ଜୟନ୍ତ କୁମାର ବିଶ୍ବାଳ
ମନସ୍ତତ୍ତ୍ବ ପାଠରେ ଅଛି ଯେ ସମାଜ ଗୋଟିଏ ଦର୍ପଣ ପରି। ମଣିଷ ସେହି ଦର୍ପଣରେ ନିଜକୁ ଦେଖେ ଏବଂ ତା’ ପରେ ସେ ଭାବେ ଯେ ଅନ୍ୟମାନେ ତାକୁ ଦେଖି କ’ଣ ଭାବୁଛନ୍ତି। ଅନ୍ୟମାନେ କ’ଣ ଭାବୁଛନ୍ତି ତାହା ଭାବି ସେ ସେହି ଅନୁସାରେ ବଞ୍ଚିବାକୁ ଚେଷ୍ଟା କରେ। ସେ ନିଜର ଇଚ୍ଛା ଅନୁସାରେ ଜୀବନକୁ ବଞ୍ଚେ ନାହିଁ। ଅନ୍ୟମାନଙ୍କର ତା’ ବିଷୟରେ ସେ ଅନୁମାନ କରୁଥିବା ଧାରଣା ଅବା ବାସ୍ତବରେ ଅନ୍ୟମାନଙ୍କର ତା’ ବିଷୟରେ ଧାରଣା, ତା’ର ବଞ୍ଚିବାର ଶୈଳୀକୁ ନିୟନ୍ତ୍ରଣ କରେ। ଆମେ କ’ଣ ଖାଉଛୁ, ପିନ୍ଧୁଛୁ; କିପରି ଅନ୍ୟମାନଙ୍କ ସହ କଥା ହେଉଛୁ; କିପରି ଘର ଭିତରକୁ ସଜାଇଛୁ; କିପରି କାର୍ କିଣୁଛୁ; ଛୁଟି କେଉଁଠି କଟାଉଛୁ; ଜନ୍ମଦିନ, ବାହାଘର, ଏପରିକି ମୃତ୍ୟୁର ଏକାଦଶ ଭୋଜି ପରି ସଂସାରରେ ଆମେ କରୁଥିବା ଯାବତୀୟ କାର୍ଯ୍ୟରେ ଆମେ ସମାଜରୁ ଗ୍ରହଣ କରିଥିବା ଧାରଣାଗୁଡ଼ିକର ହିଁ ମୁଖ୍ୟ ପ୍ରଭାବ ରହିଥାଏ। ଏହି ଧାରଣାଗୁଡ଼ିକ ସମୟ କ୍ରମେ ଆମ ଭିତରେ ଏମିତି ଜମାଟ ବାନ୍ଧି ଯାଇଥାଏ ଯେ ଲାଗେ, ଏଗୁଡ଼ିକ ହେଉଛି ଆମର ନିଜସ୍ବ ଇଚ୍ଛା, ଯଦିଓ ଆମର ନିଜର ନିରୋଳା ଇଚ୍ଛାଟି ତା’ ଭିତରେ କେତେବେଳେ ଦବିଦାବି ସଂପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଥାଏ। ସାମାନ୍ୟ ଉଦାହରଣଟିଏ- ଆମେ କ’ଣ ପିନ୍ଧୁ; କ’ଣ ପିନ୍ଧି ବନ୍ଧୁବାନ୍ଧବ, ‘ପାର୍ଟି’କୁ ଯିବୁ- ଏ ସବୁଥିରେ ଆମକୁ କେଉଁଟା ଆରାମ ଲାଗିବ ଅପେକ୍ଷା କେଉଁଟା ଆମକୁ ଅନ୍ୟମାନଙ୍କ ପାଇଁ ଆକର୍ଷଣୀୟ କରିବ, ଆମକୁ ଆଭିଜାତ୍ୟପୂର୍ଣ୍ଣ ଭଳିଆ ଦେଖାଇ ପାରିବ, ତାହା ଗୁରୁତ୍ବପୂର୍ଣ୍ଣ ହୋଇଯାଏ।
ଲକ୍ଷ୍ୟ କରାଯାଇପାରେ ଯେ ପିଲାମାନଙ୍କ, ଏପରିକି ଗଁା ଗହଳର, ଗରିବ ପରିବାରର ପିଲାମାନଙ୍କ ଖାଇବା, ପିଇବା, ପିନ୍ଧିବାର ରୁଚି ମଧ୍ୟ ବଦଳି ଗଲାଣି। ସେମାନଙ୍କର କଥାବାର୍ତ୍ତା, ଭାବର ଆଦାନ ପ୍ରଦାନକୁ ଲକ୍ଷ୍ୟ କଲେ ଲାଗେ ଯେ ସେମାନଙ୍କର ପ୍ରଥମ ଚିନ୍ତା, ସେମାନଙ୍କୁ ସମସ୍ତେ ‘ସ୍ମାର୍ଟ’ ବୋଲି ଭାବନ୍ତୁ। ସମସ୍ତଙ୍କ ଆଖିରେ ଆମେ ବଡ଼ ହୋଇ ଦେଖାଯାଆନ୍ତୁ ଏବଂ ବେଳେବେଳେ ଆମକୁ ତଟସ୍ଥ ହୋଇ ଅନେଇ ରହନ୍ତୁ- ଏହା ଆମର ସମସ୍ତ କାର୍ଯ୍ୟର ପ୍ରଚୋଦନା ହୋଇଗଲାଣି। ଏହାର ସବୁଠାରୁ ଉଜ୍ଜ୍ବଳ ଉଦାହରଣ, ଆମର ବିଭାଘର ଉତ୍ସବ। ବହୁ ଆଗରୁ ଗମ୍ଭୀର ଆଲୋଚନା ପରେ ଠିକ୍ ହେବ କିଏ ମେହନ୍ଦିରେ, ‘ରିସେପ୍ସନ୍’ରେ କେଉଁ ଶାଢ଼ି, କେଉଁ ସୁଟ୍ ବା ଚୁଡ଼ିଦାର ପିନ୍ଧିବେ। ଭୋଜିରେ ସେମାନଙ୍କ ଘରେ ଏତେ ପ୍ରକାରର ଆଇଟମ୍ ହୋଇଥିଲା; ଆମେ ତାହା ଠାରୁ ଅଧିକା, ଅଲଗା କରିବା। ଆଉ ବାହାଘର ପ୍ରସେସନ- ତା’ର ହୃତ୍କମ୍ପ ସୃଷ୍ଟିକାରୀ ଡି.ଜେ. ଶବ୍ଦ, ବାଜା, ନୃତ୍ୟ ଏପରି ହେବ ଯେ ରାସ୍ତାର ଦୁଇ ପାର୍ଶ୍ବରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଅନେଇ ରହିଥିବେ। ଅନେକ ସମୟରେ ଘରର ମୁରବିମାନେ ବାଧ୍ୟ ହୁଅନ୍ତି ନିଜର ମୂଲ୍ୟବାନ ସଞ୍ଚୟକୁ ଖର୍ଚ୍ଚ କରି ବା ଧାର, କରଜ କରି ଏପରି ଆୟୋଜନମାନ କରିବା ପାଇଁ। କାରଣ ଘରର ଅନ୍ୟ ଲୋକମାନଙ୍କ ଉପରେ ସାମାଜିକ ପ୍ରଶଂସା, ପ୍ରତିଷ୍ଠାର ଭୂତଟି ବେଶ୍ ସବାର ହୋଇଯାଇଥାଏ। ଆଉ ଏହି ଉତ୍ତେଜକ କାର୍ଯ୍ୟକ୍ରମଗୁଡ଼ିକ ଭିତରେ ବିଭାଘର ମିଳନର ସେ ସୁକୁମାର ଅନୁଭବଗୁଡ଼ିକ କୁଆଡ଼େ ହଜିଯାଏ। ଆମର ସାମାଜିକ ଜୀବନରେ ଏହିପରି ଆହୁରି ଅନେକ କୋମଳ, ଅନ୍ତରଙ୍ଗ ଅନୁଭବଗୁଡ଼ିକ ପ୍ରତିଦ୍ବନ୍ଦ୍ବିତାମୂଳକ ଆଡ଼ମ୍ବରରେ ବଳି ପଡ଼ିଯାଏ। ଆମର ମନ୍ଦିରଗୁଡ଼ିକ, େଯଉଁଠି ଆମେ ନିରବରେ, ଶାନ୍ତିରେ ଭଗବାନଙ୍କ ସହ କିଛି ସମୟ କଟେଇବାକୁ ଚାହୁଁ, ଯାହା ଆମ ଆଧ୍ୟାତ୍ମିକ ଜୀବନ ପାଇଁ ଏକ ଆଶ୍ରୟ- ସେଗୁଡ଼ିକ ଏବେ ଚାକଚକ୍ୟଭରା ସୁଦୃଶ୍ୟ ହର୍ମ୍ୟ ପରି ଉଭା ହେଲେଣି। ଏହିପରି ଆମର ଦୈନନ୍ଦିନ ଜୀବନରେ ପର୍ଯ୍ୟାପ୍ତ ଉଦାହରଣ ଅଛି, ଯେଉଁଠି ଆମର ଜୀବନ ଆମେ ନିଜ ପାଇଁ ବଞ୍ଚିବାର ସ୍ବତଃସ୍ଫୂର୍ତ୍ତ ପ୍ରୟାସ ନୁହେଁ; ଏହା ଅନ୍ୟ ପାଖରେ ନିଜକୁ ଉପସ୍ଥାପନ କରିବାର ସୁଚିନ୍ତିତ ଯୋଜନାମାନ।
ଅଧିକାଂଶ କ୍ଷେତ୍ରରେ ଆମର ରୁଚି, ମୂଲ୍ୟବୋଧ, ବଞ୍ଚିବାର ଶୈଳୀ ଆମର ନୁହେଁ; ଏହା ସମାଜ ସୃଷ୍ଟ। କିନ୍ତୁ ବର୍ତ୍ତମାନ କିଏ ଏହି ସମାଜ? ଏହା ସଂପୂର୍ଣ୍ଣ ସ୍ପଷ୍ଟ ଯେ ଶିଳ୍ପପତି, ବ୍ୟବସାୟୀ ଗୋଷ୍ଠୀ ଓ ସମାଜର ତଥାକଥିତ ଉଚ୍ଚ ବର୍ଗର ଲୋକମାନେ ବସ୍ତୁ ଭୋଗକୁ ସବୁଠାରୁ ଈପ୍ସିତ ରୁଚି ଭାବରେ ସମାଜରେ ପ୍ରତିଷ୍ଠା କରିସାରିଲେଣି। ସେମାନଙ୍କର ବିଜ୍ଞାପନ କିପରି ଆମକୁ ବଶୀକରଣ କରୁଛି, ତାହାର କିଛି ଉଦାହରଣ- ଟିଭି ବିଜ୍ଞାପନରେ ଜଣେ ଦେଖୁଛି, ବିବାହ ବାର୍ଷିକୀରେ ସ୍ବାମୀ ନିଜ ଭଲ ପାଇବାର ପ୍ରତୀକ ସ୍ବରୂପ ‘ଡାଇମଣ୍ଡ ରିଙ୍ଗ’ଟିଏ ସ୍ତ୍ରୀର ଆଙ୍ଗୁଠିରେ ପିନ୍ଧେଇ ଦେଉଛି ଏବଂ ସ୍ତ୍ରୀ ଭାବପ୍ରବଣତାରେ ପୂରା ତରଳି ଯାଉଛି। ନେପଥ୍ୟରେ ଭାସି ଆସୁଛି ମାଦକତା ଭରା କଣ୍ଠରେ, ‘‘ଜୀବନରେ କେତୋଟି ସଂପର୍କ ସବୁଦିନେ ସୁନ୍ଦର।’’ ବାସ୍, ଜଣେ ଯେତେବେଳେ ଏହାକୁ ଦେଖୁଥିବ, ସେତେବେଳେ ତା’ ମନରେ ଏହି କଥାଟି ଧୀରେ ଧୀରେ ବସା ବାନ୍ଧି ଯାଇଥିବ ଯେ ଭଲ ପାଇବାର ଏକ ପ୍ରତୀକ ହେଲା ସୁନା କି ହୀରାର ଏକ ଅଳଙ୍କାରର ଉପହାର। ସେହିପରି ଗୋଟିଏ ନୂଆ କାର୍ ଭିତରେ ବାପା, ମା’, ପୁଅ, ଝିଅ ଲମ୍ବା ‘ଡ୍ରାଇଭ’ରେ ଯାଉଛନ୍ତି; କାର୍ ଭିତରେ ଖୁସିଗପ, ହସକୌତୁକ ହେଉଛନ୍ତି। ଗୋଟିଏ ଛୋଟ ପରିବାର ସୁନ୍ଦର ଭାବେ ଜୀବନକୁ ଉପଭୋଗ କରୁଛନ୍ତି। ଏହି ଚିତ୍ରଟି ଦେଖିଲା ବେଳେ ସଂସାର ଆରମ୍ଭ କରୁଥିବା ଯେ କୌଣସି ଗୋଟିଏ ଦଂପତି ମନରେ ନିଶ୍ଚୟ ଧାରଣାଟିଏ ଆସ୍ତେ ଆସ୍ତେ ଦୃଢ଼ୀଭୂତ ହେଉଥିବ ଯେ ପରିବାରଟି ଏକାଠି ହେବା ପାଇଁ କାର୍ଟିଏ ନିଶ୍ଚୟ ଦରକାର। ପାରିବାରିକ ଅନ୍ତରଙ୍ଗତା ଆଉ ନୁହେଁ ଶୀତ ରାତିରେ ଅଗଣାରେ ଏକାଠି ବସି ନିଅଁା ପୋଇଁ ହେବା ବା ଗୋଟିଏ ଛୋଟିଆ ‘ରୁମ୍’ରେ ଜଣକ ଉପରେ ଜଣେ ଲଦି ହୋଇ ଗପସପ ହେବା ବା ସେପରି ଆଉ କିଛି।
ଯେତେବେଳେ ଗୋଟିଏ ସୁଦୃଶ୍ୟ ବିଜ୍ଞାପନକୁ ସମୟ ସମୟ ଅନ୍ତରରେ ବାରମ୍ବାର ଆମ ଆଗରେ ଉପସ୍ଥାପନ କରାଯାଏ, ତାହା ଆସ୍ତେ ଆସ୍ତେ ଆମ ଅଜାଣତରେ ଆମ ମାନସିକ ସତ୍ତାର ଅଂଶ ହୋଇଯାଏ, ଠିକ୍ ଯେମିତି ଗୋଟିଏ ମିଥ୍ୟାକୁ ବାରମ୍ବାର କହିଲେ, ତାହା ସତ୍ୟ ପରି ପ୍ରତୀତ ହୁଏ। ଏହି ସମ୍ବନ୍ଧରେ ପ୍ରସିଦ୍ଧ ଆଧ୍ୟାତ୍ମବାଦୀ ଲେଖକ ଦୀପକ ଚୋପ୍ରାଙ୍କ କଥାଟିଏ ମନେ ପଡ଼େ। ସେ ଗୋଟିଏ ଛୋଟିଆ ପରୀକ୍ଷା କରି ଦେଖାଉଥିଲେ ଯେ ଆମର ଶରୀରର ପ୍ରତ୍ୟେକ କୋଷ ଆମର ମନକୁ କିପରି ଲୁଚି ଲୁଚିି ଶୁଣୁଥାନ୍ତି। ଏହାର ଅର୍ଥ ହେଲା ଯେ ଆମ ମନରେ ଯାହା ବସା ବାନ୍ଧିଯାଏ, ଯେପରି ବଜାର ପ୍ରଦତ୍ତ ରୁଚିମାନ, ତାହା ଆମର ଜୀବନର କାର୍ଯ୍ୟଗୁଡ଼ିକୁ ସଂପ୍ରସାରିତ ହୋଇଆସେ। ବଜାରର ଲୋଭ, ଲାଭଗୁଡ଼ିକ ଯେତେବେଳେ ଆମର ଗହନ ଇଚ୍ଛାରେ ପରିଣତ ହୋଇଯାଆନ୍ତି, ସେତେବେଳେ ଆମ ପିଲାମାନେ କରଜ କରି ବଡ଼ ବଡ଼ ଗାଡ଼ି, ଘରମାନ କିଣନ୍ତି; ସ୍ନେହର, ଭାବର ଆଦାନପ୍ରଦାନ ଦାମୀ ଦାମୀ ଜିନିଷ ମାଧ୍ୟମରେ ହୁଏ। ସଭ୍ୟତା ନାମରେ ଆମେ ଯେଉଁ ଜୀବନ ବଞ୍ଚୁଛୁ, ତାହା ସତରେ ଆମର ଜୀବନ ନ ଥାଏ। ଘର, ଗାଡ଼ି, ଗହଣା, ଶାଢ଼ି, ସୁଟ୍, ଡିଗ୍ରି, ପଦବି, ପୁରସ୍କାର- ଏମିତି କେତେ ଛୋଟବଡ଼ କଥା ନେଇ ସମାଜରେ ଆମର ମୂଲ୍ୟାଙ୍କନ କରାହୁଏ ଏବଂ ସେହି ମୂଲ୍ୟାଙ୍କନରେ ଜିତିବା ପାଇଁ ଆମେ କେତେ ଦିବାରାତ୍ର ପରିଶ୍ରମ, କେତେ ଚିନ୍ତା, କେତେ ଖୋସାମତ, କେତେ ଈର୍ଷା, କେତେ ଚକ୍ରାନ୍ତ ନ କରୁଛୁ! ଏହି କ୍ରମରେ ଆମେ ମଧ୍ୟ ନିଜର ଅନ୍ତରାତ୍ମାକୁ କେତେ ତିଳ ତିଳ କରି ବଳି ନ ଦେଉଛୁ! ଏଥିପାଇଁ େଯ ସମାଜରେ ଆମର ପତିଆରା ବଢ଼ିବ! କିନ୍ତୁ ମୁଁ ଯଦି ଭାବେ ଯେ ପତିଆରା ନ ବଢ଼ିଲେ ନାହିଁ; ଅନ୍ୟମାନେ େମାତେ ସଫଳ ନ କହିଲେ ନାହିଁ; ମୁଁ କିନ୍ତୁ ମୋର ଜୀବନକୁ ମୋର ନିଜସ୍ବ ଅନୁରାଗରେ ବଞ୍ଚିବି ତା’ହେଲେ ଜୀବନାନୁଭୂତି ଅନ୍ୟ ପ୍ରକାର ହେବ। ଯେଉଁ ସାମାଜିକ ଧାରଣାଗୁଡ଼ିକ ମୋର ଅନ୍ତରାତ୍ମାକୁ ଆହତ କରେ, ଅପମାନିତ କରେ, ତାକୁ ପ୍ରତ୍ୟାଖ୍ୟାନ କରିବା ତ ମୋର ଏକମାତ୍ର କର୍ତ୍ତବ୍ୟ।
ଆମେ ପ୍ରତ୍ୟେକ ଯେତେବେଳେ ଆମର ବିତି ଯାଇଥିବା ଜୀବନକୁ ଦେଖୁ, ସେତେବେଳେ ଅନୁଭବ କରୁ ଯେ ବହୁତ କଥା ଆମେ ଅନେକ ଆଗ୍ରହ, ସ୍ବପ୍ନ, ଶ୍ରମ ଦେଇ କରୁଥିଲୁ, ଯାହା ସହିତ ଆମର ନିରୋଳା ଜୀବନର କୌଣସି ସଂପର୍କ ନ ଥିଲା। ମୁଁ ବ୍ୟସ୍ତ ହୋଇ ବଡ଼ ଘରଟିଏ କରିଦେବା, ବୃତ୍ତିରେ ଶୀଘ୍ର ଶୀଘ୍ର ଉପରକୁ ଉଠିଯିବା, ବହିଗୁଡ଼ିଏ ପ୍ରକାଶ କରିଦେବା, ପୁରସ୍କାରଗୁଡ଼ିଏ ପାଇଯିବା ଇତ୍ୟାଦି- ଏସବୁ ମୋର ଅନ୍ତରର ଜୀବନ ପାଇଁ ମୂଲ୍ୟହୀନ ଥିଲା, କାରଣ ଏସବୁ କେବଳ ସମାଜରେ ମୋର ପ୍ରତିଛବିଟିଏ ସୃଷ୍ଟି ପାଇଁ ଥିଲା। ଆମର ପିଲାମାନେ ବି ସେହି ମାନସିକ ରୋଗରେ ଆକ୍ରାନ୍ତ- ନିଜକୁ ସଫଳ ବୋଲି ପ୍ରମାଣ କରିବେ ନିଜର ସାଙ୍ଗସାଥୀ, ବନ୍ଧୁବାନ୍ଧବ, ଏପରିକି ନିଜର ବାପାମା’ଙ୍କ ପାଖେ। ଯେତେବେଳେ ଜଣେ ନିଜର ଜୀବନ ବଞ୍ଚେ ନାହିଁ ଏବଂ ବାହାରୁ ତା’ ଉପରେ ଲଦା ହୋଇଥିବା ଜୀବନକୁ ବଞ୍ଚେ, ସେତେବେଳେ ସେ ତ ନିଶ୍ଚୟ କଷ୍ଟ ପାଇବ, ରୁୁନ୍ଧି ହୋଇଯିବ। ଯେଉଁମାନେ କିନ୍ତୁ ନିଜର ଜୀବନ ବଞ୍ଚୁଥାନ୍ତି, ନିଜସ୍ବ ଅନୁରାଗଗୁଡ଼ିକରେ ମଗ୍ନ ଥାଆନ୍ତି, ସେମାନଙ୍କ ପାଖରେ ବିନ୍ଦୁଏ ବ୍ୟଗ୍ରତା ନ ଥାଏ ପ୍ରଶଂସା, ପ୍ରତିଷ୍ଠା ପଛରେ ଗୋଡ଼େଇବା ପାଇଁ। ଯେଉଁମାନେ ଏହିପରି ନିମଜ୍ଜିତ ଥାଆନ୍ତି- ଯେମିତି କିଏ ବହି ପଢ଼ିବାରେ, କିଏ ପିଲାଙ୍କୁ ପଢ଼ାଇବାରେ, କିଏ ଗୀତ ଶୁଣିବାରେ ବା ବୋଲିବାରେ, କିଏ ସାଙ୍ଗସାଥୀମାନଙ୍କ ସହ ବୁଲିବାରେ, କିଏ ଗଛ ଲଗାଇବାରେ, କିଏ କାହାର ସେବା କରିବାରେ- ସେମାନେ କେବେ ଆବଶ୍ୟକତା ଅନୁଭବ କରନ୍ତି ନାହିଁ ନିଜକୁ ଅନ୍ୟ ପାଖରେ ସଫଳ ଦେଖାଇ ସନ୍ତୋଷ ପାଇବା ପାଇଁ। ନିଜର ଆତ୍ମିକ ଜୀବନରେ ଅଭାବ ଥିଲେ ହିଁ ବାହାରେ ଆମେ ଆମ ପାଇଁ ସ୍ବୀକୃତି ଖୋଜୁ।
ଅନ୍ୟମାନେ ମୋତେ ଚିହ୍ନିବା ପାଇଁ ମୋର ଯେତିକି ବ୍ୟଗ୍ରତା ଥାଏ, ତା’ର ସାମାନ୍ୟତମ ଅଂଶର ବ୍ୟଗ୍ରତା ମୋର ନ ଥାଏ ମୋତେ ଚିହ୍ନିବା ପାଇଁ, ଜାଣିବା ପାଇଁ େଯ ପ୍ରକୃତରେ ମୁଁ କେଉଁଥିରେ ଆନନ୍ଦ ପାଇବି। ଗୋଟିଏ ସମାଜ, ଯେଉଁଠି ସଫଳତା, ସ୍ବୀକୃତିର ମାପକାଠି ହେଉଛି କେବଳ ଭୌତିକ ସଂପତ୍ତି ଓ କ୍ଷମତା, ସେଠି ମୋ ପାଇଁ ଏକମାତ୍ର ରାସ୍ତା ହେଉଛି ସମାଜର ଏ ଧାରାରୁ ଅଲଗା ହୋଇଯିବା ଏବଂ ମୋ ନିଜ ଭିତରେ ବିକଳ୍ପ ସନ୍ଧାନ କରିବା। ମୋତେ ବାଛିବାକୁ ହେବ, ମୁଁ ଆସ୍ପର୍ଦ୍ଧାର ସହ ବଞ୍ଚିବି ନା ଆନ୍ତରିକତାର ସହ ବଞ୍ଚିବି। ଥରେ ଯଦି ମୁଁ ସିଦ୍ଧାନ୍ତ କରିବି ଯେ ମୁଁ ‘ମୁଁ’ ହୋଇ ବଞ୍ଚିବି, ତେବେ କେତେ ଚିନ୍ତା, କେତେ ହତାଶାବୋଧରୁ ମୁଁ ମୁକ୍ତ ହୋଇ ଯାଇପାରିବି। ମୋ ଉପରେ କୌଣସି ଚାପ ନ ଥିବ; ମୁଁ ପୂରା ସହଜ, ସରଳ, ସ୍ବତଃସ୍ଫୂର୍ତ୍ତ ହୋଇଯାଇଥିବି। ମୁଁ ମୋ ନିଜ ପାଇଁ ଆନନ୍ଦର ଉତ୍ସ ହୋଇଯାଇଥିବି; ମୋତେ ବାହାରର ଉତ୍ତେଜନା ପାଇଁ ବ୍ୟାକୁଳ ହେବାକୁ ପଡ଼ିବନି। କଥାରେ ଅଛି, ଯିଏ ନିଜ ଅନ୍ତରରେ ନିତ୍ୟ ରାସର ଜୀବନ ବଞ୍ଚୁଛି, ସେ ବିପଣିକୁ ବାରାଙ୍ଗନା ସନ୍ଧାନରେ କାହିଁକି ଯିବ!
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୨୯୨୧୧୩