କଳା କାର୍‌

ମଟର‌୍‌ କାର‌୍‌କୁ ସାଧାରଣ ଆୟ ବର୍ଗର ପହୁଞ୍ଚ ମଧୢକୁ ଆଣିବାର ଶ୍ରେୟ ଯେଉଁ ଜଣେ ବ୍ୟକ୍ତିଙ୍କୁ ଦିଆ ହୋଇଥାଏ, ସେ ହେଉଛନ୍ତି ହେନ୍‌ରି ଫୋର୍ଡ। କାର‌୍‌ ଯଦି ଶସ୍ତାରେ ବିକ୍ରୟ କରାଯାଏ, ତେବେ ଅଧିକରୁ ଅଧିକ ଲୋକ କାର‌୍‌ କିଣି ପାରିବେ, ଏହା ସମସ୍ତଙ୍କୁ ଜଣା ଥିଲା। ଯଦି କାର‌୍‌ ତିଆରି ଖର୍ଚ୍ଚକୁ ଶସ୍ତା କରି ଦିଆଯାଇ ପାରିବ, ତେବେ କାର‌୍‌ର ବିକ୍ରୟ ମୂଲ୍ୟ ଶସ୍ତା ହୋଇ ପାରିବ, ଏହା ମଧୢ ସାଧାରଣ ଜ୍ଞାନ ଥିଲା। କିନ୍ତୁ ଯାହା କାହାରିକୁ ଜଣା ନ ଥିଲା, ତାହା ହେଲା- ଶସ୍ତାରେ କିପରି କାର‌୍‌ ନିର୍ମାଣ କରାଯାଇ ପାରିବ? ହେନ୍‌ରି ଫୋର୍ଡ ହେଉଛନ୍ତି ସେହି ବ୍ୟକ୍ତି ଯିଏ ଏହି ଯୁଗାନ୍ତକାରୀ କୌଶଳ ଉଦ୍ଭାବନ କରିଥିଲେ।

୧୯୦୮ରେ ମଟର‌୍‌ କାର‌୍‌ ନିର୍ମାଣ ପାଇଁ ଫୋର୍ଡ ପ୍ରଥମେ ପ୍ରୟୋଗ କରିଥିବା ଏହି କୌଶଳର ନାମ ହେଉଛି ବର୍ତ୍ତମାନ ସୁପରିଚିତ ‘ଆସେମ୍ବ୍ଲି ଲାଇନ୍‌’। ଏଥି ପୂର୍ବରୁ ମିସ୍ତ୍ରିମାନେ ଲାଗି ପଡ଼ି ଗୋଟିଏ କାର‌୍‌ର ନିର୍ମାଣ ସମ୍ପୂର୍ଣ୍ଣ କରିବା ପରେ ଯାଇ ଆଉ ଗୋଟିଏ କାର‌୍‌ ତିଆରି ଆରମ୍ଭ କରୁଥିଲେ। ଏହା ଅତ୍ୟନ୍ତ ସମୟସାପେକ୍ଷ ହୋଇଥିବାରୁ ସୀମିତ ସ˚ଖ୍ୟକ କାର‌୍‌ ନିର୍ମିତ ହୋଇପାରୁଥିଲା ଏବ˚ ଉତ୍ପାଦନ ଖର୍ଚ୍ଚ ବହୁତ ଉଚ୍ଚା ହେଉଥିଲା। ‘ଆସେମ୍ବ୍ଲି ଲାଇନ୍‌’ ବ୍ୟବସ୍ଥାରେ ଅବିରାମ ଉତ୍ପାଦନ ସ୍ରୋତ ବହି ଚାଲିଥିବା ବେଳେ ମିସ୍ତ୍ରିମାନେ ପ୍ରତ୍ୟେକ କେବଳ ଗୋଟିଏ ପ୍ରକାର ଯନ୍ତ୍ରା˚ଶ ଖଞ୍ଜିବାରେ ବ୍ୟସ୍ତ ଥା’ନ୍ତି। ଏ ବ୍ୟବସ୍ଥାରେ ତେଣୁ ଗ୍ରାହକର ବରାଦ ମୁତାବକ ଗାଡ଼ି ତିଆରି ନ ହୋଇ କେତେକ ପୂର୍ବ ନିର୍ଦ୍ଦିଷ୍ଟ କିସମର ଗାଡ଼ି ତିଆରି ହୋଇ ପାରିଥାଏ।

ଏହି ନୂତନ କୌଶଳ ବ୍ୟବହାର ହୋଇ ଯେଉଁ ପ୍ରଥମ ଫୋର୍ଡ କାର‌୍‌ ତିଆରି ହୋଇଥିଲା, ତାହାର ନାମ ଥିଲା ‘ମଡେଲ୍‌-ଟି’ ଏବ˚ ଅନତି ବିଳମ୍ବେ ଏହା ଆମେରିକାର ସର୍ବାଧିକ ଲୋକପ୍ରିୟ କାର‌୍‌ରେ ପରିଣତ ହୋଇ ଯାଇଥିଲା। ‘ମଡେଲ୍‌-ଟି’ କାର‌୍‌ କିନ୍ତୁ କେବଳ ଗୋଟିଏ ରଙ୍ଗରେ ମିଳୁଥିଲା- କଳା। ଏ ସମ୍ପର୍କରେ ହେନ୍‌ରି ଫୋର୍ଡଙ୍କର ଏକ କାଳଜୟୀ ମନ୍ତବ୍ୟ ଥିଲା: ‘‘ଯେ କୌଣସି ଗ୍ରାହକ ତାଙ୍କର କାର‌୍‌ ଯେଉଁ ରଙ୍ଗର ହେବା ଚାହିଁବେ, ସେଇ ରଙ୍ଗରେ ତାଙ୍କ ଗାଡ଼ିକୁ ରଙ୍ଗେଇ ଦିଆ ଯାଇ ପାରିବ, ଯେ ପର୍ଯ୍ୟନ୍ତ କିନ୍ତୁ ତାହା କଳା ରଙ୍ଗ ହୋଇଥାଏ।’’ ଏହାର ମର୍ମ ହେଲା- ଭିନ୍ନ ଭିନ୍ନ ରଙ୍ଗ ସ୍ପ୍ରେ କରିବାକୁ ହେଲେ ଆସେମ୍ବ୍ଲି ଲାଇନ୍‌ ଉତ୍ପାଦନ ସ୍ରୋତ ବାଧାପ୍ରାପ୍ତ ହେବ, ଯାହା ଫଳରେ ଉତ୍ପାଦନ ବେଗ ହ୍ରାସ ପାଇବ, ଉତ୍ପାଦନ ପରିମାଣ ହ୍ରାସ ପାଇବ ଏବ˚ କାର‌୍‌ର ଉତ୍ପାଦନ ଖର୍ଚ୍ଚ ଓ ଶେଷରେ ବିକ୍ରୟ ମୂଲ୍ୟ ବୃଦ୍ଧି ପାଇବ। ଯେଉଁ କାର‌୍‌ ନିର୍ମାତା ପ୍ରତିଯୋଗିତାମୂଳକ ଭାବରେ ଶସ୍ତାରେ କାର‌୍‌ ନିର୍ମାଣ କରି ବଜାର ଦଖଲ କରିବାରେ ଏଭଳି ଅଗ୍ରଦୂତ ଥିଲା, ସେଇ ଫୋର୍ଡ କମ୍ପାନି ବର୍ତ୍ତମାନ ଭାରତ ଭଳି ଏକ ଅତ୍ୟନ୍ତ ମୂଲ୍ୟକାତର ବଜାରରେ ଠିକ୍‌ ତାହା ହିଁ କରି ପାରିବାରେ ବିଫଳ ହୋଇ ଲାଙ୍ଗୁଡ଼ ଯାକି ଏଠାରୁ ପଳାୟନ କରିବା ଏକ ବିଡ଼ମ୍ବନା ନୁହେଁ ତ ଆଉ କ’ଣ? କେତେକ ପର୍ଯ୍ୟବେକ୍ଷକ ଏଥିପାଇଁ ଫୋର୍ଡକୁ ଦୋଷ ନ ଦେଇ ଭାରତରେ ବିରାଜମାନ କରୁଥିବା ବ୍ୟବସାୟ ପରିବେଶକୁ ଦୋଷ ଦେଉଛନ୍ତି।

ଏହା କିନ୍ତୁ ଚାଲି ନ ଜାଣି ବାଟର ଦୋଷ ବାଛିବା ଭଳି; କାରଣ ଏଠାରେ ତ ପୁଣି ମାରୁତିରୁ ମହୀନ୍ଦ୍ରା ପର୍ଯ୍ୟନ୍ତ, ହ୍ୟୁଣ୍ତାଇରୁ ଟୋୟୋଟା ପର୍ଯ୍ୟନ୍ତ ସଫଳ ଭାବରେ ବ୍ୟବସାୟ କରି ଚାଲିଛନ୍ତି। ଏକ ଦଶନ୍ଧିରୁ ଅଧିକ କାଳ ଧରି ଫୋର୍ଡ ଏଠାରେ ଆସ୍ଥାନ ଜମାଇବାକୁ ଚେଷ୍ଟା କରି ଆସିଥିଲେ ହେଁ ବର୍ତ୍ତମାନର ବିଦାୟ ମୁହୂର୍ତ୍ତରେ ଭାରତର କାର‌୍‌ ବଜାରର ଏକ ନଗଣ୍ୟ ୨ ଶତା˚ଶ ମାତ୍ରରୁ ମଧୢ କମ୍‌ ତା’ର ଦଖଲକୁ ଆସି ପାରିଛି। ମାରୁତି କିମ୍ବା ହ୍ୟୁଣ୍ତାଇ ଭଳି ଠେକୁଆମାନେ ସକ୍ରିୟ ଥିବା ଭାରତୀୟ କାର‌୍‌ ବଜାରରେ ଫୋର୍ଡ ଯେ ଏକ କଇଁଛ ସଦୃଶ ପଛରେ ପଡ଼ି ଯାଇଥିଲା, ତାହାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଥିଲା ଜୁଲାଇରେ ଯେତେବେଳେ ସେଇ କମ୍ପାନି ତା’ର ଦ୍ବିତୀୟ ପିଢ଼ିର ‘ଫିଗୋ’ ଅଟୋମେଟିକ୍‌ ଗାଡ଼ି ବଜାରରେ ପ୍ରବେଶ କରାଇଲା। ନୂଆ କରି ଏହି ଶ୍ରେଣୀର ଗାଡ଼ି କିଣିବାକୁ ବାହାରିଥିବା ଗ୍ରାହକମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ଗାଡ଼ିଟି ଯେତେବେଳେ ବଜାରରେ ପହଞ୍ଚିଲା, ସେତେବେଳେ ତା’ର ଚେତା ପଶିଲା ଏହା ଏସପ୍‌ଙ୍କ କାହାଣୀର ଦୁନିଆ ନୁହେଁ ଯେ ଏଠାରେ ଠେକୁଆ ଲକ୍ଷ୍ୟସ୍ଥଳୀରେ ପହଞ୍ଚିବା ବେଳକୁ କଇଁଛ ସେଠାରେ ଆଗରୁ ପହଞ୍ଚି ସାରିଥିବ। ବାସ୍ତବ ଦୁନିଆରେ ଠେକୁଆମାନେ ହିଁ କଇଁଛମାନଙ୍କୁ ପଛରେ ପକାଇ ଦୌଡ଼ ଜିତନ୍ତି ଏବ˚ ବଜାର ଦଖଲ କରନ୍ତି। ବଜାରରେ ‘ଫିଗୋ’ ପହଞ୍ଚିବା ବେଳକୁ ସେଠାରେ ହ୍ୟୁଣ୍ତାଇ ‘ଆଇ-୨୦’, ଫୋକ୍‌ସଵାଗେନ୍‌ ‘ପୋଲୋ’ ଓ ମାରୁତି ‘ବାଲିନୋ’ ଆଦି ଅନୁରୂପ ଗାଡ଼ିମାନ ଗ୍ରାହକମାନଙ୍କର ମନ ଓ ମନିପର୍ସ ଛୁଇଁ ସାରିଥିଲେ।

ଭାରତରେ ଫୋର୍ଡ ବାର୍ଷିକ ପ୍ରାୟ ଚାରି ଲକ୍ଷ କାର‌୍‌ ନିର୍ମାଣ ପାଇଁ କ୍ଷମତା ସୃଷ୍ଟି କରିଥିଲେ ହେଁ ଚାହିଦା ଅଭାବରୁ ଏହାର ସ୍ବଳ୍ପ ଅ˚ଶ ମାତ୍ର ପ୍ରକୃତରେ ଉପଯୋଗ ହୋଇ ପାରିଛି। ଏହି କାରଣରୁ ଭାରତରେ ବ୍ୟବସାୟ ଆରମ୍ଭ କରିବା ପର ଠାରୁ ବର୍ତ୍ତମାନ ମଧୢରେ ଏହି କମ୍ପାନି ମୁଣ୍ତାଇଥିବା ମୋଟ କ୍ଷତିର ପରିମାଣ ଦୁଇ ବିଲିଅନ୍‌ ଡଲାର‌୍‌ ଛୁଇଁ ସାରିଛି। ଭାରତୀୟ ଗ୍ରାହକମାନେ ଯେ କେବଳ କାର‌୍‌ର ମୂଲ୍ୟ ପ୍ରତି ସ୍ପର୍ଶକାତର ହୋଇଥା’ନ୍ତି, ତାହା ନୁହେଁ, ସେମାନେ ମଧୢ କାର‌୍‌ର ଇନ୍ଧନ ଦକ୍ଷତାକୁ ପ୍ରାଥମିକତା ଦେଇଥା’ନ୍ତି- ଅର୍ଥାତ୍‌ ସବୁଠାରୁ କମ୍‌ ତେଲ ପୋଡ଼ି ସବୁଠାରୁ ଅଧିକ ପଥ ଅତିକ୍ରମ କରୁଥିବା ଗାଡ଼ିକୁ ସେମାନେ ପସନ୍ଦ କରନ୍ତି। ତା’ର ପ୍ରତିଦ୍ବନ୍ଦ୍ବୀ ଜାପାନୀ ଓ ଦକ୍ଷିଣ କୋରିଆ କମ୍ପାନିମାନଙ୍କର ଗାଡ଼ି ତୁଳନାରେ ଫୋର୍ଡ ଏ ବାବଦରେ ମଧୢ ପଛରେ ପଡ଼ିଥିଲା। ଆଗାମୀ ଦିନରେ ଇଲେକ୍‌ଟ୍ରିକ୍‌ ଗାଡ଼ିମାନ କ୍ରମେ ରାସ୍ତାରୁ ପେଟ୍ରୋଲ ଓ ଡିଜେଲ୍‌ ଚାଳିତ ଗାଡ଼ିମାନଙ୍କୁ ହଟାଇବାକୁ ଯାଉଛନ୍ତି। ଭାରତରେ ଟାଟା ମୋଟର୍ସ ଏଥିରେ ନେତୃ ସ୍ଥାନରେ ଥିବା ବେଳେ ଫୋର୍ଡର ଏଠାରେ ଏ ଦିଗରେ ଉଦ୍ୟମ ପ୍ରାୟ ଶୂନ୍ୟ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ଅନ୍ୟ କମ୍ପାନିମାନେ ଭାରତକୁ ଉତ୍ପାଦନସ୍ଥଳୀ ରୂପେ ବ୍ୟବହାର କରି ବିଦେଶକୁ ଗାଡ଼ି ରପ୍ତାନି କରୁଥିଲା ବେଳେ ଫୋର୍ଡ ସେଥିରେ ମଧୢ ନିଷ୍କ୍ରିୟ ଥିଲା କହିଲେ ଚଳେ।

ଦିନ ଥିଲା ଯେତେବେଳେ କେବଳ କଳା ରଙ୍ଗର କାର‌୍‌ ତିଆରି କରି ହେନ୍‌ରି ଫୋର୍ଡ ଆମେରିକାର ନବ୍ୟ କାର‌୍‌ ବ୍ୟବହାରକାରୀମାନଙ୍କର ମନ କିଣି ପାରିଥିଲେ। ତାହା କିନ୍ତୁ ଏକ ଶତାବ୍ଦୀରୁ ଅଧିକ କାଳ ତଳେ ସମ୍ଭବ ହୋଇଥିଲା। ବର୍ତ୍ତମାନ କିନ୍ତୁ କୌଣସି କମ୍ପାନି ଯଦି ସେଠାରେ କେବଳ କଳା କାର‌୍‌ ତିଆରି କରେ, ସେ କମ୍ପାନି ଯେମିତି ବୁଡ଼ିଯିବା ନିଶ୍ଚିତ, ସେହିପରି ବଜାରର ଚାହିଦା ଅନୁସାରେ ନିଜର ଉତ୍ପାଦନକୁ ଖାପ ନ ଖୁଆଇଲେ, ତିଷ୍ଠିବା ଯେ କଷ୍ଟ, ଭାରତରେ ହେନ୍‌ରି ଫୋର୍ଡଙ୍କ ଦାୟାଦର ଭାଗ୍ୟ ତାହା ପ୍ରମାଣ କରିଛି।

ସମ୍ବନ୍ଧିତ ଖବର