ଦୀର୍ଘ ଆଠ ବର୍ଷର ବ୍ୟବଧାନ ପରେ ଆସନ୍ତା ବର୍ଷ ଫେବ୍ରୁଆରି ଓ ମାର୍ଚ୍ଚ ମାସରେ ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଯାଉଛି ଅନ୍ତଃରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ ବା ଇଣ୍ଟର୍‌ନେସ୍‌ନାଲ୍ କ୍ରିକେଟ୍ କାଉନ୍‌ସିଲ୍ (ଆଇସିସି) ଦ୍ବାରା ଆୟୋଜିତ ଚାମ୍ପିଅନ୍‌ସ ଟ୍ରଫି। କିନ୍ତୁ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ରାଜନୈତିକ ତିକ୍ତତା ପୃଷ୍ଠଭୂମିରେ ଭାରତ ଏହି ଟୁର୍ନାମେଣ୍ଟରେ ଖେଳିବା ପାଇଁ ପାକିସ୍ତାନ ଯିବ କି ନାହିଁ, ସେ ନେଇ ଏବେ ବି ପ୍ରଶ୍ନବାଚୀ ଲାଗି ରହିଛି। ଆଶା କରାଯାଉଥିଲା ଯେ ଗତ ଜୁଲାଇ ମାସରେ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ଠାରେ ହୋଇଥିବା ‘ଆଇସିସି’ ବୈଠକରେ ଏ ନେଇ କିଛି ନିଷ୍ପତ୍ତି ନିଆଯିବ। କିନ୍ତୁ ସେଭଳି କିଛି ହେଲା ନାହିଁ। ବରଂ, ବୈଠକରେ ପାରିତ ପ୍ରସ୍ତାବରୁ ସ୍ପଷ୍ଟ ସୂଚନା ମିଳୁଛି ଯେ ପାକିସ୍ତାନ ନ ଯିବାପାଇଁ ଓ ପାକିସ୍ତାନ ସହ ଶ୍ରୀଲଙ୍କା ବା ଦୁବାଇରେ ଏହି ଟୁର୍ନାମେଣ୍ଟ ଯୁଗ୍ମ ଭାବେ ଆୟୋଜନ କରିବା ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଚାପ ଆଗରେ ପୁଣି ଥରେ ମୁଣ୍ଡ ନୁଅଁାଇବା ପାଇଁ ଆଇସିସି ପ୍ରସ୍ତୁତି କରୁଛି। 
କଲମ୍ବୋ ବୈଠକରେ ଗୃହୀତ ପ୍ରସ୍ତାବରେ ଚାମ୍ପିଅନ୍‌ସ ଟ୍ରଫି ପାଇଁ ୬୫ ମିଲିଅନ୍ ଡଲାର୍ (ପ୍ରାୟ ୫୪୪ କୋଟି ଟଙ୍କା)ର ବ୍ୟୟ ବରାଦକୁ ମଞ୍ଜୁରି ଦିଆଯିବା ସହ କୁହାଯାଇଛି ଯେ ଟୁର୍ନାମେଣ୍ଟର କିଛି ମ୍ୟାଚ୍ ପାକିସ୍ତାନ ବାହାରେ ଆୟୋଜିତ ହେବାର ସମ୍ଭାବନା ପରିପ୍ରେକ୍ଷୀରେ ସେ ବାବଦକୁ ହେବାକୁ ଥିବା ସମ୍ଭାବ୍ୟ ଖର୍ଚ୍ଚ ଏହି ବଜେଟ୍‌ର ଅନ୍ତର୍ଭୁକ୍ତ। ନିୟମ ଅନୁସାରେ କୌଣସି ଦେଶ ‘ଆଇସିସି’ ଆୟୋଜିତ ଟୁର୍ନାମେଣ୍ଟରେ ଭାଗ ନ ନେଲେ ଯୋଗ୍ୟତା ସୂଚିରେ ପରବର୍ତ୍ତୀ ସ୍ଥାନରେ ଥିବା ଦେଶକୁ ଖେଳିବାର ସୁଯୋଗ ମିଳେ। ସେହି ନିୟମ ଅନୁଯାୟୀ ଭାରତ ଯଦି ଶେଷରେ ଚାମ୍ପିଅନ୍‌ସ ଟ୍ରଫି ଖେଳିବାକୁ ପାକିସ୍ତାନ ନ ଯାଏ, ତେବେ ନବମ ସ୍ଥାନରେ ଥିବା ଶ୍ରୀଲଙ୍କାକୁ ଖେଳିବାର ସୁଯୋଗ ମିଳିବା କଥା। (ଏହି ଟୁର୍ନାମେଣ୍ଟରେ ଆଠଟି ଦଳ ଭାଗ ନେବେ)। କିନ୍ତୁ ‘ଆଇସିସି’ ଦ୍ବାରା ଗୃହୀତ ପ୍ରସ୍ତାବରୁ ସ୍ପଷ୍ଟ ସୂଚନା ମିଳୁଛି ଯେ ଏଭଳି କିଛି ହେବାର ସମ୍ଭାବନା କ୍ଷୀଣ। ବରଂ ଭାରତ ଯେପରି ନିଜ ସର୍ତ୍ତରେ ଟୁର୍ନାମେଣ୍ଟ ଖେଳି ପାରିବ, ତାହା ନିଶ୍ଚିତ କରିବା ପାଇଁ ନିୟମରେ ଆବଶ୍ୟକ ପରିବର୍ତ୍ତନ କରିବା ପାଇଁ ‘ଆଇସିସି’ ପ୍ରସ୍ତୁତ! 
ଉଲ୍ଲେଖଯୋଗ୍ୟ ଯେ ‘ବିସିସିଆଇ’କୁ ସନ୍ତୁଷ୍ଟ କରିବାକୁ ଯାଇ ‘ଆଇସିସି’ କୌଣସି ଏକ ପ୍ରମୁଖ ଟୁର୍ନାମେଣ୍ଟର କାର୍ଯ୍ୟସୂଚିରେ ପରିବର୍ତ୍ତନ କରିବାର ଏହା ପ୍ରଥମ ଦୃଷ୍ଟାନ୍ତ ନୁହେଁ। ଗତ ବର୍ଷ ଆୟୋଜିତ ଏସିଆ କପ୍‌ରେ ମଧ୍ୟ ସମାନ ଘଟଣା ଘଟିଥିଲା। ଚାମ୍ପିଅନ୍‌ସ ଟ୍ରଫି ପରି ଏସିଆ କପ୍ ଆୟୋଜନର ଅଧିକାର ମଧ୍ୟ ଏକଚାଟିଆ ଭାବେ ପାକିସ୍ତାନକୁ ମିଳିଥିଲା। କିନ୍ତୁ ପାକିସ୍ତାନ ନ ଯିବା ପାଇଁ ଭାରତୀୟ ବୋର୍ଡର ଜିଦ୍ ଯୋଗୁଁ ଶେଷ ମୁହୂର୍ତ୍ତରେ ଟୁର୍ନାମେଣ୍ଟର ଅର୍ଦ୍ଧାଧିକ ମ୍ୟାଚ୍ ଶ୍ରୀଲଙ୍କାରେ ଆୟୋଜନ କରାଗଲା, ଯେମିତିକି ଭାରତ ତା’ର ସବୁଯାକ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିବ। ତା’ ପୁଣି ଏମିତି ସମୟରେ ଯେତେବେଳେ ଶ୍ରୀଲଙ୍କାରେ ବର୍ଷା ଋତୁ ଚାଲିଥିଲା ଓ ଅଧିକାଂଶ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ବା ବାଧାପ୍ରାପ୍ତ ହେବାର ଆଶଙ୍କା ଥିଲା। ବସ୍ତୁତଃ, ତାହା ହେଲା ମଧ୍ୟ। କଲମ୍ବୋରେ କ୍ରମାଗତ ବର୍ଷା ଯୋଗୁଁ କିଛି ମ୍ୟାଚ୍ ଶେଷ ମୁହୂର୍ତ୍ତରେ ହମ୍ବନତୋଟାକୁ ସ୍ଥାନାନ୍ତର କରାଗଲା। କେବଳ ସେତିକି ନୁହେଁ, ‘ଆଇସିସି’ର ସବୁ ନିୟମକାନୁନକୁ ଉଲ୍ଲଂଘନ କରି ପ୍ରଥମ ଥର ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଏକ ଗ୍ରୁପ୍ ମ୍ୟାଚ୍ ପାଇଁ ଏକ ରିଜର୍ଭ ଦିନ ରଖାଗଲା, ଯେପରିକି ନିର୍ଦ୍ଧାରିତ ଦିନ ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ ହେଲେ ମଧ୍ୟ ତାହା ପର ଦିନ ଖେଳାଯାଇ ପାରିବ ଓ ‘ବିସିସିଆଇ’ ଏହି ମ୍ୟାଚ୍‌ର ଟେଲିଭିଜନ ପ୍ରସାରଣରରୁ ପାଇବାକୁ ଥିବା ପ୍ରଚୁର ଅର୍ଥ ହରାଇବ ନାହିଁ। ପ୍ରକାଶ ଥାଉ କି ‘ଆଇସିସି’ ନିୟମ ଅନୁସାରେ କେବଳ ନକ୍‌ଆଉଟ୍ ମ୍ୟାଚ୍ (ସେମିଫାଇନାଲ ଓ ଫାଇନାଲ) ପାଇଁ ହିଁ ରିଜର୍ଭ ଡେ’ ରଖାଯାଇଥାଏ। କିନ୍ତୁ ଭାରତୀୟ ବୋର୍ଡର ଇଚ୍ଛା ଅନୁଯାୟୀ ଏହି ନିୟମରେ ପରିବର୍ତ୍ତନ କରିବାକୁ ‘ଆଇସିସି’ ଏକ ପ୍ରକାର ବାଧ୍ୟ ହେଲା।
କିନ୍ତୁ ଗତ ଜୁନ୍‌ ମାସରେ ୱେଷ୍ଟ ଇଣ୍ଡିଜ ଓ ଆମେରିକାରେ ଯୁଗ୍ମ ଭାବେ ଆୟୋଜିତ ଟି-୨୦ ବିଶ୍ବ କପ୍‌ରେ ଯାହା ହେଲା, ତା’ ତୁଳନାରେ ଏହା କିଛି ନୁହେଁ। ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ହିଁ ନିର୍ଦ୍ଧାରିତ ହୋଇସାରିଥିଲା ଯେ ଭାରତ ଯଦି ସେମିଫାଇନାଲ୍‌କୁ ଯାଏ, ତେବେ ସେହି ମ୍ୟାଚ୍ ୱେଷ୍ଟ ଇଣ୍ଡିଜର ଗୟାନା ଠାରେ ଖେଳାଯିବ! ପୂର୍ବରୁ କୌଣସି ଦେଶ ପାଇଁ ଏଭଳି ବ୍ୟବସ୍ଥା ହେବାର କେବେ ଶୁଣାଯାଇ ନ ଥିଲା। 
ଆନ୍ତର୍ଜାତିକ କ୍ରିକେଟ୍‌ରେ ‘ବିସିସିଆଇ’ କିପରି ଦାଦାଗିରି କରୁଛି, ଉପରୋକ୍ତ ଘଟଣାସବୁ ତାହାର ଗୋଟିଏ ଗୋଟିଏ ଉଦାହରଣ। ଅନ୍ୟ ସଦସ୍ୟ ରାଷ୍ଟ୍ରମାନେ କାହିଁକି ଭାରତୀୟ ବୋର୍ଡର ଏ ପ୍ରକାର ଦାଦାଗିରିକୁ ବରଦାସ୍ତ କରୁଛନ୍ତି, ତା’ର କାରଣ କାହାରିକୁ ଅଛପା ନାହିଁ। ବର୍ତ୍ତମାନ ଆନ୍ତର୍ଜାତିକ କ୍ରିକେଟ୍‌କୁ ଇନ୍ଧନ (ଅର୍ଥ) ଯୋଗାଉଛି ଭାରତ। ‘ଆଇସିସି’ର ବଜେଟ୍‌ରେ ଖର୍ଚ୍ଚ ହେଉଥିବା ଅର୍ଥର ୭୦-୮୦% ଆସୁଛି ଭାରତରୁ। କେବଳ ସେତିକି ନୁହେଁ, କ୍ରିକେଟ୍ ଖେଳୁଥିବା ପ୍ରାୟ ସବୁ ଦେଶ ପାଇଁ ଏବେ ଭାରତ ପାଲଟିଛି ‘ଦୁଧିଆଳୀ ଗାଈ’। କାରଣ ଅପେକ୍ଷାକୃତ କମ୍ ସ୍ୱଚ୍ଛଳ ବୋର୍ଡମାନଙ୍କ ପାଇଁ ଆୟ ବୃଦ୍ଧିର ସବୁଠାରୁ ନିର୍ଭରଯୋଗ୍ୟ ସୁତ୍ର ହେଲା ଭାରତ ସହିତ ଏକ ଦ୍ୱିପାକ୍ଷିକ ସିରିଜ୍। ଭାରତରେ କ୍ରିକେଟ୍‌ପ୍ରେମୀଙ୍କ ସଂଖ୍ୟା ପ୍ରାୟ ୧୦୦ କୋଟି। ତେଣୁ ଭାରତ ସହ ଏକ ସିରିଜ୍ ଖେଳିଲେ କେବଳ ଟେଲିଭିଜନ ପ୍ରସାରଣରୁ ଯେତିକି ଆୟ ହୁଏ, ତାହା ଅନେକ ବୋର୍ଡଙ୍କର ବାର୍ଷିକ ବଜେଟ୍ ଠାରୁ ମଧ୍ୟ ଅଧିକ। ତେଣୁ ଭାରତର ସବୁ ଔଦ୍ଧତ୍ୟକୁ ବରଦାସ୍ତ କରିବା ଅନ୍ୟ ସବୁ ବୋର୍ଡ ଓ ‘ଆଇସିସି’ ପାଇଁ ଏକ ଅର୍ଥନୈତିକ ବାଧ୍ୟବାଧକତା ପାଲଟିଛି। ସେଇଥି ପାଇଁ ବର୍ତ୍ତମାନ ‘ବିସିସିଆଇ’କୁ ଏବେ ଆନ୍ତର୍ଜାତିକ କ୍ରିକେଟ୍‌ର ‘ବୁଲି’ (ଦାଦା)ର ଅବାଞ୍ଛିତ ଉପାଧି ମିଳିଛି!
କିନ୍ତୁ ସବୁ ଦିନ ଏମିତି ନ ଥିଲା। ଦିନ ଥିଲା ଯେତେବେଳେ ଇଂଲାଣ୍ଡ୍ ଓ ଅଷ୍ଟ୍ରେଲିଆ ଆନ୍ତର୍ଜାତିକ କ୍ରିକେଟ୍‌କୁ ନିୟନ୍ତ୍ରଣ କରୁଥିଲେ। ବିଶ୍ବରେ କ୍ରିକେଟ୍‌ର ପ୍ରଶାସନ, ପ୍ରଚାର ଓ ପ୍ରସାର ପାଇଁ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ବା ଇଣ୍ଟର୍‌ନେସନାଲ୍ କ୍ରିକେଟ୍ କାଉନ୍‌ସିଲ୍ (ଆଇସିସି) ଥିଲା ସତ, କିନ୍ତୁ କ୍ରିକେଟ୍‌ର ନିୟମାବଳୀ ପ୍ରଣୟନ ଓ ଦ୍ୱିପାକ୍ଷିକ ଶୃଙ୍ଖଳା ଆୟୋଜନ ଠାରୁ ଆରମ୍ଭ କରି ଟେଲିଭିଜନ ପ୍ରସାରଣ ଓ ଖେଳାଳିଙ୍କ ପାଇଁ ଆଚରଣବିଧି ପ୍ରସ୍ତୁତ କରିବା ପର୍ଯ୍ୟନ୍ତ ସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏହି ଦୁଇ ଦେଶର କ୍ରିକେଟ୍ ବୋର୍ଡଙ୍କ ଇଚ୍ଛା ମୁତାବକ ହିଁ ନିଆଯାଉଥିଲା। କିନ୍ତୁ ୧୯୮୩ରେ ଅପ୍ରତ୍ୟାଶିତ ଭାବେ ଭାରତ ବିଶ୍ବ କପ୍ ଜିତିବା ପରେ ଦେଶରେ କ୍ରିକେଟ୍‌ର ଲୋକପ୍ରିୟତା ଆଶାତୀତ ଭାବେ ବଢ଼ିଚାଲିଲା। ଆଉ ତା’ ସହ ତାଳଦେଇ ବଢ଼ିଚାଲିଲା ‘ବିସିସିଆଇ’ର ଆୟ। 
ଦେଶରେ କ୍ରିକେଟ୍‌ର ଲୋକପ୍ରିୟତା ଓ ଖେଳରୁ ଆୟ ଏତେ ବୃଦ୍ଧି ପାଇଲା ଯେ ୧୯୮୭ ମସିହାରେ ଭାରତ ପ୍ରଥମ ଥର ପାଇଁ ଏକଦିବସୀୟ ବିଶ୍ବ କପ୍‌ର ଆୟୋଜନ କଲା, ଯାହାର ପ୍ରାୟୋଜକ ଥିଲା ରିଲାଏନ୍‌ସ କମ୍ପାନି। ତଦନୁଯାୟୀ ଏହି ବିଶ୍ୱ କପ୍‌ର ନାମ ରଖାଗଲା ‘ରିଲାଏନ୍‌ସ କପ୍’। ଉଲ୍ଲେଖଯୋଗ୍ୟ ଯେ ୧୯୮୩ ବିଶ୍ବ କପ୍ ସମେତ ଏହା ପୂର୍ବରୁ ହୋଇଥିବା ତିନିଟିଯାକ ବିଶ୍ବ କପ୍ ଇଂଲାଣ୍ଡରେ ଆୟୋଜିତ ହୋଇଥିଲା ଓ ତିନିଟି ଯାକର ପ୍ରାୟୋଜକ ଥିଲା ସେଠାକାର ଅଗ୍ରଣୀ ବୀମା କମ୍ପାନି ‘‘ପ୍ରୁଡେନ୍‌ସିଆଲ୍‌’ ଏବଂ ତିନିଟିଯାକ ବିଶ୍ବ କପ୍‌ର ନାମ ରହିଥିଲା ‘ପ୍ରୁଡେନ୍‌ସିଆଲ୍‌ କପ୍’। ଅଷ୍ଟ୍ରେଲିଆ ଓ ୱେଷ୍ଟ ଇଣ୍ଡିଜ ପରି ଶକ୍ତିଶାଳୀ ଦେଶ ଥାଉ ଥାଉ ପ୍ରଥମ ଥର ଇଂଲାଣ୍ଡ ବାହାରେ ଆୟୋଜିତ ହେଉଥିବା ବିଶ୍ବ କପ୍ ଭାରତକୁ ଆସିବା କମ୍‌ ବଡ଼ କଥା ନ ଥିଲା। ଏହା ଥିଲା ୧୯୮୩ର ବିଶ୍ବ କପ୍ ବିଜୟ ପରେ ଆନ୍ତର୍ଜାତିକ କ୍ରିକେଟ୍‌ରେ ଭାରତର କ୍ରମବର୍ଦ୍ଧିଷ୍ଣୁ ଶକ୍ତି ଓ ଗୁରୁତ୍ୱର ଏକ ବଳିଷ୍ଠ ନିଦର୍ଶନ। 
ପରବର୍ତ୍ତୀ ସମୟରେ ଭାରତରେ କ୍ରିକେଟ୍‌ର ଲୋକପ୍ରିୟତା ଓ ତା’ ସହିତ ‘ବିସିସିଆଇ’ର ଆୟ ଚକ୍ରବୃଦ୍ଧି ହାରରେ ବଢ଼ିଚାଲିଲା। ବିଶେଷ କରି ୨୦୦୮ରେ ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍) ଆରମ୍ଭ ହେବା ପରେ ‘ବିସିସିଆଇ’ ପୃଥିବୀର ସବୁଠାରୁ ଧନୀ ଖେଳ ବୋର୍ଡ ପାଲଟିଗଲା। କେବଳ ‘ଆଇପିଏଲ୍‌’ର ପ୍ରସାରଣ ଓ ମିଡିଆ ରାଇଟ୍‌ସ (ସ୍ବତ୍ତ୍ୱ)ରୁ ‘ବିସିସିଆଇ’ ଆୟ କରେ ୬ ବିଲିଅନ୍ ଡଲାର୍‌ରୁ ଅଧିକ। ଏବଂ ସେହି ଅମାପ ଧନରେ ମଦମସ୍ତ ‘ବିସିସିଆଇ’ କେବଳ ‘ଆଇସିସି’ ଓ ଅନ୍ୟ କ୍ରିକେଟ୍‌ ବୋର୍ଡମାନଙ୍କୁ ନୁହେଁ, ଭାରତ ସରକାରଙ୍କୁ - ଏପରିକି ଦେଶର ସର୍ବୋଚ୍ଚ ନ୍ୟାୟାଳୟକୁ ମଧ୍ୟ - ନାଲିଆଖି ଦେଖାଇବାକୁ ପଛାଇ ନାହିଁ। ୨୦୦୯ ମସିହାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭାରତ ସରକାର ଯେତେବେଳେ ସେ ବର୍ଷ ‘ଆଇପିଏଲ୍’ ପାଇଁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାରେ ଅସାମର୍ଥ୍ୟ ପ୍ରକାଶ କଲେ, ‘ବିସିସିଆଇ’ ଟୁର୍ନାମେଣ୍ଟକୁ ବାତିଲ କରିବା ବଦଳରେ ଦକ୍ଷିଣ ଆଫ୍ରିକାରେ ଏହାର ଆୟୋଜନ କଲା। ୨୦୧୫ ମସିହାରେ ସୁପ୍ରିମ୍‌ କୋର୍ଟ ଦ୍ବାରା ନିଯୁକ୍ତ ଜଷ୍ଟିସ୍‌ ଆର୍‌. ଏମ୍‌. ଲୋଧା କମିଟି ଯେତେବେଳେ ‘ବିସିସିଆଇ’ର ପରିଚାଳନାରେ ବ୍ୟାପକ ସଂସ୍କାର ପାଇଁ ସୁପାରିସ କଲା, ‘ବିସିସିଆଇ’ ଏହା ବିରୋଧରେ ସୁପ୍ରିମ୍ କୋର୍ଟ ଗଲା ଏବଂ ଯୁକ୍ତି ବାଢ଼ିଲା ଯେ ଯେହେତୁ ‘ବିସିସିଆଇ’ ଏକ ସ୍ବୟଂକ୍ରିୟ ସଂଗଠନ ଓ ସରକାରଙ୍କଠାରୁ କୌଣସି ଅନୁଦାନ ନିଏ ନାହିଁ, ତେଣୁ ଏହା ସରକାରୀ ନିୟନ୍ତ୍ରଣରେ ରହିବାକୁ ବାଧ୍ୟ ନୁହେଁ। ଏତିକି ନୁହେଁ, ‘ବିସିସିଆଇ’ ଏକ ‘ସୋସାଇଟି’ ବୋଲି ଯୁକ୍ତି କରି ସୂଚନା ଅଧିକାର ଆଇନ ପରିସର ଭିତରକୁ ଆସିବାକୁ ମଧ୍ୟ ସଫା ମନା କରିଦେଲା। ଅବଶ୍ୟ ୨୦୧୮ ମସିହାରେ ସୁପ୍ରିମ୍‌ କୋର୍ଟ ‘ବିସିସିଆଇ’ର ସମସ୍ତ ଯୁକ୍ତିକୁ ଅଗ୍ରାହ୍ୟ କରି ଲୋଧା କମିଟିର ସବୁ ସୁପାରିସ ଲାଗୁ କରିବାକୁ ନିର୍ଦ୍ଦେଶ ଦେଲେ ଏବଂ ତଦନୁଯାୟୀ ବିଳମ୍ବରେ ହେଉ ପଛେ ‘ବିସିସିଆଇ’ର ସଂସ୍କାର ପ୍ରକ୍ରିୟା ଆରମ୍ଭ ହେଲା। ପ୍ରଥମେ ବହୁ ବର୍ଷ ଧରି ‘ବିସିସିଆଇ’ ସଭାପତି ଗାଦି ମାଡ଼ି ବସିଥିବା ଏନ୍ ଶ୍ରୀନିବାସନ ହଟିଲେ ଓ ପରବର୍ତ୍ତୀ ସମୟରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର।
ଏମାନେ ସିନା ହଟିଲେ। କିନ୍ତୁ ଅମିତ କ୍ଷମତାଶାଳୀ ଭାରତର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ପୁତ୍ର ଜୟ ଶାହ ପାଲଟିଗଲେ ‘ବିସିସିଆଇ’ର ନୂଆ ‘ଜାର୍‌’। ‘ବିସିସିଆଇ’ର ସର୍ବଶକ୍ତିମାନ ସଚିବ ଓ ଏସୀୟ କ୍ରିକେଟ୍‌ ପରିଷଦ (ଏସିସି)ର ଅଧ୍ୟକ୍ଷ ଏବଂ ଏବେ ‘ଆଇସିସି’ର ଅଧ୍ୟକ୍ଷ ଭାବେ ଜୟ ଶାହ ବିଶ୍ବ କ୍ରିକେଟ୍‌କୁ ନିଜ ଆଙ୍ଗୁଠିରେ ନଚାଇବା ଆରମ୍ଭ କଲେ। ବହୁ ଦଶନ୍ଧି ଧରି ଇଂଲାଣ୍ଡ ଓ ଅଷ୍ଟ୍ରେଲିଆର ଦୌରାତ୍ମ୍ୟର ଶିକାର ହୋଇଥିବା ଭାରତ ଏବେ ଆନ୍ତର୍ଜାତିକ କ୍ରିକେଟ୍‌ର ‘ବଡ଼ଭାଇ’ ସାଜିଥିବାରୁ ଅନେକ ଭାରତୀୟ ଖୁସି। କିନ୍ତୁ ଏଥିରେ ସନ୍ଦେହ ନାହିଁ ଯେ ଏ ପ୍ରକାର ଦାଦାଗିରି ବିଶ୍ୱରେ କ୍ରିକେଟ୍‌ର ଭବିଷ୍ୟତ ପାଇଁ ଆଦୌ ଶୁଭଙ୍କର ନୁହେଁ।
ମୋ: ୯୯୩୭୨୨୮୧୨୨