ବିକାଶର ଅନ୍ୟନାମ ବିଜୁ ପଟ୍ଟନାୟକ

ସୁରେନ୍ଦ୍ର ନାଥ ନାୟକ, ପୂର୍ବତନ ମନ୍ତ୍ରୀ

‘ମୁଁ ଖାରବେଳ ଜାତିର ଦାୟଦ, ପୁରୁଷୋତ୍ତମ ଜାତିର ବଂଶୋଦ୍ଭବ । ମୋର ସଂସ୍କୃତି ଶ୍ରୀଜଗନ୍ନାଥ ସଂସ୍କୃତି–ପରମ୍ପରା ଜଗନ୍ନାଥ ପରମ୍ପରା । କଳାର ଉତ୍କର୍ଷତା ପାଇଁ ମୋ ରାଜ୍ୟର ନାମ ଉତ୍କଳ । ଏହି ଉତ୍କଳ ଜନନୀ ପାଇଁ ଜୀବନ ବିନିମୟରେ କିଛି କରିବା ହେଉଛି ମୋ ଜୀବନର ବ୍ରତ…..।’

‘ ସମଗ୍ର ବିଶ୍ୱରେ ପ୍ରକୃତି କେଉଁ ଦେଶକୁ ଶ୍ରେଷ୍ଠ ରୂପେ ଗଢ଼ିଛି ବୋଲି ଅନୁସନ୍ଧାନ କଲେ ନିଶ୍ଚିତ ଭାବେ ଜଣେ ଜାଣିପାରିବ ଯେ ଭାରତ ବର୍ଷରେ ହିଁ ଏହି ଶ୍ରେଷ୍ଠତା ରହିଛି । ଭାରତ ଭିତରେ ଓଡ଼ିଶା ହେଉଛି ପ୍ରାକୃତିକ ସମ୍ପଦରେ ଭରପୂର ଏକ ଅନନ୍ୟ ରାଜ୍ୟ । ଆମେ ସମସ୍ତେ ଆମ ରାଜ୍ୟକୁ ମିଳିମିଶି ଏମିତି ଗଢ଼ିବା ଯେ ସାରା ପୃଥିବୀ ଦିନେ କହିବ ଓଡ଼ିଶା ହେଉଛି ଆମ ସ୍ୱପ୍ନର ରାଜ୍ୟ ।’ ଏ ଉକ୍ତି ହେଉଛି ନବଉତ୍କଳର ନିର୍ମାତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର । ଏହି ସ୍ୱପ୍ନଦ୍ରଷ୍ଟା, କ୍ରାନ୍ତଦର୍ଶୀ ବିଜୁବାବୁ ଥିଲେ ବାସ୍ତବରେ ଝଡ଼ର ଇଗଲ୍‍, ଧରଣୀର କୃଷ୍ଣସାର ଓ ମାଟିର ମୂର୍ତ୍ତିକାର। ଉତ୍କଳ ଜନନୀର ଏହି ଶ୍ରେଷ୍ଠ ସନ୍ତାନଙ୍କ ସହ ମୋ ଜୀବନର ୪୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଜଡ଼ିତ। ତାଙ୍କ ଆହ୍ୱାନରେ ରାଜନୈତିକ କ୍ଷେତ୍ରକୁ ଲମ୍ଫ ପ୍ରଦାନ କରିଥିଲି ଏବଂ ସମୟର ଘନଘଟା ମଧ୍ୟରେ ବିଜୁବାବୁଙ୍କ ମହାପ୍ରୟାଣ ପର୍ଯ୍ୟନ୍ତ ଓ ତା’ପରେ ଏଯାବତ ମୁଁ ଚିନ୍ତା ଓ ଚେତନାରେ ସେହି ପ୍ରଣମ୍ୟ ପୁରୁଷଙ୍କ ସହିତ ରହିଛି ଓ ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ରହିଥିବି ମଧ୍ୟ ।

ତାଙ୍କ ଦ୍ୱିତୀୟ ପାଳି ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଓଡ଼ିଶାର ଜିଲ୍ଲା ସଂଖ୍ୟା ୧୩ରୁ ୩୦କୁ ବୃଦ୍ଧି କରାଯିବା ବେଳେ ମୁଁ ଥିଲି ତାଙ୍କ ସରକାରର ରାଜସ୍ୱ ମନ୍ତ୍ରୀ । ତାଙ୍କ ନିର୍ଦ୍ଦେଶରେ ପ୍ରବଳ ଚାପ ସତ୍ତ୍ୱେ ଜିଲ୍ଲା ପୁନର୍ଗଠନ କାର୍ଯ୍ୟ ସମ୍ପାଦିତ ହେଲା। ସେ ସମୟରେ ରାଜସ୍ୱ ପ୍ରଶାସନରେ ବ୍ୟାପକ ସଂସ୍କାର ଅଣାଯାଇଥିଲା। ଏଥିପାଇଁ ସମସ୍ତ ଶ୍ରେୟ ମୋ ନେତା ବିଜୁ ପଟ୍ଟନାୟକଙ୍କର। ଠିକ୍‌ ସେହିଭଳି ରାଜସ୍ୱ ବଢ଼େଇବା ପାଇଁ ସେତେବେଳେ ମନ୍ତ୍ରିମଣ୍ଡଳର କେତେକ ବନ୍ଧୁ ମଦ ଦୋକାନ ବଢ଼େଇବା ପାଇଁ ଚାପ ପ୍ରୟୋଗ କରୁଥିଲେ । କିନ୍ତୁ ମୁଁ ଅଡ଼ି ବସିବାରୁ ବିଜୁବାବୁ ମୋ କଥାକୁ ଗ୍ରହଣ କରି ମଦ ଦୋକାନ ସଂଖ୍ୟା ବଢ଼ାଇଲେ ନାହିଁ, ବରଂ ଏହାର ଖୋଲା ନିଲାମୀ ପାଇଁ ମୋ ପ୍ରସ୍ତାବକୁ ଗ୍ରହଣ କରି ରାଜସ୍ୱ ବୃଦ୍ଧି ସହ ଏକଚାଟିଆ ମଦ କାରବାରକୁ ବନ୍ଦ କରିଥିଲେ । ଅବକାରୀ ବିଭାଗରେ ମୁଁ ଏକପ୍ରକାର ଅଣନିଃଶ୍ୱାସୀ ହୋଇପଡ଼ୁଥିବାରୁ ଏଥିରୁ ନିସ୍ତାର ପାଇଁ ତାଙ୍କୁ ବାରମ୍ବାର କହୁଥିଲି । ଶେଷରେ ମୋ ଅନୁରୋଧ ରକ୍ଷା କରି ସେ ମୋତେ ଅବକାରୀ ବିଭାଗରୁ ନିସ୍ତାର ଦେଲେ । ନିଶା ନିବାରଣ ପାଇଁ ମହିଳାମାନଙ୍କୁ ଆଗକୁ ଆସିବାକୁ ପଦକ୍ଷେପ ଗ୍ରହଣ କଲେ । କେବଳ ସେତିକି ନୁହେଁ ଦେଶୀ ଓ ମହୁଲି ମଦର କାରବାର ଉପରେ ମଧ୍ୟ ନିଷିଦ୍ଧାଦେଶ ଜାରି କରିଥିଲେ ।

ସାଧାରଣ ଲୋକର ବିକାଶ ପାଇଁ ସେ ସଚିବାଳୟର ଶୀତତାପନିୟନ୍ତ୍ରିତ ପ୍ରକୋଷ୍ଠରେ ଆଇଏଏସ ଅଫିସରଙ୍କୁ ଧରି ଯୋଜନା ନ କରି ଗାଁ ଗହଳର ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରୁଥିଲେ । ଏମିତିକି କିଛି ଆଦିବାସୀ ମହିଳାଙ୍କୁ ମଧ୍ୟ ତାଙ୍କର ଉପଦେଷ୍ଟା ଭାବେ ନିଯୁକ୍ତ କରିଥିଲେ । ସେତେବେଳେ ସେ ଦିନ ମଜୁରିଆଙ୍କ ମଜୁରୀ ୧୧ ଟଙ୍କାରୁ ୨୫ ଟଙ୍କାକୁ ବଢ଼ାଇବା ଏକ ଚର୍ଚ୍ଚାର ବିଷୟ ଥିଲା । ବନ୍ୟା, ବାତ୍ୟା, ମରୁଡ଼ି ଆଦିରେ ବିପନ୍ନ ଲୋକଙ୍କୁ ସହାୟତା କରିବା ପାଇଁ ବିଜୁବାବୁ ନିଜ ଜୀବନକୁ ବାଜି ଲଗାଇ ଦେବାକୁ ମଧ୍ୟ ପଛାଉନଥିଲେ । ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ସେ ପଞ୍ଚାୟତିରାଜ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ସଙ୍ଗେ ସଙ୍ଗେ ମହିଳାମାନଙ୍କୁ ଆଗକୁ ଆଣିବା ପାଇଁ ଏକତୃତୀୟାଂଶ ସ୍ଥାନ ସଂରକ୍ଷଣ ମଧ୍ୟ ଦେଶରେ ପ୍ରଥମଥର ପାଇଁ କରିଥିଲେ। ରାଜ୍ୟ ସ୍ୱାର୍ଥ ଲାଗି ଏକଦା ସେ ଅର୍ଥନୈତିକ ସ୍ୱତନ୍ତ୍ରତା ମଧ୍ୟ ଦାବି କରିଥିଲେ ।

ବାସ୍ତବରେ ଓଡ଼ିଶା ବିକାଶର ଇତିହାସ ବିଜୁ ବାବୁଙ୍କୁ ବାଦ୍‍ଦେଇ ଲେଖାଯାଇ ପାରିବ ନାହିଁ। ଭାରତରେ ଓଡ଼ିଶାର ରାଜନୈତିକ ପରିଚିତି ଥିଲେ ବିଜୁ ବାବୁ। ସେ ବିକାଶର ଯେଉଁ ମୂଳଦୁଆ ପକାଇଥିଲେ ତାହା ଉପରେ ଅନେକ ନିର୍ମାଣ ଚାଲିଛି । କିନ୍ତୁ ଏଯାବତ୍‌ ତାହା ପୂର୍ଣ୍ଣାଙ୍ଗ ହୋଇପାରିନାହିଁ । ଏ ପରିପ୍ରେକ୍ଷୀରେ ବିଜୁବାବୁଙ୍କ ଏକ ବକ୍ତବ୍ୟ ବେଶ୍‌ ଗୁରୁତ୍ୱ ବହନ କରେ । ସେ କହିଥିଲେ, ‘ଆମେ ମହାନ ପରମ୍ପରାର ଦାୟାଦ। ମନୋଜ୍ଞ ଗିରିକୁଞ୍ଜ, ସୁନ୍ଦର ନଦୀଧାରା, ସୁଦୀର୍ଘ ବେଳାଭୂମି, ସମୃଦ୍ଧ ଅରଣ୍ୟ ସମ୍ପଦ ଆମ ରାଜ୍ୟବାସୀଙ୍କ ପାଇଁ ଈଶ୍ୱରଙ୍କ ବରଦାନ । ମୋ ରାଜ୍ୟବାସୀ, ମୋ ରାଜ୍ୟର ତରୁଣ ତରୁଣୀମାନେ ଆଗାମୀ ଦିନରେ ଏସବୁ ସମ୍ପଦର ସୁବିନିଯୋଗ କରି ଏକ ସୁନ୍ଦର ଓଡ଼ିଶା ଗଠନ କରନ୍ତୁ ।’ ତାଙ୍କ ମୃତ୍ୟୁର ଦୀର୍ଘ ୨୩ ବର୍ଷ ପରେ ବି ଓଡ଼ିଶାର ଗଗନ ପବନରେ ଏହି ଆହ୍ୱାନ ଆଜି ବି ପ୍ରତିଧ୍ୱନିତ ହେଉଛି ।

ଅଣକଣା, ପୋ–କୁସୁମ୍ବର,
ଅସ୍ତରଙ୍ଗ, ପୁରୀ ମୋ–୯୪୩୭୦୦୬୭୨୯

ସମ୍ବନ୍ଧିତ ଖବର