରମ୍ଭ ବୋଲି ବିବେଚନା କଲେ, ଏହା ବ୍ରାହ୍ମ ସମାଜର ପୂର୍ବବର୍ତ୍ତୀ ଏକ ସଂସ୍କାରଧାରା। ୧୮୬୨ ମସିହାକୁ ମହିମା ଧର୍ମର ଆନୁଷ୍ଠାନିକ ପ୍ରତିଷ୍ଠା ବର୍ଷ ବୋଲି ଧରାହେଲେ ମଧ୍ୟ ଏହି ମାର୍ଗ ପ୍ରାର୍ଥନା ଓ ଆର୍ଯ୍ୟ ସମାଜର ପୂର୍ବସୂରି। ପାଶ୍ଚାତ୍ୟ ଶିକ୍ଷା ବିନା ନବସୃଜନ ଯେ ସମ୍ଭବ, ତା’ର ପ୍ରମୂର୍ତ୍ତ ଦୃଷ୍ଟାନ୍ତ ମହିମା ଗୋସାଇଁ।

ବ୍ରାହ୍ମ ସମାଜାଦି ସଂସ୍କାର ସଂସ୍ଥାଗୁଡ଼ିକ ସହରାଞ୍ଚଳରେ ଗଠିତ ଓ ପୋଷିତ ହୋଇଥିବାବେଳେ ମହିମା ଧର୍ମର ଭିତ୍ତି ଥିଲା ପରାଧୀନ ଭାରତର ଗ୍ରାମାଞ୍ଚଳ। ଅନ୍ୟ ସଂସ୍ଥାଗୁଡ଼ିକର ବାଣୀ ଓ ବାର୍ତ୍ତା ଭାରତୀୟ ଶିକ୍ଷିତ ଗୋଷ୍ଠୀ ମଧ୍ୟରେ ସୀମିତ ଥିବାବେଳେ ମହିମା ବାର୍ତ୍ତା ଭାରତର ସ୍ୱଳ୍ପଶିକ୍ଷିତ, ଅଶିକ୍ଷିତ ଓ ବଞ୍ଚିତ ବର୍ଗକୁ ସ୍ପର୍ଶ କରିଥିଲା। ଏମନ୍ତ ବିଚାରରେ ମହିମା ଧର୍ମ ଯେ ପ୍ରତିଷ୍ଠା ଓ ପ୍ରଭାବ ଦୃଷ୍ଟିରୁ ଊନବିଂଶ ଶତାବ୍ଦୀର ସର୍ବାଗ୍ରଗଣ୍ୟ ଅନୁଷ୍ଠାନ, ଏଥିରେ ଦ୍ୱିମତ ନାହିଁ। ଉଲ୍ଲେଖ ବାହୁଲ୍ୟ ଯେ, ଏହା ସମାଜ ସଂସ୍କାରର ଆଦ୍ୟ ଉଚ୍ଚାରଣ। ବ୍ରାହ୍ମ ସମାଜ, ପ୍ରାର୍ଥନା ସମାଜ, ଆର୍ଯ୍ୟ ସମାଜ ଆଦି ବିଷୟରେ ଭାରତ ଇତିହାସରେ ପର୍ଯ୍ୟାପ୍ତ ଉଲ୍ଲେଖ ରହିଥିବା ସ୍ଥଳେ ‘ମହିମା ଧର୍ମ’ ବିଷୟରେ ସାମାନ୍ୟ ସୂଚନା ମଧ୍ୟ ନାହିଁ। ଏସବୁ ଆମ ଇତିହାସକାରମାନଙ୍କ ଦୃଷ୍ଟି ଉହାଡ଼ରେ ରହିଯାଉଛି କାହିଁକି?
ମୋ: ୯୪୩୭୧୪୩୮୯୬