ବିହାର ନିର୍ବାଚନ: ଏନଡିଏ ଜିତିଛି, କିନ୍ତୁ ନୀତୀଶ?

ଅରବିନ୍ଦ ଦାସ

ଭାରତର ଅନ୍ୟତମ ଅନୁନ୍ନତ ରାଜ୍ୟ ବିହାରରେ ଜଙ୍ଗଲ ରାଜ ଶେଷ କରି ସୁଶାସନ ଦେଇଛନ୍ତି ବୋଲି କୁହାଯାଉଥିବା ସମାଜବାଦୀ ରାଜନେତା ନୀତୀଶ କୁମାରଙ୍କ ଜେଡିୟୁ ଏଥର ଦ୍ବିତୀୟରୁ ତୃତୀୟ ସ୍ଥାନକୁ ଖସିଲା। ବିହାରରେ ନିର୍ବାଚନ ଦୁନ୍ଦୁଭି ବାଜିବା କ୍ଷଣରୁ ସବୁରି ମୁଖରେ ସେଇ ଗୋଟିଏ କଥା: ୧୫ ବର୍ଷ ମୁଖ୍ୟମନ୍ତ୍ରୀ ଆସନରେ ରହିଥିବାରୁ ଲୋକପ୍ରିୟତା କିଛିଟା ମଳିନ ପଡ଼ିଥାଇପାରେ। ହେଲେ ନୀତୀଶଙ୍କ ବିକଳ୍ପ କାହିଁ? ଭୋଟ ପୂର୍ବର ବିଭିନ୍ନ ଜନମତ ସର୍ବେକ୍ଷଣରେ ମଧ୍ୟ ସେଇ ସମାନ ଆକଳନ ଥିଲା। କିନ୍ତୁ ନିର୍ବାଚନ ଯେତେ ପାଖେଇ ଆସିଲା ଗଣମାଧ୍ୟମଗୁଡ଼ିକ‌ର ରିପୋର୍ଟରୁ ଜଣାଗଲା ଯେ ତାଙ୍କର ଜଣେ ଗ୍ରହଣୀୟ ବିକଳ୍ପ ଭାବେ ହଠାତ୍ ତେଜସ୍ବୀ ଯାଦବଙ୍କ ଆବିର୍ଭାବ ଘଟିଛି। ଲକ୍‌ଡାଉନ୍ ବେଳେ କରୋନା କୋଲପରେ ପ୍ରପୀଡ଼ିତ ଲକ୍ଷଲକ୍ଷ ପ୍ରବାସୀ ଶ୍ରମିକଙ୍କ ନାହିଁ ନଥିବା ଦୁର୍ଦଶା ଦୂର କରିବା ପରିବର୍ତ୍ତେ ନୀତୀଶ ଯେ ସେମାନଙ୍କୁ ବିହାର ପ୍ରତ୍ୟାବର୍ତ୍ତନରୁ ନିରୁତ୍ସାହିତ କରୁଥିଲେ, ସେ କଥା ଉଠିଲା। ତାଙ୍କ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ତେଜସ୍ବୀ ଉଠାଇଲେ ବେ‌େରାଜଗାରି ପ୍ରସଙ୍ଗ ଏବଂ ସେଥି ଲାଗି ନୀତୀଶଙ୍କୁ ଲୋକେ କାଠଗଡ଼ାରେ ଛିଡ଼ା କଲେ। କ୍ଷମତାକୁ ଆସିବା ମାତ୍ରେ ଦଶ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବେ ବୋଲି ତେଜସ୍ବୀଙ୍କ ପ୍ରତିଶ୍ରୁତି ଯୁବସମାଜକୁ ପ୍ରଭାବିତ କଲା। ଶେଷ ଦୁଇ ସପ୍ତାହର ଘଟଣାକ୍ରମରୁ ସମସ୍ତେ ଧରିନେଇଥିଲେ (ବୁଥ୍ ବାହୁଡ଼ା ମତ ମଧ୍ୟ) ଯେ ମୁଖ୍ୟମନ୍ତ୍ରୀ ଭାବେ ନୀତୀଶଙ୍କ ଦିନ କାଳ ସମାପ୍ତ ପ୍ରାୟ। କିନ୍ତୁ, ପରିଶେଷରେ ଏନ୍‌ଡିଏ ଅଳ୍ପକେ ଜିତିଗଲା। ହେଲେ, ଜେଡିୟୁର ପ୍ରଦର୍ଶନ ଦେଖି ଏବେ ସନ୍ଦେହ ହେଲାଣି ଯେ ନିଜ କଥା ରଖି ବିଜେପି ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ କରିବ ତ? ଯଦି ନୀତୀଶ ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ସେ ଆଉ ପୂର୍ବର ସେଇ ଦୃଢ଼ ନୀତୀଶ ହୋଇ ରହିପାରିବେ ତ?

ଶାସନରେ ବିକଳ୍ପହୀନତା ଗଣତନ୍ତ୍ର ଲାଗି ଏକ ଅଭିଶାପ ବୋଲି କୁହାଯାଏ। ଏଥର ବିହାରରେ ନୀତୀଶଙ୍କ ଜଣେ ବିକଳ୍ପ ନେତା ଉଭ‌ା ହୋଇଛନ୍ତି ବୋଲି କୁହାଯାଉଛି। କିନ୍ତୁ ସତରେ ସେମିତି ଘଟିଛି କି? ମୋଟ ୧୫ ବର୍ଷ ରାଜ୍ୟ ଶାସନ କରିଥିବା ନୀତୀଶଙ୍କ ପ୍ରାଧାନ୍ୟକୁ ଏଥର ଭୋଟରମାନେ ହ୍ରାସ କରିଛନ୍ତି। ସେମିତି ଭୋଟରଙ୍କ ଦ୍ବାରା ଏକ ନମ୍ବର ଦଳର ନେତା ଭାବେ ତେଜସ୍ବୀଙ୍କୁ ସ୍ବୀକୃତି ମିଳିଛି। କିନ୍ତୁ ତେଜସ୍ବୀ ଯେ ନୀତୀଶଙ୍କ ଠାରୁ ଜଣେ ଉତ୍ତମ ବିକଳ୍ପ ତାହା ହଠାତ୍‌ କୁହାଯାଇ ନପାରେ। ଅବଶ୍ୟ, ଦୁର୍ନୀତି ଲାଗି ଜେଲ୍ ଦଣ୍ଡ ଭୋଗୁଥିବା ରାଜନେତା ଲାଲୁଙ୍କ ପୁତ୍ର ବୋଲି ତେଜସ୍ବୀ ଯାଦବଙ୍କୁ ଅପବାଦ ଜର୍ଜର କରିବା ଅଥବା ନବମରୁ ପାଠ ଛାଡ଼ିଛନ୍ତି ବୋଲି ଯେ ସେ ମେକାନିକାଲ ଇଂଜିନିୟରିଂ ଡିଗ୍ରିଧାରୀ ନୀତୀଶଙ୍କ ତୁଳନାରେ ନ୍ୟୂନ ବୋଲି ବିଚାର କରିବା ଅଯଥାର୍ଥ। ତେବେ ଅନେକଙ୍କ ମତରେ କୋୖଣସି ରାଜନୈତିକ ଉଚ୍ଚାଦର୍ଶ ପୋଷଣ କରୁ ନ ଥିବା ଏବଂ ବଂଶବାଦକୁ ରାଜନୀତିର ଏକମାତ୍ର ମାଧ୍ୟମ ଭାବେ ବ୍ୟବହାର କରୁଥିବା ଏହି ରାଜନେତା ଭବିଷ୍ୟତ୍‌ରେ ଯେ ଜଣେ ସଫଳ ଓ ସାର୍ଥକ ନେତା ହେବେ, ଏହା ସଂଶୟାଚ୍ଛନ୍ନ। ସୁତରାଂ, ଏହି ସବୁ ସଂପର୍କରେ ଏକ ଆଲୋଚନା ପ୍ରାସଙ୍ଗିକ ବୋଲି ମନେ ହୁଏ। ‘ଏହା ଜୀବନର ଶେଷ ନିର୍ବାଚନ’ ବୋଲି ନୀତୀଶଙ୍କ ଆବେଗଭରା ଘୋଷଣା ସତ୍ତ୍ବେ ତାଙ୍କ ଦଳ ବିହାରରେ ଏ ଥର ତୃତୀୟ ସ୍ଥାନକୁ ଖସିବା ତାଙ୍କ ବିଫଳତାକୁ ହିଁ ସୂଚାଉଛି। ନୀତୀଶଙ୍କ ପ୍ରଭାବରେ ବିହାରରେ ଲାଲୁ ଲିଗାସି ୨୦୧୦ରେ ଏକ ରକମ ନିଃଶେଷ ହୋଇଯାଇଥିଲା। ଅଥଚ ପରେ ସେହି ନୀତୀଶ ନିଜେ ପୁଣି ତାକୁ କବରରୁ ଉଠାଇ ଆଣି ଜୀବନ୍ୟାସ ଦେଇଥିଲେ। ଏହା ଏକ ମସ୍ତବଡ଼ ଭୁଲ ଥିଲା ବୋଲି ରାଜନୈତିକ ବିଦ୍ବାନମାନେ କହିଥାଆନ୍ତି। ତେବେ, ଏ ସବୁ ସତ୍ତ୍ବେ ସାମଗ୍ରିକ ଭାବେ ଦେଖିଲେ ତାଙ୍କ ସାଢ଼େ ଚାରି ଦଶନ୍ଧିର ରାଜନୈତିକ ଜୀବନକୁ ଏକ ସଫଳ କାହାଣୀ ବୋଲି ହିଁ କୁହାଯିବ। ତାଙ୍କ ରାଜନୀତିରେ ନୈତିକ ମୂଲ୍ୟବୋଧର ପରାକାଷ୍ଠା ଦେଖିବାକୁ ମିଳେ; ଅଥଚ ମତାନ୍ତରେ ତାଙ୍କୁ ସୁବିଧାବାଦୀ ରାଜନୀତିର ପ୍ରତୀକ ବୋଲି ମଧ୍ୟ କୁହାଯାଇଥାଏ। ସ୍ମରଣଯୋଗ୍ୟ ଯେ ୪ ଅଗଷ୍ଟ ୧୯୯୯ରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଲାଗି ନୀତୀଶ ନୈତିକ ଦାୟିତ୍ବ ମୁଣ୍ଡାଇ ବାଜପେୟୀ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲେ। ଉଲ୍ଲେଖନୀୟ ଯେ ଏଭଳି କରିବାରେ ସେ ଥିଲେ ଲାଲବାହାଦୁର ଶାସ୍ତ୍ରୀଙ୍କ ପରେ ଦେଶର ଦ୍ବିତୀୟ ରେଳ ମନ୍ତ୍ରୀ। ୨୦୧୪ ଲୋକସଭା ନିର୍ବାଚନରେ ମୋଦୀଙ୍କୁ ବିରୋଧ କରି ଏନ୍‌ଡିଏର ହାତ ଛାଡ଼ିବା ପରେ ଜେଡିୟୁକୁ ମାତ୍ର ଦୁଇଟି ଲୋକସଭ‌ା ଆସନ ମିଳିଥିଲା। ଏହି ରାଜନୈତିକ ପରାଭବ ଲାଗି ଆବଶ୍ୟକ ନଥିଲେ ମଧ୍ୟ ନୀତୀଶ ନୈତିକ ଦାୟିତ୍ବ ନେଇ ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତେବେ ଏହାର ପର ବର୍ଷ ଅର୍ଥାତ୍‌ ୨୦୧୫ରେ ଅନୁଷ୍ଠିତ ବିହାର ରାଜ୍ୟ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ସଫଳ ହୋଇଥିଲା। କେବଳ ନୈତିକ ଦାୟିତ୍ବ ନେବାର ବିରଳ ପ୍ରବଣତା ନୁହେଁ, ତାଙ୍କ ଦ୍ବାରା ପ୍ରବର୍ତ୍ତିତ ସୁଶାସନ ମଧ୍ୟ ବିଶେଷ ପ୍ରଣିଧାନଯୋଗ୍ୟ। ସେ ୨୦୦୦ ମସିହାରେ ପ୍ରଥମ ଥର ଲାଗି ମାତ୍ର ସାତ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତା’ ପରେ ୨୦୦୫ରେ ସେ ଦ୍ବିତୀୟ ବାର ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେଲେ। ଏଥର ମୁଖ୍ୟମନ୍ତ୍ରୀ ହେବା ପରେ ସେ ଅପରାଧୀମାନଙ୍କୁ ନିୟନ୍ତ୍ରଣ କରି ଆଇନଶୃଙ୍ଖଳା ପରିସ୍ଥିତିରେ ଯଥେଷ୍ଟ ସୁଧାର ଆଣିଲେ। ଏହା ସହିତ ଲକ୍ଷେ ସ୍କୁଲ୍‌ ଶିକ୍ଷକ ନିଯୁକ୍ତି ପ୍ରଦାନ, ଛାତ୍ରୀମାନଙ୍କୁ ସାଇକେଲ୍ ବଣ୍ଟନ, ସ୍କୁଲ୍‌ମାନଙ୍କରୁ ବାଳିକା ଡ୍ରପ୍‌ଆଉଟ୍ ସଂଖ୍ୟା କମାଇବା, ମହିଳା ସାକ୍ଷରତା ହାର ପ୍ରାୟ ଦ୍ବିଗୁଣିତ କରାଇବା, ଗ୍ରାମାଂଚଳରେ ବିଦ୍ୟୁତ୍‌ ଓ ସ୍ବାସ୍ଥ୍ୟ ସେବାରେ ଆଖିଦୃଶିଆ ଉନ୍ନତି ଆଣିବା ତାଙ୍କ ସରକାରର କେତୋଟି ସ୍ପଷ୍ଟ ଉପଲବ୍‌ଧି ଥିଲା। ଏହି ଅବଧିର ଶାସନ ଯେ କେତେ ପ୍ରଭାବଶାଳୀ ଥିଲା, ତାର ପ୍ରମାଣ ମିଳିଥିଲା ୨୦୧୦ ମସିହା ନିର୍ବାଚନରେ। ସେ ଥର ୨୪୩ଟି ବିଧାନସଭା ଆସନରୁ ତାଙ୍କ ମେଣ୍ଟକୁ ସେଥର ମିଳିଥିଲା ୨୦୬ (ଜେଡିୟୁ ୧୧୫ ଓ ବିଜେପି ୯୧) ଗୋଟି ଆସନ। ଲାଲୁଙ୍କ ଆର୍‌ଜେଡିକୁ ସେଥର ମିଳିଥିଲା ମାତ୍ର ୨୨ଟି ଆସନ। ଖାଲି ସେତିକି ନୁହେଁ, ବହୁ ଦଶନ୍ଧି ପରେ ବିହାର ସେଥର ଏକ ରିଗିଂ-ମୁକ୍ତ ନିର୍ବାଚନଟିଏ ଦେଖିଥିଲା। ଏହି ହିଂସାରହିତ ଅବାଧ ନିର୍ବାଚନରେ ମହିଳା ଓ ଯୁବବର୍ଗର ଭୋଟରଙ୍କ ମତଦାନରେ ଆଖିଦୃଶିଆ ବୃଦ୍ଧିର ଶ୍ରେୟ ନୀତୀଶଙ୍କୁ ଦେବାକୁ ହେବ। ୨୦୧୬ରେ ରାଜ୍ୟକୁ ମଦମୁକ୍ତ ଘୋଷଣା କରିବା ମଧ୍ୟ ତାଙ୍କ ସରକାରଙ୍କ ଅନ୍ୟତମ ସାହସିକ ପଦକ୍ଷେପ ଥିଲା।

ତେବେ ଏ ସବୁ ସତ୍ତ୍ବେ ଏହି ନିର୍ବାଚନ ବେଳେ ଦେଖାଗଲା ଯେ ବହୁ ସଂଖ୍ୟାରେ ଯୁବବର୍ଗ ତେଜସ୍ବୀଙ୍କ ଆଡ଼କୁ ଢଳିଗଲେ। ଏହାର ଏକ ବଡ଼ କାରଣ ଏହା ହୋଇପାରେ ଯେ ନୀତୀଶଙ୍କ ଶାସନର ଆଦ୍ୟ ଭାଗ ବେଳକୁ ଏହି ପିଢ଼ିର ଅଧିକାଂଶଙ୍କ ହେତୁ ହୋଇ ନଥିବ, ଯାହା ଫଳରେ ସେମାନେ ସେ ସମୟର ଉପଲବ୍‌ଧି ଦ୍ବାରା ପ୍ରଭାବିତ ନୁହନ୍ତି। ପୁନଶ୍ଚ ଏଥରର ନିର୍ବାଚନରେ ନୀତୀଶ କେବଳ ତେଜସ୍ବୀ କିମ୍ବା ଚିରାଗଙ୍କୁ ସାମନା କରିନାହାନ୍ତି; ନିଜ ମେଣ୍ଟର ଅଂଶୀଦାର ଦଳ ବିଜେପି ଦ୍ବାରା ମଧ୍ୟ ସେ ବହୁ କଥାରେ ଅଡ଼ୁଆର ସମ୍ମୁଖୀନ ହୋଇଛନ୍ତି। ନିର୍ବାଚନ ପୂର୍ବରୁ ବି‌ଜେପି ବାରମ୍ବାର ପ୍ରତିଶ୍ରୁତି ଦେଇଛି ଯେ ଯିଏ ଯେତେ ଆସନ ପାଇଲେ ସୁଦ୍ଧା ନୀତୀଶ ହିଁ ମୁଖ୍ୟମନ୍ତ୍ରୀ ହେବେ। କିନ୍ତୁ ବିଜେପି ତା’ ଉଚ୍ଚରଣର ସମ୍ପୂର୍ଣ୍ଣ ବିପରୀତ ଆଚରଣ ପ୍ରଦର୍ଶନ କରିଛି ଏବଂ ନୀତୀଶଙ୍କୁ କୋଣଠେସା କରି ବିହାର ମାଡ଼ି ବସିବାକୁ ଏକ ପ୍ରଚ୍ଛନ୍ନ ରଣକୋୖଶଳ ଆପଣାଇ ଥିବାର ଆଭାସ ମିଳୁଛି। କାରଣ ପ୍ରଥମ କଥା ବିଜେପିର ସର୍ବାଧିକ କୁଶଳୀ ନିର୍ବାଚନ ରଣନୀତିଜ୍ଞ ଅମିତ ଶାହଙ୍କୁ ବିହାର ନିର୍ବାଚନରୁ ଦୂରେଇ ରଖାଗଲା। ଦ୍ବିତୀୟରେ, ଦେଶର ସବୁଠୁ ଲୋକପ୍ରିୟ ନେତା ମୋଦୀ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଯାଇ ରାଲିରେ ଯୋଗ ଦେଲେ। ତେଣୁ ସେତେବେଳକୁ ନିର୍ବାଚନ ଦୌଡ଼ରେ ତେଜସ୍ବୀ ବେଶ୍‌ କିଛି ବାଟ ଆଗେଇ ଯାଇଥିଲେ। ତୃତୀୟରେ, ରାଜ୍ୟରେ ଥିବା ଏକ ମେଣ୍ଟ ସରକାରର ସୁଶାସନର ସମସ୍ତ ଶ୍ରେୟ ନେବା ପାଇଁ ବିଜେପି ଚେଷ୍ଟା କରିଛି; ଯାହା ଫଳରେ ମେଣ୍ଟ ସରକାରର ମୁଖ୍ୟ ନୀତୀଶଙ୍କ ଫଟୋ ସୁଦ୍ଧା ବି‌ଜେପିର ଦଳୀୟ ହୋର୍ଡିଂ ବା ପୋଷ୍ଟର ଆଦିରେ ଦେଖିବାକୁ ମିଳି ନ ଥିଲା। ନୀତୀଶଙ୍କୁ ଏକ ବୋଝ ଭାବେ ଦର୍ଶାଇବାକୁ ଚେଷ୍ଟା କରିବାରେ ମଧ୍ୟ ବିଜେପି କିଛିଟା ସଫଳ ହୋଇଛି। ଚତୁର୍ଥରେ, ନିଜ ‘ହନୁମାନ’ ଚିରାଗ ପାଶ୍ବାନଙ୍କୁ ନୀତୀଶ ବିରୋଧୀ ମତ ମନ୍ତବ୍ୟ ପ୍ରଦାନରୁ କ୍ଷାନ୍ତ ରଖିବାରେ ମୋଦୀଙ୍କ ନିଷ୍କ୍ରିୟତା ମଧ୍ୟ ଏ ଦିଗରେ ଇଙ୍ଗିତ କରିଥାଏ। ପଞ୍ଚମରେ, ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ନୀତୀଶଙ୍କ ସ୍ବପ୍ନର ପ୍ରକଳ୍ପ ‘ହର୍ ଘର୍ ନଲ୍‌ କା ଜଲ୍‌’ ସହ ସଂପୃକ୍ତ ନେତା-ଯନ୍ତ୍ରୀ-ଠିକାଦାରଙ୍କ ଘରେ ହୋଇଥିବା ଆୟକର ଚଢ଼ାଉ, ଯହିଁରେ କେନ୍ଦ୍ର ସରକାରଙ୍କ ସ୍ବୀକୃତି ଥିବା ନିଶ୍ଚିତ।

ଏହା ଏକ ବିରାଟ ଷଡ୍‌ଯନ୍ତ୍ରର ଅଂଶ ହୋଇପାରେ। କାରଣ ବାଜପେୟୀଙ୍କ ଏନ୍‌ଡିଏ ଓ ମୋଦୀଙ୍କ ନେତୃତ୍ବାଧୀନ ଏନ୍‌ଡିଏ ମଧ୍ୟରେ ଆକାଶ ପାତାଳ ପ୍ରଭେଦ। ବାଜପେୟୀଙ୍କ ସମୟରେ ଅଂଶୀଦାର ଦଳଗୁଡ଼ିକ ଉପରେ ବି‌ଜେପି ନିର୍ଭରଶୀଳ ଥିଲା। ଅଥଚ ମୋଦୀଙ୍କ ନେତୃତ୍ବରେ ବିଜେପି ହାସଲ କରିଥିବା ନିରଙ୍କୁଶ ସଂଖ୍ୟାଗରିଷ୍ଠତା ମେଣ୍ଟର ଅଂଶୀଦାରଗୁଡ଼ିକର ସମର୍ଥନକୁ ଅପାତତଃ ଅପ୍ରାସଙ୍ଗିକ କରି ଦେଇଛି। ସୁତରାଂ, ମେଣ୍ଟ ସହଯୋଗୀଙ୍କ ପ୍ରତି ବିଜେପିର ଆଭିମୁଖ୍ୟ ବଦଳିଛି। ସେହି କାରଣରୁ ସମ୍ଭବତଃ ଏଥର ନୀତୀଶଙ୍କୁ ନିଷ୍ପ୍ରଭ କରିବା ଲାଗି ବିଜେପିର ଗୁପ୍ତ ଏଜେଣ୍ଡା କାମ କରିଛି। ହିନ୍ଦୁତ୍ବବାଦୀ ଦଳ ବିଜେପି ସହ ମିଶି ରାଜନୀତି କଲେ ବୋଲି ସମାଜବାଦୀ ବିଚାରଧାରାର ନେତା ନୀତୀଶ ବିଦା ହେବା ଯୁକ୍ତିଯୁକ୍ତ ବୋଲି ବିଚାର ଅନେକତ୍ର ପ୍ରକଟିତ ହୋଇଥାଏ। ସେମିତି ୨୦୧୫ରେ ଯେଉଁ ଆର୍‌ଜେଡି ସହ ମିଶି ନୀତୀଶ କ୍ଷମତାକୁ ଫେରିଥିଲେ, ଦୁଇ ବର୍ଷ ପରେ କ୍ଷମତାରେ ରହିବା ପାଇଁ ସହଯୋଗୀ ଆର୍‌ଜେଡିକୁ ପରିତ୍ୟାଗ କରି ବିଜେପିକୁ ଆପଣାଇବା ତାଙ୍କର ‘ମାକିଆଭେଲି’ସୁଲଭ ନୀତି ବୋଲି ମଧ୍ୟ ଅଭିଯୋଗ ହୁଏ। ତେଣୁ ନୀତୀଶଙ୍କ ନୀତି ନୈତିକତାର ରାଜନୀତି କଥା ଉଠିଲେ ତାଙ୍କ ସୁବିଧାବାଦୀ ରାଜନୀତି କଥା ମଧ୍ୟ ଉଠେ। ତାଙ୍କ ବିରୋଧୀ କହନ୍ତି ଯେ କ୍ଷମତାରେ ରହିବା ପାଇଁ ସେ କେବେ ଦୁର୍ନୀତିଗ୍ରସ୍ତ ଲାଲୁଙ୍କ ଦଳ ସହ ତ ପୁଣି କେବେ ହିନ୍ଦୁତ୍ବବାଦୀ ଦଳ ବିଜେପି ସହ ହାତ ମିଳାନ୍ତି। ‌ସେମାନେ ଏହା ମଧ୍ୟ କହନ୍ତି ଯେ ନୀତୀଶ ନିଜ ସାମର୍ଥ୍ୟରେ ବିହାରରେ କେବେ ବି ଏକାକୀ ଜିତି ଏତେ ଦିନ ମୁଖ୍ୟମନ୍ତ୍ରୀ ରହିବାରେ ସମର୍ଥ ହୁଅନ୍ତେ ନାହିଁ। ତେବେ ଏ ସବୁ ମତାନୈକ୍ୟ ସତ୍ତ୍ବେ ନୀତୀଶଙ୍କ ଭଳି ଜଣେ ୬୯ ବର୍ଷ ବୟସ୍କ ଅନୁଭବୀ ରାଜନେତା ଯେ ସମୟର କଷଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନିଜ ଲାଗି ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ଏଥିରେ ଅତ୍ୟୁକ୍ତିି ନାହିଁ। କହିବା ବାହୁଲ୍ୟ ଯେ ରାଜନୈତିକ କ୍ୟାରିଅର୍‌ର ପ୍ରାରମ୍ଭରେ ନୀତୀଶଙ୍କ ପୃଷ୍ଠଭୂମି ଓ ତେଜସ୍ବୀଙ୍କ ପୃଷ୍ଠଭୂମି ମଧ୍ୟରେ ଆଲୋକ ବର୍ଷର ବ୍ୟବଧାନ। ବିହାରର ଏକ ଅଜଣା ଗ୍ରାମର ଜଣେ ସାଧାରଣ କବିରାଜଙ୍କ ପୁତ୍ର ନୀତୀଶ ଓ ବିହାରର ଗୋଟିଏ ଅତ୍ୟନ୍ତ ପ୍ରଭାବଶାଳୀ ରାଜନୈତିକ ଖାନଦାନର ଉତ୍ତରାଧିକାରୀ ତେଜସ୍ବୀ। ଏଣେ ସମୟର ଅଗ୍ନି ପରୀକ୍ଷାରେ ତେଜସ୍ବୀ ଏଯାବତ୍‌ ଅବତୀର୍ଣ୍ଣ ହିଁ ହୋଇ ନାହାନ୍ତି। ତେଣୁ ସେଭଳି ପରୀକ୍ଷାରେ ଅବତୀର୍ଣ୍ଣ ହୋଇ ପରିଶେଷରେ ଉତ୍ତୀର୍ଣ୍ଣ ହେଲେ ଯାଇ ତାଙ୍କ ନେତୃତ୍ବର ସାମର୍ଥ୍ୟ ଜଣାପଡ଼ିବ ଏବଂ ସେ ଯେ ଏକ ଉତ୍ତମ ବିକଳ୍ପ ତାହା ପ୍ରମାଣିତ ହେବ। ତେବେ ଏ ପରିପ୍ରେକ୍ଷୀରେ ତେଜସ୍ବୀଙ୍କ ଉଦ୍ଦେଶ୍ୟରେ ଟ୍ବିଟ୍ କରି ତାଙ୍କ ବଡ଼ ଭାଇ ତେଜପ୍ରତାପ ଯାହା କହିଛନ୍ତି, ତାହା ପ୍ରଣିଧାନଯୋଗ୍ୟ। ସେ ଲେଖିଛନ୍ତି, ‘‘ବିହାର ତେଜସ୍ବୀ ଭବଃ।’’ ଯଦି ଆଗକୁ କେବେ ତେଜସ୍ବୀ ବିହାରକୁ ତେଜୋଦୀପ୍ତ କରିପାରିବେ, ତେବେ ତାଙ୍କୁ ନୀତୀଶଙ୍କ ବିକଳ୍ପ ବୋଲି ପୂର୍ବାନୁମାନ କରୁଥିବା ରାଜନୀତି ବିଶ୍ଳେଷକ ସତ ବୋଲି ସାବ୍ୟସ୍ତ ହେବେ। ଏବଂ ଏହା ସହିତ ସମଗ୍ର ବିହାର ମଧ୍ୟ ଉପକୃତ ହେବ।
ସମ୍ବାଦ ଭବନ,
ଭୁବନେଶ୍ବର
ମୋ- ୯୪୩୭୦୯୭୫୦୩
[email protected]

ସମ୍ବନ୍ଧିତ ଖବର