କଲିକତାର ପ୍ରସିଦ୍ଧ ଡାକ୍ତର ଗଙ୍ଗାପ୍ରସାଦ ମୁଖାର୍ଜୀ ଭଲ ଇଂରେଜୀ ପଢ଼ାଇ ପାରୁଥିବା ଜଣେ ଗୃହ-ଶିକ୍ଷକ ସନ୍ଧାନରେ ଥିଲେ। ତାଙ୍କ ପୁଅ ମେଧାବୀ ହୋଇଥିଲେ ମଧ୍ୟ ଇଂରେଜୀରେ ସେ ଆହୁରି ପାରଦର୍ଶୀ ହେଉ, ଡାକ୍ତରବାବୁ ଏମିତି ଆଶା ରଖୁଥିଲେ। ପୁରୁଣା ବନ୍ଧୁଙ୍କ ଜରିଆରେ ତାଙ୍କୁ ଅବଶ୍ୟ ଜଣେ ଗୃହ-ଶିକ୍ଷକ ମିଳିଗଲେ। ତେବେ ମାତ୍ର ଅଳ୍ପ ଦିନ ପରେ ଛାତ୍ର ଓ ଶିକ୍ଷକଙ୍କ ମଧ୍ୟରେ ବେଶ୍ ଆତ୍ମୀୟତା ସୃଷ୍ଟି ହେଲା। କାଳକ୍ରମେ ଗୃହ-ଶିକ୍ଷକ କୁଳଗୁରୁରେ ପରିଣତ ହେଲେ। ପୁଣି ଗୁରୁ-ଶିଷ୍ୟ ସମ୍ପର୍କ ଅତୁଟ ରହିଲା ଜୀବନ ବ୍ୟାପୀ। କାଳାନ୍ତରେ ଏହି ଗୁରୁ ଓ ଶିଷ୍ୟ ଭାରତର ଦୁଇ ମୂର୍ଦ୍ଧନ୍ୟ ମନୀଷୀରେ ରୂପାନ୍ତରିତ ହେଲେ- ଗୁରୁ ହେଲେ ଉତ୍କଳଗୌରବ ମଧୁସୂଦନ ଦାସ ଏବଂ ଶିଷ୍ୟ ହେଲେ ବଙ୍ଗ ବ୍ୟାଘ୍ର ଆଶୁତୋଷ ମୁଖାର୍ଜୀ।

Advertisment

ମଧୁସୂଦନ-ଆଶୁତୋଷ ସମ୍ପର୍କ ଥିଲା ଭାରତୀୟ ଗୁରୁ-ଶିଷ୍ୟ ପରମ୍ପରାର ଆଧୁନିକ ସଂସ୍କରଣ। ଏକଥା ଲେଖିଛନ୍ତି ଆଶୁତୋଷଙ୍କ ସୁପୁତ୍ର, ଭାରତର ଅନ୍ୟତମ ଜନପ୍ରିୟ ଜନନେତା ତଥା ଭାରତୀୟ ଜନସଂଘର ଜନକ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ। ମଧୁସୂଦନଙ୍କ ସମ୍ପର୍କରେ ତାଙ୍କ ଆଲେଖ୍ୟଟି ସ୍ଥାନିତ ହୋଇଛି ମଧୁବାଳା ଶୈଳବାଳାଙ୍କ ସମ୍ପାଦିତ ‘ମଧୁସୂଦନ ଦାସ: ଆଜ୍ ସିନ୍ ବାୟ ମେନି ଆଇଜ୍’ ନାମକ ସ୍ମାରକୀ ଗ୍ରନ୍ଥରେ। ବୌବଜାର ସ୍ଥିତ ମୁଖାର୍ଜୀ ଭବନର ଉପର ମହଲାରେ ଜନୈକ ଶୀର୍ଣ୍ଣକାୟ ବୟସ୍କ ଭଦ୍ରଲୋକ ତାଙ୍କ ବାପାଙ୍କ ସହିତ କର୍ତ୍ତୃତ୍ୱ ଜାହିର କରି ଏକଦା କଥା ହେଉଥିବା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ କିଶୋର ଶ୍ୟାମାପ୍ରସାଦ। ସେହି ଭଦ୍ରବ୍ୟକ୍ତିଙ୍କ ଜ୍ଞାନଦୀପ୍ତ ଆଖି ଦୁଇଟିର ମୋହରେ ପୁଣି ସେ ପଡ଼ିଯାଇଥିଲେ। କଥାବାର୍ତ୍ତା ପରେ ତାଙ୍କ ବାପା ଯେତେବେଳେ ତାଙ୍କୁ ବିଦାୟ ଦେବା ପାଇଁ ଫାଟକ ପାଖକୁ ଗଲେ, ଶ୍ୟାମାପ୍ରସାଦଙ୍କ ଆଶ୍ଚର୍ଯ୍ୟ ସୀମା ଟପିଗଲା। ତେବେ ଆଶୁତୋଷ ତଳୁ ଉପରକୁ ଆସି ପୁଅ ଆଖିରେ ଆଖିଏ ପ୍ରଶ୍ନ ଦେଖି ହସିଦେଲେ ଏବଂ କହିଲେ, “ଶ୍ୟାମା, ତୁ ଜାଣିନୁ କି ସେ ଭଦ୍ରଲୋକ କିଏ? ସେ ପରା ମୋ ଗୁରୁ, କଟକ ନିବାସୀ ମଧୁସୂଦନ ଦାସ, ଓଡ଼ିଶାର ମହାପୁରୁଷ।” କହିଲେ ପୁଣି ଯେ ପିଲାବେଳେ ମୋତେ ସେ କେବଳ ଇଂରେଜୀ ପଢ଼ାଇ ନ ଥିଲେ, ଚରିତ୍ର ଓ ସ୍ୱାଧୀନତା ମଣିଷର ସଦା ଭୂଷଣ ବୋଲି ମୋ କାନେ କାନେ କହୁଥିଲେ। ଆଶୁତୋଷଙ୍କ ଉପରେ ମଧୁସୂଦନଙ୍କ ପ୍ରଭାବ କେଡ଼େ ଗଭୀର ଥିଲା, ତାହା ଅତି ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରିଛନ୍ତି ଶ୍ୟାମାପ୍ରସାଦ।
କାଳକ୍ରମେ ମୁଖାର୍ଜୀ ପରିବାର ସହିତ ମଧୁସୂଦନଙ୍କ ନିବିଡ଼ ସମ୍ପର୍କକୁ ଲକ୍ଷ୍ୟ କରିଥିଲେ ଶ୍ୟାମାପ୍ରସାଦ।

କଟକରୁ କଲିକତା ଯିବା ସବୁବେଳେ ସମ୍ଭବ ନ ଥିଲା ମଧୁସୂଦନଙ୍କ ପକ୍ଷରେ। ସେତେବେଳେ ସେ ନୂଆ ଓଡ଼ିଶା ଗଠନ ଆନ୍ଦୋଳନର କାଣ୍ଡାରି ସାଜିଥିଲେ। ଶ୍ୟାମାବାବୁ ଲେଖିଛନ୍ତି ମିଞ୍ଜିମିଞ୍ଜି ଅକ୍ଷରରେ ଲିଖିତ ଲମ୍ବା ଚିଠିସବୁ ଆସୁଥିଲା କଟକରୁ କଲିକତା। କିନ୍ତୁ ଚିଠିର ଉଚ୍ଚାରଣ ଥିଲା ସ୍ପଷ୍ଟ। ବିଶେଷ କରି ଆଶୁତୋଷ ତାଙ୍କ ଜୀବନର ସବୁଠୁ ଦୁଃଖଦ ପରିସ୍ଥିତି ମଧ୍ୟ ଦେଇ ଗତି କରୁଥିବା ବେଳେ ଆସ୍ଥା, ଆଶା ଓ ଆଶ୍ୱାସନାରେ ପରିପୂର୍ଣ୍ଣ ଚିଠିସବୁ ଆସୁଥିଲା ମଧୁବାବୁଙ୍କ ଠାରୁ। ମଧୁବାବୁଙ୍କ ପତ୍ରସବୁ ଥିଲା ଅବା ଜୀବନ-ସଂଗ୍ରାମର ପ୍ରେରଣାପତ୍ର। ସେହି ସମୟ ମଧ୍ୟରେ ଅଧିକାଂଶ ବେଳେ ମଧୁବାବୁ କଲିକତା ଆସୁଥିଲେ ଏବଂ ଗୁରୁଶିଷ୍ୟଙ୍କ ମଧ୍ୟରେ ନାନା ସମସ୍ୟା ବିଷୟରେ ଆଲୋଚନା ହେଉଥିଲା। ଏହି ପରିପ୍ରେକ୍ଷୀରେ ଶ୍ୟାମାପ୍ରସାଦ ମଧୁସୂଦନ ଓ ଆଶୁତୋଷଙ୍କୁ ‘ଟୁ ଗ୍ରେଟ୍ ମାଇଣ୍ଡ୍‌ସ’ ବୋଲି ଅଭିହିତ କରିଛନ୍ତି। ସିନିଅର୍ ମୁଖାର୍ଜୀଙ୍କ ମଧୁଭକ୍ତି ବିଷୟରେ ଜୁନିଅର୍ ମୁଖାର୍ଜୀ ଗୋଟିଏ ଖୁବ୍ ରୋଚକ କଥା ମଧ୍ୟ ଲେଖିଛନ୍ତି। ତାଙ୍କ ବାପାଙ୍କ ଠାରୁ ଚିଠିର ଶ୍ରୁତଲିଖନ ସେ ଟାଇପ୍ କରନ୍ତି। ମଧୁବାବୁଙ୍କୁ ତାଙ୍କ ବାପା ଲେଖିଥିବା ଅନେକ ଚିଠି ସେ ଟାଇପ୍ କରିଥିଲେ। ‘ମାଇଁ ଡିଅର୍ ଶ୍ରୀ ଦାସ’ ବୋଲି ମଧୁବାବୁଙ୍କୁ କେବେ ବି ସମ୍ବୋଧନ କରୁ ନ ଥିଲେ ଆଶୁତୋଷ, ସମ୍ବୋଧନ କରୁଥିଲେ ‘ମାଇଁ ଡିଅର୍ ସାର୍’ ବୋଲି। ଚିଠିର ଶେଷରେ କେବେ ବି ଲେଖୁ ନଥିଲେ ‘ଆପଣଙ୍କ ବିଶ୍ୱସ୍ତ’, ଲେଖୁଥିଲେ ‘ଆପଣଙ୍କ ସ୍ନେହାଧୀନ’। କଲିକତା ଉଚ୍ଚ ନ୍ୟାୟାଳୟର ବିଚାରପତି ବା କଲିକତା ବିଶ୍ୱବିଦ୍ୟାଳୟର କୁଳପତି ଥିବାବେଳେ ମଧ୍ୟ ଆଶୁତୋଷ ନିଜକୁ ମଧୁବାବୁଙ୍କ ଶିଷ୍ୟ ମଣୁଥିଲେ। ଏହା ମଧୁସୂଦନଙ୍କ ବ୍ୟକ୍ତିତ୍ୱର ତୁଙ୍ଗିମା ଏବଂ ଆଶୁତୋଷଙ୍କ ଆଚରଣର ମହନୀୟତାକୁ ପରିସ୍ଫୁଟ କରୁଛି।

ମଧୁବାବୁଙ୍କ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସ୍ୱପ୍ନ ଓ ସଂକଳ୍ପ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି ଶ୍ୟାମାପ୍ରସାଦ ତାଙ୍କ ଆଲେଖ୍ୟରେ। ଗୋଟିଏ ସୁପ୍ତ ଜାତିକୁ କିପରି ଜାଗ୍ରତ କରାଯାଏ, ଗୋଟିଏ ଅନଗ୍ରସର ଜନସମୁଦାୟକୁ କିପରି ଅଗ୍ରଗାମୀ କରାଯାଏ ଏବଂ ଗୋଟିଏ ବହୁଧା ବିଭକ୍ତ ଭୂଖଣ୍ଡକୁ କିପରି ସମ୍ମିଶ୍ରିତ କରାଯାଏ, ସେ କଳା ଜଣା ଥିଲା ମଧୁସୂଦନଙ୍କୁ। ଏପରି ନେତୃତ୍ୱ ଭାରତରେ ବିରଳ। ମଧୁବାବୁଙ୍କ ବିଚକ୍ଷଣତାକୁ ବଖାଣିବାରେ ମଧ୍ୟ କାର୍ପଣ୍ୟ କରିନାହାନ୍ତି ଶ୍ୟାମାବାବୁ। ବିଚକ୍ଷଣତା ସହିତ ମାନବିକତା ଥିଲା ମଧୁବାବୁଙ୍କ ଚରିତ୍ରର ଅନନ୍ୟତା। ଶ୍ୟାମାବାବୁ ଲେଖିବାକୁ ଭୁଲିନାହାନ୍ତି ଯେ ଦୀର୍ଘଦିନ ଧରି ଜନଜୀବନ ସହିତ ସଂପୃକ୍ତ ଥିଲେ ମଧ୍ୟ ମଧୁବାବୁ ଏପରି କିଛି କରିନାହାନ୍ତି ଯଦ୍ଦ୍ୱାରା ତାଙ୍କ ଶତ୍ରୁ ବା ନିନ୍ଦୁକମାନେ ତାଙ୍କ ପ୍ରତି ସାମାନ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରିପାରିବେ।
ଶ୍ୟାମାପ୍ରସାଦ ଆହୁରି ସୂଚନା ଦେଇଛନ୍ତି ଯେ ମଧୁସୂଦନ ଓଡ଼ିଆ ଆନ୍ଦୋଳନର ପୁରୋଧା ଥିଲେ ବି ଭୂମି ଓ ଭାଷାଗତ ସଂକୀର୍ଣ୍ଣତାର ଅନେକ ଊର୍ଦ୍ଧ୍ୱରେ ଥିଲେ। କାହା ବିରୋଧରେ ନୁହେଁ, ନିଜ ଜାତିର ହକ୍ ପାଇଁ ସେ ଲଢୁଥିଲେ। ଏହି ପୌତ୍ରପ୍ରତିମଙ୍କ ଦୃଷ୍ଟିରେ ପୁଣି ମଧୁବାବୁ ଥିଲେ ଭାରତର ପହିଲି ପିଢ଼ିର ଜଣେ ଖ୍ୟାତନାମା ସର୍ବଭାରତୀୟ ଜାତୀୟତାବାଦୀ ନେତା, ଜଣେ ରାଷ୍ଟ୍ରପୁରୁଷ। ତାଙ୍କ ମତରେ ମଧୁସୂଦନଙ୍କ ଜୀବନଚରିତ କେବଳ ଓଡ଼ିଶାରେ ନୁହେଁ ସାରା ଭାରତରେ ସଶ୍ରଦ୍ଧ ପଠିତ ହେବା ଚାହି, ଯାହା ଯୁବପିଢ଼ି ପାଇଁ ସର୍ବଦା ପ୍ରଚୋଦନାର ଉତ୍ସ ହୋଇ ରହିବ। ମହାତ୍ମା ଗାନ୍ଧୀ ଓ ରାଜେନ୍ଦ୍ର ପ୍ରସାଦଙ୍କ ଠାରୁ ଦେବପ୍ରସାଦ ସର୍ବାଧିକାରୀ ଓ ସଚ୍ଚିଦାନନ୍ଦ ସିହ୍ନାଙ୍କ ପର୍ଯ୍ୟନ୍ତ ପ୍ରବୁଦ୍ଧମାନେ ମଧୁବାବୁଙ୍କୁ ଦେଶର ଜଣେ ଅଗ୍ରଗଣ୍ୟ ନେତା ଭାବରେ ସମ୍ମାନ ଜଣାଇଛନ୍ତି। କିନ୍ତୁ ଆମେ ଅଯୋଗ୍ୟ ଦାୟାଦମାନେ ଏହି ‘ଜାତୀୟ-ଗୌରବ’ଙ୍କୁ ‘ଉତ୍କଳ-ଗୌରବ’ରେ ସୀମିତ କରିଦେଲୁ ଆହା!
ମୋ: ୯୪୩୭୧୪୩୮୯୬