ଜିତଶତ୍ରୁ ମହାନ୍ତି
ସାଧାରଣତଃ ସମୁଦ୍ର ମୁହାଣ ସଂଲଗ୍ନ ସ୍ଥାନର ସବୁଜିମାକୁ ହେନ୍ତାଳ ବୋଲି କୁହାଯାଇଥାଏ। ସେଠାରେ ନଦୀଗୁଡ଼ିକ ସମୁଦ୍ରରେ ମିଶନ୍ତି। ସମୁଦ୍ର ଜଳର ଜୁଆର ଓ ଭଟ୍ଟା ଦ୍ବାରା ଲବଣାକ୍ତ ଓ କର୍ଦମାକ୍ତ ପରିବେଶରେ ବଢୁଥିବା ସ୍ୱତନ୍ତ୍ର ଉଦ୍ଭିଦ ଗୋଷ୍ଠୀ ହେଲେ ହେନ୍ତାଳ। ସ୍ଥଳ ଓ ସାଗର ସୀମାର ଆର୍ଦ୍ର ଭୂଇଁରେ ହେନ୍ତାଳ ଜଙ୍ଗଲ ସୃଷ୍ଟି ହୋଇ ଅନନ୍ୟ ଜୈବ ବିବିଧତାର ପରିସଂସ୍ଥା ପାଲଟେ।
ହେନ୍ତାଳ ଜାତୀୟ ଗଛବୃଚ୍ଛର ବିଶେଷତ୍ୱ ହେଲା ଗାଢ଼ ଲବଣ ଜଳସିକ୍ତ ଜଳମଗ୍ନ ମାଟିରେ ଏହା ବଢ଼େ ଏବଂ ଏଭଳି ସ୍ଥଳେ ଅମ୍ଳଜାନ ଲାଗି ଏହି ଗଛର ଚେର ପୁଣି ମାଟି ଫୁଟେଇ ଉପର ମୁହାଁ ହୋଇ ଜଳ ସ୍ତର ବାହାରକୁ ବାହାରିଥାଏ। ଏହି ଗଛର ରସାଳ, ତୈଳାକ୍ତ ଓ ସ୍ୱୟଂ ସଂକୋଚନକାରୀ ଛିଦ୍ର ଓ ଲବଣ ଗ୍ରନ୍ଥିଯୁକ୍ତ ପତ୍ର, ପରିସ୍ଥିତି ଅନୁସାରେ ଲବଣ ଓ ଜଳ ନିଷ୍କାସନ କରି, ଏହାକୁ ବଞ୍ଚାଇ ରଖିବା ଓ ପଲ୍ଲବିତ କରିବାରେ ସାହାଯ୍ୟ କରେ। ମଧୁର ବର୍ଷା ଜଳ ସଂଗ୍ରହ ପାଇଁ ଏହି ଗଛରେ ଥାଏ ବାୟବୀୟ ଝୁଲନ୍ତା ଚେର। ନରମ ଭୂମିରେ ଦୃଢ଼ ଭାବରେ ଛିଡ଼ା ହେବା ଲାଗି ଠେସ ଚେର ଓ ବାୟୁମଣ୍ଡଳରୁ ଅମ୍ଳଜାନ ଆହରଣ କରିବା ଲାଗି ମାଟିଫୁଟା ଊର୍ଦ୍ଧ୍ବମୁଖୀ ଚେର ହେଉଛି ପ୍ରକୃତିର ପ୍ରଜ୍ଞାର ପ୍ରମାଣ।
ଶତାଧିକ ପ୍ରଜାତିର ଗଛଲତା ହେନ୍ତାଳ ପରସରଭୁକ୍ତ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହାକୁ ମୁଖ୍ୟତଃ ୪ଟି ଦଳରେ ବିଭକ୍ତ କରାଯାଇଛି; ଯଥା- ପ୍ରକୃତ, ସହଯୋଗୀ, ଆବଦ୍ଧାଂଚଳ ଓ ବେଳାଭୂମି ଗୁଳ୍ମଲତା। ବନି, ବନରୁଆ, ଖରଷି, ସୁନ୍ଦରୀ, ବିନ୍ଦରୀ, ଗରଣୀ, ଗୁଆଁ, ସିନ୍ଦୁକା, ଚୁରୁଣ୍ଡା, ନିପାତାଳ, ରାଇ, ଓରୁଆ, କେରୁଆଁ, ପିତାମାରି, ପିତାକୋରୁଆ ଇତ୍ୟାଦି ହେଉଛନ୍ତି ପ୍ରମୁଖ ପ୍ରକୃତ ଗୋଷ୍ଠୀର। ହରକଂଚା, ଖରଖରୀ, ପାଣିଆମ୍ବ, ଚିଆନି, ସିଙ୍ଗଡ଼ା, କତିରାନଇ, ଗୋହିରାକଂଟା, ରାଇଗିଡ଼ି, ବାତୁଲା, ନଳ, ନଳିଆ, କେତୁକଲା, ଶିପଲ, ଗିରିଆ ଓ ପୁରୁଣି ଇତ୍ୟାଦି ସହଯୋଗୀ ଶ୍ରେଣୀର। ଖାଣ୍ଡକୋଳି, ଗିଲ, ନେନ୍ତେଇ, ମାଲଙ୍ଗ, ମାହି ଗୋଶିଙ୍ଗା, ବହୁମୃଗ, ବନିଆ, ବଣଲେମ୍ବୁ, ହଂସିଘାଷ, କେଉଟି ଘାଷ, ଲୁଣିକିଆ ଓ କେତକୀ, କିଆ ଭଳି ଗଛ ‘ବ୍ୟୃାକ୍ ୱାଟର’ ବା ସମୁଦ୍ରର ଫେରନ୍ତା ପାଣି ପାଉଥିବା ଅଞ୍ଚଳରେ ଦେଖାଯାଉଥିବା ବେଳେ ତଟୀୟ ବାଲୁକାରେ କଂସାରି ଲତା ଓ ଲୁଣି ମୁଥା ପ୍ରଭୃତି ଦେଖାଯାଆନ୍ତି। କାଠର ବିଭିନ୍ନ ରଙ୍ଗ ହେତୁ ହେନ୍ତାଳ ଗଛର ନାମକରଣ ଧଳା, ଧୂସର, କଳା, ଲାଲ ଓ ହଳଦିଆ ଭଳି ରଖାଯାଇଛି।
ବିଶ୍ୱ ବନ ସଂପଦ ଆକଳନ ୨୦୨୦ର ବିବରଣୀ ଅନୁଯାୟୀ ପୃଥିବୀର ୧୧୩ଟି ଦେଶରେ ୧.୪୭ ଲକ୍ଷ ବର୍ଗ କିଲୋମିଟର ପରିମିତ ଅଞ୍ଚଳରେ ହେନ୍ତାଳ ଜଙ୍ଗଲ ଅଛି, ଯାହା ଭୂପୃଷ୍ଠର ମାତ୍ର ୦.୧% ଓ ଏହା ବିଷୁବ ରେଖାର ଉଭୟ ଉତ୍ତର ଓ ଦକ୍ଷିଣ ପାର୍ଶ୍ବ ୩୦ ଡିଗ୍ରି ମଧ୍ୟରେ ମୁଖ୍ୟତଃ ସୀମତ। ଇଣ୍ଡୋନେସିଆ, ବ୍ରାଜିଲ, ନାଇଜେରିଆ, ଅଷ୍ଟ୍ରେଲିଆ, ମାଲେସିଆ ଓ ମେକ୍ସିକୋରେ ପୃଥିବୀର ଅର୍ଦ୍ଧାଧିକ ହେନ୍ତାଳ ବନ ଅଛି। ଭାରତର ବନ ସ୍ଥିତି ରିପୋର୍ଟ ୨୦୨୧ ଅନୁସାରେ ପଶ୍ଚିମବଙ୍ଗ, ଗୁଜୁରାଟ, ମହାରାଷ୍ଟ୍ର, ଗୋଆ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ, କର୍ଣ୍ଣାଟକ ଓ ଓଡ଼ିଶା ଭଳି ନଅଟି ସମୁଦ୍ର ତଟଧାରୀ ରାଜ୍ୟ ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ଡାମନ ଡିଉ ଓ ପୁଡୁଚେରୀ ଭଳି ତିନିଟି ସମୁଦ୍ର କୂଳବର୍ତ୍ତୀ କେନ୍ଦ୍ରଶାସିତ ଅଂଚଳର ସର୍ବମୋଟ ୪,୯୯୨ ବର୍ଗ କିଲୋମିଟର ପରିମିତ ଅଞ୍ଚଳରେ ହେନ୍ତାଳ ବନ ଅଛି। ଏହା ଦେଶର ଭୌଗୋଳିକ ଆୟତନର ମାତ୍ର ୦.୧୫%। ହେନ୍ତାଳ ବନର ସର୍ବାଧିକ ୪୨.୪୫% ପଶ୍ଚିମବଙ୍ଗରେ ଥିବା ବେଳେ ୨୩.୬୬% ସହିତ ଗୁଜୁରାଟ ଦ୍ବିତୀୟ ଓ ୧୨.୩୯% ସହିତ ଆଣ୍ଡାମାନ ନିକୋବାର ଦ୍ୱିପପୁଞ୍ଜ ତୃତୀୟ ସ୍ଥାନରେ ଅଛି। ଓଡ଼ିଶାରେ ୨୫୯ ବର୍ଗକିଲୋମିଟର କ୍ଷେତ୍ରଫଳ ବିଶିଷ୍ଟ ଅଞ୍ଚଳରେ ହେନ୍ତାଳ ବନ ଅଛି। ଏହା ଦେଶର ୫.୧% ଓ ତାଲିକାରେ ଷଷ୍ଠ ସ୍ଥାନରେ।
ବରୁଣେଇ ମୁହାଣଠାରୁ ଧାମାରା ମୁହାଣ ପର୍ଯ୍ୟନ୍ତ ପରିବ୍ୟାପ୍ତ ବ୍ରାହ୍ମଣୀ ବୈତରଣୀ ତ୍ରିକୋଣଭୂମି, ବରୁଣେଇ ମୁହାଣରୁ ପାରାଦ୍ୱୀପ ମୁହାଣ ମଧ୍ୟବର୍ତ୍ତୀ ମହାନଦୀ ତ୍ରିକୋଣଭୂମି, ଧାମରା ମୁହାଣ ଠାରୁ ଚୁଡ଼ାମଣି ପର୍ଯ୍ୟନ୍ତ ଅଂଚଳରେ ହେନ୍ତାଳ ଜଙ୍ଗଲ ଅଛି। ଏହା ଛଡ଼ା ସୁବର୍ଣ୍ଣରେଖା ମୁହାଣ ଓ ପାରାଦ୍ୱୀପ ମୁହାଣରୁ ଦେବୀ ଓ କାଦୁଆ ମୁହାଣ ପର୍ଯ୍ୟନ୍ତ ସ୍ଥାନରେ ମଧ୍ୟ ହେନ୍ତାଳ ରହିଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବାଧିକ ୨୦୯.୨୫ ବର୍ଗ କିଲୋମିଟର ଓ ପୁରୀରେ ସର୍ବନିମ୍ନ ୧.୧୧ ବର୍ଗ କିଲୋମିଟର ଅଞ୍ଚଳରେ ହେନ୍ତାଳବଣ ଅଛି। ଭିତରକନିକା ଅଭୟାରଣ୍ୟ ଭାରତର ତୃତୀୟ ସର୍ବବୃହତ୍ ହେନ୍ତାଳ ଆଚ୍ଛାଦିତ ଅଞ୍ଚଳ।
ହେନ୍ତାଳ ଗଛର ଉପାଦେୟତା ଅନେକ। ସମୁଦ୍ର ଗ୍ରାସରୁ ସ୍ଥଳ ଓ କୂଳକୁ ଏହା ରକ୍ଷା କରେ। ବାତ୍ୟା ବନ୍ୟା ଭଳି ବିପର୍ଯ୍ୟୟଜନିତ କ୍ଷୟକ୍ଷତି ହେନ୍ତାଳ ବନର ସୁରକ୍ଷା ପ୍ରାଚୀର ହେତୁ ହ୍ରାସ ପାଇଥାଏ। ବର୍ଜ୍ୟ ଜଳରୁ ଭାସମାନ ମୃତ୍ତିକା କଣିକାକୁ ଆବଦ୍ଧ କରି ଉର୍ବର ମାଟି ସ୍ତର ତିଆରି କରିଥାଏ। କ୍ରମବର୍ଦ୍ଧିଷ୍ଣୁ ଅଙ୍ଗାରର ସୁଦକ୍ଷ ଶୋଷଣକାରୀ ଓ ଦୀର୍ଘ ଗଚ୍ଛିତକାରୀ ବୃକ୍ଷ ହେଉଛି ହେନ୍ତାଳ; କାରଣ ଅନ୍ୟ ଗଛ ତୁଳନାରେ ହେନ୍ତାଳର ଅଙ୍ଗାର ଆହରଣ କ୍ଷମତା ୫ ଗୁଣ ଅଧିକା। ନାନା ଜାତିର ମାଛ, ଚିଙ୍ଗୁଡ଼ି, କଙ୍କଡ଼ା, ଗେଣ୍ଡା, ଶାମୁକା, କଇଁଛ, ବିଛା, ଉଈ, ପିମ୍ପୁଡ଼ି, ବୁଢ଼ିଆଣି, ମାଛି ଓ ପ୍ରଜାପତି ଇତ୍ୟାଦି ଭଳି ଅମେରୁଦଣ୍ଡୀ ଜୀବ, କୁମ୍ଭୀର, ଗୋଧି ଓ ବିଭିନ୍ନ ଜାତିର ସାପଙ୍କ ଭଳି ସରୀସୃପଙ୍କ ବିଚରଣ, ପ୍ରଜନନ ଓ ଆଶ୍ରୟସ୍ଥଳୀ ହେଉଛି ହେନ୍ତାଳ ବନ। ହରିଣ, ବିରାଡ଼ି, ଭାଲୁ ଏପରିକି ମହାବଳ ବାଘର ବାସସ୍ଥାନ ମଧ୍ୟ ହେନ୍ତାଳ ବନ। ସୁନ୍ଦରବନର ବାଘଙ୍କ କଥା କିଏ ବା ନ ଜାଣେ? ସେମିତି ବଗ, ବାଜେଣି, ଘଟୁଆଳ, ଦଦରାହଣା, ଏରା, ସମୁଦ୍ର କୁଆ ଓ ପାଣି ଡୁବୁକି ଭଳି ପକ୍ଷୀମାନଙ୍କର ଏହା ଆବାସ। ସୁତରାଂ, ଏହାର ଜୈବବିବିଧତା ଅନନ୍ୟ। ଲୁଣିପାଣି ଓ କୀଟ ପ୍ରତିରୋଧକ ହେନ୍ତାଳ ଗଛର ଟାଣ କାଠ ସମୁଦ୍ର କୂଳିଆ ବାସଗୃହ, ଜେଟି ଓ ଡଙ୍ଗା ନିର୍ମାଣର ଶସ୍ତା, ସୁନ୍ଦର, ସୁଲଭ ଓ ସର୍ବୋତ୍ତମ ଉପାଦାନ।
କିନ୍ତୁ, ଉଦ୍ବେଗର ବିଷୟ ଯେ କୃଷି, ଚିଙ୍ଗୁଡ଼ି ଘେରି ଓ ଚାଷ, ଉପକୂଳାଞ୍ଚଳର ବିକାଶ ପାଇଁ ହେନ୍ତାଳ ଜଙ୍ଗଲ କ୍ରମେ ସଂକୁଚିତ ହେବାରେ ଲାଗିଛି। ଗତ ବର୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫୪୦ ବର୍ଗକିଲୋମିଟର ଅଂଚଳରେ ହେନ୍ତାଳ ବଣର ପୁନରୁଦ୍ଧାର ଓ ପୁନଃ ବନୀକରଣ ଲକ୍ଷ୍ୟରେ ‘ମିଷ୍ଟି’ ନାମକ ଏକ ୫ବର୍ଷିଆ ଯୋଜନାର ଶୁଭାରମ୍ଭ କରାଯାଇଛି। ହେନ୍ତାଳ ମହୋତ୍ସବ ଜରିଆରେ ଆମ ରାଜ୍ୟ ପକ୍ଷରୁ ସଚେତନତା ସୃଷ୍ଟି ଓ ବନୀକରଣ ପାଇଁ ଜମି ଦେଉଥିବା ବ୍ୟକ୍ତିବିଶେଷଙ୍କୁ ଆର୍ଥିକ ପ୍ରୋତ୍ସାହନ ନିମନ୍ତେ ୩.୭୦ କୋଟି ଟଙ୍କାର ପ୍ରସ୍ତାବ ଦାଖଲ କରାଯାଇଛି। ୨୦୧୯ ମସିହାରୁ ୨୦୨୧ ମସିହା ମଧ୍ୟରେ ଦେଶରେ ମାତ୍ର ୧୭ ବର୍ଗକିଲୋମିଟର ହେନ୍ତାଳ ବନ ବୃଦ୍ଧି ଘଟିଥିବା ବେଳେ ଏଥିରୁ ଅଧାଅଧି ଅର୍ଥାତ୍ ୮.୩୪ ବର୍ଗ କିଲୋମିଟର କେବଳ ଓଡ଼ିଶାରେ ହୋଇଛି। ବିଶେଷଜ୍ଞମାନ କହନ୍ତି ଯେ ନୂତନ ବନୀକରଣ ତୁଳନାରେ ସୁରକ୍ଷା ଓ ସଂରକ୍ଷଣ ମାଧ୍ୟମରେ ସ୍ବଳ୍ପ ସମୟରେ ଅଳ୍ପ ଖର୍ଚ୍ଚରେ ଅଧିକ ସଫଳତା ମିଳିପାରିବ। ଆମ ରାଜ୍ୟ ହେନ୍ତାଳ ବନ ବୃଦ୍ଧିରେ ତୁଳନାତ୍ମକ ଭାବେ ସଫଳ ହୋଇଥିବାରୁ ଏହି ଧାରାକୁ ଆଗକୁ ଜାରି ରଖିବା ଦିଗରେ ଅଧିକ ପ୍ରୟାସ କରାଯିବା ଉଚିତ।
ମୋ: ୯୪୩୭୦୮୦୨୩୩