ଦୀର୍ଘ କାଳ ପରେ ପରିବାରରେ ଝିଅଟିଏ ଜନ୍ମ ହୋଇ ଥିବାରୁ ଉତ୍ସବର ପରିବେଶ ହେଲା। କାରଣ ଝିଅ ଜନ୍ମର ଅର୍ଥ ମା’ ଲକ୍ଷ୍ମୀଙ୍କ ଗୃହ ପ୍ରବେଶ। ସେ ବଢ଼ିଲା ଏବଂ ଖୁବ୍‌ ଭଲ ପଢ଼ିଲା ମଧ୍ୟ। କେବଳ ସେତିକି ନୁହେଁ ସେ ଥିଲା ଅତ୍ୟନ୍ତ ସୁଶୀଳା। ସେ ପ୍ରଥମ ଶ୍ରେଣୀରେ ମାଟ୍ରିକ୍‌ ପାସ୍ କଲା ଏବଂ ମାଟ୍ରିକ ପାସ କରିବାରେ ‌ସେ ଥିଲା ଗାଁର ପ୍ରଥମ ଝିଅ। ମାଟ୍ରିକ ପରେ କଲେଜ ଏବଂ ସ୍ନାତକ ଶ୍ରେଣୀ‌ରେ ମଧ୍ୟ ପ୍ରଥମ ଶ୍ରେଣୀରେ ପାସ୍ କଲା। କିନ୍ତୁ ଏବେ ପରିବାର ସକାଶେ ସମସ୍ୟା ହୋଇ ଛିଡ଼ା ହୋଇଥିଲା ଅର୍ଥର ଅଭାବ ଏବଂ ଧର୍ମ ସଂକଟର ବିଷୟ ଥିଲା ସାନ ଭାଇ ଆଗକୁ ପଢ଼ିବ ନା ସେ? ସୁତରାଂ, ଯାହା ଘଟିବାର କଥା, ତାହା ହେଲା। ଝିଅ ପାଠ ଛାଡ଼ିଲା ଏବଂ ଚାକିରି କଲା, ଯାହା ଫଳରେ ସାନ ଭାଇ ଆଗକୁ ପଢ଼ି ପାରିବ!
ଏବେ ପରିବାରର ସ୍ଥିତି କିଛିଟା ସୁଧୁରିଲା। ଏତିକି ବେଳେ ବାପା ଝିଅକୁ କହୁଥିଲେ- ମା’, ତୁ ହେଉଛୁ ଘରର ଲକ୍ଷ୍ମୀ। ଆଗକୁ ତୋ ବାହାଘର; ଏବେ ଠାରୁ ତୋ ରୋଜଗାରରୁ କିଛି କିଛି ସଂଚୟ କର!
ଏଣେ ପୁଅ ଭଲ ସ୍କୁଲରେ ନାମ ଲେଖାଇଲା। ଟୁଇସନ ପାଇଁ ମଧ୍ୟ ଗଲା। ସେ ମଧ୍ୟ ଭଲ ପାଠ ପଢ଼ିଲା। ସେ ମଧ୍ୟ ଭଲ ନମ୍ବର ରଖି ମାଟ୍ରିକ ପାସ୍ କଲା ଓ ରାଜଧାନୀର ଏକ ଭଲ କଲେଜରେ ନାମ ଲେଖାଇଲା। ଏବେ ହଷ୍ଟେଲରେ ରହି ସେ ପାଠ ପଢ଼ିଲା। ବାପା କହିଲେ- ପୁଅ ଆମର ଭଲ ପଢୁଛି। ତା’ର କୌଣସି ଇଚ୍ଛା ଅପୂର୍ଣ୍ଣ ନ ରହୁ। ଯେତେ ପଢୁଛି ପଢୁ।
ଏଭଳି କିଛି ଦିନ ପରେ ବଡ଼ ଅଘଟଣ ଘଟିଗଲା। ବାପାଙ୍କ ଦେହାନ୍ତ ଓ ତା’ ପରେ ମା’ ଶଯ୍ୟାଶାୟୀ ହୋଇଗଲେ। ପରିବାର ଲାଗି ପୁଣି ଅଭାବର ଚଡ଼କ। ଝିଅ ସବୁ କଷ୍ଟ ସହି ନିଜ ଖର୍ଚ୍ଚ କମାଇ ପରିବାର ଚଳାଇଲା କାରଣ ସେ ଥିଲା ଘରର ଲକ୍ଷ୍ମୀ। ଏବେ ତା’ର ଏକମାତ୍ର ଲକ୍ଷ୍ୟ ଥିଲା ଭାଇ ପାଠ ପଢ଼ି ମଣିଷ ହେବ। ଏଣିକି ଭାଇ ଯାହା ମାଗୁଥିଲା, ଭଉଣୀ ଯେତେ କଷ୍ଟ ପଡୁ ପଛକେ ତାହା ପୂରଣ କରୁଥିଲା! ଏକମାତ୍ର ଲକ୍ଷ୍ୟ ଯେମିତି ଭାଇର କିଛି ଇଚ୍ଛା ଅପୂର୍ଣ୍ଣ ନ ରହେ!
ପୁଅ ରାଜଧାନୀରେ ପାଠ ପଢୁଥିଲା ଏବଂ ଝିଅ ଗାଁ ପାଖ ସହରରେ ପରିଶ୍ରମ କରି ହାଡ଼ ଭାଙ୍ଗୁଥିଲା। ଥରେ ଏମିତି ହେଲା ଯେ ଭାଇ ଠାରୁ ବେଶ୍‌ କିଛି ଦିନ ଧରି କୌଣସି ଖବର ଆସିଲା ନାହିଁ। ଏବେ ସେ ତା’ ଭାଇର ଭଲମନ୍ଦ ବୁଝିବା ଲାଗି ରାଜଧାନୀ ଆସିଲା। କିନ୍ତୁ, ଯାହା ଶୁଣିଲା ସେଥିରେ ତା’ର ପାଦ ତଳୁ ଯେମିତି ଭୂମି ଖସିଗଲା। ପ୍ରାୟ ଦଶ ଦିନ ହେବ ତା’ ଭାଇ ହଷ୍ଟେଲ ଛାଡ଼ି କୁଆଡ଼େ ଯାଇଛି ଜଣା ନାହିଁ!
ଏବେ ଝିଅ ଆଗରେ ସନ୍ଦେହ, ଉଦ୍‌ବେଗ, ହତାଶାର ଆବର୍ତ୍ତ! କେହି ଜଣେ କହୁଛି ଯେ ତା’ ଭାଇ କଲେଜ ବାହାରର ପିଲାଙ୍କ ସାଙ୍ଗେ ମିଶି ନିଶା ଅଭ୍ୟାସ କରୁଥିଲା। ଭାଇର କୌଣସି ଇଚ୍ଛା ଅପୂର୍ଣ୍ଣ ନ ରହୁ ବୋଲି ସେ ଟଙ୍କା ପଠାଉଥିଲା! ନିଜ ବାହାଘର ଲାଗି ସଞ୍ଚିଥିବା ଟଙ୍କା ବି ଶୂନ୍ୟ କରି ଦେଇଥିଲା। ଅଥଚ, ଭାଇର ଏଇ ଇଚ୍ଛା ପୂର୍ଣ୍ଣ କରୁଥିଲା ସେ?
ଝିଅ ଏବେ ଯେମିତି ପଥର ପାଲଟି ଯାଇଥିଲା। ଗଭୀର ହତାଶା ଏବଂ ଅଭିମାନରେ ସେ ଶୂନ୍ୟ ଦୃଷ୍ଟିରେ ଆକାଶକୁ ଚାହିଁଲା। ଆକାଶରେ ବାପାଙ୍କ ଚିତ୍ର ଦିଶିଗଲା। ବାପା ହସି କହୁଛନ୍ତି ତୁ ମୋର ଲକ୍ଷ୍ମୀ! ଏମିତି ଅନେକ ସମୟ ବସିଲା ପରେ ସଂବିତ ଫେରି ପାଇଲା ଝିଅ। ଭାଇର ଖବର ନେବାକୁ ଚେଷ୍ଟା କରିବାକୁ ହେବ। କିନ୍ତୁ ଏବେ ତ ତାକୁ ଘରକୁ ଫେରିବାକୁ ହେବ। ଘରେ ରୋଗିଣା ମା’!
ଘରକୁ ଫେରିବା ବେଳେ ଭାବୁଥିଲା ଝିଅ ଯେ ସେ ପାଠ ପଢୁଥିବା ବେଳେ ଅନ୍ତତଃ ଓଏଏସ୍‌ ଅଫିସରଟିଏ ହେବ ବୋଲି ଆଶା ରଖିଥିଲା! ଚାକିରି ନ କରି ପଢ଼ାପଢ଼ି କରି ଚେଷ୍ଟା କରିଥିଲେ ହୁଏ’ତ ସଫଳ ମଧ୍ୟ ହୋଇଥାଆନ୍ତା! କିନ୍ତୁ ତାହା ହୋଇପାରିଲା ନାହିଁ। ଭାଇକୁ ନେଇ ଦେଖିଥିବା ସ୍ବପ୍ନ ବି ଚୂର୍ଣ୍ଣ ହେବାକୁ ବସିଲାଣି। ଏବେ ସେ ତାର ଅଭାବୀ ସଂସାର ଭିତରକୁ ଫେରୁଛି କାରଣ ରୁଗ୍‌ଣ ମା’ଙ୍କ ତତ୍ତ୍ବ ନେବାକୁ ହେବ। କାରଣ ‌େସ ଘରର ଲକ୍ଷ୍ମୀ! କାଲି ସକାଳେ ଭାଇକୁ ଖୋଜିବାକୁ ପୁଣି ରାଜଧାନୀ ଆସିବାକୁ ହେବ, କାରଣ ସେ ଘରର ଲକ୍ଷ୍ମୀ! ଉଜୁଡ଼ି ଯାଉଥିବା ପରିବାରକୁ ସଜାଡ଼ିବାକୁ ସେ ଜନ୍ମ ହୋଇଛି। କାରଣ ସେ ଘରର ଲକ୍ଷ୍ମୀ।