ଏବେ ଆମେରିକାରୁ ‘ଭାରତ’ ଫେରି ଆସିଛି ଏବଂ ‘ଆମେରିକା’ରେ ଭାରତ ସରକାରଙ୍କ ଦ୍ବାରା ପ୍ରାୟୋଜିତ ଜୁଆରଟି ଭଟ୍ଟାରେ ବଦଳି ଯାଇଛି, ତେଣୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଐତିହାସିକ ଆମେରିକା ଗସ୍ତକୁ ବିଶ୍ଳେଷଣ କଲେ ତାହାକୁ ରାଷ୍ଟ୍ରଦ୍ରୋହ କୁହାଯିବା ଅନୁଚିତ। ୨୦୧୪ରୁ ଆଜି ଯାଏ ପ୍ରଧାନମନ୍ତ୍ରୀ ଅନେକ ଥର ଆମେରିକା ଯାଇଛନ୍ତି ଏବଂ ପ୍ରତି ଥର କୁହାଯାଇଛି ଯେ ଆମେରିକା ଯେଉଁ ଗସ୍ତକୁ ଶ୍ବାସ ବନ୍ଦ କରି ଅପେକ୍ଷା କରି ରହିଥିଲା, ତାହା ସାକାର ହେଲା। ଏକଥା ବି କୁହାଯାଇଛି କି ଅନ୍ୟ ଭାରତୀୟ ପ୍ରଧାନମନ୍ତ୍ରୀମାନଙ୍କ ଠାରୁ ଆମେରିକାରେ କେବେ ଏଭଳି ଆଶା ସୃଷ୍ଟି ହୋଇ ନ ଥିଲା। ତେବେ, ଏତେ ପ୍ରଚାର ପରେ ବି ଲୁଚାଯାଇ ପାରିବନି କି ୯ ବର୍ଷ ଭିତରେ ଏହା ପ୍ରଧାନମନ୍ତ୍ରୀଙ୍କର ଆମେରିକାକୁ ପ୍ରଥମ ସରକାରୀ ଗସ୍ତ ଥିଲା; ଯାହାର ଆୟୋଜନ ବାରମ୍ବାର କୂଟନୈତିକ ଚାପ ପରେ କରାଯାଇଥିଲା। ଏହି ପ୍ରାୟୋଜିତ ଗସ୍ତର ଗୋଟିଏ ମୁଣ୍ଡ ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ ସହିତ ଯୋଡ଼ି ହୋଇଥିବା ବେଳେ ଅନ୍ୟ ମୁଣ୍ଡଟି ପ୍ରଧାନମନ୍ତ୍ରୀଙ୍କ ଅବକ୍ଷୟୀ ଭାବମୂର୍ତ୍ତି ସହ ସଂଶ୍ଳିଷ୍ଟ। ଏହା ଛଡ଼ା ଏହି ଗସ୍ତର କୌଣସି ଉଦ୍ଦେଶ୍ୟ ନଥିଲା।

Advertisment

ଏହାର ପ୍ରତ୍ୟେକ ସ୍ତରର ପ୍ରଚାର, ପ୍ରସାର ଓ ପୃଷ୍ଠପୋଷକତାର ଅାୟୋଜନ ପୂର୍ବରୁ ସୁବ୍ୟବସ୍ଥିତ ଭାବେ ଥାକ ହୋଇ ରହିଥିଲା। ସବୁ କିଛି ଥିଲା ପ୍ରାୟୋଜିତ ଏବଂ ଆଶାବାଡ଼ି ଧରି ଛିଡ଼ା ହେବା ସଦୃଶ। ପ୍ରଧାନମନ୍ତ୍ରୀଙ୍କ ପ୍ରତିଟି ବିଦେଶ ଗସ୍ତରେ ସେଠାକାର ପ୍ରବାସୀ ଭାରତୀୟଙ୍କୁ ଯେଭଳି ବ୍ୟବହାର କରାଯାଉଛି, ତଦ୍ଦ୍ବାରା ଭାରତ ଓ ଭାରତୀୟଙ୍କ ଛବି କିଭଳି ଓ କେତେ ମଳିନ ପଡୁଛି, ତାହାର ଆକଳନ କେହି କରୁନାହାନ୍ତି। କାରଣ ସରକାରଙ୍କ ଦ୍ବାରା ଉପକୃତ ସଂସ୍ଥାମାନ, ତଥାକଥିତ ଗଣମାଧ୍ୟମ ଓ ମେରୁଦଣ୍ଡବିହୀନ ନିବେଶକାରୀ ଗୋଷ୍ଠୀ ବ୍ୟତୀତ ଆଉ କେହି ସେଠାରେ ଥିବା ବିଷୟ ଦେଖା ଯାଇନାହିଁ। ସବୁଠି ସରକାରଙ୍କ ପ୍ରାୟୋଜିତ ଶବ୍ଦ।
ଆମେରିକା ସଂସଦରେ ପ୍ରଧାନମନ୍ତ୍ରୀଙ୍କ ସଂବୋଧନକୁ ୭୦ରୁ ଅଧିକ ଆମେରିକୀୟ ସାଂସଦ ଲିଖିତ ଭାବେ ବର୍ଜନ କରିଥିଲେ। ‘ଏଭଳି ଅତିଥି’ଙ୍କର ମୁଖା ଖୋଲି ଦେବାକୁ ସେମାନେ ରାଷ୍ଟ୍ରପତିଙ୍କୁ ଲେଖି ନିବେଦନ କରିଥିଲେ। ତାଙ୍କ ପଦାର୍ପଣ ଠାରୁ ପ୍ରସ୍ଥାନ ଯାଏ ପ୍ରତ୍ୟେକ ଅବସରରେ ବହୁ ଭାରତୀୟଙ୍କ ସମେତ ଆମେରିକୀୟ ଜନସାଧାରଣ ତାଙ୍କୁ ରାସ୍ତାରେ ଏବଂ ସର୍ବସାଧାରଣରେ ବିରୋଧ କରିଥିଲେ। ଯେତେ ଚେଷ୍ଟା କଲେ ବି ଏ ସବୁ ଲୁଚି ପାରିଲାନି। ଭାରତୀୟ ସଂସଦରେ ହେଉଥିବା ତାଳିମାଡ଼ ଭଳି କଂଗ୍ରେସରେ ଯେଉଁ କରତାଳି ଦିଆଗଲା, ତାହା ବି ପ୍ରାୟୋଜିତ ଥିଲା। ତେବେ ସେ ଯାହା ହେଉ, ସଂସଦ ଭାରତର ହେଉ କି ଅନ୍ୟ କୌଣସି ଦେଶର, ସେଠି ତ ମେଣ୍ଢାମାନଙ୍କର ସଂଖ୍ୟାଗରିଷ୍ଠତା ରହିଛି। ଏ ପରିପ୍ରେକ୍ଷୀରେ ଗାନ୍ଧୀଜୀଙ୍କୁ ମନେ ପକାଇବା ଦରକାର, ଯିଏ ସଂସଦକୁ ବନ୍ଧ୍ୟା ଓ ଗଣିକା ପରି ନାଁ ଦେଇଥିଲେ।
କରତାଳି ପଛରେ ଥିବା ସତ୍ୟଟି ବାରାକ ଓବାମାଙ୍କ ବିବୃତ୍ତିରେ ପ୍ରକାଶ ପାଇଛି। ଆମେରିକାରେ ପୂର୍ବତନ ରାଷ୍ଟ୍ରପତିମାନେ ସାଧାରଣତଃ କୌଣସି ବିବାଦୀୟ ପ୍ରସଙ୍ଗ ସହ ନିଜକୁ ଜଡ଼ିତ କରି ନ ଥାଆନ୍ତି। ମୋଦୀଙ୍କ ବନ୍ଧୁ ‘ବାରାକ’ ଏଭଳି କରିଛନ୍ତି ମାନେ ବାରାକ ଓବାମାଙ୍କ ପୀଡ଼ା ବୁଝାପଡୁଛି। ତେବେ, ତାଙ୍କୁ ‘ବାରାକ ହୁସେନ୍‌ ଓବାମା’ ବୋଲି କହି ମୋଦୀ-ବାହିନୀ ଯେଭଳି ଅପମାନିତ କରିବାକୁ ଚେଷ୍ଟା କରିଥିଲେ, ସେଥିରୁ ମୋଦୀ କିଛି ପୀଡ଼ା ଅନୁଭବ କରିଛନ୍ତି କି ନାହିଁ ଜଣାନାହିଁ।
ସାମ୍ବାଦିକ ସମ୍ମିଳନୀ ଅବସରରେ ସାବ୍ରିନା ସିଦ୍ଦିକି ସେହି କଥାଟି ପଚାରିଦେଲେ ଯାହା ଡରରେ ମୋଦୀ ଗଣମାଧ୍ୟମ ସହ କଥା ହେବା ବଦଳରେ ଅକ୍ଷୟ-ଅର୍ଣ୍ଣବ କୁମାରଙ୍କ ସହ କଥା ହୁଅନ୍ତି। ସାବ୍ରିନା ସଂଖ୍ୟାଲଘୁମାନଙ୍କ ବିଷୟରେ କିଛି କହିନଥିଲେ, ନାଗରିକଙ୍କ ସ୍ବାଧୀନତା ବିଷୟରେ ପଚାରିଥିଲେ। ଏହା ପରେ ଉତ୍ତରଟି ଥିଲା ଅର୍ଥହୀନ ଶବ୍ଦର ଅନିୟନ୍ତ୍ରିତ ସମାହାର! ତା’ ପରେ ଭାରତୀୟ ଶାସନ ବ୍ୟବସ୍ଥାର ଲୋକମାନେ ଯେଭଳି ଭାବେ ବାରାକ-ସବ୍ରିନାଙ୍କ ଉପରେ କୁଦିପଡ଼ିଲେ, ତହିଁରେ ଯାହା କୁହାଯାଇ ପାରି ନ ଥିଲା, ତାହା ସ୍ପଷ୍ଟ ହୋଇଗଲା।
ଏହା ସଂପୂର୍ଣ୍ଣ ସତ୍ୟ ଯେ, ଯଦି ଆମେରିକା ଓ ଭାରତ ଭିତରେ ବନ୍ଧୁତା ଓ ଭରସାର ଉତ୍ତମ ସମ୍ପର୍କ ରହିଥିବ, ତେବେ ସାରା ପୃଥିବୀର ହୃଦୟ ଓ ମନକୁ ପରିବର୍ତ୍ତନ କରିହେବ। ମାତ୍ର ପ୍ରଶ୍ନ ହେଉଛି, କେଉଁ ଆମେରିକା ଓ କେଉଁ ଭାରତ? ଆଜିର ଆମେରିକା ଓ ଭାରତ ପରସ୍ପରର ନିକଟତର ହୋଇ ମଧ୍ୟ ଏପରି ପ୍ରଭାବ ସୃଷ୍ଟି କରିପାରିନାହାନ୍ତି, ଯେଉଁଥିରେ ବିଶ୍ବର ମନୋଭାବରେ ପରିବର୍ତ୍ତନ ଆସିପାରିବ। ଆମେରିକାର ବୈଶ୍ବିକ ରାଜନୀତି ଅର୍ଥ ବଳ ଓ ଧମକଚମକର ଶକ୍ତି ଉପରେ ଛିଡ଼ା, ଯାହାର ପ୍ରଭାବ ନିଜ ସମାଜ ପ୍ରତି ମଧ୍ୟ ସମସ୍ୟାସଂକୁଳ।
ଚୀନ୍‌ ସହ ସମ୍ପର୍କର ଗଣ୍ଠି ଖୋଲିବାକୁ ଜବାହରଲାଲ ନେହରୁ ଯେଭଳି ସାହସିକ ଉଦ୍ୟମ କରିଥିଲେ, ନିରପେକ୍ଷ ରାଷ୍ଟ୍ରଗୁଡ଼ିକର ତୃତୀୟ ଶିବିର ଗଠନ ପଛରେ ତାହା ମଧ୍ୟ ଏକ କାରଣ ଥିଲା। ସମସ୍ତ ଧନୀ ରାଷ୍ଟ୍ର ଜାଣିଥିଲେ ଯେ ଜବାହରଲାଲଙ୍କୁ ଟଙ୍କାର ଲୋଭ ଓ ଧମକ ଦେଇ ନତମସ୍ତକ କରିହେବ ନାହିଁ କି ତାଙ୍କୁ ସାଙ୍ଗରେ ନେଇ ମଧ୍ୟ ଚାଲି ‌େହବ ନାହିଁ। ଆଜିର ଭାରତ ସେଭଳି ହୋଇ ରହିନାହିଁ। ଆଜି ସେ ଟଙ୍କା ପଛରେ ଦୌଡୁଛି, ଏବଂ ଟଙ୍କା ଓ ଧମକ ଆଗରେ ମୁଣ୍ଡ ନୁଆଁଉଛି, ସେମାନଙ୍କ ଠାରୁ ଲୁଚୁଛି ମଧ୍ୟ। ଏହା କୋଟି କୋଟି ଡଲାରର ଅର୍ଥତନ୍ତ୍ର ସହ ବିକାଶକୁ ତଉଲୁଛି। ଏହା ବି ଅକାରଣ ନୁହେଁ କି ଆମେରିକାରେ ପ୍ରଧାନମନ୍ତ୍ରୀଙ୍କ ଆଖପାଖରେ ଯେଉଁମାନେ ଥିଲେ, ସେମାନେ ଅଧିକାଂଶ ଧନପତି ଏବଂ ସେମାନେ ହିନ୍ଦୁତ୍ବର ଯାତ୍ରୀ ଥିଲେ। ଆମେରିକୀୟ ଧନପତିମାନଙ୍କ ସହ ପ୍ରଧାନମନ୍ତ୍ରୀ ସବୁଠୁ ଅଧିକ ସମୟ ବିତାଇଲେ ଏବଂ ଯେଉଁ ଚୁକ୍ତିନାମାମାନ ହୋଇଥିଲା, ତହିଁରୁ ଅଧିକାଂଶ ବ୍ୟାବସାୟିକ ଥିଲା। ଏମିତି ତ ଭାରତକୁ ଆମେରିକା ପସନ୍ଦ କରେ। କାରଣ ଆମେରିକା ସମେତ ୟୁରୋପ ପାଇଁ ଆଜି ପାକିସ୍ତାନର ଘୋର ଆବଶ୍ୟକତା ରହିଛି। ପାକିସ୍ତାନକୁ କବରସ୍ତାନରେ ପରିଣତ କରିବା ପରେ ବର୍ତ୍ତମାନ ସେମାନଙ୍କ ପାଇଁ ଏବେ ନୂଆ ନୂଆ ପାକିସ୍ତାନ ଦରକାର।
ଆମେରିକା ଏବେ ଦେଖୁଛି ଏବଂ ପରଖୁଛି କି, ଯେଉଁ ନୂତନ ଭାରତର ନିର୍ମାଣ ଚାଲିଛି, ତାହା ଏହାର ଆବଶ୍ୟକତା କ’ଣ ପୂରଣ କରିପାରିବ? ଆମେରିକା ଜାଣିଛି ଯେ, ବ୍ୟବସାୟରେ ଧନ, ଧମକ, ବହିଷ୍କାର, ଯଶଗାନ, ଫୁଲମାଳ, କରତାଳି ଇତ୍ୟାଦି ଯଥାର୍ଥ ହେବ ଯଦି ଶେଷରେ ସେମାନେ ଲାଭ ଆଣନ୍ତି। ସେଥିପାଇଁ ଆମେରିକା ଆଜିର ଭାରତ ସହିତ କେବେ ବି ସାମାଜିକ ମୂଲ୍ୟବୋଧ, ଗଣତାନ୍ତ୍ରିକ ଶାସନ କି ନାଗରିକ ସ୍ବାଧୀନତା ବିଷୟରେ କଥାବାର୍ତ୍ତା କରେନାହିଁ। ଓବାମା ବି ରାଷ୍ଟ୍ରପତି ଥିଲା ବେଳେ ସେଭଳି କରିଥିଲେ।
ଆନ୍ତର୍ଜାତିକ ସ୍ତରରେ ଆମେରିକାର ପ୍ରତିଷ୍ଠା ହ୍ରାସ ପାଇ ପାଇ ଚାଲିଛି। ଧନ ଉପରେ ଏହାର ଏକଚାଟିଆ ଅଧିକାର ଆଉ ନାହିଁ; ଅନେକ ସ୍ଥାନରେ ତାହାର ଧମକପୂର୍ଣ୍ଣ ଶୈଳୀର ରହସ୍ୟ ଉନ୍ମୋଚିତ ହୋଇଯାଇଛି। ତେଣୁ ସେ ଏଭଳି ଏକ ଭାରତ ଚାହୁଁଛି, ଯିଏ ବଡ଼ ଭାଇ ଆମେରିକାର ଛୋଟ ଭାଇ ହେବାକୁ ପ୍ରସ୍ତୁତ ଥିବ। ଆଜିର ଭାରତ ବି ସେଥିପାଇଁ ଟାକି ବସିଛି। ମୋଦୀ-ବାଇଡେନ୍‌ ଯେଉଁ ସମ୍ପର୍କକୁ ନୂତନ ଶୀର୍ଷ ଛୁଇଁଲା ବୋଲି କହୁଛନ୍ତି, ତାହାର କୌଣସି ବାସ୍ତବତା ନାହିଁ। ଏହା କେବଳ ‘ବଡ଼ ଆମେରିକା’ ଓ ‘ଛୋଟ ଆମେରିକା’ର କଥା ବୋଲି ଚର୍ଚ୍ଚା ହେଉଛି। ଅନ୍ୟ ଯେଉଁ ରାଷ୍ଟ୍ର, ଯାହାର ଆର୍ଥିକ ନୈତିକତା ରହିଛି, ଗଣତାନ୍ତ୍ରିକ ନିଷ୍ଠା ରହିଛି, ନାଗରିକ ପାଇଁ ନିଃସର୍ତ୍ତ ସମର୍ଥନ ରହିଛି, ସାଂସ୍କୃତିକ ସମନ୍ବୟର ଆଦର ରହିଛି, ସାଂସ୍କୃତିକ ଭୂମିରେ ଯାହାର ପାଦ ଗଭୀର ଭାବରେ ପୋତା ରହିଛି ଆଉ ଯାହାର ମସ୍ତକ ମାନବିକତାର ଆକାଶକୁ ଛୁଉଁଛି, ସେଭଳି ରାଷ୍ଟ୍ର ଆମର ଏଇ ଭାରତକୁ କାହିଁକି ଚାହିଁବ! ଆମକୁ ମଧ୍ୟ ସେଇ ଭଳି ଭାରତ ଦରକାର ଏବଂ ସେପରି ଭାରତ ଗଢ଼ିବାର ସାମର୍ଥ୍ୟ ଆମର ରହିବା ଦରକାର।
ଯେତେବେଳେ ଏପରି ଭାରତ ଆମେରିକା ସହିତ ସଠିକ୍‌ ସମ୍ପର୍କ ସ୍ଥାପନ କରିବ, ସେତେବେଳେ ତାହା ଆମେରିକା ସମେତ ସାରା ବିଶ୍ବର ମନ ଓ ମତକୁ ପ୍ରଭାବିତ କରିପାରିବ।
ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ