ଏଥିରେ ସନ୍ଦେହ ନାହିଁ ଯେ ଜାପାନୀମାନେ ସେମାନଙ୍କ କର୍ତ୍ତବ୍ୟନିଷ୍ଠା, କାର୍ଯ୍ୟଦକ୍ଷତା, ପରିଶ୍ରମ ଓ ଶୃଙ୍ଖଳା ଲାଗି ଉଦାହରଣୀୟ ଏବଂ ବିଶ୍ବବିଦିତ। ସେମାନଙ୍କ ଉଚ୍ଚକୋଟୀର କାର୍ଯ୍ୟ ଦକ୍ଷତାରେ ‘ଇନେମୁରି’ର ଏକ ବିଶେଷ ଭୂମିକା ରହିଛି। ଏବେ ‘ଇନେମୁରି’ର ଅର୍ଥ କ’ଣ, ତାହା ଜାଣିବା‌ ସକାଶେ ପାଠକପାଠିକାମାନେ ନିଶ୍ଚିତ ଭାବେ କୌତୂହଳୀ ହୋଇ ଉଠିଥିବେ। ଏହା ଜାପାନୀମାନଙ୍କ ଜୀବନ ଏବଂ କାର୍ଯ୍ୟ ଶୈଳୀର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ, ଯାହାର ଅର୍ଥ ହେଲା କାମ ମଝିରେ ଟିକିଏ ଶୋଇଯିବା।
ସାଧାରଣତଃ ଭୋକ, ଶୋଷ ଏବଂ ନିଦ ଭୁଲିଯାଇ ନିରବଚ୍ଛିନ୍ନ ଭାବେ ଦୀର୍ଘ କାଳ ଧରି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଆମେମାନେ ପରିଶ୍ରମୀ, ନିଷ୍ଠାପର ଏବଂ କର୍ମଠ ବୋଲି କହିଥାଉ। ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଦୀର୍ଘ ସମୟ ଦପ୍ତରରେ ବସି କାର୍ଯ୍ୟ କରୁଥିବା କର୍ମଚାରୀ ବା ଶାରୀରିକ ପରିଶ୍ରମ କରୁଥିବା ଶ୍ରମିକମାନଙ୍କ ପର୍ଯ୍ୟନ୍ତ ସମସ୍ତେ କେବଳ କାମରେ ବ୍ରତୀ ରହନ୍ତୁ ବୋଲି ଆଶା କରାଯାଏ ଏବଂ ସେହି ବିଚାରରେ କାମ ମଝିରେ ଶୋଇ ପଡ଼ିଥିବା ବ୍ୟକ୍ତିମାନେ ଠାପୁଆ, ଅଳସୁଆ ବା କାମଚୋର ଭାବେ ଲାଂଛିତ ମଧ୍ୟ ହୁଅନ୍ତି। ତେଣୁ ‘ଇନେମୁରି’ ଭଳି କଥାଟିଏ ଏଠାରେ ନାସିକାକୁଂଚନର କାରଣ ହେବା ସ୍ବାଭାବିକ। କିନ୍ତୁ ଓଲଟା କଥା ହେଲା ଜାପାନୀମାନେ ନିରବଚ୍ଛିନ୍ନ ଭାବେ ଦୀର୍ଘ କାଳ କାର୍ଯ୍ୟ ନ କରି ମଝିରେ ମଝିରେ ବିଶ୍ରାମ ନେବା ଉପରେ ଗୁରୁତ୍ବ ପ୍ରଦାନ କରନ୍ତି। ଏଭଳି ଅଭ୍ୟାସରୁ ‘ଇନେମୁରି’ର ସଂସ୍କୃତି ଜନ୍ମ ଲାଭ କରିଛି। ସୁତରାଂ, ‘ଇନେମୁରି’ ହେଉଛି ପରିଶ୍ରମ ଦ୍ବାରା ଝାଉଁଳି ଯିବା ପୂର୍ବରୁ ପୁନର୍ବାର ସତେଜ ହୋଇଯିବାର ଏକ ଇଲମ। ଗଛ ଝାଉଁଳି ଯାଉଥିବା ‌ବେଳେ ମୂଳରେ ଟିକିଏ ପାଣି ଯେଉଁ କାର୍ଯ୍ୟ କରିଥାଏ, ‘ଇନେମୁରି’ ତାହା ହିଁ କରିଥାଏ।
ଏ କଥା ପ୍ରାୟ ସମସ୍ତେ ଅନୁଭବ କରିଥିବେ ଯେ ଦୀର୍ଘ କର୍ମଜନିତ କ୍ଳାନ୍ତି ଉଭୟ ଶରୀର ଏବଂ ମନକୁ ଏଭଳି ଅବଶ କରିଦିଏ ଯେ ଅତି ସାଧାରଣ କାର୍ଯ୍ୟ ମଧ୍ୟ ପର୍ବତ ଅତିକ୍ରମ କରିବା ତୁଲ୍ୟ ଲାଗିଥାଏ। ଦିନରାତି ପରିଶ୍ରମ କରୁଥିବା ମେଧାବୀ ଛାତ୍ରମାନେ ବେଳେ ବେଳେ ଅତି ସାଧାରଣ ଗଣିତର ଉତ୍ତର ଦେଇ ନ ପାରି ‌େବାକାଙ୍କ ଭଳି ଚାହିଁ ରହନ୍ତି। ଏବେ ବୁଝିବା ଦରକାର ଯେ ଏହା ହିଁ ହେଉଛି ‘ଇନେମୁରି’ର ସମୟ। ଆଖିରେ ପାଣି ଛାଟି ବା ମୁହଁକୁ ଧୋଇ ପୁଣି କାମରେ ବସିଯିବା‌ ଅପେକ୍ଷା ଏବେ ଶ୍ରେୟସ୍କର ହେଉଛି ଯେଉଁ ସ୍ଥାନରେ ଅଛେ, ସେହି ସ୍ଥାନରେ ଶରୀରକୁ ଢିଲା ଛାଡ଼ିଦେଇ ଆଖି ବନ୍ଦ କରି ଏକ ଆରାମପ୍ରଦ ଅବସ୍ଥାରେ ନିଜକୁ ରଖିବା। ଏହି ସମୟରେ ହୁଏ’ତ ସ୍ବଳ୍ପ ସମୟ ଲାଗି ଆଖି ଲାଗି ଯାଇପାରେ; କିନ୍ତୁ ଏଭଳି ବିଶ୍ରାମ ପରେ ଜଣେ ଜଣେ ଅତ୍ୟନ୍ତ ସତେଜ ଓ ଜାଗ୍ରତ ହୋଇ ଉଠିବସେ। ତା’ର କାର୍ଯ୍ୟଦକ୍ଷତା ପୁଣି ଫେରିଆସେ।
ସମସ୍ତ ଗବେଷଣାଲବ୍‌ଧ ତଥ୍ୟ କଠିନ ଓ ସୁଦୀର୍ଘ ପରିଶ୍ରମ ମଧ୍ୟରେ ବିରତିର ଭୂମିକାକୁ ଗୁରୁତ୍ବ ପ୍ରଦାନ କରିଥାଏ। ସେଥି ଲାଗି ସବୁ ଦେଶରେ କାର୍ଯ୍ୟ-ନିର୍ଘଣ୍ଟ ବା ରୁଟିନ ପ୍ରସ୍ତୁତ କଲା ବେଳେ ବିରତିର ବ୍ୟବସ୍ଥା କରାଯାଏ। ଦିବାଚରମାନଙ୍କ ଲାଗି ରାତିରେ ଶୋଇବା ଓ ରାତ୍ରିଚରମାନଙ୍କ ଲାଗି ଦିନରେ ଶୋଇବା ହେଉଛି ପ୍ରକୃତି ଦତ୍ତ ବିଶ୍ରାମର ବ୍ୟବସ୍ଥା। କିନ୍ତୁ ତା’ ଛଡ଼ା କାର୍ଯ୍ୟର ସଘନତାକୁ ନେଇ ଅନ୍ୟ ସମୟରେ ମଧ୍ୟ ସ୍ବଳ୍ପକାଳୀନ ବିଶ୍ରାମର ଆବଶ୍ୟକତା ରହିଛି। ପୃଥିବୀର ବିଭିନ୍ନ ପ୍ରାନ୍ତରେ ସେଠାକାର ପରିବେଶ ଅନୁସାରେ ଜୀବନଚର୍ଯ୍ୟାରେ ବିରତି ବା ବିଶ୍ରାମର ବ୍ୟବସ୍ଥା କରାଯାଇଥାଏ; ଯାହାର ଏକ ଉଦାହରଣ ହେଲା ବିଷୁବ ମଣ୍ଡଳୀୟ ଅଞ୍ଚଳ‌େର ଦ୍ବିପ୍ରହରେ ଘଡ଼ିଏ ଶୋଇ ପଡ଼ିବାର ଅଭ୍ୟାସ, ଯାହା ସ୍ପାନିସ ଭାଷାରେ ‘ସିଏସ୍ତା’ ନା‌ମରେ ଖ୍ୟାତ। ଜାପାନୀମାନେ ସ୍ବଭାବଗତ ଭାବେ କର୍ମଠ ଏବଂ ଶୃଙ୍ଖଳିତ ହୋଇଥିବାରୁ ସେମାନେ ‘ଇନେମୁରି’କୁ ଏକ ସୁସଂହତ ସଂସ୍କୃତିରେ ପରିଣତ କରି ପାରିଛନ୍ତି। ବୋଧହୁଏ ‘ଇନେମୁରି’ ସଂସ୍କୃତିର ପ୍ରେରଣା ଗୌତମ ବୁଦ୍ଧଙ୍କ ‘ମଧ୍ୟମ ପନ୍ଥା’ରୁ ମିଳିଥିବ। କିଂବଦନ୍ତି କହେ ଯେ ବୁଦ୍ଧତ୍ବ ପାଇବା ଲାଗି କୃଚ୍ଛ୍ର ସାଧନା କରି କଙ୍କାଳସାର ହୋଇଯାଇଥିବା ଗୌତମ ସେଭଳି ସାଧନାର ତ୍ରୁଟି ବିଷୟ ହୃଦୟଙ୍ଗମ କରି ବିବ୍ରତ ହୋଇ ଉଠିଥିବା ବେଳେ ଏକ ଗୀତ ଶୁଣିବାକୁ ପାଇଥିଲେ, ଯାହାର ମର୍ମାର୍ଥ ଥିଲା ଏହା ଯେ ବୀଣାର ତାରକୁ ଏତେ ଢିଲା କର ନାହିଁ ଯେ ତହିଁରୁ ସ୍ବର ବାହାରିବ ନାହିଁ ବା ଏତେ ଟାଣି ବାନ୍ଧ ନାହିଁ ଯେ ମୂଳରୁ ତା’ର ଛିଡ଼ିଯିବ। ଏଥିରୁ ଗୌତମ ‘ମଧ୍ୟମ ପନ୍ଥା’ର ପ୍ରସିଦ୍ଧ ମାର୍ଗ ପାଇଥିଲେ। ‘ଇନେମୁରି’ରେ ରହିଛି ସେହିଭଳି ‘ମଧ୍ୟମ ପନ୍ଥା’ର ମନ୍ତ୍ର। କିନ୍ତୁ ଏଥିରେ ନିହିତ ବିଡ଼ମ୍ବନାଟି ହେଲା ଯେଉଁମାନେ ସ୍ବଭାବଗତ ଭାବେ କର୍ମକୁଣ୍ଠ ସେମାନଙ୍କ ଲାଗି ‘ଇନେମୁରି’ କାର୍ଯ୍ୟ ଠାରୁ ଦୂରେଇ ରହିବାର ଏକ ସୁଯୋଗ ମଧ୍ୟ ହୋଇପାରେ।
ପ୍ରଖ୍ୟାତ ଶିଳ୍ପପତି ଜେରାଲ୍‌ଡ ଫେର୍ଡ କହିଥିଲେ ଯେ ‘ମରି ପଡ଼ି କାମ କର, କିନ୍ତୁ ଖାଇବା ପିଇବା ଭୁଲ ନାହିଁ।’ କାମ ଦ୍ବାରା ନିଜକୁ କ୍ଷୟ ନ କରି ବରଂ ନିଜକୁ ସଂରକ୍ଷଣ କରିବା ଲାଗି ଫୋର୍ଡ ଏହି ପ୍ରାଜ୍ଞ ପରାମର୍ଶ ଦେଇଥିଲେ। ‘ଇନେମୁରି’ ମଧ୍ୟ ସେହିଭଳି ଏକ ଜୀବନ-କୌଶଳ।
ମୋ: ୯୪୩୮୧୦୪୮୫୭