ବସନ୍ତ ଦାସ ଏକ ନିଆରା ମଣିଷ

ଏକାଦଶାହ ଉପଲକ୍ଷେ - ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର

ଓଡ଼ିଶାର ଜନଜୀବନ, ସାମ୍ବାଦିକତା ଜଗତ, ବୁଦ୍ଧିଜୀବୀ ସମାଜ, ସାହିତ୍ୟ ସମାବେଶ ଓ ସବୁଠାରେ ଏକ ନିଆରା ମଣିଷ ଥିଲେ ବିଶିଷ୍ଟ ସ୍ତମ୍ଭକାର, ଧୂରୀଣ ରାଜନୈତିକ ବିଶ୍ଳେଷକ ସ୍ବର୍ଗତ ବସନ୍ତ ଦାସ। ସବୁ କ୍ଷେତ୍ରରେ ସ୍ବତନ୍ତ୍ରତାର ଛାପ। ଟେଲିଫୋନ୍ ଘଣ୍ଟି ବାଜିବ, ଉତ୍ତର ‘ବସନ୍ତ’, ପୋଷାକ ପରିପାଟି ଅନ୍ୟ ସାମ୍ବାଦିକ ବନ୍ଧୁମାନଙ୍କଠାରୁ ସ୍ବତନ୍ତ୍ର, ଖାଣ୍ଟି ହାତବୁଣା ଖଦୀ। ନିଜ ଘରର ପରିବେଶ, ପରିଷ୍କାର ପରିଚ୍ଛନ୍ନ ସହ ସବୁକିଛି ବ୍ୟବସ୍ଥିତ। ନିଜ ଅଫିସ୍ ରୁମ୍‌ର ପୁସ୍ତକ, ସମ୍ମାନ ଫଳକ ଓ ଅଭିନନ୍ଦନ ପତ୍ରର ବ୍ୟବସ୍ଥିତ ପରିପାଟୀ ଯେ କୌଣସି ବ୍ୟକ୍ତିକୁ ନିଶ୍ଚିତ ପ୍ରଭାବିତ କରିବ। ତାଙ୍କ ଘରର ପରିବେଶ ଓ ପୁଷ୍ପବାଟିକାର ସ୍ୱତନ୍ତ୍ରତା ଯେ ଦେଖିଥିବ ସେ ନିଶ୍ଚିତ ଅନୁଭବ କରିପାରିଥିବ। ବନ୍ଧୁ ଦର୍ଶନରେ ସ୍ବାଗତ ଠାରୁ ବିଦାୟ ଦେବାରେ ମଧ୍ୟ ସ୍ବତନ୍ତ୍ରତା ପରିଲିଖିତ ହୋଇଥାଏ ସ୍ବର୍ଗତ ବସନ୍ତ ଦାସଙ୍କଠାରେ।

ତାଙ୍କ ହାତଗଢା ମିଡ଼ିଆ ଏକାଡ଼େମୀ ପକ୍ଷରୁ ଚାରି ପାଞ୍ଚଗୋଟି କାର୍ଯ୍ୟକ୍ରମ ସେ ପ୍ରତିବର୍ଷ କରିଥାନ୍ତି, ତା’ର ମଧ୍ୟ ସ୍ବତନ୍ତ୍ରତାର ବାସ୍ନା ବାରିହୋଇପଡ଼େ। ଅତିଥି ଚୟନଠାରୁ ଶ୍ରୋତାବୃନ୍ଦ ମଧ୍ୟ ସମାଜର ଆଗଧାଡ଼ିର ମଣିଷ ହିଁ ରହିଥାନ୍ତି। ବନ୍ଧୁ ସଂଖୋଳା ତ, ବସନ୍ତ ଭାଇଙ୍କଠାରୁ ଶିଖିବାର କଥା… ? ଖାଇବାକୁ ଦେବାରେ କେବଳ ସେ ଆନନ୍ଦ ନୁହେଁ, କେଉଁ ଖାଦ୍ୟରେ ଅତିଥି ଖୁସି ହେବେ ସେଥିରେ ତାଙ୍କର ଆନନ୍ଦକୁ ଭାଷାରେ ପ୍ରକାଶ କରିହେବ ନାହିଁ । ବିରିବରା ଗରମ ଗରମ, ତା’ ସାଙ୍ଗକୁ କଟକ ଭୁଗୁନିକୁ, ଗରମ ମାଲପୁଆ, ତା’ ମଜା ନିଆରା। ଏ କଥାକୁ କିଏ ଜାଣିଥିଲା ତ, ଖାଣ୍ଟି କଟକିଆ ବସନ୍ତ ଦାସ।

ଜନ୍ମ ଏକ ସ୍ବାଧୀନତା ସଂଗ୍ରାମୀ ପରିବାରରେ । ବିଦ୍ୟା ଅଧ୍ୟୟନ କଟକ ସହର। ମେଧାବୀ ଛାତ୍ର, କିନ୍ତୁ ଜୀବନ ଧାରଣ ପାଇଁ ବୃତ୍ତି ସାମ୍ବାଦିକତା। ଓଡ଼ିଶା ପ୍ରଶାସନିକ ସେବା ଚାକିରୀ ଛାଡ଼ି ସାମ୍ବାଦିକତା ପ୍ରତି ଏକ ଅହେତୁକ ମୋହ। ଆଦର୍ଶ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ। କଂଗ୍ରେସ ସମର୍ଥିତ ଛାତ୍ର ସଂଗଠନର ଛାତ୍ରନେତା। ୧୯୬୫ ମସିହାରୁ ଧରିଥିବା କଲମ ୨୦୨୧ ମସିହା ମଇ ୧୯ ତାରିଖ ପର୍ଯ୍ୟନ୍ତ ଅବିଶ୍ରାମ ଗତିରେ ଚାଲିଥିଲା । ହସ୍ପିଟାଲ ବେଡ଼ ଉପରୁ ଲେଖା ହୋଇଥିବା ଶେଷ ଲେଖା ଦୈନିକ ‘ଓଡ଼ିଶା ଏକ୍ସପ୍ରେସ’ରେ ଜୁନ୍ ୧ ତାରିଖ ଦିନ ପ୍ରକାଶ ପାଇଛି । ବସନ୍ତ ଦାସଙ୍କ ହାତଲେଖା ଅକ୍ଷରର ମଧ୍ୟ ଏକ ସ୍ବତନ୍ତ୍ରତା ରହିଛି । ଏତେ ଛୋଟ ଏତେ ସ୍ପଷ୍ଟ ଯେ, ବୟସାଧିକ କମ୍ପୋଜିଟରଙ୍କୁ ମଧ୍ୟ ଯେପରି ପଢିବାରେ ଅସୁବିଧା ନହେବ, ସେଥିପାଇଁ ମଧ୍ୟ ସାମ୍ବାଦିକ ବସନ୍ତ ଦାସଙ୍କର ସ୍ବତନ୍ତ୍ର ଦୃଷ୍ଟି ।

କଟକ ସହରକୁ ସେ ପ୍ରାଣ ଦେଇ ଭଲ ପାଉଥିଲେ। ସେ କଟକ ସହରର ଭାଇଚାରାକୁ ନେଇ ତାଙ୍କର ଥିଲା ଶେଷ ଲେଖା। ଜୀବନକାଳ ମଧ୍ୟରେ ବିଶେଷ ଭାବରେ ୧୯୯୭ ମସିହାଠାରୁ ୨୦୨୧ ମସିହା ମଧ୍ୟରେ ୧୭ଖଣ୍ଡ ପୁସ୍ତକ ଓଡ଼ିଆ ଓ ଇଂରାଜୀ ଭାଷାରେ ଲେଖିଛନ୍ତି। ଯେଉଁ ପୁସ୍ତକଗୁଡ଼ିକ ତାଙ୍କୁ ସବୁ କ୍ଷେତ୍ରରେ ଦିଏ ସ୍ବତନ୍ତ୍ରତା। ଏହି ସ୍ୱତନ୍ତ୍ର ମଣିଷଙ୍କୁ, ଏ ଜାତି ନିଶ୍ଚିତ ମନେରଖିବ। ତାଙ୍କ ଅମୂଲ୍ୟ ଗ୍ରନ୍ଥ ‘ଓଡ଼ିଶା ରାଜନୀତିର ଗୋପନ କଥା’ ଓ ‘Political History of Modern Odisha’କୁ ନେଇ। ସେଇ ସ୍ବତନ୍ତ୍ର ମଣିଷ ବସନ୍ତ ଦାସଙ୍କ ଏକାଦଶାହରେ କୋଟି ପ୍ରଣାମ ଜଣାଉଛି।

ମୁଖ୍ୟ ସଂଯୋଜକ, ମିଡ଼ିଆ ଏକାଡ଼େମୀ
ମୋ : ୯୩୩୭୧୧୭୪ ୨୯

ସମ୍ବନ୍ଧିତ ଖବର