ଭୂପିନ୍ଦର ସିଂହ (ଭୂପିନ୍ଦର ଭାବେ ଅଧିକ ପରିଚିତ)ଙ୍କ ବିଦାୟ ସହିତ ଭାରତର ଗଜଲ ଆକାଶରୁ ଉଜ୍ଜ୍ବଳ ଜ୍ୟୋତିଷ୍କଟିଏ ଅନ୍ତର୍ହିତ ହୋଇଯାଇଛି। ସେ ଗଲାବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ତାଙ୍କର ବିଦାୟ ସହ ସାଢ଼େ ପାଞ୍ଚ ଦଶନ୍ଧିର ଦୀର୍ଘ କାଳ ଧରି ଯେଉଁ ରେଶମୀ, କୋମଳ ଓ ମୁଲାୟମ ସ୍ବର ଭାରତୀୟ ସଂଗୀତ ଜଗତକୁ ଝଂକୃତ କରୁଥିଲା ତାହା ନିରବି ଯାଇଛି।
ସେ ଥିଲେ ଭାରତବର୍ଷର ସବୁଠାରୁ ଅଧିକ ପ୍ରତିଭାସଂପନ୍ନ ଅଥଚ ସବୁଠାରୁ କମ୍ ପ୍ରଚାରିତ ଗଜଲ ଗାୟକ। ତାଙ୍କ ସ୍ବରରେ ଗୋଟିଏ ଅଦ୍ଭୁତ ଯାଦୁ ଥିଲା। ତାଙ୍କର ସିଗାରେଟ୍ଟଣା ଗମ୍ଭୀର ବାରିଟୋନ୍ ସ୍ବର ସର୍ବଦା କୋମଳ ଓ ଶ୍ରୁତିମଧୁର ଶୁଭୁଥିଲା। ଯେଉଁ ଗୀତଟି ତାଙ୍କ ସହିତ ଏଇ ଲେଖିକାକୁ ପରିଚିତ କରାଇଥିଲା ତାହା ହେଉଛି ‘ବିତି ନା ବିତାଇ ରୈନା’। ସପ୍ତମ ଦଶକର ଆଦ୍ୟକାଳରେ ଲେଖିକାର ବାପା ଏହି ଗୀତଟିକୁ ତାଙ୍କ ରେକର୍ଡ ପ୍ଲେୟର୍ରେ ବଜାଇଥିଲେ ଏବଂ ଲେଖିକାର ମାଆ ତା ସହ ତାଳ ଦେଇ ଗୀତଟି ଗୁଣୁଗୁଣେଇଥିଲେ। ଏହା ପରେ ଭୂପିନ୍ଦରଙ୍କ ଚିରସ୍ମରଣୀୟ ଗୀତସବୁ ଶୁଣିବାର ଅବକାଶ ଆସିଥିଲା। ତାଙ୍କର ପ୍ରତିଟି ଗୀତ ହୃଦୟର ଗଭୀରତମ ପ୍ରଦେଶକୁ ସ୍ପର୍ଶ କରୁଥିଲା ଏବଂ ମନରେ ସ୍ଥାୟୀ ଛାପ ଛାଡ଼ିଯାଉଥିଲା, ଯାହା ବାରମ୍ବାର ବିବ୍ରତ କରୁଥିଲା ବା ଆଶ୍ବସ୍ତି ଦେଉଥିଲା।
ବିଷାଦବୋଳା ‘ଏକ ଅକେଲା ଇସ୍ ସେହରୋଁ ମେଁ’ ହେଉ ବା ସ୍ଫୁର୍ତ୍ତିସଜଡ଼ା ‘ଦୋ ଦିଵାନେ ସେହର ମେଁ’ ହେଉ ବା ଆବେଗପୂର୍ଣ୍ଣ ‘ଦିଲ୍ ଢୁଣ୍ଡତା ହୈ’ ହେଉ ବା ମର୍ମସ୍ପର୍ଶୀ ‘କରୋଗେ ୟାଦ’ ବା ଦର୍ଶନବୋଳା ‘ନାମ ଗୁମ୍ ଯାଏଗା’ ହେଉ ପ୍ରତିଟି ଗୀତ ସ୍ମରଣୀୟ। ‘ବିବିଧ ଭାରତୀ’ର ‘ମନ ଚାହେ ଗୀତ’ ଓ ‘ରଙ୍ଗ ତରଙ୍ଗ’ କାର୍ଯ୍ୟକ୍ରମରେ ଭୂପିନ୍ଦରଙ୍କ ସ୍ବର ଗ୍ରୀଷ୍ଣ ଅପରାହ୍ଣରେ ଶୀତଳ ସ୍ପର୍ଶର ଶିହରଣ ସୃଷ୍ଟି କରୁଥିଲା। ଲେଖିକାର ସବୁଠାରୁ ପ୍ରିୟ ଗୀତ ଅପେକ୍ଷାକୃତ କମ୍ ଜଣାଶୁଣା ‘ରୁତ୍ ଜଵାଁ ରାତ୍ ମେହରବାଁ’। ୧୯୬୭ର ‘ଆଖରି ଖତ୍’ ଚଳଚ୍ଚିତ୍ରର ଏହି ଗୀତଟିରେ ଭୂପିନ୍ଦରଙ୍କ ଆଦ୍ୟ ତେଜୋମୟ ରୂପ ପରଦା ଉପରେ ଦେଖିବାକୁ ମିଳେ ଯେଉଁଥିରେ ସେ ଗିଟାର୍ ବଜାଇବା ସହିତ ଗୀତଟିକୁ ଗାଇଛନ୍ତି।
ପରବର୍ତ୍ତୀ ସମୟରେ ସେ ଭାରତର ଯେ ଅଦ୍ବିତୀୟ ସଂଗୀତ ପ୍ରତିଭା ପାଲଟିଲେ ଏଥିରୁ ତାହାର ପୂର୍ବାଭାଷ ମିଳିଯାଇଥିଲା। ସେ ଥିଲେ ବିଚକ୍ଷଣ ସଂଗୀତକାର ଆର୍. ଡି. ବର୍ମନଙ୍କ ଘନିଷ୍ଠ ବନ୍ଧୁ। ବର୍ମନ ନିଜ ଗୀତମାନଙ୍କରେ ଭୂପିନ୍ଦରଙ୍କ ଗିଟାର୍ ବାଦନ ପ୍ରତିଭାର ପ୍ରଚୁର ବିନିଯୋଗ କରିଛନ୍ତି। ଏହାର କିଛି ଦଶନ୍ଧି ପରେ ଭୂପିନ୍ଦର ଓ ତାଙ୍କର ପତ୍ନୀ ମିତାଲୀଙ୍କ ଯୁଗଳବନ୍ଦୀ ସବୁଠାରୁ ରୋମାଣ୍ଟିକ୍ ଗଜଲ୍ମାନ ଗାଇବାକୁ ଲାଗିଲେ। ମିତାଲୀଙ୍କ ମସୃଣ ଉଚ୍ଚାଟ ସ୍ବର ସାଙ୍ଗରେ ଭୂପିନ୍ଦରଙ୍କ ଗମ୍ଭୀର ସ୍ବର ଅଦ୍ଭୁତ ରସାୟନ ତିଆରି କରୁଥିଲା। ଉଭୟ ଶବ୍ଦ ଓ ସଂଗୀତ ଦୃଷ୍ଟିରୁ ସେମାନେ ଗଜଲ୍ ସଂଗୀତର ସରଳୀକରଣ କରିଥିଲେ ଯାହା ସାଧାରଣ ଶ୍ରୋତା ପକ୍ଷେ ଅଧିକ ଗ୍ରହଣୀୟ ହୋଇପାରିିଥିଲା। ସେମାନେ ଏକାଠି ଗାଇଥିବା ଅନେକ ଗଜଲ୍ ମଧ୍ୟରୁ ଲେଖିକା ପାଇଁ ସବୁଠାରୁ ସ୍ମରଣୀୟ ହେଉଛି ‘ଚଲୋ ଆଜ୍ ହମ୍ ରୁଠ୍ ଯାତେ ହୈଁ’। ଏଥିରେ ଉଭୟଙ୍କ ସ୍ବର, ବେଳାଭୂମି ଛୁଇଁବା ଲାଗି ଧୈର୍ଯ୍ୟର ସହିତ ଅପେକ୍ଷାରତ ଢେଉ ସାଙ୍ଗେ ତୁଳନୀୟ। ସେମାନଙ୍କ ସଂଗୀତମୟ ଯୁଗଳବନ୍ଦୀ ଏଭଳି ଚମତ୍କାର ପରିବେଶ ସୃଷ୍ଟି କରିଥାଏ ଯେ ଶ୍ରୋତାର କାନ ତାହା ଶୁଣିବା ଲାଗି ଉତ୍କୀର୍ଣ୍ଣ ହୋଇଉଠେ।
ଭୂପିନ୍ଦର ଓଡ଼ିଆ ଚଳଚ୍ଚିତ୍ର ‘ଅନୁରାଗ’ (୧୯୮୦)ର ଦୁଇଟି ଗୀତ ଗାଇଛନ୍ତି। ଉଭୟ ଗୀତର ରଚୟିତା ଶିବବ୍ରତ ଦାସ। ଡୁଏଟ୍ ‘ମାଗେ ମେଲାଣି ଯେବେ ଲାଜରେ ଯାମିନୀ’ ଏବଂ ‘ଶୁଣ ମୋର ବନ୍ଧୁ ସମୟ ନଦୀର ଧରା’ ଏବଂ ‘ଏ ଜୀବନ ମାନେ ନୁହେଁ ଆହା’ (ଉଲ୍କା) ଓଡ଼ିଆ ଚଳଚ୍ଚିତ୍ର ସଂଗୀତର ଗୋଟିଏ ଗୋଟିଏ ମୂଲ୍ୟବାନ ରତ୍ନ।
୧୯୯୪ରେ ଭୂପିନ୍ଦରଙ୍କ ‘ତେରେ ଲିୟେ’ ଆଲବମ୍ ଉନ୍ମୋଚିତ ହୋଇଥିଲା। ଷଷ୍ଠ ଓ ସପ୍ତମ ଦଶକର ଲୋକପ୍ରିୟ ଇଂରେଜୀ ଗୀତଗୁଡ଼ିକର ଛାୟାରେ ଦଶଟି ହିନ୍ଦୀ ଗୀତକୁ ନେଇ ଏହା ପ୍ରସ୍ତୁତ ହୋଇଥିଲା। ଭୂପିନ୍ଦରଙ୍କ ଛଡ଼ା ସେ ସମୟର ଅନ୍ୟ କୌଣସି ଭାରତୀୟ ଗାୟକଙ୍କୁ ଏହି ଲେଖିକା ଜାଣେ ନାହିଁ ଯିଏ ଏଭଳି ଚମତ୍କାର ସିଡିଟିଏ କରିଥିଲେ। ନେଲ ଡାଇମଣ୍ଡ୍ସଙ୍କ ‘ସଙ୍ଗ ସଙ୍ଗ୍ ବ୍ଲୁ’ ଗୀତ ଉପରେ ପର୍ଯ୍ୟବସିତ ‘ଦିଲ୍ ଚାହେ ଗାତା ହି ରହୁଁ ମେଁ’ ଏ ପର୍ଯ୍ୟନ୍ତ ସ୍ମରଣୀୟ ଲୋକପ୍ରିୟ ଗୀତ ହୋଇରହିଛି।
ଲେଖିକା ଭୂପିନ୍ଦରଙ୍କୁ ଦୁଇ ଥର ଏବଂ ଭୂପିନ୍ଦର-ମିତାଲୀ ଯୋଡ଼ିକୁ ଥରେ ମଞ୍ଚରେ ଗାଇବାର ଦେଖିଛି। ଅନ୍ୟ ମହାନ କଳାକାରଙ୍କ ଭଳି ସେମାନେ ଦର୍ଶକଙ୍କ ‘ଫର୍ମାଇସ୍’ ପଚାରି ଗୀତ ଗାଉଥିଲେ ଏବଂ ନିଧାର୍ଯ୍ୟ ସମୟକୁ ବହୁ ଅଧିକ ସମୟ ଗଡ଼େଇଦେଉଥିଲେ। ତାଙ୍କ ପରଲୋକର ଖବର ଶୁଣିବା ପରେ ଲେଖିକା ସେଇ ପୁରୁଣା ଗୀତଗୁଡ଼ିକୁ ଲଗାତାର ଶୁଣିଚାଲିଛି। ସଂଗୀତର ସ୍ବଭାବ କ୍ଷତ ଉପରେ ମଲମର ପ୍ରଲେପ ଭଳି। ଭୂପିନ୍ଦରଙ୍କ ଆବେଗପୂର୍ଣ୍ଣ ସ୍ବର ପୁଣି ସଂଗୀତର ଉପଶମକାରୀ ପ୍ରଭାବକୁ ଦ୍ବିଗୁଣିତ କରିଦିଏ। ଏହି ଲେଖିକା ସର୍ବଦା ଭାବେ କଳାକାରମାନଙ୍କୁ ଅମରତ୍ବ ବର ମିଳନ୍ତା କି! ତା’ହେଲେ କୌଣସି ପିଢ଼ି ସେମାନଙ୍କୁ ଦେଖିବାକୁ ଓ ଶୁଣିବାକୁ ବଞ୍ଚିତ ହୁଅନ୍ତା ନାହିଁ। ମାତ୍ର ସେମାନଙ୍କ କଳା ତ ସେମାନଙ୍କୁ ଅମର କରି ରଖେ। ଭୂପିନ୍ଦରଙ୍କ ସଂଗୀତ ତାଙ୍କୁ ଅନୁରୂପ ଭାବେ ଅମରତ୍ବ ପ୍ରଦାନ କରିବ।
ମୋ: ୯୪୩୯୩୦୦୦୦୦