ଅସ୍ତିତ୍ବବାଦୀ ବିଚ୍ଛିନ୍ନୀକରଣର ଦଂଶନରେ ଜର୍ଜରିତ ଏହି ଏକାକୀ ଆତ୍ମାମାନେ ଯେଉଁଥି ପାଇଁ ସର୍ବାଧିକ ବ୍ୟାକୁଳ ହୋଇ ରହିଥିବେ, ତାହା ହେଉଛି ଅନ୍ୟ ଏକ ମନୁଷ୍ୟର ଉଷ୍ଣ ସାନ୍ନିଧ୍ୟ। ‘ଗୁଡ୍‌ଫେଲୋଜ୍’ର ଲକ୍ଷ୍ୟ ହେଉଛି ଏଇଭଳି ବୟୋବୃଦ୍ଧମାନଙ୍କର ଏକାକିତ୍ବ ଦୂର କରି ସେମାନଙ୍କୁ ଉପରବର୍ଣ୍ଣିତ ଅସ୍ତିତ୍ବବାଦୀ ସଂକଟରୁ ଉଦ୍ଧାର କରିବା। ସାମାନ୍ୟ ପାରିଶ୍ରମିକ ବଦଳରେ ‘ଗୁଡ୍‌ଫେଲୋଜ୍’ର ସେବା ପ୍ରଦାନକାରୀ ଯୁବକ ଯୁବତୀମାନେ ଏହି ଏକାକୀ ବାସ କରୁଥିବା ବରିଷ୍ଠ ନାଗରିକମାନଙ୍କୁ ଧାର୍ଯ୍ୟ ସମୟ ଅନୁସାରେ ନିୟମିତ ଭାବରେ ସାହଚର୍ଯ୍ୟ ପ୍ରଦାନ କରୁଛନ୍ତି।

Advertisment

ଟାଟା କଂପାନିର ପୂର୍ବତନ ଚେଆର୍‌ମ୍ୟାନ୍ ୮୫ ବର୍ଷୀୟ ରତନ ଟାଟା ହେଉଛନ୍ତି ଅବିବାହିତ। ତାଙ୍କ ଅଫିସ୍‌ରେ ଜେନେରାଲ୍ ମ୍ୟାନେଜର୍ ଥିବା ୨୮ ବର୍ଷ ବୟସ୍କ ଯୁବକ ଶାନ୍ତନୁ ନାଇଡୁ ଆମେରିକାର ମର୍ଯ୍ୟାଦାଜନକ କର୍ନେଲ୍ ୟୁନିଭର୍ସିଟିରୁ ଏମ୍‌ବିଏ ଡିଗ୍ରୀ ହାସଲ କରିଛନ୍ତି। ପ୍ରାୟ ଦୁଇ ବର୍ଷ ତଳେ ରତନ ଟାଟାଙ୍କ ପୃଷ୍ଠପୋଷକତାରେ ଶାନ୍ତନୁ ‘ଗୁଡ୍‌ଫେଲୋଜ୍’ (ଭଲ ଲୋକ) ନାମକ ଏକ ଷ୍ଟାର୍ଟଅପ୍ ପ୍ରତିଷ୍ଠା କରିଛନ୍ତି, ଯାହାର ଉଦ୍ଦେଶ୍ୟ ହେଉଛି ଏକାକିତ୍ବର ଶିକାର ହୋଇଥିବା ବୟୋବୃଦ୍ଧା/ବୃଦ୍ଧମାନଙ୍କୁ ସାହଚର୍ଯ୍ୟ ପ୍ରଦାନ କରିବା। ଏହାର ଉଦ୍‌ଘାଟନ ସମୟରେ ରତନ ଟାଟା କହିଥିଲେ, ‘‘ତୁମେ ଯେ ପର୍ଯ୍ୟନ୍ତ ସାହଚର୍ଯ୍ୟ ଲାଭ ପାଇଁ କାମନା କରି ଏକାକୀ ସମୟ ବିତାଇ ଚାଲି ନାହଁ, ସେ ପର୍ଯ୍ୟନ୍ତ ତୁମେ ଜାଣି ପାରିବ ନାହିଁ ଏକାକୀ ବୋଧ କରିବା କିଭଳି ଯନ୍ତ୍ରଣାଦାୟକ।’’
ଏହି ଏକାକିତ୍ବ କ’ଣ? ଏହା ନିର୍ଜନତା ନୁହେଁ, ଯେଉଁଥିରେ ବ୍ୟକ୍ତି ଇଚ୍ଛା କରି ଅନ୍ୟମାନଙ୍କ ଠାରୁ ଦୂରେଇ ଯାଇଥାଏ ଓ କାହାରି ସାହଚର୍ଯ୍ୟ ଆବଶ୍ୟକ କରି ନ ଥାଏ। ନିର୍ଜନତାରେ ସଂପୃକ୍ତ ବ୍ୟକ୍ତି ନିଜେ ହୋଇଥାଏ ନିଜର ସାଥୀ ଓ ଏହି ଆତ୍ମ-ସାହଚର୍ଯ୍ୟ ତା’ ପାଇଁ ଆନନ୍ଦଦାୟକ ହୋଇଥାଏ। ଏଇ ଅବସ୍ଥାରେ ଥିବା ବେଳେ ବ୍ୟକ୍ତି ନିଜ ସହିତ ଏକ ଘନିଷ୍ଠ ସଂପର୍କ ସ୍ଥାପନ କରିଥାଏ ଏବଂ ଛଳ କପଟହୀନ ଭାବରେ ନିଜ ସହିତ ଭାବର ଆଦାନ ପ୍ରଦାନ କରିଥାଏ। ସମସ୍ତ ଜଞ୍ଜାଳ ଠାରୁ ଦୂରେଇ ଯାଇ ନିଜ ଭାବନାର ଲଗାମକୁ ହୁଗୁଳା କରିଦେବା ପାଇଁ ବ୍ୟକ୍ତି ବେଳେ ବେଳେ ନିର୍ଜନତା ଚାହିଁଥାଏ। ସୃଜନଶୀଳ ସାହିତ୍ୟିକ, ଚିନ୍ତାଶୀଳ ଦାର୍ଶନିକଙ୍କ ଠାରୁ ସମସ୍ୟା ଜର୍ଜରିତ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମୟ ସମୟରେ ଏଭଳି ନିର୍ଜନତାକୁ ସ୍ବାଗତ କରିଥାନ୍ତି। ନିର୍ଜନତାର ମୁଖ୍ୟ ଚିହ୍ନଟକାରୀ ଚରିତ୍ର ତେଣୁ ହୋଇଥାଏ, ଏହା ହେଉଛି ଇଚ୍ଛାକୃତ ଏବଂ ବାଞ୍ଛନୀୟ।
ଏକାକିତ୍ବ କିନ୍ତୁ ନିର୍ଜନତା ପରି ନିଃସଙ୍ଗ ହୋଇଥିଲେ ହେଁ, ଏହା ହୋଇଥାଏ ଅନିଚ୍ଛାକୃତ ଏବଂ ଅବାଞ୍ଛନୀୟ। ପରିସ୍ଥିତି ବ୍ୟକ୍ତିର ଇଚ୍ଛା ବିରୁଦ୍ଧରେ ତା’ ଉପରେ ଏକାକିତ୍ବ ଲଦି ଦେଇଥାଏ। ଏହି ଅବସ୍ଥାରେ ଥିବା ସମୟରେ ସେ ଅନୁଭବ କରିଥାଏ ଯେ ସେ ବାହ୍ୟ ଜଗତ ଠାରୁ ବିଚ୍ଛିନ୍ନ ହୋଇ ଯାଇଛି; ସେ ଏକ ପରିତ୍ୟକ୍ତ ବସ୍ତୁରେ ପରିଣତ ହୋଇଛି; ତାକୁ ଏହି ଅସହାୟ ଅବସ୍ଥାରୁ ଉଦ୍ଧାର କରିବାକୁ କେହି ନାହିଁ।
ଅସ୍ତିତ୍ବବାଦୀ ଦାର୍ଶନିକମାନଙ୍କ ବିଚାରରେ ବ୍ୟକ୍ତିର ଏହି ବିଚ୍ଛିନ୍ନୀକରଣ ବା ‘ଏଲିଏନେସନ୍’ ବିଭିନ୍ନ ରୂପେ ପରିଗ୍ରହଣ କରିଥାଏ। ଗୋଟିଏ ହେଲା, ବ୍ୟକ୍ତି କେବଳ ନିଜର ସଚେତନ ସତ୍ତା ସହିତ ସଂଯୁକ୍ତ ବୋଲି ଅନୁଭବ କରିଥାଏ ଓ ତା’ ବ୍ୟତୀତ ସମଗ୍ର ବାହ୍ୟ ଜଗତ ଠାରୁ ନିଜକୁ ବିଚ୍ଛିନ୍ନ ବୋଲି ଅନୁଭବ କରିଥାଏ। ବାହ୍ୟ ଜଗତର ପଦାର୍ଥମାନଙ୍କୁ ସ୍ପଷ୍ଟ ରୂପେ ବୁଝି ପାରିବା ବ୍ୟକ୍ତି ପକ୍ଷରେ ସମ୍ଭବ ହୋଇ ନ ଥାଏ ବୋଲି ଜନ୍ ପଲ୍ ସାତ୍ରଙ୍କ ଭଳି ଅସ୍ତିତ୍ବବାଦୀ ଦାର୍ଶନିକମାନେ ମତପ୍ରକାଶ କରିଛନ୍ତି। ବିଶେଷକରି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି ସହିତ ତାଳ ଦେଇ ମନୁଷ୍ୟର ଏହି ବିଚ୍ଛିନୀକରଣ ଆହୁରି ଗଭୀରତର ହୋଇ ଚାଲିଛି ବୋଲି ସେମାନେ ଦର୍ଶାଇଥାନ୍ତି। ବିଜ୍ଞାନର ନିତ୍ୟନୂତନ ଉଦ୍ଭାବନମାନଙ୍କ ଦ୍ବାରା ପରିବେଷ୍ଟିତ ମନୁଷ୍ୟ ପ୍ରକୃତି ଠାରୁ ଦୂରେଇ ଯିବା ସହିତ ବିଜ୍ଞାନର ଅବୋଧ୍ୟ ତତ୍ତ୍ବ ଓ ଜଟିଳ ଉଦ୍ଭାବନମାନଙ୍କୁ ବୁଝିବାର ଅକ୍ଷମତା ଯୋଗୁଁ ସେମାନଙ୍କ ଠାରୁ ମଧ୍ୟ ବିଚ୍ଛିନ୍ନ ହୋଇ ଚାଲିଛି ବୋଲି ସେମାନଙ୍କର ମତ।
ଅସ୍ତିତ୍ବବାଦୀମାନେ ମଧ୍ୟ କହନ୍ତି ଯେ ବ୍ୟକ୍ତି ମନୁଷ୍ୟ ସୃଷ୍ଟ ଅନୁଷ୍ଠାନମାନଙ୍କ ଠାରୁ ମଧ୍ୟ ବିଚ୍ଛିନ୍ନ ହୋଇ ଚାଲିଛି। ଅପରିମିତ କ୍ଷମତାର ଅଧିକାରୀ ଅମଲାତନ୍ତ୍ର ଚାଳିତ ସରକାରରୁ ଆରମ୍ଭ କରି ବିଶାଳ କଂପାନିମାନଙ୍କ ପର୍ଯ୍ୟନ୍ତ ସହିତ ବ୍ୟକ୍ତିର ସଂପର୍କ ଏପରି ଅସମତୁଲ ହୋଇଥାଏ ଯେ ବ୍ୟକ୍ତି ନିଜକୁ ସେମାନଙ୍କ ଠାରୁ ସଂପୂର୍ଣ୍ଣ ରୂପେ ବିଚ୍ଛିନ୍ନ ଏକ ଅସହାୟ କ୍ଷୁଦ୍ର ଜୀବ ରୂପେ ବିଚାର କରିଥାଏ। ଆମେ ବ୍ୟକ୍ତି ରୂପେ ଅନୁଭବ କରି ନ ଥାଉ ଯେ ଆମେ ହେଉ‌ଛୁ ସେଇ ଅନୁଷ୍ଠାନମାନଙ୍କର ଅଂଶ; ଆମେ ମଧ୍ୟ ସେମାନଙ୍କର କାର୍ଯ୍ୟ ବା ଆଚରଣ ବୁଝିବା ପାଇଁ ସକ୍ଷମ ହୋଇ ନ ଥାଉ। ଆମର ମନେ ହୋଇଥାଏ ସତେ ‌େଯମିତି ଏ ସବୁ ଅନୁଷ୍ଠାନମାନ ହେଉଛନ୍ତି ଆମ ଠାରୁ ଭିନ୍ନ ବିଶାଳ ଅବୈକ୍ତିକ କ୍ଷମତ‌ାର କେନ୍ଦ୍ରମାନ, ଯେଉଁମାନଙ୍କର ବ୍ୟକ୍ତି ସହିତ କୌଣସି ସଂପର୍କ ନ ଥାଏ; ବ୍ୟକ୍ତି ତେଣୁ ହେଉଛି ସଂପୂର୍ଣ୍ଣ ଏକାକୀ।
ଅସ୍ତିତ୍ବବାଦୀମାନଙ୍କ ଦୃଷ୍ଟିରେ ଯେଉଁ ବିଚ୍ଛିନ୍ନୀକରଣ କିନ୍ତୁ ହେଉଛି ବ୍ୟକ୍ତି ପାଇଁ ସବୁଠାରୁ ଅଧିକ ବେଦନାଦାୟକ, ତାହା ହେଉଛି ବ୍ୟକ୍ତିର ଅନ୍ୟ ବ୍ୟକ୍ତିମାନଙ୍କ ଠାରୁ ଘଟୁଥିବା ବିଚ୍ଛିନ୍ନୀକରଣ। ପରିବାର ଭିତରେ ପିତାମାତା ଓ ସନ୍ତାନସନ୍ତତିମାନଙ୍କ ମଧ୍ୟରେ, ପତିପତ୍ନୀ ମଧ୍ୟରେ, ପିଲାମାନଙ୍କ ମଧ୍ୟରେ, କୁଟୁମ୍ବର ସଦସ୍ୟମାନଙ୍କ ମଧ୍ୟରେ ସଂପର୍କ ଏପରି ବିଚ୍ଛିନ୍ନ ‌େହାଇ ଯାଇଥାଏ ଯେ ବ୍ୟକ୍ତି ସେମାନଙ୍କ ଗହଣରେ ଥାଇ ମଧ୍ୟ ନିଜକୁ ଏକାକୀ ଅନୁଭବ କରିଥାଏ।
ଯଦି ବିଚ୍ଛିନୀକରଣ ବା ଏକାକିତ୍ବ ସାଧାରଣ ମାନବୀୟ ଅସ୍ତିତ୍ବକୁ ଏଇଭଳି ଆକ୍ରାନ୍ତ କରିଥାଏ, ତାହା ତେବେ ସମାଜର ସେଇ ସଦସ୍ୟମାନଙ୍କୁ କିଭଳି ଅକଥନୀୟ ଭାବରେ କଲବଲ କରୁଥିବ, ଯେଉଁମାନେ ବାର୍ଦ୍ଧକ୍ୟରେ ପ୍ରବେଶ କରି ନିଜର ଉତ୍ପାଦନଶୀଳତା ହରାଇ ସାରି ଅଲୋଡ଼ା ହୋଇ ଯାଇଥିବେ, ଶାରୀରିକ ଓ ମାନସିକ କ୍ଷମତା ହରାଇ ଅନ୍ୟ ଉପରେ ନିର୍ଭରଶୀଳ ହୋଇ ପଡ଼ିଥିବେ, ପତି ବା ପତ୍ନୀଙ୍କୁ ହରାଇ ଏକୁଟିଆ ହୋଇ ଯାଇଥିବେ, ତାହା ସହଜେ ଅନୁମେୟ। ଭାରତରେ ବର୍ତ୍ତମାନ ପ୍ରାୟ ୧୫ ନିୟୁତ ଏପରି ବୟୋବୃଦ୍ଧ ବ୍ୟକ୍ତି ଅଛନ୍ତି ଯେଉଁମାନେ ଏଇଭଳି ବିଚ୍ଛିନୀକରଣର ଶିକାର ହେବା ସହିତ ଆକ୍ଷରିକ ଭାବରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଏକୁଟିଅା ଜୀବନଯାପନ କରୁଛନ୍ତି। ଉପରେ କୁହାଯାଇଥିବା ଭଳି ବିଜ୍ଞାନ ଏମାନଙ୍କୁ ପଛରେ ପକାଇ ଆଗକୁ ମାଡ଼ି ଚାଲିଛି- ଏମାନେ ଡିଜିଟାଲ୍ ଇଣ୍ଡିଆର ନାଗରିକ ହୋଇଥିଲେ ହେଁ ଏମାନଙ୍କୁ ହୁଏତ ଇଣ୍ଟର୍‌ନେଟ୍ ବ୍ୟବହାର କରି ବ୍ୟାଙ୍କ୍ କାରବାର କରି ଆସେ ନାହିଁ; ଅନ୍-ଲାଇନ୍ ମାର୍କେଟିଙ୍ଗ୍ କରି ଆସେ ନାହିଁ; ଭିଡିଓଗେମ୍ ଖେଳି ଆସେ ନାହିଁ...। କୌଣସି ସରକାରୀ ଦପ୍ତର ବା ଅନ୍ୟ କୌଣସି ଅନୁଷ୍ଠାନରେ କିଛି କାମ ଥିଲେ ଏମାନେ ଅସହାୟ ବୋଧ କରିଥାନ୍ତି, କାରଣ ଏମାନଙ୍କ ଉପସ୍ଥିତିକୁ ସେଠାରେ କେହି ଗୁରୁତ୍ବ ଦେଇ ନ ଥାନ୍ତି। ଆତ୍ମୀୟସ୍ବଜନମାନେ ଏହି ଅଦରକାରୀ ଜୀବମାନଙ୍କ ସହିତ ନିୟମିତ ସଂପର୍କ ରଖିବାକୁ ସମୟ ନଷ୍ଟ ରୂପେ ବିଚାର କରିଥାନ୍ତି।
ଅସ୍ତିତ୍ବବାଦୀ ବିଚ୍ଛିନ୍ନୀକରଣର ଦଂଶନରେ ଜର୍ଜରିତ ଏହି ଏକାକୀ ଆତ୍ମାମାନେ ଯେଉଁଥି ପାଇଁ ସର୍ବାଧିକ ବ୍ୟାକୁଳ ହୋଇ ରହିଥିବେ, ତାହା ହେଉଛି ଅନ୍ୟ ଏକ ମନୁଷ୍ୟର ଉଷ୍ଣ ସାନ୍ନିଧ୍ୟ। ‘ଗୁଡ୍‌ଫେଲୋଜ୍’ର ଲକ୍ଷ୍ୟ ହେଉଛି ଏଇଭଳି ବୟୋବୃଦ୍ଧମାନଙ୍କର ଏକାକିତ୍ବ ଦୂର କରି ସେମାନଙ୍କୁ ଉପରବର୍ଣ୍ଣିତ ଅସ୍ତିତ୍ବବାଦୀ ସଂକଟରୁ ଉଦ୍ଧାର କରିବା। ସାମାନ୍ୟ ପାରିଶ୍ରମିକ ବଦଳରେ ‘ଗୁଡ୍‌ଫେଲୋଜ୍’ର ସେବା ପ୍ରଦାନକାରୀ ଯୁବକ ଯୁବତୀମାନେ ଏହି ଏକାକୀ ବାସ କରୁଥିବା ବରିଷ୍ଠ ନାଗରିକମାନଙ୍କୁ ଧାର୍ଯ୍ୟ ସମୟ ଅନୁସାରେ ନିୟମିତ ଭାବରେ ସାହଚର୍ଯ୍ୟ ପ୍ରଦାନ କରୁଛନ୍ତି। ସଂପୃକ୍ତ ବୟୋବୃଦ୍ଧଙ୍କ ଆବଶ୍ୟକତା ଅନୁସାରେ ଏହି ସାହଚର୍ଯ୍ୟ ଭିନ୍ନ ଭିନ୍ନ ରୂପ ନେଇଥାଏ। ‘ଗୁଡ୍‌ଫେଲୋଜ୍’ ସାଥୀମାନେ କାହା ସହିତ ପସନ୍ଦ ଅନୁସାରେ ଗପସପ କରି - ସାହିତ୍ୟ, ସିନେମା, ରାଜନୀତି, କ୍ରିକେଟ୍... - ସମୟ ବିତାଇ ଥାନ୍ତି ତ କାହାକୁ ନେଇ ଡାକ୍ତରଙ୍କ ପାଖକୁ ଯାଇଥାନ୍ତି; କାହା ସହିତ ପାର୍କରେ ଚାଲିଥାନ୍ତି ତ କାହା ସହିତ ଚେସ୍ ଖେଳିଥାନ୍ତି; କାହାକୁ ସ୍ମାର୍ଟଫୋନ୍ ବ୍ୟବହାର ଶିଖାଇଥାନ୍ତି ତ କାହା ସହିତ କେବଳ ଚୁପ୍‌ଚାପ୍ ବସି ସମୟ ବିତାଇଥାନ୍ତି...।
କହିବା ବାହୁଲ୍ୟ ଏହି ଦେବଦୂତ ସଦୃଶ ଯୁବକ ଯୁବତୀମାନଙ୍କୁ ଯତ୍ନର ସହିତ ଚୟନ କରାଯାଇଥାଏ- ସେମାନେ ସମସ୍ତେ ହୋଇଥାନ୍ତି ସୁଶିକ୍ଷିତ, ଶାନ୍ତ, ଅମାୟିକ, ଭଦ୍ର, ଧୈର୍ଯ୍ୟଶୀଳ ଓ ଉତ୍ସାହୀ। ସେମାନଙ୍କର ଉଦ୍ଦେଶ୍ୟ ହୋଇ ନ ଥାଏ ଅର୍ଥ ଉପାର୍ଜନ, ସେମାନଙ୍କର ଉଦ୍ଦେଶ୍ୟ ହୋଇଥାଏ ଜୀବନର ଶେଷ ଭାଗରେ ଉପନୀତ ହୋଇ ଏକାକୀ ଅବସ୍ଥାରେ ଅସ୍ତିତ୍ବବାଦୀ ଗର୍ତ୍ତରେ ପଡ଼ିଥିବା ଅସହାୟ ମନୁଷ୍ୟମାନଙ୍କୁ ସହାୟତାର ହାତ ବଢ଼ାଇବା। ନିକଟରେ ପ୍ରକାଶିତ ସମ୍ବାଦ ଅନୁସାରେ ଆମ ରାଜ୍ୟର ଓ ଦେଶର ଜନସଂଖ୍ୟାରେ ବୟୋଜ୍ୟେଷ୍ଠମାନଙ୍କ ସଂଖ୍ୟାରେ ଯେଉଁଭଳି ଦ୍ରୁତ ବୃଦ୍ଧି ଘଟିଚାଲିଛି ସେମାନଙ୍କ ଏକାକିତ୍ବ ଦୂର କରିବା ପାଇଁ ଦେଶ ସାରା ଏଭଳି ଦେବଦୂତମାନଙ୍କର ଉପସ୍ଥିତିର ଆବଶ୍ୟକତା ରହିଛି।