ବର୍ଷକ ତଳେ ଧାରଣା ଥିଲା ଯେ, ଡୋନାଲ୍ଡ ଟ୍ରମ୍ପ୍ ଦ୍ବିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଜିତିବେ। ସେ ଇସଲାମୀ ଆତଙ୍କବାଦ ଓ ଏହାର ପୃଷ୍ଠପୋଷକ ପାକିସ୍ତାନର ବିରୋଧୀ। ସେ ଚୀନ୍ର ମଧ୍ୟ ପ୍ରବଳ ବିରୋଧୀ। ତେଣୁ ତାଙ୍କୁ ସମର୍ଥନ ଦିଆଯିବା ଦରକାର। ଏଣୁ ଗତ ବର୍ଷ ନଭେମ୍ବର ମାସରେ ଆମେରିକାର ହଷ୍ଟନ ସହରରେ ୫୦,୦୦୦ ଭାରତୀୟ ବ˚ଶୋଦ୍ଭବମାନଙ୍କ ଦ୍ବାରା ବିପୁଳ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ ହୋଇଥିଲା ଯେଉଁଠି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡୋନାଲ୍ଡ ଟ୍ରମ୍ପ୍ଙ୍କ ସହ ଉପସ୍ଥିତ ଥିଲେ ଓ ‘ଅଗଲି ବାର, ଟ୍ରମ୍ପ୍ ସରକାର’ ବୋଲି ଧ୍ବନି ଦେଇଥିଲେ। ଏହା ପରେ ଟ୍ରମ୍ପ୍ ଭାରତ ଗସ୍ତରେ ଆସିଥିଲା ବେଳେ ତାଙ୍କୁ ଅହମଦାବାଦଠାରେ ଏକ ଲକ୍ଷ ଲୋକଙ୍କ ଦ୍ବାରା ସମ୍ବର୍ଦ୍ଧନା ଦିଆଯାଇଥିଲା। ଭାରତରୁ ଫେରିବା ପରେ ଟ୍ରମ୍ପ୍ କହିଥିଲେ, ଭାରତର ଏହି ଜନସଭା ପରେ ସେ କୌଣସି ସଭାରେ ଜନସ˚ଖ୍ୟାକୁ ନେଇ ଆଦୌ ଚିନ୍ତିତ ନୁହନ୍ତି। ଅପର ପକ୍ଷରେ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ଜୋ ବାଇଡେନ ଅତୀତରେ କାଶ୍ମୀରରୁ ୩୭୦ ଧାରାକୁ ଉଚ୍ଛେଦ ପ୍ରସ˚ଗକୁ ନେଇ ଭାରତର ସମାଲୋଚନା କରିଥିଲେ। ସେଠାରେ ମାନବିକ ଅଧିକାରର ଉଲ୍ଲଂଘନ କରାଯାଉଛି ବୋଲି ମନ୍ତବ୍ୟ ଦେଇଥିଲେ। ଏପରିକି ଭାରତରେ ସ˚ଖ୍ୟାଲଘୁମାନଙ୍କ ପ୍ରତି ଅନ୍ୟାୟ ହେଉଛି ବୋଲି ପ୍ରସ˚ଗ ଉଠାଇଥିଲେ। ଯଦି ସେ ରାଷ୍ଟ୍ରପତି ହୁଅନ୍ତି, ତେବେ ଆମେରିକାକୁ ମୁସଲମାନମାନଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଉନଥିବା ବ୍ୟବସ୍ଥାକୁ ହଟାଇବେ ବୋଲି ଘୋଷଣା କରିଥିଲେ। କେବଳ ସେ ନୁହନ୍ତି, ତାଙ୍କର ଉପରାଷ୍ଟ୍ରପତି ପ୍ରାର୍ଥୀ ତଥା ଭାରତୀୟ ବ˚ଶୋଦ୍ଭବ କମଳା ଦେବୀ ହାରିସ୍ ମଧ୍ୟ ଠିକ୍ ସେହିପରି ମନ୍ତବ୍ୟମାନ ଦେଇଥିଲେ।
ଏବେ ନିର୍ବାଚନରେ ଟ୍ରମ୍ପ୍ ପରାଜିତ ହୋଇଛନ୍ତି। ଅବଶ୍ୟ ସେ ଯେତେ ବ୍ୟବଧାନରେ ହାରିବେ ବୋଲି ଆମେରିକାର ଗଣମାଧ୍ୟମ ଜୋରଦାର ଭାବରେ ପ୍ରଚାର କରୁଥିଲା, ସେ ସେତେ ବ୍ୟବଧାନରେ ହାରିନାହାନ୍ତି। ଅର୍ଥାତ୍, ଦେଶରେ ତାଙ୍କର ଦୃଢ଼ ସମର୍ଥକ ଅଛନ୍ତି। କରୋନା ହିଁ ତାଙ୍କ ବିଜୟକୁ ପରାଜୟରେ ପରିଣତ କରି ଦେଇଛି। ଏହି ଅବସରରେ ଜୋ ବାଇଡେନଙ୍କର ଭାରତ ପ୍ରତି ଆଭିମୁଖ୍ୟ କ’ଣ ରହିବ, ତାହାକୁ ନେଇ ଭାରତରେ ଅନେକ ଲୋକଙ୍କର ଘୋର ଆଶଙ୍କା ରହିଛି। କିନ୍ତୁ ବିଶେଷଜ୍ଞମାନଙ୍କର ଧାରଣା, ବାଇଡେନଙ୍କ ଶାସନ ବେଳେ ଭାରତ ସହ ଆମେରିକାର ସମ୍ପର୍କ କୌଣସି ବାଟରେ ଖରାପ ହେବନାହିଁ। ଏହାର ମୁଖ୍ୟ କାରଣ ହେଲା, ଗଣତନ୍ତ୍ରମାନଙ୍କରେ ଶାସନ ମୁଖ୍ୟ ବଦଳିଲେ ମଧ୍ୟ ବିଦେଶ ନୀତି ଓ ଅର୍ଥ ନୀତିରେ ସେମିତି କିଛି ପରିବର୍ତ୍ତନ ଆସେ ନାହିଁ। ଉଦାହରଣ ସ୍ବରୂପ, ୨୦୦୮ରେ ଭାରତ ଆମେରିକା ମଧ୍ୟରେ ‘ଆଣବିକ ଚୁକ୍ତି’ ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତି ଜର୍ଜ ବୁଶଙ୍କ ବେଳେ ଭାରତ ସହ ସମ୍ପାଦିତ ହୋଇଥିଲା। ପରବର୍ତ୍ତୀ ୨୦୦୯ ଜାନୁଆରିରେ ଯେତେବେଳେ ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ବରାକ ଓବାମା କ୍ଷମତା ଗ୍ରହଣ କଲେ ସେତେବେଳେ ଆଶଙ୍କା ହେଉଥିଲା ଯେ, ସେ ଏହି ଚୁକ୍ତି କାର୍ଯ୍ୟକାରୀ କରିନପାରନ୍ତି। କିନ୍ତୁ ସେ ଏହାକୁ ଯେ କାର୍ଯ୍ୟକାରୀ କଲେ ସେତକ ନୁହେଁ ବର˚ ଏହାକୁ ‘ଐତିହାସିକ’ ବୋଲି ଆଖ୍ୟା ଦେଲେ। ସେ ଆଠ ବର୍ଷ କାଳ କ୍ଷମତାରେ ଥିବାବେଳେ ଦୁଇ ଦୁଇ ଥର ଭାରତ ଆସିଥିଲେ ଓ ଦ୍ବିତୀୟ ବାର ଜିତିବା ପରେ ଭାରତର ଗଣତନ୍ତ୍ର ଦିବସ ଜାନୁଆରି ୨୬ରେ ମୁଖ୍ୟ ଅତିଥି ହୋଇଥିଲେ। ନରେନ୍ଦ୍ର ମୋଦୀ ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କର ବରାକ ଓବାମାଙ୍କ ସହ ଘନିଷ୍ଠତା ସୃଷ୍ଟି ହୋଇଥିଲା। ବରାକ ଓବାମା ରାଷ୍ଟ୍ରପତି ଥିଲା ବେଳେ ଆମେରିକାର ‘ସିଏଲ କମାଣ୍ତୋମାନେ’ ଅର୍ଦ୍ଧରାତ୍ରି କାଳରେ ପାକିସ୍ତାନ ମଧ୍ୟରେ ପ୍ରବେଶ କରି କୁଖ୍ୟାତ ଅଲ କାଏଦା ଆତଙ୍କବାଦୀମାନଙ୍କର ନେତା ଓସାମା ବିନ୍ ଲାଦେନଙ୍କୁ ତା’ର ଗୁପ୍ତ ବାସଗୃହରୁ ଉଠାଇ ନେଇ ହତ୍ୟା କରି ତା’ର ଶବକୁ ଆରବ ସାଗରକୁ ଫୋପାଡ଼ି ଦେଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବରାକ ଓବାମାଙ୍କ ଶାସନ ବେଳେ ତାଙ୍କର ଉପରାଷ୍ଟ୍ରପତି ଥିଲେ ଏହି ଜୋ ବାଇଡେନ। ଉପରାଷ୍ଟ୍ରପତି ହିସାବରେ ସେ କେତେକ ସିନେଟର ବିଦେଶ ନୀତି କମିଟିରେ ଅଧ୍ୟକ୍ଷତା କରୁଥିଲେ। ସେ କ୍ଷେତ୍ରରେ ତାଙ୍କୁ ଗୋଟିଏ ବିଶେଷଜ୍ଞ ଭାବରେ ଗଣନା କରାଯାଇଥାଏ। ଏଣୁ ସେ ଟ୍ରମ୍ପ୍ଙ୍କ ବିରୋଧୀ ବୋଲି ଭାରତର ମଧ୍ୟ ବିରୋଧୀ ହୋଇଯିବେ, ଏହା ସମ୍ଭବ ନୁହେଁ। ପୁଣି ପ୍ରଥମେ ଆମେରିକାରେ ଭୋଟର ଥିବା ଭାରତୀୟ ବ˚ଶୋଦ୍ଭବମାନେ ବିପୁଳ ସ˚ଖ୍ୟାରେ ଡୋନାଲ୍ଡ ଟ୍ରମ୍ପ୍ଙ୍କ ସମର୍ଥକ ଥିଲେ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ନିର୍ବାଚନ ବେଳେ ଯେଉଁ ଜନମତ ସର୍ଭେମାନ ପ୍ରକାଶିତ ହୋଇଥିଲା, ସେଥିରୁ ଜଣାପଡ଼ିଥିଲା ଯେ, ୭୨% ଭାରତ-ଆମେରିକୀୟମାନେ ଡେମୋକ୍ରାଟିକ୍ ପାର୍ଟିର ସମର୍ଥନରେ ଜୋ ବାଇଡେନଙ୍କୁ ଭୋଟ ଦେଇଛନ୍ତି। ସେମାନେ ବିଦେଶ ନୀତି ଅପେକ୍ଷା ସ୍ବାସ୍ଥ୍ୟ ସେବା, କର୍ମ ଭିସା ଇତ୍ୟାଦି ସୁବିଧା ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି ଯାହା ସେମାନେ ଚାହୁଁଛନ୍ତି। ସେମାନେ ବାଇଡେନଙ୍କ ଶାସନରେ ଅଧିକ ସୁବିଧା ପାଇବେ ବୋଲି ଆଶା ରଖୁଛନ୍ତି। ଏମିତି ମଧ୍ୟ କହିବାକୁ ଗଲେ ଆମେରିକାରେ ଥିବା ଭାରତୀୟମାନେ ଅଧିକା˚ଶ ସଦାବେଳେ ଡେମୋକ୍ରାଟିକ୍ ପାର୍ଟିକୁ ଭୋଟ ଦେଇ ଆସିଛନ୍ତି। ସେହି ଦୃଷ୍ଟିରୁ କରୋନା ମହାମାରୀ ପରିଚାଳନା କମିଟିର ମୁଖ୍ୟ ଭାବରେ ଜଣେ ଭାରତୀୟ ବ˚ଶୋଦ୍ଭବ ଡାକ୍ତର ବିବେକ ମୂର୍ତ୍ତିଙ୍କୁ ନିଯୁକ୍ତି ଦିଆଯିବ ବୋଲି ବାଇଡେନଙ୍କ ପକ୍ଷରୁ ଘୋଷଣା ମଧ୍ୟ କରାଯାଇଛି। ଏହି ପରିବର୍ତ୍ତିତ ପରିସ୍ଥିତିକୁ ଲକ୍ଷ୍ୟ କରି ଆମେରିକାରେ ଥିବା ଭାରତର ରାଷ୍ଟ୍ରଦୂତ ତରଣଜିତ ସି˚ହ ସାନ୍ଧୁ ଡୋମୋକ୍ରାଟିକ୍ ପାର୍ଟିର କ˚ଗ୍ରେସ (ସା˚ସଦ) ସଦସ୍ୟମାନଙ୍କ ସହ ଆଳାପଆଲୋଚନା ଆରମ୍ଭ କରିସାରିଲେଣି।
ଏବେ ମଧ୍ୟ ଲକ୍ଷ୍ୟ କରାଯାଉଛି ଯେ, ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଅପେକ୍ଷା ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ କରୋନା ମହାମାରୀକୁ ରୋକିବା ପାଇଁ ଅଧିକ ଗୁରୁତ୍ବ ଆରୋପ କରୁଛନ୍ତି। ବିଜ୍ଞାନ ଓ ଡାକ୍ତରମାନଙ୍କ ପରାମର୍ଶକୁ ଏ କ୍ଷେତ୍ରରେ ସେ ଅଧିକ ଗୁରୁତ୍ବ ଦେବେ, ଯାହା ଟ୍ରମ୍ପ୍ କରୁନଥିଲେ। ଏଥିପାଇଁ ସ୍ବାସ୍ଥ୍ୟ ସେବାକୁ ଦୃଷ୍ଟିକୁ ନେଲେ ଭାରତ ଓ ଆମେରିକାର ଦୃଷ୍ଟିଭଙ୍ଗୀ ସମାନ ହେବ ବୋଲି ଆଶା କରାଯାଉଛି। ଏହି ମନୋବୃତ୍ତି ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବ ନିଶ୍ଚୟ। ଇରାନକୁ ନେଇ ମଧ୍ୟ ଦୁଇ ଦେଶର ଆଭିମୁଖ୍ୟ ଟ୍ରମ୍ପ୍ଙ୍କ ବେଳେ ଅନେକଟା ଅଲଗା ଥିଲା। ଟ୍ରମ୍ପ୍ କେବଳ ଯେ ଇରାନ ସହ ୬ଟି ଦେଶମାନଙ୍କର ୨୦୧୫ର ଚୁକ୍ତିକୁ ଅସ୍ବୀକାର କରି ସେଥିରୁ ଓହରି ଆସିଲେ ସେତକ ନୁହେଁ, ଏହି ଦେଶ ବିରୁଦ୍ଧରେ କଠୋର ବାସନ୍ଦମାନ ଲାଗୁ କରିଦେଲେ। ଏହା ଫଳରେ ଭାରତ ଇରାନଠାରୁ ତେଲ କିଣି ପାରୁନାହିଁ। ଜୋ ବାଇଡେନ ଇରାନ ପ୍ରତି ଏତେଟା କଠୋର ମନୋବୃତ୍ତି ପୋଷଣ କରିବେ ନାହିଁ ବୋଲି ମନେହୁଏ। ଆମେରିକା ପୁଣି ସେହି ୨୦୧୫ର ଆଣବିକ ଚୁକ୍ତିକୁ ଫେରିଯାଇପାରେ ଓ ଇରାନ ଉପରୁ ପୂରା ନହେଲେ ମଧ୍ୟ କିଛିଟା ବାସନ୍ଦ ବ୍ୟବସ୍ଥାକୁ ଓହରାଇ ନେଇପାରେ। ତା’ହେଲେ ଭାରତ ଇରାନରୁ ପୁଣି ତେଲ କିଣି ପାରିବ ଓ ଏହାର ଚାବାହାର ବନ୍ଦରରେ ପୁଣି ପୁଞ୍ଜି ଲଗାଣ କରିପାରିବ। ଏହା ଦ୍ବାରା ଭାରତ ଇରାନ ଦେଇ ଆଫଗାନିସ୍ତାନ ଓ କେନ୍ଦ୍ର ଏସିଆକୁ ରପ୍ତାନି କରିବା ପାଇଁ ରାସ୍ତା ଖୋଲିପାରିବ। ଆଫଗାନିସ୍ତାନକୁ କେବଳ ପାକିସ୍ତାନ ଦେଇ ରାସ୍ତା ଥିବାରୁ ଭାରତ ସେ ରାସ୍ତା ଦେଇ କୌଣସି କାରବାର କରିପାରୁନାହିଁ। ଚାବାହାର ବନ୍ଦରରେ ଭାରତ ତା’ର ଉପସ୍ଥିତି ଧାର୍ଯ୍ୟ କଲେ ପାକିସ୍ତାନ ଓ ଚୀନ୍କୁ ନିୟନ୍ତ୍ରିତ କରିପାରିବ।
ଆମେରିକା ତା’ର ବନ୍ଧୁ ରାଷ୍ଟ୍ର, ଯଥା ନାଟୋ ମେଣ୍ଟଭୁକ୍ତ ରାଷ୍ଟ୍ରମାନଙ୍କ ପ୍ରତି ଯେପରି କଠୋର ଆଭିମୁଖ୍ୟ ଗ୍ରହଣ କରିଛି, ଭାରତ ସେଥିରେ ସୁଖୀ ନୁହେଁ। ୟୁରୋପର ନାଟୋ ମେଣ୍ଟଭୁକ୍ତ ରାଷ୍ଟ୍ର ଯଥା ଜର୍ମାନି, ଫ୍ରାନ୍ସ, ସ୍ପେନ୍ ଆଦି ଦେଶମାନଙ୍କରେ ପୂର୍ବର ସୋଭିଏତ ୟୁନିଅନ ଓ ବର୍ତ୍ତମାନର ରୁଷିଆକୁ ରୋକିବା ପାଇଁ ଆମେରିକା ଯେଉଁ ସୈନ୍ୟମାନଙ୍କୁ ମୁତୟନ କରିଛି ସେଥିପାଇଁ ସେ ଦେଶମାନେ ଖର୍ଚ୍ଚ ଦିଅନ୍ତୁ ବୋଲି ଟ୍ରମ୍ପ୍ ବାରମ୍ବାର ଦାବି କରି ଏହି ବନ୍ଧୁ ରାଷ୍ଟ୍ରମାନଙ୍କୁ ଘୋର ଅସନ୍ତୁଷ୍ଟ କରିଛନ୍ତି। ଭାରତ ମଧ୍ୟ ଏହା ଚାହୁଁନାହିଁ। ଟ୍ରମ୍ପ୍ଙ୍କର ଏହି ନୀତିକୁ ବାଇଡେନ ବଦଳାଇ ଦେବେ ବୋଲି ଆଶା କରାଯାଉଛି। ଟ୍ରମ୍ପ୍ ଏକ ‘ଆର୍ଥିକ ରାଷ୍ଟ୍ରବାଦ’ ନୀତି ଘୋଷଣା କରିଥିଲେ। ଏହା ଦ୍ବାରା ଅନ୍ୟ ଦେଶର ଶ୍ରମିକ ଓ କର୍ମଚାରୀ ତଥା ଦ୍ରବ୍ୟ ଆମେରିକା ମଧ୍ୟକୁ ସୁବିଧାରେ ପଶି ପାରୁନଥିଲେ। ଅନ୍ୟ ଦେଶମାନଙ୍କ ସହ ଆମେରିକାର ବାଣିଜ୍ୟ ଚୁକ୍ତି ମଧ୍ୟ ସହଜରେ ହୋଇପାରୁନଥିଲା। ଭାରତରୁ ଆମେରିକାକୁ ଶହ ଶହ କୋଟି ଡଲାରର ଦ୍ରବ୍ୟ ସବୁ ରପ୍ତାନି ହୋଇପାରୁ ନଥିଲା। ବାଣିଜ୍ୟରେ ଯେଉଁ ଜି.ଏ.ପି. ନୀତି ଭାରତକୁ ସାହାଯ୍ୟ କରିବା କଥା ତା’ର ସୁଯୋଗ ଭାରତ ପାଉନଥିଲା। ଆଶା କରାଯାଉଛି ବାଇଡେନଙ୍କ ଶାସନରେ ଭାରତକୁ ଏ ଧରଣର ବାଣିଜ୍ୟିକ ସାହାଯ୍ୟ ମିଳିବ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ହେଲା, ଚୀନ୍କୁ ନେଇ ବାଇଡେନଙ୍କର ଆଭିମୁଖ୍ୟ, ଟ୍ରମ୍ପ୍ଙ୍କ ପରି ହେବ କି? ଏହା ସତ୍ୟ ଯେ, ଟ୍ରମ୍ପ୍ଙ୍କର ଚୀନ ପ୍ରତି କଠୋର ଆଭିମୁଖ୍ୟ ଭାରତ ପାଇଁ ଏକ ବହୁତ ବଡ଼ ସୁଯୋଗ ଥିଲା। କିନ୍ତୁ ଏକଥା ମଧ୍ୟ ସତ୍ୟ ଯେ, ଚୀନ୍ର ସି˚ଜିଆଙ୍ଗ ପ୍ରଦେଶରେ ଥିବା ଉଇଘୁର ମୁସଲମାନମାନଙ୍କ ପ୍ରତି କଠୋର ଆଭିମୁଖ୍ୟର ବାଇଡେନ ପ୍ରବଳ ବିରୋଧୀ ଅଟନ୍ତି। ସେହିପରି ହ˚କଂରେ ପ୍ରତିବାଦକାରୀମାନଙ୍କ ଉପରେ ଚୀନ୍ର ଦମନମୂଳକ ଆଚରଣ ଓ ତାଇୱାନକୁ ନିଜ କବ୍ଜାକୁ ଆଣିବାକୁ ଚୀନ୍ର ଉଦ୍ୟମର ବାଇଡେନ ବିରୋଧୀ ଅଟନ୍ତି।
ଆହୁରି ଦୁଇ ତିିନିଟି ପ୍ରସଙ୍ଗ ସ୍ପଷ୍ଟ କରୁଛନ୍ତି ଯେ, ବାଇଡେନ ଭାରତ ବିରୋଧୀ ନୁହନ୍ତି। ଯେତେବେଳେ ଟ୍ରମ୍ପ୍ଙ୍କ ସହ ତାଙ୍କର ଅନ୍ତିମ ଟି.ଭି. ବିତର୍କ ହେଉଥିଲା, ସେତେବେଳେ ଟ୍ରମ୍ପ୍ କହିଥିଲେ, ‘ଭାରତର ପବନ ଦୁର୍ଗନ୍ଧଯୁକ୍ତ। ଏହି ମନ୍ତବ୍ୟକୁ ରୋକି ବାଇଡେନ ଟ୍ରମ୍ପ୍ଙ୍କୁ ସତର୍କ କରିଦେଇଥିଲେ ଯେ, ‘ନିଜ ବନ୍ଧୁ ରାଷ୍ଟ୍ରଙ୍କ ସମ୍ପର୍କରେ ଏପରି କୁହ ନାହିଁ’। ନିର୍ବାଚନ ପ୍ରଚାର ବେଳେ ବାଇଡେନ ସ୍ପଷ୍ଟ କରିଥିଲେ ଯେ, ଭାରତ-ଆମେରିକା ଦୁଇ ଗଣତନ୍ତ୍ର ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବା ତାଙ୍କ ପ୍ରଶାସନର ଏକ ମୁଖ୍ୟ ପ୍ରାଥମିକତା ହେବ। କାରଣ ଏହି ଦୁଇ ଦେଶ ‘ସ୍ବାଭାବିକ ସହଯୋଗୀ’ ଅଟନ୍ତି। ପ୍ରଚାର ବେଳେ ଡେମୋକ୍ରାଟିକ୍ ପାର୍ଟି ପକ୍ଷରୁ ସେମାନଙ୍କର ଇସ୍ତାହାରରେ ପ୍ରକାଶ ପାଇଥିଲା, ‘ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର’ରେ ସେ (ବାଇଡେନ) ଭାରତ ସହ ମିଶି କାମ କରିବେ ଯେମିତି ଏହି କ୍ଷେତ୍ରରେ ଚୀନ୍କୁ ମିଶାଇ କୌଣସି ଦେଶ ଖୋଲାଖୋଲି ଭାବରେ ତା’ର ପଡ଼ୋଶୀ ଦେଶମାନଙ୍କୁ ଧମକ ଦେବାକୁ ସକ୍ଷମ ହେବ ନାହିଁ। ପରିବେଶ ପ୍ରଦୂଷଣକୁ ଦୂର କରିବା ପାଇଁ ଯେଉଁ ପ୍ୟାରିସ ଚୁକ୍ତି ହୋଇଥିଲା, ସେଥିରୁ ଆମେରିକା ଓହରିଯିବ ବୋଲି ଟ୍ରମ୍ପ୍ ବାରମ୍ବାର ଧମକ ଦେବା ଭାରତ ପାଇଁ ସୁବିଧାଜନକ ନଥିଲା। ବାଇଡେନ ପୁଣି ପ୍ୟାରିସ ଚୁକ୍ତିରେ ରହିବେ ବୋଲି କହିଛନ୍ତି। ଏହା ଫଳରେ ଭାରତ ସବୁଜ ପରିବେଶ ପାଣ୍ଠିରୁ ଅର୍ଥ ପାଇବ; ଯାହା ଭାରତରେ ପ୍ରଦୂଷିତ ବାୟୁମଣ୍ତଳକୁ ପରିଚ୍ଛନ୍ନ କରିବ। ବାଇଡେନଙ୍କ ଶାସନ ବେଳେ ଭାରତ, ଆମେରିକାଠାରୁ ଅଧିକ କାର୍ଯ୍ୟ ଭିସା, ସାମୟିକ ଭିସା ସ˚ସ୍କାର, ସ୍ବତନ୍ତ୍ର ଦକ୍ଷତା ଆବଶ୍ୟକତା ଚାକିରି ଆଦି ପାଇବ ବୋଲି ଆଶା ରଖୁଛି। କାଶ୍ମୀରରେ ମଧ୍ୟ ଏବେ ଜିଲ୍ଲା ବିକାଶ ପରିଷଦ ନିର୍ବାଚନ ହେଉଥିବାରୁ ଓ ସେଥିରେ ଆଂଚଳିକ ଦଳମାନେ ଅ˚ଶ ଗ୍ରହଣ କରୁଥିବାରୁ ସେଠାରେ ଗଣତାନ୍ତ୍ରିକ ଓ ମାନବିକ ଅଧିକାର ଉଲ୍ଲଂଘନ ହେଉଛି ବୋଲି ଆମେରିକା ଆଉ ଯୁକ୍ତି କରିବ ବୋଲି ମନେ ହେଉନାହିଁ। ଏବେ ପୂର୍ବର ସୋଭିଏତ ୟୁନିଅନ, ଆମେରିକାର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ହେବା ପାଇଁ ଚେଷ୍ଟା କଲା ପରି ଚୀନ୍ ମଧ୍ୟ ଏବେ ସେଇ ଉଦ୍ୟମରେ ଅଛି। କିନ୍ତୁ ଆମେରିକାର କୌଣସି ରାଷ୍ଟ୍ରପତି ଚୀନ୍କୁ ତା’ର ପ୍ରତିଦ୍ବନ୍ଦ୍ବୀ ହେବାକୁ ଦେବେ ନାହିଁ। ଏବ˚ ଚୀନ୍କୁ ରୋକିବାର ମୁଖ୍ୟ ଅସ୍ତ୍ର ହେଉଛି ଭାରତ। ଭାରତକୁ ଆମେରିକାର କୌଣସି ରାଷ୍ଟ୍ରପତି ମୁଖ୍ୟତଃ ଏଇଥିପାଇଁ ଅବଜ୍ଞା କରିପାରିବେ ନାହିଁ।
ମୋ- ୯୪୩୭୦୨୦୨୯୦
[email protected]