୧୯୩୬ ମସିହାରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସହିତ ଓଡ଼ିଶାର ଭାଷା ଓ ସ˚ସ୍କୃତି ତଥା ଇତିହାସ ଓ ଐତିହ୍ୟର ସୁରକ୍ଷା ସହ ପ୍ରଗତିର ପଥ ପ୍ରଶସ୍ତ ହୋଇଥିଲା। ତା’ ପରେ ଶତାବ୍ଦୀର ଶେଷ ଆଡ଼କୁ ୧୯୯୭ ମସିହାରେ ଗଠିତ ହେଲା ଓଡ଼ିଶାରେ ଏକ ଆଂଚଳିକ ରାଜନୈତିକ ଦଳ: ବିଜୁ ଜନତା ଦଳ। ପରିବର୍ତ୍ତିତ ସମୟର ଆହ୍ବାନ ଓ ଆବଶ୍ୟକତା ଆଧାରରେ ଏହି ଆଂଚଳିକ ଦଳ ଗଠିତ ହୋଇଥିଲେ ମଧ୍ୟ ସ୍ବତନ୍ତ୍ର ଉତ୍କଳ ପ୍ରେଦଶ ଗଠନ ଦିଗରେ ଉତ୍କଳ ସମ୍ମିଳନୀର ଯେଉଁ ଆତ୍ମିକ ଭାବ ଥିଲା, ତାହା ହିଁ ହୋଇଥିଲା ଏହି ନୂତନ ଆଂଚଳିକ ଦଳର ଉତ୍ସ ଓ ଆଧାର। ବିଜୁ ଜନତା ଦଳ ସୃଷ୍ଟି ହେବା ଯେ ଏକ ଐତିହାସିକ ଆବଶ୍ୟକତା ଥିଲା; ତାହା ଦଳର ବିଗତ ୨୩ ବର୍ଷର ସଫଳ ଓ ଅର୍ଥପୂର୍ଣ୍ଣ ଯାତ୍ରାରୁ ପ୍ରମାଣିତ। କହିବା ବାହୁଲ୍ୟ ଯେ ସମସ୍ତ ମାନଦଣ୍ତରେ ଏହା ସଫଳତାର ସମ ଶବ୍ଦ ହିଁ ପାଲଟିଛି। ଓଡ଼ିଶାର ସମାଜ, ସ˚ସ୍କୃତି, ରାଜନୀତି ଓ ବିଶେଷ ଭାବରେ ଲୋକକ୍ଷେତ୍ରକୁ ଏହା କେବଳ ଯେ ପ୍ରଭାବିତ କରୁଛି ତାହା ନୁହେଁ; ନୂତନ ବ୍ୟାଖ୍ୟାନ ମଧ୍ୟ ସୃଷ୍ଟି କରୁଛି। ଭାରତରେ କୌଣସି ରାଜନୈତିକ ଦଳ ଏପରି ସଫଳତା ପାଇ ନାହିଁ। କ୍ରମାଗତ ଭାବେ ଏହାର ଜନାଧାର ବଢ଼ିଚାଲିଛି; ଲୋକ ବିଶ୍ବାସ ଓ ଲୋକଆସ୍ଥାରେ ବୃଦ୍ଧି ଘଟି ଚାଲିଛି। କେବଳ ଭୋଟ୍ ରାଜନୀତିରେ ଈର୍ଷଣୀୟ ସଫଳତା ନୁହେଁ; ଜନ ମତ ସହ ଜନ ମନ ଓ ହୃଦୟ ଜିଣିବାରେ ମଧ୍ୟ ଏହି ଦଳ ବିରଳ ସାଫଲ୍ୟ ପ୍ରଦର୍ଶନ କରିଛି। କେବଳ ସେତିକି ନୁହେଁ, ନିଜ ରେକର୍ଡ ନିଜେ ଭାଙ୍ଗିବାର ଗୌରବ ମଧ୍ୟ ଅର୍ଜନ କରିଚାଲିଛି। ଏହି ସଫଳତାର କାରଣକୁ ନେଇ ଭିନ୍ନ ଭିନ୍ନ ତର୍ଜମା କରାଯାଉଥିଲେ ମଧ୍ୟ ଗୋଟିଏ ବାକ୍ୟରେ କହିଲେ ଏହାର କାରଣ ହେଉଛି ଓଡ଼ିଶାର ସଫଳତା; ସାଢ଼େ ଚାରି କୋଟି ରାଜ୍ୟବାସୀଙ୍କ ଆଶା ଓ ଆକା˚କ୍ଷା ପୂରଣ ଜନିତ ଆସ୍ଥା ପ୍ରକଟ। ଲାଗେ, ଓଡ଼ିଶା ଯେମିତି ଅପେକ୍ଷା କରୁଥିଲା ବିଜୁ ଜନତା ଦଳକୁ ଓ ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ।
ଓଡ଼ିଶାରେ ବିଜୁ ଜନତା ଦଳ ପ୍ରଥମ ଆଂଚଳିକ ଦଳ ନୁହେଁ। ୧୯୯୭ ପୂର୍ବରୁ ଅନେକ ଆଂଚଳିକ ଦଳ ଗଠିତ ହୋଇଛି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ମଧ୍ୟ ଆଂଚଳିକ ଦଳ ଗଠନ କରି ଏତେଟା ସଫଳ ହୋଇ ନାହାନ୍ତି। ଅଧିକାଂଶ ଆଂଚଳିକ ଦଳ ଜଣେ ବ୍ୟକ୍ତି ବା ଗୋଷ୍ଠୀର ରାଜନୈତିକ ସ୍ଥିତି ବଜାୟ ରଖିବା ପାଇଁ ହେଉ ବା ମହତ୍ତ୍ବାକାଂକ୍ଷା ସାଧନ ପାଇଁ ହେଉ କି ରାଜନୈତିକ ହଟଚମଟ ପାଇଁ ହେଉ ବା କ୍ଷୁଦ୍ର ଓ ସ˚କୀର୍ଣ୍ଣ ଅଭିଳାଷରୁ ହେଉ ଜନ୍ମ ନେଇଥାନ୍ତି। ତା’ ପଛରେ ଲୋକମାନଙ୍କର ହାର୍ଦ୍ଦିକ ସମ୍ମତି ନଥାଏ। ତେଣୁ କୁହାଯାଇପାରେ କି ଆଂଚଳିକ ଦଳ ପାଇଁ ହୁଏ’ତ ସମୟ ହୋଇ ନଥାଏ ବା ସେଭଳି ଦଳ ପାଇଁ ସମର୍ଥ ନେତୃତ୍ବର ଅଭାବ ଥାଏ। ସୁତରାଂ, ସ୍ବାଭାବିକ ରାଜନୈତିକ ପ୍ରକ୍ରିୟାରୁ ଜନ୍ମ ନେଇ ନ ଥିବାରୁ ଏ ସବୁ ଅଳ୍ପାୟୁଷୀ ହୋଇଥାନ୍ତି। କିନ୍ତୁ ବିଜୁ ଜନତା ଦଳର ଜନ୍ମ ଏପରି ମାହେନ୍ଦ୍ର ବେଳାରେ ହୋଇଥିଲା ଯେତେବେଳେ ଓଡ଼ିଶା ଏକ ଆଂଚଳିକ ଦଳ ପାଇଁ ବ୍ୟାକୁଳ ଥିଲା ଏବ˚ ଏପରି ଏକ ନେତୃତ୍ବର ଅପେକ୍ଷାରେ ଥିଲା ଯାହା ନବୀନ ପଟ୍ଟନାୟକଙ୍କ ମାଧ୍ୟମରେ ମିଳିପାରିଥିଲା। ଏହି ସ˚ଯୋଗ ହିଁ ସଫଳତାର ରହସ୍ୟ। ଏବ˚ ଅନେକ ସମୟରେ ସୁଯୋଗ ଆସିଲେ ମଧ୍ୟ ତା’ର ଯଥାଯଥ ଉପଯୋଗ ହେଇପାରେନା। ଏମିତି କେତେବାର ଘଟିଛି। ତେବେ ଏ ଥର ସୁଯୋଗର ପୂର୍ଣ୍ଣ ଉପଯୋଗ ହୋଇଥିବାରୁ ଏହା କ୍ରମଶଃ ସଶକ୍ତ ହେବାରେ ଲାଗିଛି। ସେଥି ଲାଗି ବିଜେଡି ମଡେଲ୍କୁ ଭାରତର ଅନ୍ୟ କେତେକ ରାଜନୈତିକ ଦଳ ଆପଣାଇବାକୁ ପ୍ରୟାସ କରିବା ହିଁ ହେଉଛି ଦଳ ଲାଗି ଏକ ବଡ଼ ଉପଲବ୍ଧି।
୧୯୯୭ ମସିହାରେ ବିଜୁବାବୁଙ୍କ ଦେହାନ୍ତ ହେଲା। ସ୍ବାଧୀନତା ପରବର୍ତ୍ତୀ ଓଡ଼ିଶାର ରାଜନୀତିରେ ବିଜୁବାବୁ ସବୁବେଳେ କେନ୍ଦ୍ରରେ ଥିଲେ। ତାଙ୍କର ଅବର୍ତ୍ତମାନ ଏକ ମହାଶୂନ୍ୟ ସ୍ଥାନ ସୃଷ୍ଟି କଲା। ସେତେବେଳକୁ ତତ୍କାଳୀନ ଶାସକ ଦଳ ଉପରୁ ଲୋକମାନଙ୍କର ଆସ୍ଥା ତୁଟି ଯାଇଥିଲା। ରାଜ୍ୟର ବିକାଶ ଅପେକ୍ଷା ରାଜନୀତି ବେଶୀ ହେଉଥିଲା। ଲୋକମାନେ ଏହାକୁ ଗ୍ରହଣ କରିପାରୁ ନଥିଲେ। ସେହି ସମୟରେ ଓଡ଼ିଶାର ରାଜନୈତିକ ଦିଗ୍ବଳୟରେ ଆବିର୍ଭାବ ହେଲେ ଆଧୁନିକ ଚିନ୍ତା ଓ ଚେତନାର ବାର୍ତ୍ତାବହ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ତାଙ୍କ ମାଧ୍ୟମରେ ଲୋକମାନେ ଦେଖିପାରିଲେ ଏକବି˚ଶ ଶତାବ୍ଦୀର ନୂତନ ସୂର୍ଯ୍ୟୋଦୟ। ତାଙ୍କ ମାଧ୍ୟମରେ ଓଡ଼ିଶାର ଲୋକମାନେ ଭାବଗତ ସ୍ତରରେ ଯୋଡ଼ି ହୋଇପାରିଲେ। ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ମହାବାତ୍ୟା ପରବର୍ତ୍ତୀ ବିପର୍ଯ୍ୟସ୍ତ ଓଡ଼ିଶା ଶୂନ୍ୟ ରାଜକୋଷକୁ ନେଇ ନିର୍ମାଣର ନବପର୍ବ ଉନ୍ମୋଚନ କରିବାର ପ୍ରୟାସ କଲା, ଯାହା ଏବେ ମହାପର୍ବରେ ପରିଣତ ହୋଇଛି। େସତେବେଳେ ଶାସନ ଓ ପ୍ରଶାସନରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ପ୍ରିୟାପ୍ରୀତିର ପ୍ରାବଲ୍ୟରେ ଓଡ଼ିଶା ଅଣନିଃଶ୍ବାସୀ ହୋଇଯାଇଥିଲା। ନବୀନ ବାବୁଙ୍କ ନେତୃତ୍ବରେ ଏହା ବିରୋଧରେ ଲଢ଼େଇ ଚାଲିଲା। ଉତ୍ତର ଦାୟିତ୍ବ, ସ୍ବଚ୍ଛତା ଓ ସାଧୁତା ଉପରେ ବିଶେଷ ଗୁରୁତ୍ବ ଦିଆଗଲା। ଯୁଗାନ୍ତକାରୀ ନିର୍ଣ୍ଣାୟକ ନିଷ୍ପତ୍ତି ନିଆଗଲା ଯାହା ଯୋଗୁଁ ବିକାଶ ନୂତନ ରାହା ଓ ସାହା ପାଇଲା। ବିଜୁ ଜନତା ଦଳ କେବଳ ଏକ ରାଜନୈତିକ ଦଳ ନ ହୋଇ ପାଲଟି ଗଲା ଓଡ଼ିଶାର ଦଳ, ଓଡ଼ିଶାର ବଳ ଓ ସାଢ଼େ ଚାରିକୋଟି ରାଜ୍ୟବାସୀଙ୍କ ସ୍ବର। ଓଡ଼ିଶାରେ ତାର ବିକାଶ ପାଇଁ ସମସ୍ତ ସାମର୍ଥ୍ୟ ଓ ସମ୍ଭାବନା ଅଛି। ପ୍ରକୃତି ମାଟି ତଳେ ଓ ମାଟି ଉପରେ ସଂପଦ ଭରି ଦେଇଛି। ଓଡ଼ିଶାର ସମୃଦ୍ଧ ଇତିହାସ ଅଛି। ପ୍ରତିଷ୍ଠିତ ପରିଚୟ ଅଛି। ତେବେ ବି ଓଡ଼ିଶା କାହିଁକି ପଛରେ ପଡ଼ିଛି? ଏହା ଏକ ପାରାଡକ୍ସ। ଏହା ଓଡ଼ିଶାର ଚିନ୍ତାଶୀଳ ବ୍ୟକ୍ତିମାନଙ୍କୁ ସବୁବେଳେ ଆନ୍ଦୋଳିତ କରିଆସିଛି। ଅନେକ କାରଣ ମଧ୍ୟରେ କେନ୍ଦ୍ରୀୟ ଅବହେଳା ହେଉଛି ପ୍ରମୁଖ କାରଣ। ସ˚ଘୀୟ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ଓଡ଼ିଶା ଉପଯୁକ୍ତ ନ୍ୟାୟ ପାଇ ନାହିଁ। ଅର୍ଥର ବଡ଼ ଉତ୍ସ କେନ୍ଦ୍ର ପାଖରେ ଥିବାରୁ ଓ ଅନେକ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ଓଡ଼ିଶା ଭଳି ଛୋଟ ରାଜ୍ୟଗୁଡ଼ିକ ପାଇଁ ଅନୁକୂଳ ନ ହେବା କାରଣରୁ ଓଡ଼ିଶାର ବିକାଶ ବାଧାପ୍ରାପ୍ତ ହୋଇଛି। ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ରାଜ୍ୟ ଭାବରେ ଓଡ଼ିଶା ଯେଭଳି ବିଶେଷ ଧ୍ୟାନ ଆବଶ୍ୟକ କରେ, ତାହା ମିଳି ନାହିଁ। ମୋଟ ଉପରେ କେନ୍ଦ୍ର ବିକାଶ ରାଡାର୍ରେ ଓଡ଼ିଶା ନାହିଁ। ଗଣତନ୍ତ୍ରର ଗଣିତରେ ଓଡ଼ିଶା ଏକ ଛୋଟ ରାଜ୍ୟ ହୋଇଥିବାରୁ କେନ୍ଦ୍ର ସରକାର ଗଠନ ଓ ପରିଚାଳନାରେ ସ˚ଖ୍ୟାର ଚାପ ସୃଷ୍ଟି କରିବାକୁ ଅସମର୍ଥ। ତେଣୁ କେନ୍ଦ୍ରର ଏହି ଅବହେଳା।
ଏହା ପୂର୍ବରୁ ଓଡ଼ିଶା ଜାତୀୟ ଦଳର ଶାସନରେ ଥିଲା ଓ ଦିଲ୍ଲୀର ହାଇକମାଣ୍ତଙ୍କ ନିର୍ଦ୍ଦେଶରେ ଓଡ଼ିଶାର ରାଜନୀତି ନିୟନ୍ତ୍ରିତ ହେଉଥିଲା। ତେଣୁ ଓଡ଼ିଶାର ସ୍ବାର୍ଥ ସମ୍ବଳିତ ସ୍ବର ଦିଲ୍ଲୀରେ ସ୍ପଷ୍ଟ ହେଉ ନ ଥିଲା। ଏଥିରେ ବ୍ୟତିବ୍ୟସ୍ତ ହୋଇ ଜନନାୟକ ବିଜୁ ପଟ୍ଟନାୟକ ଆର୍ଥିକ ସ୍ବୟ˚ଶାସନ କଥା ଉଠେଇଥିଲେ। ତାଙ୍କର କ୍ଷୋଭ ଓ ଦାବିରେ ଥିଲା ଓଡ଼ିଶାର ସାମଗ୍ରିକ ପ୍ରଗତିର ମହାଭାଷ୍ୟ। କିନ୍ତୁ ସେତେବେଳେ ତାହା ସାକାର ରୂପ ନେଇ ନଥିଲା; ଓଡ଼ିଶାର ସ୍ବାର୍ଥ ଓ ସ୍ବାଭିମାନ ପାଇଁ ଆଂଚଳିକତାବାଦର ଆକାର ସ୍ପଷ୍ଟ ହୋଇ ନଥିଲା। ବିଳମ୍ବରେ ହେଲେ ମଧ୍ୟ ବିଜୁ ଜନତା ଦଳ ତାହାକୁ ପରିପୂରଣ କରିଛି ଓ କରିଚାଲିଛି। ଓଡ଼ିଶାର ରାଜନୀତି ଓ ଶାସନକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ। ବିଜେଡି ପୂର୍ବବର୍ତ୍ତୀ ସମୟ ଓ ବିଜେଡି ସମୟ। ଉଭୟ କାଳ ଖଣ୍ଡ ମଧ୍ୟରେ ଅନାସକ୍ତ ତୁଳନା କଲେ ସ୍ପଷ୍ଟ ଜଣାପଡ଼ିଛି ଯେ ବିଜେଡି ସମୟରେ ଓଡ଼ିଶାର ବିକାଶ ପ୍ରତିଟି କ୍ଷେତ୍ରରେ ଆଖିଦୃଶିଆ ହୋଇଛି। ଏହା ସାମାଜିକ ଓ ସା˚ସ୍କୃତିକ କ୍ଷେତ୍ରକୁ ମଧ୍ୟ ସମ୍ପ୍ରସାରିତ ହୋଇଛି। ବିକାଶର ରିମୋଟ୍ ଦିଲ୍ଲୀରେ ନୁହେଁ; ଏଇ ଓଡ଼ିଶାରେ ହିଁ ଅଛି। ଜାତୀୟ ରାଜନୀତିରେ ବି ଓଡ଼ିଶା ତା’ର ପତିଆରା ଓ ପ୍ରଭାବ ପ୍ରଦର୍ଶନ କରିପାରିଛି। ଏବେ ଓଡ଼ିଶା ନେତୃତ୍ବକୁ ଦିଲ୍ଲୀରେ ଯେଉଁ ସମ୍ମାନ ଓ ସ୍ବୀକୃତି ମିଳୁଛି ତାହା ବିଜେଡିର ପ୍ରଭାବକୁ ପ୍ରଦର୍ଶନ କରିଥାଏ।
ସଂପ୍ରତି ସ˚ଘୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ବିପଦରେ। ରାଜ୍ୟଗୁଡ଼ିକର କ୍ଷମତାକୁ ସ˚କୁଚିତ କରିବାକୁ ରୀତିମତ ଉଦ୍ୟମ ହେଉଛି। ରାଜ୍ୟଗୁଡ଼ିକୁ ଦୁର୍ବଳ କରିବାକୁ ନାନାଦି କୌଶଳ ହେଉଛି। ଅନେକ ପ୍ରତିଷ୍ଠିତ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ଭାଙ୍ଗି ଚୁର୍ମାର କରିଦିଆଯାଉଛି। ଶାସନରେ ଥିବା ଜାତୀୟ ଦଳର କ୍ଷମତା ନିଶା ଓ ବିସ୍ତାରବାଦୀ ଚିନ୍ତାଧାରା ଆଗରେ ବିକାଶ ବଳି ପଡୁଛି। ଭାରତର ଶକ୍ତି ହେଉଛି ବିବିଧତା ଭିତରେ ଏକତା। କିନ୍ତୁ ଏବେ ବହୁଳତାବାଦକୁ ଦଳି ଚକଟି ଦିଆଯାଉଛି। ଆଗକୁ ଦେଶର ଗତି କୁଆଡ଼କୁ, ତାହା କୁହେଳିକାପୂର୍ଣ୍ଣ। ଏଭଳି ସ୍ଥଳେ ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ବିଜୁ ଜନତା ଦଳର ଉଦ୍ଭବ ହୋଇଥିଲା, ତାହା ଆହୁରି ପ୍ରାସ˚ଗିକ ମନେ ହେଉଛି। ତେଣୁ ଓଡ଼ିଶାର ଲୋକମାନେ କୌଣସି ଭେଳିକିରେ ଭଳି ନ ଯାଇ ବା ଭାଷଣରେ ଭୁଲି ନ ଯାଇ ବିଜୁ ଜନତା ଦଳକୁ ସହଯୋଗ କରିବାକୁ ଆଗେଇ ଆସିବା ସୁଖର କଥା। ସେଥିପାଇଁ ଓଡ଼ିଶାର ଲୋକମାନଙ୍କୁ କୃତଜ୍ଞତା ଜଣାଇବା ସହ ସେମାନଙ୍କୁ ପ୍ରଣାମ କରୁଛି।
ଯୋଜନାବୋର୍ଡ ଉପାଧ୍ୟକ୍ଷ